ABhimanyu Panda

Tragedy Fantasy

3  

ABhimanyu Panda

Tragedy Fantasy

ବଡ଼ଘର ବଡ଼ ଗୁମର କଥା

ବଡ଼ଘର ବଡ଼ ଗୁମର କଥା

13 mins
570



ପତ୍ନୀଙ୍କ ପାଦର ଘେରା ପାଉଁଜୀର ଘୁଙ୍ଗୁରର ଛମଛମ ପାଖେଇ ଶବ୍ଦ ଆସୁଛି । ଡାକ ମାରିମାରି ଆସୁଛନ୍ତି । 


ହେଇଟି କୁଆଡ଼େ ଗଲ ? ଆସ ଖାଇଦିଅ ଜଲଦି । ଦିନ ଯାକର ପାଇଟି କରିକରି ଦେହହାତ ବିନ୍ଧି ଦେଉଛି ମୋର । ତୁମର ଲେଞ୍ଜରା ସରିଲେ କେମିତି ବିଛଣା ଧରିବି । ଆଉ ଟିକେ ପାଖେଇ ଆସୁଆସୁ କାନ ଝୁମୁକାର ସେ ରୁଣୁଝୁଣୁ ଶବ୍ଦ ଯାହା ମୋର ଅତିପ୍ରିୟ । ସେ ଶବଦ ରେ ମତୁଆଲା ହେବାର ବଦନାମୀ ମୋ ଉପରେ ଅଜାଡ଼ି ଦିଆଯାଇଛି । 


କୁଆଡ଼େ ଗଲ ଭାଇଙ୍କୁ ବି ଡାକି ଆସ । 


ପୁଣି ପାଖେଇ ଆସୁଛନ୍ତି ପ୍ରାଣପ୍ରିୟା ମୋର । ହାତ ଚୁଡ଼ିର ଝଙ୍କୃତ ଶବଦ । ଯେଉଁ ଶବ୍ଦ ବ୍ୟବହାର କରି ପତ୍ନୀ ମୋର ଇଙ୍ଗିତରେ ଇଙ୍ଗିତରେ ଅନେକ କଥା କୁହନ୍ତି । ମୁଁ ବି ଜାଣିଶୁଣି ଭାଇଥିବା ବେଳେ ପତ୍ନୀଙ୍କର ଡାକକୁ ଅଣଶୁଣା କରେ କେବଳ ଏଇ ଚୁଡ଼ିର ଝଙ୍କାର ଶୁଣିବା ପାଇଁ । 


ଆଉ କେଇପାଦ ଆଗେଇ ଆସିଲେ ବାଯେଣି ନୁପୁରର ଶବ୍ଦ । ଯେଉଁସବୁ ଶବ୍ଦ ଝଙ୍କାରକୁ ମୁଁ କାନ ଡେରି ଶୁଣେ ସେସବୁ ଆଜି ମୋତେ ଆକୃଷ୍ଟ କରି ପାରୁନାହାଁନ୍ତି । 


ଶୁଣୁଛ ନା ନାଇଁ ମ କଉଠି ଅଛ କି ? ବଡ଼ଲୋକ ବୋଲି କାହିଁରେ କେତେ ବାଜଣା । ସବୁ ଲାଗି ତ ଚାକର ବାକର ରଖିଲ ହେଲେ ରୋଷେଇ ଘରେ ମୋତେ ଏକା ସବୁ କରିବାକୁ ପଡ଼ୁଛି । ପାଞ୍ଚ ପ୍ରକାର ତ ଛାଡ଼ ପଚାଶ ପ୍ରକାରରେ ବି ମନ ତୁମର ବୁଝେନି !! ଜାଣିଛ ମୁଁ ବି ଚାହେଁନି ଆଉକିଏ ଆସୁ ତୁମକୁ ରୋଷେଇ କରିଦେବାକୁ । ହେଲେ କଣ କରିବି ଖଟଣୀ ଯୋର ହେଉଛି । ବଡ଼ଖିଆ ବୋଲି ଲୋକମୁଖେ ଚର୍ଚ୍ଚା ତମର । ଗହଣାର ଶବ୍ଦ ସବୁ ଆହୁରି ପାଖେଇ ଆସିଲେ । 


ଏସବୁ ଇତରେ କାନ୍ଧରେ ପଡ଼ିଥିବା ପାଟ ପତନୀରେ ଆଖିରୁ ଝରୁଥିବା ଲୁହ ପୋଛିଦେଲି ତରତର ରେ । ମୋତେ ଖୋଜିଖୋଜି ପତ୍ନୀମୋର ପହଞ୍ଚିଗଲେ ମୋ ପାଖରେ । 


ହୋ ସାଆନ୍ତେ ଏଇଠି ବସିଛ ? ଚାଲିଲ ଚାଲିଲ ଖାଇଦେଵ । ଦେହଟା କାହିଁକି ଭଲ ଲାଗୁନି ଆଜି । ଭାଇ ତୁମର କୁଆଡ଼େ ଗଲେ ?


 ହଁ ଚାଲ ଚାଲ ଆସୁଛି ମୁଁ । ମୋତେ ବି ଭୋକ ହେଲାଣି । ଚାଲ ସଆନ୍ତାଣୀ ବଢ଼ାବଢ଼ି କର ମୁଁ ନନାଙ୍କୁ ଡାକି ଆସୁଛି । ଘୁଙ୍ଗୁର , ନୁପୁର , ଝୁମୁକା , ଚୁଡ଼ିର ତାନରେ କୋଳାହଳ ଭର୍ତ୍ତି ହେଇଗଲା ଅନିଚ୍ଛା ସତ୍ତ୍ୱେ । ଜାଣି ପାରିଲିନି ଆଖିରେ ପୁଣି ଦଲକାଏ ଲୁହ ଛଲକି ଗଲା । ନନା , ନନା କୁଆଡ଼େ ଗଲ ଆସ । ଖାଇବାକୁ ଡାକିଗଲେଣି ତୁମ ବୋହୂ । ମୁଁ ଆଗେଆଗେ ନନା ପଛେପଛେ । 

ନାନା ବ୍ୟଞ୍ଜନରେ ପୁରିଯାଇଛି ଖାଇବା ଜାଗାଟି । ଖାଇବା ଆରମ୍ଭ ହେଲା । ଆଜି ଆଧାରଟିଏ ଅଧରକୁ ଛୁଆଁଇବାକୁ ଇଚ୍ଛା ହେଉନି । ଆଖିରେ ବାରମ୍ବାର ଲୁହ ପୁରି ଯାଉଛି । ତଳକୁ ଦେଖି ଆଖି ମିଟିମିଟି କରି ଆଖିର ଲୁହକୁ ଆଖିରେ ଅଟକେଇ ଦେଉଛି । ମନରେ ଏମିତି ଅପ୍ରତିମ ଚିତ୍ରଟିଏ ଭାସି ଉଠିଲା ଯେ । ଲୁହକୁ ଅଟକାଇବା ଅସମ୍ଭବ ହେଇଗଲା । ଧରା ପଡ଼ିଯିବି ତାହେଲେ । କେତେକେତେ ଫନ୍ଦି ଫିକର ମୋ ନାଁରେ ଖ୍ୟାତ ଆଉ କୁଖ୍ୟାତ ହେଇଛି । କିଛି କରିବାକୁ ପଡ଼ିବ । ଜୋରଜୋରରେ ଖାଶିବାକୁ ଲାଗିଲି । ଜାଣିଶୁଣି ଅଭିନୟ ଆରମ୍ଭ କରିଦେଲି । 


କି ରେ ଦେଖି ଖାଉନୁ !? ଏମିତି କହୁକହୁ ନନା ନିଜର ଖାଇବା ସାରି ଉଠିଗଲେ । 


ଜଣେ ସହଚରୀ ନନାଙ୍କ ଶଙ୍ଖୁଡ଼ି ଉଠେଇନେଲେ । ଗୋବର ପାଣି ସିଞ୍ଚିଦେଲେ । ଏସବୁ ବିଜୁଳି ବେଗରେ ଘଟିଗଲା । ଦେଢ଼ଶୁର ଶଙ୍ଖୁଡ଼ି ଭାଇବୋହୂ କେମିତି ଛୁଇଁଥାନ୍ତେ । ଧାଇଁ ଆସିଲେ ପତ୍ନୀ ମୋର । ପାଣି ଗ୍ଲାସଟେ ବଢ଼େଇଦେଲେ ହାତକୁ । ପିଠି ଆଉଁସିଲେ । 


କଣ ହେଇଛି କି ଆଜି ସାଆନ୍ତେ ? ଏତେ ଯତ୍ନରେ ତୁମର ସବୁ ପ୍ରିୟ ଦରବ ପାକ କରିଛି , ତୁଣ୍ଡରେ ବି ଦେଇନ ଟିକେ !! କଣ ଦେହ ଭଲ ନାହିଁକି ? ବେଶି ହୁକୁହୁକୁ ହେଇ ବର୍ଷାରେ ଭିଜୁଥିଲ । ଏବେ କିଏ ଭୋଗିବ !? ଦେହ ବେଶି ଖରାପ ଲାଗୁଛି କି ? କହିବ ଯଦି ବଇଦ ପାଖକୁ ଖବର ପଠେଇବି । 


ନା ନା ଥାଉ ଥାଉ । ମୁହଁକୁ ଚାହିଁଲି ପତ୍ନୀଙ୍କର । 


ଆଜି କଣ ସେଇ ମନେ ପଡ଼ୁଛନ୍ତି କି ବେଶି ? ମୁଁ ଜାଣିଛି ପରା ଆଉ କିଛି ନୁହେଁ ! ତୁମେ କଣ ଲୁଚେଇବ ମୋତେ !! ତୁମ ଆଖିପରା ପୁରାଣ ଶାସ୍ତ୍ର ସବୁ ବଖାଣି ଦେଉଛି । କେମିତି ଲାଲ ଟହଟହ ଦିଶୁଛି ସେ ପଦ୍ମ ଆଖି ଯୋଡ଼ିକ । 


ଆରେ ନାଇଁ । ତୁମେ ସବୁବେଳେ ଖାଲି ସେଇକଥା କହୁଛ । 


ଆଉ କେହି ଅତି ଆପଣାର ଦୁଃଖୀର ଦୁଃଖ ବ୍ୟଥିତ କରିଛି ମନକୁ !?


 ନାଇଁ ନାଇଁ । ଦେହଟା ଭଲ ଲାଗୁନି । 


ହଉ ଅଳ୍ପକିଛି ଖାଇଦିଅ । ଖାଲି ପେଟରେ ଏଡ଼େବଡ଼ ରାତିଟା ଉପାସ ଶୋଇବ କେମିତି ? ତୁମେ ଯେମିତି ମଣିଷ ନା ରାତି ଅଧରେ ହାଣ୍ଡିଶାଳ ଅଣ୍ଡାଳିବ । 


ପତ୍ନୀଙ୍କ ମନ ରଖିବାପାଇଁ ଦୁଇ/ଚାରିଥର ମୁହଁରେ ଦେଇ ଉଠିଗଲି । ବିଛଣାରେ ଲମ୍ବ ହେଇ ପଡ଼ିଗଲି । ମନଟା ଅଶାନ୍ତ ସମୁଦ୍ର ପରିକା । ଢେଉସବୁ ଆଖିକୁ ବେଳାଭୂମି କରି ମଥା ପିଟିବାକୁ ପ୍ରସ୍ତୁତ । ନିଜେ ଖାଇପିଇ ଘରର ପାଇଟି ସାରି ପତ୍ନୀମୋର ଆସି ପହଞ୍ଚିଗଲେ ବିଛଣାରେ । 


ଉଷୁମ ଶୋରିଷ ତେଲରେ ରସୁଣ ପକେଇ ଆଣିଛନ୍ତି । ଆରେ ତୁମ ଦେହ ଭଲନାହିଁ ପରା । ଯାଅ ଆଜି ଶୋଇପଡ଼ । 


ରୁହ ଏ ତେଲଟିକେ ଘଷିଦିଏ ପାଦରେ । ଥଣ୍ଡା ପିଇଯିବ ସବୁ ।


ଲାଗିଗଲେ ସେବାରେ । ମୁଁ ଶୟନ କକ୍ଷରେ ଥାଇବି ମନମୋର ଚାଲିଗଲା ତାରା ମେଳକୁ । ଜୋଛନା ର ଉପରକୁ । ତାରାମେଳେ ଥାଇ ଜ୍ୟୋତ୍ସ୍ନାବିଧୌତ ଧରାରେ ମୋର ସେଇ ଅତିପ୍ରିୟ ଭୂଖଣ୍ଡକୁ ଇତସ୍ତତଃ ହେଇ ଖୋଜିବାରେ ଲାଗିଗଲି । ଅଟକିଗଲା ଆଖିମୋର ଜ୍ୟୋତ୍ସ୍ନାବିଧୌତ ଧରାରେ ଦାଉଦାଉ ଝଟକୁ ଥିବା ସାରା ପୃଥିବୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସେ ଭୂଖଣ୍ଡଟିରେ । ତାରାମେଳେ ଥାଇ ଆଖିବୁଜି ଦେଲି । 

ଦୁଆର ଦୁଆର ବୁଲି ଆସିଲି ସେ ସ୍ୱତନ୍ତ୍ର ଭୂଖଣ୍ଡରେ । ଶାନ୍ତ ସହଜ ସରଳ ମଣିଷ ମାନେ ଅତି ଆନନ୍ଦ ମନରେ ମୋତେ ହିଁ ମନେ ପକାଉଥିଲେ । ସେମାନେ ଘର ଭିତରେ ଥାଇ ଭାବରେ ଭିଜୁଥିଲେ ମୁଁ ତାଙ୍କ ଘର ବାହାରର ଦୁଆର ମୁହଁରେ ମୋ ଆଖି ଲୁହର ବୁନ୍ଦାଏ ବୁନ୍ଦାଏ ଢାଳିଦେଇ ଆସିଲି । 

ସେମାନଙ୍କ ବିଶ୍ୱାସକୁ ଭାଙ୍ଗିବାର ଦୁଃସାହାସ କରିପାରିନି କେବେବି ଆଜି କେମିତି କରିଥାନ୍ତି ?ସକାଳୁ ଉଠିଲେ ସେମାନେ ସେ ସତେଜ ମୁକ୍ତାବିନ୍ଦୁଟିଏ ଦେଖିଲେ ନାଚିଯିବେ ଖୁସିରେ ଭଉଁରୀ ଖେଳି । ଜାଣିଯିବେ ତାଙ୍କର ପ୍ରିୟ ମଣିଷ ତାଙ୍କୁ ଠିକ ସେମିତି ଝୁରୁଛି ଯେମିତି ସେମାନେ । ଗୋଟେ ଦରଜା ବି ବାଦ ଦେଇନି ମୁଁ । ପ୍ରତି ଦରଜାରେ ଦଣ୍ଡେ ମୁହୂର୍ତ୍ତେ ଠିଆ ହୋଇ ସେମାନଙ୍କ ପ୍ରାପ୍ୟ ବୁନ୍ଦାଟିଏ ଢାଳି ଦେଇ ଆସିଲି । ଘରେ ସେମାନଙ୍କର ଦୀପ ଜଳୁନଥିଲା ହେଲେ ମୋତେ ଯେମିତି ଆଉ ଯେତିକି ସେମାନେ ଭଲ ପାଆନ୍ତି ସେଇ ଭଲ ପାଇବାର ଶକ୍ତିରେ ସେଇ ନିସର୍ତ୍ତ ପ୍ରେମର ପ୍ରେମାଲୋକରେ ଆଲୋକିତ ତାଙ୍କର ଭବନ ସବୁ । 

କେହିଜଣେ ଧକ୍କାଟିଏ ଦେଲାପରି ଲାଗିଲା ମୋତେ । ଆଖି ଖୋଲିଗଲା ମୋର । ଆରେ ତମେ ଏଯାଏ ଶୋଇନ !!? ଯାଅ ଯାଅ ଆରାମ କର । ତୁମ ଦେହ ଖରାପ ଥିଲା ପରା !? ମୋର ବି ଆଖି ଲାଗିଯାଇଥିଲା । ତୁମ ହାତରେ ସେତିକି ଯାଦୁ ଅଛି । ତୁମ ହାତ ଛୁଆଁ ପାଇଲା ମାତ୍ରକେ ଆଖିମୋର ଆପେଆପେ ମୁଦି ହେଇଯାଏ ।


 ହଁ ସାଆନ୍ତେ ଶୋଉଛି ମୁଁ ଏଥର । ଆଖି ଖାଲି ପଡ଼ିଥିବ କି ନାହିଁ ସିନ୍ଦୁରା ଫାଟିଯିବ । ମୋ ଆଖି ଲାଗିଗଲେ ଟିକେ ସଅଳ ଉଠେଇଦେଵ ସକାଳୁ । କେତେ କିଏ ଚାହିଁଥିବେ ମୋ ଆସିବାକୁ ।


 ହଉ ହଉ ସଆନ୍ତାଣୀ ଶୋଇଯାଅ ତୁମେ । 


ଶୋଇଗଲେ ଘରଣୀ ମୋର । ଝଅଟ ଝଅଟ ଆଖି ବୁଜିଦେଲି ମୁଁ । ପହଞ୍ଚିଗଲି ତାରାମେଳରେ ପୁନର୍ବାର । ସେଇ ଭୂଖଣ୍ଡରେ ପହଞ୍ଚିଗଲି । ଯେଉଁ ଦୁଆରରୁ ଫେରିଥିଲି ସେଇଠୁ ପୁଣି ଆଗକୁ ଆଗକୁ ଚାଲିଲି । ସମସ୍ତେ ସେମିତି , ଯେମିତି ପୂର୍ବର ଜଣେ ଥିଲେ । ପୁରା ଭୋଳ । ଆଗପଛ କିଛି ନିଘା ନାହିଁ । ମୋତେ ଡାକୁଛନ୍ତି ଛାତି ଫଟେଇ । ଛାତି ଫାଟି ଯାଉଛି ହେଲେ ଦୁଃଖରେ ନୁହେଁ । ମୁଁ କିନ୍ତୁ ଅଥୟ ଅଧିର ହେଇଯାଉଛି । ମୋର ଛାତି ଫାଟିଯାଉଛି । ଗୋଟିଗୋଟି କରି ସମସ୍ତଙ୍କୁ ମୋ ଆସିବାର ସନ୍ତକ ମୋ ଆଖିର ଲୁହ ବୁନ୍ଦାକ ଢାଳି ଦେଇ ଆସିଲି । 

ବସିଗଲି ସେ ପୁରର ଶେଷ ଘରର ଅନତି ଦୂରରେ । ଶେଷ ଘରେ କେହି କାହାକୁ ଡାକିବାରେ ନାହିଁ । ଦିକଦିକ ହେଇ ଦୀପଟିଏ ଜଳୁଛି । ଜଣେ ବୃଦ୍ଧ ଆଉଜଣେ ବୃଦ୍ଧା ସେ ଘରେ । ଦୂରରେ ଥାଇ ଉକୁସୀ ହୋଇ ଆଖି ଟେକି ଚାହିଁଲି । ବୃଦ୍ଧ ଜଣକ ଖୁଣ୍ଟକୁ ଡେରି ହୋଇ ବସିଛନ୍ତି ଆଉ ଟିକେ ଦୁରେଇକି ବୃଦ୍ଧା ଜଣକ ବସିଛନ୍ତି ସମ ଆସନରେ । ମୁଣ୍ଡରେ କେଶ ତାଙ୍କର ଧବଳ ବର୍ଣ୍ଣ । ଦୀପର ଜ୍ୟୋତିରୁ ବାହାରୁଥିବା ରଶ୍ମି ତାଙ୍କ ଧବଳ କେଶରେ ପଡ଼ୁଥିଲା । କେଶରୁ ସୃଷ୍ଟି ହେଉଥିଲା ରଶ୍ମିପୁଞ୍ଜ । ଘରଯାକ ଖେଳି ଯାଉଥିଲା ସେ ଆଲୋକ ପୁଞ୍ଜ । କିଛି ରଶ୍ମି ଘରର ବାହାରକୁ ବିଛୁଡ଼ି ହୋଇ ପଡ଼ୁଥିଲେ । ମୋ ପର୍ଯ୍ୟନ୍ତ ବି କିଛି ରଶ୍ମି ପହଞ୍ଚୁଥିଲେ । 

ସେ ଦୀପଟି ଘରର ଅନ୍ଧକାର ଦୂର କରିବାପାଇଁ ଜଳୁନଥିଲା । ଜଳୁଥିଲା କାହା ଜୀବନର ସମସ୍ତ ଅନ୍ଧକାର ଦୂର କରିବା ପାଇଁ । ନାଇଁ ଏତେ ବୁଲେଇ ବଙ୍କେଇ କେମିତି ଭାବିପାରୁଛି ମୁଁ !!? ସେ ଦୀପଟି ମୋ ପାଇଁ ଜଳୁଥିଲା । ଅଖଣ୍ଡ ଦୀପ ସେ । କେବଳ ମୋ ମଙ୍ଗଳ ମନାସୀ ବିଧାତାଙ୍କ ଉଦ୍ଦେଶ୍ୟରେ ଜଳେ ନୀତି ପ୍ରତିଦିନ । ସେ କୁଡ଼ିଆରେ ରହୁଥିବା ଅନ୍ତେବାସୀ ଦ୍ୱୟ ଉଭୟଙ୍କ ଭିତରେ ଖୁବ କମ କଥା ହୁଅନ୍ତି । ପୁରା ରାତିଟାରେ ଦୁଇ/ଚାରିପଦ କଥା ହୋଇଥିବେ ଯଦି ବହୁତ । ଏଇ ଯେମିତି ବୃଦ୍ଧା କହିଉଠନ୍ତି ତାଙ୍କ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ,,,,


ଏଇ ଦେଖିଲ ଦେଖିଲ ଏଇଠି ଆମ ଧନ ପ୍ରଥମ ଗୁରୁଣ୍ଡି ଥିଲା । 


ବୃଦ୍ଧ ଜଣକ ସଜଳ ନୟନେ ଚାହାଁନ୍ତି ବୃଦ୍ଧାଙ୍କୁ । ଆରେ ପାଗଳୀ ତମ ଗୁରୁଣ୍ଡୁ ଥିବା ଧନ ଏବେ ବହୁତ ବଡ଼ଲୋକ ହେଇଗଲାଣି । ସାଆନ୍ତ ସାଆନ୍ତ ଡାକ ହୁରି ପଡ଼ୁଛି ତମ ଧନ ଉଦ୍ଦେଶ୍ୟରେ । ତୁମେ ବୁଝିଲ ଏ ବୁଢ଼ୀକାଳେ ବୁଦ୍ଧିଭ୍ରଷ୍ଟ ହେଲା ପରି କଥା କୁହନି । 

ଚୁପ କର । ପାଟି କରନି କହୁଛି । ବୃଦ୍ଧା ଏତିକି କହି ପୁଣି ଏକଲୟରେ ଚାହିଁ ରୁହନ୍ତି ସେ ଜ୍ୱଳନ୍ତ ଦୀପଶିଖାକୁ । ପୁଣି କେତେ ସମୟ ପରେ ,,,,


ଏଇ ଶୋଇଗଲ ନା କଣ ? ଦେଖିଲ ଏଇ ଖୁଣ୍ଟକୁ ଧରି ମୋ ପିତ୍ତଦୁକୁଳିଆ ପହୁଲୁ କରି ଠିଆ ହେଇଥିଲା । 


ବୃଦ୍ଧ ଜଣକ ସାମାନ୍ୟ ବିରକ୍ତ ହୁଅନ୍ତି , ବିରକ୍ତ ନୁହେଁ କେବଳ ବୃଦ୍ଧାଙ୍କ ମନକୁ ପରିବର୍ତ୍ତନ କରିବା ପାଇଁ କୁହନ୍ତି । ନଚେତ ତାଙ୍କ ହୃଦୟରୁ ରକତ ଝରିପଡ଼େ ଏଇ କଥା ପଦକ ଶୁଣି । ନିଜ ଭାବନାକୁ ଲୁଚାଇ କୁହନ୍ତି କାହା କଥା କହୁଛ ତମର ସେ କଥା ତ ? 


ବୃଦ୍ଧା ଜଣକ ରାଗିଯାଆନ୍ତି , ବିଳିବିଳେଇ କୁହନ୍ତି କେତେଥର ମନାକଲିଣି ତୁମକୁ ମୋ ବାଇଆ ର ନାଁ ନବନି । ବିଚରା କେତେ ପରିଶ୍ରମ କରି ଟିକେ ଆଖିବୁଜି ଥିବ ତୁମେ ତାକୁ ମନେ ପକେଇଲେ ନିଦ ଭାଙ୍ଗିଯିବନି ତାର । ଥାଉ ତୁମର କିଛି ମନେ ପକେଇବା ଦରକାର ନାହିଁ । 


ଆଖିରେ ଢାଙ୍କି ଯାଇଥିବା ସେ ଆଖିପତାର ଚର୍ମକୁ ଟେକି ସେଇ ଜ୍ୱଳନ୍ତ ଅଖଣ୍ଡ ଦୀପକୁ ଚାହାଁନ୍ତି ଏକ ଲୟରେ । କିନ୍ତୁ ତାଙ୍କର ଏଇ କଥା ପଦକ ରାତିର ନୀରବତା ଭେଦ କରି ମୋ ପାଖରେ ପହଞ୍ଚିଯାଏ । ମୁଁ ସେ ଦରଜାରୁ ଯଥେଷ୍ଟ ଦୁରତାରେ ବସେ । କାରଣ ବୃଦ୍ଧା ଜଣକ ଜାଣିପାରିବେ ମୋ ଆସିବା । ସେତିକି ନିରାପତ୍ତା ଦୁରତାରେ ବସି ଏହି ପଦକ ଶୁଣିଲା ପରେ ସମସ୍ତଙ୍କ ଲାଗି ବଡ଼ଲୋକ ବୋଲାଉଥିବା ମୁଁ ବୁଦ୍ଧିଶୁନ୍ୟ ହୋଇଯାଏ । ଅଜେୟ ଯୋଦ୍ଧା ହୋଇଥିଲେ ମଧ୍ୟ ମୁଁ ପରାସ୍ତ ହୋଇଯାଏ । ବଜ୍ର ପ୍ରହାର ହେଲାପରି ଲାଗେ ମୋତେ । ହେଲେ ସେ ଦରଜାରେ କାନ୍ଦି ପାରେନି । ସେ ବୃଦ୍ଧା ଯଦି ତାଙ୍କ ଅନୁପସ୍ଥିତିରେ ମୋ ଆଖିରୁ ଲୁହ ଝରିଥିବା ଜାଣିବେ ତାହେଲେ ସୃଷ୍ଟି ପ୍ରଳୟ ହେବା ଥୟ । ତାଙ୍କ ସହିତ ଶକ୍ତିରେ କେହି ସମକ୍ଷକ ହେବେନି ଏକଥା କେହି ନଜାଣିଲେ ବି ମୁଁ ଜାଣିଛି ।

ଦଉଡ଼ି ଯାଏ ଘରର ପଛ ପାଖକୁ ଯେଉଁଠି ରଖା ହୋଇଥାଏ ମାଟିପାତ୍ର ସବୁ । ସରା ଗୋଟେ ନେଇ ପୁଣି ଫେରିଆସେ ସେଇ ମୋର ନିର୍ଦ୍ଦିଷ୍ଟ ବସିବା ସ୍ଥାନକୁ । ଖୁବ କାନ୍ଦେ , ଚିପୁଡ଼ି ହେଇ କାନ୍ଦେ । ମୋ ଆଖିର ଲୁହରେ ସେ ମାଟି ସରା ଭର୍ତ୍ତି ହେଲାଯାଏ କାନ୍ଦେ । ସେଇଠି ବସି ମୁଁ ଚାହିଁଥାଏ ସେ ବୃଦ୍ଧାଙ୍କୁ । ଆଉ ସେ ସେହି ଜ୍ୱଳନ୍ତ ଶିଖାକୁ । 

ଫେରିବା ସମୟ ଉପନୀତ ହୁଏ । ମାଟି ସରାରେ ଥିବା ଲୁହକୁ ଫିଙ୍ଗି ଆସେ ପାଖରେ ବହି ଯାଉଥିବା ଖରସ୍ରୋତା ନଦୀରେ । ନଦୀଜଳରେ ସେ ମାଟି ସରାକୁ ଭଲରେ ଧୋଇଧାଇ ତା ପୂର୍ବ ନିର୍ଧାରିତ ସ୍ଥାନରେ ରଖିଦେଇ ଫେରିଆସେ । ଏପଟେ ପତ୍ନୀ ଜାଣିଲେ ମହାଭାରତ ହେବ ଯେ । ତାଙ୍କ ନିଦ୍ରା ଭାଙ୍ଗିବା ପୂର୍ବରୁ ମୁଁ ଫେରିଆସେ । 

ଆଜି ନିଦ ହଉନି । କିଏ ଯେମିତି କଣ୍ଟା ଛାଟିଆରେ ପିଟିଲା ଭଳି ଲାଗୁଛି । ସେ ବୃଦ୍ଧା ଆଜି ବେଶି ମନେ ପକେଇ ଦେଲେନି ତ ? ଆଖିବୁଜି ଶୋଇବାକୁ ଚେଷ୍ଟା କଲି । କଡ଼ ଲେଉଟାଉ ଥାଏ ବାରମ୍ବାର । ଚିହିଁକି ଉଠିଲି । କିଏ ଏମିତି ଡାକିଲା । କୀଟରୁ , ପତଙ୍ଗ , ଆବାଳ ବୃଦ୍ଧବନିତା ସମସ୍ତେ ସୁଖ ନିଦରେ ଶୋଇଛନ୍ତି । ପୁଣି ଏ ଡାକ !! ନାଇଁ ଏସବୁ ମୋ ମନର ଭ୍ରମ ମାତ୍ର । ପୁଣି ଶୋଇବା ଚେଷ୍ଟାରେ । ଓଃ ।


 କାହ୍ନା ଆ ଆ । 


କିଏ ଏମିତି ଡାକିଲା ? କିଏ କିଏ ? ଆଉ ଶୋଇ ପାରିଲିନି । ଏଥର ପୁଣି ତାରା ମେଳକୁ ଯାଇ ସେ କୋଣ କୁଡ଼ିଆକୁ ଅନେଇଲି । ଆହାଃ ନନ୍ଦରାଣୀ !! କାହିଁକି ଆଜି ଏମିତି ଡାକୁଛ !? ଉତ୍ସୁକତା ବଶତଃ ଚାହିଁ ରହିଲି । 


ନନ୍ଦରାଜା କହୁଛନ୍ତି ଯଶୋଦେ ରାତି ଅଧରେ କାହିଁକି ଏମିତି ଡାକୁଛ ତୁମ କହ୍ନେଇକି ? 


ତୁମେ ବୁଝିପାରିବନି । ମୋ କାହ୍ନାର ଦେହ ଭଲ ନାହିଁ ଆଜି । ଭାରି ମନେ ପକାଉଛି ଆଜି ମୋତେ । ତୁମେ କଣ ଜାଣିବ ମା ର ମନକଥା !? 

ହଉ ଯଶୋଦେ ଯଦି ତୁମ କାହ୍ନାକୁ ଦେହ ଖରାପ ଥିବ ଓଷଦ ମୁଳୁକା ଖାଇ ଭଲ ହେଇଯିବ । ସେ ତ ବଡ଼ଲୋକ । କେତେ ବଇଦ କେତେ କବିରାଜ ତା ସେବାରେ । ତୁମେ ଏମିତି ଭାଳିହେଲେ ତୁମ ଦେହ ଖରାପ ହେଇଯିବ । ମୋର ନିଜ ରକ୍ଷଣ ଅସମ୍ଭାଳ ତୁମକୁ କିଏ ଟେକିବ କହିଲ ? ତୁମେ ପରା କହୁଥିଲ ତା ନାଁ ନେଲେ ଛୁଆଲୋକ ବେଶି ବ୍ୟସ୍ତ ହେବ ସେ । ଆଜି ପୁଣି ତୁମେ ନିଜେ !!? 


ଥିଲେ କବିରାଜ , ଥିଲେ ବଇଦ କଣ ହେବ ସେ ମୋ କୋଳରେ ଥରେ ବସିଗଲେ ତା ଦେହରୁ ସବୁ ରୋଗ ବଇରାଗ ଝାଡ଼ି ଦିଅନ୍ତି ମୁଁ । 


ମୋ ଅଜଣାତରେ କେତେବେଳେ ବୁନ୍ଦାଟାଏ ଲୁହ ଝରିଗଲା ଜାଣିବି ପାରିଲିନି । ହାତ ବଢ଼େଇ ଧରିବାକୁ ଚେଷ୍ଟାକଲି ସେ ବୁନ୍ଦାଟାକୁ । ପାରିଲିନି । ସିଧା ମା ଯଶୋଦାଙ୍କ ପାଦକୁ ଛୁଇଁଗଲା ସେ ଲୁହ ବୁନ୍ଦାକ । ମା ସେ ବୁନ୍ଦାକୁ ଦେଖି କେଉଁଠି ଅଛୁରେ ଧନ ହାତ ବଢ଼େଇ ଦେଲେ । 


ଅଟକି ପାରିଲିନି । ଚାଲିଗଲି ସେ ଶ୍ରେଷ୍ଠ ସିଂହାସନରେ ବିରାଜିବାକୁ । ଯିବା ବାଟରେ ଫିଙ୍ଗିଦେଲି ସେ ପାଟ ପିତାମ୍ବରୀ । ଯେମିତି ଡାକୁଥିଲେ ଯଶୋମତୀ ଖୁଣ୍ଟ ଧରି ଠିଆ ହେବାର ପ୍ରଥମ ପ୍ରୟାସ କରୁଥିବା କାହ୍ନା ରୂପରେ ପହଞ୍ଚିଗଲି ସେ କୋଳରେ ସେହି ରୂପରେ । କାହ୍ନାର ମଙ୍ଗଳ ମନାସି ଅଖଣ୍ଡ ଜାଳୁଥିବା ବୃଦ୍ଧା ଯଶୋଦାଙ୍କ ବକ୍ଷରୁ କ୍ଷରଣ ହେଲା ଅମୃତର ଧାରା । ପଣତ ତଳେ ଘୋଡେ଼ଇ ଦେଲେ । ଦୁହିଁଙ୍କ ଆଖିରେ ତ୍ରୁପତାର ଲୁହ । 


ଥୋକେ ଅମୃତ ପାନ କଲି । ଦେହର ଥକ୍କା ମେଣ୍ଟିଲା ପରେ । ସେଇ କୋଳରେ ଥାଇ ଭାବିଲି । ମା ଲୋ ଜଗତ ସିନା ରାଧାର ଦ୍ୱାହିଦେଇ କାହ୍ନାକୁ ଆକ୍ଷେପ କରୁଛି ହେଲେ ତୁ ତ ଜାଣିଛୁ ଏ କାହ୍ନା ତୋରି କୋଳକୁ ଝୁରିହୁଏ । ଜାଣିଛୁ ମା !? ଜଗତ ମାତା ବିଶ୍ୱ ସଆନ୍ତାଣୀ ତୋ ପୁଅର ଘରଣୀ ସାଜିଛି । ତା ହାତରନ୍ଧାରେ ସତେ ଯେମିତି ଯାଦୁ ଅଛି । ଜଗତକୁ ସନ୍ତାନ ଭାବି ପାଳୁଛି ହେଲେ ଏ କହ୍ନେଇ ମନର ସନ୍ତାନ ଭାବକୁ ଜାଣିଶୁଣି ଆଖିବୁଜି ଦେଉଛି । 

ମାଲୋ ତୁ କହିଲୁ ଏ କାହ୍ନାର ବଇଁଶୀ କାଳେ କେବଳ ରାଧା ନାମ ଗାଉଛି !! ଏ କାହ୍ନା ବଇଁଶୀର ସବୁ ତାନ କାଳେ ରାଧାକୁ ସମର୍ପିତ !? ମୋ ବଇଁଶୀର ଧ୍ୱନୀ ଶୁଣି ତୁ ଖାଇବା ପିଇବା କେମିତି ଭୁଲିଯାଉ !? ତୋ ଠାରୁ କେହି ଅଧିକ ସେ ବଂଶୀ ସ୍ଵନରେ ତଲ୍ଲୀନ ହେବାଟା ମୁଁ ଦେଖିନି ମା । 


କିଏ ପ୍ରଭୁ , କିଏ ମହାବାହୁ , କିଏ ପତିତ ପାବନ , କିଏ ମହାମେରୁ , କିଏ ସାଆନ୍ତ କେତେ ନାଁ ଗଣେଇବି ଏମିତି ସବୁ ଡାକୁଛନ୍ତି । ସମସ୍ତେ ମୋ କୋଳରେ ବସିବାକୁ ଗୁହାରୀ କରୁଛନ୍ତି । 


ମା ଲୋ ଏ ମନ ଖାଲି ଯଶୋମତୀ କୋଳକୁ ଝୁରୁଛି ସେକଥା କେହି ଟିକେ ବୁଝୁ ନାହାଁନ୍ତି । ମାଗୁଣିଆ ମାନଙ୍କ ଭିଡ଼କୁ କାଟି ଏ ଆଖି ଯେତେ ଦୂର ପାଇବ ସେତେଦୂର ଚାହିଁରହେ ମୁଁ । କାଳେ ଦୂରରୁ ଆସୁଥିବୁ କାହ୍ନାକାହ୍ନା ଡାକି । ଜାଣିଛୁ ମା ? ବର୍ଷକ ଯାକ ତ ବଡ଼ ଦେଉଳରେ ରହେ । ତୋତେ ଦେଖିଯିବାକୁ ଯେଉଁ ଘୋଷଯାତ୍ରାର ଆୟୋଜନ କରେ ସେଥିରେ କଣ କମ ବିଘ୍ନ କି !? କଣ କହିବି ମା ,,


ଘରୁ ବାହାରି ତ ଆସେ ହେଲେ ଫେରିବାଟା ସେତେ ସହଜ ହୁଏନି । ଆସିଲା ବେଳେ ତୋତେ ଦେଖିବାର ଖୁସିରେ ଆଖିର ଲୁହକୁ ଅଟକାଇ ପାରେନି । ଦେବରାଜଙ୍କୁ କହି ଜଳଦକୁ ଡାକେ ସେ ବର୍ଷିବାବେଳେ ମୁଁ ମୋ ଆଖିରୁ ତୋ ସହିତ ଭେଟର ଖୁସିରେ ଲୁହ ଝରାଇ ଦିଏ । ଧରାପଡେନି ମୁଁ । କେହି ଜାଣିପାରନ୍ତିନି । ଖୁବ କାନ୍ଦେ ବର୍ଷାର ତାଳେତାଳେ କାନ୍ଦେ । ଜଗତ ତ ମୋ ରଙ୍ଗ ଅଧରର ହସରେ ବାଇ । ମୋ କାନ୍ଦଣା କୁ କିଏ ଦେଖୁଛି !? ତୋତେ ଦେଖିଆସିବା ବାଟରେ ଲୋକ ଅଦାଲତ ବି ଲାଗେ । ମୁଁ ବିଚାରପତି । ତୋ ଆଶିଷ ରୁ ମା କିଛି ଅଭାବ ନାହିଁ । ଯିଏ ଯାହା ମାଗେ ଦେଇଆସେ । ମୁଁ ଯତେବେଳେ ମୋର ଇଷ୍ଟଙ୍କୁ ଭେଟିବାକୁ ଆସେ ତାଙ୍କ ମାଗୁଣି କଣ ମୋ ପାଇଁ !!? 

ଟିକେ ଦୁଃଖ ଲାଗୁଛି ମା , ଦେବାଳୟ ଆଉ ବଡ଼ମାନଙ୍କୁ ଭେଟିବାକୁ ଗଲାବେଳେ ଖାଲି ହାତରେ ଯାଆନ୍ତିନି । ମୁଁ ଏତେ ତରବରରେ ଆସେଯେ କିଛି ଆଣିପାରେନି ତୋ ପାଇଁ । ତାପରେ ମୋର ବୋଲି ଏ ସଂସାରରେ କଣ ଅଛି ? ମୁଁ ନିଜେତ ତୋର । ଏକାମୁହାଁ ହେଇ ଚାଲିଆସେ । ଆସିବାର ଖୁସିକୁ ବେଶି ସମୟ ମନରେ ରଖିବାପାଇଁ ଟିକେ ହଲି ଦୋହଲି ଆସେ । ପହଞ୍ଚି ତୋ ପାଦରଜ ମଥାରେ ମାରିଦେଲେ କୋଟି ଜନ୍ମର ତପଫଳ ପାଇଯାଏ ମୁଁ । 


କେଡ଼େ ଶରଧାରେ ମୋ ମନଜାଣି ସବୁ ଖଞ୍ଜିଦେଉ । ମାଲୋ ତୋ ହାତ ରନ୍ଧା ପାଖରେ ସେ ଷାଠିଏ ପଉଟି ର କଣ ତୁଳନା କରିବି !? ଲକ୍ଷ୍ମୀ ଜାଣିଯିବେ , କେତେ ଝଗଡ଼ା ପୁଣି ଭିଆଇବେ । ଚାହୁଁ ଚାହୁଁ ଦିନ ସରିଯାଏ । 


ପଞ୍ଚମ ଦିନରେ ମୋ ରଥ ଭାଙ୍ଗିଦିଅନ୍ତି ସଆନ୍ତାଣୀ । ଉପରେ ଉପରେ ଦୁଃଖି ହେଉଥିଲେ ଭିତରେ ଗଦଗଦ । ଟିକେ ସମୟ ଲାଗନ୍ତାକି ରଥ ସଜଡ଼ାକୁ । କଣ କରିବି କାରିଗର ମାନେ ସାଙ୍ଗେସାଙ୍ଗେ ସବୁ ଠିକଠାକ କରିଦିଅନ୍ତି । ସେମାନେ ବି କର୍ତ୍ତବ୍ୟରେ ବନ୍ଧା । 


ଶେଷ ହେଇଯାଏ ନଅ ଦିନ । ଭାରି ମନରେ ଫେରିବାକୁ ପଡ଼େ । ଫେରିଲା ବେଳେ ତୋ ସାମ୍ନାରେ ସିନା କାନ୍ଦେନି ହେଲେ ବାଟସାରା କାନ୍ଦେ । ବର୍ଷା ଯେତିକି ନ ଭିଯାଏ ତାଠାରୁ ଅଧିକ ଭିଯାଏ ମୋ ଆଖିର ଲୁହ । ମନରେ ଏତେ କୋହ ଥାଏ ଯେ ପଦିଏ କଥା କହିଲେବି ମୁଁ ଧରା ପଡ଼ିଯିବି । ଭାଙ୍ଗିଯିବ ମୋ ଭାବନାର ବନ୍ଧ । ସୁନାବେଶ ହେଇଯାଏ । ଶୁଭମସ୍ତୁ କହିବା ବି ସମ୍ଭବ ହୁଏନି । ସେ ସୁନାବେଶକୁ ଦେଖିଲେ ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ ହେଇଯାଏ । ଗୃହ ପ୍ରବେଶ ସହଜରେ ମିଳେନି । ହାତାହାତି ପର୍ଯ୍ୟନ୍ତ କଥାଯାଏ । ଝାଡ଼ୁ ଚଟୁ ବି ଉଠିଯାଏ । 


ମାଆ ଲୋ ତୋ ପାଖକୁ ସିନା ଖାଲି ହାତରେ ଛୁଟିଯାଏ । ଘରଣୀ ପାଖେ ପୁରାଏନି ଖାଲି ହାତରେ । ରସଗୋଲା ଉପହାର ଭେଟି ଦିଏ । ଘର ଭିତରର ମାନ ଅଭିମାନ କଣ ବା ଆଉ କହିବି !? ମୁଁ ସିନା ଜଗତାଧିପତି ହେଲେ ତୁ ମୋର ଅଧିପତି । 


ମୁଁ ଶାସକ । କିନ୍ତୁ ମା ଲୋ ଭାରି ମନେପଡ଼େ ତୋ କଥା । କାହ୍ନୁରେ କାହ୍ନୁରେ ଡାକି ହାତରେ ବେତ ଖଣ୍ଡେ ଧରି ମୋତେ ତୋର ଶାସନ କରିବାଟାକୁ ଝୁରିମରେ ମୁଁ । ବଡ଼ଲୋକ ବଡ଼ଲୋକ ଶୁଣିଶୁଣି କାନ ପାଚିଗଲାଣି ମୋର ମା । ତୋ କୋଳରେ ଅବୋଧ ହେଇ ବସିବା । ଧୂଳିରେ ଗଡ଼ି ଯିବା ତାପରେ ତୋ ହାତ ଲାଗି ମୋ ଦେହରୁ ଧୂଳି ଝାଡ଼ିହେବା କଥାଟାକୁ ତ ଟିକେ ଭୁଲୁନି ଏ ମନ । 


ମା ମୁଁ କଅଁଳ ଛୁଆଟେ ନା !? ମୋ ପଛରେ ଗୋଡ଼େଇ ଗୋଡେ଼ଇ ଯେଉଁ ଲହୁଣୀ ଖୁଆଇବାର ଅଭ୍ୟାସ କରେଇଛୁ ସେଇଟା ବେଶି ଦୁଃଖି କରୁଛି ମା । କିଏ ଆଉ ଏମିତି ବଳେଇ ଖୁଆଇବ କହିଲୁ ତୋ ବ୍ୟତୀତ ? କାହାକୁ ବୁଝେଇବି କେମିତି ବୁଝେଇବି ଖାଲି ରାଧା ପାଇଁ ମୋ ବଇଁଶୀରେ ତାନ ଝଙ୍କୃତ ହେଉନି । ମୋ ମା ବି ବହୁତ ଭଲପାଏ ମୋର ସେ ବଇଁଶୀ ତାନକୁ । 


ସମସ୍ତେ କହୁଛନ୍ତି ମୁଁ ରାଧା ପାଇଁ କାନ୍ଦୁଛି । ଲକ୍ଷ୍ମୀ ତ ଖୁଣ୍ଟା ଦେଉଛନ୍ତି । ମା ମୁଁ କଣ କାହାର ପୁଅ ନୁହେଁ !? ମୋ ମା କୋଳକୁ ଝୁରିବାର ଅଧିକାର କଣ ମୋର ନାହିଁ !? ବର୍ଷକ ଯାକ ଘରଗୃହସ୍ଥିରେ ମଜ୍ଜି ରହିଲା ପରେ ନଅ ଟା ଦିନପାଇଁ ମୁଁ ମୋ ମା ପାଖକୁ ଯାଇପାରିବିନି !?


 ଥରେ ତ ଲକ୍ଷ୍ମୀଙ୍କୁ ବଡ଼ନନା କଥାରେ ବାହାରକୁ ଯିବାକୁ ମନାକଲି , ତାପରେ ମୋର ଅବସ୍ଥା ଯାହା ହେଲା ତୁ ତ ଜାଣିଛୁ । 


ହେଲେ ମୁଁ ନଅ ଦିନ ପାଇଁ ଆସିଲେ ମୋର ଭକ୍ତ ବୋଲାଉଥିବା ଏ ଜଗତ ଜନ ମୋ ପ୍ରତି ଏମିତିକା ଆକ୍ରମକ କାହିଁକି ହେଇଯାଆନ୍ତି ? ମୋ ମା କଣ ନାରୀଟିଏ ନୁହେଁ !? ସେ କଣ କହ୍ନେଇ ପାଇଁ କିଛି ତ୍ୟାଗ କରିନି !? ନା ଜାଣିଶୁଣି ତୋ ତ୍ୟାଗକୁ ଆଖି ମୁଦି ଦେଉଛନ୍ତି ସମସ୍ତେ ? ବାହାସାହା ହେଇ ଘର ସଂସାର କଲାପରେ ମା ପ୍ରତି ସମସ୍ତ କର୍ତ୍ତବ୍ୟ ର କଣ ଇତିବୃତ୍ତି ହେଇଯାଏ !? 


ମା ଲୋ କେତେ କବିତା , କେତେ ଆରୋପ , କେତେ ପ୍ରତ୍ୟାରୋପ , କେତେ ଗପ ସବୁ ମୋ ବିରୁଦ୍ଧରେ ଲେଖିଦେଲେ । ଯେତିକି ରାଗ ଏମାନେ ମୋ ଉପରେ ଶୁଝେଇଛନ୍ତି ସେତିକି ତ ଲକ୍ଷ୍ମୀ ବି ମୋ ଉପରେ ରାଗି ନଥିବେ !! ସେ ତ ଜଗତ ଜନନୀ । ରାଗନ୍ତି ହେଲେ ମା ପୁଅର ସୁକ୍ଷ୍ମ ସମ୍ପର୍କକୁ ବି ବେଶ ବୁଝନ୍ତି । 


କାହ୍ନୁ କାହ୍ନୁ ଦେଖିନି ଦେଖିନି ପିଲାଟା ଗୋଟା ଝାଳ ହେଇଗଲାଣି ।


ଚେତି ଗଲି ମୁଁ । ଆରେ କହୁକହୁ କେତେକଥା କହିଦେଲି ମୁଁ !! ମା ମୋର ଶୁଣିନେଲା କି ? ନା ନା ମନେମନେ ଥିଲା ଏସବୁ । 


ଝାଳ !! ନା ନା । ସତରେ ଯଶୋଦା ତୁ ପାଗଳୀ । ଏ ତୋ ଆଖିର ଲୁହ । ନିଜେ ଆଖି ଲୁହରେ ମୋତେ ଭିଜେଇଛୁ ଆହୁରି କହୁଛୁ ଝାଳ !! ହଉଲୋ ମା କିଏ ଭଲ ଭଲପାଇବ ଏମିତି ତୋ ପରି !? କିଏ ଏମିତି ଅଖଣ୍ଡ ଜାଳିବ ମୋ ଲାଗି !? ମୋତେ ତ ଜଗତଟା ଯାକ ସମସ୍ତେ ବଡ଼ଲୋକ ସଜେଇ ଦେଇଛନ୍ତି । 


କଥାରେ ଅଛି ବଡ଼ଘର ବଡ଼ ଗୁମର କଥା । 


କିଏ ? 


ପ୍ରଭୁ ମୁଁ । ରାତିପାହିଲେ ସଅଳ ଡାକିବ ବୋଲି କହିଥିଲି । ହଉ ନ ଡାକିଲ ନାହିଁ । ତୁମ ପାଦବନ୍ଦନାରୁ ଦିନ ଆରମ୍ଭ କରୁଛି । ଚରଣ ଦାସୀ ହୋଇ ରହିବାର ଆଶିଷ ଦିଅ । ଏହି ପଦାରବିନ୍ଦରେ ମନ ଚିରକାଳ ଥାଉ ଏତିକି ଆଶିଷ ଦିଅ । 


ଗୋସେଇଁ କଣ ଏତେ ଝାଳରେ ବୁଡ଼ିଛ !? ଆଚ୍ଛା ଦେହଭଲ ହେଇଗଲା !? ତୁମ ମୁହଁର ସେ ମନ୍ଦ ହସରେ ଅନେକ କାହାଣୀ ମହାମେରୁ । ଏତିକି କୁହ ଆଶୀର୍ବାଦ ଏକାଏକା ନେଇନ ତ !? ମୋ ଲାଗି ଆଶିଷ ଆଣିଛ ତ !? 


ଆଶ୍ଚର୍ଯ୍ୟ ହେଇ ଲକ୍ଷ୍ମୀଙ୍କ ମୁହଁକୁ ଦେଖୁଥାଏ ମୁଁ । 



Rate this content
Log in

Similar oriya story from Tragedy