ABhimanyu Panda

Tragedy Classics

2  

ABhimanyu Panda

Tragedy Classics

ପଳାତକ

ପଳାତକ

13 mins
215


------।।ପଳାତକ।।------ ×××××××××××××××××××××××××××××××××××× ଉଦୁଉଦିଆ ଖରାବେଳକୁ ଟାଇଁଟାଇଁ ଖରା । ରାସ୍ତାଘାଟ ଶୁନଶାନ । ଦୋକାନ ବଜାର ଖାଁ ଖାଁ । ଗହଳିଆ ଗଛ ଖୋଜି ସ୍ୱାନ ମାନେ ଆଶ୍ରୟୀ । କାଉ ମାନେ ମଧ୍ୟ ସେହି ଗଛର ବହଳ ଡାଳରେ ନୀରବ ନିଶ୍ଚଳରେ ବିଶ୍ରାମ ରତ । କଟକ ପରି ଘୋ ଘୋ ସହରରେ ମଧ୍ୟ ଦିନ ଟାରେ ଗାଉଁଲି ମଧ୍ୟରାତ୍ରୀର ନିଶବ୍ଦତା । ରିକ୍ସା ଚାଳକ ମାନଙ୍କର ଅନୁପସ୍ଥିତିରେ ରିକ୍ସା ଗୁଡ଼ିକଙ୍କର ଲମ୍ବା ଧାଡ଼ି । କାଁ ଭାଁ ମୋଟର ଯାନ ଯା ଆସ କରୁଥାଏ । .......... ସେଗୁଡ଼ିକ ବି କାମର ଗୁରୁତ୍ବକୁ ନେଇ ବାଧ୍ୟ ବଶତଃ ଏ ମୃତ୍ୟୁ ତାତିକୁ ଓହ୍ଲେଇଛନ୍ତି । ଏସବୁ ଭିତରେ ରବର ଚପଲର ପାଦ ଗୋଇଠି ସହିତ ବାଡ଼େଇ ହୋଇ ଶୁଭୁଥିବା ଠାଏ ଠାଏ ଶବ୍ଦ ଆଡ଼କୁ ଛାଇ ଆଶ୍ରୟୀ ମାନଙ୍କର ଦୃଷ୍ଟି ଆପେ ଆପେ ଟାଣି ହୋଇ ଯାଉଥାଏ । ଛଅ ଫୁଟ ଲମ୍ବର ସଳଖିଆ ବ୍ୟକ୍ତି ଜଣକ । ସେ ଗ୍ରୀଷ୍ମତାତି ଓ ଗ୍ରୀଷ୍ମପ୍ରବାହ କୁ ଆଖି ଦେଖେଇ ନିଜ ଭିତରେ ବ୍ୟସ୍ତ ରହି ମାଡ଼ି ଚାଲିଛନ୍ତି ନିଜର ଲକ୍ଷ୍ୟ ଆଡ଼କୁ । .......କଥାରେ ଅଛି ରାସ୍ତା ଯେତେ ଚିକ୍କଣ ହେଲେବି ପାଦଚାରୀ ମାନେ ଥକି ଯିବାଟା ଥୟ । ହେଲେ ସେ ମହାଶୟ ଜଣକଙ୍କ ଚାଲିର ଠାଣିରୁ ତାଙ୍କର ଥକି ଯିବା ଅଭିଗୁଣ ଚତୁଃପାଶ୍ୱର୍ରେ ଆଭାସିତ ହେଉନାହିଁ । କିନ୍ତୁ ବର୍ତ୍ତମାନ ପ୍ରଗତିଶୀଳ ସମାଜର ଗତି ଠାରୁ ତାଙ୍କର ନିଜ ଲକ୍ଷ୍ୟପ୍ରତି ଅଗ୍ରସରତା ତୁଳନାତ୍ମକ ଭାବେ ମନ୍ଥର । ଯେହେତୁ ସେ ଜଣେ ପାଦଚଲା ପଥିକ । .....ରିକ୍ସା ଚାଳକ ମାନେ ବି ଗୁଜୁରାଣ କୁ ଯାତ୍ରୀ ଦେଖି ମୁଲଚାଲ ନକରି ସେ ପଥିକ ଜଣକୁ ଯିବାକୁ ଦେଉଥିଲେ । ଏ ଭିତରେ ରହ ମଦନ ରହ ରହ ର କଅଁଳିଆ ସତେଜ କଣ୍ଠର ଶବ୍ଦଟା ରୁକ୍ଷ ନିଦାଘର ବକ୍ଷ ଚିରି ଉପସ୍ଥିତ ମାନଙ୍କ କାନରେ ଅନାୟାସ ପହଞ୍ଚି ଗଲା । .................ଇଚ୍ଛା ନଥାଇ ବି ଚାରି ପାଖର ଆଖି ଗୁଡ଼ିଏ ଆପେ ଆପେ ବୁଲିଗଲେ ଶବ୍ଦର ଦିଗକୁ ଆଉ ଅଟକି ଗଲେ ସେମାନଙ୍କ ଅନ୍ୱେଷିତ ଅର୍ଥାତ ସେ ଶବ୍ଦକୁ ଉଚ୍ଚାରଣ କରିଥିବା ମହିଳାଙ୍କ ଉପରେ । ହେଲେ ପଥିକ ଜଣକ ନିଜର ପଥ ଅତିକ୍ରମ କାର୍ଯ୍ୟକୁ ଏବେବି ବଳବତ୍ତର ରଖିଛନ୍ତି । ପଥିକଙ୍କ ଆଗକୁ ଯାଇ ଗୋଟିଏ ରିକ୍ସା ଅଟକି ଗଲା । ରିକ୍ସାରୁ ତଡ଼ିତ ବେଗରେ ଜଣେ ମହିଳା ଯାତ୍ରୀ ଓହ୍ଲେଇ ପଡ଼ିଲେ । ଯେହେତୁ ଏ ସବୁ ପଥିକଙ୍କ ସମ୍ନାରେ ଘଟିଗଲା ତେଣୁ ପଥିକଙ୍କର ପଥ ଅତିକ୍ରମରେ ବ୍ୟାଘାତ ଘଟିଲା । ମନ୍ଥର ହେଇଗଲା ତାଙ୍କର ଗତି । ................ଆହୁରି ଆଶ୍ଚର୍ଯ୍ୟ ଥିଲା ରିକ୍ସାରୁ ଓହ୍ଲାଇଥିବା ମହିଳା ଜଣକ ପଥିକଙ୍କ ଏକଦମ ଆଗରେ ଆସି ଠିଆ ହୋଇ ପଡ଼ିଲେ ଆଉ ତାଙ୍କୁ ଚିହ୍ନିବା ପ୍ରୟାସରେ ନିରିଖେଇ ଦେଖିବାକୁ ଲାଗିଲେ । ପଥିକ ଜଣଙ୍କ ସାମାନ୍ୟ ଇତସ୍ତତଃ ହେଉଥିଲେ ମଧ୍ୟ କୌଣସି ପ୍ରଶ୍ନୋତ୍ତରରୁ ନିଜକୁ ଦୂରେଇ ରଖି ସେ ମହିଳାଙ୍କ ଆଢୁଆଳରେ ଖୋଜୁଥିଲେ ରାସ୍ତା ଯାହା ତାଙ୍କୁ ଉପଲବ୍ଧ ହେଉନଥିଲା । ..............ଏଥର ମହିଳା ଜଣକ ନିଶ୍ଚିନ୍ତ ହେଲାପରି ଲାଗିଲେ । ଆଖିରେ ଥିବା ମୋଟା ଫ୍ରେମ ଲଗା ଗାଢ଼ କଳା ଚଷମାକୁ କାଢ଼ିବାକୁ ପ୍ରୟାସ କରୁଥିଲେ । ପୁଣି କଣ ଭାବିଲେ କେଜାଣି ଚଷମାକୁ ତାର ପୂର୍ବ ସ୍ଥାନରେ ରହିବାକୁ ଦେଲେ । ତୁମେ ଯଯାତି ନା !? .........ପଥିକ ଆଶ୍ଚର୍ଯ୍ୟ ଥାଇବି ନିଜ ପରିଚୟକୁ ଜାହିର କରିବା ଉଦ୍ଦେଶ୍ୟରେ ମୁଣ୍ଡ ହଲେଇ ସମ୍ମତି ଜଣେଇଲେ । ସେ ମହିଳାଙ୍କ ପରିଚୟକୁ ନେଇ ପଥିକ କିନ୍ତୁ ଏବେବି ସନ୍ଦେହରେ ! ସେ ସ୍ଥାନରୁ ଚାଲିଯିବାର ପ୍ରୟାସ ଏବେବି ଜାରି ରଖିଛନ୍ତି । ପଥିକଙ୍କୁ ଅସହଜ ଓ ନିଜକୁ ପଥିକଙ୍କ ନିକଟରେ ଅପରିଚିତ ଭାବି ମହିଳା ଜଣକ ମନର ଦ୍ଵନ୍ଦ , ଅଭାବବୋଧ , ବିରକ୍ତିଭାଵ ଏବଂ ଲଜ୍ଜାଭାଵ ଏମିତି କେତେ କଣ ଛବି କ୍ଷଣେକ୍ଷଣେ ନିଜକୁ ଜାହିର କରି ଉଭେଇ ଯାଉଥିଲେ ଅନ୍ୟଭାବର ଆଗମନ କୁ ସୁଗମ କରିବା ଲାଗି । ସତରେ କଣ ତୁମେ ମୋତେ ଚିହ୍ନି ପାରୁନ ? ଯଦି କହିବ ମୁଁ ତୁମର ଥିବା ଅନେକ ଅନ୍ୟ ପରିଚୟ ମଧ୍ୟ ଦେଇ ପାରିବି ? ତୁମ ଘର ଅଲେଖ ପାଟଣା ନା ? ତୁମ ବାପାଙ୍କ ନାମ ଜ୍ୟୋତି ପ୍ରକାଶ ଓ ମା ଙ୍କ ନାମ ଜ୍ୟୋତ୍ସ୍ନାମୟୀ ନା ? ........ପଥିକ ଆଶ୍ଚର୍ଯ୍ୟ ! ଇତସ୍ତତଃ ! ଅସହଜ ! କିନ୍ତୁ ନୀରବ । ବୋଧହୁଏ ନିଜର ପରିଚୟ ଜାହିର କରିବାକୁ କୁଣ୍ଠାବୋଧ କରୁଥିଲେ । ................ଏପଟେ ମହିଳାଙ୍କ ଧୈର୍ଯ୍ୟର ବନ୍ଧକୁ ମନର କୋହ ପେଲିଦେବାକୁ ଉଦ୍ୟତ । ଆଉ ସହି ନପାରି ଧରି ପକେଇଲେ ପଥିକଙ୍କ ହାତ । ଚତୁଃପାର୍ଶ୍ଵରେ ଉପସ୍ଥିତ ମନୁ ବଂଶଜ ମାନେ ଉତ୍ସୁକତାରେ ଘଟି ଯାଉଥିବା ଅପ୍ରତ୍ୟାଶିତ ଘଟଣା ଉପରେ ମନ ଏବଂ ଚକ୍ଷୁ ସ୍ଥିର କରି ରଖିଥିଲେ । ନିଜର ଚାରିପାଖରେ ଦୃଷ୍ଟି ବୁଲାଇ ଆଣି ସେମାନଙ୍କ ଉପସ୍ଥିତିରେ ନିରବଚ୍ଛିନ୍ନ ଭାବେ ସ୍ଥିର ରହିଥିବା ଆଖି ଗୁଡ଼ିକୁ ଅନୁଭବ କରି ଏକ ଦୀର୍ଘଶ୍ଵାସ ନେଲେ । ନିଜର ବୟସାଧିକ୍ୟର ଅସମର୍ଥତା ଦୁରେଇବାକୁ ପକେଟରେ ରଖିଥିବା ଦୃଷ୍ଟି ବର୍ଦ୍ଧକ ଚଷମା ବାହାର କଲେ । ........ ସେପଟେ ମହିଳା ଜଣକ ନିଜ ଆଖିରେ ଅବ୍ୟକ୍ତ ଭାବେ ଥିବା ସମୁଦ୍ରେ ଆବେଗକୁ ନିଶବ୍ଦରେ ଜଣେଇବା ପାଇଁ ଖୋଲି ଦେଇଥିଲେ ମୋଟ ଫ୍ରେମର କଳା ଚଷମା । ଆଖିରେ ଆଖି ମିଶିଲା । ପଥିକଙ୍କ ମୁଖମଣ୍ଡଳର ଭାବ ଏବେବି ପୂର୍ବବତ । ମହିଳାଙ୍କ ମୁଖମଣ୍ଡଳରେ କିନ୍ତୁ ଏବେ ଆବେଗର ଘୁର୍ଣ୍ଣି ବଳୟ । ଧୁସୂରିଆ ବାଦଲ ଆଖିରେ ଵାରିଧାରା ସଙ୍ଗଠିତ କରୁଛି ବର୍ଷି ଯିବାକୁ । ପଥିକଙ୍କ ମୁହଁରେ ସ୍ମିତହାସ୍ୟ ପୂର୍ବପରି । ...............ପବନ ରୁନ୍ଧା ଗଳାରେ ମହିଳା କହୁଛନ୍ତି , ତୁମ କଳା ମୁଚୁମୁଚୁ ହିପି କୁଆଡ଼େ ଗଲା ? ମୁହଁରେ ଏମିତି ଅନାବନା ଅଧା କଞ୍ଚା ଅଧା ପାଚିଲା ଦାଢ଼ି ଯେ ! କଣ ମୋ ନିକଟରୁ ନିଜର ପରିଚୟ ଲୁଚେଇବା ପାଇଁ !? ଭୁଲିଗଲ ବୋଧେ , ବିନା ଦେଖାରେ ରୁକ୍ମିଣୀ କୃଷ୍ଣଙ୍କର ହେଇ ସାରିଥିଲେ । ଆଉ ମୁଁ ତ ତୁମକୁ ଚାକ୍ଷୁସ କରି ମାନସିକ ଭାବେ ଭୋଗୀ ସାରିଛି ଏବେ ନୀତି ପ୍ରତିଦିନ ଭୋଗୁଛି ମଧ୍ୟ । .........ମହିଳାଙ୍କୁ ରିକ୍ସାରେ ଆଣିଥିବା ମଦନା ସାମାନ୍ୟ ଦୂରରେ ଥିଲେ ବି ତା ଆଖି ଆଗରେ ଘଟି ଯାଉଥିବା ଦୃଶ୍ୟରାଜି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା ନିଜର କର୍ତ୍ତବ୍ୟ ବୋଧ ବଜାୟ ରଖିବାକୁ । ଅନ୍ୟ ରିକ୍ସା ଚାଳକ ମାନଙ୍କ ଠାରୁ ବାରି ହେଇ ପଡ଼ୁଥିଲା ମଦନାର ଭିନ୍ନତା । କଳା ରଙ୍ଗର ଦାନ୍ତୁରା ରୂପ ହେଲେବି ସଜଡ଼ା କେଶ , ସୁଗଠିତ ଶରୀର , ସଫା ପୋଷାକ ଏବଂ ପାଦରେ ହାୱାଇ ଚପଲ ହଳକ ମଧ୍ୟ ଭଲ ଅବସ୍ଥାରେ । ..........ସାହାସ କରି ମଦନା ପାଖେଇ ଆସିଲା ଏବଂ ମହିଳାଙ୍କ ଉଦ୍ଦେଶ୍ୟରେ , ମା' ଏ ଟାଉଁ ଟାଉଁ ମୁହଁ ପୋଡ଼ା ଖରାରେ କାହିଁକି ଠିଆ ହୋଇଛନ୍ତି !? ମଦନା କଥାରେ ମହିଳା ଜଣକ ଚାହିଁଦେଲେ ତାକୁ । ଛଳଛଳ ଆଖିକୁ ଦେଖି ମଦନା ପାଟିରୁ ବାହାରି ଆସୁଥିବା ଆଉ କିଛି ଶବ୍ଦ ଅଟକି ଗଲା । .....ମଦନା କିଛି ନକହି ଫେରିଗଲା ତାର ରିକ୍ସା ପର୍ଯ୍ୟନ୍ତ । ଆଉ ରିକ୍ସାଆଣି ରଖିଦେଲା ତାର ପରିଚିତା ସବୁଦିନିଆ ଯାତ୍ରୀ ଏବଂ ସେ ଅପରିଚିତ ପଥିକଙ୍କ ନିକଟରେ । ମୌନ ଥାଇବି ମଦନା ସେ ଦୁହିଁଙ୍କୁ ଯେମିତି ଆଦେଶ ଦେଉଛି ରିକ୍ସାରେ ଟଣା ଯାଇଥିବା ପ୍ଲାଷ୍ଟିକ ଛାତ ତଳର ଛାଇରେ ବସି ଯିବାକୁ । .......................................ଅପରିଚିତ ପଥିକ ଜଣକ ଆଗ ଉଠିଯାଇ ବସିଗଲେ ରିକ୍ସାରେ ସେ ମହିଳାଙ୍କ ଲାଗି ଯାଗା ଛାଡ଼ି । ମଦନା ଏକ ଲୟରେ ଚାହିଁ ରହିଥାଏ ପ୍ରଥମ କରି ଦେଖୁଥିବା ସେ ଅପରିଚିତଙ୍କୁ । ମହିଳା ଜଣକ ରିକ୍ସାରେ ବସିବା ପରିବର୍ତ୍ତେ ଠିଆ ହୋଇ ରହିଛନ୍ତି । କିଛି କ୍ଷଣ ଠିଆ ହେଲାପରେ ଅଧୈର୍ଯ୍ୟ ହେଲାପରି କହିଲେ , କଣ ଜମିଦାର ବାବୁ ଶିଷ୍ଟାଚାର ଭୁଲିଗଲ କି ? ..ଏତିକି ଶୁଣିବା ମାତ୍ରେ ସେ ବ୍ୟକ୍ତି ଜଣକ ହାତ ବଢ଼େଇଦେଲେ ମହିଳାଙ୍କ ଆଡ଼କୁ । ଝପଟି ପଡ଼ିଲେ ମହିଳା ଜଣକ । ଲମ୍ବିଥିବା ଭରଷା ହାତର ବିଶ୍ୱାସ ଶକ୍ତି ସାହାଯ୍ୟରେ ଉଠି ପଡ଼ି ବସିଗଲେ ରିକ୍ସା ଉପରେ । ମଦନା କଣ ବୁଝିଲା କେଜାଣି ମୁଚୁକୁନ୍ଦ ହସ ଟିକେ ହସିଦେଇ ମୁହଁ ବୁଲେଇ ଦେଲା । ..............ଆରେ ମଦନା ଠିଆ ହେଇ ରହିଲୁ ଯେ ଚାଲ ଯିବା । ବୁଲେଇଦେ ଏଇତ ପଛରେ ଚଣ୍ଡୀ ମନ୍ଦିର । ମଦନା ଆଜ୍ଞାପାଇ କର୍ତ୍ତବ୍ୟରେ ଲାଗିଗଲା । ...................ଚତୁଃପାର୍ଶ୍ଵରେ ଉପସ୍ଥିତ ସମସ୍ତଙ୍କ ଆଖି ଏବେବି ସେଇ ରିକ୍ସା ଉପରେ ସ୍ଥିର । ରିକ୍ସାଟି ସେମାନଙ୍କ ଆଢୁଆଳକୁ ଚାଲିଗଲା ପର୍ଯ୍ୟନ୍ତ ସେମାନେ ମୂର୍ତ୍ତିମନ୍ତ ଥାଆନ୍ତି । କେଇ ମିନିଟର ରାସ୍ତା ଅତିକ୍ରମ କଲାପରେ ପହଞ୍ଚି ଗଲେ ବିଶ୍ୱ ରକ୍ଷାକାରିଣୀଙ୍କ ଦରବାରରେ । ଏଥର କିନ୍ତୁ ବ୍ୟକ୍ତି ଜଣକ ରିକ୍ସା ପହଞ୍ଚୁ ପହଞ୍ଚୁ ଓହ୍ଲେଇଯାଇ , ବିପରୀତ ଦିଗକୁ ଛୁଟିଗଲେ ଆଉଥରେ ନିଜର ଭଦ୍ରାମୀ ଉପରେ ଲାଞ୍ଛନ ନ ଶୁଣିବାକୁ । ହାତ ଧରି ଓହ୍ଲେଇ ଦେଲେ ମହିଳାଙ୍କୁ । ବାପା ମଦନା ଯା ଗଣ୍ଡେ ଖାଇ ନବୁ । ଆଜି ଘରେ ପହଞ୍ଚିବାକୁ ଟିକେ ଡେରି ହେବ । ଆଜ୍ଞାକାରୀ ପରି ମଦନା ତାର ପରିଚିତା ଯାତ୍ରୀଙ୍କ ପାଖରୁ କିଛି ପଇସା ନେଇ ଚାଲିଗଲା ଖାଇବାକୁ । କଣ ଯଯାତି ବାବୁ ଏବେ ତ ଟିକେ ବସନ୍ତୁ । .......ବସିଗଲେ ଯଯାତି ବାବୁ । ଲମ୍ବା ସଳଖ ବ୍ୟକ୍ତିତ୍ୱ । ବୟସ ବନରେ ପାଖାପାଖି ପଚାଶ ବସନ୍ତର ମଳୟ ଭୋଗ ହେଇ ସାରିଲାଣି । ମୁଣ୍ଡର ଦୋରଙ୍ଗୀ କେଶରୁ ବାରି ହେଇ ପଡ଼ୁଥାଏ । ଶାନ୍ତ ନମ୍ର ଭାବେ ବସିଥାନ୍ତି ଯଯାତି ବାବୁ । ମହିଳା ଜଣକ ଏକ ଲୟରେ ଅପଲକ ସଜଳ ନୟନରେ ସ୍ଥାଣୁବତ ଚାହିଁ ରହିଥାନ୍ତି ଯଯାତିଙ୍କୁ । ଅପେକ୍ଷିତ ପ୍ରିୟ ମିଳନକୁ ମନର ଶୋଷକୁ ଆଖି ମାଧ୍ୟମରେ ହୃଦୟକୁ ତରତର ଭିଜେଇବା କଥାଟାକୁ ଯଥାର୍ଥ କରୁଥାନ୍ତି । କଣ ଖାଲି ବସି ଚାହିଁ ରହିଥିବ ? କିଛି କହିବ ବୋଲି ଡାକିଥିଲ ପରା , କହିବନି ? .......ମେଘାଚ୍ଛନ୍ନ ଆକାଶକୁ ଦେଖି ମୟୁର ଉନ୍ମାଦିତ ହେବାପରି ମହିଳାଙ୍କ କର୍ଣ ଗହ୍ୱର ଦେଇ ହୃଦୟରେ ପହଞ୍ଚି ଥିବା ଏଇ କେତୋଟି ଶବ୍ଦ ତାଙ୍କ ଦେହରେ ଖେଳାଇ ଦେଇଥିଲା ଅସୀମିତ ଶିହରଣ । ସାଙ୍ଗକୁ ପୁଣି ସେମାନେ ଯେଉଁ ଗଛତଳେ ବସିଥିଲେ ସେଥିର ଝଙ୍କାଳିଆ ଡାଳରେ ବସିଥିବା ପକ୍ଷୀମାନଙ୍କର କାକଳି । ଏକାଥରକେ ସବୁ ଯେମିତି ପୂର୍ବ ନିୟୋଜିତ ପରି ଘଟିଗଲା । ତୁମକୁ କଥା ବି କହି ଆସେ ? ମହିଳାଙ୍କ ମନର ମେଘଖଣ୍ଡ ତାଙ୍କ ଗଳାକୁ ମେଘାଚ୍ଛନ୍ନ କରି ବାଷ୍ପୀତ କରିଦେଲା ତାଙ୍କ ଶବ୍ଦ ସୂର୍ଯ୍ୟଙ୍କୁ । ବ୍ୟକ୍ତି ଜଣଙ୍କ ମୁହଁରେ ଏବେବି ସ୍ମିତ ହାସ୍ୟ । ପୁଣି ନିଜକୁ ସମ୍ଭାଳି ନେଇ ମହିଳା ଜଣକ କହିଲେ ଏ ଝାଞ୍ଜି ନିଦାଘର ଖରାବେଳେ କଟକ ସହରରେ କଣ ଏମିତି କାମ ପଡ଼ିଲା କି ? ନିଜେ ହଜିଥିଲ ନା ହଜେଇଥିଲ ତୁମ ପରିଚୟକୁ ? ବୁଝିଲୁ କାଳୀ ତୋର ସେ କଥା କହିବା ଢଙ୍ଗ ଏବେବି ସେମିତି ଅଛି । ଗିରି ଶିଖରର ନିଜ ଉଦ୍ଗମ ସ୍ଥଳରୁ ବହୁଥିବା ଝରଣାଟି ଲମ୍ବି ଚାଲେ କାହିଁ କେତେ ଦୂର । ପୁଣି ନୀରବତା ବ୍ୟାପି ଗଲା । ଏବେବି କଣ ମୋ କଥା ତୁମ କାନକୁ ବିରକ୍ତ କରୁଛି ? ବ୍ୟକ୍ତି ଜଣକ ଆଖିରୁ ଚଷମା କାଢ଼ିଲେ । ଚଷମା ପଛରେ ଥିବା ଆଖି ଉପରେ ବୋଧହୁଏ ଆଉ ଗୋଟେ ଝାପ୍ସା ଅନ୍ଧାରିଆ ପରତ ପଡ଼ି ଗଲା । କହୁନ କାହିଁକି କିଛି ? ତୁମର ଏ ଚୁପ ରହିବାର ଗରଳ ପିଇପିଇ ମୋର ହୃଦୟ ନୀଳ ପଡ଼ି ଗଲାଣି । ଜ୍ୟୋତି ଏବେ ତୁମର ବୟସ କେତେ ? ମନେ ଅଛି ମୋ ନାଁ ତୁମର ? ଧନ୍ୟ ହେଇଗଲି ମୁଁ । ସତରେ ତୁ ଜ୍ୟୋତି ଭଳି ଝଟକୁଛୁ ଏବେ । ଥାଉ ଥାଉ ଆଉ ଏମିତି ପ୍ରଶଂସା କରନି ମୋର । ନିଜକୁ ସଜାଡ଼ି ବାକୁ ଆଉ ଜନ୍ମଟିଏ ମୋ ପାଖରେ ନାହିଁ । ମହିଳାଙ୍କ ଗଳାରେ ଥିବା ବାଷ୍ପୀତ ମେଘଖଣ୍ଡ ଏବେ ଆଖି ଯୋଡ଼ିକୁ ମେଘାଚ୍ଛନ୍ନ କରି ସାରିଥିଲା । ଆରେ ଏ କାଳୀ ସିଙ୍ଘାଣି ନାକୀ ଥାଉ ଥାଉ ତୋର ସେ ନାକ ସିଙ୍ଘାଣି ଆଉ ଦେଖାନି । ଆଜି ବି କଣ ଉଠି ଚାଲିଯିବ ସବୁଦିନ ପରି ? ମନ ଗହନର ଅକୁହା କଥା ଓ କୋହକୁ ତୁମ ଆଗରେ ଯେବେ ଯେବେ ପ୍ରକାଶ କରେ ସମବେଦନା ଆଶାରେ ତୁମେ ସେବେସେବେ ଉଠି ଚାଲିଯାଅ । ସମବେଦନା ତ ଦୂର ଆହୁରି ନାକ କାନ୍ଦୁରୀ କହି ଚିଡ଼େଇଛ ମୋତେ । ଆଜି ମୋ ବୟସ ପଚାରୁଛ ! ତୁମେ କଣ ଜାଣିନ ? କଇଁକଇଁ କାନ୍ଦି ଉଠିଲେ ଜ୍ୟୋତି । ଆରେ ତୁ ଏମିତି କାନ୍ଦୁଛୁ କାହିଁକି ? ଦେଖ ସେ ଲୋକ ଦିଜଣ କେମିତି ଆମ ଆଡ଼େ ଚାହିଁ ଚାହିଁ ଯାଉଛନ୍ତି । ଆଜିକାଲି ବେଳ ଯାହା ହେଲାଣି ଲୋକମାନେ ଖାଲି ହାତ ସଫା କରିବାକୁ ଚାହିଁ ରହିଛନ୍ତି । ଜ୍ୟୋତି ତୁ କଣ ଜାଣିନୁ କେଉଁଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ମୁଁ ଗାଁ ଛାଡ଼ିଥିଲି ? ହଁ ସବୁ ଜାଣିଛି । ଗାଁ ରେ ଥିବାବେଳେ ତୁମର ମୋ ଉପରେ ରାଗିବା ପଛର ମହାନ ଉଦ୍ଦେଶ୍ୟ ଜାଣିଲା ପରେ ଡହଳ ବିକଳ ହେଇ ଖୋଜିଛି ତୁମକୁ । ପାଇଲିନି ମୋ ଆଖି ପାଇବା ପର୍ଯ୍ୟନ୍ତ । ହୃଦୟରେ ଛବିଟିଏ ସ୍ଥାପିତ କରି ପଲକର ଗାଲିଚା ବିଛେଇ ଏବେବି ଜାଗିଛି । ତୁମ ଗାଁ ଛାଡ଼ିବା ପଛର ମହତ୍ତ୍ୱ ଉଦ୍ଦେଶ୍ୟ ବିଷୟରେ କେମିତି ଜାଣିବି ? ମୋତେ ବି ସାଙ୍ଗରେ ନେଇଯିବାକୁ କହିଥିଲ । ......................କହିଥିବା ସମୟରୁ ଅଧଘଣ୍ଟା ଅଧିକ ଅପେକ୍ଷା କରିପାରିଲନି କେମିତି ? ରାତ୍ରୀର ନିଶବ୍ଦତାରେ ଏକାଏକା ଘରୁ ଆସି ଝିଙ୍କାରୀ ମାନଙ୍କୁ ମନ କଥା ଜଣାଇ ଆଖି ଲୁହରେ ପିନ୍ଧିବା ବସନ ସହିତ ମାଟି ମଧ୍ୟ ଭିଜେଇଥିଲି । କେମିତିକା ପୁରୁଷ ତୁମେ ? .....ମୁଁ କେବଳ ତୋତେ ଖୁସିରେ ଦେଖିବାକୁ ଚାହୁଁଥିବା ମଣିଷ । ମହଲରେ ରହୁଥିବା ପଲଙ୍କରେ ଶୋଉଥିବା ଜମିଦାର ଘରର ପୁଅ ମୁଁ । ବାପା ବୋଉଙ୍କ ବିୟୋଗ ପରେପରେ ଭାଇ ଭାଉଜଙ୍କ କାରସାଦି କଣ ଜାଣିନ ? ଖାଇବାକୁ ମଧ୍ୟ ପାଇଲିନି । ଘର ତ ଘର ପିଣ୍ଡା ଖଣ୍ଡକ ବି ମୋ ଭାଗ୍ୟରେ ଜୁଟିଲାନି । କେତେ ଆଉ ବାରଦୁଆର ହେଇଥାନ୍ତି । କେବଳ ଅପେକ୍ଷା କରିଥିଲି ତୋର ସ୍ଥାୟିତ୍ୱକୁ । ନିଜେ ଉପାସ ରହିଛି ହେଲେ ତୋତେ କେବେ ମୋ ଖାଲି ପେଟର ଆଭାସ ହେବାକୁ ଦେଇନି । ...................ବୋଉ ଦେଇଥିବା କେଇଟା ସୁନାମୁଦି ଆଉ ସୁନା ଚେନ ସାହାଯ୍ୟରେ ତୋର ପାଠପଢ଼ାକୁ ବଳବତ୍ତର ରଖିଥିଲି । ସାବତ ମାଆ ର ଗଞ୍ଜଣା ରେ ସବୁ ଥାଇ ମଧ୍ୟ ତୋର ନିରୀମାଖୀ ପଣ ମୁଁ ସହିପାରେନି । ଯେବେ ତୋର ଚାକିରୀ ଡାକରାର ଚିଠି ଡାକବାଲା ପାଖରୁ ଆଣି ମୋ ହାତରେ ଧରାଇ ଦେଲୁ , ସେଦିନ ମୋ ଦାୟିତ୍ୱ ଶେଷ ହେଲା ଭାବିଲି । ଅନେକ ଦୁଃଖ ଯନ୍ତ୍ରଣାକୁ ଦମନ କରି ଆଖିରୁ ଟୋପେ ଖୁସି ଲୁହ ଝରିଥିଲା ସେଦିନ ନିରୋଳାରେ । ଦେଖ ମୁଁ ଜୋରରେ କାନ୍ଦିବି କହୁଛି । ସବୁ ସୁଖଦେଇ ମୋତେ ଅନୁତାପ ନିଆଁରେ କେମିତି ଜଳିବାକୁ ଛାଡ଼ିଗଲ ? ସାରା ଜୀବନଟା ଝୁରି ମରିବାକୁ ? ଟିକେ ଅପେକ୍ଷା କଲନି କାହିଁକି ସେଦିନ ମୋ ଆସିବାକୁ ? ମୁଁ ନଥିଲି ସେଦିନ ତୋ ଆସିବାକୁ ଅପେକ୍ଷା କରି । ତୋତେ ନିଶାର୍ଦ୍ଧ ସମୟରେ ଆସିବାକୁ କହି ମୁଁ ସଞ୍ଜ ନଇଁଗଲା ପରେ ଗାଁରୁ ବାହାରି ଆସିଥିଲି । ଗାଁ ର ଶେଷ ମୁଣ୍ଡରେ ମୋ ଜନ୍ମମାଟିକୁ ଛାତିରେ ଲଗେଇ ଦେହରେ ବୋଳି ଖୁବ କାନ୍ଦିଥିଲି । ପ୍ରେମୀକା ବିୟୋଗ ଅପେକ୍ଷା ମାତୃ ବିୟୋଗ ମୋତେ ବିଚଳିତ କରିଥିଲା ସେଦିନ । ବାରମ୍ବାର ଫେରିଯିବାକୁ ଇଚ୍ଛା ହେଉଥିଲା । ମୋତେ ସ୍ବପ୍ନ ଦେଖେଇବା କଣ ଦରକାର ଥିଲା ? ...................ଆରେ ବାୟାଣୀ ଏତିକି ବୁଝି ପାରୁନୁ ତୁ କେବଳ ସ୍ବପ୍ନ ଦେଖୁଥିଲୁ ଆଉ ମୁଁ ତୋ ଲାଗି ବଞ୍ଚୁଥିଲି । ଏବେ କେମିତି ଜୀବନ ଧରିଛ ଏକା ଏକା ? ......ତୁ ଖୁସିରେ ଅଛୁ ପରା । ମୋର ତ କେବଳ ସେଇ ଗୋଟିଏ ଖୁସି ଆବଶ୍ୟକ ଥିଲା ଯାହା ମୋତେ ମିଳିଯାଇଛି । ତୋର ସ୍ୱାମୀ ପିଲା ଛୁଆରେ ସୁଖ ସଂସାର । ମୋତେ କିଏ ଖୋଜିବ ଆଉ ? ତୁ କେବଳ କୃତଜ୍ଞତା ଜଣାଇବା ପାଇଁ ବୋଧହୁଏ ଖୋଜୁଛୁ ମୋତେ । ............ଚୁପ କର ଯଯାତି । ବହୁତ କହିଯାଉଛ । କଣ କରିଛ ମୋ ପାଇଁ ମୁଁ କୃତଜ୍ଞତା ଜଣାଇବି ? ତୁମର ସ୍ୱପ୍ନ ମହଲରେ ମୁଁ କେବଳ କୋଠରୀଟିଏ ଖୋଜୁଥିଲି ଯାହା ସବୁ ନାରୀ ମାନେ କରନ୍ତି । ନାରୀମାନେ ପ୍ରିୟତମ ର ସ୍ୱପ୍ନକୁ ବଞ୍ଚିବାକୁ ସଦାକାଳେ ଚେଷ୍ଟିଟ ଥାଆନ୍ତି । ତୁମେ ଯଦି କଅଁଳ କୁଆଁରୀ ମନକୁ ବୁଝିବାକୁ ସାମାନ୍ୟ ଚେଷ୍ଟା କରିଥାନ୍ତ ତେବେ ସ୍ପଷ୍ଟ ଦେଖିପାରିଥାନ୍ତ ସ୍ପନ୍ଦିତ ହୃଦୟର ଅଭିସାରକୁ । .............ତୁମେ ମହାନ ହେବାର ଲାଳସା ପାଳିଥିଲ ମନରେ । ସେଦିନ ତୁମେ ଚାଲିଗଲା ପରେ ନିଶବ୍ଦ ରାତ୍ରୀର ନିଶବ୍ଦତା ସହିତ ଖୁବ ଗପିଥିଲି । ଝିଙ୍କାରୀର ଶବ୍ଦକୁ ନଶୁଣିଲା ପରି ତୁମ ଆସିବା ଶବ୍ଦକୁ କାନ ଡେରିଥିଲି । ତୁମ ଘର ପର୍ଯ୍ୟନ୍ତ ବି ଯାଇଥିଲି ମନରେ ଶଙ୍କା ଆସିବାରୁ । ତୁମ ଜନ୍ମମାଟି ଆଉ ଗ୍ରାମବାସୀ ନିଘୋଡ଼ ନିଦରେ ଶୋଇଥିବାବେଳେ ମୁଁ ଏକାକିନୀ ଘୁରି ବୁଲୁଥିଲି ଗାଁ ଟା ସାରା । ନିଶାଚର ମାନଙ୍କୁ ଭୟ ନଥିଲା । ନିଜର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ନଥିଲା । ଚାଲି ଆସିଲି । ..................... ଭାବିଲି ଜୀବନ ରଖିବିନି । ଯେଉଁ ଜ୍ୟୋତିକୁ ଆଲୋକିତ କରିବାକୁ ଯାଇ ତୁମେ ସଳିତା ହୋଇ ଜଳିଗଲ , ସେ ସଳିତାକୁ ମୁଁ ଦୁନିଆଁ ଆଗରେ ପରିଚିତ କେମିତି ନ କରେଇବି ? ମନକୁ ବୁଝେଇଲି । ତୁମେ କେବେ ଛଳନା କରିପାରିବନି , ନିଶ୍ଚିତ ଆସିବ । ଦିନ ମାସ ବର୍ଷ ବିତି ଚାଲିଲା । ଗାଁ ରୁ ସହର ଆସିଲି । ଏମିତି କୌଣସି ଦିନ କୌଣସି ସମୟରେ ନାହିଁ ଯେତେବେଳେ ମୁଁ ମୋ ଇନ୍ଦ୍ରିୟ ଭ୍ରମଣ କରି ତୁମକୁ ନ ଖୋଜିଛି । ତୁମେ କଣ ଭାବୁଛ ଆଜିର ଦେଖା ଏମିତି ଅଚାନକ ହେଇଗଲା ? ଏ ତ ମୋ ତପସ୍ୟାର ଫଳ । .............ଆଉ ଯେଉଁ ସ୍ୱାମୀ ପିଲାଛୁଆ ସଂସାର କଥା କହୁନ , ହଁ ଅଛି । ବଡ଼ ମହଲଟିଏ ତୋଳେଇଛି । ଏ ରିକ୍ସାବାଲା ମଦନା ପରି ଅନେକ ପୁଅ ଝିଅ ମୋର । ସ୍ୱାମୀ ପରା ଥରେ ବରୀ ସାରିଛି ମୁଁ । ନା ମୋତେ ବୈଧବ ଲାଗିଛି ନା ଛାଡ଼ପତ୍ର । ନା ପ୍ରତିଶ୍ରୁତି ପାଇଛି ନା ପ୍ରତାରଣା । କୋହର ସମୁଦ୍ରରେ ଥାଇବି ହସିବା ଶିଖିଗଲି । ଦେହର ଉନ୍ମାଦନାକୁ ଶାନ୍ତ କରିବାପାଇଁ ସାଥିଟିଏ ଆବଶ୍ୟକ ପଡ଼େ । ହେଲେ ପ୍ରେମ ପରା ସବୁବେଳେ ନିର୍ଜନତାକୁ ଝୁରିହୁଏ । ..................ମଦନା କୁହେ ମା ତୁମ ମନଖୋଲା ନିରଭେଜାଲ ହସ ଟିକେ ଦେଖିଦେଲେ ମୋ ଶ୍ରମ ହରିଯାଏ ପେଟ ପୁରିଯାଏ । ଭଗବାନଙ୍କୁ ଧନ୍ୟବାଦ ଜଣାଏ । ମାଆ ବାପ ଛେଉଣ୍ଡ ନିଶାସକ୍ତ ଏ ମଦନାର ହାତ ଧରି ପଙ୍କରୁ ଟାଣି ସମାଜର ମୁଖ୍ୟ ଧାରାରେ ଠିଆ କରେଇଲେ । ବାହା ସାହା କରେଇ ପିଲାଛୁଆଙ୍କ ଦାୟିତ୍ୱ ବି ନେଇ ମୋତେ ଚିନ୍ତା ମୁକ୍ତ କରେଇଲେ । ଖାଲି ମଦନ ନୁହେଁ । ସହର ସାରା ବୁଲି ଆସିଲେ ଏମିତି ଅନେକ ମିଳିବେ ମଦନ ପରି । ......ହେଲେ ବିଶାଳ ପରିଚିତ ଜନସମୁଦ୍ର ଭିତରେ ଥାଇ ମଧ୍ୟ ମୁଁ ଏକାକିନୀ । ଆଖି ଖୋଜେ ଇପ୍ସିତ କୁ ଦେଖିବାକୁ କାନ ଖୋଜେ ସେଇ ପ୍ରିୟ କଣ୍ଠରୁ କିଛି ପରିଚିତ ଶବ୍ଦ ଶୁଣିବା ପାଇଁ । ଯେମିତି ଗୋପୀମାନେ କାନ ଡେରିଥାନ୍ତି କାହ୍ନୁର ବଇଁଶୀ ସ୍ୱନକୁ । ମଣିଷ ଆଉ ଆତ୍ମାକୁ ତୁ ଠିକ ଚିହ୍ନି ପାରିଛୁ କମ୍ଭୁ କଣ୍ଠି , କୁମ୍ଭ କଟୀ । ...............ଜ୍ୟୋତିଙ୍କ କାନରେ ଏତିକି ପଡ଼ିଲା ପରେ କହ୍ନେଇ ବଇଁଶୀ ସ୍ଵନରେ ଯମୁନା ଉଜାଣୀ ବହିଲା ପରି ଆଖିରୁ ତାଙ୍କର ଧାରଧାର ଲୁହ ଝରି ଆସିଲା । ଅବିରତ ଝରିବାକୁ ଲାଗିଲା । ଶବ୍ଦ ସ୍ଫୁରୁ ନଥିଲା । ପୁରା ଛୋଟ କଅଁଳିଆ ପିଲାଟେ ପରି । ପିଲାଟେ ଯେମିତି କୋଳକୁ ଯିବା ଆଶାରେ ଚିରା ଛାଡ଼ି କାନ୍ଦେ ଠିକ ସେମିତି । ହେଲେ ଯଯାତି ନୀରବ । ସେ ପିଲା ପ୍ରତି ମା ର କର୍ତ୍ତବ୍ୟକୁ ପଛଘୁଞ୍ଚା ଦେଉଥାନ୍ତି । ...........ଜ୍ୟୋତି ତୁ କାନ୍ଦେନି । ସବୁକିଛି ହରେଇଥିବା ମଣିଷର ହୃଦୟଟା ଏବେ ଭାବଶୁନ୍ୟ । ମୋତେ ଦୁର୍ବଳ କରେନି ଜ୍ୟୋତି । .....ମୁଁ କାନ୍ଦୁନି ଯଯାତି ମୋ ଭିତରେ ଥିବା ସୂକ୍ଷ୍ମ ମଣିଷଟେ ଖୁବ କାନ୍ଦୁଛି । କିନ୍ତୁ ତାଙ୍କ ପ୍ରତିରୂପ ସ୍ଥୁଳ ଦେହଟା ପଥର ହେବାର ଅଭିନୟ କରୁଛି । ...........ଯାହାହେଉ ଭଲ କଥା କହିବା ଶିଖି ଗଲୁଣି ନା ......? ମୁହଁରେ ହସ ରଖି ଯଯାତି ଏତିକି କହିପାରିଲେ । ଅସମ୍ପୂର୍ଣ୍ଣ ବାକ୍ୟଟିଏ । କଣ୍ଠ ରୁନ୍ଧି ହେଇଗଲା । ...................ପଥର ଜୀବନ ପାଇବାର ଉଦାହରଣ ଅଛି ଆମ ସନାତନ ସଂସ୍କୃତିରେ । ତୁମେ ଦେହଥିବା ମଣିଷଟିଏ । କେବଳ ଏତିକି କହିବି ତୁମ ଜ୍ୟୋତି ଏବେବି ଅଖଣ୍ଡ ଅଛି ଠିକ ଯେମିତି ଛାଡ଼ିଯାଇଥିଲ । ଛଳନାକାରୀ ମାନେ ମଧ୍ୟ ଜ୍ୟୋତିର ତେଜ ଆଗରେ ମୁଣ୍ଡ ନୁଆଁଉଛନ୍ତି । .....ଜ୍ୟୋତି ତୁ କଣ ଜାଣିନୁ ଜ୍ୟୋତିକୁ ଧରି ରଖିଥିବା ସଳିତାର ପରିଣତି ? ସଳିତାର ପାଉଁଶ ଟିକେବି ମିଳେନି । ହେଲେ ଜ୍ୟୋତି ସଦାକାଳେ ଥିଲା ଅଛି ଆଉ ରହିବ ମଧ୍ୟ । ତୁ ଶ୍ରଦ୍ଧା କୁ ଇନ୍ଧନ ଆଉ ଭାବକୁ ସଳିତା କରିବାରେ ସିଦ୍ଧହସ୍ତ । ଆଉ କାହାର ପିଞ୍ଜରାର ଆବଦ୍ଧତାକୁ କାହିଁକି ବ୍ୟାକୁଳ ହେଉଛୁ ? ..................... କିଏ କହିଲା ମୁଁ ଆବଦ୍ଧତାକୁ ଆତୁର ବୋଲି ? ଜ୍ୟୋତିର ପ୍ରକାଶ ଲାଗି ମୋର ଆବଶ୍ୟକୀୟ ଇନ୍ଧନ ଆଉ ସଳିତା କେବଳ ତୁମେ । ତୁମ ବିନା ମୁଁ ପ୍ରକାଶର ପରିକଳ୍ପନା କରିପାରିବି ନାହିଁ । ତୁମେ ମୋ ଅଭିଭାବକ , ତୁମେ ହିଁ ମୋର ଭାଇ ବନ୍ଧୁ । କାହାକୁ ଆଉ ଖୋଜିଥାନ୍ତି । କୁକୁର ଥରେ ଖାଇଲେ ବାରବର୍ଷ ଲାଙ୍ଗୁଡ଼ ହଲାଏ , ଆଉ ମୁଁ ପ୍ରତିପାଳିତ ହୋଇଛି ତୁମରି ସ୍ନେହ ଶ୍ରଦ୍ଧା ଆକଟ ର ଶୀତଳତାରେ । ନିଜେ ପେଟମାରି ମୋତେ ଠିଆ ହେବା ଶିଖେଇଛ । ଏବେ କହୁଛ ସଳିତା ନିଶ୍ଚିହ୍ନ ହେବାପାଇଁ ଜଳେ । ........ତୁମେ କଣ ଭାବୁଛ ମୁଁ ବୁଢ଼ୀ ଅସୁରୁଣୀ ପରି ଟାକି ରହିଛି ତୁମ ଦେହର କଞ୍ଚା ମାଂସକୁ ? ମୋତେ ତୁମେ ବୁଝି ବି ଅବୁଝା ହେଇଗଲ ଯଯାତି । ପଚାଶ ବସନ୍ତ ପାର କରି ସାରିଲା ପରେ ବି ଦେଖୁଛ ତ ମୁଣ୍ଡରେ ଗୋଟେ କରି କେଶ ଧଳା ହେଇନି । ଏହାର କାରଣ କଣ ଜାଣିଛ ଯଯାତି ? ପ୍ରେମିକା ମାନେ କେବେବି ମାଂସ ଲୋଭୀ ଅସୁରୁଣୀର ପରିବର୍ତ୍ତିତ ରୂପକୁ ଧାରଣ କରିପାରନ୍ତି ନାହିଁ । .........ବର୍ଷା ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ପରି ଜ୍ୟୋତିଙ୍କ ଆଖିଲୁହ ବର୍ଷା ଜଳ ହେଲେ କହୁଥିବା କଥା ଘଡ଼ଘଡି ପରି ଆଉ ଚମକୁ ଥିବା ସେ କଉଡ଼ି ପରି ଆଖି ଯୋଡ଼ିକରେ ପ୍ରେମ ମିଶ୍ରିତ କ୍ଷୋଭ ହେଉଛି ବିଜୁଳି ପରି । ....ଆଜି ମୋତେ ସବୁକିଛି ମିଳିଯାଇଛି ଜ୍ୟୋତି । କୋଟିଏଙ୍କର ତିରସ୍କାର ପାଇଲା ପରେ ଗୋଟିଏର ସମ୍ପୂର୍ଣ୍ଣ ଅନାବିଳ ଏବଂ ସମର୍ପିତ ପ୍ରେମ ବି ପାଇଛି ଯେଉଁଠି ଛଳନାର ତିଳେମାତ୍ର ଆଭାସ ନାହିଁ । ....ହେଲେ ଜ୍ୟୋତି ତୋ ପରି ମୋର ବି ଗୋଟେ ବଡ଼ ପରିବାର ଅଛି । ହେଲେ ମୋ ଚାଲିଯିବା ପଛରେ ମଧ୍ୟ ଏଇ କାରଣ ଥିଲା । ଦୂରରେ ଥାଇ ଜ୍ୟୋତି ଯେମିତି ପ୍ରେମକୁ ବଞ୍ଚି ପାରିଛି ହୁଏତ ପାଖରେ ଗୋଟିଏ ଘରର ଚାରି କାନ୍ଥ ଭିତରେ ଥିଲେ ତାହା ସମ୍ଭବ ହେଇ ପାରି ନଥାନ୍ତା । ଉଭୟେ ପ୍ରେମର ନିସଙ୍ଗତାକୁ ଖୁବ ଜୀବନ୍ତ ଭାବେ ଉପଭୋଗ କରିଛେ । ......................ମୁଁ ପଳାତକ ନୁହେଁ । ହେଲେ ବାପା ବୋଉଙ୍କ ଅନ୍ତେ ସଂସାରର ପ୍ରତିଟି ସମ୍ପର୍କ ମୋତେ କୁଠାରଘାତ କରିଛି । ଜ୍ୟୋତି ଯଦି ଯଯାତି ଜୀବନରୁ ଚାଲି ଯାଇଥାନ୍ତା ତେବେ ଯଯାତି ଆଉ ସେ ଅନ୍ଧାରରୁ ବାହାରି ପାରି ନଥାନ୍ତା । ସବୁଠୁଁ ବଡ଼କଥା ହେଲା ସଳିତା କେବେବି ଜ୍ୟୋତିକୁ ଦୁର୍ବଳ ଅବସ୍ଥାରେ ଦେଖି ସହି ପାରିବନି । ........ଯଯାତି ଭାବନାରେ ଜ୍ୟୋତିର ପ୍ରକାଶ ସବୁବେଳେ ସେଇ ଅତୀତ ସମ ଥିଲା । ଅତୀତରେ ଦୁଃଖରେ ଭାଙ୍ଗି ପଡ଼ିଲେ ତୋର ଯେଉଁ ମିଠାମିଠା କଥାକୁ ଖୁବ ଝୁରେ , କାନ୍ଦିବାକୁ ଇଚ୍ଛା ହେଲେ ତୋ କୋଳରେ ମଥା ରଖିବାଟା ମନରୁ ପୋଛି ପାରେନି । ତୋ ସ୍ପର୍ଶରେ ମୁଁ ମୋର ସବୁ ଯନ୍ତ୍ରଣା ଭୁଲିଯାଏ । ତୁମ ଚୁଟି ଅଧା ପାଚିଗଲାଣି ଯଯାତି । ....ଆରେ ବିନା ମାଆ ରେ ଗୋଟେ ବଡ଼ ପରିବାରର ଦାୟିତ୍ୱ । ସବୁ ଲେଞ୍ଜରା କରିବାକୁ ପଡ଼ୁଛି । ଆଉ ଶୁଣୁ ମୁଁ ଏବେ ପୁଣିଥରେ ଜମିଦାର ହେଇଯାଇଛି । ହେଲେ ମୋ ପିଲାମାନଙ୍କ ଲାଗି ମାଆ ଟିଏ ରଖିଲେ ଭରଣପୋଷଣକୁ ଏବେବି ଅସମର୍ଥ । ଦେଖ ଯଯାତି ତୁମେ ଜୁଆଡ଼େ ଯାଉଛ ଯାଅ ହେଲେ ମୋତେ ସାବିତ୍ରୀ ବ୍ରତ ପାଳିବାର ଅଧିକାର ଦେଇଯାଅ । ଭରଣପୋଷଣ ଲାଗି ତୁମ ହୃଦୟ କୋଠରୀରେ ଜ୍ୟୋତି ସବୁବେଳେ ପ୍ରକାଶିତ ହେଉଥିବ । ମୋର କଣ ଆଉ ପିଲା ଜନ୍ମ କରିବାର ବୟସ ଅଛି ? ....ଅଲାଜୁକି ଆଗରୁ ଯାହା ଏବେବି ସେୟା । ଜାଣିରଖ ମୁଁ କିନ୍ତୁ ଏବେବି ସମର୍ଥ ଆଉ ଶେଷ ପର୍ଯ୍ୟନ୍ତ ସାମର୍ଥ୍ୟ ବଜାୟ ରଖିବାକୁ ସଙ୍କଳ୍ପ ବଦ୍ଧ । ..........ଥାଉ ତୁମ ରସିକ ପଣିଆ । ଭାଲେଣ୍ଟାଇନ ରେ ମୋର କେବେବି ମନ ନଥିଲା ଏବେବି ନାହିଁ । ପ୍ରେମର ଗୋଟେ ପୁଣି ସପ୍ତାହ ! ଯେଉଁଠୁ କୋଟି ବ୍ରହ୍ମାଣ୍ଡର ଉତ୍ପତ୍ତି ତାର ପୁଣି ଦିନ ଗୋଟେ କଣ ? ଯେଉଁ ଅଢ଼େଇ ଅକ୍ଷରର ବାଖ୍ୟା ଆଜି ପର୍ଯ୍ୟନ୍ତ ଅସମ୍ପୁର୍ଣ ଅବ୍ୟକ୍ତ ତାକୁ କୌଣସି ତାରିଖରେ କଣ ବାନ୍ଧିବା ସମ୍ଭବ କି ? ନିଜକୁ ନିଜେ ଉପହାସ କରିବା ଛଡ଼ା ଏହା ଆଉ ଅନ୍ୟକିଛି ନୁହେଁ । ମୁନି ଋଷି ମାନଙ୍କ ଠାରୁ ଆରମ୍ଭ କରି କବି ,ଲେଖକ , ଗାଳ୍ପିକ ,ପ୍ରାବନ୍ଧିକ ନିଜର କୃପାପ୍ରାପ୍ତ ଧୀଶକ୍ତି ବଳରେ ଯେତିକି ପାରିଛନ୍ତି ବର୍ଣ୍ଣି ଛନ୍ତି । ପ୍ରେମ କଣ ଏ ଝଙ୍କାଳିଆ ଗଛ ମୂଳେ ଆବଦ୍ଧ ! ...ଜ୍ୟୋତି ମୋର ଜଳିଜଳି ପ୍ରେମ ରସରେ ଓତପ୍ରୋତଃ ଏବେ । ଆଉ ଉଠାନି ଉପରକୁ । ତୁମ ଭଳି ରସିକ ପଳାତକ ପ୍ରେମିକ ପାଇନଥିଲେ ମୁଁ ବି ସେଇ ଗଛମୂଳ ନିରୋଳାରେ କାହା ଗଳାରେ ହାତ ଛନ୍ଦି ......। .......ଚୁପ କର ଏତିକି ଶୁଣିବିନି ବୋଲି ନିଜକୁ ନିଜେ ପଳାତକ ସଜେଇ ଥିଲି । ଯଯାତି ଜ୍ୟୋତିଙ୍କ ମୁଣ୍ଡରେ ହାତ ରଖିଦେଲେ । .... ମଦନା ଏ ମଦନା ବାପ କୁଆଡ଼େ ଗଲୁରେ ? ପହଞ୍ଚିଗଲା ମଦନା । ବାପା ଚାଲେ ଯିବା ଘରକୁ । ଏଇ ହେଉଛନ୍ତି ସେହି ମଣିଷ ଯାହାଙ୍କ କଥା ସବୁଦିନ ପଚାରି ବୁଝୁ ମୋ ପାଖରୁ । ଜୁହାର୍ ଆଜ୍ଞା । ମଦନା ଆଉ କିଛି କହିବାକୁ ଚାହୁଁଥିଲା । ହେଲେ ସମୟ ଓ ପାରିପାର୍ଶ୍ବିକ ଅବସ୍ଥା କୁହାଇ ଦେଲାନି ତାକୁ । ରିକ୍ସା ଭିଡ଼ୁ ଭିଡ଼ୁ କାନ୍ଧ ଗାମୁଛାକୁ ବାରମ୍ବାର ମୁହଁରେ ବୁଲାଇ ଆଣୁଥିଲା । ବୋଧହୁଏ ମଦନା ବି ସୁଖ ଶ୍ରାବଣରେ ଭିଜିଭିଜି ବାପର ଆଶିଷ ହାତକୁ କଳ୍ପନା କରୁଥିଲା । ଯାଯାତି ଏବଂ ଜ୍ୟୋତି ଦୁହେଁ ନୀରବରେ ବସିରହି ଅପେକ୍ଷା କରୁଥିଲେ ସେମାନଙ୍କ ପ୍ରେମ ବାସରକୁ ।            ।।ଶରଣ ମାତେ।।


Rate this content
Log in

Similar oriya story from Tragedy