ABhimanyu Panda

Drama

3  

ABhimanyu Panda

Drama

ତୃତୀୟ ସନ୍ତାନ

ତୃତୀୟ ସନ୍ତାନ

16 mins
297



ବିଳମ୍ବିତ ଅପରାହ୍ଣ । ସାନସାନ ପିଲା ମାନଙ୍କ ଲାଗି ଉଦ୍ଦିଷ୍ଟ ପାର୍କ । କୁନିକୁନି ନିଷ୍ପାପ କଅଁଳ ପିଲାଙ୍କ ସହିତ ସେମାନଙ୍କ ଅଭିଭାବକ । ସହରୀ ଜୀବନରେ ପିଲାଙ୍କ ପିଲାଦିନ ଏଇ ବାଡ଼ ଦିଆ ପାର୍କ ଭିତରେ ସୀମିତ । ପିଞ୍ଜରା ମୁକ୍ତ ବାଘଟିଏ ପରି ପହଞ୍ଚୁ ପହଞ୍ଚୁ ଏଣେତେଣେ କୁଦି ପଡ଼ନ୍ତି । କୁଦିବାରେ ତଳେ ପଡ଼ିଯାନ୍ତି , ଆପେଆପେ ଉଠି ପୁଣି ଲାଗିଯାନ୍ତି ଅନୁଭବରେ ମିଳିଥିବା ମୁକ୍ତିକୁ । ମୁକ୍ତ ଆକାଶ ତଳେ ମୁକ୍ତ ପବନକୁ ପ୍ରଶ୍ୱାସରେ ଜୋରକରି ଟାଣିନେବାର ପ୍ରୟାସ । 

ପାର୍କର କୋଣରେ ଠିଆ ହୋଇଥିବା ଡେଙ୍ଗା ପଟାସ ଗଛର ଫାଙ୍କକୁ ଭେଦ କରି ସୂର୍ଯ୍ୟକିରଣ ଲୁଚକାଳି ଖେଳୁଥାଏ । ଆଖପାଖର କିଛି ପ୍ରୌଢ଼/ପ୍ରୌଢ଼ା ପାର୍କର ମଧ୍ୟସ୍ଥଳୀରେ ବସି ନାନା ଆଲୋଚନାରେ ମାତିଥାନ୍ତି । କୁନିକନି କଢ଼ି ସଦୃଶ ପିଲାମାନେ ଠିକ ସେମାନଙ୍କ ସାମ୍ନାରେ ଖେଳନ୍ତି । ସେମାନଙ୍କ ଲାଗି ବ୍ୟବସ୍ଥିତ ଥିବା ଝୁଲଣା ଓ ଅନ୍ୟାନ୍ୟ କୃତ୍ରିମ ଲୌହନିର୍ମିତ ଆସବାବରେ । ବୟସ୍କ ମାନେ ବୋଧହୁଏ ଅନେକ ଦୁରରେ ଛାଡ଼ିଆସିଥିବା ନିଜକୁ ଦେଖନ୍ତି ସେଇ କୁନିକୁନି ସତେଜ କଢ଼ି ମାନଙ୍କ ଠାରେ । ଅନେକ ଥର ଲକ୍ଷ୍ୟ କରିଛି ସେମାନେ ଭାଵଶୁନ୍ୟ ଭାବେ ଚାହିଁ ରୁହନ୍ତି ସେ ପିଲାମାନଙ୍କୁ ଏକଲୟରେ ଚାହିଁ । ଅନ୍ୟମନସ୍କ ହୁଅନ୍ତି । ସେମାନଙ୍କ ଭିତରେ ଚାଲିଥିବା ଆଲୋଚନାରେ ସ୍ଥୂଳ ରୂପେ ଉପସ୍ଥିତ ଥିଲେ ମଧ୍ୟ ସୂକ୍ଷ୍ମ ଶରୀରଟି ଖେଳୁଥାଏ ପିଲାଙ୍କ ସହିତ ସବୁ ଅବୁଝା ପଣକୁ ନିଜ ଭିତରେ ଜାବୁଡ଼ି ଧରି । ସେମାନଙ୍କ ଭିତରେ ବି କୁନି ପିଲାଙ୍କ ଅଭିଭାବକ ଥାଆନ୍ତି । 

ଆଉ କିଛି ମୋ ପରି ମଧ୍ୟବୟସ୍କ ମହିଳା ପୁରୁଷ ମାନେ ଘେରା ଦେଉଥାନ୍ତି ପାର୍କର ଚାରି ପାଖରେ ନିଜର ମେଦ ହ୍ରାସ କରିବାକୁ । ସାଙ୍ଗରେ ଆଣିଥିବା ପ୍ରାଣ ଠୁ ଅଧିକ ପିଲାମାନଙ୍କ ଉପରେ କିନ୍ତୁ ନଜର ଥାଏ ସେମାନଙ୍କର । ଗୋଟିଏ କଥା ସେ ପାର୍କରେ ଉପସ୍ଥିତ ଥିବା ସମସ୍ତେ ବ୍ୟକ୍ତିଗତ ଭାବେ କେହି କାହାର ପରିଚିତ ନହେଲେ ବି ସେମାନଙ୍କ ଭିତରେ ଥାଏ ଅଘୋଷିତ ପରିଚୟ , ଅଘୋଷିତ ବିଶ୍ୱାସ । ସେଠି ସମସ୍ତଙ୍କ ପରିଚୟ ଚିଣ୍ଟୁ ର ମାମା , ରବିର ପାପା , ଧ୍ରୁବ ର ଜେଜେ ମା , ମିଠି ର ଜେଜେ , । ସେଠି ଜଣେ ଅନ୍ୟଜଣର ନାଁ ପରିଚୟ ଜାଣିବା ପାଇଁ ସେତେ ଉତ୍ସୁକ ନୁହଁନ୍ତି । ହେଲେ ପିଲାମାନଙ୍କ କଥା ଅଲଗା ସେମାନେ ନିଜନିଜ ଭିତରେ ଭଲଭାବେ ପରିଚିତ । ସମସ୍ତେ ସମସ୍ତଙ୍କ ନାଁ ଜାଣିବା ସଙ୍ଗେସଙ୍ଗେ ଜଣେ ଅନ୍ୟର ଅଭିଭାବକ ମାନଙ୍କ ବିଷୟରେ ବି ଅନେକ କିଛି ଜାଣିଥାନ୍ତି । କେବେକେବେ ମୁଁ ଆଗ ମୁଁ ଆଗ ଲାଗି ମାଡ଼ଗୋଳ ବି ହୁଅନ୍ତି ସେମାନଙ୍କ ଭିତରେ । ଦୁର୍ବଳ ପିଲାଟି ଆଖି ମଳିମଳି କାନ୍ଦେ ଅଭିଯୋଗ କରେ । ଆଶ୍ଚର୍ଯ୍ୟଜନକ ଭାବେ ସେ ସେତେବେଳେ ନିଜର ଅଭିଭାବକଙ୍କୁ ଖୋଜେନି ଯେଉଁ ପିଲାର ଅଭିଭାବକ ତା ଆଖିରେ ପ୍ରଥମେ ଆସେ ଧାଇଁଯାଇ ଅଭିଯୋଗ କରେ ସେ । ପର ମୁହୂର୍ତ୍ତର ଯାହା ଘଟେ ସେ ଆହୁରି ଆଶ୍ଚର୍ଯ୍ୟ ଚକିତ କରେ । ତାକୁ ନିଜର ବଳ ସାମର୍ଥ୍ୟ ଦ୍ୱାରା ପରାଜିତ କରି ତାକୁ ଦୁଃଖି କରିଥିବା ପିଲାଟି ଅନାୟାସରେ ଧାଇଁ ଆସେ ସେ କାନ୍ଦୁଥିବା ପିଲା ପାଖକୁ । ବିନା ଶବ୍ଦରେ କ୍ଷମା ମାଗିନିଏ , ଧରି ପକାଏ ହାତ । ପୁଅଝିଅ ବୋଲି କିଛି ଗୋଟେ ପ୍ରଭେଦ ଅଛି ବୋଲି ସେମାନେ ବୁଝନ୍ତିନି । କେତେ ଗେଲ କରେ । ଟାଣି ନେଇଯାଏ ବସେଇ ଦିଏ ସେଇ ଦୋଳିରେ ଯେଉଁ ଦୋଳିରେ ଝୁଲିବାକୁ ସେ ଯୁଦ୍ଧ କରିବାକୁ ପ୍ରବୃତ୍ତ ହୋଇଥିଲା । ସତରେ ପିଲାମାନେ କେଡ଼େ ସମର୍ପିତ !! କେତେ ବୁଝିଲା ଶୁଝିଲା !! ମନକୁ ସ୍ୱତଃ ବାରମ୍ବାର ପ୍ରଶ୍ନ ଆସେ ସତରେ କଣ ଆମେବି ଏମିତି ଥିଲେ ଆମ ବାଳୁତ ସମୟରେ !? ଏମିତି କଣ ଘଟିଗଲା ଯେ ଆମେ ସମସ୍ତେ ଏ ଚପଳତାକୁ ହରେଇ ଦେଇଛୁ !? ଏମିତି ପ୍ରତିଦିନ ଭାବେ । 


ମୁଁ କିନ୍ତୁ ପିଲାମାନେ ଖେଳୁଥିବା ସ୍ଥାନରେ ଥିବା ଏକ ସିମେଣ୍ଟ ବେଞ୍ଚ ଉପରେ ବସିରୁହେ । ସମସ୍ତେ ଅଭିଭାବକ ଆଘୋଷିତ ଭାବେ ସେମାନଙ୍କ ପିଲାଙ୍କ ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରି ଅଚିନ୍ତାରେ ନିଜନିଜର କାର୍ଯ୍ୟରେ ଲାଗି ପଡ଼ନ୍ତି । କହିବାକୁ ଗଲେ ମୁଁ ସେ ଦାୟିତ୍ୱଟି ନିଜେ ବାଛି ନେଇଛି । ସେମାନଙ୍କ ଗହଣରେ ହଜାଏ ନିଜକୁ । ସେମାନଙ୍କ ଭିତରେ ମୋର ବି ପୁଅଟିଏ । ଅନ୍ୟ ପିଲାଙ୍କ ଅପେକ୍ଷା ଟିକେ ଅଧିକ ଚଗଲା । ଏହା ପ୍ରାୟ ସବୁଦିନର ଘଟଣା ।


ଆଜିବି ସେମିତି ପିଲାମାନେ ଖେଳରେ ବ୍ୟସ୍ତ । ମୁଁ କାନେଇ ଶୁଣେ ସେମାନଙ୍କ ଥଙ୍ଗଥଙ୍ଗ କଥାସବୁ । ବିଶ୍ୱାସ କରନ୍ତୁ କି ନକରନ୍ତୁ ସେ ଥଙ୍ଗଥଙ୍ଗ କଥା ମୋ କାନରେ ସାମବେଦ ସଦୃଶ ପ୍ରତିଧ୍ବନିତ ହୁଏ । ସେ ଅସାର ଅଲୋଡ଼ା କଥା ସବୁ ମୋତେ ତତ୍ତ୍ୱପୂର୍ଣ୍ଣ ଲାଗେ । ତଲ୍ଲୀନ ହୋଇ ଶୁଣେ । ମନେମନେ ନକଲ କରେ ସେମାନଙ୍କ କଥା ସବୁକୁ । ପ୍ରତିଥର ଆନନ୍ଦିତ ହୁଏ ଶୁଣିବାରେ ଆଉ ନକଲରେ ମଧ୍ୟ । ଆଜିବି ପିଲାମାନଙ୍କ ଗୁଲୁରୁଗୁଲୁରୁ କଥାକୁ କାନଉଛି । କୋଇଲି ବି ନିରବୀ ଶୁଣୁଥିବ , ଶୁକପକ୍ଷୀ ବି କେଇ ମୁହୂର୍ତ୍ତ ରାମନାମରୁ ବିରତ ରହୁଥିବ ଶୁଣିବାକୁ ସେ କଥା ସବୁକୁ । ଜଣେ ସ୍ତ୍ରୀଲୋକ ପଶି ଆସିଲେ ପାର୍କ ଭିତରକୁ । ତାଙ୍କ ମୁହଁ ଦେଖିପାରୁନଥିଲି ମୁଁ । ହେଲେ ପୋଷାକ ପତ୍ରରୁ ସମ୍ଭ୍ରାନ୍ତ ଲାଗୁଥିଲେ । ପିଲାମାନେ ଖେଳୁଥିବା ସ୍ଥାନକୁ ଏକଲୟରେ ଚାହିଁ ରହିଛନ୍ତି । ତାଙ୍କ ପୋଷାକରୁ ସେ ମୋ ଲାଗି ଅପରିଚିତ ଥିଲେ ନିଶ୍ଚିତ । ଆଜି ଯେତେଜଣ ପିଲା ଆସିଛନ୍ତି ସେମାନଙ୍କ ଅଭିଭାବକ ମାନଙ୍କ ପୋଷାକ ଆଉ ଶାରୀରିକ ଗଠନକୁ ମୋ ମନରେ ଚଳଚ୍ଚିତ୍ର ଫ୍ଲାଶବ୍ୟାକରେ ଅତୀତ ବଖାଣିଲା ପରି ଦେଖିଚାଲିଲି ସମସ୍ତଙ୍କୁ । ନା ଏ ସେମାନଙ୍କ ଭିତରୁ କେହି ନୁହଁନ୍ତି । କିଏ ତାହେଲେ ଏ !? ପିଲାମାନଙ୍କ ଭିତରୁ କାହାକୁ ଖୋଜୁଛନ୍ତି ଏମିତି !? 


ମୋତେ ପଛକରି ଠିଆ ହୋଇଥିବାରୁ ମୁଁ ତାଙ୍କ ମୁହଁ ଦେଖି ପାରୁନଥିଲି । ପିଲାମାନଙ୍କ ଭିତରୁ ସେ ତାଙ୍କର ଖୋଜିଲା ଜଣକୁ ଠାବ କରିଦେଲେ ବୋଧେ । ଅନ୍ୟମାନଙ୍କୁ ଆଡ଼େଇ ବଢ଼ି ଚାଲିଥାନ୍ତି ଆଗକୁ ଆଗକୁ । ମୋ ମନର ଉତ୍କଣ୍ଠା ବି ସେମିତି ମାଡ଼ି ଚାଲିଥାଏ ବଢ଼ିଲା ନଈ ପରି । ଏଠି ପିଲାଚୋରି ର ପ୍ରଶ୍ନ ବି ଉଠୁନି ,। ସେ ଯେତେ ଆଗକୁ ବଢ଼ୁଥାନ୍ତି ମୋ ଦେହଟା ସେତେ ଶିହରିତ ହେଉଥାଏ । ଜଣ ଜଣ କରି ଦେଖୁଥାନ୍ତି ପିଲାମାନଙ୍କୁ ପୁଣି ଆଗକୁ । ମୋ ଦେହର ପ୍ରତିଟି ଲୋମ ରୋମାଞ୍ଚିତ ହେଉଥାଏ । ଅଟକି ଗଲେ ପିଲାଟି ପାଖରେ । ମୁଁ ମୋ ବସିବା ସ୍ଥାନରୁ ଉଠି ସାରିଥିଲି । ଦେଖୁଥାନ୍ତି ପିଲାଟିକୁ ନୀରବଛିନ୍ନ ଭାବେ । ମୋ ଦେହ ଥରିବାକୁ ଲାଗିଲାଣି । ପିଲାଟି ବି ତାଟକା ହୋଇ ଚାହିଁଥାଏ ସେଇ ନୂଆ ଆଗନ୍ତୁକ ଜଣକୁ । ଆଣ୍ଠୁ ମାଡ଼ି ବସିଗଲେ ପିଲାଟି ସାମ୍ନାରେ । ହାତ ବୁଲେଇ ଆଣିଲେ ମୁଣ୍ଡରେ ତାର । ପିଲାଟି ନୂଆ ଲୋକ ଜଣକୁ ଦେଖି ଶଙ୍କି ପଡ଼ିଥିଲା , ସାମାନ୍ୟ ଭୟାତୁର ହୋଇ ଯାଇଥିଲା । ମହିଳା ଜଣକ ଟାଣି ଆଣି କୁଣ୍ଢେଇ ପକେଇଲେ ତାକୁ । ସତେ ଯେମିତି ହୃଦୟ ସିନ୍ଧୁକର ଅନ୍ଧାର ଭିତରେ ନିବୁଜ କରିଦେବେ । ପିଲାଟି କୁନ୍ଥୁ କୁନ୍ଥୁ ହେଇ ପା ମା ପା ମା ହେଉଥାଏ । କାନ୍ଦ କାନ୍ଦ ମୁହଁ ତାର । ମୋ ଶିହରଣ ଚରମରେ । ସାମ୍ପ୍ରତିକ ସମୟରେ ଘଟୁଥିବା ଅପ୍ରୀତିକର ପରିସ୍ଥିତିର କଳ୍ପନା ମନରୁ ଲିଭି ସାରିଥିଲା । ଆଶ୍ୱସ୍ତ ଥିଲି ମୁଁ । ସେ ପିଲା ଆଉ କେହି ନୁହେଁ ମୋ ପୁଅ ରବି । ରବିକୁ ସେ ମହିଳା ଜଣକ ଆଲିଙ୍ଗନ କରିଥିଲେ । ମୁଁ ସେ ମହିଳାଙ୍କର ମୁହଁକୁ ଦେଖିନଥିଲି ହେଲେ ଏକ ଅନନ୍ୟା ସୁନ୍ଦରୀ ଲଲନାଙ୍କର ଛବିଟିଏ ଆଙ୍କି ହୋଇଯାଇଥିଲା ଆପେଆପେ । ଅତି ପରିଚିତା ସେ ମୋର । ତାଙ୍କ ପରିଚୟ ପାଇଁ ତାଙ୍କ ମୁହଁ ଦେଖିବାର ଆବଶ୍ୟକତା ନଥିଲା ମୋ ଲାଗି । 

ତାଙ୍କ କୋଳରୁ ପୁଅ ରବି ଆଖି ମିଟିମିଟି କରି ମୋତେ ଚାହିଁଥାଏ । ମୋ ଆଖିର ଆଶ୍ୱସ୍ତିକୁ ବେସ ବୁଝି ପାରୁଥିଲା ସେ ତାର କୋମଳ ବୟସରେ । ପିଲାଟିର ଆଖିର ସ୍ଥିରତାକୁ ମହିଳା ଜଣକ ଅନୁକରଣ କରି ମୋ ପର୍ଯ୍ୟନ୍ତ ପହଞ୍ଚିଗଲେ । ଏ ବର୍ଷ ଶ୍ରାବଣ ସିନା ଛକାପଞ୍ଝା କରୁଛି ହେଲେ ମୋର ସେ ଅତି ପରିଚିତା ମହିଳାଙ୍କ ଆଖିରେ ଶ୍ରାବଣ ତାର ଧାରା ଶ୍ରାବଣ ନାମକୁ ସାର୍ଥକ କରୁଥିଲା । କୃତ୍ରିମ ସିଞ୍ଚନରେ ବଗିଚାର ଘାସ ଗାଲିଚା ସିନା ସବୁଜ ଦିଶୁଥିଲା । ହେଲେ ଶ୍ରାବଣର ରୁକ୍ଷତା ଲାଗି ଡେଙ୍ଗାଡେଙ୍ଗା ଗଛର ପତ୍ରସବୁ ସବୁଜିମାକୁ ଝୁରି ହେଉଥିଲେ । ମହିଳାଙ୍କ ଆଖିର ଧାରା ଶ୍ରାବଣରେ ତାଙ୍କ ହୃଦୟର ଶୁଷ୍କ ତରୁ ମାନେ ତୁରନ୍ତ ସବୁଜ ବନାନୀ ରେ ପରିବର୍ତ୍ତିତ ହେଉଥିଲେ ମୋରି ଆଖି ସାମ୍ନାରେ । 

ମୁଁ ମୋର ପୁରୁଷପଣିଆକୁ ଜାବୁଡ଼ି ଧରିଥିଲି । ଆଖିରୁ ଟୋପେ ବି ଲୁହ ଝରିବାକୁ ଦେଉନଥିଲି । ହେଲେ ମନରେ ଝଡ଼ । ବିନା ଲୁହ ଝରେଇ କଇଁ କଇଁ ହେଉଥିଲି ମୁଁ । ଲୁହ ମୋର ଆଖିକୁ ଆସୁଥିଲେ ବି ସେମାନେ ତାଙ୍କ ନିଜସ୍ୱ ଚେଷ୍ଟାରେ ହୃଦୟକୁ ରାସ୍ତା ଖୋଜି ନେଉଥିଲେ । ସେଇଠି ଝରି ଯାଉଥିଲେ । ମହିଳାଙ୍କ ସହିତ ଆଖି ମିଶିଗଲା । ଅତି ନିଜର ଓ ଅତିପ୍ରିୟ ସେ ଆଖି ଦୁଇଟା ମୋର । ଇଙ୍ଗିତରେ ପଚାରିଦେଲେ 


ଏଇ ନା ? 


ମୁଣ୍ଡ ହଲେଇ ଦେଲି ହଁ ହଁ ସେଇ । 

ରବି ମୋର ବି ଭିଜିସାରିଲାଣି ବିରହିର ଆଖି ଶ୍ରାବଣରେ । କୋଳେଇ ଉଠି ପଡ଼ିଲେ । ଧିରେ ଧିରେ ମୋ ଆଡ଼କୁ ଆସୁଛନ୍ତି । ଏଇ ଦୃଶ୍ୟ ଦେଖିବାକୁ ଚାରି ବର୍ଷରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରିଛି ମୁଁ । ନିରନ୍ତରତା ସହିତ ଚାହିଁ ରହିଥାଏ । ପାଖରେ ପହଞ୍ଚିଗଲେ ମହିଳା ଜଣକ । ରବି ମୋର ତାଙ୍କ କୋଳରେ ଥାଇ ମୋ ପାଖକୁ ଆସିବ ବୋଲି ହାତ ବଢ଼େଇ ଦେଲା । ନା ନା ସେଇଠି ଥା । ମୁଁ ପରା ଏଇଠି ତୋ ପାଖରେ ଅଛି । ଅତି ନିକଟରୁ ମହିଳା ଜଣକ ମୋତେ ଦେଖିବାକୁ ଲାଗିଲେ । ମୁଁ ବି ତାଙ୍କର ସେ ଭିଜା ଆଖିରେ ନିଜର ସ୍ପଷ୍ଟ ପ୍ରତିବିମ୍ବିତ ରୂପକୁ ଦେଖୁଥିଲି । ହଜୁଥିଲି ସେ ଆଖିର ଗଭୀରତାରେ ପୁଣି ଖୋଜି ପାଉଥିଲି । କଥାବାର୍ତ୍ତା ଅନେକ ହେଉଥିଲା ହେଲେ ଶବ୍ଦ ନଥିଲା ସେ କଥାବାର୍ତାରେ । ଅବୋଧ ରବି ସେ ପରିସ୍ଥିତିର ଆକଳନ କରିପାରୁନଥିଲା । ହେଲେ ସେ କୋଳର ଉଷ୍ମତାରେ ସେ ବି ତଲ୍ଲୀନ ହେଉଥିଲା । 


ଚାଲ କଣ ଏଇଠି ଏମିତି !? ଏସବୁ ସେ ମହିଳାଜଣକ ବିନା ଶବ୍ଦରେ କହିପକେଇଲେ । 


ହଁ ହଁ ଆସ 


ମୁଁ ବି ବିନା ଶବ୍ଦରେ କହି ଆଗେ ଆଗେ ଚାଲିଲି । ସେ ମୋ ପଛେ ପଛେ । ପହଞ୍ଚିଗଲି ମୋ ବସାରେ । ରବି ଶୋଇଯାଇଥାଏ ତାଙ୍କ କାନ୍ଧରେ । ତାଙ୍କ ପାଖରୁ ନେଇ ଶୁଆଇ ଦେବାକୁ ଚେଷ୍ଟା କଲି । ନିଦରେ ବି ଜାବୁଡ଼ି ଧରିଥାଏ ତାଙ୍କ ପଣତକୁ । ପୁଣି କିଛି ନିଶବ୍ଦ ଶବ୍ଦ ଝଙ୍କୃତ ହେଲା କାନ ପାଖରେ । 


ରତିକାନ୍ତ ଥାଉ ସେ ମୋ କାନ୍ଧ ଉପରେ । 


ହଁ ହଁ ସେ ତୁମର ଥାଉ ତୁମ ପାଖରେ । 


ଏକଥା କହିବାକୁ ମୁଁ ବି କୌଣସି ଶବ୍ଦ ଉଚ୍ଚାରଣ କରିନଥିଲି । ଇଙ୍ଗିତରେ ବସିବାକୁ କହିଲି । ବସିଲେ । ଆଖି ତାଙ୍କର ରବି ଉପରୁ ହଟୁ ନଥାଏ । ତାଙ୍କ ଆଖିର ଲୁହକୁ ସେ ରବି ମୁହଁରୁ ପୋଛୁଥାନ୍ତି ଯାହା ଝରିଯାଉଥିଲା ରବି ଉପରେ । ମୁଁ ବି ଭାବୁଥିଲି ଜୋରରେ କାନ୍ଦିବାକୁ । ହେଲେ ସେଇ ପୁରୁଷ ପଣିଆ । ହୃଦୟ ଓଦା ସଡ଼ସଡ଼ ମୋର ହେଲେ ବାହାରକୁ ଶୁଷ୍କ ମରୁପ୍ରାୟ ଦୃଶ୍ୟମାନ । ସେ ନିଜେ ରବିକୁ ଶୁଆଇ ଦେଲେ । ଉଠି ଆସିଲେ ମୋ ପାଖକୁ । ମୋ ଛନ୍ଦା ହାତ ଦୁଇଟିକୁ ବିପରୀତ ଦିଗରେ ମେଲେଇ ଦେଇ ବସିଗଲେ କୋଳରେ ମୋର । ଝୁଲି ପଡ଼ିଲେ ନିଜ ହାତକୁ ଝୁଲଣା ର ରସି କରି । ମୁଁ ବି ବୋଧେ ସେଇ ସମୟକୁ ଅପେକ୍ଷା କରିଥିଲି । ଉପରର ମୋ ମନ ମରୁରେ ଏଥର ବୁନ୍ଦାବୁନ୍ଦି ଆରମ୍ଭ ହେଇଗଲା । ଏଥର ଶବ୍ଦ ମାନେ ଆସିବାକୁ ବ୍ୟଗ୍ର ହୋଇ ପଡ଼ିଲେ । 


ତମେ କାନ୍ଦି ଜାଣିଛ ? 


ମୁଁ କିନ୍ତୁ ଖୋଜୁଥାଏ ଶବ୍ଦ । ବର୍ଣ୍ଣ ମାନଙ୍କୁ ଯୋଡୁଥାଏ ଶବ୍ଦ କରିବା ପାଇଁ । ହେଲେ ଖାଲି ମୁଣ୍ଡ ହଲିଗଲା । ମେଲିଥିବା ହାତ ଦୁଇଟି ସ୍ୱତଃ କ୍ରିୟାଶୀଳ ହୋଇ ପଡ଼ିଲେ । ତୃପ୍ତତା ର ଆଲିଙ୍ଗନ ଟିଏ । ବାହ୍ୟ ମନର ଶୁଷ୍କ ମରୁରେ ଏଥର ବନ୍ୟା । ସେପଟେ ଶ୍ରାବଣ ତ ପୂର୍ବରୁ ଉପସ୍ଥିତ ଥିଲା । ମୁଁ ମୁଁ ନଥିଲି । ସେ ସେ ନଥିଲେ । ଦୁଇ ଅଙ୍ଗ ଏକ ଆତ୍ମା । ଉଭୟେ ବର୍ଷା ଆଉ ଉଭୟେ ଚାତକ । 


ଏମିତି ଦଣ୍ଡ ଦେଇ ଜାଣ ତୁମେ ? ଅନ୍ୟ କିଛି ରାସ୍ତା ପାଇଲନି ମୋତେ ବୁଝେଇବାକୁ ? ଦଶ ଦୋଷ କ୍ଷମା କରିବାର ପ୍ରତିଶ୍ରୁତି ଦେଇଥିଲ ପରା !? ମୁଁ କଣ ଅଧିକ କରିଦେଇଥିଲି କି ଦୋଷ ? ହେଇଥିବ ତୁମେ ଚୁପଚାପ ବିନା ପ୍ରତିବାଦରେ ସହିଯିବା ଲୋକ । ହେଲେ ସବୁ କିଛି ଜଳାଞ୍ଜଳି ଦେଇଦେଲ କେମିତି ? ମହାନ ତ ଥିଲ ମୋତେ ମହାନତା ବିଷୟରେ ଜଣେଇବା ପାଇଁ ଏମିତି କରିନ ତ ? 


ଏଥର ଶବ୍ଦ ଘନୀଭୂତ ହୋଇ ଚକଚକ ହେବାକୁ ପ୍ରସ୍ତୁତ ହେଉଥିଲେ ଘଡଘଡି ର ଶବ୍ଦ ସୃଷ୍ଟି କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ । ପ୍ରୀତି , ଏତିକିରେ ଧକେଇ କାନ୍ଦିବାକୁ ଲାଗିଲେ । 


ଆରେ କାନ୍ଦୁଛ କାହିଁକି ଏମିତି !? ସବୁ ପରା ତୁମର । ସେ ରବି ଆଉ ମୁଁ ଆମେ ଦୁହେଁ ତୁମର ଥିଲୁ ଆଉ ଏବେବି ଅଛୁ । ମୁଁ ତ ଜନ୍ମରୁ ଆଜିଯାଏ ଖାଲି ହରେଇ ଆସିଛି , ଆଉ ହରେଇବାର ସାହସ ନାହିଁ ମୋ ପାଖରେ ସେଥିପାଇଁ ଚାଲି ଆସିଲି ତୁମ ରବିକୁ ସାଙ୍ଗରେ ଧରି । ଜାଣିଛ ବାପା ମା କଣ ଜାଣିବା ପୂର୍ବରୁ ସେମାନେ ସବୁଦିନ ଲାଗି ଛାଡ଼ି ଚାଲିଗଲେ ମୋତେ । ସମ୍ପର୍କୀୟ ମାନଙ୍କ ପାଖରେ ବଢ଼ିଛି । ଅମାପ ସମ୍ପତ୍ତିର ଅଧିକାରୀ ମୁଁ ଜନ୍ମରୁ । 

ହେଲେ ସ୍ନେହ ପରଶ ପାଇନି । ଖାଲି ଶାସନ ହେଇଛି । ସମ୍ପର୍କୀୟ ମାନେ ପ୍ରତି ମୁହୂର୍ତ୍ତରେ ଶାସନ କରିଛନ୍ତି ମୋତେ । ହେଲେ ସେମାନଙ୍କ ଜନ୍ମିତ ପିଲା ମାନଙ୍କୁ ଶାସନ କଲାପରେ ଯେମିତି କୋଳାଗ୍ରତ କରନ୍ତି ସେସବୁକୁ ମୁଁ ସାରାଜୀବନ ଝୁରିଛି । ଭାଇ ଭଉଣୀ ସମ୍ପର୍କକୁ କେବଳ ଆଖିରେ ଦେଖିଛି ଅନୁଭବ କରିବା ଭାଗ୍ୟରେ ଜୁଟିନି ମୋର । ଝୁରେ ମୁଁ ସେ ସମ୍ପର୍କକୁ ବଞ୍ଚିବା ପାଇଁ । ଅଦୃଶ୍ୟରେ କେହିଜଣେ ସର୍ବଶକ୍ତିମାନ ଅଛନ୍ତି ଯେବେଠାରୁ ଶୁଣିଲି ଜାଣିଲି । ତାଙ୍କୁ ବାପା , ମା , ଭାଇ ଭଉଣୀ କରି ଡାକେ ମୋ ନିସଙ୍ଗତାର ସାଥି ହେବାପାଇଁ । ସମସ୍ତେ କଣ ପାଣ୍ଡବଙ୍କ ଭାଗ୍ୟ ନେଇ ଜନ୍ମ ହେଇଥାନ୍ତି !? ସେ ଆସିଲେନି ସେତେବେଳେ ଆଜିଯାଏ ବି ଆସି ନାହାଁନ୍ତି । 

ରାତିରେ ଖୋଲା ଅପଲକ ଆଖିରୁ ଲୁହ ଝରିଝରି ଭିଜିଯାଇଛି ମୋର ତକିଆ । ବୟସ ବଢ଼ିଲା କିଛି ଜାଣିଲି ସମାଜ ବିଷୟରେ । ନିଜ ଭାଗର ସମ୍ପତ୍ତି କୁ ରକ୍ଷଣାବେକ୍ଷଣ କରିବାର ସମୟ ଉପନୀତ ହେଲା ପରେ । ସମ୍ପର୍କୀୟ ମାନେ ଆପଣା ଛାଏଁ ଦୁରେଇ ଗଲେ । ସାମାନ୍ୟ କୋଳାହଳ ଥିଲା ମୋ ଜୀବନରେ ସେ ବି ଦୁଷ୍ପ୍ରାପ୍ୟ ହୋଇଗଲା । ସତେବେଳକୁ ମୁଁ ଭିତରୁ ଶକ୍ତ ହେଇସାରିଥିଲି । ପାଠ ପଢ଼ିବା ବ୍ୟତୀତ କୌଣସି ବାହ୍ୟ କର୍ମରେ ମନଦେଇନି । ଭଲ ଛାତ୍ର ହେଇଗଲି । ପାଠପଢ଼ା ପରେ ତୁମର ଶିଳ୍ପାନୁଷ୍ଠାନରେ ଚାକିରୀ କଲି । ଏକଥା ନୁହେଁଯେ ପେଟ ପୋଷିବାକୁ । କେବଳ ଟିକେ କୋଳାହଳ ପାଇଁ । ଭେଟ ହେଲା ଦେବତା ପରି ମଣିଷଟିଏ ତୁମ ବାପାଙ୍କ ସହିତ । ଆମ ଅଜଣାତରେ ଗଢ଼ିଉଠିଥିଲା ବେନାମୀ ସମ୍ପର୍କଟିଏ । ନିଜର କର୍ମଠତା ଆଉ ସାଧୁତା ଲାଗି ସଫଳତାର ସୋପାନ ଚଢିଚାଲିଲି ।


 ପ୍ରୀତି ଏ ପ୍ରୀତି ମନେଅଛି ଆମର ପ୍ରଥମ ଦେଖା ?


ବାର୍ଷିକୋତ୍ସବରେ ଆମର ସେ ପ୍ରଥମ ଦେଖା । ସମୟ ଯେମିତି ଅଟକି ଯାଇଥିଲା ମୋ ଲାଗି । ସବୁକିଛି କହିଦେବାକୁ ଚାହୁଁଥିଲି । ସବୁଠୁ ହତାଦର ହୋଇଥିବା ମଣିଷ ଆଉ ଗୋଟେଥର ତୁଚ୍ଛା ଟାରେ ନିଜକୁ କଷ୍ଟ ଦେବାକୁ ଚାହିଁଲିନି । ସେଦିନ ତମେ ଚାଲିଗଲ । ଲୁଚିଲୁଚି ମୁଁ ଖାଲି ତୁମକୁ ଦେଖୁଥାଏ । ସ୍ୱପ୍ନର ମୋ ମହଲରେ ନିଜକୁ ରାଜା ସଜେଇ ଅନ୍ତପୁରରେ ତୁମକୁ ଏକାଙ୍ଗୀ ପ୍ରିୟା ସଜେଇ ଦେଲି । ସ୍ୱପ୍ନ ରହିତ ମୋ ମନଟା ଆଖି ଖୋଲିଖୋଲି ସ୍ୱପ୍ନ ଦେଖିବା ଆରମ୍ଭ କଲା । ମନର ଅମବାସ୍ୟାରେ ତୁମକୁ ଚନ୍ଦ୍ରମା କରି ଭିଜିଲି ସେ ଶୀତଳ ଜ୍ୟୋତ୍ସ୍ନାରେ । 

କେତେଥର ତୁମ ବାପାଙ୍କ ସହିତ ତୁମ ଘରକୁ ଯାଇଛି । କାମ ତ ପଛ , କେମିତି ତୁମକୁ ଦେଖିବି । ଥରୁଟିଏ ମାତ୍ର ଦେଖେ ବାସ । ସେଇଠୁ ସ୍ୱପ୍ନ ବୁଣିବା ଆରମ୍ଭ କରେ ପୁଣି ଆଗାମୀ ଦେଖା ପର୍ଯ୍ୟନ୍ତ ।


ଦିନେ ମୋତେ ଆଶ୍ଚର୍ଯ୍ୟ କରି ବାପା ତୁମର କହିଥିଲେ । ରତିକାନ୍ତ ତୁମେ ପ୍ରୀତିକୁ ବାହା ହବ !? ଅଦୃଶ୍ୟ ଶକ୍ତିଙ୍କୁ ପ୍ରଥମ କରି ଧନ୍ୟବାଦ ଜଣାଇଥିଲି । ମନପକ୍ଷୀ ଉଡିଉଡ଼ି ଯାଉଥାଏ ଦୂର ଦିଗବଳୟକୁ ସୁଖ ସାଉଁଟିବାକୁ । 


ରୁହ ରତିକାନ୍ତ ରୁହ । ଜାଣିଛ ମୁଁ ସେଇ ପ୍ରଥମ ଦେଖାରେ ତୁମର ହେଇସାରିଥିଲି । ମୋ ଅନ୍ତପୁରରେ କେବଳ ତୁମକୁ ଉପସ୍ଥିତ କରାଉଥିଲି କୁଆଁରୀ ବୟସରେ । ତମକୁ ଅନୁମତି ଦେଉଥିଲି ମୋର କୁମାରିତ୍ୱକୁ ଭୋଗ କରିବାକୁ । ସେସବୁ ସ୍ୱପ୍ନରେ । 

ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବାକୁ ମୁଁ ଦିଅଁ ଦେବତାଙ୍କୁ ମାନସିକ ମନାସି ଚାଲିଥିଲି । ଜାଣିଛ ଯେଉଁଦିନ ବାପା ଆସି ବୋଉଙ୍କୁ କହିଲେ ,,, 


ପ୍ରୀତିକୁ ପଚାରି କୁହ ରତିକାନ୍ତ ସହିତ ବାହାଘର ହେଲେ ତାର କିଛି ଅଭିଯୋଗ ନାହିଁତ ? ରତିକାନ୍ତ କହୁଥିଲେ ପ୍ରୀତିଙ୍କ ସମ୍ମତି ନିହାତି ଆବଶ୍ୟକ । ବୋଉ କହିବା ପୂର୍ବରୁ ଦିଅଁଙ୍କ ନିକଟରେ କୃତଜ୍ଞତା ଜଣେଇଲି । 

ଟିକେ ରୁହ ପ୍ରୀତି ତମ ବାପା ଆଉ ଗୋଟିଏ କଥା କହିଥିଲେ । ରତିକାନ୍ତ ତମେତ ଜାଣିଛ ମୋର ଚାରିଝିଅ । ତିନିଜଣଙ୍କୁ ବାହା ଦେଇଛି ଏଇ ପ୍ରୀତି ଯାହା । କଥା କଣ କି !? ତୁମେ ଯଦି ,, ନାଇଁ ତୁମ ଇଚ୍ଛାରେ । 


କଥାକଣ କୁହନ୍ତୁତ !?


 ମୁଁ କଣ କହୁଥିଲିକି ତୁମେ ଯଦି ବିବାହ ପରେ ଆମଘରେ ରୁହନ୍ତ । ମୁଁ ମାନୁଛି ତୁମେ ଧନଦଉଲତରେ ପ୍ରାୟ ଆମ ସମକକ୍ଷ ,, ଯଦି ଏଇଠି ରୁହନ୍ତ । 

ଖୁସିରେ ନାଚି ଉଠୁଥାଏ ମନମୋର । ପରିବାର ଟିଏ ମିଳିଗଲା ମୋତେ । ପୁଣି ସେଇ ଅଦୃଶ୍ୟ ଶକ୍ତିଙ୍କୁ ଧନ୍ୟବାଦ ଜଣେଇଲି । ବାପାଙ୍କ ପାଦ ଧରି ପକେଇଥିଲି । ଆମ ବାହାଘର ହେଇଗଲା । 

ଆଚ୍ଛା ରତିକାନ୍ତ ଆମ ପ୍ରଣୟର ସେ ପ୍ରଥମ ରାତି ମନେ ପକାଅ ତ ଟିକେ । ତମେ ଚୁପଚାପ ଚାହିଁ ରହିଥାଅ ମୋତେ । ତମ ଆଖିର ଅପଲକତା ଅସହ୍ୟ କରୁଥିଲା ମୋତେ । ମୁଁ ଆଗ ଅଲାଜୁକୀ ହେଇ ତୁମ ହାତ ଆଣି ଚୁମି ଦେଇଥିଲି । ତୁମ ଛୁଆଁକୁ ଅନୁଭବ କରିଥିଲି ମୋ ଗାଲରେ ତୁମ ହାତକୁ ଜଡେଇ । 


ତାପରେ !? 


ଚୁପକର ଅଲାଜୁକ !? 


ହଁ ପ୍ରୀତି ଆମେ ଉଭୟଙ୍କ ଭିତରେ ଆପେ ହଜି ପୁଣି ଖୋଜି ପାଉଥିଲୁ ନିଜକୁ । ଏଭିତରେ ଆମ ପ୍ରଥମ ସନ୍ତାନ ଝିଅ ପଙ୍କଜା । 


ପ୍ରୀତି କେମିତି ଅଛି ମୋ ଚାନ୍ଦ !? ସେ କଣ ଖୋଜୁନି ମୋତେ ?


 ବର୍ତ୍ତମାନ ପଚାରନି । ମୋତେ ଅତୀତରେ ରହିବାକୁ ଦିଅ । 


ଜାଣିଛ ଆମର ବଡ଼ପୁଅ ପବିତ୍ର ଜନ୍ମହେଲା । ମୁଁ ବଦଳିଯାଇଥିଲି ନା ରତିବାବୁ !? 


ପୁଣି ରତିବାବୁ ଡାକିଲ ? କାନରେ ମଧୁରତା ପୁରିଗଲା । 

ନିଜର ସୌନ୍ଦର୍ଯ୍ୟ ମୋ ପାଇଁ ସର୍ବୋପରି ହୋଇଯାଇଥିଲା । ପ୍ରଥମ ଚାରି ବର୍ଷ ଭିତରେ ଦୁଇ ଦୁଇଟି ପିଲା ମୋଭଳି ଜଣେ ଅତ୍ୟାଧୁନିକ ପିଲା ସହଜରେ ଗ୍ରହଣ କରିପାରିନଥିଲି । ତୁମକୁ ନାନା କଥା କହିବା ଆରମ୍ଭ କଲି । ପଵିତ୍ରକୁ ସ୍ତନ୍ୟପାନ କରେଇଲିନି କାଳେ ନିଜର ସୌନ୍ଦର୍ୟ୍ଯ ନଷ୍ଟ ହେଇଯିବ ବୋଲି । ଆଜିକାଳିର ଏ ମହଙ୍ଗା ସମୟରେ ଦୁଇଦୁଇଟି ପିଲାଙ୍କ ଯତ୍ନନେବା ସେମାନଙ୍କୁ ଉଚିତ ଶିକ୍ଷା ଦୀକ୍ଷା କରେଇବା କଣ କମ କଥାକି ? ମାସ ତିନିଟାରେ ପଵିତ୍ରକୁ କ୍ଷୀର ଖୁଆଇବା ବନ୍ଦ କରିଦେଲି । 


ପ୍ରୀତି ଏକଥା ବି କରିଥିଲ !? 


ହଁ ରତିକାନ୍ତ । ଛୁଆ ଜନ୍ମକରି ବି ମୁଁ ମା ହେଇ ପାରିନଥିଲି । ଆଇନାରେ ନିଜର ପରିବର୍ତ୍ତିତ ରୂପକୁ ଦେଖୁଥିଲି । ପେଟର ଷ୍ଟ୍ରେଚ ମାର୍କ ଦେଖି ପାଗଳୀ ହେଇଉଠୁଥିଲି ମୁଁ । ଓହଳି ଯାଉଥିବା ତଳିପେଟ ଦେଖି ବ୍ୟଥିତ ହେଉଥିଲି ମୁଁ । ଜାଣିଛ ରତିବାବୁ ମୁଁ ତୁମ ଆଖିରେ ମୋର ସୁନ୍ଦରତା ଦେଖୁନଥିଲି । ନିଜକୁ ନିଜେ ଦେଖିବାର ବ୍ୟର୍ଥ ପ୍ରୟାସ କରୁଥିଲି । 

ସୁନ୍ଦରତାର ପରିମାପ ଆଜିଯାଏ ସ୍ପଷ୍ଟ ହୋଇ ପାରିଲାନି । ଜଣଙ୍କର ମାନବୀୟ ରୂପ ସୌନ୍ଦର୍ଯ୍ୟ ନିର୍ଦିଷ୍ଟ କିଛି ଜଣକ ପାଇଁ ଭିନ୍ନଭିନ୍ନ ପ୍ରକାରର ଉଦ୍ଦିଷ୍ଟ ଥାଏ । ବାପା , ମା , ଭାଇ , ଭଉଣୀ , ପ୍ରେମିକ , ସ୍ୱାମୀ ସମସ୍ତଙ୍କ ଆଖିରେ ସୁନ୍ଦରତାରେ କୌଣସି ବ୍ୟତିକ୍ରମ ନାହିଁ ହେଲେ ସୁନ୍ଦରତାର ଉପସ୍ଥିତି ଭିନ୍ନ । ଶେଷରେ ନିଜ ଜନ୍ମିତ ପିଲାମାନଙ୍କ ଆଖିରେ ନିଜର ସୁନ୍ଦରତାକୁ ମୁଁ କେବେ ଦେଖିବାକୁ ଚେଷ୍ଟା କରିନଥିଲି । ତୁମକୁ ମୁଁ ଜାଣିଶୁଣି ମାନସିକ ଯନ୍ତ୍ରଣା ଦେଇ ଚାଲିଥାଏ ଆମର ଦ୍ଵିତୀୟ ସନ୍ତାନ ପବିତ୍ରର ଜନ୍ମ ପରେ । 

ତୁମେ ସବୁ ସହିଯାଇ କୋଳେଇ ନିଅ ମୋତେ । ମୋ ମନରେ ଦୂରତା ବଢ଼ିଥିଲା । ତୁମେ ଶତ୍ରୁ ଲାଗୁଥିଲ । ବିଦ୍ରୋହୀ ହୋଇଥିଲି ମୁଁ । ତଥାପି ଆମ ଶୋଇବା ଘର ବାହାରକୁ ତୁମେ କେବେବି ଏସବୁର ସୂଚନା ଦେଇ ନଥିଲ । ନାମକରା ବାପାଙ୍କର ଅଲିଅଳୀ ସାନଝିଅ ମୁଁ । ତୁମେ ସବୁ ସହି ନେଉଥାଅ । ଆଉ ମୋର ବ୍ୟବହାର ତୁମ ପ୍ରତି ଉଗ୍ର ହେଉଥାଏ । 


ହେଲେ ପ୍ରୀତି ତୁମକୁ କୋଳରେ ନଧରିଲେ ମୋତେ ନିଦ ଆସେନି ପରା । 


ହଁ ରତିବାବୁ ତୁମ କୋଳର ଆତ୍ମୀୟତାକୁ ମୁଁ ମୋର ଶାରୀରିକ ସୁନ୍ଦରତା ନିକଟରେ ନ୍ୟୁନ କରିଦେଇଥିଲି । ପବିତ୍ର ଜନ୍ମର ମାତ୍ର ବର୍ଷଟେ ପରେ ମୁଁ ପୁଣି ଥରେ ଗର୍ଭବତୀ ହୋଇଥିଲି । ଅସହ୍ୟ ଲାଗିଥିଲା ମୋତେ ସେ ଖବର । ମୋ ସୌନ୍ଦର୍ଯ୍ୟର ପରମଶତ୍ରୁ ମୋ ଆଗରେ ପୁନଃ ଦଣ୍ଡାୟମାନ ହୋଇଥିଲା । କୋଠରୀ ଭିତରର ବଚସା ଘରଟା ସାରା ବ୍ୟାପି ଯାଇଥିଲା । ଗର୍ଭପାତ କରେଇବାକୁ ଜିଦି ଧରିଥିଲି । ତୁମେ ମୋର ପାଦ ଧରିଦେଇଥିଲ । ପ୍ରୀତି ବରଂ ମୁଁ ତୁମକୁ ଆଗକୁ ସ୍ପର୍ଶ କରିବିନି କେବେ ହେଲେ ଆସିବାକୁ ଦିଅ ସେ କଢ଼ିକୁ । ଆଲୋକର ଦର୍ଶନ କରାଅସେ ନିଷ୍ପାପକୁ । ତୁମେ ପରା ମା । ବାପା ମା ବି ଶୁଣିଥିଲେ ଆମ ଭିତରର ଏ ଘଟଣାକୁ । ବୋଉ ବି ବୁଝେଇଥିଲା ମୋତେ ଗର୍ଭପାତ ଏକ ଜଘନ୍ୟ ଅପରାଧ । ସେ ବି ନରହତ୍ୟା । ମନ ନଥାଇ କେବଳ ସମୟର ଚାଲିଯିବାକୁ ଅପେକ୍ଷା କଲି । ଠିକ ସମୟରେ ଏଇ ରବି ଜନ୍ମ ନେଲା । ପିଲାର ମୁହଁ ଦେଖିଲେ ମା ତାର ସମସ୍ତ ଯନ୍ତ୍ରଣା ଭୁଲିଯାଏ । ହେଲେ ମୁଁ ଆଖିଟେକି ଚାହିଁନଥିଲି ରବିକୁ । ଆରମ୍ଭ ହେଇଗଲା ମୋର ବିପରୀତ କର୍ମମାନ । 

ରବିକୁ ସ୍ତନ୍ୟପାନ ରୁ ବଞ୍ଚିତ କରିଦେଲି । ସମ୍ପୂର୍ଣ୍ଣ ଅଣଦେଖା । ସେ ଅନାବଶ୍ୟକ ଲାଗୁଥିଲା ମୋ ପାଇଁ । ରାତିରାତି ଚିରା ଛାଡ଼ି କାନ୍ଦେ ନିଜ ମା ର କୋଳକୁ ଝୁରିଝୁରି , ହେଲେ ମୁଁ ପଥର ପାଲଟି ଯାଇଥିଲି । ଶୋଇ ରହିବାର ଅଭିନୟ କରେ । ତୁମେ ରବିକୁ କୋଳରେ ଧରି ରାତିରାତି ଅନିଦ୍ରାରେ କଟେଇ ଦେଇଛ । ସେଦିନ ହଠାତ , ପ୍ରୀତି ପ୍ରୀତି ଉଠ ଦେଖଦେଖ ଆମ ରବି କେମିତି ଆଖି ମିଟିକା କରିଦେଇଛି । ତାକୁ କ୍ଷୀର ଖୁଆଅ ଟିକେ । 


ମୋ ଭିତରେ ମମତା ମରିସାରିଥିଲା । ସେଦିନ ମୁଁ ମୋର ସ୍ତ୍ରୀତ୍ବକୁ ମାରିଦେଇଥିଲି । ତୁମ ଡାକିବାରେ ଉଠିପଡ଼ି ତୁମ ଉପରକୁ ତକିଆ ଫିଙ୍ଗିଥିଲି । କେମିତି ଗୋଟେ ଅଲଗା ଭାବ ଖେଳିଯାଇଥିଲା ତୁମ ମୁହଁରେ । ଆଶ୍ଚର୍ଯ୍ୟରେ ଚାହିଁଲ । 

ହେଲେ କୌଣସି ପ୍ରତିକ୍ରିୟା ନଦେଇ ତୁମେ ରବିକୁ ଧରି ଦଉଡ଼ି ଥିଲ ବୋଉ ପାଖକୁ । ଯାହା ହଉ ରବି ସେସ୍ତ ହୋଇଥିଲା । ବୋଉ ଶୋଇଗଲା ହେଲେ ତମେ ଆଉ ସେ କୋଠରୀକୁ ଫେରିନଥିଲ । ନିଜର ପିନ୍ଧା ପୋଷାକ ନେବାକୁ ବି ଫେରି ନଥିଲ । କାହିଁକି ରତିକାନ୍ତ କାହିଁକି ? 


ପ୍ରୀତି ତୁମକୁ ବାହାହେଇ ତୁମଘରେ ରହିବା ପରେ ସମାଜ ମୋତେ ଘରଜ୍ବାଇଁ କହିବା ଆରମ୍ଭ କଲା । କିନ୍ତୁ ନିସଙ୍ଗତାରେ ବିତିଥିବା ମୋର ଏଇ ଜୀବନରେ ଭାବନାତ୍ମକ ବୀଜ ଅଙ୍କୁରୋଦ୍ଗମ ହୋଇ ଶାଖାପ୍ରଶାଖା ମେଲେଇବା ଆରମ୍ଭ କଲା । ବାପା ମା ବଡ଼ ଭଉଣୀ ମାନେ । ସମସ୍ତେ ମିଶି ସ୍ନେହ , ମମତା ଆଶିଷ ରେ ଅଭିଷିକ୍ତ କଲେ ମୋତେ । ତୁମର ଭିଣୋଇ ମାନେ ଅତି ଉଚ୍ଚବିଚାର ସମ୍ପନ୍ନ । ସହଜରେ ନିଜର କରି ଭାଇ ର ସମ୍ପର୍କକୁ ବୁଝିବାର ସୁଯୋଗ ଦେଇଥିଲେ ମୋତେ । ବାପା ତ ଘରୁ ବାହାର ପର୍ଯ୍ୟନ୍ତ ତାଙ୍କର ସବୁ ଦାୟିତ୍ୱ ମୋ ଉପରେ ଦେଇ ଦେଇଥିଲେ । ଅଫିସରୁ ଫେରିଲା ପରେ ତୁମେ ମୋ ପାଖରେ ପହଞ୍ଚିଲା ପୂର୍ବରୁ ମା ନିଜ ବିଶାଳ ପଣତକୁ ମେଲେଇ ଦିଅନ୍ତି ମୋ ଲାଗି । ଆଖି ଭିଜିଯାଏ ଏସବୁରେ । ନିସ୍ବ ମଣିଷଟିଏ ଏତେ ଅଧିକ ପାଇଲା ପରେ ବିଭୋର ଅଧିର ହୋଇପଡ଼େ । 

ତାପରେ ପଙ୍କଜା , ପବିତ୍ରଙ୍କ ଜନ୍ମ । ତୁମର ଅଣଦେଖାକୁ ମୁଁ ବି କେବେ ଦେଖେନି । ତୁମ ବାଦେ ମୋତେ ନିସର୍ତ ଭାବେ ଭଲ ପାଉଥିବା ଅନେକ ଥିଲେ ଆହୁରି । ହେଲେ ସେଦିନ ରାତିରେ ରବିର ଅସୁସ୍ଥତା ଜାଣିଲା ପରେ ତୁମର ବ୍ୟବହାରରେ ଭାଙ୍ଗି ପଡ଼ିଥିଲି ମୁଁ । ମୁଁ ଆଉଗୋଟିଏ ରତିକାନ୍ତ କୁ ଦେଖୁଥିଲି । ଅବହେଳିତ , ଶାସିତ ଓ ସ୍ନେହ ମମତାରୁ ବଞ୍ଚିତ ରତିକାନ୍ତ କୁ । ଥରିଗଲି ଭିତରୁ । ସେ ରତିକାନ୍ତର ନିଜର କେହି ନଥିଲେ ହେଲେ ରବିର ବାପା ତ ଅଛନ୍ତି । ଚାଲି ଆସିଲି ଆଗପଛ ବିଚାର ନକରି । ଭାଇ ଭଉଣୀଙ୍କ ଚପଳତା ଆଉ ବାଚଳାମୀକୁ ଝୁରିଥିବା ଏ ରତିକାନ୍ତ ରବିକୁ ଏକା କରିଦେଲା ହେଲେ ନିଜେ ସବୁ ସମ୍ପର୍କ ହେଇଗଲା । 

ଜାଣିଛ ପ୍ରୀତି ଆଜିକାଲିର ଏ ଛୋଟ ପରିବାର ସୁଖି ପରିବାର ନାଁ ରେ କୋମଳ ମତି ପିଲାଟି କେମିତି ସାରାଜୀବନ ଦୁଃଖି ହେଇଯାଉଛି !? ନିର୍ଦିଷ୍ଟ ବୟସ ସୀମା ପର୍ଯ୍ୟନ୍ତ ସେ ବାପା ମା ଙ୍କୁ ସବୁକିଛି କହିପାରିଥାଏ , ହେଲେ ସାମାନ୍ୟ ବଡ଼ହେଲା ପରେ ସେମାନେ ଭାବନାତ୍ମକ ଭାବେ , ବୈଚାରିକ ଭାବେ ଦୁରେଇ ଯାଆନ୍ତି ବାପା ମା ଙ୍କ ନିକଟରୁ । 


ଆଚ୍ଛା କହିଲ ପ୍ରୀତି ତୁମେବିତ ଆଧୁନିକା ଉଚ୍ଚଶିକ୍ଷିତା , ତୁମେ ତୁମ ବଡ଼ଭଉଣୀ ମାନଙ୍କ ସହିତ ଯେମିତି ଭାବନାତ୍ମକ ଆଦାନପ୍ରଦାନ କରିପାରୁଛ ସେମିତି ତୁମ ବାପା ମା ଙ୍କ ଆଗରେ ନିଜ ମନକୁ ଖୋଲିପାରିବ ? 

ଆମେ ଯେଉଁ ପିଲାର ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ଏକ ସନ୍ତାନ ନୀତି ଆପଣେଉଛେ ସତରେ କଣ ପିଲାର ଭବିଷ୍ୟତ ଆମେ ସୁରକ୍ଷିତ କରିପାରୁଛେ !? ନିର୍ଜୀବ କଣ୍ଢେଇ ସହିତ ଯାହାଙ୍କର ପିଲାଦିନ ବିତିଛି ସେମାନଙ୍କର ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେଉନିକି ? ଆଜିକାଲି ତ ସରକାରୀ ବେସରକାରୀ ସବୁ ସଂସ୍ଥାରେ ମାତୃତ୍ୱ ଲାଭ କରିବାର ଅବକାଶ ମିଳୁଛି । ପିଲା ଜନ୍ମ କରିବାର ମେସିନ ନୁହଁନ୍ତି ନାରୀ । ସେମାନଙ୍କର ବି ନିଜ ଜୀବନ ବଞ୍ଚିବାର ସମ୍ପୂର୍ଣ୍ଣ ସ୍ୱାଧୀନ ଅଧିକାର ଅଛି । ହେଲେ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବାର ବାହନାଦେଇ ନିଜର ସୁନ୍ଦରତାର ବାହାନା ଦେଇ ଏକ ପିଲାର ନୀତିରେ ଆମେ ପିଲାର ଭବିଷ୍ୟତକୁ ହିଁ ଅନ୍ଧକାରକୁ ଠେଲି ଦେଉନେ କି ? 

ଆମେ ତ ଏକ ପିଲାର ନୀତି ଆପଣେଉଛେ ହେଲେ ନିଜେ ନିଜର ଚାରିପାଞ୍ଚ ଭାଇଭଉଣୀଙ୍କ ପ୍ରତି ଏତେ ସମ୍ବେଦନଶୀଳ କାହିଁକି ହେଇ ପଡ଼ୁଛେ । ତୁମର ବାପା ଜଣେ ବ୍ୟସ୍ତ ମଣିଷ ତଥାପି କୁହ ତୁମ ମାନଙ୍କ ଲାଳନପାଳନରେ କୌଣସି ଅବହେଳା କରିଛନ୍ତି ? ତୁମ ମା ବି ଉଚ୍ଚଶିକ୍ଷିତା କେବେ ତୁମ ମାନଙ୍କର କାନ୍ଦଣାକୁ ସେ ଅଣଦେଖା କରିଛନ୍ତି !? ଚାରି ଚାରି ପିଲାଙ୍କୁ ଜନ୍ମଦେଇ ସେମାନଙ୍କ ଯତ୍ନନେଇବି ତାଙ୍କ ସୁନ୍ଦରତା ମଳିନ ପଡ଼ିନି । 

ଜାଣିଛ ପ୍ରୀତି ମଣିଷ ଜୀବନରେ ପ୍ରତିଟି ସମ୍ପର୍କର ମହତ୍ତ୍ୱ ଭିନ୍ନ । ସାମାନ୍ୟ ଆଖି ଫିଟିବା ଆରମ୍ଭହେଲେ ପିଲାମାନେ ଭାଇଭଉଣୀଙ୍କ ପ୍ରତି ନିର୍ଭରଶୀଳ ହୋଇପଡ଼ନ୍ତି ଦୈନନ୍ଦିନ ଜୀବନର ଆବଶ୍ୟକତାରେ । ତୁମେ କୁହ ପ୍ରୀତି ତୁମ ଭଉଣୀମାନଙ୍କ ଭିତରେ କେତେ ଆପଣାପଣ , ସମ୍ପର୍କ ପ୍ରତି କେତେ ସମର୍ପଣ । ମୁଁ ଏସବୁ କିଛି ପାଇନି । ସାରା ଜୀବନ ବଞ୍ଚିତ ମୁଁ ଏସବୁର ଅମୃତମୟ ଅନୁଭବରୁ । 


ରବିର ଗର୍ଭସ୍ଥ ହେବାରେ ତୁମେ ଦୁଃଖିଥିଲ ମୁଁ ବି ଅପ୍ରସ୍ତୁତ ଥିଲି । ଗର୍ଭପାତ କରାଇ ଗର୍ଭସ୍ଥକୁ ହତ୍ୟାକରିବାକୁ ମୁଁ ତୁମକୁ ସମର୍ଥନ କରିପାରିଲିନି । ଭାବିଥିଲି ନବଜାତକୁ ଦେଖିଲାପରେ ପରିବର୍ତ୍ତନ ହୋଇଯିବ ତୁମ ମନୋଭାବରେ ହେଲେ ତୁମେ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମକ ହୋଇପଡିଥିଲ । ତୁମର (ବ୍ୟବହାର ମୋତେ ବାଧ୍ୟ କରିଦେଇଥିଲା ରବିକୁ ସାଙ୍ଗରେ ଧରି ଘରୁ ବାହାରି ଆସିବାକୁ । ତାର ଜୀବନ ନିରାପଦ ଲାଗିନଥିଲା ମୋତେ । ହେଲେ ପ୍ରୀତି ତୁମପାଇଁ ତ କୌଣସି ପ୍ରତିବନ୍ଧକ ନଥିଲା ଏତେ ସମୟ ଲାଗିଗଲା ତୁମକୁ ଆସିବା ପାଇଁ ?।) ମାତୃତ୍ୱ କୁ ଜାଗ୍ରତ କରେଇବାକୁ ବହୁତ ଲମ୍ବା ସମୟ ନେଇଗଲ ପ୍ରୀତି ବହୁତ ଲମ୍ବା ସମୟ ନେଇଗଲ । 


ରତିବାବୁ ତୁମେ ଚାରିସପ୍ତାହ ର କଅଁଳ ଛୁଆଟିକୁ ସାଙ୍ଗରେ ନେଇଆସି ତାକୁ କଣ ମାତୃସ୍ନେହରୁ ବଞ୍ଚିତ କରିନ ? 


ରବି ଉଠିପଡ଼ିଲା ମାମା ମାମା ଡାକି । ପ୍ରୀତିଙ୍କୁ ରତିକାନ୍ତଙ୍କ କୋଳରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ପାଖକୁ ଯାଇ ପ୍ରୀତିଙ୍କ ହାତଧରି ରତିକାନ୍ତଙ୍କ କୋଳରୁ ଅଲଗା କରିଦେଲା । ମାମା ମାମା ଡାକି ରାତିକାନ୍ତଙ୍କ କୋଳରେ ବସିଯାଇ କଣେଇ ଚାହିଁଲା ପ୍ରୀତିଙ୍କୁ । ପ୍ରୀତି ରତିକାନ୍ତଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ପାଇସାରିଥିଲେ । 


ତମ ପାପା କାହାନ୍ତି ? ରବି ଉଦ୍ଦେଶ୍ୟରେ ଏକ ପ୍ରଶ୍ନ କରିଥିଲେ ପ୍ରୀତି । 

ରତିକାନ୍ତଙ୍କୁ ଚାହିଁ କୋମଳମତି ରବି ପାପା ଏ କିଏ !!? 

ନିଶବ୍ଦ ଘୋଟିଗଲା ସମ୍ପୂର୍ଣ ଘର ଭିତରେ । ପ୍ରୀତି ଉଭୟଙ୍କୁ କୋଳାଗ୍ରତ କରିନେଲେ । ରବିକୁ ପାଗଳୀଙ୍କ ପରି ଚୁମି ଯାଉଥାନ୍ତି ।


 କଣ ପ୍ରୀତି ମୁଁ ଏବେବି ବଞ୍ଚିତ ରହିବି !? 


ରତିକାନ୍ତଙ୍କ ଦୁଷ୍ଟାମୀ କଥାରେ ପ୍ରୀତି ତାଙ୍କ ଆଲିଙ୍ଗନକୁ ଆହୁରି ମଜଭୁତ କରିଦେଲେ । 


ବାଜି ଉଠିଲା ଘଣ୍ଟି । କବାଟ ଖୋଲିଦେଲେ ରତିକାନ୍ତ । ଆଗନ୍ତୁକ ମାନଙ୍କୁ ଦେଖି ବସିପଡ଼ିଲେ ସେଇଠି । ଭୁଲିଗଲେ ସେମାନଙ୍କୁ ପାଛୋଟି ଆଣିବାକୁ । ପଙ୍କଜା ପ୍ରୀତିଙ୍କ ନିକଟରୁ ଇଙ୍ଗିତ ପାଇ ରତିକାନ୍ତଙ୍କ କୋଳ ମଣ୍ଡନ କରିନେଲା । 

ଘର ଭିତରେ ତିନିଜଣ ପିଲାଙ୍କୁ ଧରି ପ୍ରୀତି ମାତୃତ୍ୱର ସୁଧା ବଣ୍ଟନ କରିଚାଲିଛନ୍ତି । ପ୍ରୀତିଙ୍କ ମା ନିଜ ପଣତରେ ରତିକାନ୍ତଙ୍କ ଆଖିରୁ ଖୁସିର ଲୁହ ପୋଛୁଥାନ୍ତି । 


କହିଉଠିଲେ ବୟୋଜ୍ୟେଷ୍ଠ ରାମନାଥ (ପ୍ରୀତିଙ୍କ ବାପା) ମା ରେ ପ୍ରୀତି ଗୋଟେ କଥା ଜାଣି ରଖିଥା । ସନ୍ତାନ ପ୍ରାପ୍ତି ସମ୍ପୂର୍ଣ୍ଣ ରୂପେ ଈଶ୍ୱରୀୟ କୃପା । କେହି ନିଜ ସାମର୍ଥ୍ୟରେ ସନ୍ତାନ ପ୍ରାପ୍ତ କରିପାରିବେ ନାହିଁ । ନଚେତ ଏ ସଂସାରରେ ଅଗଣିତ ମଣିଷ ସନ୍ତାନ ସୁଖରୁ ବଞ୍ଚିତ ନଥାନ୍ତେ । ପ୍ରତ୍ୟେକଟି ସମ୍ପର୍କକରେ ମାନବୀୟ ସୌନ୍ଦର୍ଯ୍ୟ ହିଁ ମୁଖ୍ୟ ଯୋଗକାରୀ । ଶାରୀରିକ ସୌନ୍ଦର୍ଯ୍ୟ ପ୍ରତି ଯତ୍ନବାନ ହେବା ଭଲକଥା କିନ୍ତୁ ତାହା ପ୍ରଦର୍ଶନୀ ବସ୍ତୁ ନହେଉ । ଶାରୀରିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷଣ କରେ କିନ୍ତୁ ସେଇ ସୌନ୍ଦର୍ଯ୍ୟ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷକୁ ଆକର୍ଷିତ କରାଯାଏ । 




Rate this content
Log in

Similar oriya story from Drama