Gangadhar Nanda

Romance Tragedy

4.1  

Gangadhar Nanda

Romance Tragedy

ରାଧା ଅପା

ରାଧା ଅପା

8 mins
365


    ଦାମ୍ପତ୍ତ୍ୟ ଜୀବନରେ ବେଳେ ବେଳେ ଝଡ ଆସେ । କିନ୍ତୁ ଦୀର୍ଘ କୋଡ଼ିଏ ବର୍ଷ ବୈବାହିକ ଜୀବନ କଟାଇ ସାରିବା ପରେ ସେଦିନ ମୋ ଜୀବନରେ ଆସିଲା ଝଡ ବଦଳରେ ଏକ ଛାତିଥରା ମହାବାତ୍ୟା । ସେ ମହାବାତ୍ୟା ସମ୍ମୁଖରେ ସଂପୂର୍ଣ୍ଣ ଅସହାୟ ଅବସ୍ଥାରେ ମୁଁ କୌଣସି ଥଳକୂଳ ପାଉନଥିଲି । ଏକ ସାଧାରଣ ସଉକ ମେଣ୍ଟାଇବାକୁ ଯାଇ ଏଭଳି ଏକ ଅସାଧାରଣ ପରିସ୍ଥିତିକୁ ସାମ୍ନା କରିବାକୁ ହେବ, ଏକଥା କେବେ ସ୍ଵପ୍ନରେ ମଧ୍ୟ କଳ୍ପନା କରିନଥିଲି । ଉପୋରକ୍ତ ଘଟଣାଟି ସଂପର୍କରେ ଜାଣିବାକୁ ହେଲେ, ଆମକୁ ସଂପୂର୍ଣ୍ଣ ଘଟଣାଟିର ପୃଷ୍ଠଭୂମି ଉପରକୁ ଯିବାକୁ ହେବ । ତା'ହେଲେ ଆସନ୍ତୁ ଜାଣିବା, କ'ଣ ଥିଲା ସେ ଘଟଣାଟି ।

      ସଂପୂର୍ଣ୍ଣ ଗ୍ରାମ୍ୟ ବାତାବରଣ ପୂର୍ଣ୍ଣ ଏକ ଛୋଟିଆ ସହରଟିରେ ମୋର ଜନ୍ମ ଓ ଲାଳନପାଳନ ହୋଇଥିଲା । ପିତାମାତାଙ୍କର ଏକମାତ୍ର ପୁତ୍ରସନ୍ତାନ ହେତୁ ମୋ ପିଲାଦିନଟି ଅତ୍ୟନ୍ତ ଗେଲବସରରେ କଟିଥିଲା । ଅତ୍ୟଧିକ ସ୍ନେହ ଶ୍ରଦ୍ଧା, ମୋର ଭଲ ପରିବର୍ତ୍ତେ ଖରାପ ଅଧିକ କରିଥିଲା; ଅର୍ଥାତ ମୁଁ ଥିଲି ଏକ ବିଶୁଦ୍ଧ ଚଣ୍ଡାଳ । ଅଧିକାଂଶ ସମୟ କୁସଙ୍ଗ ମେଳରେ କଟାଇ କୌଣସିମତେ ମେଟ୍ରିକ ଖଣ୍ଡକ ପାଶ୍ କଲି । ମୋ ନିଜର ଦୁର୍ଗୁଣ ସମୂହ, ମୋତେ ସମସ୍ତଙ୍କର ଅପ୍ରିୟ ହେବାଲାଗି ଢେର୍ ସାହାଯ୍ୟ କରିଥିଲା । ଗୁଡ଼ାଏ ଦିନ ବାତରା ଛତରା ହୋଇ ବୁଲିବା ପରେ ଦୁଇ ତିନୋଟି ବ୍ୟକ୍ତିଗତ ଉଦ୍ୟୋଗରେ ଚାକିରୀ କଲି । କିନ୍ତୁ ସର୍ବତ୍ର ମାଲିକମାନଙ୍କର କଟୁ ବ୍ୟବହାରରେ ଅତିଷ୍ଠ ହୋଇ କିଛି ଦିନ ଅନ୍ତେ ଚାକିରୀ ଛାଡୁଥିଲି । 

     ଅବଶେଷରେ ବାପାଙ୍କର ସଞ୍ଚିତ ପୁଞ୍ଜିକୁ ନେଇ ଛୋଟିଆ ଡାଲି ଚାଉଳ ଦୋକାନଟିଏ ଆରମ୍ଭ କଲି । ପର୍ଯ୍ୟାୟକ୍ରମେ ବିବାହ, ସନ୍ତାନ ଜନ୍ମ ଓ ପିତାମାତାଙ୍କ ମୃତ୍ୟୁ ଭଳି ବିଭିନ୍ନ ଘଟଣା ଉପରାନ୍ତେ ମୁଁ କିନ୍ତୁ ଥିଲି ଅପରିବର୍ତ୍ତନୀୟ । ଅର୍ଥାତ ଦୁଇଟି ସନ୍ତାନର ପିତା ହୋଇ ଦୀର୍ଘ ପନ୍ଦର ବର୍ଷର ବୈବାହିକ ଜୀବନ କଟାଇବା ପରେ ମଧ୍ୟ ମୋର ଦୁର୍ଗୁଣଗୁଡିକ ମୋତେ ମାଡି ବସି ଯଥାସାଧ୍ୟ ଜାବୁଡି ଧରିଥିଲେ । ମୁଁ ମଧ୍ୟ ସେଗୁଡିକ କବଳରୁ ନିଜକୁ ମୁକ୍ତ କରିବାଲାଗି କେବେ ବି ଚେଷ୍ଟା କରୁନଥାଏ । କାରଣ ସେମାନଙ୍କର ମୋ ଭିତରେ ଉପସ୍ଥିତି ଦ୍ୱାରା ମୋତେ ମିଳୁଥାଏ ଏକ ଭିନ୍ନ ପ୍ରକାରର ଆନନ୍ଦ । ଏଥିଲାଗି କେବେ କେବେ ପତ୍ନୀ ସୁମୀଙ୍କ ସହ ମାନ ମନାନ୍ତର ହେଉଥିଲେ ମଧ୍ୟ ମୁଁ ଯଥାସାଧ୍ୟ ଆଖି ଦେଖାଇ ଗାଲୁଆ ଉତ୍ତର ଦେଇ ତାଙ୍କୁ ଚାପି ଦେଉଥାଏ । ସୁମୀ ବିଚାରୀ ନିରବରେ ସେ ସବୁ ସହିଯାଇ ସଂସାର କାର୍ଯ୍ୟକୁ ଆଗକୁ ନେବାରେ ମନ ଦିଅନ୍ତି । 

    ମୋ ଦୋକାନଟି ଛୋଟିଆ ହୋଇଥିବା ସତ୍ତ୍ଵେ ଗୋଟିଏ ବଡ ସାର୍ବଜନିକ ସ୍ଥାନ ଭାବେ ପରିଚିତି ଲାଭ କରିସାରିଥିଲା । ଦୈନିକ ସବୁ ପ୍ରକାରର ଲୋକ ଏଠାରେ ଆଡ୍‌ଡ଼ା ଜମାନ୍ତି । ତେଣୁ ଆଖପାଖ ଅଞ୍ଚଳର ସମସ୍ତ ଖବର ମୋତେ ଖୁବ୍ ଶୀଘ୍ର ମିଳିଯାଉଥିଲା । ସେଦିନ ସନ୍ଧ୍ୟାବେଳେ ଗୋଟିଏ ବିଶେଷ ଖବର ଶୁଣିବାକୁ ପାଇଲି । ଖବରଟିର ଶୀର୍ଷକ ଥିଲା - ' ରାଧା ଅପା ବିଧବା ହୋଇ ଏଠାକୁ ( ବାପଘରକୁ ) ଫେରିଆସିଛନ୍ତି । ସେ କୁଆଡେ ସବୁ ଦିନ ପାଇଁ ଏଠାରେ ତାଙ୍କ ଭାଇ ଓ ଭାଇଙ୍କ ପରିବାର ସହିତ ରହିବେ । ତେବେ ସମାଚାରଟି ସାଧାରଣ ଲାଗୁଥିଲେ ମଧ୍ୟ ରାଧା ଅପାଙ୍କର କିଛି ଚାରିତ୍ରିକ ବିଶେଷତା ହେତୁ ଅଧିକ ଗୁରୁତ୍ଵ ବହନ କରୁଥିଲା । କଥାଟି ହେଲା ରାଧା ଅପା ଥିଲେ ଖୁବ୍‌ ସୁନ୍ଦରୀ । ବିବାହ କରିବାର ପ୍ରାୟ କୋଡ଼ିଏ ବର୍ଷ ବିତିଯାଇଥିଲେ ମଧ୍ୟ ଯୌବନ ତାଙ୍କୁ ଛାଡ଼ି ଚାଲିଯିବା ପାଇଁ ଅମଙ୍ଗ ହେଉଥିଲା । କୌଣସି ସନ୍ତାନ ସନ୍ତତି ନଥିବାରୁ ସ୍ୱାମୀଙ୍କ ମୃତ୍ୟୁପରେ ସେଠାର ଯତ୍ କିଞ୍ଚିତ ଭୂସମ୍ପତ୍ତି ଓ ବାସଗୃହ ଇତ୍ୟାଦି ବିକ୍ରି କରିଦେଇ ଏଠାରେ ରହିବା ପାଇଁ ଚାଲି ଆସିଛନ୍ତି । ରାଧା ଅପାଙ୍କର ସ୍ୱାମୀଙ୍କ ବିଷୟରେ ଆମକୁ ବିଶେଷ କିଛି ଜଣାନଥିଲେ ବି ଖାଲି ଏତିକି ଜାଣିଥିଲୁ, ସେ ଆତ୍ମହତ୍ୟା କରିଥିଲେ । 

    ପୂର୍ବରୁ ରାଧା ଅପା ଏଠାକୁ ଆସିଲେ ସମସ୍ତଙ୍କ ସହିତ ହସ ଓ ଥଟ୍ଟା ମଜ୍ଜାରେ କଥା ହୁଅନ୍ତି । କେହି କେବେ ଦ୍ଵିଅର୍ଥବୋଧକ କଥା କହିଦେଲେ କିମ୍ବା ଅଶ୍ଳୀଳ ଇଙ୍ଗିତ କଲେ, ସେ ହସିଦେଇ ସେଠାରୁ ଚାଲିଯା'ନ୍ତି । ଅତଏବ ଅନ୍ୟମାନଙ୍କ ସହିତ ତାଙ୍କର ଅନୈତିକ ସଂପର୍କ ଥିବାର ସିଦ୍ଧାନ୍ତରେ ଆମେ ନିଶ୍ଚିନ୍ତ ଥାଇ ଏ ସଂପର୍କୀୟ ବାର୍ତ୍ତାଳାପକୁ ଯଥାସମ୍ଭବ ବହୁତ ଆଗକୁ ନେଇ ଏକ କଦର୍ଯ୍ୟ ଆନନ୍ଦ ଅନୁଭବ କରୁଥିଲୁ । 

' ଜାଇଁଲୁ ରମୁ ଭାଇ ( ମୋ ଡାକ ନାମ ରମୁ ) ! ଗଲା କାଲି ରାଧା ଅପା ମୋତେ ତା' ଘରକୁ ଡାକୁଥିଲା । କ'ଣ କାମ ଥିଲା କେଜାଣି ? ମୁଁ ଟିକେ ଚିକ୍କଣ ନଥିଲି ବୋଲି ଗଲିନି । ହେଁ... ହେଁ... ହେଁ... ।' ତଳ ସାହି ଟାଉଟର ଗୋବରା ଏତକ କହିସାରି ପାନ ଚାକୁଳେଇବା ବନ୍ଦ କରି ଦାନ୍ତ ନିକୁଟି ହସିଲା । ଆଵଶ୍ୟକ ସ୍ଥଳେ ସେ ଯେ କେତେ ବଡ ନିଷ୍ଠୁର ପିଶାଚ ବନିଯାଇ ପାରିବ, ଏ କଥା ତା' ମୁଖମଣ୍ଡଳରୁ ସ୍ପଷ୍ଟ ପ୍ରତୀୟମାନ ହେଉଥାଏ ।

' ଆରେ ଗୋଵରା ! ତାଙ୍କର ଇଲେକ୍ଟ୍ରିକ ନଥିବାରୁ ଘର ଅନ୍ଧାର ଥିଲା । ସେଇଆ ଦେଖେଇବାକୁ ଡାକିଥିବ । ତୁ କଣ ପାଇଁ ତୁଚ୍ଛାଟାରେ କୁରୁଳି ହଉଚୁ ?' ନିଜ ଟଲି ସିଟକୁ ଗାମୁଛା ବାଡେଇ ସଫା କରିବା ଅବସରରେ ସନିଆ ମୁହଁରୁ ଥଟ୍ଟାଳିଆ ଆକ୍ଷେପ ଶୁଣାଗଲା ।

      ମୁଁ ଏସବୁ ଶୁଣି ମନେ ମନେ ରୋମାଞ୍ଚିତ ହେଉଥିଲି । ମନେ ମନେ ସେଭଳି ସୁଯୋଗଟିର ଅପେକ୍ଷାରେ ଥିଲାବେଳେ ସେଦିନ ସନ୍ଧ୍ୟାବେଳେ ରାଧା ଅପା ମୋ ଦୋକାନକୁ ଆସିଲେ । 

' ଭଲ ଅଛୁ ରମୁ ?' ସ୍ମିତ ହସି ରାଧା ଅପା ପଚାରିଲେ । 

' ହଁ ଭଲ ଅଛି ।' ଦୋକାନରେ ଅଯଥା ଗହଳି କରୁଥିବା କିଛି ଲୋକଙ୍କୁ ବିରକ୍ତ ଭାବରେ ଚାହିଁ ଉତ୍ତର ଦେଲି । ଅଳପେଇସିଆ ପଞ୍ଝାଏ କିଛି କାମ ନଥାଇ ଏଠାରେ ଖଟି ଜମେଇଥିବେ । ମଣିଷ ଟିକିଏ ଏକାନ୍ତ ଚାହୁଁଥିବା ବେଳେ ପାଇବ ନାହିଁ । ସଃ... I ରାଧାଅପା ସାଙ୍ଗେ କଥା ହେବା ପାଇଁ ମୁଁ ଟିକିଏ ନିରୋଳା ମୁହୂର୍ତ୍ତ ଚାହୁଁଥିଲି ।

 ' ପଚାଶ ଗ୍ରାମ ଚା ପତି, ଆଉ ଚିନି ଅଧାକେଜି ଦେଇଥା ।' ରାଧାଅପା ମୋ ହାତକୁ ପଇସା ବଢାଇ ଦେଇ କହିଲେ ।

' ହଁ ଅପା ଦଉଛି ।' କହିସାରି ଅନ୍ୟମନସ୍କ ଭାବେ ସଉଦା ଦେଲି । କେଡେ ସୁନ୍ଦର କମନୀୟ ହାତଟି ଚୁଡି ବିନା ହତଶ୍ରୀ ଦେଖାଯାଉଛି !

' ଅପା ! ଶଂଖା ଦୁଇପଟ ପିନ୍ଧୁନ; ଭଲ ଦେଖାଯିବ । ଏବେ ତ ପ୍ରାୟ ପିନ୍ଧୁଛନ୍ତି ।'

' ହଉ ହଉ; ତୋ ଭାରିଯା ପାଇଁ ଚୁଡି ଆଣିଲା ବେଳେ ମୋ ପାଇଁ ଶଙ୍ଖା ଦୁଇପଟ ନେଇ ଆସିବୁ, ହେଲା ! ବାୟା କୋଉଠିକାର ।' ହସି ଦେଇ ରାଧା ଅପା ସଉଦା ନେଇ ଚାଲିଗଲେ । ମୁଁ କିଛି ମୁହୂର୍ତ୍ତ ପାଇଁ ନିର୍ବାକ ହୋଇ ବସିରହିଲି,ଏଥିସହିତ ରୋମାଞ୍ଚିତ ମଧ୍ୟ ହେଲି ।

    ଅବଶେଷରେ ଆସିଲା ଏକ ସୁବର୍ଣ୍ଣ ସୁଯୋଗ । ବେଳ ପହରେ ହେବା ପର୍ଯ୍ୟନ୍ତ ମୁଁ ସେଦିନର ଉଦିତ ସୂର୍ଯ୍ୟଙ୍କ ପ୍ରତି କୃତଜ୍ଞ ଅନୁଭବ କରୁଥିଲି । ସଂକ୍ରାନ୍ତି ହେତୁ ସକାଳୁ ସକାଳୁ ଦୋକାନ ଖୋଲି ଝାଡ଼ୁ ମାରିସାରି ଧୂପ ଦେଉଥିଲି । ଏଭଳି ଦିନମାନଙ୍କରେ ପୂର୍ବ ଦିନ ଅପେକ୍ଷା ଅଧିକ ବିକ୍ରି ହୁଏ । 

' ଆରେ ରମୁ ! ନଡିଆ ବିକୁଛୁ କିରେ ? " ରାଧା ଅପା ପଚାରୁଥିଲେ । 

' ଏଠାରେ ସରିଯାଇଛି । ଘରେ କିନ୍ତୁ ଅଛି ।' ମୁଁ ଦୋକାନ ଭିତର ଟିକିଏ ଖୋଜି ସାରି କହିଲି । 

' ହଉ ତାହେଲେ । ସାଙ୍ଗ ହୋଇ ଯିବା । ତୋ ଘରୁ ନଡିଆ ନେଇ ମୁଁ ସେଇ ପାଖରେ ଘରକୁ ଫେରିଯିବି । ତୁ ଦୋକାନକୁ ଫେରି ଆସିବୁ । ଗୋଟାକ କେତେ ନଉଚୁ ? 'ଅପା ପଇସା ବଢାଉଥିଲେ । ମୁଁ ମୂଲ୍ୟ କହିସାରି ପଇସା ରଖି ଦୋକାନ ଚାବି ଦେଲି । 

'ଆଜି ସଂକ୍ରାନ୍ତି; ଖେଚୁଡ଼ି କରିବାଲାଗି ନଡିଆ ଦରକାର ଥିଲା । ଘରେ କିନ୍ତୁ ସରିଯାଇଛି । ଯା ହେଉ, ତୋ ପାଖରୁ ମିଳିଗଲା ।' ରାଧା ଅପା କହି କହି ମୋ ପଛରେ ବାଟ ଚାଲୁ ଥିଲେ । ଘର ଅଳ୍ପ ଦୂରରେ । ମୋର ହୃତସ୍ପନ୍ଦନ କିନ୍ତୁ ବହୁତ ବଢିଯାଇଥିଲା । ଘରେ ଏବେ କେହି ନଥିବେ । ସମସ୍ତେ ଶିବ ମନ୍ଦିର ଯାଇଥିବେ । ଅନୁମାନ ମଧ୍ୟ ସତ ହେଲା । ମୋ ପାଖରେ ଥିବା ଡବଲ ଚାବିରେ ତାଲା ଖୋଲି ଘରେ ପଶିଲି । 

' ଘରେ କେହି ନାହାନ୍ତି କିରେ ?' ମୋ ପଛେ ପଛେ ଘର ଭିତରକୁ ପଶୁ ପଶୁ ରାଧା ଅପା ପଚାରୁଥିଲେ । 

' ସମସ୍ତେ ମନ୍ଦିର ଯାଇଛନ୍ତି ।' ମୋର କମ୍ପିତ ସ୍ଵର ମୁଁ ସ୍ପଷ୍ଟ ଅନୁଭବ କରିପାରୁଥିଲି । 'ତୁମେ ଏଠାରେ ବସ, ମୁଁ ନଡିଆ ଦେଖେ ।' ଦାଣ୍ଡ ଘରେ ପଡିଥିବା ଚଉକିକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲି । ରାଧା ଅପା ଚୁପ ଚାପ ବସି ରହି ଘରର ବିଭିନ୍ନ ଦିଗକୁ ଦେଖୁଥିଲେ । 

' ଦ୍ଵାର ଖୋଲା ରହିଲେ କୁକୁର ପଶି ଆସିବେ ।' କହିବା ଅବସରରେ ଦାଣ୍ଡ ଦୁଆରଟିକୁ ଆଉଜେଇ ସାରି ଭିତରକୁ ଆସି ନଡ଼ିଆ ଖୋଜିଲି । 

' ଏଇତ ସୁଯୋଗ ! ଯଦି ଏବେ ନୁହେଁ ତେବେ କେବେ ନୁହେଁ ।' ମନେ ମନେ ଭାବୁଥିଲି । ସାହସ ସଞ୍ଚୟ କରି ରାଧା ଅପାଙ୍କ ନିକଟକୁ ଆସି ତାଙ୍କର ହାତ ଦୁଇଟିକୁ ଧରିଲି । 

' କଣ ହେଇଚି ରମୁ ? ତୋ ଦେହ ଭଲ ଅଛିଟି !'

' ହଁ ଅପା ! ଦେହ ଠିକ୍ ଅଛି । କିନ୍ତୁ ମନ ଭଲ ନାହିଁ ।' କେଉଁଠାରୁ କଥାଟି ଆରମ୍ଭ କରିବି ବୋଲି ଭାବିପାରୁ ନଥିଲି । ମୋର ଘର୍ମାକ୍ତ କଳେବରଟିରେ ଜ୍ଵରର ଉତ୍ତାପ ଅନୁଭବ କରୁଥିଲି ।

' କ'ଣ ହେଇଚି କହ ।' ମୋ ଦ୍ଵାରା ଯଦି କିଛି ହୋଇପାରିବ ତେବେ କରିବି ।'

' ହଁ ଅପା ! ତୁମ ଦ୍ଵାରା ହୋଇପାରିବ । ତୁମେ ଖାଲି ଚାହିଁଲେ ହେଲା ।' 

' କହ କ'ଣ କରିବି ?' ତାଙ୍କର ସ୍ଵର ଥିଲା ନିର୍ଲିପ୍ତ ଓ ଆପଣାର ।

' ତୁମ ରୂପରେ ମୁଁ ପାଗଳ । ବାକିସବୁ ତୁମେ ବୁଝିପାରୁଥିବ ।' କୌଣସିମତେ ଛେପଢୋକି ବାକ୍ୟଟିକୁ ସାରିଲି ।

' ହଠାତ୍ ବିଦ୍ୟୁତ ଝଟକା ଖାଇଲାଭଳି ମୋ ହାତଦୁଇଟିକୁ ଛାଟିଦେଇ ରାଧାଅପା ଛିଡା ହୋଇଗଲେ । ଚକ୍ଷୁ ଦୁଇଟି ରକ୍ତବର୍ଣ୍ଣ ଦେଖାଯାଉଥିଲା ।

' ମୁଁ ଭାବିଥିଲି ତୁ ଅନ୍ୟମାନଙ୍କଠାରୁ ଅଲଗା । ପିଲାଦିନୁ ତୁ ଚଗଲା ଥିଲୁ ମୁଁ ଜାଣିଛି । କିନ୍ତୁ ତୁ ଏତେ ତଳକୁ ଖସିଯିବୁ ବୋଲି ଜାଣିନଥିଲି । ହଉ ଛାଡ ! ମୋର ତ ପୋଡା ଭାଗ୍ୟ; କାହାକୁ କହିବି ? ମୋର ଆଉ ସେ ନଡ଼ିଆ ଦରକାର ନାହିଁ ।' ଶେଷ ଆଡକୁ ତାଙ୍କର ସ୍ଵର କୋହ ଭିଜା ଶୁଭୁଥିଲା । ବାକ୍ୟ ପୂର୍ଣ୍ଣକରି ଆଖିରୁ ଲୁହ ପୋଛି ଝଡ ଭଳି ରାଧା ଅପା ସେ ଘରୁ ବାହାରକୁ ବାହାରିଗଲେ । ମୁଁ ନିର୍ବାକ ନିସ୍ପନ୍ଦ ହୋଇ ଛିଡା ହୋଇଥିଲି । ପାଦତଳୁ ମାଟି ଖସିଯିବା ପରି ଲାଗୁଥିଲା । ' ମୁଁ ଚଣ୍ଡାଳ କେତେବଡ଼ ଭୁଲଟାଏ କରିବାକୁ ବସିଥିଲି !' ରାଧାଅପାଙ୍କ ପାଦ ଧରି ପ୍ରାୟଶ୍ଚିତ କରିବାପାଇଁ ମନ କହୁଥିଲା । 

    ପରମୂହୁର୍ତ୍ତରେ ଯାହା ଦେଖିଲି, ମୋ ମେରୁଦଣ୍ଡରେ ଭୟର ଗୋଟିଏ ଶୀତଳ ଲହରୀ ଖେଳିଯିବା ଭଳି ଲାଗିଲା । ସୁମୀ ଅର୍ଥାତ ମୋ ଘରମଣୀ ସ୍ଵୟଂ, ରାଧାଅପାଙ୍କ ହାତ ଧରି ଘର ଭିତରକୁ ପାଛୋଟି ଆଣୁଥିଲେ । 

 ' ଆସ ଆସ ଅପା, ଭିତରକୁ ଆସ ! କେବେଠୁଁ ତୁମକୁ ଦେଖିନାହିଁ । ଆଜି ମୁଁ ଖେଚୁଡ଼ି ଡାଲମା ରାନ୍ଧିଦେବି, ଗୋଟାଏ ନଡିଆ ପୁରା କୋରିକି ପକେଇବି । ଶାଗଭଜା ବି ହବ । ଆଜି ତମର ସଂକ୍ରାନ୍ତିଟା ଆମ ଘରେ ପାଳନ ହେବ ।' ମୋ ଆଡ଼କୁ ତୀର୍ଯ୍ୟକ ଚାହାଣୀରେ ଚାହିଁଦେଇ ରାଧା ଅପାଙ୍କୁ ଘର ଭିତରକୁ ଟାଣି ନେଇଗଲେ ମୋ ଧର୍ମପତ୍ନୀ ସୁମୀ । ଭିତରେ ତାଙ୍କୁ ବସାଇ ଦେଇ ପୁନର୍ବାର ମୋ ପାଖକୁ ଫେରି ଆସିଲେ । 

' ହେ ଭଗବାନ ! ମଲି ତ ଆଜି ! ଏବେ କଣ କରିବି ?' ମୁଁ ମନେ ମନେ ଭାବୁଥିଲି ।

' ଏଠାରେ ଖୁଣ୍ଟଟା ପରି ଛିଡା ହୋଇଛ କଣ ? ଅରୁଆ ଚାଉଳ ସରିଯାଇଛି । ତୁରନ୍ତ ଦୋକାନରୁ ପଠାଅ ।' କହିସାରି ସୁମୀ ମୋ ମୁହଁକୁ ଉତ୍ତର ଆଶାରେ ଚାହିଁଲେ । ମୋର ପରିସ୍ଥିତି ଥିଲା ଅପରିବର୍ତ୍ତନୀୟ । 

' ଆଁ' ଟା କରି ଚାହିଁଛ କଣ ? ଭାବୁଛ ମୁଁ କେମିତି ଜାଣିଲି ? ମନ୍ଦିରକୁ ଗଲା ବେଳେ ଦକ୍ଷିଣା ନେବାକୁ ଭୁଲିଯାଇଥିଲି । ଅଧାବାଟରୁ ଫେରି ଆସି ଦାଣ୍ଡଦୁଆରେ ତୁମର ରାସଲୀଳା କଥା ସବୁ ଶୁଣିଲି । ଏବେ ଯାଅ ।'  

 ' ଯଃ ପଳାୟତି, ସଃ ଜୀବତି ' ନୀତି ଅନୁଯାୟୀ ତୁରନ୍ତ ସେ ସ୍ଥାନ ଛାଡି ଦୋକାନକୁ ଫେରିଆସିଲି । ଘରକୁ ଚାଉଳ ପଠେଇ ସାରି ଦ୍ଵିପହର ପର୍ଯ୍ୟନ୍ତ ଅନ୍ୟମନସ୍କ ଭାବରେ ବେପାର କଲି । କେଉଁଥିରେ ମନ ଲାଗୁନଥିଲା । ଏଭଳି କର୍ମ ପରେ ମୋତେ ମୋ ପରିବାର ଯେ କ୍ଷମା କରିଦେବେ, ଏ ବିଷୟରେ ମୋର ଶତ ପ୍ରତିଶତ ସନ୍ଦେହ ଥିଲା । ପିଲାଏ ଜାଣିଲେ ମୋତେ କଣ ବୋଲି ଭାବିବେ ? ଆଜି ପର୍ଯ୍ୟନ୍ତ ପିତାର ସ୍ଥାନ ଭଳି ଏକ ପବିତ୍ର, ଉଚ୍ଚ ଓ ମହାନ ସ୍ଥାନରେ ବସି ରହି ଶେଷରେ ସେମାନଙ୍କୁ ଦେଲି କଣ ? ଧୋକ୍କା ବ୍ୟତିତ ସେମାନେ ମୋ ଠାରୁ ଆଉ କଣ ପାଇଲେ ? ସାମାନ୍ୟ ପାଶବିକ ଆନନ୍ଦର ଚରିତାର୍ଥ ଲାଗି ଜୀବନସାରା ସେମାନଙ୍କର ମୁଣ୍ଡ ତଳକୁ କରିଦେବାର ବାଟ କରୁଥିଲି ! ପତ୍ନୀଙ୍କ ମୁହଁକୁ ଆଉ ସିଧା ଚାହିଁବାର ସାହସ ମୋର ନଥିଲା । ବିବାହ ଠାରୁ ଏ ପର୍ଯ୍ୟନ୍ତ ମୁଁ ତାଙ୍କୁ ନାନା ପ୍ରକାରର ନିର୍ଯ୍ୟାତନା ଦେଇଛି । ଶେଷକୁ ଏଇଟା ବାକି ଥିଲା ? 

   ଧିରେ ଧିରେ ବେଳ ଗଡି ଦ୍ଵିପହର ହେଲା । ଖାଇବା ବେଳ ହୋଇଗଲାଣି । କିନ୍ତୁ ଘରକୁ ଯିବାପାଇଁ ମୋ ମନ ଆଦୌ ରାଜି ନୁହେଁ । ଭୋକ ନଲାଗି ପେଟଟା ପୁରିଲା ପୁରିଲା ଲାଗୁଛି । ବୋଧହୁଏ ମନରେ କୋହ ଥିବାରୁ ସେପରି ଲାଗୁଛି । ନିଜ ଜୀବନ ଉପରେ ବିତୃଷ୍ଣା ଭାବ ଆସୁଛି । ଆତ୍ମହତ୍ୟା କରିଦେବା ପାଇଁ ବହୁତ ଇଚ୍ଛା ହେଉଛି । ନିଜ ଅଜ୍ଞାତରେ ସେ ଇଚ୍ଛାଟି ଚେତନା ଭିତରେ ଦୃଢୀଭୂତ ହେଉଛି । କେଉଁ ଏକ ଅଦୃଶ୍ୟ ଶକ୍ତି ସେ କାର୍ଯ୍ୟଟିକୁ କରିଦେବା ଲାଗି ମନ ଉପରେ ଚାପ ସୃଷ୍ଟି କରୁଛି । ଅଦ୍ଭୁତ, ଅବର୍ଣ୍ଣନୀୟ ଏକ ମୋହାଚ୍ଛନ୍ନ ଅବସ୍ଥା । 

    ' ରମୁ !' କାହାର ଡାକିବାରେ ଧ୍ୟାନ ଭଗ୍ନ ହେଲା । ' ଆ ଘରକୁ ଆ ! ସାଙ୍ଗ ହୋଇ ଖାଇବା । ଘରେ ସମସ୍ତେ ଅପେକ୍ଷା କରିଛନ୍ତି ।' ରାଧା ଅପା ଡ଼ାକୁଥିଲେ । ଯନ୍ତ୍ରବତ୍ ଦୋକାନ ବନ୍ଦ କରି ଘରମୁହାଁ ଚାଲିଲି । ପଛରେ ରାଧା ଅପା କହି କହି ଆସୁଥିଲେ, ' ବୁଝିଲୁ ରମୁ ! ଏମିତି ଗୋଟିଏ କଥାରେ ମୁଁ ତୋର ଭିଣୋଇଙ୍କୁ ହରେଇଲି । ସେ ଖାଲି ମୋର ସ୍ଵାମୀ ନଥିଲେ, ମୋ ପ୍ରାଣଠାରୁ ମଧ୍ୟ ଅଧିକ ଥିଲେ । ଆମର ପିଲାପିଲି ନଥିଲେ ମଧ୍ୟ ସେ ମୋତେ ବହୁତ ଭଲ ପାଉଥିଲେ । ଜଣେ ପଡୋଶୀ ମହିଳାଙ୍କ ସହ ସଂପର୍କକୁ କେନ୍ଦ୍ର କରି ଦିନେ ତାଙ୍କ ଚରିତ୍ରକୁ ଆକ୍ଷେପ କରି ଦିପଦ କଡା କଥା କହିଦେଲି । ଦିନଯାକ ରାଗରେ କଟିଲା । ସଂଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଆସିବାରୁ ଖୋଜା ଖୋଜି ଆରମ୍ଭ ହେଲା । ପରଦିନ ସକାଳୁ ତାଙ୍କ ଶବ ଗୋଟାଏ କୂଅ ଭିତରୁ . . . . ।'

ଗଭୀର କୋହ ଭିତରେ ରାଧାଅପାଙ୍କ ସ୍ଵର ହଜିଗଲା । ମୁଁ ଟିକିଏ ରହିଯାଇ ପଛକୁ ବୁଲିପଡ଼ି ରାଧା ଅପାଙ୍କ ପାଦ ଦୁଇଟି ଧରି ପକେଇଲି । 

' ହଉ ହଉ ହେଲା । ଏଥର ଘରକୁ ଚାଲେ ଖାଇବା । ମୁଁ ସୁମୀକୁ ସବୁ କହିଛି । ମୋ ସ୍ୱାମୀଙ୍କ କଥା ବି ତା'ଭିତରେ ଅଛି । ସେ ତୋତେ କିଛି କହିବନି । ତୁ ଖାଲି ଟିକିଏ ଚଗଲା ନହେଲେ ହେଲା । ସବୁ ଠିକ୍ ଚାଲିବ ।'

  ** ସମାପ୍ତ ** 

      


   




Rate this content
Log in

Similar oriya story from Romance