Rozalini Mishra

Thriller Fantasy

4.8  

Rozalini Mishra

Thriller Fantasy

ପୁନର୍ଜନ୍ମ

ପୁନର୍ଜନ୍ମ

6 mins
551


ଯେଉଁ ଦିନ ପ୍ରଥମ କରି ରମାକାନ୍ତ ବାବୁ ଆଉ ସୁଷମା ଦେବୀ ମିନିକୁ ଦେଖିଲେ କେମିତି ଗୋଟେ ଅଜଣା ପୁଲକ ଆଉ ଶିହରଣ ଖେଳି ଯାଇଥିଲା ଦୁହିଙ୍କ ଦେହରେ । ସେମିତି ଆଖି, ସେମିତି ଓଠ, ଚିବୁକରେ ଛୋଟ କଳାଜାଇଟେ ସେମାନଙ୍କୁ ଫେରାଇ ନେଇଥିଲା ଷୋହଳ ବର୍ଷ ତଳକୁ ।

ଷୋହଳ ବର୍ଷ ତଳେ ରମାକାନ୍ତ ବାବୁ ଆଉ ସୁଷମାଙ୍କର ଥିଲା ପାଞ୍ଚ ବର୍ଷର ଝିଅଟିଏ ସିମି । ସେମାନଙ୍କ ଅତି ଗେଲବସରର ଝିଅ ସିମି ଯେ ଅଳ୍ପ ଦିନରେ ଅତିଥି ସେମାନଙ୍କ ଘରେ ଏ କଥା କିଏ ବା କାହିଁକି ଜାଣିବ ? ଅତି ଗେହ୍ଲାରେ ବଢିଥିବା ଝିଅଟା ସଡକ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲା ସବୁଦିନ ପାଇଁ ବାପା ମା, ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ସାହି ପଡିଶାଙ୍କୁ ନିର୍ବାକ ଆଉ ହତବାକ କରିଦେଇ ।

ସିମି ଚାଲିଯିବାର ଦୁଇବର୍ଷ ପରେ ସେମାନଙ୍କ କୋଳକୁ ପୁଅଟିଏ ଅବଶ୍ୟ ଆସିଛି, କିନ୍ତୁ ସିମିକୁ ଭୁଲି ପାରିନାହାନ୍ତି ଉଭୟେ ।  ପ୍ରତିମୁହୂର୍ତ୍ତରେ ଘରେ ଗୋଟେ ଝିଅର ଅଭାବକୁ ଅନୁଭବ କରିଛନ୍ତି ସେମାନେ । ସେ ଘରର କାନ୍ଥବାଡ଼, ବାଡ଼ି ବଗିଚା, ଧୂଳିବାଲି ସବୁଥିରେ ଯେ ସିମି ତାର ସ୍ମୃତିର ସ୍ବାକ୍ଷର ଛାଡିଯାଇଛି, କେମିତି ଭୁଲିହବ ସିମିକୁ ! ଘର ଭିତରେ ସିମିର ସ୍ମୃତି ଖାଇ ଗୋଡାଏ ସୁଷମାଙ୍କୁ । ମଝିରେ ମଝିରେ ସିମି... ସିମି... ହୋଇ ପ୍ରଳାପ କରନ୍ତି ସିଏ ପାଗେଳୀଙ୍କ ପରି । ସିମି ବୟସର ଯାହାକୁ ଦେଖନ୍ତି ତା ମୁହଁକୁ ନିରେଖି ନିରେଖି ଚାହିଁ ସିମିକୁ ଖୋଜିବାକୁ ଚେଷ୍ଟା କରନ୍ତି ସିଏ ।

ଏମିତିରେ ବିତି ଯାଇଛି ଷୋହଳ ବର୍ଷ । ପୁଅ ବଣ୍ଟିର ପାଠପଢା ଆଉ ଟିଉସନ ସୁବିଧାକୁ ଆଖି ଆଗରେ ରଖି ରମାକାନ୍ତ ବାବୁ ତାଙ୍କର ସେ ପୁରୁଣା ଘର ଛାଡ଼ି ଆସି ରହିଲେ ବଣ୍ଟିର ସ୍କୁଲ ପାଖରେ ଥିବା ତାଙ୍କର ଆଉ ଏକ ନୂଆ ଘରେ ।  ଭଡାଟିଆଙ୍କୁ କାଢି ନିଜେ ରହିବାର ବ୍ୟବସ୍ଥା କଲେ ସେଠି ।

ନୂଆ ଘରର ପଡୋଶୀ ଶିଶିର ବାବୁ ରମାକାନ୍ତ ବାବୁଙ୍କର ପୁରୁଣା ଘନିଷ୍ଠ ବନ୍ଧୁ । ନୂଆ ଘରକୁ ଆସିବାର ପରଦିନ ରମାକାନ୍ତ ବାବୁ ଶିଶିର ବାବୁଙ୍କୁ କହିଲେ, ଆପଣ ଆମ ପାଇଁ କାମବାଲିଟେ ବୁଝି ଦିଅନ୍ତୁ । ବେଶୀ କିଛି କାମ ନାହିଁ ।  ଖାଲି ଦିନକୁ ଦୁଇ ବେଳା ଆସି ବାସନ ଦୁଇଖଣ୍ଡ ମାଜିଦବ ଆଉ ଘର ଟିକେ ଝାଡୁ ମାରିଦେଇ ଯିବ  ।

ଶିଶିର ବାବୁ କହିଲେ ଏଇଟା ଗୋଟାଏ କଥା ! ଆମ ଘରକୁ ମିନି ବୋଲି ଷୋହଳ ବର୍ଷର ଝିଅଟେ ଆସୁଛି ଦିନକୁ ଦୁଇ ବେଳା କାମ କରିବାକୁ ।  ଆଜି ସନ୍ଧ୍ୟାରେ ପଠେଇ ଦେବି ଆପଣଙ୍କ ଘରକୁ  ।  ଆପଣ କଥା ହୋଇଯିବେ ତା’ ସହ ।

ଷୋହଳ ବର୍ଷର ଝିଅଟା ଶୁଣି ଟିକେ ଆଗ ପଛ ହେଲେ ରମାକାନ୍ତ ବାବୁ ।  କହିଲେ ନା' ନା' ଥାଉ । ବୟସ୍କ ସ୍ତ୍ରୀ ଲୋକଟିଏ ଠିକ କରିଦେଲେ ଟିକେ ଭଲ ହୁଅନ୍ତା ।  କିଛି ତରତର ହେବା ଦରକାର ନାହିଁ । ଆମେ ଆଠଦଶ ଦିନ ସେମିତି ଚଳେଇ ଦେବୁ ।  ସେ ଝିଅ କହୁଛି ତାକୁ ଷୋହଳ ବର୍ଷ ।  ସତ କହୁଛି କି ମିଛ କହୁଛି କିଏ ଜାଣିଲା  । ଏବେ ତ କାମ ନ ମିଳିବା ଭୟରେ ବୟସ ବଢ଼େଇ କି କହିଦେଉଛନ୍ତି ବସ୍ତି ପିଲା ଗୁଡାକ ।  ଯଦି ସତରେ ସେମିତି ହୋଇଥାଏ ଆଉ କେହି ଆମ ନାଁରେ କମ୍ପ୍ଲେନ କରିଦିଏ ତା’ହେଲେ ବାଳ ଶ୍ରମିକ ରଖିବା ଅପରାଧରେ ଜେଲ ଯିବାଟା ଥୟ । ଆପଣ ଜାଣି ନାହାନ୍ତି କି, " As per child labour Act, 1986, amended in 2016, prohibits employment of any person below 14 in any employment including as a domestic help. " ନା' ନା' ଥାଉ, ତାକୁ ମୋ ଘରକୁ ପଠେଇବା ଦରକାର ନାହିଁ । ଆଉ ମୋର ପରାମର୍ଶ ଆପଣ ବି ତାକୁ କାମରୁ ବାହାର କରି ଆଉ କାହାକୁ ଦେଖନ୍ତୁ ।

ଶିଶିର ବାବୁ କହିଲେ କି ଡରୁଆ ଲୋକ କି ହୋ ଆପଣ ! ସିଏ ତ ନିଜେ କହୁଛି ତାକୁ ଷୋହଳ ବର୍ଷ ।  ତା’ ଛଡା ଆମେ କ’ଣ ତାକୁ ଜବରଦସ୍ତି ଆଣି କାମରେ ଲଗାଉଛେ କି ? ମୋ ଘରେ କାମ କଲାଣି ସିଏ ପାଖାପାଖି ବର୍ଷେ ହେବ  । ଆମ ଏଇ ଗଳିର ଶେଷ ମୁଣ୍ଡରେ ଜେନା ବାବୁଙ୍କ ଘରେ ବି କାମ କରୁଛି ଝିଅଟା  । ଆଉ ଆପଣଙ୍କୁ ଖାଲି ପୋଲିସ ବାନ୍ଧି ନେଇ ଯାଉଛି ।  ମା' ବାପା ଛେଉଣ୍ଡ ଝିଅଟା ।  ମାମୁଁ ମାଇଁଙ୍କ ପାଖରେ ରହୁଥିଲା ।  ମାମୁଁ ମଲା ପରେ ମାଇଁ ଘରୁ ବାହାର କରିଦେଇଛି ଦୁଇ ମାସ ହେଲାଣି । ଖଟିଲେ ଖାଉଛି ଗଣ୍ଡାଏ ଛୁଆଟା । ଏବେ ତାକୁ କାମରୁ ବାହାର କରିବାର ଅର୍ଥ ତା ଆହାର ମୁହଁରେ ପାହାର ଦେବା ଛଡା ଆଉ କିଛି ନୁହେଁ । ଆପଣଙ୍କ ଘର କାମଟା ଧରିଲେ ଆଉ ଦି ପଇସା ପାଇବ ଝିଅଟା ।  ରୁହନ୍ତୁ, ସନ୍ଧ୍ୟାବେଳେ ପଠେଇ ଦଉଛି ତାକୁ ।  କାଲିଠାରୁ ଆସି ଆପଣଙ୍କର କାମ କରିଦେବ ସିଏ ।

ସନ୍ଧ୍ୟାବେଳେ ମିନିକୁ ଦେଖି କେମିତି ଗୋଟେ ଅଜଣା ପୁଲକରେ ପୁଲକିତ ହୋଇଥିଲେ ଦୁହେଁ ରମାକାନ୍ତ ବାବୁ ଆଉ ସୁଷମା  ।  ମିନି ସହ ସିମି ଚେହେରାର ସାମଞ୍ଜସ୍ୟ ସେମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଥିଲା ।

ଏ କିଛିଦିନ ଭିତରେ ମିନି ସହ ଗୋଟେ ସ୍ନେହର ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି ଦୁହେଁ ସ୍ୱାମୀ ସ୍ତ୍ରୀ । ମିନି ତାଙ୍କ ଘରର ଗୋଟେ ସଦସ୍ୟ ହୋଇଗଲାଣି ଧୀରେ ଧୀରେ ।  ମିନିକୁ ଘରର କାମବାଲୀ ବୋଲି କେବେ ଭାବି ପାରନ୍ତିନି ସୁଷମା । ତାଙ୍କୁ ଲାଗେ ଏ ତାଙ୍କ ସିମି ।  କିନ୍ତୁ ମୁହଁ ଖୋଲି କହି ପାରନ୍ତିନି କିଛି ।

ସେଦିନ ପୁଅ ବଣ୍ଟିର ଜନ୍ମଦିନରେ ସମସ୍ତେ ଏକାଠି ବସି ଖାଉଥାନ୍ତି । ମିନି କହିଲା ମା' କ୍ଷୀରିଟା ଭାରି ବଢିଆ ହୋଇଛି ।  ଆଉ ଟିକେ ଦିଅନ୍ତୁ ନା ମୋତେ । ହଁ ହଁ ଦଉଛି କହି ମିନି ପାତ୍ରରେ କ୍ଷୀରି ଢାଳି ଦେଉ ଦେଉ ଆଖି ଛଳ ଛଳ ହୋଇଗଲା ସୁଷମାଙ୍କର । ମନେ ପଡିଗଲା ସିମି କଥା ।  ସିମି କେତେ ଭଲ ପାଏ କ୍ଷୀରିକୁ ।  ଗିନା ଚାଟି ଚାଟି ସଫା କରିଦିଏ ସବୁ ।

ମିନି ଖୁସିରେ କ୍ଷୀରି ଖାଇଚାଲିଛି ଆଉ ତାକୁ ବିଭୋର ଦୃଷ୍ଟିରେ ଚାହିଁ ରହିଛନ୍ତି ସୁଷମା ।  ସବୁ କ୍ଷୀରି ଖାଇ ସାରି ମିନି ହଠାତ ଗିନା ଚାଟିବା ଆରମ୍ଭ କରିଦେଲା ।  ନିଜ ଅଜାଣତରେ ଚିଲେଇ ଉଠିଲେ ସୁଷମା ।  " ତୋତେ ମନା କରିଥିଲି ନା ଏମିତି ଗିନା ବାସନ ଚାଟି ଚାଟି ଖାଆନ୍ତିନି ବୋଲି ।  ଏଗୁଡା ଭଲ ଅଭ୍ୟାସ ନୁହେଁ ।  " ମିନି ଆଶ୍ଚର୍ଯ୍ୟ ହୋଇ ଚାହିଁଲା ସୁଷମାଙ୍କୁ ।  କହିଲା  ମା' ଆପଣ କେବେ ତ କହିନାହାନ୍ତି ମୋତେ ଏ କଥା ।  କାନ୍ଦି ପକେଇଲେ ସୁଷମା ।  କହିଲେ ନା ରେ ମା', କିଛି ଭାବିବୁନି ।  ସିମି କଥା ମନେ ପଡିଗଲା ।  ତାକୁ ମନା କରେ ସବୁବେଳେ ସେ ଏମିତି ଖାଏ ବୋଲି ।  ପାଞ୍ଚ ବର୍ଷର ଛୁଆଟା କିଛି ମାନେନି ମୋ କଥା ।  ପୁଣି ସେମିତି ଖାଏ କହି ଆଖି ପୋଛିଲେ ସୁଷମା ।

ଆଜି ଜନ୍ମାଷ୍ଟମୀ ।  ସୁଷମା ଦେବୀଙ୍କ ଘରେ ପୂଜା ଚାଲିଛି ।  କେତେ ପ୍ରକାର ଫଳମୂଳ, ମିଷ୍ଟାନ୍ନ, ଚୁଡାଘଷା, ରାଶିଲଡୁ ସବୁ ଥାଳିରେ ସଜାହୋଇ ଥୁଆ ହୋଇଛି ପୂଜା ଘରେ ।  ପୂଜା ସରିଲା ପରେ ସୁଷମା ମିନି ଆଗରେ ପୂଜା ଥାଳିଟା ଧରି କହିଲେ ନେ ମା' ପ୍ରସାଦ ଟିକେ ପାଇ ଦେ’ ।  ତା ପରେ ଯିବୁ ତୁ ।  ମିନି ଦୁଇ ହାତ ଭର୍ତ୍ତିକରି ଯେତେ ପାରିବ ସବୁତକ ରାଶିଲଡୁ ଭର୍ତ୍ତି କରିନେଲା ତା ହାତ ଆଞ୍ଜୁଳାରେ ।  କହିଲା ମୁଁ ଆଉ କିଛି ଖାଇବିନି । ଏ ରାଶିଲଡୁ ତକ ସବୁ ମୋର ।  ଆଉ କାହାକୁ ଦେବିନି ମୁଁ । ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି ରମାକାନ୍ତ ବାବୁ ଆଉ ସୁଷମା ଦେବୀ ପରସ୍ପରର ମୁହଁକୁ ।  ପୁଣି ଜାଗ୍ରତ ହୋଇଗଲା ସିମିର ସ୍ମୃତି ମନ ଭିତରେ । ଘରେ ଯେତେବେଳେ ରାଶିଲଡୁ ହୁଏ, ସିମି ତା କୁନି କୁନି ଆଞ୍ଜୁଳାରେ ଯେତେ ଜାଗା ହେବ ରାଶିଲଡୁ ନେଇ ଶାର୍ଟ ପକେଟରେ ଭର୍ତ୍ତି କରିସାରିଲା ପରେ ପୁଣି ହାତ ପ୍ରସାରି ଦିଏ ଆଞ୍ଜୁଳା ଭର୍ତ୍ତି କରିବା ଉଦ୍ଦେଶ୍ୟରେ ।

ଏମିତି ଛୋଟବଡ ବହୁତ ଘଟଣାରେ ସିମି ସହ ମିନିର ତାଳମେଳ ଦେଖି ମିନିକୁ ସିମି ଭାବି ବସିଲେଣି ସୁଷମା ଧିରେ ଧିରେ ।

ଦିନେ ସନ୍ଧ୍ୟା ବେଳେ ଚା’ ପିଉପିଉ ରମାକାନ୍ତ ବାବୁଙ୍କୁ ସୁଷମା ଦେବୀ କହିଲେ, ବୁଝିଲ ତୁମେ ବିଶ୍ୱାସ କର କି ନ କର, ମୋତେ ଲାଗୁଛି ଏ ଆମ ସିମି ।  ଆଉ ଥରେ ଜନ୍ମ ପାଇ ପୁଣି ଫେରି ଆସିଛି ମୋ କୋଳକୁ ।  ଜାଣିଛ ମିନି କହୁଥିଲା ତା ଜନ୍ମ କୁଆଡେ ଶ୍ରୀଗୁଣ୍ଡିଚା ଦିନ ଯେଉଁ ଦିନ ସିମି ଆମକୁ ଛାଡି ଚାଲି ଯାଇଥିଲା ।  ମଣିଷର ଶରୀର ସିନା ନଶ୍ୱର କିନ୍ତୁ ଆତ୍ମା ତ ଅଜର, ଅମର ଆଉ ଅବିନାଶୀ ।  ମଣିଷ ତା ଦେହରୁ କପଡା ବଦଳେଇଲା ପରି ମୃତ୍ୟୁ ପରେ ଆତ୍ମା ଶରୀର ବଦଳେଇ ଦିଏ ।  ମୋ ସିମିକୁ ଭଗବାନ ମିନି ରୂପରେ ପୁଣି ମୋ କୋଳକୁ ଫେରେଇ ଦେଇଛନ୍ତି । ଆମେ ତାକୁ ଝିଅ କରି ପାଖରେ ରଖିଲେ କେମିତି ହୁଅନ୍ତା ।  ରମାକାନ୍ତ ବାବୁ କହିଲେ ସେ ତ ଆମ ଝିଅ ପରି ଆମ ପାଖରେ ଚଳୁଛି ।  ଆହୁରି ପୁଣି କ'ଣ ? ସୁଷମା କହିଲେ ନା, ସେମିତି ନୁହେଁ ।  ସେ ଆମ ପାଖରେ ଆମ ଘରେ ପୁରା ରହିବ ।  ତା ଅଧାରୁ ଛାଡିଥିବା ପାଠପଢାକୁ ପୁଣି ଆରମ୍ଭ କରିବ  । ଆମେ ତାକୁ ପଢେଇବା ।  ଭଲ ଘର ଆଉ ବର ଦେଖି ହାତକୁ ଦି’ହାତ ବି କରିବା ।

ସୁଷମାଙ୍କ ତୁଣ୍ଡରେ ନିଜର ମନ କଥା ଗୁଡାକ ଶୁଣି ଖୁସି ହୋଇ ଯାଇଥିଲେ ରମାକାନ୍ତ ବାବୁ ।  ଭାବୁଥିଲେ ଏ ଆମ ସିମିର ପୁନର୍ଜନ୍ମ ହେଉ କି ନହେଉ, ମିନିକୁ ସାହାରା ଦେବା ଦ୍ୱାରା ଗୋଟେ ଅନିଶ୍ଚିତ ଅନ୍ଧକାର ଭବିଷ୍ୟତକୁ ସେ ଉଜ୍ଜ୍ୱଳ ଆଶାର ଆଲୋକ ଟିକିଏ ଦେଖେଇ ତ ପାରିବେ । ତାଙ୍କ ପାଇଁ ବଣରେ ଫୁଟିଥିବା ବଣମଲ୍ଲୀଟି ଦେବାଳୟର ସ୍ୱପ୍ନ ତ ଦେଖି ପାରିବ । ତା ଛଡା କନ୍ୟାଦାନର ପୁଣ୍ୟ ଭାଗ୍ୟରେ ଥିଲେ ମିଳେ ।

ସୁଷମାଙ୍କ କଥାରେ ସହମତି ଜଣାଇଲେ ରମାକାନ୍ତ ବାବୁ ।  ଖୁସି ମନରେ ସୁଷମା ଉଠିଗଲେ ଠାକୁରଘରକୁ ସନ୍ଧ୍ୟାଧୂପ ଦେବା ଉଦ୍ଦେଶ୍ୟରେ । ବାଲକୋନିରେ ବସି ରମାକାନ୍ତ ବାବୁ ଅପେକ୍ଷା କରିଥିଲେ ମିନିର ଆସିବା ବାଟକୁ । ଏଥର ମିନି ଆସିଲେ ତାକୁ ଆଉ ଯିବାକୁ ଦେବେନି ସେ । ଠାକୁରଘରେ ସନ୍ଧ୍ୟାଧୂପ ଦେଇସାରି ସୁଷମା ପଢୁଥିଲେ ଭଗବତ୍ ଗୀତା ...

"ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ ।

ନ ଚୈନଂ କ୍ଲେଦୟନ୍ତ୍ୟପୋ, ନ ଶୋଷୟତି ମାରୁତଃ ।"


Rate this content
Log in

Similar oriya story from Thriller