ପ୍ରତିଜ୍ଞା
ପ୍ରତିଜ୍ଞା
କପେ ଚା ଆଉ ଧାଡିଏ କଥା ଭିତରେ ସଂପର୍କଠି ପୂର୍ଣ୍ଣାହୂତି ପକାରେ ଚାଲିଯାଇଥିଲା ଦୁହେଁ ଯିଏ ଯାହା ବାଟରେ ଚିରଦିନର ବିଦାୟ ମାଗି । ସେ ଦିନଠୁ ଆଜିକୁ ବିତିଯାଇଛି ଦଶ ବର୍ଷ । କିଏ କେଉଁଠି କେମିତି ଅଛି କାହାରି ପାଖରେ କୌଣସି ଠିକଣା କି ଖବର ନାହିଁ । କେବଳ ମନ ଭିତରେ ଗୋଟିଏ ସ୍ମୃତି ଯାହା ଅର୍ଦ୍ଧ ଦଗ୍ଧ ହୋଇ ରହିଯାଇଛି । ବେଳ କାଳ ଦେଖି କେବେ କେମିତି କୁହୁଳି ଉଠି ଧୂଆଁ ଭିତରେ ଅଣନିଶ୍ବାସୀ କରିଦେଇ ପୁଣି ଚାଲିଯାଏ ଯାହା ।
ମକର ମେଳା ବସିଥାଏ । ଭିଡ ଭିତରେ ସମସ୍ତେ ହଜିଯାଉଥାନ୍ତି । ହେଲେ ଅଚାନକ ହଜିଯାଇଥିବା ଜିନିଷଟିଏ ପାଇବା ପରି ଆମ ଦୁହିଁଙ୍କ ଦେଖା ହୋଇଯାଏ ।ମିଳେଇଯାଏ ଆଖିକୁ ଆଖି । ତଥାପି ଆଖିକୁ ନମିଳିବାର ଅନୁମତି ଦେଇ ଫେରାଇ ଅଣାଯାଏ । ପୁଣି ଥରେ ଯିଏ ଯାହା ରାସ୍ତାରେ ଚାଲିଯାଉଥାଉ । କିନ୍ତୁ ସୌଭାଗ୍ଯରୁ କିମ୍ବା ଦୁର୍ଭାଗ୍ୟ ବସତଃ ଯେ ଘଟଣାଚକ୍ରେ ପୁଣିଥରେ ସମ୍ମୁଖୀନ ହେବାକୁ ପଡେ । ଆଉ ସେଥର କୌଣସି ପ୍ରକାରରେ ମୁହଁ ବୁଲେଇ ଫେରିବାର ରାସ୍ତା ନଥାଏ ।
ମେଳାରୁ ସେତେବେଳେ ଫେରୁଥାଉ । ରାସ୍ତା ଜାମ ହୋଇଥାଏ । କାରଣ ଥାଏ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣା । ଶୁଣାଯାଉଥାଏ ଯେ ବ୍ୟକ୍ତି ଜଣକ ଜୀବନ୍ତ ବୋଲି ମଧ୍ୟ ସନ୍ଦେହ । ଏତେ ଭିତରେ ପାଖରୁ ଦୌଡିଯାଏ ରୋଗୀବାହନ ଗାଡି । ଗାଡି ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତମେ । ଆଉ କୌଣସି ଅବସ୍ଥାରେ ନିଜକୁ ଅଟକେଇ ନପାରି, ସବୁ କଥାକୁ ଭୁଲି, ଶେଷ ବିଦାୟ ବେଳର ପ୍ରତିଜ୍ଞାରେ ଧୂଳିଉଡାଇ ମୁଁ ଦୌଡ଼ି ଚାଲେ ଗାଡି ପଛେ ।
ଅନେଇ ସଂପର୍କୀୟ ଉପସ୍ଥିତ ଥାନ୍ତି । ତଥାପି ମୁଁ ଥାଏ । ମୋର ପରିଚୟ କିଛି ନଥାଇ ମୁଁ ଥାଏ । କେହି କଣ କହିବ ବୋଲି ଆଦୌ ଭୟ ନଥାଇ ମୁଁ ଥାଏ । କେବଳ ତମର ମଂଗଳ କାମନା କରିବାକୁ ମୁଁ ଥାଏ । ରାତି ବଢି ବଢି ଚାଲେ । ଦୁର୍ଘଟଣାରେ ରକ୍ତ ଯାଇଥାଏ ବୋଲି ରକ୍ତର ଆବଶ୍ୟକତା ପଡେ । ରାତି ଅଧରେ ରକ୍ତର ଯୋଗାଡ କରିବା ବେଳକୁ ସମୟ ବିତେ । ସେପଟେ ଡାକ୍ତରଙ୍କ ମଧ୍ୟ ତରତର ଦରକାର । ମୋ ଧୈର୍ଯ୍ଯଚ୍ଯୁତ ହେବାକୁ ଲାଗେ । ଠାକୁରଙ୍କ ଛଡା ଆଉ କିଛି ରାସ୍ତା ମିଳୁନଥାଏ । ସଂଯୋଗକୁ ସବୁ ଠିକ୍ ହୋଇଯାଏ ।
ସକାଳ ହେବାକୁ ଲାଗେ । ସମସ୍ତଙ୍କ ଠାରୁ ତଭର ମଙ୍ଗଳ ଥିବା କଥା ଶୁଣି ମୋତେ ଫେରିବାର ସମୟ ଆସି । ଏତିକି ବେଳକୁ ପଛପଟୁ ଆସି ଡାକ ଦିଅନ୍ତି ଜଣେ ମହିଳା। ଦେଖେ ତ ସେ ତମ ମାଆ । ନା ନା ଆମ ମାଆ । ମୁଁ ତ ସବୁଦିନ ମାଆ ଡାକିଥିଲେ ଆଜି କେମିତି ଆଉ କିଛି ଡାକନ୍ତି । ମାଆ ହିଁ କହିଲି । ସେ ମୋତେ କୁଣ୍ଢେଇ ଧରି ଗେଲ କଲେ । ମଥାରେ ଛୋଟ ଚୁମ୍ବନ ଦେଇ ଆଶିଷର ହାତ ମୁଣ୍ଡରେ ବୁଲେଇ ଆଣିଲେ । ଏବଂ ନିଜେ ତୁହାକୁ ତୁହା କ୍ଷମା ମାଗିବାକୁ ଲାଗିଲେ ।
ଛୋଟ ଘରର ଝିଅ ବୋଲେ ସେ ହିଁ ବାହାଘରର ବିରୋଧ କରି ତମକୁ ରାଣ ଦେଇଥିବା କଥା ମଧ୍ୟ କହି ଢେର କାଳ କାନ୍ଦିଲେ । ଏବଂ ଶେଷରେ ନିଜ ଭୁଲ୍ ହେଲା କସି ବିବାହର ପ୍ରସ୍ତାବ ବାଢିଲେ । ହେଲେ ତମଠି କରିଥିବା ପ୍ରତିଜ୍ଞାକୁ ମନେ କରି ସେଦିନ ମୁଁ ତମର ପ୍ରସ୍ତାବକୁ ମନା କଲି । ତମର ମଂଗଳ କାମନା କରି ଖାଲି ହାତରେ ପୁଣି ଚିରବିଦାୟ ଲେଖି ଫେରିଆସିଲି ।

