Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Parameswar Ojha

Tragedy Romance


3  

Parameswar Ojha

Tragedy Romance


ପ୍ରତୀକ୍ଷା

ପ୍ରତୀକ୍ଷା

11 mins 602 11 mins 602


ବହୁତ ଗାଳିଗୁଲଜ ଛି ଛାକର କରି ସାରିଲା ପରେ ବାପା କହିଲେ --ଭଲ ହେଲା ଏ ବିଷୟରେ ଆଗରୁ ଜଣେଇଦେଲୁ ନହେଲେ ପରେ ଆମେ ରାସ୍ତା ଘାଟରେ ମୁଣ୍ଡ ଟେକି ଚାଲି ପାରିନଥାନ୍ତୁ । କାଲି ମେଡିକାଲ ଯାଇ ପିଲା ନଷ୍ଟ କରି ଦେଇ ଆସିବା ।


ପଦ୍ମା କହିଲା -- ନାଇଁ ମୁଁ କରିବିନି , ଏ ପିଲା ମୋର ମୁଁ ତାକୁ ନଷ୍ଟ କରିପାରିବିନି ।


ଗର୍ଜି ଉଠିଲେ ବାପା -- ତା ହେଲେ ଯା ସେ ଘରେ ପୋକମରା ଔଷଧ ଅଛି ତାକୁ ପିଇଦେଇ ଶୋଇପଡିବୁ। ଆରେ ଏ ପିଲା ତୋର କିନ୍ତୁ ୟା ବାପାର ପରିଚୟ ?

କାଲି ସକାଳେ ଯଦି ବାର ଲୋକ ତେର କଥା କହିବେ ସେତେବେଳେ ? ସେତେବେଳେ ଆମେ କ'ଣ ଉତ୍ତର ଦେବୁ ?

ଆରେ ଯାହାର ନାଁ ଗାଁ ଠିକଣା ଠିକ୍ ସେ କିଛି ଜଣା ନାହିଁ କେଇଟା ଦିନ ହେଲା ଗାଁ କୁ ଆସିଲା ଯେ ତା ସହିତ ଏମିତି ତୋର ଭାବ ବଢ଼ିଗଲା ଯେ ତାକୁ ଅନେଇ ବସିଛୁ ? 

ସେ ବେଇମାନ ଦଗାବାଜ ଆଉ ଆସିବନି ତତେ ମିଛ ପ୍ରତିଶ୍ରୁତି ଦେଇ ମାୟାଜାଲରେ ପକେଇ ଫସେଇ ଦେଇଛି ।


ପଦ୍ମା ମୁହଁ ତଳକୁ କରି କହିଲା -- ନାଇଁ ବାପା , ମୋହନ ସେମିତିକା ନୁହଁନ୍ତି , ସେ ଆସିବେ ନିଶ୍ଚୟ ଆସିବେ । ସେ ଠାକୁରଙ୍କ ରାଣ ଖାଇଛନ୍ତି , ହାତ କାଟି ଲେଖି ଦେଇଛନ୍ତି ସେ ମୋ ଛଡା ଆଉ କାହାରିକୁ ବାହାହୋଇ ପାରିବେନି । ସେ ମୋତେ ବହୁତ ଭଲ ପାଆନ୍ତି ସେ ମୋତେ କେବେ ଧୋକା ଦେବେନି ।


ସରପଞ୍ଚ ସଭା ନ୍ୟାୟ ନିସାପ ରେ ବଳି ପଡ଼ିଗଲା ପଦ୍ମାର ସବୁ ସୁଖ । ଦୁଇବର୍ଷ ବିତି ଗଲାଣି, ନିଆଁ ପାଣି ବାସନ୍ଦ ହୋଇ ଗାଁ ଶେଷ ମୁଣ୍ଡରେ ଏକ ଘରିଆ ହୋଇ ରହିଛି ସେ । ପଦ୍ମାର ପୁଅ ଏବେ ତା କୁନି ପାଟିରେ ଖନେଇ ଖନେଇ ମା ମା ମା ମା ବୋଲି ଡାକେ ଆଉ ତା ପାଟିରୁ ଭୁଲ୍ ରେ ଯଦି କେବେ ପା ପା ବୋଲି ବାହାରି ପଡେ ।


ପଦ୍ମା ଦୁଇ ଆଖିରୁ ଗରମ ଲୁହ ବୋହି ଆସେ ପୁଅକୁ ଛାତି ପାଖକୁ ଭିଡିଆଣି କହେ -- ହଁ ତୋ ପାପା ଆସିବେ ଏ ନର୍କରୁ ଆମକୁ ଉଦ୍ଧାର କରିବାକୁ ନିଶ୍ଚୟ ଆସିବେ ।


କାଲି ପରି ମନେ ଅଛି ସବୁ , 

ବାପାଙ୍କ ଦେହ ଖରାପ ଥିଲା ତେଣୁ ସେ ବାଧ୍ୟ ହୋଇ ହାଟକୁ ଯାଇଥିଲା ପରିବା ଆଣିବା ପାଇଁ ।ହେଲେ ମନେ ନଥିଲା ତରତର ରେ ପୁରୁଣା ଚୁଡିଦାରଟେ ପିନ୍ଧି ପଳେଇଆସିଥିଲା । ସିଏ ଜାଣିନଥିଲା ଏଇ ଛୋଟିଆ ଭୁଲ୍ ତାକୁ ସମସ୍ତଙ୍କ ଆଗରେ ଲୋକହସା କରେଇଦେବ ।


ନଇଁ କି ପରିବା ମୂଲଚାଲ କରୁକରୁ ହଠାତ୍ ପଦ୍ମା ର କମିଜ ପଛପଟ ଚିରିଯାଇ ଅନ୍ତର୍ବାସ ଦେଖାଗଲା ।

ମାଲୋ ବିଚ୍ ବଜାର ଉପରେ କି ଲଜ୍ଜା ! ସେତେବେଳେ ସେ ଅପମାନ ଆଉ ଲଜ୍ଜା ରେ ମରିଯାଇଥିଲା ଯେମିତି ଅସଂଯତ ଅପ୍ରସ୍ତୁତ ବିଚଳିତ ହୋଇଗଲା ସେଇ ମୁହୂର୍ତ୍ତକ ମଧ୍ୟରେ। କ'ଣ କରିବ କ'ଣ ନ କରିବ କିଛି ଭାବି ପାରିନଥିଲା ।କାହାକୁ ସମ୍ଭାଳିବ ପରିବା ବ୍ୟାଗ୍ କୁ ସାମ୍ନା ଓଢଣାକୁ ନା ପଛପଟର ସେଇ ଲଜ୍ଜା କର ଦୃଶ୍ୟକୁ ଯାହାକୁ ଚାହିଁଲେ ବି ସେ ଦେଖିପାରୁନି କି ଆଭରଣ କରିପାରୁନି ।କାଇଁ ସେତେବେଳେ କେହି ଜଣଙ୍କର ତ ସାହାଯ୍ୟ ସହାନୂଭୁତିର ହାତ ଆଗକୁ ବଢିଆସିନଥିଲା କେବଳ ମୋହନଙ୍କ ବ୍ୟତୀତ ।

ସମସ୍ତେ ଲୁଟିଚାଲିଥିଲେ ତା ଇଜ୍ଜତକୁ ସେମାନଙ୍କ ଲୋଭିଲା ଆଖିରେ । ସେ ଭିଡ଼ ଭିତରେ ମୋହନ ହିଁ ଏକମାତ୍ର ମଣିଷ ଥିଲେ ଯିଏ ନିଜ ସାର୍ଟ ସାଙ୍ଗେ ସାଙ୍ଗେ ଖୋଲି ପଦ୍ମା ପଛପଟେ ଘୋଡେ଼ଇ ଦେଇ କହିଥିଲେ " ମୋତେ ଭୁଲ୍ ବୁଝନି " । ପାଟିରୁ କିଛିବି କଥା ବାହାରି ନଥିଲା ପଦ୍ମାର କେବଳ କୃତଜ୍ଞତା ଦୃଷ୍ଟିରେ ମୋହନଙ୍କୁ ଥରେ ଚାହିଁ ଦେଇ ଲାଜ ସର ସର ହୋଇ ମୁହଁ ତଳକୁ କରି ଚାଲିଆସିଥିଲା ସେଠାରୁ ।


ସେହିଦିନଠୁ ପଦ୍ମାକୁ ମୋହନ ଦେବତୂଲ୍ୟ ପରି ଲାଗନ୍ତି।ତାରା ମାନଙ୍କ ମେଳରେ ଯେମିତି ଜହ୍ନଟେ , ଘନ ଅନ୍ଧାର ଭିତରେ ଯେମିତି ଦ୍ଵୀପ ଶିଖାଟେ , ଶୁଷ୍କ ମରୁଭୂମିରେ ଯେମିତି ମିଠା ପାଣି ଝରଟେ  ସମ୍ପୂର୍ଣ୍ଣ ଅଲଗା ଅଲଗା ଲାଗେ ପଦ୍ମାକୁ ମୋହନ ।


ବିତିଯାଇଥିଲା ପ୍ରାୟ କୋଡିଏ ଦିନ ।


 ସେହିଦିନଠୁ ପଦ୍ମା ଭାବୁଥିଲା ମୋହନଙ୍କ ସାର୍ଟ କେମିତି ଫେରେଇବ । ପାଖ ଗାଁ କିନ୍ତୁ ଅନ୍ୟ ଗାଁ ର ଯୁବକଟିଏ ମୋହନ ଅଥବା କ୍ଵଚିତ୍ ଏ ଗାଁ କୁ ସେ ଆସନ୍ତି । ବଢିଲା ଝିଅଟା ସେ ବିତ ଯାଇପାରିବନି ହେଲେ କେମିତି ଫେରେଇବ ମୋହନଙ୍କ ସାର୍ଟ ?


ସାର୍ଟ କୁ ଅତୀ ଯତ୍ନରେ ସର୍ଫଏକ୍ସିଲ ରେ ସଫା କରି ନିଜ ହାତରେ ଆଇରନ୍ କରି ପଡିଶା ଘର ମିକୁ ଭାଇର ୨୫୦ ଟଙ୍କିଆ ସେଣ୍ଟ କୁ ଲୁଚେଇ ଆଣି ସବୁଆଡେ ଟିକେ ଛିଞ୍ଚି ଦେଇ ରଖିଥାଏ ଯେମିତି ମୋହନ ସାର୍ଟ ଟି ନେଲା ବେଳେ ତାଜା ତାଜା ମହକୁଥିବ । କିନ୍ତୁ କିଏ ଜାଣିଥିଲା ପୁଣି ଅଚାନକ ଭାବରେ ମୋହନ ଙ୍କ ସହିତ ଦେଖା ହେବ ପୁଣି ଏମିତି ପରିସ୍ଥିତିରେ ଝଡ଼ ବର୍ଷା ବେଳାରେ ।


ସେଦିନ ମିକୁ ଭାଇ ନଥିଲା ନହେଲେ ଗାଡ଼ିରେ ଘରୁ କଲେଜ୍ ଆଣିଥାନ୍ତା ପୁଣି ପରୀକ୍ଷା ପରେ ଘରେ ଛାଡ଼ି ଦେଇଥାନ୍ତା । କିଏ ଜାଣିଥିଲା ଏମିତି ହେବ ବୋଲି ବସ୍ ଭିଡ଼ରେ ଯେନତେନ ପ୍ରକାରେ ସିନା ଚାଲିଆସିଲେ ଦୁହେଁ , ହେଲେ ଏମିତି କଳାହାଣ୍ଡିଆ ମେଘଟା ଘୋଟି ଆସିବ ଆଉ ଚଉଦିଗ ଅନ୍ଧାର କରି ବର୍ଷା ଛେଚିବ ସେ ପୁଣି ଅସମୟରେ ।


ନିଜ ଭାଗ୍ୟକୁ ନିନ୍ଦି ଗୋଟିଏ ବଉଳ ଗଛ ତଳେ ଆଶ୍ରା ନେଇଥିଲା ପଦ୍ମା । ଭାଗ୍ୟ ଭଲ ତା ସହିତ ତା ସାଙ୍ଗ ପ୍ରିତୀ ଥିଲା  ନହେଲେ ସେ ଏତେବେଳେ କୁ ଅଧାମରା ହୋଇସାରନ୍ତାଣି ।

ଦୁଇ ସାଙ୍ଗ କଣ କରିବେ କଣ ନ କରିବେ ଏମିତି ଦ୍ବନ୍ଦରେ ଥିବା ବେଳେ ହଠାତ୍ ବାଇକ୍ ଆରୋହୀ ଯୁବକ ତାଙ୍କ ପାଖରେ ଆସି ଅଟକିଲା ଆଉ ଯୁବକ ଜଣକ କହିଲେ " ଆସ ବସ " ।


ଦୁହେଁ ସାଙ୍କୁଡି ଗଲେ ।


-- ଆରେ ଭୟ କରନି , ଆମ କୁସୁନୁପୁର ଗାଁ ଝିଅ ତୁମେ ମୁଁ ତୁମକୁ ଚିହ୍ନେ ।


 ପଦ୍ମା ପଚାରିଲା -- "ତୁ ୟାଙ୍କୁ ଚିହ୍ନିଛୁ ?"


ହଁ କେତେଥର ଦେଖିଛି ଆମ ଗାଁ କୁ ବୁଲି ଆସେ ( ପ୍ରିତୀ କହିଲା )


ଚିହ୍ନା ଅଚିହ୍ନା ତ ଅଲଗା କଥା ସେତେବେଳେ ସେମାନଙ୍କ ପାଖେ ଦ୍ବିତୀୟ ବିକଳ୍ପ କିଛି ନଥିଲା ତେଣୁ ଦୁହେଁ ନିଜକୁ ଯଥାସମ୍ଭବ ସଜାଡି ବାଇକ୍ ପଛରେ ବସିଲେ ।ବାଟ ସାରା କିଛି କଥାବାର୍ତ୍ତା ନାହିଁ । ଅଧା ବାଟରେ ପ୍ରିତୀ ଓହ୍ଲେଇ ଗଲା , ପଦ୍ମା ଘର ଆଉ କିଛି ବାଟ ଅଛି ମୋହନ କହିଲା " ମୋ ସାର୍ଟ ଟା ତୁମ ପାଖରେ ରହିଯାଇଛି ପରେ ଫେରେଇ ଦେବେ । କଥା କ'ଣ କି ମୋ ଜନ୍ମ ଦିନରେ ମୋ ମା ମୋତେ ସେ ସାର୍ଟ ଗିଫ୍ଟ ଦେଇଥିଲେ ସେଥିପାଇଁ ନହେଲେ ମୁଁ ମାଗିନଥାନ୍ତି " ।


ପଦ୍ମା ଚମକି ପଡ଼ିଲା ତାଙ୍କ ମୁହଁ ଦେଖିନଥିଲା , ଜାଣିପାରିଲାନି ଏତେବାଟ ଯାହା ସହିତ ବସି ଆସିଲା ସେ ମୋହନ ବୋଲି ।


-- "ଏବେ ଆଣି ଦେବିକି ?"


-- "ନାଇଁ ନାଇଁ ଏ ଓଦାରେ କେମିତି ନେବି ? ପରେ ସୁବିଧା ଦେଖି ଫେରେଇ ଦେବେ ଥାଉ ତୁମ ପାଖରେ ।"


ଏତିକି କହି ମୋହନ ଗାଡ଼ି ବୁଲେଇ  ପଳେଇ ଯାଇଥିଲେ ।


ପଦ୍ମା ହାଁ ଟା କରି ଚାହିଁ ରହିଥିଲା ।


 ସେଦିନର ଘଟଣା ପରଠୁ ମୋହନଙ୍କ ସହିତ କଥା ହେବାପାଇଁ ଏଭଳି ଦୂର୍ଲଭ ମୁହୂର୍ତ୍ତ ତାକୁ କେବେ ଜୁଟିନି । ସେ ଚଣ୍ଡାଳୁଣୀ କ'ଣ କଲା ଧନ୍ୟବାଦ ତ ପରର କଥା ଅନ୍ତତଃ ଏବେ ଘରକୁ ଡ଼ାକି ଚାହା କପେ ତ ପିଆଇ ପାରିଥାନ୍ତା । ସେଦିନ ରାତିରେ ପଦ୍ମା ଶାନ୍ତିରେ ଶୋଇ ପାରିଲାନି କି ଠିକ୍ ସେ ଖାଇ ପାରିଲାନି । କେମିତି ଗୋଟେ ହତାସା ଭାବ ତାକୁ ମାଡ଼ି ମାଡ଼ି ପଡୁଥିଲା । ରାତି ସାରା ଖାଲି ଭାବୁଥିଲା ସତରେ ମୋହନ ତା ବିଷୟରେ କ'ଣ ଭାବୁଥିବେ । କେତେ ଉଦ୍ଧତ ଝିଅ କିହୋ ବିଚ୍ ବଜାର ଉପରେ ଏତେବଡ଼ ମ‌ହନୀୟତା ପାଇଁ ଗୋଟିଏ ଛୋଟ କୃତଜ୍ଞତା ବି ନାହିଁ । 


" ସତରେ ତୁମେ ଠିକ୍ ସମୟରେ ତୁମ ସାର୍ଟ ଟି ମୋ ଉପରେ ଘୋଡେ଼ଇ ଦେଇ ନଥିଲେ କ'ଣ ଯେ ମୁଁ କରିଥାନ୍ତି ? ସତରେ ତୁମ ଭଳି ଲୋକ ମିଳିବା ବହୁତ ବିରଳ । ତୁମ ନିକଟରେ ମୁଁ ଚିର କୃତଜ୍ଞ ରହିଲି ଏଇ ସାହାଯ୍ୟ ପାଇଁ । କେମିତି ଯେ ତୁମକୁ ଧନ୍ୟବାଦ ଦେବି ମୁଁ ବୁଝି ପାରୁନି । " 


ଏମିତି କଥା ପଦୁଟିଏ ନାହିଁ ?


ସତରେ ଯେ ପର୍ଯ୍ୟନ୍ତ ପଦ୍ମା ମୋହନଙ୍କ ସହ ଏ ବିଷୟରେ ମନ ଖୋଲି କଥା ନହୋଇଛି ତାକୁ ଶାନ୍ତି ମିଳିବନି । 


ସେଦିନ ଥିଲା ମକର ମେଳାର ଦ୍ବିତୀୟ ପର୍ବ ଯୋଉଟାକି ମୋହନଙ୍କ ଗାଁ ରେ ବଡ଼ ଧୁମଧାମରେ ହୁଏ । ବହୁ ଲୋକ ସମାଗମ ହୁଅନ୍ତି ଦୋକାନ ବଜାର ଯାନିଯାତ୍ରା ମେଳଣ । ବହୁତ ଦୂରରୁ ଲୋକମାନେ ସବୁ ଆସନ୍ତି ଏହି ପର୍ବରେ ସାମିଲ ହେବା ପାଇଁ ।

ତ ସେଦିନ ପଦ୍ମା ବି ଯାଇଥିଲା ମେଳାକୁ ମିକୁ ଭାଇ ଆଉ ତା ପ୍ରିୟ ସାଙ୍ଗ ପ୍ରିତୀ ସାଙ୍ଗରେ । ସେ ଦୁହିଁଙ୍କର ମନ ଥିଲା ସିନା ମେଳାରେ କିନ୍ତୁ ପଦ୍ମାର ମନ ଖୋଜୁଥିଲା ମୋହନକୁ ସେ ଥରେ କେମିତି ନିରୋଳାରେ ଦେଖାହୋଇଯାଆନ୍ତେ କି ସେ ତାର ମନକଥା ଖୋଲି କହିଦିଅନ୍ତା ଯୋଉଟାକୁ କହିବା ପାଇଁ ସେ ସନ୍ତୁଳି‌ ହେଉଛି ଦିନ ଆଉ ରାତି ତମାମ୍ ।


ଏମିତି ଦୋକାନ ବଜାର ବୁଲାବୁଲି ‌ଭିତରେ ହଠାତ୍ ପଦ୍ମା ର ଆଖି ପଡିଗଲା ମୋହନ ଉପରେ ସେ ଗୋଟେ କୁନି‌ ଝିଅ ହାତଧରି ବୁଲୁଥିଲେ ମେଳାରେ ତାଙ୍କ ଭଉଣୀ ହେବ ବୋଧେ ଲାଗୁଥିଲା ।


ମୋହନ ର ଆଖି ବି ପଡ଼ିଗଲା ପଦ୍ମା ଉପରେ ସେ ସ୍ମୀତ ହାସ୍ୟ ଦେଲା ପଦ୍ମା ‌ନଜର ତଳକୁ କରିଦେଲା । ହେଲେ ଗୋଟେ ବାହାନା ତ ଦରକାର ନାଁ କଥା ହେବାପାଇଁ ତେଣୁ ପଦ୍ମା ଗୋଟେ ଉପାୟ ଚିନ୍ତା କଲା ପ୍ରିତୀ କୁ କହିଲା 


-- " ଏଇ ମୁଁ ଆଉ ଯାଇ ପାରିବିନି ମୋ ଗୋଡ଼ ବିନ୍ଧୁଛି ମୁଁ ଏଇ ମଣ୍ଡପ ଉପରେ ବସିଛି ତମେ ଯାଅ ବୁଲିବାଲି ଆସିବ ।"


-- " ତୁ ଏକା ଏଠି ବସିବୁ‌ ? "


-- " ଆରେ କିଛି କଥା ନାହିଁ ସ୍ତ୍ରୀ ଲୋକ ମାନେ ଏଠି ବସିଛନ୍ତି , ଆମ ଶାନ୍ତି ଅପା ବି ସେଠି ବସିଛି ମୁଁ ତା ପାଖରେ ଅଛି ତମେ ଯାଅ ବୁଲି ଆସିବ । ଫେରିଲା ବେଳେ ମୋତେ ଡାକିବ ମୁଁ ଏଇଠି ଅଛି ।"

 ପଦ୍ମା କୁ ଛାଡି ଦେଇ ସେ ଦୁହେଁ ଭିତରକୁ ଚାଲିଗଲେ । ଏବେ ମୋହନ ପାଖକୁ ପଦ୍ମା ଯିବ କି ନଯିବ ଏମିତି ଭାବୁ ଭାବୁ ସାହସ ସଞ୍ଚୟ କରି ଶାନ୍ତି ଅପା ପାଖରେ ଆଉ ଗୋଟେ ବାହାନା ମାରି ସେ ମୋହନ ପାଖକୁ ଚାଲିଗଲା । ମୋହନ ସେତେବେଳେ ତା କୁନି ଭଉଣୀ କୁ ଗୁପ୍ ଚୁପ୍ ଖୁଆଉଥିଲା ଆଉ ସେଠାରେ ଏତେ ଭିଡ ବି ନଥିଲା। ତେଣୁ ପଦ୍ମା ମୋହନର କଡରେ ଯାଇ ଛିଡା ହେଲା ଆଉ ଧିରେ ସ୍ବରରେ କହିଲା... 


- " ତୁମ ସହ ଟିକେ କଥା ଅଛି "


ମୋହନ ବି ଜାଣି ସାରିଥିଲା ପଦ୍ମା ତା ପାଖକୁ ଆସିଛି କିଛି କହିବାକୁ ।


 ସେ ବି ନମ୍ରତା ର ସହ କହିଲା --" ହଁ କୁହ "


--" କ'ଣ କହିବି ? ସେଇ ଘଟଣା ପରଠୁ ମୁଁ କ'ଣ କହିବି ସେୟା ଭାବୁଛି ।"


--" ମୁଁ ଜାଣେ ତୁମେ କ'ଣ କହିବାକୁ ଚାହୁଁଛ । ସେମିତି କିଛି ବି କହିବା ଦରକାର ନାହିଁ , ମୋ ସାର୍ଟ କେବେ ଫେରେଇବ କୁହ ? "


ପଦ୍ମା ଭାବୁଥିଲା ଆଉ କ'ଣ କୁହା ଯାଇପାରେ ଏଠି ?


କେବଳ ପଦୁଟିଏ କହିଲା। --" ସେଠି ତ ଏତେ ଲୋକ ଥିଲେ କେହି ତ ଆଗକୁ ଆସିଲେନି କେବଳ ତୁମେ କାହିଁକି ମୋ ପାଇଁ ଆସିଲ ? "


ଏତିକି କହି ପଦ୍ମା ସେଠାରୁ ଚାଲି ଯାଇଥିଲା ତା ଶାନ୍ତି ଅପା ପାଖକୁ । ଶାନ୍ତି ଅପା ପାଖରେ ବସି ମୋହନ କୁ ଚାହୁଁଥିଲା ଆଉ ମୋହନ ତାକୁ ସେଦିନ ପଦ୍ମା ଯେ ପର୍ଯ୍ୟନ୍ତ ସେ ମଣ୍ଡପ ଉପରୁ ଯାଇନଥିଲା ସେପର୍ଯ୍ୟନ୍ତ ମୋହନ ବି ତା ସାମ୍ନାରୁ ହଟି ନଥିଲା । ଆଜି ପଦ୍ମା ମନଟା ଏକଦମ୍ ପୂରିଲା ପୂରିଲା ଆଉ ବେଶ୍ ପୂଲକିତ ଲାଗୁଥିଲା । ଆଜି ମୋହନଙ୍କ ଚାହାଣୀ ରେ ସେ କିଛି ସଂକେତ ଦେଖିପାରିଛି ଯୋଉଟା କି ଅତିପ୍ରିୟ ମଣିଷଙ୍କ ପାଇଁ ହୋଇଥାଏ । ସତରେ ମୋହନ ଙ୍କ ପରି ମଣିଷ ଭାଗ୍ୟରେ ଥିଲେ ଜୀବନରେ ଆସନ୍ତି।


 ମେଳାରୁ ଫେରି ଅତି ପ୍ରଫୁଲ୍ଲିତ ମନରେ ବସି ଚାହା ପିଉଥିଲା ପଦ୍ମା ।


--" ପଦ୍ମା ଏଠିକି ଆସ୍ "


 ହଠାତ୍ ପଦ୍ମା ଚମକି ପଡ଼ିଲା ବାପା ଙ୍କ ଡାକରେ, ବାପା ପଦ୍ମା କୁ ସେତେବେଳେ ଏଭଳି କଡ଼ା ସ୍ବରରେ ଡାକନ୍ତି ଯେତେବେଳେ ପଦ୍ମା ଦ୍ବାରା କିଛି ଭୁଲ ହୋଇଥାଏ । ପଦ୍ମା ଦାଣ୍ଡ ଘରେ ଯାଇ ଦେଖେତ ମିକୁ ଭାଇ ବାପାଙ୍କ ପାଖରେ ବସିଛି ଅସନ୍ତୋଷ ମୁହଁ କରି । ଘଟଣା କ'ଣ ଜାଣିବା ପୂର୍ବରୁ ବାପା ଏମିତି ଗୋଟେ କଥା ପଚାରିଦେଲେ ଯାହା ପଦ୍ମା ର ଛାତି ଥରେଇ ଦେବାକୁ ଯଥେଷ୍ଟ ଥିଲା ।


-- " ଆଛା ସେ ପିଲା କିଏ ଯାହା ସହିତ ତୁ ମେଳାରେ କଥା ହେଉଥିଲୁ । " 

    

ପଦ୍ମା ର ମୁଣ୍ଡ ଝାଇଁ ଝାଇଁ ହୋଇଗଲା ଏ କଥା ସୁଣିକି , ତାହେଲେ ସେ ଧରା ପଡିଯାଇଛି ମିକୁ ଭାଇ ଆଖିରେ ।

ଆଉ କିଛି ଉପାୟ ନ ଥିଲା କଥା ଟା ଲୁଚେଇବାକୁ , ଯେତେବେଳେ ସେ ଧରାପଡିଯାଇଛି ଆଉ ଲୁଚେଇ ଲାଭ କ'ଣ ?


ମୁଣ୍ଡ ତଳକୁ କରି ଗୋଟି ଗୋଟି କରି କହିଥିଲା ସେଦିନ ହାଟରେ ଘଟିଥିବା ଘଟଣା ସବୁ । 


-- " ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଯାଇଥିଲି କାଳେ କେହି ଦେଖିଲେ କ'ଣ ଭାବିବେ ସେଥିପାଇଁ ମୁଁ ସେମିତି କଥା ହେଉଥିଲି "


ବାପା ଟିକେ ଗମ୍ଭିର ହୋଇଗଲେ କିଛି ସମୟ ଚୁପ୍ ରହି ତାପରେ କହିଲେ


 --" ଓଃ ଏମିତି କଥା ତେବେ । ସେ ପିଲାକୁ ଡାକେ ଦିନେ ଘରକୁ ଚାହା ଜଳଖିଆ କରି ଯିବ ।ଆରେ ଏତେବଡ଼ କଥା ମୋତେ ତୁ ଲୁଚେଇଥିଲୁ ?"


ଏ କଥା ସୁଣିକି ପଦ୍ମା କୁ ବହୁତ ହାଲକା ଲାଗିଲା , ଯେମିତି ତା ମନର କଥା ତାକୁ କହିଦେଲେ ବାପା।


-- " ହେଲେ ମୁଁ ତାଙ୍କୁ ଭଲ କି ଜାଣିନି ତାଙ୍କୁ ଦେଖିଛି ଯାହା "ନିମ୍ନ ସ୍ବର ରେ କହିଲା ପଦ୍ମା ।


ମିକୁ ଭାଇ ତାପରେ ଯୋଡିଲେ -- " ସେ ନିଧିପୁର ବଷ୍ଟମ ମହନ୍ତଙ୍କ ନାତି , ବାପା ବୋଉ ଛୋଟ ବେଳୁ ନାହାନ୍ତି ।ମାଉସି ଘରେ ରହି ପଢ଼ୁଥିଲା ଏବେ କେଇମାସ ହେବ ଗାଁ କୁ ଆସିଛି ।"


ପଦ୍ମା ଭାବୁଥିଲା ତା ଅଗୋଚରରେ ଏତେ କଥା ଘଟି ଯାଇଛି ତାହେଲେ ।


ତାପରେ ବାପା ପ୍ରସ୍ତାବ ଦେଲେ --" ତାକୁ ଯାଇ କାଲି ସାଙ୍ଗ ରେ ଧରି ଆସେ କଥା ଅଛି ।"


ଏ କଥା ଶୁଣି ପଦ୍ମାର ମନ ଖୁସି ରେ ଭରିଗଲା ।


  ସମୟ ଅପରାହ୍ନ ୪ଟା ହେବ ।

ଦୁଇଟା ବାଇକ୍ ଆସି ପଦ୍ମା ଘର ଆଗରେ ଲାଗିଲା ଗୋଟେ ରେ ମିକୁ ଭାଇ ଆଉ ଗୋଟେରେ ମୋହନ ।

ଅନ୍ୟ ଦିନମାନଙ୍କ ଠାରୁ କାହିଁକି କେଜାଣି ପଦ୍ମା ଅଧିକ ସମୟ ନେଇଥିଲା ନିଜକୁ ସଜାଇବାରେ ଆଇନା ଆଗରେ ସେଦିନ । ମୋହନକୁ ନିଜ ହାତରେ ଚାହା ଜଳଖିଆ ପରସି ଦେଇଥିଲା ପଦ୍ମା। ବାପା ମୋହନ ର ଗୁଣଗାନ କରି ବହୁତ ପ୍ରଶଂସା କରିଥିଲେ ଭଲ ମନ୍ଦ ପଚାରି ବୁଝିଥିଲେ । କିନ୍ତୁ ସେଦିନ ପଦ୍ମା ମୋହନକୁ ତାର ସାର୍ଟ ଟି ଫେରେଇ ପାରିନଥିଲା । ସେଦିନ ମୋହନ ଆସିଥିଲେ ଯେ ପଦ୍ମା ନିଜକୁ ଭୁଲିଯାଇଥିଲା ଗୋଟାପଣେ , ଯେମିତି ସେ ଦିନ ଟା ତାର ମୋହନ ମୟ ହୋଇଯାଇଥିଲା । ଆଉ ସାର୍ଟ ଟି କଥା ବୁଝୁଛି କିଏ ? ପରେ ଭାବି ମନ ଉଣା କଲା ଅବଶ୍ୟ କିନ୍ତୁ ସାର୍ଟ କୁ ଦେଖିଦେଲେ ତାକୁ ପୁଲକିତ ଲାଗୁଥିଲା ଯେମିତି ମୋହନ ତା ପାଖରେ ଅଛନ୍ତି ।


କିନ୍ତୁ ମୋହନ କୁ ପଦ୍ମା ତା ହୃଦୟ ରେ ସ୍ଥାନ ଦେଇଥିଲା ଯୋଉଦିନ ବାପା କଥା ପ୍ରସଙ୍ଗରେ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ କହିଦେଇଥିଲେ -" ହଁ ଯଦି ମୋର ଜ୍ବାଇଁ ଟିଏ ହେବ ତ ମୋହନ ପରି , ସତରେ ଖୁବ୍ ଭଲ ପିଲାଟିଏ । କିନ୍ତୁ ଏତେ ଶିଘ୍ର ଯେ ସବୁ କିଛି ଘଟିଥିବା ମୋହନ ପ୍ରେମରେ ସେ ପାଗିଳି ହୋଇଯିବ ଏ କଥା ସେ ବିଲକୁଲ ଭାବିନଥିଲା । ସେଦିନ ଖରାବେଳ ଟାରେ ହଠାତ୍ ମୋହନ କୁ ଘର ସାମ୍ନାରେ ଦେଖି ପଦ୍ମା ଚମକି ପଡ଼ିଲା ।


--" ତୁମେ "


--" ହଁ , ସେ ଗାଡ଼ି ଟା ଏଇ ସାମ୍ନାରେ ଖରାପ ହୋଇଗଲା ତ ବାପା ନାହାନ୍ତି କି ? "


--"ନା , ବିଲ କୁ ଯାଇଛନ୍ତି ଫେରିନାହାନ୍ତି ।"


--" ଟିକେ କାମ ଥିଲା ,ଗାଡ଼ି ଟାକୁ ଏଇଟି ରଖିଦେଇ ଯାଇଥାନ୍ତି କାଲି ମିସ୍ତ୍ରୀ ଡ଼ାକି ଆଣିଲେ ସଜାଡି ନେଇ ଯାଇଥାନ୍ତି । ଏତେ ବାଟ ଗଡ଼େଇ ନେବା ମୋ ପକ୍ଷରେ ସମ୍ଭବ ନୁହେଁ । ଯଦି କିଛି ଅସୁବିଧା ନଥାଏ ମୁଁ ଗାଡ଼ି ରଖିଦେଇ ଯିବି ? "


--" ହଉ ଠିକ୍ ଅଛି "


--"ତେବେ ମୁଁ ରଖିଦେଇ ଯିବି ନା ତୁମ ବାପା ଆସିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବି ? ମୁଁ ଚାହେଁନା ମୋ ପାଇଁ ତୁମକୁ ବାପା ଖରାପ ଭାବନ୍ତୁ ।"


ଏତିକି କଥା ଭିତରେ ପଦ୍ମା ର ବାପା ଆସି ଯାଇଥିଲେ । ମୋହନ ତାଙ୍କୁ ପ୍ରଣାମ କଲା । ସବୁକଥା ଜାଣି ସାରିବା ପରେ ମୋହନ ଗାଡ଼ି ରଖି ଯିବାକୁ ବାହାରି ଥିଲା , କିନ୍ତୁ ପଦ୍ମାର ବାପା ମନା କଲେ‌


 --"ଆରେ ଖରାବେଳେ ଟାରେ କିଛି ନଖାଇ ସେମିତି ପଳେଇବୁ ?"


ମୋହନ ମନା କରୁଥିଲା କିନ୍ତୁ ବାଧ୍ୟ କଲା ରୁ ସେ ରାଜି ହୋଇଗଲା । ସେଦିନ ମୋହନ ଖାଉଥିବା ବେଳେ ପଦ୍ମା କବାଟ ଆଢ଼ୁଆଳରେ ଠିଆ ହୋଇ ମୋହନ କୁ ଦେଖି ମୁରୁକି ହସିବା ଆଉ ପୁଣି ମୁହଁ ଲୁଚେଇବା ମୋହନ କୁ ମୁଗ୍ଧ କରିଥିଲା ।


ସେ ଜାଣି ସାରିଥିଲା ପଦ୍ମା ତାକୁ ମନେ ମନେ ଭଲ ପାଉଛି । ତେଣୁ କଥାଟାକୁ ଆଉ ଗୋପନ ରଖି କିଛି ଲାଭ ନାହିଁ କାରଣ ସେ ବି ପଦ୍ମାକୁ ଭଲପାଏ । ସେଦିନ ଫେରି ଆସିଲା ବେଳେ ପଦ୍ମାକୁ ନିରୋଳାରେ ପାଇ କେବଳ ଏତିକି କହିଥିଲା --" ତୁମ ସହ କିଛି କଥା ଅଛି "


ବାସ୍ ରାତି ସାରା ମୋହନ ହିଁ ତା ସ୍ବପ୍ନରେ ରାଜକୁମାର ସାଜିଥିଲା । ତା ପରଦିନ ମୋହନ ତା ଗାଡ଼ି ସଜାଡିବା ସହ ପଦ୍ମା ହାତକୁ କାଗଜ ଖଣ୍ଡେ ବଢେଇ ଦେଇ ଯାଇଥିଲା ଆଉ କହିଥିଲା 


-- " ମୁଁ ଚାହେଁନା ପରେ ତୁମେ ମୋତେ ଭୁଲ୍ ବୁଝ "


ପଦ୍ମା ଚକିତ ହୋଇଥିଲା ଏମିତି କଥା ରେ ଆଉ ବେଶ୍ ପ୍ରଭାବିତ ମଧ୍ୟ ହୋଇଥିଲା ମୋହନଙ୍କ ବ୍ୟକ୍ତିତ୍ଵ ରେ ସଂପୂର୍ଣ୍ଣ ଚିଠି ଟି ପଢି ସାରିବା ପରେ ।


ମୋହନ ସେଥିରେ ଲେଖିଥିଲା


   " ମୁଁ ତୁମକୁ ଏମିତି ଲୁଚେଇ କି ଚିଠି ଟିଏ ଦେଲି ବୋଲି କିଛି ଭୁଲ ବୁଝିବନି । ସୁଣ , ତୁମ ବାପା ମୋତେ ବହୁତ ବିଶ୍ବାସ କରନ୍ତି ,ମୁଁ ବି ତାଙ୍କୁ ଯଥେଷ୍ଟ ସମ୍ମାନ ଦିଏ ମୁଁ ତାଙ୍କ ନିକଟରେ ଦୋଷୀ ହେବାକୁ ଚାହେଁନା ଆଉ ତୁମ ପାଖରେ ବି । ଦେଖ ମୁଁ ତୁମଠୁ ବୟସରେ ଦଶ ବର୍ଷ ବଡ । ଆଉ ସବୁଠୁ ବଡ଼ କଥା ହେଉଛି ମୁଁ ବିବାହିତ ମେଳାରେ ଯାହାକୁ ଦେଖିଥିଲ ସେ ମୋ ଝିଅ । ମୋ ଜୀବନର ସବୁଠୁ ବଡ଼ ଦୁଃଖ ର କଥା ହେଲା ପହଁରା ଜାଣିନଥିବା ମୋ ସ୍ତ୍ରୀ କୁ କାଳିଯାଇ ଯିବା କାଳ ହେଲା ।

କଷ୍ଟେ ମଷ୍ଟେ ମୋ ଝିଅ କୁ ସିନା ମୁଁ ବଞ୍ଚେଇ ଦେଲି ହେଲେ ମୋ ସ୍ତ୍ରୀ କୁ ସେ ନଇଁ ଟା କୋଉଠି ହଜେଇ ଦେଲା । ତାକୁ ଏବେବି ଏ ମନ ଖୋଜୁଛି ଇଶ୍ଵର ମୋତେ ଶେଷ ଥର ପାଇଁ ମୋ ଶ୍ରଦ୍ଧା ମୁହଁ ଦେଖେଇ ଦିଅନ୍ତେ କି । ମୁଁ ଜାଣେ ପିଲାଟି ବେଳୁ ମା କୁ ହରେଇଥିବା ମୋ ଝିଅ କୁ ମା ର ସ୍ନେହ ଦରକାର ହେଲେ ମୁଁ ତୁମ ସହ ଛଳନା କରିପାରିବିନି , ମୋତେ କ୍ଷମା କରିଦିଅ ।"


ବାସ୍ ଏତିକି ହିଁ ପଦ୍ମାକୁ ମୋହନ ବିନା ପାଗିଳୀ କରିଦେବାକୁ ଯଥେଷ୍ଟ ଥିଲା । ଏତେ ଭଦ୍ର ସଚ୍ଚୋଟ ସ୍ପଷ୍ଟବାଦୀ ମଣିଷକୁ ଜୀବନ ସାଥୀ ରୂପେ ପାଇବା ଭଳି ସୌଭାଗ୍ୟ ଠାରୁ ଆଉ କ'ଣ ବଡ଼ କଥା ଥାଇପାରେ ?  ମୋହନ ସିନା ତାଙ୍କ କଥା କହିଦେଲେ ହେଲେ ପଦ୍ମା କେମିତି ତା ହୃଦୟ କଥା କହିବ ସେଇ କଥା ଭାବି ଭାବି ବେଳକୁ ବେଳ ଅଧୈର୍ଯ୍ୟ ହେବାକୁ ଲାଗିଲା । ସେମିତି ଦିନେ ସୁଯୋଗ ଆସିଲା ଆଉ ପଦ୍ମା ସେଇ କାଗଜ ଖଣ୍ଡିକ ବଢ଼େଇ ଦେଲା ମୋହନ ହାତକୁ ଯେଉଁଥିରେ ସେ ତା ‌ହୃଦୟର କଥା ଖୋଲିକି ଲେଖିଦେଇଥିଲା ।

 -

   " ତୁମେ ବିବାହିତ ମୋର ସେଥିରେ କିଛି ଯାଏ ଆସେ ନାହିଁ ତୁମ ସ୍ତ୍ରୀ ଚାଲିଯାଇଛନ୍ତି ମୋର କିଛି ଅସୁବିଧା ନାହିଁ । ହେଲେ ତୁମ ଝିଅ ର ମୁଁ ମା ହେବାକୁ ଚାହେଁ କ'ଣ ଅନୁମତି ଦେବନି ? ତୁମ ନାଁ ର ସିନ୍ଦୂର ମୋ ମଥାରେ ଭରିଲେ ମୁଁ ନିଜକୁ ଦୁନିଆଁ ର ସବୁଠୁ ବଡ଼ ସୌଭାଗ୍ୟବତୀ ବୋଲି ଭାବିବି ।"


 ଆରମ୍ଭ ହୋଇଯାଇଥିଲା ଏକ ସୁନ୍ଦର ପ୍ରେମ କାହାଣୀ । ଲୁଚି ଛପି ଦେଖା ଚାହାଁ ଉପହାର ଦିଆନିଆ ପ୍ରିତୀ ର ମୋବାଇଲ୍ ରେ ଘଣ୍ଟା ଘଣ୍ଟା କଥାବାର୍ତ୍ତା ଓ ଆହୁରି ଅନେକ । ବାସ୍ ଗୋଟେ ଦୂର୍ବଳ ମୁହୂର୍ତ୍ତ ର ଶିକାର ହୋଇଗଲେ ଦୁଇଜଣ ଉଭୟଙ୍କ ସ୍ବୀକୃତିରେ । ପଦ୍ମା ମା ଙ୍କ ସିନ୍ଦୂର ସିନ୍ଥୀ ରେ ଭରି ହୃଦୟ ରେ ମୋହନ ଙ୍କୁ ସ୍ବାମୀ ଦେବତାର ପରିଚୟ ଦେଇ ସାରିଥିଲା । ମୋହନ ବି ପଦ୍ମା କୁ ନେଇ ବାକି ଜୀବନ କେମିତି ସୁଖମୟ ସୁଗନ୍ଧମୟ କରିବ ସେ ବିଷୟରେ ଯଥେଷ୍ଟ ସଜାଗ ଥିଲା । ତେବେ ଏମିତି କ'ଣ ହେଲା ଯେ ଭାଗ୍ୟ ପଦ୍ମା ସହିତ ଏମିତି ଖେଳ ଖେଳିଲା । ହଠାତ୍ ମୋହନ ଅଦୃଶ୍ୟ ‌ହୋଇଗଲେ ତାଙ୍କ ସଂପୂର୍ଣ୍ଣ ସତ୍ତାକୁ ଏଠାରୁ ପୋଛି ନେଇ । ପଦ୍ମା ଆଖି ରେ ଅସରନ୍ତି ଲୁହ ଭରିଦେଇ ।


 ତାଙ୍କ କଥାବାର୍ତ୍ତା କାର୍ଯ୍ୟକଳାପ ବ୍ୟବହାର ରୁ ମିଳେ ମାତ୍ର ତ ପ୍ରତାରଣା ର ପ୍ରତିଛବି ଦେଖିବାକୁ ପାଇନଥିଲା ସେ । ପ୍ରଥମ ହାତ ଧରିଲା ବେଳେ ଯୋଉ ବିଶ୍ବାସ ଥିଲା ଏବେବି  ସେଇ ବିଶ୍ୱାସ ମୋହନ ଙ୍କ ଉପରେ ସତେଜ ଅଛି ପଦ୍ମା ର ଟିକିଏ ବି ମଉଳିନି । ତେବେ କ'ଣ ମୋହନ ପଦ୍ମା କୁ ଠକି ଦେଲା ?


ତାର ପ୍ରତୀକ୍ଷା କ'ଣ ପ୍ରତୀକ୍ଷା ରେ ରହିଯିବ ?


ମୋହନ ଆଉ କ'ଣ କେବେ ଫେରିବନି ?


କିନ୍ତୁ ଏ ଏକ ବିରାଟ ବଡ ପ୍ରଶ୍ନ ଥିଲା ପଦ୍ମା ପାଇଁ ।

           



Rate this content
Log in

More oriya story from Parameswar Ojha

Similar oriya story from Tragedy