suchismita Panda

Romance Tragedy

4.7  

suchismita Panda

Romance Tragedy

ପ୍ରଥମ ଯାତ୍ରା

ପ୍ରଥମ ଯାତ୍ରା

8 mins
630


       ମାଘ ମାସ । ସପ୍ତମୀ ତିଥି । ସରସ୍ବତୀ ପୂଜାର ପରବର୍ତ୍ତୀ ଠିକ୍ ଦୁଇ ଦିନ ପରେ, ଧାର୍ଯ୍ୟ ଲଗ୍ନରେ, ବନ୍ଧୁ ପରିଜନଙ୍କ ଶୁଭାଶିଷ ସହ ସମ୍ପନ୍ନ ହୁଏ ବିବାହ । ନିଜ ଘରକୁ ଛାଡି ପର ଘରର ସବାରୀରେ ବସି ପଡିବା ଏତେ ସହଜ ନଥାଏ । ସାହାସ ମଧ୍ୟ ହେଉନଥାଏ । ବିଧାତାଙ୍କ ନିୟମକୁ ଗ୍ରହଣ କରି ପାରୁନଥାଏ ମନ, ମସ୍ତିସ୍କ ଓ ଦେହ । ବାରମ୍ବାର ମୂର୍ଚ୍ଛା ହୋଇ ଚାଲିଥାଏ ଶରୀର । ତଥାପି ଯେତେ ଯାହା ହେଲେ ମଧ୍ୟ ସେଦିନ ମୁଁ ପର ହୋଇଯାଇଥାଏ । ମୋତେ ଆଉ ରଖିବ କିଏ ! ପାଦ ବଢେଇବାକୁ ହିଁ ପଡେ ଆଗକୁ । ଅଜଣା ସେ ତଥାପି ଧରିବାକୁ ପଡେ ତାଙ୍କ ହାତ । ବାନ୍ଧିବାକୁ ହୁଏ ବିଶ୍ବାସ । ପାଦ ସହ ପାଦ ନ ମିଶୁଥିଲେ ସୁଦ୍ଧା ପାଦ ଚିହ୍ନରେ ପାଦ ମିଳାଇ ଚାଲିଯିବାକୁ ପଡେ ଶାଶୁଘର ।


     ନୂଆଁ ଘର, ନୂଆଁ ପରିବେଶ ଭିତରେ ସାମ୍ନା ହୁଏ କେତେ ନୂଆଁ ଚେହେରା ସହ । ସଭିଙ୍କ ମନ ଅଲଗା । କଥା, ଭାଷା, ଚାଲିଚଳଣି ସହ ଚିନ୍ତା ଚେତନାରେ ମଧ୍ୟ ଥାଏ ଭିନ୍ନତା । ଏତେ ସବୁକୁ ଶୀଘ୍ର ଶୀଘ୍ର ସମ୍ଭାଳି ନେବାକୁ ମୋ ପାଖେ ଶକ୍ତି ମଧ୍ୟ ନଥାଏ । କିନ୍ତୁ ପ୍ରବୀଣ ମୋତେ ସବୁ ରାସ୍ତାର ଖ୍ୟାତି ସମ୍ପନ୍ନ ପଥିକଟିଏ କରିଦେବାକୁ ହାତ ଧରି ପରିସ୍ଥିତି ସହ ତାଳ ମିଳାଇ ଚାଲିଯିବାରେ ସାହାଯ୍ୟ କରିଚାଲନ୍ତି । ଦିନ ପରେ ଦିନ ବିତିଯାଇ ବିବାହକୁ ବର୍ଷଟିଏ ପୂରିବାକୁ ଆସିଥାଏ । ହେଲେ ସୁଯୋଗ ମିଳୁ ନଥିବାରୁ ଆମେ କେବେ ହେଲେ କୁଆଡେ ବାହାରକୁ ଭ୍ରମଣ କରି ଯାଇପାରି ନଥାଉ । ସେଥିପାଇଁ ଭାରି ଅଭିମାନ ମୋର । ତାଙ୍କ ଇଚ୍ଛା ହିଁ ନାହିଁ ବୋଲି କହି କହି ଅନେକ ଥର ଚିଡାଇଥାଏ ମଧ୍ୟ । ହେଲେ ସେ ସେଇ ଅଭିମାନ ଭିତରେ ଥିବା ଅମାନିଆ ପ୍ରେମକୁ ସାଉଁଟି ନେଇ ଆମ ସଂପର୍କକୁ ମଜବୁତ କରିଦେଉଥାନ୍ତି ପୂର୍ବ ଅପେକ୍ଷା ଆହୁରି ଅଧିକ ।


       ଦିନେ ଘର କାମ ସାରି ରୁମକୁ ଫେରୁ ଫେରୁ ମୋତେ ଟିକେ ଡେରି ହୋଇଯାଏ । ଆସି ଦେଖେତ ମହାରାଜ ନିଦ୍ରା ଦେବୀଙ୍କ କୋଳରେ । ମୁଁ ଆଉ ତାଙ୍କ ନିଦରେ ବାଧା ନ ଦେଇ ଶୋଇବାକୁ ଆସେ । ମୋ ତକିଆ ପାଖରେ ଗୋଟିଏ ଲଫାପାଟିଏ ଦେଖି ପ୍ରଥମେ ଭାବେ ତାଙ୍କର କିଛି କାଗଜ ଥିବ । କିନ୍ତୁ ପରେ ଦେଖେ ସେଠି ଲେଖା ଅଛି ମୋ ନାଁ । ମୋ ପାଇଁ ଲଫାପାରେ କଣ ଅଛି ଭାବି ଚକିତ ହୁଏ । ସଂଗେ ସଂଗେ ଖୋଲି ଦେଖେ ମାଉଣ୍ଟ ଆବୁକୁ ଦୁଇଟି ଟିକେଟ । ଛୋଟିଆ ଏକ ଯାତ୍ରାଟିଏ ତାଙ୍କ ସହ । ବିଶ୍ବାସ ନଥିବା ସମୟରେ ଆର୍କଷଣୀୟ ଉପହାରଟିକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇପଡେ । ମନ ହୁଏ ନିଦରୁ ତାଙ୍କୁ ଉଠେଇ ଦେବି ! କିନ୍ତୁ ତାଙ୍କ ଶାନ୍ତିର ନିଦକୁ ଭାଙ୍ଗି ଦେବାକୁ ଇଚ୍ଛା ନହେବାରୁ ସେମିତି ହିଁ ଶୋଇବାକୁ ଦେଇ ଖୁସିର ବୁକୁ ଭରିଦିଏ ତାଙ୍କ ଗାଲରେ । ମୋ ଓଠର ସ୍ପର୍ଶରେ ସେ ଉଠିଯାଇଥିଲେ ନା ଶୋଇବାର ମିଛ ଅନୁଭବ କରି ମୋ ଆଖିର ଖୁସିକୁ ଉପଭୋଗ କରୁଥିଲି ତାହା ମୋତେ ଠିକ୍ ରୂପେ ଜଣା ନଥାଏ ହେଲେ ସେଦିନର ରାତି ଭାରି ପ୍ରେମଭରା ଓ ସୁନ୍ଦର ଥିଲା ଯାହା ଆନନ୍ଦମୟ ସ୍ମୃତି ଭିତରେ ଚିରଦିନ ପାଇଁ ଏକ ଭିନ୍ନ ଘରଟିଏ ସୃଷ୍ଟି କରି ଦେଇଥିଲା । 


       ହାତରେ କେବଳ ତିନି ଦିନ ଥାଏ । ଯିବାର ସବୁ ବ୍ୟବସ୍ଥା ଆରମ୍ଭ କରିଦିଏ । ଯାତ୍ରାଟି ବେଶୀ ଲମ୍ବା ନଥିଲେ ବି ଅନେଇ ସବୁ ଜିନିଷ ମନେ କରି କରି ରଖିବାକୁ ପଡେ । ସେଥିରେ ପୁଣି ଥଣ୍ଡା ସମୟଟା । ପାହାଡି ଦେଶ ।ବରଫପାତ ମଧ୍ୟ ବେଳେ ବେଳେ ହେବାର ଜାଣିଥିଲି । କିଛି ଗରମ ପୋଷାକ ଧରି ନିଏ ସେଥିପାଇଁ । ଯେତେ ଯାହା କଲେ ମଧ୍ୟ ଶେଷ ଦିନ ଯାଏଁ ଲାଗିଥାଏ କିଛି କିଛି ମନେ କରି ରଖୁଥାଏ । ତିନି ଦିନ ତିନି ଘଣ୍ଟା ପରି ବିତିଗଲା ପରେ ଆରମ୍ଭ ହୋଇଯାଏ ଆମର ପାଞ୍ଚ ଦିନିଆ ପ୍ରଥମ ଯାତ୍ରା ।


ପ୍ରଥମ ଦିନ:

     ପ୍ରଥମେ ଟ୍ରେନ ଏବଂ ପରେ ବିମାନ ଯୋଗେ ଆମେ ଯାଇ ଓହ୍ଲାଉ ଅହମଦାବାଦ ଠାରେ । ସେଠୁ ଗୋଟେ ଟେକ୍ସି ବୁକ୍ କରି ପୁଣି ବଢୁ ମାଉଣ୍ଟ ଆବୁକୁ । ପାହାଡିଆ ରାସ୍ତା । ଗାଡି ବୁଲି ବୁଲି ଚାଲୁଥାଏ । ଉଚ୍ଚ ଉଚ୍ଚକୁ ବଢୁଥିବା ବେଳେ ତଳର ଦୃଶପଟ୍ଟ ବହୁତ ସୁନ୍ଦର ଦେଖାଯାଉଥାଏ । ମଝିରେ ମଝିରେ ଭେଟ ହେଉଥାଏ ବାନର ଦଳ ସହ । ରାସ୍ତା ମଝିରେ ବାଟ ଓଗାଳି ଅଟକେଇ ଦେଉଥାନ୍ତି କିଛି ସମୟ ପାଇଁ । ଏମିତି ବଢୁଥାଉ ଆଗକୁ । ମଝିରେ ଗୋଟିଏ ସୁନ୍ଦର ସୌନ୍ଦର୍ଯ୍ୟରେ ଭରପୂର ଜାଗା ଦେଖି ଗାଡିକୁ ରହିବାକୁ କହୁ । କିଛି ସମୟ ସେଠି ଫଟୋ ନେଲା ପରେ ପୁଣି କେନ୍ଦ୍ରସ୍ଥଳକୁ ବଢି ଚାଲେ ଗାଡି ।


       ପାହାଡ ଉପରେ ଦେଶରେ ଶୀତର ପ୍ରଲେପ ଦେହରେ ଶିହରଣ ଆଣୁଥାଏ । ପ୍ରାୟ ୧୨ଘଣ୍ଟା ପରେ ଯାଇ ଆମେ ପହଞ୍ଚି ଯାଉ । ଗୋଟେ ଭଲ ହୋଟେଲର ମଧୁଶଯ୍ୟା ନିମନ୍ତେ ଉପଲବ୍ଧ କୋଠରୀଟା ବୁକ୍ କରିଥାନ୍ତି ପ୍ରବୀଣ । ଆମେ ସେଠି ପହଞ୍ଚିଲା ପରେ ହୋଟେଲର ଷ୍ଟାଫ୍ ଆମ ଜିନିଷପତ୍ର ନେଇ ଯାଇ ରଖିଦିଅନ୍ତି ରୁମରେ । ତାଙ୍କ ପଛେ ପଛେ ଅନୁଧାବନ କରି ଦୁହେଁ ମଧ୍ୟ ପହଞ୍ଚିଯାଉ ସେଠି । 


      ଦିନ ତମାମ ଲମ୍ବା ଯାତ୍ରା କରି ଥକା ଲାଗୁଥିଲେ ସୁଦ୍ଧା ସେଇ ରୁମରେ ଭରିଥିବା ଆର୍କଷଣୀୟ ସୁଗନ୍ଧ, ସୌନ୍ଦର୍ଯ୍ୟପୂର୍ଣ ବିଛଣା ମନକୁ ଆନ୍ଦୋଳିତ କରିଦେଲା । ସବୁ ଥକାପଣ ସେଇ ସୁନ୍ଦରତା ଆଗେ ଫିକା ଫିକା ଲାଗେ । ପ୍ରଥମ ଥର ପାଇଁ ପ୍ରଥମ ରାତିଠୁ ମଧ୍ୟ ଆହୁରି ଅଧିକ ସୁନ୍ଦର ଓ ସୁଖମୟ ମୂହୁର୍ତ୍ତ ସବୁ ଆମକୁ ରାତି ସାରା ଉଜାଗର ରଖିଦିଏ । 


ଦ୍ୱିତୀୟ ଦିନ:

      ଆକାଶ ସୂର୍ଯ୍ୟଙ୍କ ସ୍ବାଗତ କରିଥିଲେ ମଧ୍ୟ ଆମେ ନିଦରେ ଥାଉ । ଉଠିବାକୁ ଇଚ୍ଛା ହିଁ ନଥାଏ । କାମ ମଧ୍ୟ କିଛି ନାହିଁ । ତେଣୁ ନିଦକୁ ମଧ୍ୟ ଉପଭୋଗ କରିଚାଲୁ । ହେଲେ ପେଟର ଆରମ୍ଭ ହୋଇଯାଏ କାନ୍ଦ । ଭୋକରେ ସେ ହେଉଥାଏ ଡହଲ ବିକଳ । ଶେଜଠୁ ବିଦାୟ ନେଇ ସବୁ କାମ ସାରିଦେଇ ଦୁହେଁ ବାହାରି ପଡୁ କିଛି ଖାଇବା ଏବଂ ସାରା ସହର ଭ୍ରମଣ କରିବାକୁ । 


       ହ୍ରଦ, ତା ଚର୍ତୁଃଦିଗର ଦୃଶ୍ୟ ବହୁତ ଆର୍କଷଣୀୟ ଥାଏ । ହଂସ, ବତକଙ୍କ ଖେଳ, ଜାତି ଜାତିକା ଦୋଳି ଆଦି ଅନେକ ସବୁ ମେଳା ରୂପେ ବସିଥାଏ । ଯେଉଁଠି ଆମେ ନିଜ ନିଜ ସ୍ମୃତି ସଂଗ୍ରହ କରିଚାଲୁଥାଉ । ସେଠି ଦେଖୁ ଯେ ଭ୍ରମଣ ନିମନ୍ତେ ଆସିଥିବା ଅଧିକାଂଶ ଗୋଟିଏ ସେଠିକାର ପାରଂପାରିକ ପୋଷାକ ପିନ୍ଧି ଫଟୋ ଉଠଉଛନ୍ତି । ଆମେ ମଧ୍ୟ ସେମାନଙ୍କ ସେଇ ଐତିହ୍ୟର ଛାପକୁ ଦେହରେ ଘୋଡେଇ ଦେଇ କିଛି ସେଲ୍ଫି ନିଜ ମୋବାଇଲରେ ଆଉ କିଛି କ୍ୟାମେରାମେନର କ୍ୟାମେରାରେ କଏଦ କରୁ । ମୁଁ ସଂଗେ ସଂଗେ ମୋ ମୋବାଇଲର ଷ୍ଟାଟସ ମଧ୍ୟ ରଖିଦିଏ ସେଇ ସୁନ୍ଦର, ଭିନ୍ନ ପୋଷାକରେ ଆମ ଦୁହିଁଙ୍କ ଗୋଟେ ଚିତ୍ରକୁ ।


     ଦିନ ସାରା ସେଠି ଥିବା ପାହାଡ, ପରିବେଶ, ମେଳା, ଆଦି ସବୁ ବୁଲା ବୁଲି କରୁଥାଉ । ଥଣ୍ଡାର ସମୟ ଥିବାରୁ ସେଠି ଶୀତ ପୋଷାକର ମେଳା ବସିଥାଏ । ବହୁତ କମ ଦାମରେ ଜାତି ଜାତିକା ଗରମବସ୍ତ୍ର ଉପଲବ୍ଧ ହେଉଥିବାରୁ ମୁଁ ସଭିଙ୍କ ପାଇଁ ଗୋଟେ ଗୋଟେ କିଣିବାକୁ ଲାଗେ । କିଣାକିଣି ସରୁ ସରୁ ଅପରାହ୍ନ ହେଇଯାଇଥାଏ । କିଛି ଖାଇଦେଇ ରୁମରେ ଟିକେ ସଂଧ୍ୟା ଯାଏଁ ଆରାମ କରୁ । ସଂଧ୍ୟା ହେବା ପରେ ପୁଣି ଆମେ ସେଠି ରାତ୍ରିର ଚାକଚକ୍ୟର ଆନନ୍ଦ ଉଠେଇଚାଲୁ । 


ତୃତୀୟ ଦିନ:

    ଶୀତୁଆ ସକାଳରେ ହେଲେ ବି ଉଠି ପଡି ନିଜ ରୁମର ବାଲକୋନିରେ ବସି ରୁମ ଆଗରେ ଥିବା ଦେବଦାରୁ ଗଛରୁ ଥପ୍ ଥପ୍ ପଡୁଥିବା କାକର ବୁନ୍ଦାକୁ ଦେଖୁଥାଏ । ମାହାରାଜ କିନ୍ତୁ ଛୁଟିର ମଜା ନେଉଥାନ୍ତି ଦୀର୍ଘ ସମୟ ଧରି ଶୋଇରହି । ବାଲକୋନିରେ ଚୌକିଟିଏ ପକାଇ ମୁଁ ବସି ରହେ ସେଠି । ପ୍ରକୃତି ପ୍ରତି ମୋର ଆରମ୍ଭରୁ ଦୁର୍ବଳତା ଥିବାରୁ ସେଠି ବି ପାହାଡର ପାଣି, ପବନ, କୁହୁଡି, କାକରକଣା ସବୁକିଛି କୁ ନିରେଖି ଦେଖୁଥାଏ ମନଭରି । 


      ପାହାଡ଼ର ଗର୍ଭରୁ ସୂର୍ଯ୍ୟଙ୍କ ଆଗମନ, ରକ୍ତିମ ଲାଲରେ ପରିସୀମାର ଆର୍କଷଣୀୟ, ଚଢେଇଙ୍କ ଚିଁ ଚାଁ ରାବରେ ସକାଳର ମୁଗ୍ଧକର ଆଗମନ ପ୍ରବୀଣଙ୍କ ନିଦ ମଧ୍ୟ ଭାଙ୍ଗିଦେଲା । ସେ ଆସି ଯୋଗ ଦେଲେ ମୋ ସହ । ଦୁହେଁ ବସି ଏକାଠି ଉପଭୋଗ କରିବା ଆରମ୍ଭ କରୁ କରୁ ଗପସପ କରିଚାଲୁ । ଠିକ୍ ସେତେବେଳେ ଆମର ଧ୍ୟାନ ଭଙ୍ଗ କରେ ଦେବଦାରୁର ଗହନ ଶାଖାରେ ବସା ବାନ୍ଧିଥିବା ଚଢେଇ । ମାଁ ଟିଏ ସିଏ, ଯିଏ ଛୋଟ ଛୋଟ ଦୁଇ ଶାବକଙ୍କୁ ଟିକି ଡିଆଁ ଶିଖାଉଥାଏ । ଡାଳରୁ ଡାଳକୁ ଡେଇଁ ଡେଇଁ ଚାଲିବାରେ ପାରଙ୍ଗମ କରୁଥାଏ । ମାଁ ଚଢେଇଟି ତା ଭାଷାରେ କଣ କହିଦେଇ ଚାଲିଯାଏ କିଛି ଦୂରକୁ । ଅଳ୍ପ ସମୟ ପରେ ମୁହଁରେ ଭର୍ତ୍ତି ଖାଦ୍ୟ ଧରିଆଣି ଗୁଞ୍ଜି ଦେଉଥାଏ ଛୁଆ ଦୁଇଟିଙ୍କ ପାଟିରେ । ଏସବୁ ଦୃଶ୍ୟ ମୋ ଭିତରେ ଥିବା ମାଁ କୁ ଜାଗ୍ରତ କରିଦିଏ । ଲୋଭ ସୃଷ୍ଟି ହୋଇପଡେ ନିଜ ମାତୃତ୍ବ ହାସଲ କରିବା ପାଇଁ । ପ୍ରବୀଣ ମୋ ମନର ଭାବକୁ କିଛି କହିବା ପୂର୍ବରୁ ହିଁ ବୁଝିଯାଇ ଆଖିରେ ଆଖିରେ ସହମତି ଜଣାଇ ଦିଅନ୍ତି ।


      ଶୀତ ଫାକି ଫାକି ଆସେ। ଆମେ ଆମର ସବୁ କାମ ସାରିଦେଇ ପୁଣି ବାହାରିପଡୁ ଅନ୍ୟ କିଛି ଭ୍ରମଣ କରିବା ସକାଶେ । ସେଦିନର ଲକ୍ଷ୍ୟ ଥାଏ ବ୍ରହ୍ମ କୁମାରୀ ସଂସ୍ଥା ବୁଲିବା । ଗୋଟେ ଟୁରିଷ୍ଟ ବସରେ ଆମେ ସେହି ସଂସ୍ଥାଠାରେ ପହଞ୍ଚି ଯାଉ । ବାହାରର କୋଳାହଳ ଠାରୁ ଢେର ପୃଥକ ସେଇ ସ୍ଥାନ। ସେ ମାଟିରେ ପାଦ ରଖୁ ରଖୁ ଖେଳିଯାଏ ଶାନ୍ତି ମନ, ଦେହ ଓ ମସ୍ତିଷ୍କରେ । ସେଠି ବସିରହି ଶୁଣୁଥାଉ ସେଠାକାର ନୀତିବାଣୀ । ବୁଲି ବୁଲି ବିଶାଳ ସ୍ଥାନଟିକୁ ଦେଖୁଥାଉ । ତିନି ଘଣ୍ଟା ବିତିଯାଏ ସେଇ ମୁଗ୍ଧକର ପରିଶେଷର ସରଳତା ଭିତରେ । 


      ଫେରିବାରେ ଆମକୁ ଡେରି ହୋଇଯାଏ । ଖରାବେଳ ଗଡି ଗଡି ଯାଉଥାଏ । କିଛି ଗଣ୍ଡେ ଖାଇଦେଲା ପରେ ସେ ମୋତେ ନେଇ ଯାଅନ୍ତି କିଛି କିଣା କିଣି କରିବା ପାଇଁ । ତାଙ୍କ ମନ ପସନ୍ଦର ଶାଢୀଟିଏ କିଣି ଦିଅନ୍ତି । ଏମିତି ବୁଲା ବୁଲି ଭିତରେ ସରିଯାଏ ସେଦିନ ।


ଶେଷ ଦିନ:

      ଯାତ୍ରାର ଚତୁର୍ଥ ଦିନ ହିଁ ଆମର ଫେରିବାର ଥାଏ । ଅହମଦାବାଦ ଠାରୁ ଆମର ବିମାନ ଦିନ ଏଗାର ଟାରେ ଥାଏ ବୋଲି ଆମେ ସକାଳୁ ବାହାରି ପଡୁ । ବିଦାୟ ମାଗି ମାଗି ଚାଲୁ ସେଇ ପାହାଡ଼, ଗଛଲତା,ହ୍ରଦ, ପରିବେଶ ସବୁକିଛିକୁ ଧୀରେ ଧୀରେ । ଗାଡି ଗଡି ଗଡି ତଳକୁ ତଳ ଆସେ । ଯେମିତି ଆମେ କେଉଁ ସ୍ବର୍ଗରୁ ମର୍ତ୍ତକୁ ଓହ୍ଲାଇ ଥିବାର ଅନୁଭବ କରୁଥାଏ ।


     ଝର୍କାର ଦେହରେ ଲାଗି ରହି, ଆଖିକୁ ବନ୍ଦ କରି ମୁଁ ସେଇ ଶୀତଳତାରେ ହଜିଥାଏ । ଡ୍ରାଇଭର ତାଙ୍କ ରେଡିଓରେ ବଜେଇଥିବା ପୁରୁଣା ସିନେମାର ଗୀତଟିକୁ ମନେ ମନେ ଗୁଣୁ ଗୁଣେଇ ହୋଇ ମୁଁ ଗାଉଥାଏ ।

       "ଦିଲ କା ରିସ୍ତା ବଡା ହି ପ୍ୟାରା ହେ

       କିତନା ପାଗଲ ଦିଲ ହମାରା ହେ

       ହମ ତୋ ଏକ ଦୁସରେ ପେ ମରତେ ହେ

        ଜାନତେ ୟେ ଜାହାନ ସାରା ହେ

        ଦିଲ କା ରିସ୍ତା ବଡା ହି ପ୍ୟାରା ହେ ।"

ଗୀତଟି ଭିତରେ ନିଜ ସହ ପ୍ରବୀଣଙ୍କୁ କଳ୍ପନାକରି ମୁଁ ହଜିଯାଇଥାଏ କୌଣସି ଏକ ଅବାସ୍ତବ ଦୁନିଆରେ । ଠିକ୍ ଏଇ ସମୟରେ ହଠାତ୍ ପ୍ରବୀଣଙ୍କ ଚିତ୍କାର ମୋତେ ବାସ୍ତବତାର ସମ୍ମୁଖୀନ କରାଉ କରାଉ ଆମ ଗାଡିଟି ଶୀକାର ହୋଇପଡେ ଦୁର୍ଘଟଣାର ।


କେମିତି, କାହିଁକି, କଣ ହେଲା କିଛି ଜଣା ନଥାଏ ମୋତେ । କେବଳ ମୋ ଜାଣତରେ ମୁଁ ରାସ୍ତାରେ ନଥାଏ । ମୋ ଶରୀରରେ ଶକ୍ତି ନଥାଏ । ମୋତେ ଲାଗିଥାଏ ଆଘାତ । ହାତ ଗୋଡ ସବୁଠି ମୁଁ ଯନ୍ତ୍ରଣା ପାଉଥାଏ । ବହି ଚାଲୁଥାଏ ରକ୍ତ । ମୋ ମୁଣ୍ଡ । ମୋ ମୁଣ୍ଡ କଣ କଣ ହୋଇ ଯାଉଥାଏ । ମୁଁ ଖାଇ ତଳେ ଜଙ୍ଗଲ ଭିତରେ ପଡି ଉଠିବାର ଶକ୍ତି ପାଉନଥାଏ । ଚିତ୍କାର କରିବାର ମଧ୍ୟ ଆଉ ତାକାତ ନଥାଏ ମୋ ଠି । ମୁଁ ବୋଧେ ମୃତ୍ୟୁବରଣ କରୁଥାଏ ଧୀରେ ଧୀରେ । ହେଲେ ପ୍ରବୀଣଙ୍କ ଚିନ୍ତା ମୋତେ ମୋ ଠୁ ବି ଅଧିକ ଲାଗେ । କିନ୍ତୁ ପାଞ୍ଚ ମିନିଟ ମଧ୍ୟ ଠିକ୍ ରୂପେ ବିତିନଥିବ ମୁଁ ନିଜସ୍ୱ ସଂଜ୍ଞା ହରାଇବସେ ।


      ସଂଜ୍ଞା ଫେରି ପାଏ ଡାକ୍ତରଖାନାର ବେଡ୍ ଉପରେ । ଆଖି ଖୋଲିବା କ୍ଷଣି ଖୋଜେ ପ୍ରବୀଣଙ୍କୁ । ଉଠି ଦୌଡି ଯିବାକୁ ଚେଷ୍ଟା କରେ ତାଙ୍କ ପାଖକୁ । ହେଲେ ମୋ ଦେହରେ ଏତେ ଶକ୍ତି ନଥାଏ ଏବଂ ଶରୀରଟି ସାଲାଇନ୍ ର ମହତାଜରେ ପଡିଥାଏ ତଥା ମୋତେ ଲାଗୁଥାଏ ମୋ ଶରୀରର ବହୁତ କିଛି ହରାଇଦେଇଛି । ସେହି ପରେ ପରେ ହିଁ ଅନୁଭବକୁ ଆସେ ମୁଁ ଗୋଡ ହଲେଇ ପାରୁନି । ତତକ୍ଷଣାତ୍ ଚିତ୍କାର କରେ ଗୋଡ ! ଗୋଡ ! କହି । ବାହାରୁ ପ୍ରବୀଣ ଆସିଯାଅନ୍ତି । ତାଙ୍କୁ ଦେଖି ଭୋ ଭୋ କାନ୍ଦିଚାଲେ । ହାତରେ ତାଙ୍କର ଆଘାତ । ମୁଣ୍ଡରେ ଲାଗିଛି ପଟି । ଧୀମା ଗତିରେ ତାଙ୍କ ଚାଲି । ଏସବୁ ଭିତରେ ବୁଝିଯାଏ ଯେ ସେ ମୋ ଠୁ କମ ଆଘାତ ପାଇଛନ୍ତି । ମନତ ତାଙ୍କୁ ଦେଖି ଶାନ୍ତି ପାଏ ହେଲେ ମୋ ଗୋଡ !!!


      ପ୍ରବୀଣ ମୋ ସହ କାନ୍ଦିଚାଲନ୍ତି । ମୁଁ ବହୁତ ଚେଷ୍ଟା କରେ ଉଠିବି । ତାଙ୍କ ହାତ ଧରି ସବୁ ଠିକ୍ ଅଛି କହି ସାନ୍ତ୍ବନା ଦେବି ମାତ୍ର ପାରୁ ନଥାଏ । କାନ୍ଦି କାନ୍ଦି ସେ କହନ୍ତି ଦୁର୍ଘଟଣାରେ ଶୀକାର ହୋଇଛି ମୋତେ ହରାଇବାକୁ ପଡିଛି ମୋ ଦୁଇ ଗୋଡ । ଆଜୀବନ ପଙ୍ଗୁତ୍ବକୁ ଗ୍ରହଣ କରିବାକୁ ହିଁ ହେବ ଏବେ । ଚକାଲଗା ଚୌକି ଆଗାମୀ ଜୀବନ ପାଇଁ ମୋ ଗୋଡ ହୋଇ ଚଲାଇବ ଜୀବନକୁ ।


      ସ୍ତବ୍ଧ । ନିଶ୍ଚଳ । ଶକ୍ତିଶୂନ୍ୟ । ଶଦ୍ଦହୀନ ମୁଁ । ଲୁହ ମଧ୍ୟ ଗଡୁଛି ନା ନାଇଁ ମୋତେ ଜଣା ନଥାଏ । ବିକଳାଙ୍ଗକୁ ସହଜରେ ଗ୍ରହଣ କରିବା ମୋ ପାଇଁ ସହଜ ନଥାଏ । ଚାରିଦିଗ ଅନ୍ଧାର ମୋ ପାଇଁ । ପ୍ରବୀଣଙ୍କ ସୁଖମୟ ଜୀବନରେ ମୁଁ ଲଗେଇ ଦେଇଛି ଗ୍ରହଣ । ବଂଚିବା, ମରିବା ସମାନ ମୋ ପାଇଁ । ବୋଝ ହୋଇ କେମିତି, କାହିଁକି, କେତେଦିନ ପ୍ରବୀଣଙ୍କୁ କଷ୍ଟ ଦେବି । ଏମିତି ଭାବନାରେ ମୁଁ ହଜିଥାଏ ଯେ ହଜିଥାଏ । 


       ପ୍ରବୀଣ ଆଉଁଷି ଦିଅନ୍ତି ମୁଣ୍ଡକୁ । କପାଳକୁ ଚୁମିଦେଇ ପୋଛି ଦିଅନ୍ତି ଲୁହ । ଆଖିକୁ ଆଖିରେ ମିଶେଇ ଦୁଃଖ ଭରା ମୁହଁରେ ଆଶାର ହସଟିଏ ଖେଳାଇ ବେଡରେ ମୋ ସ୍ପନ୍ଦନ ସହ ମିଶାଇ ଦିଅନ୍ତି ତାଙ୍କ ସ୍ପନ୍ଦନ । ସତ୍ୟକୁ ଜାଣି ଭଲ ପାଅନ୍ତି ମୋତେ । ବଂଚିଇବା ନୂତନ ଦିଶାରେ ବହେଇ ନିଅନ୍ତି ଜୀବନକୁ ପୁଣିଥରେ । ଦେଖେଇ ଦିଅନ୍ତି ଭଲପାଇବାର ନୂତନ ଦିଶା । ଲଗାଇ ଦିଅନ୍ତି ଜୀବନ ପ୍ରତି ଏକ ଭିନ୍ନ ନିଶା ।

     


Rate this content
Log in

Similar oriya story from Romance