Smruti Ranjan

Romance Classics Fantasy

3.6  

Smruti Ranjan

Romance Classics Fantasy

ପ୍ରଥମ ପ୍ରେମ【ଭାଗ-୫】

ପ୍ରଥମ ପ୍ରେମ【ଭାଗ-୫】

4 mins
406


   ( କାହାଣୀ ଟିକୁ ବୁଝିବା ପାଇଁ ପ୍ରକାଶିତ ପୂର୍ବ ଅଧ୍ୟାୟ ମାନ ପଢିବାକୁ ଅନୁରୋଧ। )

      ଅପେକ୍ଷା.....ପ୍ରତୀକ୍ଷା........। ପ୍ରତୀକ୍ଷା ପ୍ରେମର ଗଭୀରତାକୁ ଦର୍ଶାଏ।ଯାହାର ପ୍ରେମ ଯେତେ ଗଭୀର,ସେ ସେତେ ଧର୍ଯ୍ୟର ସହ ଅପେକ୍ଷା କରିପାରେ ହୃଦୟର ମଣିଷଟିକୁ ପାଇବା ପର୍ଯ୍ୟନ୍ତ।ହୃଦୟର ପ୍ରେମିକକୁ ଅପେକ୍ଷା କରିବା ଓ ତା'ରି ଭାବନାରେ ଦିନରାତି କାଟିଦେବା ଏ ସବୁ ଜଣେ ସଚ୍ଚା ପ୍ରେମିକା ହିଁ କରିପାରେ।ମନର ମଣିଷଟି ଯେବେ ପାଖରେ ନଥାଏ, ସେତେବେଳେ ବହୁତ କଷ୍ଟଦାୟକ ଲାଗିଥାଏ ସେ ବିରହ । କିନ୍ତୁ ସେଇ ବିରହ ଭିତରେ ଜଳି ଜଳି ମନର ମଣିଷଟିକୁ ଅପେକ୍ଷା କରିବା ଏକ ସାଧନା।କେବେ କେବେ ସେଇ ପ୍ରତୀକ୍ଷାର ବିରହ ମଧୁର ଲାଗେ।ନିଜ ପ୍ରେମର ପ୍ରତୀକ୍ଷାରେ ଜଡସଡ କୃଷ୍ଣପ୍ରିୟା ଚାତକି ପରି ଚାହିଁ ରହିଥିଲା ସମ୍ରାଟର ଦର୍ଶନ ପାଇଁ।ସମ୍ରାଟର ବିରହ ରେ ସମ୍ରାଟର ଭାବନା ହିଁ ବଞ୍ଚିବାର ରାହା ଦେଉଥିଲା ତାକୁ।ଯାହାକୁ ପ୍ରେମ କରୁଥିବ ତା ଅପେକ୍ଷାରେ ଦିନରାତି କାଟିବା କିମ୍ବା ତାଙ୍କୁ ଭାବି ଭାବି ସମୟ ଅତିବାହିତ କରିବା ବହୁତ ମଧୁର ଲାଗିଥାଏ।ଜଣକ ପ୍ରତି ସମର୍ପିତ ହେଲାପରେ ପ୍ରେମ ଚକ୍ଷୁରେ ଆଉ କାହାର ଛାଇକୁ ନ ଦେଖିବା କେବଳ ସେଇ ଜଣଙ୍କ ପାଇଁ ହୃଦୟର ସମସ୍ତ ଆବେଗ ଓ ପ୍ରଣୟକୁ ବାନ୍ଧିରଖି ମନର ମାନସକୁ ପାଖରେ ପାଇଲା ପରେ ତାଙ୍କରି ପାଦତଳେ ସବୁ ଅଜାଡି ଦେଇପାରେ ଜଣେ ସଚ୍ଚା ପ୍ରେମିକା।ଆଉ କୃଷ୍ଣପ୍ରିୟା ଜଗନ୍ନାଥ ସଂସ୍କୃତିକୁ ମାନୁଥିବା ଖାଣ୍ଟି ଓଡିଆଣୀ ଝିଅଟିଏ।ସେ ସତୀତ୍ବର ମହତ୍ବକୁ ଜାଣେ। ସମ୍ରାଟଠାରୁ ଏତେ ଦୂରରେ ଅଛି ବୋଲି ବିରହରେ ବହୁତ ଜଳିଛି ସତ ମାତ୍ର ସେଇ ଜଳିବା ଭିତରେ ବି ସେ ପ୍ରେମର ମାଧୁର୍ଯ୍ୟତାକୁ ଅନୁଭବ କରିପାରେ।ପ୍ରେମ ସେ ଦୁଇ ଜଣଙ୍କୁ ବିରହ ନିଆଁରେ ଜାଳି ଦୁଇ ଜଣଙ୍କର ପରୀକ୍ଷା ନେଉଥିଲା।ଯେମିତି ସମୟ ଘନେଇ ଆସୁଥିଲା ସେମିତି ଅସହ୍ୟ ହୋଇପଡିଥିଲା ଦୁଇଜଣଙ୍କର ମନ ପରସ୍ପରକୁ ଭେଟିବାକୁ।

ବିଧିର ବିଧାନ ଅନୁସାରେ ଏବଂ ସମୟର ସଂଯୋଗ କ୍ରମେ ସମ୍ରାଟ ଓ କୃଷ୍ଣପ୍ରିୟାର ପରିଚୟ ହୋଇଥିଲା।ଧୀରେ ଧୀରେ ଦୁଇଜଣ ପରସ୍ପର ବିଷୟରେ ଜାଣିବାକୁ ଲାଗିଲେ।କୃଷ୍ଣପ୍ରିୟା ସମ୍ରାଟର ଗଳ୍ପ ପଢୁ ପଢୁ ଏବଂ ସମ୍ରାଟ କୃଷ୍ଣପ୍ରିୟାର ସବୁ ଗୁଣ ଜାଣୁ ଜାଣୁ କେତେବେଳେ ପ୍ରେମରେ ପଡିଗଲେ ସେମାନେ ଜାଣିପାରିଲେନି। ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଦୁହେଁ ସଂକଳ୍ପ କରିଥିଲେ ଯେ ଦୁହିଁଙ୍କ ଦେଖା ସାକ୍ଷାତ କୌଣସି ଏକ ମନ୍ଦିରରେ ହେବ। ଆଉ ସେ ପର୍ଯ୍ୟନ୍ତ ଦୁହିଁଙ୍କୁ ଧର୍ଯ୍ୟର ସହ ପ୍ରତୀକ୍ଷା କରିବାକୁ ହେବ।

        କିନ୍ତୁ ଏହି ପାଞ୍ଚ ବର୍ଷର ପ୍ରତୀକ୍ଷାର ଆଉ ଏକ କାରଣ ହେଉଛି କୃଷ୍ଣପ୍ରିୟା...! କୃଷ୍ଣପ୍ରିୟା ସମ୍ରାଟକୁ କହିଥିଲା ଯେତେବେଳେ ସେ ନିଜର ଭୟ ଓ ଲାଜକୁ ସମ୍ବରଣ କରି ନ ପାରିଛି ସେ ପର୍ଯ୍ୟନ୍ତ ସମ୍ରାଟର ସମ୍ମୁଖକୁ ଆସିପାରିବନି, ଆସିଗଲେ ବି ଲାଜରେ ଚାହିଁପାରିବନି ।ଭଗବାନଙ୍କ ଇଛା କୁହନ୍ତୁ କି ସମୟର କ୍ରୁରତା ଏତେ ଦିନ ଯାଏ ସେମାନେ ଦେଖାକରିପାରି ନଥିଲେ ।ସମ୍ରାଟ ମଧ୍ୟ ବିଜ୍ ନେସ କାମରେ ବାହାରେ ରହୁଥିଲା । କାର୍ଯ୍ୟ ବ୍ୟସ୍ତତାଥାଇ ମଧ୍ୟ ବାରମ୍ବାର କହୁଥିଲା ଦେଖାକରିବାକୁ ।କିନ୍ତୁ ସମ୍ରାଟ କୃଷ୍ଣପ୍ରିୟାକୁ ଯେତିକି ପ୍ରେମ କରୁଥିଲା ତା' ଠାରୁ ବଳି ଅଧିକ ସମ୍ମାନ କରୁଥିଲା ତେଣୁ ସମ୍ରାଟ ମଧ୍ୟ ରାଜି ହୋଇ ସାରିଥିଲା କୃଷ୍ଣପ୍ରିୟା କଥାରେ ଆଉ ଆଜି ପାଞ୍ଚ ବର୍ଷ ପରେ କୃଷ୍ଣପ୍ରିୟାର ପ୍ରସ୍ତାବ ଆସିଛି ଦେଖା ସାକ୍ଷାତ କରିବାକୁ । ଯାହାକୁ ସମ୍ରାଟ କୌଣସି ମତେ ହରେଇ ବାକୁ ଚାହୁଁନଥିଲା। ଖାସ୍ ସେଥିପାଇଁ ବନ୍ଧୁ ରାଜାକୁ ନେଇ ଧାଇଁ ଆସିଥିଲା ଦେଖା କରିବାକୁ।

        ଜଗନ୍ନାଥଙ୍କ ଛତ୍ରଛାୟା ତଳେ ଦୁହେଁ ଆଜି ଉପସ୍ଥିତ। କୁଞ୍ଜ ବାଟିକା ଓ କୃଷ୍ଣଚୁଡା ଆଜି ସାଜିଛନ୍ତି ନୀରବ ଦର୍ଶକ। ସମୟ ଅଟକିଯିବା ସହ ଦୁହିଁଙ୍କ ଚେତନା ଆଜି ଏକ ହେଇ ସାରିଛି। ସ୍ଥୂଳ ଶରୀରରୁ ଉର୍ଦ୍ଧ୍ୱରେ ଉଠି ଦୁହେଁ ଆଜି ସୂକ୍ଷ୍ମ ଶରୀରରେ ବିଚରଣ କରୁଛନ୍ତି। ଦୁହିଁଙ୍କ ଆଖିରୁ ଆଜି ଅନବରତ ଅଶ୍ରୁର ବନ୍ୟା ପ୍ଲାବିତ ହେଉଛି। ପାଞ୍ଚ ବର୍ଷର ପ୍ରତୀକ୍ଷା, ଆଉ ଏହି ସମୟରେ ଘଟିଥିବା ଅନେକ ସ୍ନେହ ପ୍ରେମ, ରାଗ ରୁଷା, ମାନ ଅଭିମାନ ଓ ଆବେଗର ଜମାଟ ବରଫ ସବୁ ଅଶ୍ରୁର ରୂପ ନେଇ ବହି ଯାଉଛି। ମେଘାଚ୍ଛନ୍ନ ଆକାଶ ଆଜି ବାଦଲ ମୁକ୍ତ ହୋଇଛି। ସମୟ ଆଜି କଇଁ ଓ ଚାନ୍ଦ ମଧ୍ୟରେ ଥିବା ବାଦଲ ରୂପୀ ପ୍ରତିବନ୍ଧକ ହଟେଇ ଦେଇଛି। ଦୁହିଁଙ୍କର ଆଜି ମିଳନ ହେଉଛି। ଦୁହେଁ ଦୁହିଁଙ୍କୁ ଆଖି ପୁରେଇ ଦେଖୁଛନ୍ତି।

          ଠିକ୍ ଏହି ସମୟରେ କୁଆଡୁ ଏକ କୋଇଲି ଆସି ତା' ସୁମଧୁର କୁହୁ କୁହୁ ତାନରେ ସାରା କୁଞ୍ଜ ବାଟିକା କୁ କମ୍ପାଇ ଦେଲା। ସତେ କି ପ୍ରକୃତିର ନିର୍ଦ୍ଦେଶରେ କୋଇଲି ଆଜି ସେ ମୁହୂର୍ତ୍ତକୁ ଆହୁରି ରୋମାଞ୍ଚିତ କରିଦେଲା। ଲାଗିଲା ଯେପରି ପ୍ରକୃତି ମଧ୍ୟ ଉତ୍ସୁକତା ଵଶତଃ ଅନେଇ ବସିଛି ପ୍ରେମୀ ଯୁଗଳଙ୍କ ଆଗାମୀ ପଦକ୍ଷେପ ସବୁ ଦେଖିବାକୁ।

        ପ୍ରକୃତିସ୍ଥ ହେଲେ ସମ୍ରାଟ ଓ କୃଷ୍ଣପ୍ରିୟା । ଚେତନା ଫେରି ଆସିଲା ଦୁହିଁଙ୍କର। ସୂକ୍ଷ୍ମ ଶରୀରରୁ ସ୍ଥୂଳ ଶରୀର କୁ ଫେରି ଆସିଲେ ଦୁହେଁ। ଲାଗୁଥିଲା ସତେ ଯେମିତି ଦୁହେଁ ଚାଲି ଯାଇଥିଲେ କୋଉ ଏକ ଦୂର ଅଜଣା ରାଇଜକୁ ମନରେ ଲୁଚି ରହିଥିବା କେତେ ଅକୁହା କଥା ସବୁ ହେବାକୁ। ସତେ କି ଶବ୍ଦ ବିହୀନ ବାର୍ତ୍ତାଳାପ ଚାଲିଥିଲା ଦୁହିଁଙ୍କର ଆଖିରେ ଆଖିରେ। ଦୁହେଁ ଦୁହିଁଙ୍କ ଆଖିରେ ହଜି ଯାଇଥିଲେ ଆଉ ମଜ୍ଜି ଯାଇଥିଲେ ସମୟକୁ ପାଥେୟ କରି।

        ଏଥରକ ଦୁଇ ପାଦ ଆଗେଇ ଆସିଲା ସମ୍ରାଟ କୃଷ୍ଣପ୍ରିୟାର ଅତି ନିକଟକୁ। ଚିର ଇପ୍ସିତ ମନର ମଣିଷକୁ ଅତି ନିକଟରେ ପାଇ ରୋକି ପାରିଲାନି କୃଷ୍ଣପ୍ରିୟା।ସାମ୍ନାରେ ପ୍ରଥମ ପ୍ରେମକୁ ଦେଖି ଲାଜକୁଳି ଫୁଲେଇ କୃଷ୍ଣପ୍ରିୟା ଲାଜରେ ସମ୍ପୂର୍ଣ୍ଣ ଝାଉଁଳିଯାଇ ଆଣ୍ଠେଇ ପଡ଼ିଲା ସମ୍ରାଟର ପାଦ ପାଖରେ।ସ୍ୱାମୀ ସୁହାଗିନୀ ପରି ଦୁଇ ହାତରେ ଦୁଇ ପାଦକୁ ଛୁଇଁ ମୁଣ୍ଡିଆ ଟିଏ ମାରିଲା ଆଉ କହିଲା-:" ହୃଦୟର ପ୍ରଣୟ ପ୍ରଦେଶରୁ ପ୍ରୀତିଭରା ପ୍ରଣାମ କରୁଛି ଆପଣଙ୍କ ପ୍ରିୟତମା। ଆଶା ପ୍ରିୟତମ ପ୍ରୀତିଭରା ଆଶୀର୍ବାଦ କରିବେ।" 

      ଆଚମ୍ବିତ ହେବା ସହ ଖୁସିରେ ଗଦ୍ ଗଦ୍ ହେଇଗଲା ସମ୍ରାଟ। ଖୁସି ରେ ଛାତି କୁଣ୍ଢେମୋଟ ହେଇଗଲା ସମ୍ରାଟର।କୃଷ୍ଣପ୍ରିୟାର ମସ୍ତକରେ ହାତ ରଖି ଦେଉ ଦେଉ ଅତ୍ୟଧିକ ଖୁସିରେ ଆଖିରୁ ଆଉ ଦୁଇ ଧାର ଲୁହ ଝରି ଆସିଲା।

         ଶୁଣିଥିଲା ସମ୍ରାଟ, ପ୍ରଥମ ଦେଖାରେ ପ୍ରେମୀ ଯୁଗଳ ମାନେ ପାଶ୍ଚାତ୍ୟ ଦେଶର ସଂସ୍କୃତିକୁ ଅନୁସରଣ କରି ନିଜକୁ ଦୃଢ଼ ଆଲିଙ୍ଗନ ଭିତରେ ହଜାଇ ଦିଅନ୍ତି। ମୁହଁ ସହ ମୁହଁକୁ ଯୋଡ଼ି ଦେଇ କୁହନ୍ତି ଏସବୁ ପ୍ରେମର ଏକ ପ୍ରକାର ଫ୍ୟାସନ। କିନ୍ତୁ ଜଗନ୍ନାଥ ସଂସ୍କୃତିକୁ ଗୁରୁ ଜ୍ଞାନ କରୁଥିବା କୃଷ୍ଣପ୍ରିୟା ନିକଟରେ ଏକ ଓଡ଼ିଆ ବୋହୂର ସମସ୍ତ ଲକ୍ଷଣ ଥିବା ଦେଖି ସମ୍ରାଟ ମନ ଗର୍ବରେ ଫାଟି ପଡ଼ୁଥିଲା। ଯାହା ତା'ର ଆଖି ସ୍ପଷ୍ଟ ରୂପେ ଇଙ୍ଗିତ କରୁଥିଲା।

     ଖୁସିର ଲୁହକୁ ପୋଛି ପକାଇଲା ସମ୍ରାଟ। ସାହାସ କରି କୃଷ୍ଣପ୍ରିୟାର ମୁହଁ କୁ ସାମାନ୍ୟ ତୋଳି ଧରିଲା ଉପରକୁ। ଭୟ ମିଶା ଲାଜରେ ଆଖି ବନ୍ଦ କରିଦେଲା କୃଷ୍ଣପ୍ରିୟା। ମନର ମଣିଷର  ପ୍ରଥମ ସ୍ପର୍ଶରେ ଶରୀରରେ ଶିହରଣ ଖେଳିଗଲା କୃଷ୍ଣପ୍ରିୟାର। ସାରା ପରିବେଶ ଯେମିତି ରୋମାଞ୍ଚକ ହୋଇ ଉଠିଲା। ଲାଜରେ ସଙ୍କୁଚିତ ହେଇଗଲା କୃଷ୍ଣପ୍ରିୟା। ସମ୍ରାଟ ଉପଭୋଗ କରୁଥିଲା ତା'ର ଏଇ ଲଜ୍ଜାଶୀଳ ଅବସ୍ଥାକୁ। ଆଖିର ଅନବରତ ଲୋତକ ଝରିବା ସକାଶେ କିଛି ଟା କଜ୍ଜଳ ବୋହି ଆସିଥିଲା ଗଣ୍ଡ ଦେଶ ଦେଇ କୃଷ୍ଣପ୍ରିୟାର। ସମ୍ରାଟ ଦୁଇ ହାତରେ କୃଷ୍ଣପ୍ରିୟାର ଲୁହକୁ ପୋଛିଦେଇ କହିଲା -" ହୃଦୟର ପ୍ରୀତି ପ୍ରଦେଶରୁ ପ୍ରୀତିଛନ୍ଦା ଫୁଲେଇ ପ୍ରିୟାକୁ ମୋର ଅନେକ ପ୍ରେମ ଓ ଆଶୀର୍ବାଦ।"

---:"ତା'ହେଲେ ଆଜି ମୋର ଭାଗ୍ୟ ଉଦୟ ହେଲା । ପ୍ରସିଦ୍ଧ ଫୁଲେଇ ରାଣୀଙ୍କ ଦର୍ଶନ ମିଳିଲା...!"

        ମୁରୁକି ହସିଦେଇ ଲାଜେଇଗଲା କୃଷ୍ଣପ୍ରିୟା...............। କାହାଣୀ ଆଗକୁ ବାକି ଅଛି......


Rate this content
Log in

Similar oriya story from Romance