ପ୍ରଥମ ଛୁଆଁ
ପ୍ରଥମ ଛୁଆଁ


ଆକାଶରେ ନଥିଲା ବାଦଲ ଝରୁନଥିଲା କେଇ ବୁନ୍ଦା ବର୍ଷା ।ତଥାପି କେଉଁ ଏକ ଅଜଣା ଆବେଗରେ ସମ୍ପୂର୍ଣ୍ଣ ରୂପେ ଭିଜିଯାଉଥିଲା ମୀରା ।ଅପୂର୍ବ ସେ ଉନ୍ମାଦନା ।ଅଜଣା ସେ ସମ୍ମୋହନ ।ମନେ ମନେ ଭାବୁଥିଲା ମୋହନ ବି କଣ ଭିଜୁଥିବେ ତା'ପରି ଏ ଅପୂର୍ବ ମହାର୍ଘରେ ?
ଦ୍ଵାପର ଯୁଗର ମୋହନ ସିନା ନିଜ ବଂଶୀଧ୍ୱନୀରେ କିଣିନେଇଥିଲେ ରାଧାର ମନ ,ଆନମନା କରୁଥିଲେ ଗୋପିବାଳାଙ୍କୁ,ଅଦ୍ୱିତୀୟ ଭକ୍ତିରସରେ ଜୟ କରିଥିଲେ ମିରାବାଇଙ୍କ ଶରୀର,ମନ ,ପ୍ରାଣକୁ ।ଏ ଆଧୁନିକ ଯୁଗର ମୋହନ କୋଉ କମ୍ ଯେ ?ଦେଖୁନ କେମିତି ପ୍ରଥମ ଛୁଆଁରେ ଚୋରିକରିନେଲେ ଏଇ ମୀରାକୁ ।ନା ଆଉ ମୀରା ନିଜର ହୋଇ ଅଛି ନା ମୋହନଙ୍କର ହେଇପାରିଛି ।କେବଳ ସେ ପ୍ରଥମ ଛୁଆଁର ମିଠା ମିଠା ସ୍ମୃତିକୁ ସାଉଁଟି ନିଜ ଭିତରେ ଜଳୁଛି ।ଯୋଉ ନିଆଁକୁ ନା ମୋହନ ଦେଖିପାରୁଛନ୍ତି ନାଁ ଲିଭେଇ ପାରୁଛନ୍ତି ।
ସମ୍ପର୍କର ସୂତାଖିଅ ଯୋଡି ହେବା ଦିନରୁ ଦୂରତ୍ୱର ପ୍ରାଚୀରକୁ ଡେଇଁ କେବେ ବି ସାକ୍ଷାତ ହେବାର ସୁଯୋଗ ଆସିନି ।ସମ୍ପର୍କର ବିହ୍ଵଳତା କେବଳ କିଛି ଶବ୍ଦଗୁଚ୍ଛର ସୀମା ଭିତରେ ଆବଦ୍ଧ ହୋଇ ଅଣନିଃଶ୍ୱାସୀ ହୋଇପଡିଥିଲା ଯେମିତି ।ଶେଷରେ ବହୁଦିନର ପ୍ରତିକ୍ଷାର ଅନ୍ତ ଘଟିଛି ।ମୀରା ତା'ହୃଦୟର ପ୍ରତିଟି ସ୍ପନ୍ଦନରେ ସାଇତି ରଖିଥିବା ମନର ମଣିଷକୁ ପାଖରେ ପାଇଛି ।ଉହୁଁ ଅତି ପାଖରେ ପାଇଛି ।ହୃଦୟରେ ଅସରନ୍ତି ଅଭିମାନର ଗପ ପସରା ମେଲାଇଦେଇଥିଲେ ବି ଓଠ ସାଜିଥିଲା ମୂକ ।ଏପରି ଏକ ସୁନ୍ଦର ସମୟକୁ ବାନ୍ଧି ରଖିହୁଅନ୍ତା ଯଦି ମୀରା ତ ନିଶ୍ଚୟ ବନ୍ଦୀ କରି ଦେଇଥାନ୍ତା ।
ସାଧାରଣତଃ ଦୁଇ ପ୍ରେମୀଯୁଗଳଙ୍କ ପାଇଁ କୌଣସି ଏକ ନିକାଞ୍ଚନ ଶାନ୍ତକାନ୍ତ ପରିବେଶ କୁଞ୍ଜବନ ପରି ପ୍ରେମ ଅଧ୍ୟାୟର ମୂକସାକ୍ଷୀ ହେବା ପରି ନଥିଲା ମୋହନ ଆଉ ମୀରାଙ୍କ କୁଞ୍ଜବନ ।ଓସାରିଆ ବହୁଦୀର୍ଘ ସଡ଼କଟି ଥିଲା ତାଙ୍କ ପ୍ରେମ ଆଳାପର କୁଞ୍ଜବନ ।ନଥିଲା ସେଠାରେ ବୃକ୍ଷମାନଙ୍କର ସମ୍ଭାର ନଥିଲା ପକ୍ଷୀମାନଙ୍କର ମଧୁର ସ୍ୱର ,ଥିଲା କେବଳ ଯାନବାହନର କର୍କଶ ସ୍ୱର ଏବଂ ପଥଚାରୀଙ୍କ କୋଳାହଳ ।
ଆକାଶର ସୂର୍ଯ୍ୟଟା ଦୁଇ ପ୍ରେମୀ ଯୁଗଳଙ୍କ ସାକ୍ଷାତକୁ ସହ୍ୟ କରିପାରିନଥିଲା ବୋଧ ହୁଏ କାହାଣୀର ଖଳନାୟକ ପରି ଉଷ୍ମ କିରଣ ଢାଳିଦେଇ ଧ୍ୟାନଭଙ୍ଗ କରୁଥିଲା ଦୁହିଁଙ୍କର ।ମୀରାପାଇଁ ସେ ତେଜ ପୁନେଇଁ ରାତିର ଶୁଭ୍ର ଶାନ୍ତ ଚନ୍ଦ୍ରମାର ଜ୍ୟୋତ୍ସ୍ନା ପରି ଅନୁଭବ ହେଉଥିଲା କାରଣ ତା' ମୋହନକୁ ପାଇ ସେ ସବୁକିଛି ଭୁଲି ଯାଇଛି ଯେମିତି ।
ଖୁବ ସନ୍ତର୍ପଣରେ ମୋହନର ମୋଟରଗାଡିରେ ମୀରା ବସିଥାଏ ।କାଳେ ତା ଦେହର କୋଉ ଅଙ୍ଗ ସ୍ପର୍ଶ କରିଯିବ ମୋହନକୁ ।କାଳେ ମୋହନ ଭୂଲିଯିବେ ସାମାଜିକ ବନ୍ଧନକୁ କାଳେ ବିଚ ସଡକରେ କୋଳାଗ୍ରତ କରିନେବେ ତାଙ୍କ ମନର ମାନସୀକୁ ,କାଳେ ଛୁଇଁଯିବେ ପ୍ରେୟସୀର ଗୋଲାପୀ ଓଠକୁ ।ସେ ଯାହାହେଉ ଏ ମଧୁର ମୁହୁର୍ତ୍ତକୁ ଛାତିରେ ଜାବୁଡି ରଖିବାକୁ ମୋହନଙ୍କ ଇଚ୍ଛା ଅଭିଳାଷକୁ ଜାଣିବାର ପ୍ରୟାସ କରୁନଥିଲା ମୀରା ।କେବଳ ଗପି ଚାଲିଥିଲା ପାଗଳୀଙ୍କ ପରି ।କାରଣ ସେ ଜାଣିଥିଲା କିଛି ଘଣ୍ଟା ପରେ ଦୁହେଁ ଫେରିଯିବେ ନିଜ ନିଜ ଘରକୁ ।
ହଠାତ୍ ଆଧୁନିକ ସଡକର ଦୁର୍ଘଟଣା ନିରୋଧୀ ହମ୍ପସ୍ ର ପ୍ରଭାବରେ ଅଳ୍ପକେ ବର୍ତ୍ତିଯାଇଥିଲେ ଦୁହେଁ ।ଭୟରେ ମୋହନକୁ ଜାବୁଡି ଧରିଥିଲା ମୀରା ।ମୋହନ ବି ଡରିଯାଇଥିଲେ ମଧ୍ୟ ନିଜ ପୁରୁଷସୁଲଭ ଦାମ୍ଭିକତା
ଦେଖାଇବାକୁ ପଛାଇ ନଥିଲେ ।କିନ୍ତୁ କାହିଁକି କେଜାଣି ଚୁପ୍ ହୋଇଯାଇଥିଲେ ।ମୀରା କିନ୍ତୁ ସେ ପ୍ରଥମ ଛୁଆଁର ମହକରେ ବାସୁଥିଲା ।ମନ କହୁଥିଲା ପୁଣି ଥରେ ଜାବୁଡି ଧରନ୍ତା ତା ମୋହନକୁ ।ଅନୁଭବ କରିପାରନ୍ତା ଯୌବନର ମିଠା ଆସକ୍ତିକୁ ।ଆଙ୍କିଦିଅନ୍ତା ମୋହନଙ୍କ ମଥାରେ ପ୍ରୀତି ଚୁମ୍ବନଟେ ,ନିଜକୁ ହଜାଇ ଦିଅନ୍ତା ମୋହନଙ୍କ ବାହୁ ବଳୟ ଭିତରେ ।ସଂସାରର ଅଗଣାରେ ଘୁରି ବୁଲୁଥିବା ପ୍ରେମ ପିୟୁଷକୁ ଆକଣ୍ଠ ପାନ କରି ସାଜିଯାଅନ୍ତା ପ୍ରୀତିପର୍ଣ୍ଣା ସ୍ରୋତସ୍ୱିନୀଟିଏ । ପ୍ରଣୟର ବିରାଟ ସିନ୍ଧୁରେ ବୁଡ଼ ପକାଇ ଧୋଇଦିଅନ୍ତା ପାପରୂପୀ ବିରହ ବେଦନାକୁ ,ରଚିଯାଆନ୍ତା ପୀରତିର ନୂଆ ଏକ ଅଧ୍ୟାୟ ।