ବାଇଚଢ଼େଇଠାରୁ ଶିକ୍ଷା
ବାଇଚଢ଼େଇଠାରୁ ଶିକ୍ଷା
ବାଇଚଢ଼େଇ ବସାକୁ ଦେଖି ଜେଜେ କଣ କାଗଜ କଲମରେ ଲେଖିଦେଉଛନ୍ତି ଜାଣିବା ପାଇଁ କୁନାର ମନରେ ଆଗ୍ରହ ସୃଷ୍ଟି ହେଲା ।
ସେ ଜେଜେଙ୍କ ପାଖକୁ ଯାଇ ପଚାରିଲା ,ଜେଜେ କଣ ଲେଖୁଛ ?ଜେଜେ କହିଲେ କବିତାଟିଏ ଲେଖୁଛି ବାଇଚଢ଼େଇକୁ ଦେଖି ।
କୁନା ଜାଣେ ଜେଜେ ଅନେକ ଥର ତାଙ୍କ ବହିରେ ଥିବା ଗୀତ ଭଳି ମଜାଳିଆ ଗୀତ ଲେଖିଛନ୍ତି ।ଯାହାକୁ ସେ କବିତା ବୋଲି କୁହନ୍ତି ।
କୁନାର ଇଚ୍ଛା ହେଲା ସେ କବିତାଟି ଦେଖିବା ପାଇଁ ।ଅଜା କହିଲେ ଆଛା ତୁ ତ ପଢିପାରୁଛୁ ।ନେ ତୁ ନିଜେ ପଢ଼ ମୋ କବିତା ।କୁନା ପଢିବା ଆରମ୍ଭ କଲା ।
ପରିଶ୍ରମୀ ହୁଅ ସର୍ବଦା
ତାଳ ବରଡାକୁ ଭରସା କରି ବାଇ ଚଢେଇ
ଯତନେ ଗଢ଼ିଛି ବସାକୁ କାଠି କୁଟା ଗୋଟାଇ
ଖରା ବରଷା କି ଶୀତକୁ ତା'ର ଖାତିର ନାହିଁ
ବାଆ ବତାସକୁ ଡରେନା ଥାଏ ନିର୍ଭୟ ହୋଇ ।
ଗଢ଼ିଛି ନୀଡ଼ ସେ ଚଞ୍ଚୁରେ ସ୍ନେହଶ୍ରଦ୍ଧା ବିଶ୍ୱାସେ
ଝୁଲୁଥାଏ ଶୂନ୍ୟ ଶୂନ୍ୟରେ ପବନର ପରଶେ
ନିରାପଦ ଆଶ୍ରା ପାଇଛି ନିଜ ଶ୍ରମ ବଳରେ
ଭାଗ୍ୟ ବିଧାତାକୁ ନିନ୍ଦେନା ଦିନ କାଟେ ଖୁସିରେ ।
ସାହାରା ସାଜିଛି ବୃକ୍ଷଟି କ୍ଷୁଦ୍ର ଅବଶ୍ୟ କାୟା
ସମାଜରେ ବାର୍ତ୍ତା ବାଣ୍ଟୁଛି ହୃଦେ ସଂଚୁଥା ଦୟା
ଅନ୍ୟ ଉପକାରେ ଜୀବନ ଦାନ କରିବ ଯିଏ
ସଂସାରେ ସଭିଙ୍କ ଆଦର ନିଶ୍ଚେ ପାଇବ ସିଏ ।
ତାଳ ଗଛ ପରେ ଭରଷା କେବେ ତୁଟାଇ ନାହିଁ
ପରିଶ୍ରମୀ ହୁଅ ସର୍ବଦା ଶିକ୍ଷା ଦେଉଛି ବାଇ ।
କବିତାଟି କୁନାର ମନକୁ ପାଇଲା ।
ସେ ଖୁସିରେ ତାଳି ମାରି କହିଲା ଜେଜେ ତୁମେ ବହୁତ ସୁନ୍ଦର ତ ଲେଖିଛ ।ଏଇ ବାଇ ଚଢ଼େଇ ବିଷୟରେ ମୋତେ ଗୋଟେ ଗପ କହୁନ ।ଅଜା କହିଲେ ଠିକ ଅଛି ମୁଁ ତୋତେ ଗପ କହିବି କିନ୍ତୁ ଗପ ଶୁଣିସାରି ତୋତେ ଯାହା ପ୍ରଶ୍ନ ପଚାରିବି ଉତ୍ତର ଦେବାକୁ ପଡିବ ।କୁନା ହଁ ଭରିଲା ।
ଜେଜେ ଗପ ଆରମ୍ଭ କଲେ ।
ବାଇଚଢ଼େଇଟିଏ ଥାଏ ।ତାହାର ଘରଦ୍ୱାର ନଥାଏ ।ଯେ କୌଣସି ଗଛ ଡାଳରେ ଦିନ ବିତାଇଦିଏ ।କିଛି ଦିନ ପରେ ତାହାର କୁନି କୁନି ଛୁଆ ଦୁଇଟି ହେଲା ।ବର୍ଷା ଦିନ ବି ପାଖେଇ ଆସୁଥାଏ ।ତେଣୁ ବାଇ ଚଢ଼େଇ କାଠି କୁଟା ଗୋଟାଇ ତାଳ ବରଡ଼ାରେ ସୁନ୍ଦର ବସାଟିଏ ଗଢିବା ପାଇଁ ଚେଷ୍ଟା କଲା ।ତାହାର ଛୋଟ ଥଂଟଟିଏ ।ଗୋଟିଏ ଥରେ ଗୋଟିଏ କାଠି ଏହିପରି ଗୋଟାଇ ଗୋଟାଇ ଆଣି ବସା ଗଢୁଥାଏ ।ତାକୁ ଦେଖି ଅନ୍ୟମାନେ ଥଟ୍ଟା କରିବାକୁ ଲାଗିଲେ କିନ୍ତୁ ନିଜ ପରିଶ୍ରମ ଉପରେ ତାହାର ଭରସା ଥାଏ ।ଶେଷରେ ସେ ଗୋଟିଏ ସୁନ୍ଦର ବସା ଗଢିଲେ ।ବର୍ଷା ଦିନେ ଛୁଆ ମାନଙ୍କୁ ନେଇ ସେଠାରେ ସୁଖରେ ରହିଲା ।ତାକୁ ଥଟ୍ଟା କରୁଥିବା ପକ୍ଷୀମାନେ ବର୍ଷା ପବନରେ ଓଦା ହୋଇ ହୋଇ ରୋଗୀଣା ହୋଇଗଲେ ।ସେତେବେଳେ ସେମାନେ ବାଇଚଢ଼େଇ କଥା ମନେ ପକାଇଲେ ।ଆମେ ଯଦି ବାଇ ଚଢ଼େଇ ପରି ସୁନ୍ଦର ବସାଟିଏ ଗଢ଼ିଥାନ୍ତୁ ,ପରିଶ୍ରମ କରିଥାନ୍ତୁ ।ଆଜି ଏମିତି ଅବସ୍ଥା ହୋଇନଥାନ୍ତା ।ସେହିଦିନଠାରୁ ସେମାନେ ବାଇଚଢ଼େଇ ପରି ପରିଶ୍ରମ କରି ବସା ତିଆରି କଲେ ।ସେହି ବସାରେ ଖୁସି ଖୁସି ରହିଲେ ।ଆଉ ବର୍ଷା ,ପବନ ଡର ରହିଲା ନାହିଁ ।
ଗପଟି କହିସାରି ଜେଜେ କହିଲେ ଆଛା କହିଲୁ କୁନା ବାଇଚଢ଼େଇଠାରୁ ଅନ୍ୟ ପକ୍ଷୀମାନେ କଣ ଶିଖିଲେ ।
କୁନା ସଂଗେ ସଂଗେ ଉତ୍ତର ଦେଲା ,ଜେଜେ ବାଇ ଚଢ଼େଇଠାରୁ ପକ୍ଷୀମାନେ ପରିଶ୍ରମୀ ହେବା ଶିଖିଲେ ।
ଜେଜେ କୁନାର ଉତ୍ତର ଶୁଣି ଖୁସି ହେଇଗଲେ ।ସାବାସ କୁନା ।
ଜେଜେ ବୁଝାଇଦେଲେ କେବଳ ପକ୍ଷୀ ନୁହେଁ ଆମେ ସମସ୍ତେ ବାଇଚଢ଼େଇଠାରୁ ପରିଶ୍ରମୀ ହେବା ଶିଖିବା ।ଯଦି ପରିଶ୍ରମ କରିବା ଖୁସିରେ ରହିବା ।ନଚେତ ଖାଇବା,ପିଇବାକୁ କିଛି ମିଳିବ ନାହିଁ ।ଦୁଃଖରେ ଆମର ଜୀବନ ବିତିବ ।ବାଇ ଚଢ଼େଇ ପରି ପରିଶ୍ରମ କଲେ ଆମେ ସୁନ୍ଦର ଘରଟିଏ ଗଢି ତା ଭିତରେ ଆରାମରେ ରହିବା ।ନଚେତ ବର୍ଷା ,ଶୀତ,କାକରରୁ ରକ୍ଷା ନ ପାଇ ସେଇ ପକ୍ଷୀମାନଙ୍କ ପରି ରୋଗରେ ପଡିବା ।
କୁନା କହିଲା ଜେଜେ ମୁଁ ବାଇଚଢ଼େଇ ପରି ପରିଶ୍ରମୀ ହେବି ।ଛୋଟ ପିଲାଟି ମୁହଁରୁ ଏ କଥା ଶୁଣି ଜେଜେ ଖୁସି ହୋଇଗଲେ ।
କୁନା ପଚାରିଲା , ଜେଜେ ! ବାଇଚଢ଼େଇ କଣ ଆମକୁ ଖାଲି ପରିଶ୍ରମୀ ହେବା ଶିଖିବା ।ଅନ୍ୟ ଗୁଣ କିଛି ଶିଖିବା ନାହିଁ ।
ଜେଜେ ଆଶ୍ଚର୍ଯ୍ୟ ହେଲେ ଛୋଟ ପିଲାଟି ମନରେ ଆଗ୍ରହ ଦେଖି ।ଖୁସି ହୋଇ କହିଲେ ନା ନା କୁନା ।ବାଇଚଢ଼େଇଠାରୁ ଆହୁରି ଅନେକ କିଛି ଆମେ ଶିଖିବା ।ମୁଁ ତୋତେ ସେ ସବୁ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଦେବି ।ତୁ ମନଦେଇ ଶୁଣ ।
ଜେଜେ ଆରମ୍ଭ କଲେ ।କାହା ଜୀବନରେ ସୁଖ ଦୁଃଖ ଆସେନାହିଁ କହିଲୁ ।ସମସ୍ତଙ୍କ ଜୀବନରେ ସୁଖ ଦୁଃଖ ଆସେ ।ଏଇ ଯେମିତି ବାଇ ଚଢ଼େଇ ଏତେ ପରିଶ୍ରମ କରି ସୁନ୍ଦର ବସା ଗଢ଼ିଥାଏ ।କିନ୍ତୁ ଏ ପବନ ଦାଉ ସାଧେ ।ବାରମ୍ବାର ତାହାର ବସା ଭାଙ୍ଗିଦିଏ ।ତଥାପି ଧୈର୍ଯ୍ୟ ହରାଏ ନାହିଁ ବାଇଚଢ଼େଇ ।ବାରମ୍ବାର ପୁଣି ପରିଶ୍ରମ କରି ବସା ଗଢିଦିଏ
ଏବେ ତୁ କୁହ ।ବାଇଚଢ଼େଇଠାରୁ କଣ ଶିଖିଲୁ ।
ଜେଜେଙ୍କ ପ୍ରଶ୍ନ ଶୁଣି କୁନା ଟିକିଏ ଭାବିବାକୁ ଲାଗିଲା ।କହିଲା, ଜେଜେ ! ଆମେ ବାଇଚଢ଼େଇଠାରୁ ଧୈର୍ଯ୍ୟ ଧରିବା ଗୁଣ ଶିଖିଲୁ ।ବିପଦ ଆସିଲେ ଆମେ ଧୈର୍ଯ୍ୟ ଧରି ତାହାକୁ ସାମ୍ନା କରିବା ।
ଜେଜେ କହିଲେ ,ତୁ ଠିକ୍ କହିଛୁ ।
ଜେଜେ ପୁଣି କହିଲେ ବାଇଚଢ଼େଇର ସାହସ ଅଧିକ ।ସେ ଗଛର ଏତେ ଉଚ୍ଚରେ ଏଡ଼େ ସୁନ୍ଦର ବସା ଗଢି ପବନକୁ ନ ଡରି ରହୁଛି ।ଜୀବନରେ ଧୈର୍ଯ୍ୟ ଯେମିତି ମୂଲ୍ୟବାନ ସାହସ ମଧ୍ୟ ସେମିତି ଜରୁରୀ ।ତେବେ ଯାଇ ଆମେ ଯେତେ ବଡ଼ ବିପଦ ଆସୁ ସେଥିରୁ ମୁକୁଳିବା ପାଇଁ ଉପାୟ ବାହାର କରିପାରିବା ।
ଜେଜେଙ୍କଠାରୁ ସାହସ କଥା ଶୁଣି କୁନା କହିଲା ଯେମିତି ସେରସାହା ବୋଲି ଜଣେ ଲୋକ ସିଂହ ସହ ଲଢେ଼ଇ କରିଥିଲେ ତ ।ଏଇ କଥା ଆମ ସାର୍ କହୁଥିଲେ ।ଜେଜେ କହିଲେ ହଁ ତୁ ଠିକ ମନେ ରଖିଛୁ ।
ସବୁବେଳେ ମୋର ଗୋଟେ କଥା ମନେ ରଖିବୁ
ଧୈର୍ଯ୍ୟ ଓ ସାହସ ଥିଲେ ରେ ଜୀବନେ
ବିପଦ ହୋଇବ ଦୂର
ଏହି ଦୁଇ ଗୁଣ ନଥିବ ଯାହାର
ଦୁଃଖୀ ସିଏ ନିରନ୍ତର ।
ଜେଜେଙ୍କର କଥା କଥାରେ କବିତା ଶୁଣି କୁନା ଖୁସିରେ ତାଳି ମାରିଲା ।
ଜେଜେ କହିଲେ ତୋତେ ବାଇଚଢ଼େଇର ଆଉ ଗୋଟିଏ ଭଲ ଗୁଣ କହୁଛି ।ଯାହା ଶିକ୍ଷା କରିବା ଉଚିତ ।
କଣ ଜେଜେ ? କୁନା ପଚାରିଲା ।
ଜେଜେ କହିଲେ ଜୀବନରେ ନିଜ ଉପରେ ସବୁବେଳେ ବିଶ୍ୱାସ ରଖିବା ଉଚିତ ।ଆତ୍ମ ବିଶ୍ୱାସ ହିଁ ମଣିଷକୁ ବିପଦ ସମୟରେ ଲଢ଼ିବା ପାଇଁ ଶକ୍ତି ଯୋଗାଏ ।ଏହି ମହାନ ଗୁଣ ବାଇଚଢ଼େଇ ହିଁ ଶିକ୍ଷା ଦିଏ।
ଯେତେ ଥର ତାହାର ବସା ଭାଙ୍ଗିଲେ ମଧ୍ୟ ନିଜ ବିଶ୍ୱାସକୁ ଆଧାର କରି ସେ ପୁଣି ଗଢିପାରେ ବସା ।ଯଦି ନିଜ ଉପରେ ବିଶ୍ୱାସ ନଥାନ୍ତା ସେ କଣ ଏତେ ସୁନ୍ଦର ବସା ଗଢିପାରନ୍ତା ।
କୁନା କହିଲା ସତରେ ତ ଜେଜେ ।
ଜେଜେ କହିଲେ ଖାଲି ଏତିକି ନୁହେଁ ।ଆହୁରି ଅନେକ ଗୁଣ ଅଛି ବାଇଚଢ଼େଇ ।ଯେଉଁଗୁଡିକ ଜୀବନରେ ମଣିଷ ଶିଖିବା ଉଚିତ ।
ଆମେ ସମସ୍ତେ ବାଇଚଢ଼େଇ ପରି ନିଡର ହେବା ଉଚିତ ।ବର୍ଷା ଝଡ଼ କୁ ନ ଡରି ନିଜ ବସା ଭିତରେ ନିର୍ଭୟରେ ରହିଥାଏ ବାଇଚଢ଼େଇ ।ଆମେ ଜୀବନରେ ନିର୍ଭୟୀ ହେବା ଉଚିତ ।ପରୋକ୍ଷରେ ବାଇଚଢ଼େଇ ଆମକୁ ଏପରି ନିଡର ହେବା ପାଇଁ ଶିକ୍ଷା ଦିଏ ।
କୁନା ସଂଗେ ସଂଗେ କହିଲା ,ଜେଜେ ! ମୁଁ ବି ନିର୍ଭୟୀ ହେବି ।
ଜେଜେ ଟିକିଏ ହସିଦେଇ କହିଲେ ବାଇଚଢ଼େଇ ଜାଣିଥାଏ ଝଡ଼ ତୋଫାନ ଆସି ତାହାର ବସା ଭାଙ୍ଗିପାରେ ।ଆଗତ ବିପଦ ପାଇଁ ଚିନ୍ତା ନ କରି ପବନରେ ଝୁଲି ଝୁଲି ଅସରନ୍ତି ଖୁସି ସାଉଁଟିଥାଏ ସେ ।ଜୀବନ ରେ ସୁଖ ଆସିବ ଆଉ ଦୁଃଖ ବି ଆସିବ ।ଦୁଃଖ ଆସିବ ବୋଲି ଅଥୟ ହୋଇ ସୁଖକୁ ଅଣଦେଖା ନ କରିବା ପାଇଁ ବାଇଚଢ଼େଇ ଶିକ୍ଷା ଦେଇଥାଏ ।ସବୁବେଳେ ଖୁସି ରହିବା, ଶାନ୍ତ ରହିବା ଏସବୁ ବାଇଚଢ଼େଇର ଉତ୍ତମ ଗୁଣ ।