Jayashree Maharana

Children Stories Inspirational Others

3  

Jayashree Maharana

Children Stories Inspirational Others

ପୃଥିବୀମାଆଠାରୁ ଶିକ୍ଷା

ପୃଥିବୀମାଆଠାରୁ ଶିକ୍ଷା

5 mins
410


ସିପୁନର ମନ ଆଜି ପାଠରେ ଲାଗୁନାହିଁ ।ବାପା ସଦାଶିବ ଏକଥା ହୃଦୟଙ୍ଗମ କରିପାରୁଥିଲେ ।ତେଣୁ ସିପୁନ କୁ କହିଲେ, ଆରେ ସିପୁ ! ଆଜି ମୁଁ ତୋତେ ପାଠ ପଢ଼ାଇବି ନାହିଁ ।ତୁ କହ ଆଜି ତୁ କଣ ଶିଖିବୁ ।ଏ ସମୟରେ ରେଡ଼ିଓରେ ସୁନ୍ଦର ଗୀତଟିଏ ଭାସି ଆସୁଥିଲା ।


ସୁନ୍ଦର ଏଇ ପୃଥିବୀ ଆମ

    ଫୁଲ ଫଳରେ ଭରା

ମଣିଷଠାରୁ ପକ୍ଷୀପଶୁଙ୍କ

    ଏକୋଇ ସେ ଆଶରା 


 ବନ ଜଙ୍ଗଲ ଗଛ ଲତାରେ

    ଶ୍ୟାମଳ ଦେହ ସାରା

ପାହାଡ଼ ଛୁଏଁ ନୀଳ ଆକାଶ

    ଲାଗଇ କେଡେ ତୋରା ।


ତାହାରି ଜଳ ଆମରି ବଳ

     ସତେ ଅମୃତ ଧାରା

ତା'ର ପବନ ଆମ ସ୍ପନ୍ଦନ

     ଗଢେ ଜୀବନ ପରା ।


ତାହାରି ମାଟି ଚନ୍ଦନ ତୁଲ

     ଶୀତଳ ମଧୁ ଝରା

ତା କୋଳେ ମିଳେ ସରଗ ସୁଖ

      ସବୁଠାରୁ ନିଆରା ।


ସୁନ୍ଦର ଏଇ ପୃଥିବୀ ଆମ

    ଫୁଲ ଫଳରେ ଭରା 

ମଣିଷଠାରୁ ପଶୁପକ୍ଷୀଙ୍କ

   ଏକୋଇ ସେ ଆଶରା ।


ସିପୁନର ମନେ ପଡିଗଲା ।ବାପା ତାକୁ କହିଥିଲେ ।ବୃକ୍ଷ ପରି ପ୍ରକୃତିର ଅନାନ୍ୟ ଉପାଦାନଠାରୁ ଆମେ କି କି ଶିକ୍ଷା ପାଉଛନ୍ତି ବୁଝାଇଦେବେ ବୋଲି ।ସଂଗେ ସଂଗେ ସେ କହିଲା ବାବା ଆମେ ପୃଥିବୀ ଠାରୁ କି ଶିକ୍ଷା ପାଉଛେ ମୋତେ ଆଜି କୁହ ।ନିଜ ପୁଅର ଆଗ୍ରହ ବାପାଙ୍କୁ ଖୁସି ଦେଲା ।ସେ କହିଲେ ଏଇ କଥା ।ଆସ ତୋତେ ଆଜି ପୃଥିବୀ ମାଆ ଠାରୁ ଆମେ କି ଶିକ୍ଷା ପାଉଛନ୍ତି ବିସ୍ତୃତ ଭାବରେ ବୁଝାଇ କହିବି ।


ସଦାଶିବ ବାବୁ କହିଲେ

ବିଜ୍ଞାନ ସମ୍ବନ୍ଧ ଅନୁସାରେ ଏ ପୃଥିବୀ କେଵଳ ଗୋଟିଏ ଗ୍ରହ ।କିନ୍ତୁ ସମସ୍ତ ଜୀବଜଗତ ,ବୃକ୍ଷଲତା,ଜଳ ,ବାୟୁ ଧାରଣ କରି ଜୀବନ 

ଗଢୁଥିବାରୁ ଆମେ ତାକୁ ମାଆ ବୋଲି ସମ୍ବୋଧନ କରୁ । ଯେପରି ତୋର ଅନେକ ନାଁ ଅଛି ।ସିପୁ,ସିପୁନ।ଜେଜେ ଡାକନ୍ତି ଗୋବିନ୍ଦ ଆଉ ଜେଜେମାଆଙ୍କର ଗୋପାଳ।ଆଇଙ୍କର ସୁମନ ସେହିପରି ପୃଥିବୀ ମାଆର ଅନେକ ନାମ ଯଥା ଧରା, ଧରିତ୍ରୀ,ଧରଣୀ,ବସୁନ୍ଧରା,ବସୁମତୀ,କ୍ଷିତି ,ମହୀ ଇତ୍ୟାଦି।ମାଆ ଯେପରି ଆମକୁ ଜନ୍ମଦେଇ ଲାଳନ ପାଳନ କରେ ପୃଥିବୀ ମାଆ ସେହିପରି ଆମକୁ ଜଳ,ବାୟୁ,ଖାଦ୍ୟ ସବୁକିଛି ଦେଇ ଆମର ଜୀବନ ଗଢେ ।ତେଣୁ ପୃଥିବୀ ଆମର ମାଆ ।ଏଇ ପୃଥିବୀ ମାଆଠାରୁ ଅନେକ କିଛି ଶିକ୍ଷା ମିଳିଥାଏ ।


ମାଆ ଯେପରି ବିନା ସ୍ୱାର୍ଥରେ ଆମର ଲାଳନ ପାଳନ କରେ ପୃଥିବୀ ମାଆ ମଧ୍ୟ ନିଃସ୍ୱାର୍ଥପର ଭାବରେ ଆମର ଜୀବନ ଗଢ଼ିଥାଏ ।ତେଣୁ ପୃଥିବୀ ମାଆ ଠାରୁ ଆମେ ଏହି ନିଃସ୍ୱାର୍ଥପର ଗୁଣ ଶିଖିବା ଉଚିତ ।କାହାଠାରୁ କିଛି ପାଇବା ଆଶା ନ ରଖି ପ୍ରତିଦାନରେ ଆମ ପାଇଁ ନିଜ ଜୀବନ ଦାନ ଦେଇଦେଇଛି ।ନିଃସ୍ୱାର୍ଥପରତା ଏକ ମହାନ ଗୁଣ ।ନିଜର ସୁଖ ସୁବିଧା କୁ ଗୁରୁତ୍ୱ ନ ଦେଇ ସମସ୍ତଙ୍କ ଖୁସି ପାଇଁ ସବୁବେଳେ ଚେଷ୍ଟା କରିବା ଦ୍ୱାରା ସମସ୍ତଙ୍କର ମଙ୍ଗଳ ହୋଇଥାଏ ।ସମସ୍ତେ ଖୁସି ପାଇପାରନ୍ତି ।ପୃଥିବୀ ମାଆ ଏଇ ମହାନ ଶିକ୍ଷା ଦେଇଥାଏ ।ପ୍ରାଣୀ ଜଗତ ହେଉ ବା ଉଦ୍ଭିଦ ଜଗତ ସମସ୍ତଙ୍କୁ ଆଶ୍ରା ଦେଇ ଜୀବନ ଗଢ଼ିଛି ।


ସିପୁନ କହିଲା ,ବାବା !ପୃଥିବୀ ମାଆଠାରୁ ଆଉ କେଉଁ ଗୁଣ ଶିଖିବା ?

ବାପା ହସିଲେ ।ତୁ ବ୍ୟସ୍ତ ହୁଏନା ।ମୁଁ ଆଜି ତୋତେ ସବୁ କହିବି ।


ପୃଥିବୀ ମାଆ ଠାରୁ ଦୁଇଟି ମହାନ ଗୁଣ ଶିକ୍ଷା କରିବା ଉଚିତ ।ପ୍ରଥମତଃ ଧୈର୍ଯ୍ୟ ଏବଂ ଦ୍ୱିତୀୟତଃ ସହନଶୀଳତା।


କିପରି ବାବା ? ସିପୁନ ପ୍ରଶ୍ନ କଲା ।


ବାପା କହିଲେ ପୃଥିବୀ ମାଆ ଉପରେ ଆମେ ବସବାସ କରୁ ।ନିଜର ସୁଖ ପାଇଁ ତା ଉପରେ କେତେ ଆଘାତ କରୁ ।କଂକ୍ରିଟ ସଡ଼କ, ଘର,କଳକାରଖାନା,ପୋଲ,ବନ୍ଧ ନିର୍ମାଣ କରୁଥାଉ ।ତା ବକ୍ଷକୁ ଖୋଳି କୂଅ,ପୋଖରୀ ତିଆରି କରୁ ।ଜଙ୍ଗଲ କାଟି ନଷ୍ଟ କରିଦେଉ ।ତାହାପ୍ରତି ଆମର ନିଘା ନାହିଁ।ଯିଏ ଜୀବନ ଗଢ଼ିଛି ତାକୁ ନାନା ଦୁଃଖ ଦେଉ ।କିନ୍ତୁ ସେ ସବୁକିଛି ସହିଯାଏ ।ତାହାର ଧୈର୍ଯ୍ୟ ଅସୀମିତ ।ନଚେତ ମଣିଷର ଅବିବେକି ପଣରେ ତାହାକୁ କ୍ଷତ ବିକ୍ଷତ କରୁଥାଉ ।ଧୈର୍ଯ୍ୟ ନଥିଲେ ଏତେ ସବୁ କଣ ସହିହେବ ।ତୁ କହିଲୁ ତୋତେ କିଏ ବାଡେଇଲେ ତୁ କଣ ସହିଯାଉ ।


ସିପୁନ କହିଲା ନା ବାବା ମୁଁ ତ କଷ୍ଟ ରେ କାନ୍ଦିପକାଏ ।

କିନ୍ତୁ ଧରଣୀ ମାଆ କେବେ କୌଣସି ପ୍ରତିକ୍ରିୟା ନ ଦେଖାଇ ସବୁ ନୀରବରେ ସହିଯାଏ ।ତାହାର ପରି ଆମେ ଯଦି ଧୈର୍ଯ୍ୟବାନ ହେବା ଜୀବନରେ ଅନେକ ଅସୁବିଧାକୁ ସହିପାରିବା ।


ଦ୍ୱିତୀୟତଃ ଏତେ ଦୁଃଖ କଷ୍ଟ ନୀରବରେ ସହିଯିବା ହିଁ ସହନଶୀଳତା ।ପୃଥିବୀ ମାଆ କେତେ ଆଘାତ ସହୁଛି ଆମର ।ସେ କଣ ଓଲଟା ଆମକୁ ଆଘାତ ଦେଉଛି ନା ଆମ ଜୀବନ ଗଢିବାରେ ହେଳା କରୁଛି ।ପୃଥିବୀ ମାଆ ପରି ସହନଶୀଳ ହେଲେ ଆମେ ସବୁ ବାଧା ବନ୍ଧନକୁ ଦୂର କରି ଜୀବନରେ ପ୍ରକୃତ ସୁଖ ସାଉଁଟି ପାରିବା ।


 ପୁନଶ୍ଚ ବାପା ଆରମ୍ଭ କଲେ ।ମାଆ ପୃଥିବୀ ଆମକୁ କ୍ଷମା ଗୁଣ ଶିକ୍ଷା ଦିଏ ।ଏତେ ଆଘାତ କଷ୍ଟ ସହିବା ପରେ ଆମ ପାଇଁ ତାହାର ନା ଅଛି ରାଗ ନା ଅଭିମାନ ।ଆମରି ପାଇଁ ଜଳ,ବାୟୁ,ଖାଦ୍ୟ ସବୁକିଛି ଅଜାଡି ଦେଉଛି ।ଆମେ ଆମର ସ୍ୱାର୍ଥ ପୂରଣ ପାଇଁ ଅନବରତ ତାକୁ ଆଘାତ କରୁଛନ୍ତି । ପ୍ରଗତି ଆଳରେ ତାହାରି ବକ୍ଷ ଆଜି ବିଦୀର୍ଣ୍ଣ ।ଅଜ୍ଞାନ ଭାବରେ ତାକୁ ପ୍ରଦୂଷିତ କରି ଅନେକ ଯାତନା ଦେଉଛନ୍ତି ।ମାଆ ଟିଏ ଯେପରି ସନ୍ତାନର ସବୁ ରାଗ ଅଭିମାନ ସହି କ୍ଷମା କରିଦିଏ ।ପୃଥିବୀ ମାଆ ଆମକୁ ଏ ଅଜ୍ଞାନତା ପାଇଁ କ୍ଷମା କରିଦିଏ ।ପୃଥିବୀ ମାଆଠାରୁ ଏହି କ୍ଷମା କରିଦେବା ଗୁଣ ଆହରଣ କରି ଆମେ ଆମର ଜୀବନରେ ଆସୁଥିବା ସମ୍ପର୍କରେ ଫାଟ ଦୂର କରିପାରିବା ।କିଏ ଯଦି କୌଣସି ଛୋଟ ଭୁଲ ଟିଏ କଲା ।ତାକୁ କ୍ଷମା କରିଦେବା ବୁଦ୍ଧିମତାର କାମ ।


କେବଳ ଦୟା,କ୍ଷମା ନୁହେଁ ।ପୃଥିବୀ ମାଆ ଏପରି ଅନେକ ମହାଶିକ୍ଷା ଦେଇଥାଏ ।ପୃଥିବୀ ମାଆ ସଦା ସର୍ବଦା ଆମର ସେବା କରିଥାଏ ।ପୃଥିବୀ ମାଆ ଠାରୁ ଅନ୍ୟର ସେବା କରିବା ଗୁଣ ଆମ୍ଭେମାନେ ଶିଖିବା ଉଚିତ ।


ସିପୁନର୍ ମନପଡିଗଲା ତାହାର ମାଆ କଥା ।ମାଆ ତ ଆମ ସମସ୍ତଙ୍କର ସେବା କରୁଛି ।ଜେଜେ ବାପା ଏବଂ ଜେଜେମାଆଙ୍କର ଅଧିକ ସେବା କରୁଛି ।ଜେଜେ ମାଆ ଚାଲି ନପାରିବା ଦିନଠାରୁ ମାଆ ତ ତାଙ୍କୁ ତେଲ ଘଷିଦିଏ ,ଗାଧୋଇଦିଏ ,ଖାଇବାକୁ ଦିଏ ।ଜେଜେଙ୍କର ଲୁଗାପଟା ସଫା କରିଦିଏ ।ବାପାଙ୍କର ଲୁଗାପଟା ଏବଂ ଆମର ଲୁଗାପଟା ସଫା କରେ ।ଖାଇବାକୁ ଦିଏ ।ଦେହ ଖରାପ ହେଲେ ରାତି ସାରା ଜଗି ରହି ସେବା ଶୁଶ୍ରୁଷା କରେ ।ମାଆ ଆଉ ପୃଥିବୀ ମାଆ ଏକାପରି ।


ବାପା କହିଲେ ତୁ ଠିକ କହୁଛୁ ସିପୁନ ।ଜୀବନରେ ମାଆଠାରୁ ବଡ଼ କେହି ନୁହେଁ ।


ବାପା ପଦଟିଏ କହିଲେ

ପର ଉପକାର କରିଲେ ଜୀବନେ

ମିଳିଥାଏ କୋଟି ପୁଣ୍ୟ

ସେହି ପୁଣ୍ୟ ଫଳ ଅମୃତ ସମାନ

ଅମରତ୍ୱ କରେ ଦାନ ।


ତୁ ତ ଜାଣୁ ଦେବତା ଆଉ ଅସୁର ମାନେ ସମୁଦ୍ର ମନ୍ଥନ କରି ଅମୃତ ପାଇଲେ ।ଯାହା ଦେବତା ମାନେ ପିଇ ଅମର ହୋଇଗଲେ ।ପର ଉପକାର କଲେ ସେହିପରି ଅମୃତ ଜୀବନରେ ପାଇହୁଏ ।ତୁ ତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପରି ମହାପୁରୁଷଙ୍କ କଥା ଶୁଣିଛୁ ,ପଢିଛୁ ।ସେ ସିନା ଶରୀରରେ ମୃତ୍ୟୁବରଣ କରିଛନ୍ତି କିନ୍ତୁ ସବୁଦିନ ପାଇଁ ଆମ ମାନଙ୍କ ହୃଦୟରେ ଅମର ହୋଇ ରହିଯାଇଛନ୍ତି ।ତେଣୁ ଏଇ ପର ଉପକାର ଜୀବନରେ ସବୁଠାରୁ ମହତ୍ତ ଗୁଣ ।ମାଆ ଧରଣୀ ନିରନ୍ତର ଆମ ମାନଙ୍କ ଉପକାର କରିଥାଏ ।ତାହା ବିନା ଆମର ଜୀବନ ଅସ୍ତିତ୍ତ୍ୱ କଳନା କରିହେବ ନାହିଁ ।ପୃଥିବୀର ଏହି ପର ଉପକାର ଗୁଣ ଶିକ୍ଷା କରି ଆମ ଜୀବନରେ ପ୍ରୟୋଗ କରିବା ।ଜୀବନରେ ଶାନ୍ତି ,ସମ୍ମାନ ,ଆଦର ପାଇବା ସହ ଲୋକମାନେ ଚିରଦିନ ତୁମକୁ ମନେ ରଖିବେ ।


ସିପୁନ ବାପାଙ୍କ ପାଟିରୁ କଥା ନ ସରୁଣୁ କହିଲା ଯେପରି ଲିପୁନ ଭାଇ କିଛି ସାଙ୍ଗଙ୍କ ସହ ମିଶି ଗୋଟିଏ ଦଳ ଗଢି ଲୋକମାନଙ୍କର ଉପକାର କରୁଛି ।ସେଥିପାଇଁ ତାକୁ କେତେ ପୁରସ୍କାର ମିଳିଛି ।


ବାପା ମୁଁ ମଧ୍ୟ ବଡ଼ ହେଲେ ଲୀପୁନ ଭାଇ ପରି ପର ଉପକାର କରିବି ।ସିପୁନର ଚଞ୍ଚଳ ମନରେ ନୈତିକ ମୁଲ୍ୟବୋଧର ଆଭାସ ବାପା ସଦାଶିବଙ୍କୁ ଖୁବ ଆନନ୍ଦ ପ୍ରଦାନ କଲା ।


ଅନ୍ୟର ଖୁସି ପାଇଁ ନିଜର ସୁଖକୁ ତ୍ୟାଗ କରିବା ଗୁଣ ପୃଥିବୀଠାରୁ ହିଁ ଶିଖିବା ।ପୃଥିବୀ ମାଆ ଆମ ପାଇଁ ଫୁଲ,ଫଳ ,ଖାଦ୍ୟ ,ଜଳ ,ବାୟୁ ସବୁ ଦାନ କରେ ।ନିଜର କ୍ଷତି ମଧ୍ୟ ସହିଯାଏ ।ଆମ ପାଇଁ ତାହାରି ପ୍ରତିଟି ଉପାଦାନ ସମର୍ପିତ ।ଏହି ମହତ ଗୁଣ ଆମ୍ଭେମାନେ ଶିଖିପାରିଲେ ଆମର ଜୀବନ ସାର୍ଥକ ହେବ ।ଘର ,ପରିବାର ପାଇଁ ନିଜ ସୁଖ ,ଆଶା,ଆକାଂକ୍ଷା କୁ ଜଳାଞ୍ଜଳି ଦେଇ ପରିବାରରେ ସୁଖ ବୁଣିଦେଇପାରିବା ।


ପୃଥିବୀ ମାଆ ପ୍ରାଣୀ,ଉଦ୍ଭିଦ ସମସ୍ତଙ୍କ ଜୀବନ ଗଢେ ।ସେ ଦେଖେନା ପର ଆପଣା ।ସମସ୍ତେ ତାହାର ସନ୍ତାନ ।ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିବା ପୃଥିବୀ ମାଆ ଶିଖାଇଥାଏ ।ଜୀବନରେ କେବେ ସେମିତି ସମୟ ଆସିଲେ ସମସ୍ତଙ୍କୁ ସମ ଭାବ ଦେଖାଇବୁରେ ଧନ ।


Rate this content
Log in