ପାହାଡ଼ଠାରୁ ଶିକ୍ଷା
ପାହାଡ଼ଠାରୁ ଶିକ୍ଷା
ସୁଧାନନ୍ଦ ବାବୁ ପରିବାରକୁ ନେଇ ଘଣ୍ଟଶିଳା ପାହାଡ଼ ବୁଲିବାକୁ ଯାଇଥିଲେ ।ସେଠାକାର ପ୍ରାକୃତିକ ଦୃଶ୍ୟ ଯେତିକି ମନୋରମ ସେତିକି ଶାନ୍ତି ପ୍ରଦାନକାରୀ ।ସେଠାରେ ଉପସ୍ଥିତ ହନୁମାନ ମନ୍ଦିର,ସଦ୍ୟ ପ୍ରତିଷ୍ଠିତ ରାମ ମନ୍ଦିର ଦର୍ଶକ ମାନଙ୍କୁ ଆକୃଷ୍ଟ କରେ ।ଘଣ୍ଟଶିଳା ପାହାଡ଼ ଉପରେ ଏମିତି ଏକ ପଥର ଅଛି ଯାହାକୁ କୌଣସି
ଏକ ଜିନିଷରେ ଆଘାତ କଲେ ସେଥିରୁ ଘଣ୍ଟ ଧ୍ୱନି ଶୁଭିଥାଏ ।ଏହା ଆଶ୍ଚର୍ଯ୍ୟକର ହେଲେ ମଧ୍ୟ ସତ୍ୟ ।ଜନଶ୍ରୁତି ଅନୁସାରେ ପୂର୍ବେ ବାଣପୁର ଅଞ୍ଚଳରେ ବାଣାସୁର ନାମକ ଶାସକ ଥିଲେ ।ଅସୁର ହୋଇଥିଲେ ମଧ୍ୟ ସେ ଥିଲେ ମାଆ ଭାଗବତୀଙ୍କର ଉପାସକ ।ପ୍ରତିଦିନ ଘଣ୍ଟଶିଳା ପାହାଡ଼ ଉପରେ ଠିଆ ହୋଇ ସେ ମାଆଙ୍କର ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରୁଥିଲେ ।ଘଣ୍ଟ ବଜାଇ ମାଆଙ୍କର ଆବାହନ କରୁଥିଲେ । ସମ୍ଭବତଃ ସେଇ ଘଣ୍ଟ ଏଇ ପଥର ରୂପ ଧାରଣ କରିଛି ବୋଲି ବିଶ୍ୱାସ କରାଯାଏ ।ସେଥିପାଇଁ ତ ସୁଧାନନ୍ଦ ବାବୁ ଏଇ କିମ୍ବଦନ୍ତୀ ଶୁଣି ସେ ସ୍ଥାନକୁ ପରିବାର ସହ ବୁଲିବା ପାଇଁ ତ ମନ ବଳାଇଥିଲେ ।
ସେ ସ୍ଥାନରେ ପହଁଚି ସମସ୍ତେ ଅଭିଭୂତ ହୋଇପଡିଲେ ।କି ଶାନ୍ତ ପରିବେଶ ।ସୁଲୁ ସୁଲୁ ପବନ ସହିତ ଗଛର ଛାଇ ସୂର୍ଯ୍ୟଙ୍କର ତାପକୁ
ପ୍ରତିହତ କରି ବୁଣିଦେଉଛନ୍ତି ମନରେ ଅପୂର୍ବ ଆନନ୍ଦ ।ନିର୍ମଳ,ନିର୍ଜନ ପରିବେଶ ।ପାହାଡ଼ ଉପରେ ଠିଆହୋଇ ଚତୁର୍ଦ୍ଦିଗକୁ ଚାହିଁଲେ ଆକାଶ ବକ୍ଷରୁ ଧରଣୀକୁ ଦର୍ଶନ କରିବା ପରି ମନେ ହେଉଥାଏ ।ଚତୁର୍ଦ୍ଦିଗରେ ସବୁଜିମା ଘେରା ବାତାବରଣ ।ନିକଟସ୍ଥ ଗାଁ ଗୁଡିକରେ ଅବସ୍ଥିତ ଘର ଗୁଡିକରେ ଭିନ୍ନ ଭିନ୍ନ ରଙ୍ଗ ଖୁବ ମନୋରମ ଲାଗୁଥାଏ ।ରଙ୍ଗୀନ ରଙ୍ଗୀନ ଚିତ୍ର ସମସ୍ତଙ୍କ ଚିତ୍ତକୁ ହରଣ କରୁଥାଏ ।ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ଣଣ ଓ ମାଆ ସୀତାଙ୍କର ଦର୍ଶନ ସାରି ସେଇ ଘଣ୍ଟ ପଥର ପାଖରେ ସମସ୍ତେ ଉପସ୍ଥିତ ହେଲେ ।ସତ୍ୟତା ପ୍ରମାଣିତ କରି ବିସ୍ମିତ ହେଲେ ।ତତ୍ପରେ ହନୁମାନ ମନ୍ଦିରରେ କିଛି କ୍ଷଣ ବସି ରହିବା ସମୟରେ ନିକିତା କହିଲା ବାବା ଏ ପାହାଡ଼ ,ପର୍ବତ ଏତେ ଉଚ୍ଚ ।ଏଠାରେ ଚଢ଼ିଲେ ଅଲଗା ଗୋଟେ ଅନୁଭୂତି ମିଳେ ।କିନ୍ତୁ ଏ ପାହାଡ଼ ପର୍ବତର କିଛି ଭଲ ଗୁଣ ଅଛି କି ନାହିଁ ।ବାବା ସୁଧାନନ୍ଦ ବାବୁ ଖୁସି ହେଲେ ।
ସଂଗେ ସଂଗେ ଝିଅକୁ କହିଲେ ଏ ପାହାଡ଼ ପର୍ବତ ର ଅନେକ ମହାନ ଗୁଣ ଅଛି ।ସେଗୁଡିକ ବିଷୟରେ ମୁଁ ତୁମ ମାନଙ୍କୁ ବୁଝାଇବି ।ମନ ଦେଇ ଶୁଣିବ ତ ।ନିକିତା,ସଞ୍ଚିତା ଦୁଇ ଭଉଣୀ ବାବାଙ୍କୁ ହଁ ଭରି ଶୁଣିବା ପାଇଁ ଅପେକ୍ଷା କଲେ ।
ବାବା ସୁଧାନନ୍ଦ କହିଲେ ପାହାଡ଼ ସର୍ବଦା ଆକାଶକୁ ଛୁଇଁବା ପରି ମନେ ହୁଏ ।ଏହାଦ୍ୱାରା ସେ ଆମକୁ ସର୍ବଦା ଉଚ୍ଚ ଅଭିଳାଷୀ ହୋଇ ଉନ୍ନତିର ଚରମ ସୀମାରେ ପହଂଚିବା ପାଇଁ ଶିକ୍ଷା ଦିଏ ।ମଣିଷ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ଆଗେଇଥାଏ ।ସେଇ ଲକ୍ଷସ୍ଥଳରେ ପହଂଚିବା ପାଇଁ ସର୍ବଦା ପାହାଡ଼ ଶିକ୍ଷା ଦେଇଥାଏ ।ଲକ୍ଷ ବିନା ଜୀବନରେ ସଫଳତା ମିଳିବା ଅସମ୍ଭବ ।ଏଇ ଲକ୍ଷ୍ୟ ପଥରେ ବିଜୟୀ ହେବା ପାଇଁ ପାହାଡ଼ ହିଁ ଶିକ୍ଷା ଦେଇଥାଏ ।
ପାହାଡ଼ ସ୍ଥିର,ନିଶ୍ଚଳ ,ଅଟଳ ।କେତେ ଝଡ଼ ବତାଶ,କେତେ କେତେ ପ୍ରାକୃତିକ ଦୁର୍ବିପାକ ଆସିଲେ ମଧ୍ୟ ସେହିପରି ସ୍ଥିର ରହିଥାଏ ।ଏହା ତାହାର ଧୈର୍ଯ୍ୟ ଶକ୍ତି ର ପରିଚୟ ଦେଇଥାଏ ।ପାହାଡ଼ ସର୍ବଦା ଆମର ନିଜ ଲକ୍ଷ୍ୟ ପଥରେ ଦୃଢ଼,ସ୍ଥିର ରହିବାକୁ ଶିକ୍ଷା ଦେଇଥାଏ ।ଯେତେ ବିପଦ ଆସିଲେ ମଧ୍ୟ ଧୈର୍ଯ୍ୟ ଧରିବାକୁ ଶିକ୍ଷା ଦେଇଥାଏ ।
ଆମେ ଜୀବନରେ ପାହାଡ଼ ପରି ଧୈର୍ଯ୍ୟବାନ ହୋଇପାରିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ସମ୍ମୁଖୀନ ହୋଇ ଆଗକୁ ବଢ଼ିପାରିବା ।ସୁଧାନନ୍ଦ ବାବୁ କହିଲେ ତୁମେମାନେ ମୋର ଦୁଇଟି ନାୟକ ବୋଲି ମନେ କରେ ।ତୁମ୍ଭମାନେ ଧୈର୍ଯ୍ୟ ବାନ ହୋଇ ଜୀବନରେ ସବୁ ବିପଦ ସାମ୍ନା କରି ପାହାଡ଼ ପରି ସ୍ଥିର ,ନିଶ୍ଚଳ ରହିବ ବୋଲି ମୋର ବିଶ୍ୱାସ ।ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ତୁମେ ଅଟଳ ରହିବ ।ଏଇ ପାହାଡ଼ ପର୍ବତଙ୍କର ଏଇ ମହାଶିକ୍ଷା ସମସ୍ତେ ଜୀବନରେ ଆହରଣ କରିବା ଉଚିତ ।
ପାହାଡର ତ୍ୟାଗ ବଳିଦାନ ଆଗରେ ଆମେ ସମସ୍ତେ ମୁଣ୍ଡ ନୂଆଁଇବା ଉଚିତ ।ପାହାଡ଼ ଖରା ,ବର୍ଷା ଖାଇ ସ୍ଥିର ରହେ ।ସଙ୍କୋଚନ,ପ୍ରସାରଣ ଫଳରେ ତା ଦେହରେ ଫାଟ ହୁଏ ।ପାହାଡ଼ରୁ ପଥର ଗଡି ଗଡି ପରସ୍ପର ଦେହରେ ବାଡେଇ ହୋଇ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଅନ୍ତି ।ସେଇ ଛୋଟ
ଛୋଟ ଖଣ୍ଡ ରୁ ମାଟି ସୃଷ୍ଟି ହୁଏ ।ମାଟି ନଥିଲେ ଆମେ କାହା ଉପରେ ବସବାସ କରିବା ? କାହା ଉପରେ ଖାଦ୍ୟ ଉତ୍ପାଦନ କରିବା ? ମାଟି ବିନା ଆମ ଜୀବନର ଅସ୍ତିତ୍ୱ ଅସମ୍ଭବ ନୁହେଁ କି ?
ବାବାଙ୍କର ଏହି ପ୍ରଶ୍ନରେ ଦୁଇ ଭଉଣୀ ଚିନ୍ତାମଗ୍ନ ହୋଇଗଲେ ।କିଛି କ୍ଷଣର ନୀରବତା ପରେ ସଞ୍ଚିତା କହିଲା,ବାବା ! ସତରେ ପାହାଡ଼ର ତ୍ୟାଗ ଯୋଗୁଁ ଆମେ ବଂଚିଛନ୍ତି ।ଏକଥା ଆମେ କେବେ ବି ଭାବିନଥିଲୁ ।ଖରା ବର୍ଷା ଖାଇ ନିଜକୁ ଜଳାଇ ଆମ ପାଇଁ ନିଜକୁ ଖଣ୍ଡ ବିଖଣ୍ଡିତ କରି କ୍ଷୁଦ୍ର ରେଣୁରେ ପରିଣତ ହୁଏ ।ନିଜର ସୁଖ ଭାବିବା ଆଗରୁ ଆମମାନଙ୍କ ସୁଖ କଥା ଚିନ୍ତା କରେ ।ତାହାର ଏଇ ତ୍ୟାଗ ସତରେ ମହାନ ।
ବାବା କହିଲେ ତୁମେମାନେ ଠିକ ବୁଝିଛ ।ପାହାଡ଼ ତ୍ୟାଗର ମହାନତା ଶିକ୍ଷା ଦିଏ ।ତୁମେମାନେ ପାହାଡ଼ ପରି ହେବ ତ ? ଅନ୍ୟର ସୁଖ ପାଇଁ ନିଜ ସୁଖ ତ୍ୟାଗ କରିପାରିବ ତ ?
ବାବାଙ୍କ ପ୍ରଶ୍ନରେ ଦୁଇଭଉଣୀ ସଂଗେ ସଂଗେ ହଁ ବୋଲି ଉତ୍ତର ଦେଲେ ।
ପାହାଡ଼ ଦୂରରୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ନିକଟରେ ଭାରି ରୁକ୍ଷ,ଭୟଙ୍କର ।ତେଣୁ ପାହାଡ଼ କୌଣସି ଜିନିଷକୁ ଭଲ ଭାବରେ ପରଖି ତାହାର ଗୁଣବତା ସ୍ଥିର କରିବା ପାଇଁ ପରୋକ୍ଷରେ ଶିକ୍ଷା ଦିଏ ।ଭଲ ଭାବରେ ଚିନ୍ତା କରି ହିଁ କାହା ବିଷୟରେ କିଛି ଟିପ୍ପଣୀ ଦେବା ପାଇଁ ପାହାଡ଼ ଶିକ୍ଷା ଦେଇଥାଏ।ପାହାଡ଼ର ଆକାର ବିଶାଳ ।ସମଗ୍ର ପୃଥିବୀ ପୃଷ୍ଠରେ ନିଜର ସ୍ୱତନ୍ତ୍ରତା ହିଁ ତାହାର ପରିଚୟ ।ତେଣୁ ସମାଜରେ ନିଜର ସାମର୍ଥ୍ୟକୁ ପରିପ୍ରକାଶ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଵା ପାହାଡ଼ଠାରୁ ହିଁ ଶିକ୍ଷା ମିଳେ ।ଜୀବନରେ କିଛି କରିପାରିଲେ ହିଁ ଜନ୍ମ ସାର୍ଥକ ହୋଇପାରିବ ।ପାହାଡ଼ଠାରୁ ଏହି ମହାନ ଶିକ୍ଷା ଆମେ ଗ୍ରହଣ କରିବା ।ବିଶାଳ ଜନସମୁଦ୍ରର ଭିଡ଼ ଭିତରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ଉଚିତ ।
ପାହାଡ଼ ସର୍ବଦା ନୀରବ ,ଶାନ୍ତ ରହିଥାଏ ।ଝଡ଼ ତୋଫାନ ପରି ଯେତେ ଯେତେ ବିପଦ ଆସିଲେ ମଧ୍ୟ ସେ ସେମିତି ଶାନ୍ତ ହୋଇ ରହିଥାଏ ।ତେଣୁ ଆମକୁ ସର୍ବଦା ଶାନ୍ତ ରହିବା ପାଇଁ ପାହାଡ଼ ଶିକ୍ଷା ଦେଇଥାଏ ।
ପାହାଡ଼ ଖୁବ ଶକ୍ତିଶାଳି ।କ୍ଷୀପ୍ର ବେଗରେ ତା ଆଡ଼କୁ ମାଡି ଆସୁଥିବା ଝଡ଼ ତୋଫାନକୁ ବାଧା ଦେଇ ନିଜର ଶକ୍ତି ପ୍ରଦର୍ଶନ କରି ଏ ମଣିଷ ସମାଜ ଆଖିରେ ଯେ କୌଣସି ସମସ୍ୟା ଆସିଲେ ବା ବିପଦ ଆସିଲେ କିମ୍ବା ଶତ୍ରୁ ବିପକ୍ଷରେ ନିଜର ଶକ୍ତି ଦେଖାଇ ବିଜୟୀ ହେବା ପାଇଁ ପାହାଡ଼ ଶିକ୍ଷା ଦିଏ ।
ନିକିତା ପଚାରିଲା ବାବା ପାହାଡ଼ ଆଉ କଣ ଶିକ୍ଷା ଦିଏ ?
ବାବା କହିଲେ ପାହାଡ଼ ଦେହରେ କେତେ ଗଛଲତା ପୂର୍ଣ୍ଣ ହୋଇ ରହିଛନ୍ତି ।କେତେ ଜୀବଜନ୍ତୁ ତା ଦେହରେ ବାସ କରୁଛନ୍ତି ।ତୁମେ ତ ଜାଣିଛ ଆଗକାଳରୁ ଏପର୍ଯ୍ୟନ୍ତ ମଧ୍ୟ ଅନେକ ଲୋକ ପାହାଡ଼ ଉପରେ ବାସ କରୁଛନ୍ତି ।ସମସ୍ତଙ୍କୁ ଆଶ୍ରୟ ଦେଉଛି ପାହାଡ଼ ।କାହା ପ୍ରତି କିଛି ବୈର ଭାବନା ନାହିଁ ।ସମସ୍ତଙ୍କୁ ନିଜର ମନେ କରେ ପାହାଡ଼ ।ନଚେତ କଣ ଆଶ୍ରା ଦେଇଥାନ୍ତା ?ତାହାର ଏଇ ଆପଣାପଣ ,ସମଭାବ ଆମମାନଙ୍କ ପାଇଁ ଶିକ୍ଷଣୀୟ ନୁହେଁ କି ? ଆମେ ସମସ୍ତ ମନୁଷ୍ୟ ମାଆ ଧରିତ୍ରୀର ସନ୍ତାନ ।ଆମ ଭିତରେ ଶତ୍ରୁତା ନ ରଖି ପରସ୍ପରକୁ ଆପଣାପଣରେ ବାନ୍ଧି ରଖିବା ।ଏସବୁ ପାହାଡ଼ ହିଁ ଶିକ୍ଷା ଦିଏ ।
ସଞ୍ଚିତା କହିଲା ବାବା ପାହାଡ଼ ପର୍ବତ ଆମକୁ ସୁରକ୍ଷା ମଧ୍ୟ ପ୍ରଦାନ କରେ ।ସ୍କୁଲ୍ ରେ ଶିକ୍ଷକ ଆମର ପଢ଼ାଇଛନ୍ତି ।ଭାରତର ଉତ୍ତର ପଟେ ହିମାଳୟ ପର୍ବତ ପ୍ରାଚୀର ପରି ଠିଆ ହୋଇ ରହିଛି ।ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ପବନକୁ ବାଧା ଦେଉଛି ।ଫଳରେ ଅତ୍ୟଧିକ ଥଣ୍ଡାରୁ ଆମେ ରକ୍ଷା ପାଇଥାଉ ।ପାହାଡ଼ ପର୍ବତ ନଥିଲେ ଅତ୍ୟଧିକ ଥଣ୍ଡାରେ ବଞ୍ଚିବା ଆମ ପାଇଁ କେତେ କଷ୍ଟକର ହୋଇଥାନ୍ତା ।ତାହା ସହଜରେ ଅନୁମେୟ ।
ବାବା କହିଲେ ଠିକ ମନେ ରଖିଛୁ ରେ ମାଆ ।
ତେଣୁ ପାହାଡ଼ ଯେମିତି ସୁରକ୍ଷା ପ୍ରଦାନ କରୁଛି ।ଆମେ ସେହିପରି ନିଜର ସୁରକ୍ଷା କରିବା ସହ ଅନ୍ୟମାନଙ୍କର ସୁରକ୍ଷା କରିବା ଉଚିତ ।ଯେମିତି ଗଛ ଚାରିପଟେ ବାଡ଼ ଦେଇ ତାହାର ସୁରକ୍ଷା କରୁଛେ ସେହିପରି ଜୀବନରେ ଯେ କୌଣସି ମଣିଷ ,ଜୀବଜନ୍ତୁ ହୁଅନ୍ତୁ ତାଙ୍କର ସୁରକ୍ଷା କରିବା ଉଚିତ ।
କେବଳ ଏତିକି ନୁହେଁ ପାହାଡ଼ ପର୍ବତଠାରୁ ଏକ ମହାନ ଶିକ୍ଷା ଆମକୁ ମିଳୁଛି ।