Jayashree Maharana

Children Stories Inspirational Others

3.8  

Jayashree Maharana

Children Stories Inspirational Others

ପାଠ,ପାଠ ଆଉ ପାଠ

ପାଠ,ପାଠ ଆଉ ପାଠ

3 mins
407


  ଖାଲି ପାଠ ,ପାଠ ଆଉ ପାଠ ।ପାଠ ନାଁ ଶୁଣି ଶୁଣି ଭାରି ବିରକ୍ତି ଲାଗିଲାଣି ରୋଶନକୁ ।ସେ ଚାହେଁ ଟିକେ ବୁଲିବ ,ଟିକିଏ ଖେଳିବ ସାଙ୍ଗ ପିଲାଙ୍କ ମେଳରେ ,ମୋବାଇଲିରୁ ମଜାଳିଆ ଭିଡିଓ ଦେଖିବ ।ତାହାର ବହୁତ ଇଚ୍ଛା ସେ ଜଣେ ଚିତ୍ରକର ହେବ ।କିନ୍ତୁ ବାପା ବୋଉଙ୍କର କଡା ନିର୍ଦ୍ଦେଶ ବାଜେ କାମରେ ମନ ନ ଦେଇ ପଢ଼ ।ପଢିଲେ ସିନା ଶ୍ରେଣୀରେ ପ୍ରଥମହେବୁ ।ଭଲ ପଢିଲେ ଭଲ ମଣିଷ ହେବୁ ।ଏ ଚିତ୍ର ଫିତ୍ର କଲେ କେବେ ବି ବଡ଼ ମଣିଷ ହୋଇପାରିବୁ ନାହିଁ ।


   ରୋଶନର ମନକଥା ବୁଝିପାରନ୍ତି ଜେଜେ ।କିନ୍ତୁ ସେ ଅସହାୟ ।ଯଦି ପୁଅ ବୋହୁଙ୍କୁ ବୁଝାଇବେ ତେବେ ନାନାଦି କଥା ଶୁଣିବାକୁ ମିଳିବ ।ଏମିତି ତ ଅନେକ ଥର ହେଇଛି ।ତୁମେ କଣ ଜାଣିଛ ହେ ।ସେ ଯୁଗ ଅଲଗା ଥିଲା ।ତୁମେ ତ ମୋତେ ପାଠ ପଢିବା ପାଇଁ ନ କହି ଆଜି ମୁଁ କେବଳ ଜଣେ ସାଧାରଣ କିରାଣୀ ହୋଇ ରହିଗଲି ।ଯଦି ସେତିକି ଗୁରୁତ୍ୱ ଦେଇ ପଢ଼ାଇଥାନ୍ତ ହୁଏ ତ ଆଜି ମୁଁ ଜଣେ ଅଫିସର ହୋଇଥାଆନ୍ତି ।


  ମନକୁ ମନ ଜେଜେ ଭାବୁଛନ୍ତି ।ସତରେ ସେ ଯୁଗ ତ ସେମିତି ଥିଲା ।ପ୍ରଥମେ ପିଲାର ଶୈଶବକୁ ମୁକ୍ତ ଭାବରେ ଉପଭୋଗ କରିବାକୁ ଦିଆଯାଉଥିଲା ।ପାଠଶାଠ ତା ଜାଗାରେ ।ନିର୍ଦ୍ଦିଷ୍ଟ ସମୟରେ ଖେଳକୁଦକୁ ସୁଯୋଗ ଦିଆଯାଉଥିଲା ।ଦିନରାତି ପାଠ ପାଠ ଆଉ ପାଠ ଭିତରେ ପିଲାମାନଙ୍କୁ ମାନସିକ ଯନ୍ତ୍ରଣା ଦେବାକୁ କୌଣସି ବାପା ମାଆ ପସନ୍ଦ କରୁନଥିଲେ ।ନା ଥିଲା ପ୍ରତିଯୋଗିତା ନା ସଫଳତା ଲକ୍ଷ୍ୟ ପାଇଁ ବ୍ୟସ୍ତ ବିବ୍ରତ ।ବାପା ମାଆ ପିଲାଙ୍କ ଉପରେ ନିଜର ଇଚ୍ଛା ଲଦି ଦେଉନଥିଲେ ।ପିଲାଟି ତା ଇଚ୍ଛାନୁସାରେ ନିଜର ଭବିଷ୍ୟତ ପଥ ବାଛି ନେଉଥିଲା ।ସେ ଦିଗରେ ବାପା ମାଆ କେବଳ ପଥପ୍ରଦର୍ଶକ ସାଜୁଥିଲେ ।ଜଣେ ବାପା ହିସାବରେ ସେ ତ ସେୟା କରିଥିଲେ ।ପାଠର ମହତ୍ତ୍ୱ ବିଷୟରେ ବାରମ୍ବାର ବୁଝାଇ ପୁଅକୁ ସ୍ୱାଧୀନତା ଦେଇଥିଲେ ।ପୁଅର ଶୈଶବକୁ ନ ମାରି ସେ କଣ ଭୁଲ କରିଛନ୍ତି ? ପୁଅକୁ ପାଠ ,ପାଠ ଆଉ ପାଠର ଚାପ ନ ଦେଇ ସେ କଣ ଦୋଷୀ ?ପୁଅଟି ତା ଲକ୍ଷ୍ୟ ସ୍ଥିର କରିପାରିଲା ନାହିଁ ଯଦି ସେ କଣ ଦୋଷ ଦେବେ ପୁଅକୁ ।କାରଣ ଛୋଟ ପୁଅ ସେ ।ତାହାର ଏତେ ବୁଦ୍ଧି ବା ଆସିବ କୁଆଡୁ ।ଏ ସଂସାରର ଚାଲିଚଳନ ସେ ବା କାହୁଁ ବୁଝିବ ? ବଡ଼ ମଣିଷ ହେବାର ନିଶା ସେ ବା କାହିଁକି ଦେଖିବ ।

ପାଠ ପଢି ଆଜି ସେ କିରାଣୀ ।ନିଜ ପରିବାରକୁ ସହଜରେ ଚଳାଇନେଉଛି ।ନିଜ ପିଲାକୁ ଚାପମୁକ୍ତ କରି ପାଠଶାଠ ପଢ଼ାଇ ସତରେ କଣ ମୁଁ ଭୁଲ କରିଛି ?ଏ ପ୍ରଶ୍ନର ଉତ୍ତର ନିଜକୁ ନିଜେ ପଚାରି ଉତ୍ତର ପାଇପାରନ୍ତି ନାହିଁ ।


  କିନ୍ତୁ ଆଜିର ଯୁଗ ଭିନ୍ନ ।ଏଠାରେ ସଫଳତା ପାଇଁ ପ୍ରତିଯୋଗିତା ତୀବ୍ରତର ହୋଇଯାଇଛି ।ସାମାଜିକ ପ୍ରାଣୀ ମନୁଷ୍ୟ ସମାଜରେ ନିଜର ପ୍ରାଧାନ୍ୟ ବିସ୍ତାର ପାଇଁ ଲାଳାୟିତ ହୋଇ ଭୁଲିଯାଇଛି ଜୀବନରୁ ଶାନ୍ତି ।ଏଥିପାଇଁ ସେ ଛୋଟ ଛୁଆର ସୁଖ ଶାନ୍ତିକୁ ବି ବଳି ପକାଇଦେଉଅଛି । ନିଜର ଇଛା ଆଶାକୁ ସନ୍ତାନ ଉପରେ ଲଦି ଦେଉଛି ।ଛୋଟ ଛୁଆ ସେ ତାହାର ମନ ମୁକ୍ତ ।ସେ ଚାହେଁ ଚାପମୁକ୍ତ ଜୀବନ ।କିନ୍ତୁ ନିଜେ ଏଇ ଛୋଟ ବୟସରେ ଯାହା ବୁଝିପାରିନାହିଁ ସେ ଚାହେଁ ତାହାର ସନ୍ତାନ ସେଇକଥା ଏ ବୟସରେ ବୁଝିଯାଉ । ନିଜର ସ୍ୱପ୍ନ ସନ୍ତାନ ଦ୍ୱାରା ପୁରଣ କରିବା ଲକ୍ଷ୍ୟରେ ସେ ସାଜୁଛି ଅନ୍ଧ ।ଦେଖିପାରୁନାହିଁ ସନ୍ତାନର ଖୁସି ।ଦାମୀ ସ୍କୁଲ,ରୁଟିନ ବନ୍ଧା ଜୀବନ ,ପାଠ୍ୟ ଉପକରଣ ପୂର୍ଣ ବ୍ୟାଗର ଭାର ତା ଉପରେ ଲଦି ଦେଉଛି ।ସେ ଭିତରେ ଯୁଝି ହେଉଛି ଛୁଆ ।ଚାପଗ୍ରସ୍ତ ,ଚିନ୍ତାଗ୍ରସ୍ତ ହୋଇଯାଉଛି ।ତାହାର ପିଲାଦିନକୁ ଲୁଟି ନେଉଛନ୍ତି ଆଜିକାଲିର ଆଧୁନିକ ବାପାମାଆ ।


  ସେ ନିରୁପାୟ ।କେମିତି ବୁଝାଇବେ ପୁଅ ବୋହୂଙ୍କୁ ।କେମିତି କହିବେ ରୋଶନର ଖୁସି ତୁମେମାନେ ଲୁଟି ନେଉଛ ।ପୁଅ ବୋହୂ କହିବେ ଆମେ କଣ ଆମ ପୁଅର ଶତ୍ରୁ ବୋଲି ଭାବିଲ ତୁମେ ।ଥରି ଉଠିଲା ତାଙ୍କର ଛାତି ।ନା ନା ସେ ନୀରବ ରହିବା ଉଚିତ ।କିନ୍ତୁ ପରୋକ୍ଷରେ ସେ ରୋଶନକୁ ତା ଇଚ୍ଛା ପୂର୍ଣ୍ଣ ପାଇଁ ଦେବେ ସୁଯୋଗ ।


  ରୋଶନ ଆସି ଡାକପକାଇଲା ଜେଜେ .....ଜେଜେ......ଚାଲ ଆମେ ବଗିଚାରେ ବୁଲିବା ।ଜେଜେଙ୍କ ମୁହଁରେ ଫୁଟିଉଠିଲା ହସ ।ଦୁହେଁ କିଛି ସମୟ ବଗିଚାରେ ଚାପମୁକ୍ତ ହୋଇ ସମୟ ବିତାଉଥିଲେ ।


Rate this content
Log in