ଫୁଲଠାରୁଶିକ୍ଷା
ଫୁଲଠାରୁଶିକ୍ଷା
ଶିକ୍ଷୟିତ୍ରୀ ଝୁନୁଵାଳା ମହାନ୍ତି ପଞ୍ଚମ ଶ୍ରେଣୀରେ ସାହିତ୍ୟ ବିଷୟ କାଳ ଅଂଶରେ କବି ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ଦ୍ୱାରା ରଚିତ ଫୁଲ ପ୍ରସଙ୍ଗଟି ପଢ଼ାଉଥିଲେ ।
ମୋ ବାସ ଗଛରେ ଲଟାବୁଦାରେ
ଶାଗ ଶିଉଳିରେ ଘାସ ହୁଡାରେ ।
ମୋହ ଯୋଗୁଁ ପଟ ଯାଏ ନିସ୍ତରି
କୀଟ ବସେ ପୁଣି ଶିରେ ସବୁରି ।
ଫୁଲଟିଏ ପୃଥିବୀ ପୃଷ୍ଠରେ ଯେ କୌଣସି ସ୍ଥାନରେ ଉଭା ହୋଇଥାଏ ।ପର୍ବତ,ଜଳ,ସ୍ଥଳ,ବନ,ଉପବନ,କୂଳ ,କନ୍ଦର ଠାରେ ଶୋଭା ପାଉଥାଏ ।ସକାଳ ସଂଜରେ ଫୁଟି ବାସୁଥାଏ ।ଯୁବା ଠାରୁ ବୃଦ୍ଧ ତାହାରି ରୂପରେ ହୁଅନ୍ତି ମୁଗ୍ଧ ।କେବେ କାହା ଗଳାରେ ତ କେବେ କାହା ଗଭାରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥାଏ ଛୋଟ ଫୁଲଟିଏ ।ପବନରେ ଚଉଦିଗକୁ ଖେଳିଯାଏ ଏହାରି ସୁଗନ୍ଧ ।ଭଅଁର ଧାଇଁ ଆସେ ତା ପାଖକୁ ।ମଧୁପ ତାଠାରୁ ସଂଗ୍ରହ କରିନିଏ ମଧୁ ।ଛୋଟ ହେଲେ ବି ଦେବତାଙ୍କ ପୂଜାରେ ଲାଗି ହୁଏ ।ଦେବତାଙ୍କ ଶିର ମଣ୍ଡନ କରେ ।ଫୁଲଟିଏ ପାଇଁ ପଟଟିଏ ପ୍ରଭୁଙ୍କ ଶିର ଛୁଇଁପାରେ ।
ଶିକ୍ଷୟିତ୍ରୀ ନିଜର ଛାତ୍ରଛାତ୍ରୀଙ୍କୁ ଫୁଲଟିଏ ବିଷୟରେ ସୁନ୍ଦର ଭାବରେ ବୁଝାଉଥାନ୍ତି ।ଆକାରରେ ଛୋଟ ହେଲେ ମଧ୍ୟ ଫୁଲର ଅନେକ ଗୁଣ ଆମକୁ ଶିକ୍ଷା ମିଳିଥାଏ ।
ଶିକ୍ଷୟିତ୍ରୀଙ୍କର ଏପରି କଥାରେ ପିଲାମାନେ ପରସ୍ପରର ମୁହଁକୁ ଚାହିଁ ରହିଲେ ।ସାମାନ୍ୟ ଫୁଲଠାରୁ ପୁଣି ଏ ମଣିଷ କଣ ଶିଖେ ।ରିମା
ଶ୍ରେଣୀରେ ପ୍ରଥମ ହୁଏ ।ସଂଗେ ସଂଗେ କହିଲା ,ଦିଦି ! ଫୁଲଟିଏ ପୁଣି କି ଶିକ୍ଷା ଦେବ ?
ଶିକ୍ଷୟିତ୍ରୀ ରିମାର ଏପରି ଅଜ୍ଞାନତାରେ ଖୁସି ହେଲେ ନାହିଁ ।ବୁଝାଇ ଦେଲେ କୌଣସି ଜିନିଷକୁ ଛୋଟ ବୋଲି ମନେ କରି ହେୟଜ୍ଞାନ କରିବା ଉଚିତ ନୁହେଁ ।ଛୋଟ ଶିଶୁଟିଏ ତ ଭବିଷ୍ୟତରେ ସୁନାଗରିକ ହୋଇପାରେ ।ଛୋଟ ବହିଟିଏ ଆମର ଜ୍ଞାନର ପରିସୀମା ବଢ଼ାଇପାରେ ।ଛୋଟ ମହୁମାଛିଟିଏ କଠିନ ପରିଶ୍ରମ କରି ଆମ ପାଇଁ ମଧୁ ସଂଗ୍ରହ କରିଥାଏ ।ଛୋଟ ଦୀପଟିଏ ଘନ ଅନ୍ଧକାର ଦୂର କରିବା ପାଇଁ ସକ୍ଷମ ହୋଇପାରେ ।ଛୋଟ କୂଅଟିଏ ଆମକୁ ଜୀବନ ସାରା ଜଳ ଯୋଗାଇପାରେ ।ଛୋଟ ଗଛଟିଏ ବଡ଼ ହୋଇ ଫୁଲ,ଫଳ, ଛାଇ, ଅମ୍ଳଜାନ ,ଜାଳେଣି ସବୁକିଛି ଦାନ କରିଥାଏ ।ତେବେ କୁହ କୌଣସି ଜିନିଷ ଆକାରରେ ଛୋଟ ହେଲେ ତାହାର ମହତ୍ତ୍ୱ କଣ କମିଯାଏ ।
ପିଲାମାନେ ଶିକ୍ଷୟିତ୍ରୀଙ୍କ ମର୍ମ ବୁଝିପାରିଲେ ।ରିମା କହିଲା, ଦିଦି ! ଆଜିଠାରୁ ଆକାରରେ ଛୋଟ କୌଣସି ଜିନିଷକୁ ଆମେ ଅଣଦେଖା କରିବୁ ନାହିଁ ।ସତରେ ଛୋଟ ଭିତରେ ବହୁତ ବଡ଼ ବଡ଼ କଥା ଲୁଚି ରହିଛି ।
ଶିକ୍ଷୟିତ୍ରୀ ଖୁସି ହେଲେ ଏବଂ କହିଲେ ତୁମେମାନେ ଯେତେବେଳେ ଫୁଲର ମହାନତା ଜାଣିବ ନିଶ୍ଚିତ ରୂପେ ସେସବୁ ଗୁଣ ଜୀବନରେ ପ୍ରୟୋଗ କରି ଭଲ ମଣିଷ ରୂପେ ନିଜକୁ ଗଢି ତୋଳିବ ।
ସାଗର କହିଲା ,ଦିଦି !ତେବେ ଆପଣ ଆମମାନଙ୍କୁ ସେ ବିଷୟରେ ଭଲ ଭାବରେ ବୁଝାଇ କୁହନ୍ତୁ ।ସମସ୍ତ ପିଲା ମାନେ ଏକ ସ୍ୱରରେ ଶିକ୍ଷୟିତ୍ରୀଙ୍କୁ ସେ ବିଷୟରେ ବୁଝାଇବା ପାଇଁ ଅନୁରୋଧ କଲେ ।ଶିକ୍ଷୟିତ୍ରୀ କହିଲେ ତୁମମାନଙ୍କ ଏ ବିଷୟରେ ଜାଣିବାକୁ ଆଗ୍ରହ ଅଛି ମାନେ ମୁଁ ନିଶ୍ଚିତ ଏ ବିଷୟରେ ବୁଝାଇ କହିବି । କିନ୍ତୁ ଆଜି ତ ସମୟ ହୋଇଗଲାଣି ।କାଲି କହିବି ।କିନ୍ତୁ ମୋର ଗୋଟିଏ କଥା ରଖିବ ତ ।
ପିଲାମାନେ ପଚାରିଲେ କଣ କୁହନ୍ତୁ ଦିଦି ।ତୁମେ ମାନେ ଆଜି ଟିକିଏ ଚିନ୍ତା କରିବ ।ମୋର ଆଶା ତୁମେ ଫୁଲର କିଛି ନା କିଛି ଭଲ ଗୁଣ ଅନୁମାନ କରିପାରିବ ।
ପିଲାମାନେ ପ୍ରତିଶୃତି ଦେବା ପରେ ଶିକ୍ଷୟିତ୍ରୀ ଶ୍ରେଣୀରୁ ବିଦାୟ ନେଲେ ।
ପରଦିନ ଦିଦିଙ୍କ କାଳଅଂଶ କୁ ପିଲାମାନେ ଖୁବ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି ।
ଶିକ୍ଷୟିତ୍ରୀ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେ ପିଲାମାନଙ
୍କ ମୁହଁରେ ଖୁସିର ଝଲକଟିଏ ଉଙ୍କିମାରିଲା ।
ସମସ୍ତେ ଦିଦିଙ୍କୁ ମନେ ପକାଇଦେଲେ ।ଦିଦି ଅଳ୍ପ ହସି କହିଲେ ଠିକ ଅଛି ।କିନ୍ତୁ ମୋର କଥା ରଖିଚ ତ ।
ପ୍ରଥମେ ତୁମେମାନେ କଣ ଚିନ୍ତା କରିଛ ଜଣାଇବା ପରେ ମୁଁ ଏ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଦେବି ।
ସଙ୍ଗୀତା କହିଲା ଦିଦି ମୁଁ ଗୋଟିଏ ଗୁଣ ଜାଣିଛି ।ଫୁଲ ବହୁତ କୋମଳ ବା ନରମ ।ଦିଦି କହିଲେ ଠିକ କହିଛ ।ଜୀବନରେ ସବୁବେଳେ କୋମଳ ହେବାକୁ ଚେଷ୍ଟା କର ।ରୁକ୍ଷ ହେଲେ ,ଟାଣ କଥା କହିଲେ କେହି କଣ ତୁମକୁ ଭଲ ପାଇବେ ? ଫୁଲ ନୀରବରେ ମଧ୍ୟ ତୁମକୁ କୋମଳତା ରକ୍ଷା କରିବା ପାଇଁ ଶିକ୍ଷା ଦେଇଥାଏ ।ସମସ୍ତେ ଖୁସିରେ ତାଳି ମାରିବାକୁ ଲାଗିଲେ ।
ସୁବ୍ରତ କହିଲା ଦିଦି ଫୁଲ ଆକାରରେ ଛୋଟ ।ସକାଳୁ ଫୁଟି ସଞ୍ଜରେ ଝଡିଯାଏ ତଥାପି ଅଳ୍ପ ସମୟ ମଧ୍ୟରେ ସାରା ଜଗତର ସେବା କରେ ।ତାହାର ବାସ୍ନା ଚାରିଦିଗକୁ ଖେଳାଇଦିଏ ସମସ୍ତଙ୍କୁ ତା ଆଡ଼କୁ ଆକର୍ଷିତ କରେ ।ଜୀବନରେ ନିଜକୁ ହେୟ ମନେ ନ କରି ନିଜର କର୍ତ୍ତବ୍ୟ କରିଚାଲେ ।
ବଢିଆ କଥା ତ କହିଛ ।ଶିକ୍ଷୟିତ୍ରୀଙ୍କ ବାଃ ବାଃ ଶୁଣି ସୁବ୍ରତ କହିଲା ଦିଦି ଏସବୁ ମୋର ଜେଜେ ମୋତେ ବୁଝାଇଛନ୍ତି ।ସୁବ୍ରତର ସତ୍ୟତା ଆଉ ନିର୍ଭୀକତା ପାଇଁ ଶିକ୍ଷୟିତ୍ରୀ ଖୁସି ହେଲେ ।କହିଲେ ସୁବ୍ରତ ଠିକ କହିଛି ।ମୁଁ ଗୋଟେ କ୍ଷୁଦ୍ର ଜୀଵ,ମୁଁ ବା କଣ କରିପାରିବି ଏପରି ମନେ ନ କରି ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ତାହାକୁ ପରିପ୍ରକାଶ କର ବୋଲି ଫୁଲ ଶିକ୍ଷା ଦିଏ ।ଆକାର ,ଜୀବନ କାଳ କ୍ଷୁଦ୍ର ।ତଥାପି ନିଜର ସୁଗନ୍ଧ ବାଣ୍ଟିଦିଏ ।ସେଥିପାଇଁ ଦେବତାଙ୍କ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ସେ ।ତେଣୁ ପିଲାମାନେ ସବୁବେଳେ ମୁଁ କିଛି କରିପାରିବି ନାହିଁ,ମୁଁ ଛୋଟ ପିଲାଟିଏ ଏପରି ବିଚାର ନ କରି ନିଜ ରୁଚି ନିଜ ଦକ୍ଷତାକୁ ପ୍ରସ୍ଫୁଟିତ କର ।ଦେଖିବ ଦିନେ ନା ଦିନେ ସମସ୍ତଙ୍କ ଆଗରେ ସୁପରିଚୟ ଲାଭ କରିବ ।ଭଗବାନ ସମସ୍ତଙ୍କୁ କିଛି ନା କିଛି ଦକ୍ଷତା ଦେଇଛନ୍ତି ।ସେଗୁଡିକ ଚିହ୍ନିବା ଆମର କର୍ତ୍ତବ୍ୟ ।
ପିଲାମାନେ କେବଳ ଏତିକି ନୁହେଁ ଫୁଲର ଗୋଟିଏ ମହାନ ଗୁଣ ଅଛି ଭାଗବାନ ତାକୁ କ୍ଷୁଦ୍ର ଜୀବକାଳ ଦେଇଛନ୍ତି ବୋଲି ସେ ଦୁଃଖ କିମ୍ବା ଅବଶୋଷ କରେ ନାହିଁ ।ବରଂ ସେଇ ସମୟ ଭିତରେ ସେ ଉପଭୋଗ କରେ ଆନନ୍ଦ ।ପବନ ସହିତ ତାଳ ଦେଇ ନାଚି ଉଠେ ।ତେଣୁ ଜୀବନରେ କେବେ ଅବଶୋଷ ନ କରି ଖୁସି ରହିବାକୁ ଫୁଲ ଶିକ୍ଷା ଦିଏ ।ଆମେ ଭଗବାନ ଯେତେ ଦେଲେ ବି ଅବଶୋଷ କରୁ ।ଏଇଟା ମୋତେ ଦେଇନାହାନ୍ତି ସେଇଟା ମୋତେ ଦେଇନାହାନ୍ତି ।ଦେଇଥିଲେ ମୁଁ ଏମିତି କରିଦେଇଥାନ୍ତି ଏପରି ଅନେକ କହୁ ।କିନ୍ତୁ କେବେ ଚିନ୍ତା କରୁନାହୁଁ ଭଗବାନ ଯେତିକି ଦେଇଛନ୍ତି ସେ ଭିତରେ ଖୁସି ଖୋଜିବା ପାଇଁ ।ତେଣୁ ଫୁଲ ଏଇ ଶିକ୍ଷା ଆମକୁ ଦିଏ ।
ଅବଶୋଷ କରନାହିଁ ଖୁସି ହୁଅ ନିତି
ଦୁନିଆକୁ ଦେଖାଅ ହେ ଲୁକ୍କାୟିତ ଶକ୍ତି ।
ଶ୍ରୀଧର କହିଲା ଦିଦି ଫୁଲ ପର ଉପକାର କରେ ।ରାଜୁ ଚଗଲା ଟା ।କହିଲା ଫୁଲ କଣ ପର ଉପକାର କରେ ବା ।ସେ ତ ଗଛରେ ଫୁଟେ ।ଝରିଯାଏ ।
ଦିଦି ହସିଲେ ।କହିଲେ ରାଜୁ ଶ୍ରୀଧର ଠିକ କହିଛି ।ତୁ ମଧ୍ୟ ଜାଣିଲେ ଖୁସି ହେବୁ ।ଫୁଲ ପର ଉପକାର କରିବା ପାଇଁ ଆମକୁ ଶିକ୍ଷା ଦିଏ ।
ଫୁଲ ଦେହରେ ସାଇତା ମିଠା ରସ ମହୁମାଛି ଶୋଷି ନିଏ ।ନିଜର ଖାଦ୍ୟ ପାଇଁ ସାଇତି ରଖେ ।ମଣିଷ ମଧ୍ୟ ସେ ରସ ପାଇପାରେ ।ତେଣୁ ଫୁଲଟିଏ ପ୍ରତ୍ୟକ୍ଷରେ ଏବଂ ପରୋକ୍ଷରେ ପର ଉପକାର କରିଥାଏ ।ଫୁଲ ପରି ଜୀବନରେ ପର ଉପକାର କରିବା ଶିକ୍ଷା ମଣିଷ ଶିଖିବା ଉଚିତ ।କେବଳ ସେତିକି ନୁହେଁ ଆମର ସୁଗନ୍ଧ ପାଇଁ ସେ ନିଜ ଜୀବନକୁ ବଳିଦାନ କରିଦିଏ ।ତାହାର ପ୍ରତି ପାଖୁଡ଼ାରୁ ଅତର ତିଆରି ହୋଇଯାଏ ।ଫୁଲର ଏହି ତ୍ୟାଗ ମହାନ ନିଶ୍ଚିତ ।ତ୍ୟାଗ,ବଳିଦାନର ମହାଶିକ୍ଷା ଫୁଲଠାରୁ ମିଳିଥାଏ ।