କାଉଠାରୁ ଶିକ୍ଷା
କାଉଠାରୁ ଶିକ୍ଷା
ଶିକ୍ଷକ ଶରତ ସାର୍ ଦ୍ୱିତୀୟ ଶ୍ରେଣୀରେ ସାହିତ୍ୟ ବିଷୟର "କହିଲ ଦେଖି" ପ୍ରସଙ୍ଗଟି ପଢ଼ାଉଥାନ୍ତି ।
ଶିକ୍ଷକ କହିଲେ
କା କା କରି ସିଏ ରାଵଇ
ନିଦରୁ ଆମକୁ ଦିଏ ଉଠାଇ
କିଏ ସେ କହିବ ତା ନାମ ଭାଇ ?
ସମସ୍ତ ଛାତ୍ର ଛାତ୍ରୀ ଏକ ସ୍ୱରରେ କହି ଉଠିଲେ ସାର୍ କାଉ ।
ସାର୍ କହିଲେ ଆଚ୍ଛା ପିଲେ, ସାର୍ କେମିତି କାଉ ହେଲେ ?
ପିଲେମାନେ ଟିକିଏ ଡରିଗଲେ ଏବଂ ନୀରବରେ ପରସ୍ପରର ମୁହଁକୁ ଚାହିଁ ରହିଲେ ।
ଶିକ୍ଷକ ବୁଝି ପାରିଲେ ପିଲାମାନଙ୍କ ଭୟ । ସଙ୍ଗେ ସଙ୍ଗେ ହସିଦେଲେ । ଶିକ୍ଷକଙ୍କୁ ହସିବାର ଦେଖି ସମସ୍ତ ଶିକ୍ଷାର୍ଥୀ ହସି ଉଠିଲେ ।
ଶିକ୍ଷକ କହିଲେ, ତୁମେମାନେ ଠିକ କହିଛ । ତୁମେ ସହଜରେ ଜାଣିପାରିଲ ।
ସୀମା କହିଲା, ସାର୍ ସବୁଦିନ କାଉ ପରା ଆମ ଘର ଉପରେ ବସି କା କା ବୋବାଉଛି । ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ କହିଉଠିଲେ, ସାର୍ ଆମ ଘର ଉପରେ ବି କାଉ କା କା ହେଉଛି ।
ଶିକ୍ଷକ ଜାଣନ୍ତି, ଶିଶୁ ହେଉଛନ୍ତି ଆଗାମୀ ଭବିଷ୍ୟତ । ସେମାନଙ୍କ ଶିକ୍ଷା କେବଳ ପୁସ୍ତକ ଜ୍ଞାନ ଭିତରେ ସୀମିତ ହେବା ଉଚିତ । ପ୍ରକୃତିର ପ୍ରତିଟି ଉପାଦାନରୁ ଶିକ୍ଷା କଲେ ସେମାନଙ୍କ ଜୀବନ ସୁଖମୟ ହୋଇପାରିବ । କଅଁଳା ବୟସରୁ ଏହି ଛାଞ୍ଚ ଗଠିତ ହେଲେ ବଡ଼ ଦିନରେ ଏହାର ପ୍ରଭାବ ପଡିବ ।
ସାର୍ ପଚାରିଲ କାଉକୁ କେଉଁମାନେ ଭଲ ପାଅ ?ପ୍ରାୟ ସମସ୍ତଙ୍କ ମୁହଁ ଛୋଟ ହୋଇଗଲା ।
ସାର୍ ରାଜୀବକୁ ପଚାରିଲେ, ଆଚ୍ଛା ରାଜୀବ ତୁମକୁ କଣ କାଉ ଭଲ ଲାଗେନି ।
ସେ କହିଲା, ନାଇଁ ସାର୍ ସେ ଆମ ମାଛ ନେଇଯାଉଛି । ଥରେ ମାଆ ।
ଶୁଭ ଠିଆ ହୋଇ କହିଲା ସାର୍ ସେ ପରା ଅସନା ଖାଉଛି ।
ଶରତ ସାର୍ କହିଲେ ପିଲେ ତୁମେ ହୁଏ ତ ଏ ଗୁଡିକ ତାହାର ଖରାପ ଗୁଣ କହୁଛ । କିନ୍ତୁ ତାହା ଠାରୁ ଆମେ ଅନେକ କିଛି ଶିଖିପାରିବା ।
ପିଲାମାନେ ଆଶ୍ଚର୍ଯ୍ୟ ହେଲେ । କାଉ ଆମକୁ କଣ ବା ଶିଖାଉଛି ।
ଶିକ୍ଷକ କହିଲେ କାଉ ବଡ଼ି ଭୋରରୁ ଆମକୁ ନିଦରୁ ଉଠାଇଦିଏ । କୁହ ତ ପିଲେ ସେ ଏତେ ଜଲ୍ଦି ଉଠେ । ଏଥିରୁ କଣ ଶିଖିଲେ ଜାଣିପାରୁନ ।
ଆମକୁ ନିଦରୁ ଉଠାଇବା ପାଇଁ ସେ ଉଠିଯାଏ । ଆଗ କାଳରେ ଯେତେବେଳେ ଘଣ୍ଟା ନଥିଲା ଲୋକମାନେ ଏଇ କାଉ, କୁକୁଡ଼ା, ଗାଈର ହମ୍ବା ରଡି ଶୁଣି ସକାଳ ହେବାର ଅନୁମାନ କରୁଥିଲେ । ସେ ଆମକୁ ସକାଳୁ ଶୀଘ୍ର ଉଠିବା ପାଇଁ ଶିକ୍ଷା ଦିଏ । କାରଣ ଶୀଘ୍ର ଶୋଇବା ଏବଂ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆମ ଦେହ ଭଲ ରହେ । ତା ସହିତ ଆମେ ଶୀଘ୍ର ଉଠିଲେ ଶୀଘ୍ର କାମରେ ଲାଗିଯିବା । ସେ ଯେମିତି ଆମକୁ ଉଠାଇବା କାମ କରେ । ତେଣୁ କାମ କରିବା ପାଇଁ କାଉଠାରୁ ଶିଖିବା ।
ସଙ୍ଗେ ସଙ୍ଗେ ମାମାଲି କହିଲା ସାର୍ ମୁଁ ସବୁଦିନ ସକାଳୁ ଉଠି ପାଠ ପଢେ । ତା କଥା ଶୁଣି ବିଶ୍ୱ କି ଆଉ ଛାଡ଼ିବ । ସେ କହିଲା, ତୁ ଖାଲି କଣ ଉଠୁଛୁ ବୋଲି କହୁଛୁ । ମୁଁ ବି ସକାଳୁ ଉଠି ଜେଜେଙ୍କ ସହିତ ଆମ ଘର ପାଖରେ ଟିକିଏ ଚାଲେ ।
ଶିକ୍ଷକ କହିଲେ ଭଲ ପିଲା । ଏଥର କାଉ ପରି ସମସ୍ତେ ଶୀଘ୍ର ଉଠିବ ତ ?
ସମସ୍ତ ଶିକ୍ଷାର୍ଥୀ କହିଲେ, ହଁ ସାର୍ ।
ଶିକ୍ଷକ କହିଲେ, ଆଚ୍ଛା ପିଲେ । ଟିକିଏ ଭାବି କୁହ ତ । କାଉ ଠାରୁ ତୁମେ ଆଉ କଣ ଶିଖୁଛ ।
ସୁଧୀର କହିଲା, ସାର୍ ବୋଉ କହୁଥିଲା କାଉ ସବୁ ମଇଳା, ମଲା ଜୀବଜନ୍ତୁ ଖାଇ ଆମ ପରିବେଶକୁ ସଫା ରଖେ । ଆମେ ବି
ତାହାଠାରୁ ଏହି ଗୁଣ ଶିଖିବା । ଆମ ଘର ଚାରିପାଖ ସଫା ରଖିବା । ସେଥିପାଇଁ ତ ବାବା, ଦିଦି, ମୁଁ ସମସ୍ତେ ମିଶି ଆମ ଘର ପାଖ ସଫା କରୁ ।
ତେବେ ପରିବେଶକୁ ସଫା ରଖ ବୋଲି କାଉ ତୁମକୁ ଶିଖାଏ । ଠିକ କହିଛ ସୁଧୀର । ପରିବେଶ ସଫା ନ ରହିଲେ ରୋଗଜୀବାଣୁ ବଢ଼ିବେ । ଆମକୁ ରୋଗ ହେବ । ଆମେ କଷ୍ଟ ପାଇବା ସହିତ ଔଷଧ ଖର୍ଚ୍ଚରେ ଆମ ପଇସା ସରିବ । ସ୍କୁଲରେ ଯେମିତି ହତା ଭିତର ସଫା ରଖୁଛ ସେମିତି ପରିବେଶ ଯେତିକି ପାରିବ ସଫା ସୁତୁରା ରଖିବ । ମଲା ଜୀବଜନ୍ତୁଙ୍କୁ ମାଟିରେ ପୋତିଦେଵ । ଅଳିଆ ଆବର୍ଜନାକୁ ପୋତିଦେଵ । ବାହାରେ ଝାଡା ଫେରିବ ନାହିଁ ।
କୁହ ମୋ କଥା ମାନିବ ତ ?
ହଁ ସାର୍ । ସମସ୍ତେ ବଡ଼ ପାଟି କରି କହିଉଠିଲେ ।
ଆଚ୍ଛା ପିଲେ କେବେ ଖାଦ୍ୟ ଦେଇଛ କି କାଉକୁ ?ଶିକ୍ଷକଙ୍କ ଏ ପ୍ରଶ୍ନରେ ସୁରଭି କହିଲା, ସାର୍ ଆମ ଜେଜେ ସବୁଦିନ କାଉକୁ ଖାଦ୍ୟ ଦିଅନ୍ତି । କେଉଁଦିନ ରୁଟି ତ କେଉଁ ଦିନ ମୁଢି ।
ଆଚ୍ଛା ତେବେ କହିଲ ସେତେବେଳେ କାଉ କଣ କରୁଛି । ସେ ସଙ୍ଗେ ସଙ୍ଗେ କହିଲା ସାର୍ କାଉ ଖାଇବ କଣ ଆଗ କା କା ରଡି ଛାଡ଼ୁଛି । ଆହୁରି କେତେ କାଉ ଏକାଠି ହେବା ପରେ ମିଶିକି ଖାଉଛନ୍ତି ।
ତେବେ ତୁମେମାନେ କାଉର ଏପରି ପ୍ରକୃତିରୁ କିଛି ଶିଖିଲ କି ?
ମୁଁ ତୁମକୁ କହିଦେଉଛି ।
କାଉ ଏକତାକୁ ପସନ୍ଦ କରେ । ସେ ନିଃସ୍ୱାର୍ଥପର, ନିର୍ଲୋଭ । ତୁମେ ଛୋଟ ଛୁଆ ନିଃସ୍ୱାର୍ଥପର, ନିର୍ଲୋଭ ବୁଝିପାରୁନଥିବ । ମୁଁ ତୁମକୁ ସରଳ ଭାବରେ ବୁଝାଇ ଦେଉଛି ।
ଘରକୁ ମିଠା ଆସିଲେ ତୁମେ କଣ କର । ମୁଁ ଅଧିକ ଖାଇବି ବୋଲି ଭାବ । ଏଇଟା ଲୋଭ । ତୁମେ କେଉଁଦିନ ପେନ୍ସିଲ ନ ଆଣିଥିଲେ ସାଙ୍ଗକୁ ଫୁସୁଲେଇ ଭଲ କଥା କହି ନେଇ ଆସ ତାହା ଠାରୁ, ତାହା ହିଁ ସ୍ୱାର୍ଥ । ସ୍ୱାଧୀନତା ଦିବସରେ ମୋତେ କେମିତି ଆଗ ଚକୋଲେଟ ମିଳିଯାଉ ବୋଲି ଭାବ ତାହା ହିଁ ସ୍ୱାର୍ଥ । କେବଳ ନିଜ କଥା ଚିନ୍ତା କରିବା, ଅଧିକ ଲୋଭ କରିବା ଗୁଣ କାଉର ନ ଥାଏ । ସେଥିପାଇଁ ତ ଖାଦ୍ୟ ମିଳିଲେ ସେ ଲୋଭ କରି ଏକା ଖାଏ ନାହିଁ କିମ୍ବା ମୁଁ ଖାଇଦେଲେ ଗଲା ଅନ୍ୟ କାହାଠାରୁ ମୋତେ କଣ ମିଳିବ ଏସବୁ ନ ଭାବି ଅନ୍ୟ କାଉ ମାନଙ୍କୁ କା କା କରି ଡାକେ । ଆସ .... ଆସ ... ଏଠାରେ ଖାଦ୍ୟ ମିଳିଛି । ଆମେ ମିଶିକି ଖାଇବା । ମିଳିମିଶି ସଭିଏଁ ଖାଇବା, ରହିବା, କାଉଟିଏ ମରିଗଲେ ଦୁଃଖ କରିବା ଏମାନଙ୍କ ପ୍ରକୃତି । ଏସବୁ ଭଲ ଗୁଣରେ ପିଲେ । ଆମ ଗାଁରେ କିଏ ଖାଇଲା ନ ଖାଇଲା ଆମେ କେବେ ଚିନ୍ତା କରୁନାହେଁ କିନ୍ତୁ କାଉଟିଏ ନିଜ ଜାତିଭାଇଙ୍କ ଖୁସି କଥା ଚିନ୍ତା କରେ । ଏପରି ନିଃସ୍ୱାର୍ଥପର, ନିର୍ଲୋଭ, ଏକତା ଗୁଣ ଆମେ କାଉଠାରୁ ଶିଖିବା ଉଚିତ । ତେବେ ସିନା ଆମେ ଖୁସି ହେବା । ମିଳିମିଶି ଚଳିବା, ସମସ୍ତଙ୍କ ଖୁସି ଚିନ୍ତା କରିବା ଖୁବ କମ ଲୋକ ପାଖରେ ଥାଏ । ସେଥିପାଇଁ ତ ଆମେ ଆଗୁଆ ହୋଇ ପାରୁନାହଁ । ସଙ୍ଗେ ସଙ୍ଗେ ସଂଗ୍ରାମ କହିଲା ସାର ଏବେ ଆମେ ଆମ ଶ୍ରେଣୀରେ ସମସ୍ତେ ମିଳିମିଶି ଖେଳିବୁ, ମିଶିକି ଖାଇବୁ, କାହାର ପେନ୍ସିଲ, ରବର ନଥିଲେ ଦିଆନିଆ ହେବୁ ।
ଶିକ୍ଷକଙ୍କ ପାଟିରୁ ବାହାରି ପଡ଼ିଲା ବାଃ ମୋର ସୁନା ପିଲାମାନେ । ତୁମେ ଭବିଷ୍ୟତରେ ଏପରି ମହତ ଗୁଣକୁ ଆଦରି ଦେଶର, ଜାତିର ଉନ୍ନତି କରିବ ବୋଲି ମୋର ବିଶ୍ୱାସ ।
ଜାଣିଛ ପିଲେ କାଉ କଳା ବୋଲି, ଅପରିଷ୍କାର ଖାଉଛି ବୋଲି ତାକୁ ସମସ୍ତେ ଘୃଣା କରୁଛନ୍ତି । ସେ କିନ୍ତୁ କାହାରି ନିନ୍ଦା, ଘୃଣାକୁ ଖାତିର ନ କରି ନିଜ କାମ କରିଚାଲେ । ଅନ୍ୟର ଉପକାର କରେ । ତାହାର ଏହି ସୁନ୍ଦର ଗୁଣ ଆମେ ଶିଖିବା ଉଚିତ । କାହାରି ନିନ୍ଦା, ଘୃଣାକୁ ଖାତିର ନ କରି ନିଜ କାମ ନିଜେ କରିବେ ।