Jayashree Maharana

Children Stories Inspirational Others

4.0  

Jayashree Maharana

Children Stories Inspirational Others

ବୃକ୍ଷଠାରୁ ଶିକ୍ଷା

ବୃକ୍ଷଠାରୁ ଶିକ୍ଷା

4 mins
349


ସିପୁନ ଚତୁର୍ଥ ଶ୍ରେଣୀର ଛାତ୍ର।କରୋନା କଟକଣା ହେତୁ ଗୃହବନ୍ଦୀ ହୋଇ ବିଦ୍ୟାଳୟକୁ ଯାଇପାରୁନାହିଁ ।ତେଣୁ ତାହାର ବାପା ସଦାଶିବ ବାବୁ ତାକୁ ସବୁଦିନ କିଛି ସମୟ ପାଠ ପଢ଼ାଉଥାନ୍ତି ।ଆଜି "ଗଛ ଓ କାଠୁରିଆ " ବିଷୟଟି ପଢ଼ାଇବା ସମୟରେ ବାପା ପଚାରିଲେ 


ଆଛା ସିପୁନ କହିଲୁ ତୁ ତ ଗଛ ଆମର କିପରି ଉପକାର କରେ ଜାଣିଛୁ ।ତେବେ ଗଛଠାରୁ ତୁ କଣ ଶିଖିଛୁ ।


ସିପୁନ ର ମୁହଁ ଶୁଖିଗଲା ।ଗଛ କଣ ମଣିଷ ଯେ ଆମେ ତାହାଠାରୁ ଶିଖିବା ।ବାପା ସତରେ ବଡ଼ ବୋକା ଲୋକ ।

ସେ ବାପା ।ପୁଅର ମନକଥା ଠିକ ଠଉରାଇ ପାରୁଥିଲେ ।ସଂଗେ ସଂଗେ କହିଲେ କଣ ହେଲା ସିପୁନ ।ଗଛ କଣ ମଣିଷ ନୁହେଁ ବୋଲି କିଛି ଶିଖାଏ ନାହିଁ ।ମୋର ଗୋଟିଏ କଥା ମନେ ରଖିଥା ଧନ ।ପ୍ରକୃତିର ପ୍ରତିଟି ଉପାଦାନ ଯେମିତି ମଣିଷ,ପଶୁପକ୍ଷୀ,ଗଛଲତା,ପାହାଡ଼ ,ପର୍ବତ ସମସ୍ତଙ୍କ ଠାରୁ ଆମେ କିଛି ନା କିଛି ଶିକ୍ଷା ପାଉଛେ ।ମୁଁ ତୋତେ ସମୟ ସୁବିଧା ଦେଖି ସେ ସମସ୍ତଙ୍କ ଶିକ୍ଷା ବିଷୟରେ କହିବି ।ଆଜି କେବଳ ବୃକ୍ଷଠାରୁ କଣ ଶିଖିବାକୁ ମିଳୁଛି କହିବି ।


 ସିପୁନ କହିଲା ବାପା ମୁଁ ଭାବୁଥିଲି କେବଳ ମଣିଷ ଠାରୁ ଆମେ ଶିଖିବାକୁ ପାଉଛେ ।ଏବେ ସବୁ ବୁଝିଲି ।ମୋତେ କୁହ ଗଛ ଠାରୁ ଆମେ କଣ ଶିଖିବା ।


ବାପା କହିଲେ ହଁ କହୁଛି ଶୁଣ ।

ତୁ ତ ଜାଣୁ ଗଛ ଆମର କେତେ ଉପକାର କରେ ।ବଞ୍ଚିଥିବା ବେଳେ ଅମ୍ଳଜାନ ଯୋଗାଏ ।ଛାଇ ପ୍ରଦାନ କରେ ।ଖାଦ୍ୟ ଦିଏ ।କାଠ ଯୋଗାଏ ।ମାଟି ଧୋଇଯିବାକୁ ରୋକେ ।ବଞ୍ଚିଥିବା ବେଳେ ଯେମିତି ଏସବୁ ଉପକାର କରେ ମରିବା ପରେ ମଧ୍ୟ ଆମର ଉପକାର କରେ ।ଅର୍ଥାତ ତାହାର ଗଣ୍ଡିକୁ ଆଣି ଆମେ ଜାଳେଣି କରୁଛେ ।ନଚେତ କାଠପଟା ବାହାର କରୁଛେ ।ତେଣୁ ଗଛଠାରୁ ଏହି ଗୁଣ ଶିଖିବା।ଜୀବନରେ ଯଥା ସମ୍ଭବ ପରୋପକାର କରିବା ।ତେବେ ଯାଇ ଆମ ଜୀବନ ଧନ୍ୟ ହୋଇପାରିବ ।ଗଛଟିଏ ନିଶ୍ଚଳ ,ମୁକ ହୋଇ ଉପକାର କରୁଛି ।ଭଗବାନ ତ ଆମକୁ ଗୋଡ଼ହାତ ,କହିବା ପାଇଁ ପାଟି ,ବିଚାର କରିବା ପାଇଁ ମୁଣ୍ଡ ଦେଇଛନ୍ତି ।ତେଣୁ ଆମେ ଯଦି ଚାହିଁବା ଅନ୍ୟର ଉପକାର କଣ କରିପାରିବା ନାହିଁ । ସିପୁନର ମନ ଖୁସି ହୋଇଗଲା ।କହିଲା ବାପା ନିଶ୍ଚୟ ପାରିବା

ବାପା ଗଛଠାରୁ ଆଉ କଣ ଶିଖିବା ?

ସିପୁନର ଏହି ପ୍ରଶ୍ନରୁ ବାପା ତାହାର ଆଗ୍ରହ ବୁଝିପାରିଲେ ।କହିଲେ 

ତୁ ମୋତେ କୁହ ଗଛରେ ଯେତେବେଳେ ଫଳ ଥାଏ ସେତେବେଳେ ଗଛ କିପରି ଥାଏ ।ଆମର ବାଡିପଟ ପିଜୁଳି ଗଛ କୁ ତ ଦେଖିଛୁ ।

ସିପୁନ କହିଲା ବାପା ସେ ତ ତଳକୁ ନଇଁ ରୁହେ ।ଗଛର ଏଇ ବିନମ୍ରତା ଗୁଣ ଆମେ ଶିଖିବା ।ସବୁବେଳେ ଗର୍ବ ,ଅହଂକାର କରି ନିଜକୁ ବଡ଼ ବୋଲି ମଣିବା ନାହିଁ ।ଏମିତି କଲେ କେହି ବି ଆମକୁ ଭଲ ପାଇବେ ନାହିଁ ।ବିନମ୍ର ହେବା ।ଭଦ୍ର ହେବା ତେବେ ସମସ୍ତେ ଆମକୁ ଭଲ ପାଇବେ ।ଯେମିତି ସମସ୍ତେ ଗଛଟିଏ କୁ ଭଲ ପାଆନ୍ତି ।ବିନମ୍ରତା ମଣିଷର ଏକ ଭଲ ଗୁଣ ହେବା ଆବଶ୍ୟକ ।ଏସବୁ ଶିକ୍ଷା ଗଛ ହିଁ ଆମକୁ ଦିଏ ।

ବାପା ଗଛଠାରୁ ଆମେ ଆଉ କଣ ଶିଖିବା କୁହ ତ ?

ବାପା କହିଲେ ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ ।ମୁଁ ଗୋଟି ଗୋଟି କରି ସବୁ କହିବି ।ତୁ ଶୁଣ ।

ଗଛ ଉପରେ କେତେ ପକ୍ଷୀ,କୀଟ ପତଙ୍ଗ ଘର କରି ରୁହନ୍ତି ।ଗଛ ସମସ୍ତଙ୍କୁ ଆଶ୍ରୟ ଦିଏ ।ବାଛ ବିଚାର କରେ ନାହିଁ ।ତାହା ମଧ୍ୟରେ ଆତ୍ମ ବିଶ୍ୱାସ ଅଛି ।ସେ ନିଜର ସାମର୍ଥ୍ୟ କୁ ଜାଣେ ।ସେଥିପାଇଁ ତ ନିର୍ଭୟରେ ସମସ୍ତଙ୍କୁ ଆଶ୍ରୟ ଦିଏ ।ଗଛର ଏହି ସବୁ ଗୁଣ ଆମେ ଶିଖିବା ।ଆମର ସାମର୍ଥ୍ୟ କୁ ଚିହ୍ନି କାମରେ ଲଗାଇବା ।ନିଜର ନିଜ ଉପରେ ବିଶ୍ୱାସ ରହିଲେ ଯେ କୌଣସି କାମ ଆମେ ପାରିବା ।ଅନ୍ୟକୁ ସାହାଯ୍ୟ ସହଯୋଗ କରିବା । ସିପୁନ କହିଲା ବାପା ଏସବୁ କଥା ତ ଆମେ କେବେ ଭାବୁନଥିଲୁ ।ପ୍ରକୃତରେ ଗଛ ତ ଅନେକ କିଛି ଶିଖାଉଛି ।

ବାପା କହିଲେ ଆହୁରି ଅନେକ କିଛି ଗଛ ଆମକୁ ଶିଖାଇଥାଏ ।ଗଛଟିଏ ପର ଆପଣା ଭେଦଭାବ ରଖେନି ।ମଣିଷ ,ପଶୁପକ୍ଷୀ ସମସ୍ତଙ୍କର ଉପକାର କରେ ।ସମସ୍ତଙ୍କୁ ନିଜର ବୋଲି ଭାବେ ।ଗଛ ପରି ଆମେ ଯଦି କାହାକୁ ପର ନ ଭାବି ସମସ୍ତଙ୍କୁ ଭଲ ପାଇବା ,ଆପଣାର ଭାବିବା ତେବେ ଦେଶର ଉନ୍ନତି ନିଶ୍ଚିତ ହେବ ।

ଗଛ ଟିଏ ତ ଆମକୁ ଆପଣାର ଭାବ ଶିଖାଇଥାଏ ।

ପୁନଶ୍ଚ ବାପା କହିଲେ ଗଛ କେତେ ଝଡପବନ ଆସିଲେ ବି ସେମିତି ସାମ୍ନା କରୁଛି ।ନିଜର ଶକ୍ତି ଅନୁସାରେ ସାମ୍ନା କରୁଛି ।ବେଳେବେଳେ ନିଜେ ଜିତିଛି ।ବେଳେବେଳେ ପବନର ଶକ୍ତି ଅଧିକ ହେଲେ ସେ ଉପାଡି ଯାଏ କିମ୍ବା ଡାଳ ପତ୍ର ଛିଣ୍ଡିଯାଏ ।ତେବେ ପ୍ରଥମରୁ ଗଛ ହାର ମାନିନିଏ ନାହିଁ ।ବରଂ ପବନକୁ ଯଥା ସମ୍ଭବ ଅଟକାଇ ପାରେ ।ସେଥିପାଇଁ ତ ସମୁଦ୍ର କୁଳ ମାନଙ୍କରେ ପବନର ବେଗ କମାଇବା ପାଇଁ ଝାଉଁ ବନ,ନଡ଼ିଆ ବନ ସୃଷ୍ଟି କରାଯାଏ ।ତେଣୁ ଜୀବନରେ ଗଛ ପରି ଯେତେ ବଡ଼ ବିପଦ ଆସୁ ଧୈର୍ଯ୍ୟ ଧରି ସାମ୍ନା କରିବା ଉଚିତ ।ନିଜକୁ ଛୋଟ ଭାବି ହାରିଯିବା ଉଚିତ ନୁହେଁ ।ଜିତିବା ପାଇଁ ସବୁବେଳେ ଚେଷ୍ଟା କରିବା ଉଚିତ ।ଏସବୁ ଗଛଠାରୁ ଶିଖିବାକୁ ମିଳେ । ଗଛ ଦେହରେ ଫୁଲ ଫୁଟିଲେ ତାହାର ସୁନ୍ଦରତା ବଢିଯାଏ ।ତେଣୁ ସବୁବେଳେ ନିଜ ମନକୁ ସୁନ୍ଦର କରି ଭଲ କାମ କଲେ ତୁମର ସୁନ୍ଦରତା ବଢିବ ।ସମସ୍ତଙ୍କ ସ୍ନେହ ଆଦର ପାଇପାରିବ ।ଗଛ ଠାରୁ ଏସବୁ ମଧ୍ୟ ଶିକ୍ଷା କରିବା ।

ସିପୁନ କହିଲା ବାପା ଗଛ ଠାରୁ ଆମେ ଏତିକି ଶିଖିବା ନା ଆଉ କିଛି ଶିଖିପାରିବା । ବାପା କହିଲେ ମୋତେ କହିଲୁ ମରୁଭୂମିରେ କି କି ଗଛ ଦେଖାଯାଏ ।ସିପୁନ ବିଜ୍ଞାନ ବହିରେ ପଡ଼ିଥିଲା ।ମନେ ପକାଇ କହିଲା ବାପା ସିଜୁ,ସପ୍ତଫେଣି ,କାକଟସ୍ ଇତ୍ୟାଦି କଣ୍ଟା ଜାତୀୟ ଗଛ ।ବାପା କହିଲେ ଠିକ କହିଛୁ ।ମରୁଭୂମିରେ ପାଣି ନଥାଏ ।ପତ୍ରର ଛିଦ୍ର ବାଟେ ଜଳ ଉତ୍ସେଦନ କରିଥାଏ ।ଏହି ଜଳ ନଥିବାରୁ ମରୁଭୂମିରେ ଖାପଖୁଆଇବା ପାଇଁ ଏସବୁ ଗଛ ଗୁଡିକର ପତ୍ର କଣ୍ଟାରେ ରୂପାନ୍ତରିତ ହୁଏ ।ମରୁଭୂମି ପରି ବରଫ ଥିବା ଅଞ୍ଚଳରେ ଶିଉଳି ଜାତୀୟ ଗଛ ଦେଖାଯାଏ । ସିପୁନ କହିଲା ,ବାପା ତେବେ କଣ ଶିଖିଲେ ଯେ ଆମେ ?


ବାପା କହିଲେ ବୁଝିପାରୁନୁ।ଶୁଣ ।ସବୁବେଳେ ଆମେ ଯେମିତି ସୁବିଧା ଚାହୁଁଚେ ମିଳେ ନାହିଁ ।ତେଣୁ ଆମକୁ ଖାପଖୁଆଇବାକୁ ପଡିବ ପରିସ୍ଥିତି ସହିତ ।ଏହି ପରିସ୍ଥିତି ସହିତ ଖାପଖୁଆଇବା କୁ ଶିକ୍ଷା ଦିଏ ଗଛ ।ଯେ କୌଣସି ପରିସ୍ଥିତି ହେଉ ଆମକୁ ବଞ୍ଚିବାକୁ ହେବ ।ଲଢ଼ିବାକୁ ହେବ ।ଆଗକୁ ବଢିବାକୁ ହେବ ।

ଗଛଠାରୁ ଏତେ ଗୁଡାଏ ଶିକ୍ଷା ପାଇ ସିପୁନ ମନ ଖୁସି ହୋଇଗଲା ।କହିଲା ବାପା ସତରେ ଗଛ ପରି କିଏ ହେବ ।ଗଛ ନଥିଲେ ଆମେ ବଞ୍ଚିପାରିବା ନାହିଁ ।ତଥାପି ଏଇ କାଠୁରିଆ ପରି ଅବୁଝା ଲୋକମାନେ ଗଛକୁ ହାଣି ଦେଉଛନ୍ତି ।ଭାରି ଦୁଷ୍ଟ ଲୋକ ଏମାନେ ।କବୀଙ୍କ ପରି ମୁଁ ବି କିଏ ଗଛ ହାଣୁଥିଲେ ବନ୍ଦ କରିବି ।ସେଥିପାଇଁ ତ ଆମ ସ୍କୁଲରେ ଦିଦି ସାର୍ ସବୁବେଳେ ଆମକୁ ଗଛ ଲଗାଇବା ପାଇଁ କୁହନ୍ତି ।ଆମ ସ୍କୁଲ ବଗିଚାରେ ଅନେକ ଫୁଲ ଫଳ ଗଛ ଆମେ ଲଗାଇଛୁ ।

ବାପା ଖୁସି ହୋଇଗଲେ ।ଗଛଠାରୁ ଏସବୁ ମହାନ ଗୁଣ ଶିଖି ଜୀବନରେ ବଡ଼ ମଣିଷ ହୁଅ ବୋଲି ଆଶୀର୍ବାଦ ଦେଲେ ।ଆଜିପାଇଁ ଏତିକି ପଢା ଥାଉ ।ଚାଲ ଖାଇବା ବୋଲି ଡାକିନେଲେ । ସିପୁନ ବହି ପତ୍ର ରଖିଦେଇ ବାପାଙ୍କ ସହ ଖାଇବାକୁ ଚାଲିଗଲା ।


Rate this content
Log in