Jayashree Maharana

Children Stories Inspirational Others

3  

Jayashree Maharana

Children Stories Inspirational Others

ସମୁଦ୍ରଠାରୁ ଶିକ୍ଷା

ସମୁଦ୍ରଠାରୁ ଶିକ୍ଷା

4 mins
395


 ଶିକ୍ଷକ ରମାନାଥ ପ୍ରଦାନ ଶ୍ରେଣୀରେ ସାହିତ୍ୟ କାଳଅଂଶରେ ପିଲାମାନଙ୍କୁ କହିଲେ ପିଲାମାନେ ଆଜି ଆମେ ଏକ ରଚନା ଲେଖିବା । ପିଲାମାନେ ଖୁସିରେ କହିଲେ ହଁ ସାର୍ ।

ତୁମେମାନେ କେବେ କୌଣସି ଦର୍ଶନୀୟ ସ୍ଥାନକୁ ବାପାମାଆଙ୍କ ସହିତ କିମ୍ବା ବନ୍ଧୁବାନ୍ଧବଙ୍କ ସହିତ ଯାଇଅଛ କି ?

ପିଲାମାନେ ଉଚ୍ଚ ସ୍ୱରରେ ହଁ ଭରିଲେ ।

ତେବେ ଆଜି ତୁମେ ଦେଖିଥିବା ଏକ ଦର୍ଶନୀୟ ସ୍ଥାନ ସମ୍ପର୍କରେ ବର୍ଣ୍ଣନା କରି ରଚନା ଲେଖିବ ବୋଲି ଶିକ୍ଷକ ସୂଚନା ଦେଲେ । ପିଲାମାନେ ଲେଖିବା ଆରମ୍ଭ କରିଦେଲେ ।

କିଛି ସମୟ ପରେ ପିଲାମାନଙ୍କର ଖାତା ଦେଖିଲେ ରମାନାଥ ସାର୍ ।କିଏ ଶାଳିଆ ଡ୍ୟାମ ବୁଲିଯାଇଥିବା ଅନୁଭୂତି ବର୍ଣ୍ଣନା କରିଥିଲେ ତ କିଏ ଚିଲିକା ମଧ୍ୟରେ ଅବସ୍ଥିତ ମାଆ କାଳିଜାଇ ପୀଠ ଦର୍ଶନ କରିଥିବା ଅନୁଭୂତି ଖୁବ ସୁନ୍ଦର ଢଙ୍ଗରେ ବର୍ଣ୍ଣନା କରିଥିଲେ ।ସିଦ୍ଧି ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ସହ ପୁରୀ ବେଳାଭୂମିରେ ପାଇଥିବା ଆନନ୍ଦ ଅତି ସରଳ ଓ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲା ।ସୁରଜ ଗୋପାଳପୁର ବେଳାଭୂମିରେ ସାଉଁଟି ଥିବା ଅନୁଭୂତି ନିଜ ଭାଷାରେ ଖାତାରେ ଲେଖିଦେଇଥାଏ ।


ଶିକ୍ଷକ ପିଲାମାନଙ୍କର ରଚନା ଲେଖା ଶୈଳୀ ଦେଖି ଖୁସି ହେଲେ ।ପଚାରିଲେ ତୁମ ଭିତରୁ କିଏ କିଏ ସମୁଦ୍ର ଦେଖିଛ କହିଲ ?


ଅନେକ ପିଲା ସମୁଦ୍ର ଦେଖିଛନ୍ତି ବୋଲି କହିଲେ କିନ୍ତୁ ଦୁଇ ତିନି ଜଣ ପିଲା ସମୁଦ୍ର ଦେଖିନଥିବାରୁ ମନଦୁଃଖ କଲେ ।ଶିକ୍ଷକ ଆସନ୍ତା ବର୍ଷ ସମୁଦ୍ର ବେଳାଭୂମି କୁ ବୁଲିଯିବା ପାଇଁ ପ୍ରତିଶ୍ରୁତି ଦେଲେ ।


ପିଲାମାନଙ୍କ ଜ୍ଞାନକୁ ଶକ୍ତ ଏବଂ ଉପାଦେୟ କରିବା ଶିକ୍ଷକଙ୍କ କର୍ତ୍ତବ୍ୟ ।ସହାୟକ ହେଉ କି ପଥ ପ୍ରଦର୍ଶନ ସମାଜରେ ଶିଶୁର ଗୁଣବତା ବୃଦ୍ଧି କରି ସେମାନଙ୍କୁ ଉପାଦେୟ ଜ୍ଞାନ ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ।


ଶିକ୍ଷକ ପଚାରିଲେ ,ଆଛା ପିଲେ କହିଲ ସେ ସମୁଦ୍ରକୁ ତ ତୁମେ ଦେଖିଛ ,ସମୁଦ୍ରଠାରୁ କିଛି ଶିଖିଛ କି ?


ପିଲାମାନେ ପରସ୍ପର ମୁହଁକୁ ଚାହିଁଲେ ।ସମୁଦ୍ର ତ ଗୋଟେ ପ୍ରାଣ ନଥିବା ପ୍ରାକୃତିକ ଉପାଦାନ ।ଏହା ପୁଣି ଆମକୁ କଣ ଶିଖାଇବ ।

କିନ୍ତୁ ସୁନିତା କହିଲା ସାର୍ ମୋ ବୋଉ କହୁଥିଲା ସମୁଦ୍ର ଆମକୁ ଫେରେଇଦେବା ଶିଖାଏ ।


ଥରେ ଆମ ପରିବାର ଲୋକ ସମୁଦ୍ରକୂଳ ବୁଲିବାକୁ ଯାଇଥିଲୁ ।ସେଠାରେ ସମୁଦ୍ର ଢେଉରେ ଖୁବ ଖେଳିଲୁ ,ବୁଲିଲୁ,ବିଭିନ୍ନ ଜିନିଷ ଖାଇଲୁ ।ସେ ସମୟରେ ସମୁଦ୍ର ଜୁଆରରେ ଅନେକ ଜିନିଷ ଆସି ବାଲି ଉପରେ ଲାଗିଲା ।ସେତେବେଳେ ବୋଉକୁ ଆମେ ପଚାରିଥିଲୁ ।ବୋଉ ଆମ ଭାଇ ଭଉଣୀକୁ ବୁଝାଇ ଥିଲା ।ଆମେ ସମୁଦ୍ରକୁ କୌଣସି ଜିନିଷ ଫୋପାଡିଲେ ଜୁଆର ଦ୍ୱାରା ଆମକୁ ଫେରାଇଦିଏ ।କେତେ ବିରାଟ ଗୁଣ ତାହାର ।କାହାର କୌଣସି ଜିନିଷ ରଖେନାହିଁ ।ଆମେ ସେମିତି କାହାର କିଛି ଗ୍ରହଣ କଲେ ତାହା ଫେରାଇଦେବା ଉଚିତ ।ଦାନର ପ୍ରତିଦାନ ।ନିର୍ଲୋଭ ଭାବନାର ଏହା ରୂପାନ୍ତରୀକରଣ ।


ଜଣେ ଛାତ୍ରୀର ଏତେ ସୁନ୍ଦର ଭାବାର୍ଥ ବର୍ଣ୍ଣନାରେ ଖୁସି ହୋଇଗଲେ ଶିକ୍ଷକ ।ମନେ ମନେ ସୁନିତାର ମାଆଙ୍କୁ ଧନ୍ୟବାଦ ଦେଲେ ।ମାଆ ହିଁ ଆମର ପ୍ରଥମ ଗୁରୁ ।ମାଆ ଯେଉଁ ଶିକ୍ଷା ଦିଏ ତାହା ଅମୂଲ୍ୟ ,ଦୀର୍ଘସ୍ଥାୟୀ,ଉପାଦେୟ ।ମାଆଟିଏ ଚାହିଁଲେ ପିଲାଙ୍କୁ ଉତ୍ତମ କରି ଗଢିପାରିବ ।ଶିକ୍ଷକ ତାଳି ମାରିବା ଦେଖି ପିଲାମାନେ ମଧ୍ୟ ତାଳି ମାରିଲେ ।


ଶିକ୍ଷକ କହିଲେ ସମୁଦ୍ରଠାରୁ ଆମେ ଆହୁରି ଅନେକ କିଛି ଶିଖିପାରିବା ପିଲେ ।ମୁଁ ତୁମକୁ ସେ ବିଷୟରେ ବୁଝାଉଛି ।ଜୀବନରେ ସେସବୁ ଶିକ୍ଷାକୁ ବ୍ୟବହାର କରି ତୁମେ ବଡ଼ ମଣିଷ ହୋଇପାରିବ ।


ସମୁଦ୍ର ଆମକୁ ସମସ୍ତଙ୍କୁ ଆପଣାର ମଣିବା ଶିଖାଏ ।ଜାତି ଭେଦ ନ ରଖିବା ଶିଖାଏ ।ତା କୂଳକୁ କେତେ ଲୋକ ଆସନ୍ତି ।ସମସ୍ତେ ତାକୁ ଦେଖି ଖୁସି ହୁଅନ୍ତି ।ସମସ୍ତେ ତା ଜୁଆର ସହିତ ଖେଳନ୍ତି,ନାଚନ୍ତି ,ଗାଧୋଇଥାନ୍ତି ।ସେ କଣ କୋଉ ଜାତି ,କେଉଁ ଧର୍ମ ଦେଖେ ।ସମସ୍ତଙ୍କୁ ଆପଣାର ଭାବି କୋଳେଇ ନିଏ ।ଏମିତି ମହତ ଗୁଣ ଆମେମାନେ ଶିଖିବା ଉଚିତ ।ଆମେ ରାଜ୍ୟରେ ଜାତି ଭେଦ ଏକ ସମସ୍ୟା ପାଲଟିଛି ।ଆମେ ସମସ୍ତେ ଗୋଟିଏ ଜାତି।ଆଜିକାଲି ଜାତି ଭିନ୍ନ ଭିନ୍ନ ,ଧର୍ମ ଭିନ୍ନ ଭିନ୍ନ ବୋଲି ବିଚାର କରି ଜାତି ଜାତି ,ଧର୍ମ ଧର୍ମ ଭିତରେ କେତେ ହିଂସା ଦେଖାଯାଉଛି ।ଗୋଟିଏ ଜାତି ଅନ୍ୟ ଜାତି ପ୍ରଗତିରେ ଅନ୍ତରାୟ ହେଉଛି ।ଭାବିଲ ପିଲେ ଆମେ ଯଦି ଗୋଟେ ଜାତି ଭାବି ମିଳିମିଶି ରହିବା ,ମିଳିମିଶି କାମ କରିବା ତେବେ ଆମ ଦେଶର ବିକାଶ ହେବ କି ନାହିଁ ।


ରମେଶ କେବଳ ଭଲ ପାଠ ପଢେ ନାହିଁ ତାହାର ଚିନ୍ତାଧାରା ଖୁବ ଉଚ୍ଚ ।ସଂଗେ ସଂଗେ ସମର୍ଥନ କଲା ।କହିଲା ସାର୍ ପିଲାବୁଦ୍ଧିରେ ଆପଣମାନଙ୍କ ଠାରୁ ଯେତିକି ଶିଖିଛି ଜାତିଭେଦ କେବଳ ଏକ କୁପ୍ରଥା ।ଜାତିକୁ ନେଇ ଆମ ଭିତରେ ଲଢେଇ କେବଳ ଆମର ମୂର୍ଖାମୀ ।


ସମସ୍ତେ ପିଲେ କହିଉଠିଲେ ସାର୍ ।ଆମେ ସମୁଦ୍ରର ଏହି ଗୁଣ ଗ୍ରହଣ କରିବୁ ।ମନରେ ଜାତିଭେଦ ରଖିବୁ ନାହିଁ ।ସମସ୍ତଙ୍କୁ ଆପଣାର ମଣିବୁ ।


ଶିକ୍ଷକଙ୍କ ଓଠରେ ଖେଳିଗଲା ହସ ।ଶିଶୁମାନେ ଦେଶର ଭବିଷ୍ୟତ ।ଏଇ ଭବିଷ୍ୟତ ମାନେ ଯଦି ଏଇ କୁପ୍ରଥା ଦିଗରେ ସଚେତନ ହୋଇ ଆଗକୁ ବଢିଚାଲିବେ ଏପରି ପ୍ରଥା ଭବିଷ୍ୟତରେ ନିଶ୍ଚିତ ଲୋପ ହେବ ।


ସୀମା କହିଲା ସାର୍ ସମୁଦ୍ର ଠାରୁ ଆମେ ଆଉ କଣ ଶିଖିବା ଆମକୁ ବୁଝାଇ କୁହନ୍ତୁ ।


ପିଲେ ସମୁଦ୍ର ଜଳ ଲୁଣିଆ ।ସମସ୍ତେ ତାକୁ ଅଦରକାରୀ ବୋଲି ମନେ କରନ୍ତି ।କିନ୍ତୁ ସେଇ ସମୁଦ୍ର ଜଳରେ ଲବଣ ଅଂଶ ଥାଏ ବୋଲି ତ ଆମେ ଲୁଣ ଖାଉଛେ ।ଲୁଣ ବିନା ଆମ ଖାଦ୍ୟ କିପରି ଲାଗିବ ଟିକିଏ ଚିନ୍ତାକଲ ।ତେଣୁ ସମୁଦ୍ରଠାରୁ ଆମେ ଶିଖିବା ଯେ କୌଣସି ଜିନିଷ ଅଦରକାରୀ ନୁହେଁ ।କୌଣସି ନା କୌଣସି କାମରେ ନିଶ୍ଚିତ ଆସେ ।ସମୁଦ୍ର ଲୁଣି ଜଳ ବୋଲି ମନଦୁଃଖ ନ କରି ନିଜର ପ୍ରାଧାନ୍ୟ ବିସ୍ତାର କରିଛି ।ସମସ୍ତଙ୍କର ଉପକାର କରିଚାଲିଛି ।ତେଣୁ ଆମେ ମଧ୍ୟ ଜୀବନରେ କେବେ ନିଜକୁ ନ୍ୟୁନ ,ଅକ୍ଷମ କି ଅଯୋଗ୍ୟ ନ ଭାବି ନିଜ ଭିତରେ ଯେଉଁ ଦକ୍ଷତା ଅଛି ତାହାକୁ ପ୍ରକାଶ କରିବା ।ଅନ୍ୟର ଉପକାର କରିବା ।ତେବେ ଯାଇ ଆମେ ଜିତିବା ।


ସମୁଦ୍ରର ଜୁଆର ଦେଖି ତୁମେ ଭାବୁଛ ସେ ଖୁବ ଅଶାନ୍ତ ।କିନ୍ତୁ ଗଭୀର ସମୁଦ୍ର ଖୁବ ଶାନ୍ତ ।ଯେମିତି ପିଲେ ନଡ଼ିଆ ବାହାର ଟାଣ ଭିତର ନରମ ସେହିପରି ସମୁଦ୍ର ।ଉପରକୁ ଅଶାନ୍ତ ଦେଖାଯାଏ ।ତାହାର ଭୀମ ଗର୍ଜନ ଢେଉ ମାଳା ତାହାର ଟାଣପଣ କିନ୍ତୁ ଭିତରେ ସେ ଭାରି ନରମ।ପିଲାମାନେ ସବୁବେଳେ ଉପରକୁ ଶକ୍ତ ଦେଖାଇବା ଉଚିତ ।ନଚେତ ଅନ୍ୟମାନେ ତୁମକୁ ଦୁର୍ବଳ ଭାବିବେ କିନ୍ତୁ ଭିତରେ ନିଜ ମନରେ ଦୟା,ବିନମ୍ରତା,କ୍ଷମା ,ଧୈର୍ଯ୍ୟ ,ମାନବିକତା ଇତ୍ୟାଦି ମହତ ଗୁଣ ରଖିବା ।କେତେ ମହତ ଗୁଣ ଶିଖାଉଛି ଏ ସମୁଦ୍ର। କେବଳ ଏତିକି ଶିକ୍ଷା ଦେଉନାହିଁ ସମୁଦ୍ର ।ସମୁଦ୍ର ଅନେକ ପ୍ରକାର ଜୀବଜନ୍ତୁଙ୍କୁ ଆଶ୍ରୟ ଦେଇଛି ।ସମସ୍ତ ପ୍ରକାର ମତ୍ସ୍ୟ, ଶାମୁକା, ଡ଼ଲଫିନ,ଅନେକ ପ୍ରକାର ଜୀବଜନ୍ତୁ ।କେବଳ ସେତିକି ନୁହେଁ ସମୁଦ୍ର ଆମମାନଙ୍କର ଯିବାଆସିବା ପାଇଁ ମଧ୍ୟ ସୁଗମ ବାଟଟିଏ ।ଜାହାଜ,ଡଙ୍ଗା ର ଭାର ସହୁଛି ।ତେଣୁ ଜୀବନ କାଳ ଭିତରେ ଯେତିକି ସମ୍ଭବ ଅନ୍ୟକୁ ସାହାଯ୍ୟ କରିବା ,ଅନ୍ୟର ଉପକାର କରିବା ଶିକ୍ଷା ସମୁଦ୍ର ଠାରୁ ମିଳୁଛି ।



Rate this content
Log in