ପିମ୍ପୁଡି ଠାରୁ ଶିକ୍ଷା
ପିମ୍ପୁଡି ଠାରୁ ଶିକ୍ଷା
ମିଲୁ ଦ୍ୱିତୀୟ ଶ୍ରେଣୀରେ ପାଠ ପଢେ ।ସାହିତ୍ୟ ବହିର ଏକତା ହିଁ ବଳ ବିଷୟ ଗୀତଟି ପଢୁଥାଏ ।ଗୁରୁମା ପଢ଼ାଇବା ବେଳେ ଖୁବ ମଜା ଲାଗୁଥିଲା ତାକୁ ।ଗୀତଟି ଘୋଷି ମନେ ରଖିବା ପାଇଁ ପଢୁଥାଏ ।
ପିମ୍ପୁଡିଙ୍କ ଦିନେ ବସିଲା ସଭା
ବିଚାରିଲେ ଆଖୁଚାଷ କରିବା ।
ଯତନେ କିଆରୀ ପ୍ରସ୍ତୁତ କଲେ
ବାଛି ବାଛି ଚାରା ଲଗାଇଦେଲେ ।
କିଆରୀରେ ଦେଲେ ବାଡ଼ ଘେରାଇ
ପାତି ମାଙ୍କଡ଼କୁ ଦେଲେ ଜଗାଇ ।
ବଢିଗଲା ଆଖୁ ହେଲା ପାକଳ
ହାତୀର ପାଟିରୁ ଗଡ଼ିଲା ଲାଳ ।
ଆଖୁକିଆରୀରେ ପଶିଲା ହାତୀ
ଚମ୍ପାଗଛ ଡାଳୁ ଡାକିଲା ପାତି ।
ଶୁଣିକି ପିମ୍ପୁଡି ଆସିଲେ ଧାଇଁ
ହାତୀ ପିମ୍ପୁଡିଙ୍କ ହେଲା ଲଢେଇ।
ପିମ୍ପୁଡି କାମୁଡ଼ା ସହି ନ ପାରି
ହାତୀ ପଳେଇଲା ଜୀବନ ଧରି ।
ହାତୀ ଖାଇଯିବ ଆମ ସମ୍ପତ୍ତି
ଛାଡ଼ିଦେବୁ ଆମେ ପିମ୍ପୁଡି ଜାତି ?
ଗୀତଟି ଗାଇସାରି ମିଲୁ ଠୋ ଠୋ ହସିବାକୁ ଲାଗିଲା ।ଜେଜେ ପଚାରିଲେ ,
ହଇରେ ନାତିଆ ।କଣ ହୋଇଛି କିରେ ?
ଏମିତି ହସୁଛୁ ।
ମିଲୁ କହିଲା, ଜେଜେ !ହସିବି ନାହିଁ କେମିତି ।ଶୁଣିଲ ନାହିଁ କି ? ହାତୀ ପିମ୍ପୁଡିଙ୍କ ଲଢେଇ ହେଲା ।ହାତୀ ଡରିକି ପଳେଇଲା ।ଏତେ ବଡ଼ ଜୀଵ ଟେ ହେଇଛି ଅଥଚ ଏ ପିମ୍ପୁଡି ଙ୍କ ଠାରୁ ହାରିଗଲା।ସେଥିପାଇଁ ଏମିତି ହସୁଛି ।
ଜେଜେ କହିଲେ ଏଇ କଥା ।ତୁ ତେବେ ପିମ୍ପୁଡିଙ୍କଠାରୁ କଣ ଶିଖିଲୁ କହିଲୁ ?
ମିଲୁ ଛୋଟ ଛୁଆ ।ତା ବୁଦ୍ଧିରେ କହିଲା, ଜେଜେ ପିମ୍ପୁଡି ସାନ ହେଲେ ବି ହାତୀ କୁ ଡରେନା ।ଜେଜେ ମୋ ନାତିଆର କେତେ ବୁଦ୍ଧି କହି ମୁଣ୍ଡ ଆଉଁସି ଦେଲେ । ହଁ ତୁ ଠିକ କହିଚୁ ।ପିମ୍ପୁଡି ଛୋଟ ଜୀବଟିଏ ହେଲେ ମଧ୍ୟ ସେ ନିଜକୁ ସାନ ବୋଲି ଦୁର୍ବଳ ଭାବେନାହିଁ ।ସେ ଖୁବ ସାହସୀ ।ସାହସ ଥିବାରୁ ଏତେବଡ଼ ପଶୁ ହାତୀ ସହ ଲଢେ଼ଇ କଲା ।ଶେଷରେ ହରାଇଲା ମଧ୍ୟ ।ଜାଣିଛୁ ମିଲୁ କେବଳ ଶରୀରର ବଳ ଥିଲେ ଜଣେ ଜିତିପାରିବ ନାହିଁ ।ବେଳେବେଳେ ଜିତିବା ପାଇଁ ବୁଦ୍ଧି ଥିବା ଦରକାର ।ପିମ୍ପୁଡିଠାରୁ ଚତୁର କିଏ ଅଛି କହିଲୁ ? ସେ ଜାଣେ ହାତୀକୁ ବଳରେ ପାରିପାରିବ ନାହିଁ ।ତେଣୁ ସେମାନେ ତାଙ୍କର ବୁଦ୍ଧି ଖଟାଇଲେ ।ହାତୀକୁ କାମୁଡି ପକାଇଲେ।ହାତୀ ତାଙ୍କର କାମୁଡ଼ା ସହିପାରିଲା ନାହିଁ ତେଣୁ ସେଠାରୁ ପଳେଇଗଲା ।
ଅଜାଙ୍କର କଥା ଶୁଣି ମିଲୁ ତାଳି ମାରିଲା ।ବଢିଆ ମଜା ହେଲା
ପିମ୍ପୁଡି ଯେତିକି ସାହସୀ ସେତିକି ଚତୁର ମଧ୍ୟ ।
ଜେଜେ ,ମୁଁ ବି ପିମ୍ପୁଡି ପରି ସାହସୀ ହେବି ।କାହାକୁ ଡରିବି ନାହିଁ ।
ପାଖରେ ମିଲୁ ର ଭଉଣୀ ପଢୁଥିଲା।ସେ ପଞ୍ଚମ ଶ୍ରେଣୀରେ ପଢୁଥାଏ ।
ଜେଜେ କହିଲେ,ଆଛା ମିଲି ! ତୁ ମୋତେ କହିଲୁ ପିମ୍ପୁଡି ଠାରୁ ତୁ କଣ ଶିଖିଛୁ ।ସେ ସଂଗେ ସଂଗେ କହିଲା ,ଜେଜେ !ମୁଁ ପିମ୍ପୁଡିଠାରୁ ମିଶିକି କାମ କରିବା ଶିଖିଲି ।ସେମାନେ ଏକାଠି ହୋଇ ସଭା କରିଲେ ।ମିଳିମିଶି ଆଖୁଚାଷ କଲେ ।ପୁଣି ସମସ୍ତେ ଏକାଠି ହୋଇ ଲଢେଇ କଲେ ।ସେଥିପାଇଁ ଜିତିଲେ ।ଏଥିରୁ ଜଣାପଡୁଛି ସେମାନେ ମିଳିମିଶି ରହନ୍ତି ।
ଜେଜେ କହିଲେ ,ବାଃ ! କେତେ ସୁନ୍ଦର କଥାଟିଏ କହିଲୁ ରେ ମାଆ ।ତୁମେ ଅନେକ ସମୟରେ ଦେଖିଥିବ ।ପିମ୍ପୁଡିମାନେ ଏକାଠି ହୋଇ ଥାଆନ୍ତି ।ପିଲେ ଯେଉଁକାମ ଜଣେ କରିପାରେ ନାହିଁ ସେ କାମ ଏକାଠି ହୋଇ ଆରାମରେ କରିହୁଏ
।ପିମ୍ପୁଡି ମାନେ ଏଇ କଥାକୁ ବୁଝନ୍ତି ସେଥିପାଇଁ ସେମାନେ ଏକାଠି ହୋଇ କାମ କରନ୍ତି ।ସେମାନଙ୍କ ଏହି ଗୁଣ ଆମେମାନେ ଶିଖିବା ଉଚିତ ।
ସଂଗେ ସଂଗେ ମିଲି କହିଲା ଜେଜେ ତୁମେ ଠିକ କହିଛ ।ଆମେ ସ୍କୁଲ ରେ ସମସ୍ତେ ଏକାଠି ହୋଇ ବଗିଚା ସଫା କରିଦେଉଛୁ ।ଜଣେ ହୋଇଥିଲେ କଣ ସଫା କରିପାରନ୍ତୁ ।ଜେଜେ କହିଲେ ,ହଁ ରେ ମାଆ ।ଏକତାରେ ବହୁତ ବଳ ।ତୁମେ ଦେଖିନାହଁ ।ଆମ ଗାଆଁ ଠାକୁରଙ୍କ ଜନ୍ମଦିବସ ପାଳନ ହେଲେ ଗାଁ ସାରା ଲୋକ ଏକାଠି ହୋଇ କାମ କରନ୍ତି ।କିଏ ରୋଷେଇ କରେ ତ କିଏ ପରିବା କାଟେ ,କିଏ ପାଣି ବୁହେ ତ କିଏ ହଣ୍ଡା ମାଜେ ।କେତେଜଣ ମନ୍ଦିରରେ କଣ କେତେବେଳେ ହେବ ସେକଥା ବୁଝନ୍ତି ତ କେତେବେଳେ ପଇସା ପତ୍ର କଥା ବୁଝନ୍ତି ।କେତେ ଲୋକ ଖାଇବା ବାଢ଼ନ୍ତି ପୁଣି କେତେଜଣ ଭଜନ କୀର୍ତ୍ତନ କରନ୍ତି ।ଏହିପରି ସମସ୍ତେ ଏକାଠି ହୋଇ କାମ କରିବାରୁ ସହଜରେ ହୋଇଯାଏ ।ଏକୁଟିଆ ଏହି କାମ କଣ କରିହେବ ?
ସଂଗେ ସଂଗେ ମିଲୁ କହିଲା ଜେଜେ ଏକଥା ତ ମୁଁ କେବେ ଭାବିନଥିଲି ।ଯାହାହେଉ ଏଇକଥା ଜାଣିଦେଲି ।ମୁଁ ତ ସାଙ୍ଗମେଳ ରେ ଖେଳିଲେ ଖୁସି ହୁଏ ।
ଜେଜେ କହିଲେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି ।ସେଇ ଗପଟି ଶୁଣି ତୁମେମାନେ ମୋତେ କହିବ ପିମ୍ପୁଡି ଆମକୁ ଆଉ କଣ ଶିଖାଉଛି ।
ଗୋଟିଏ ଗଛ ଡାଳରେ ପକ୍ଷୀଟିଏ ବସା କରି ରହୁଥାଏ ।ଗଛ ମୂଳରେ ପିମ୍ପୁଡି ମାନେ ରହୁଥିଲେ ।ଥରେ ଲଗାତର ତିନି ଚାରିଦିନ ଧରି ବର୍ଷା ଲାଗିରହିଲା ।ପକ୍ଷୀଟି ବସାରୁ କେଉଁଆଡ଼େ ଖାଦ୍ୟ ଖୋଜିବା ପାଇଁ ଯାଇପାରିଲା ନାହିଁ ।ତାହାର ଛୁଆ ମାନେ ଭୋକରେ ଆଉଟୁ ପାଉଟୁ ହେଲେ ।କଣ କରିବ ପକ୍ଷୀ ? ଚିନ୍ତା କରିବାକୁ ଲାଗିଲା ।ହଟାତ୍ ପିମ୍ପୁଡି ମାନଙ୍କ କଥା ତାହାର ମନେ ପଡ଼ିଲା ।ସେ ପିମ୍ପୁଡିଙ୍କୁ କିଛି ଖାଦ୍ୟ ମାଗିଲା ।ପିମ୍ପୁଡି ଦଳ ମୁଖିଆ କହିଲେ ମୁଁ ତୁମ ଅସୁବିଧା ଦେଖି ଖାଦ୍ୟ ଦେବି ।କିନ୍ତୁ ତୁମେ ଯଦି ଖାଦ୍ୟ ସାଇତି କରି ରଖିଥାନ୍ତ ଆଜି ଏହି ଅସୁବିଧାର ଭୋଗିବାକୁ ପଡିନଥାନ୍ତା ।ପକ୍ଷୀଟି ନିଜର ଭୁଲ୍ ବୁଝିଲା ।ଏଣିକି ଖାଦ୍ୟ ସାଇତି ରଖିବ ବୋଲି କଥାଦେଲା ।
ଏବେ ମୋତେ କୁହ ତ ପିମ୍ପୁଡିମାନଙ୍କଠାରୁ କଣ ଶିଖିଲ ।ମିଲି କହିଲା,ଜେଜେ ଖାଦ୍ୟ ସାଇତି ରଖିବା ଗୁଣ ।ଯେମିତି ଆମଘରେ ଚାଉଳ,ଧାନ ,ଡାଲି ସବୁ ସାଇତିକି ରଖାଯାଉଛି ।
ଜେଜେ ହସିଲେ ।ହଁ ଠିକ ।ଦେଖିବ ଆମରି ଘରେ କେତେକ ଜିନିଷ ବିଶେଷ କରି ମିଠା ଜିନିଷରେ ପିମ୍ପୁଡି ଲାଗୁଚି ନା ।ସେମାନେ ସେଇ ଖାଦ୍ୟ ଖାଉଛନ୍ତି ।ଖୁଦ, ସୁଜି,ଚିନି ଏମିତି ଅନେକ ଜିନିଷ ନିଜ ପାଟିରେ ବୋହିନେଇ ରଖୁଛନ୍ତି ।ଯେତେବେଳେ ଖାଦ୍ୟ ନ ମିଳେ ସେହି ଖାଦ୍ୟ ଖାଉଛନ୍ତି ।
ମୁଁ ତୁମକୁ ଆଜି ପିମ୍ପୁଡିଙ୍କର ଆଉ କେତେକ ଭଲ ଗୁଣ କହିବି ।ସେଗୁଡିକ ଆମେ ଶିଖିଲେ ଆମ ଜୀବନ ଅଧିକ ସୁନ୍ଦର ହେବ ।
ତୁମେ ପିମ୍ପୁଡି ମାନଙ୍କୁ ଦେଖିଥିବ ସବୁବେଳେ ଧାଡି ହୋଇ ଯାଉଛନ୍ତି ।
ମିଲୁ କହିଲା ହଁ ହଁ ଜେଜେ ।
ତେବେ ସେମାନଙ୍କ ଠାରୁ ଏହି ଗୁଣ ଶିଖିବା ଉଚିତ ।ଧାଡିରେ ରହି ଯେଉଁ କାମ କରିହୁଏ କାମ ଶୀଘ୍ର ହୁଏ ,ଶୃଙ୍ଖଳିତ ହୁଏ ପାଟିତୁଣ୍ଡ ହୁଏନାହିଁ । ଯେମିତି ତୁମେ ସ୍କୁଲରେ ପ୍ରାର୍ଥନା ସମୟରେ ଧାଡି କରୁଛ । ଶ୍ରେଣୀ ଭିତରକୁ ପଶିବା ଆଉ ବାହାରିବା ସମୟରେ ।
ମିଲି କହିଲା ହଁ ତ ଜେଜେ ।ନଚେତ ଠେଲାପେଲା ହୋଇ ଖଣ୍ଡିଆ ଖାବରା ହୋଇଯାଅନ୍ତୁ ।