Gangotri Priyadarshini

Romance Tragedy

3  

Gangotri Priyadarshini

Romance Tragedy

ପ୍ରତାରିତା ପ୍ରେମିକା

ପ୍ରତାରିତା ପ୍ରେମିକା

9 mins
187



ଭାବି ନଥିଲି ପୁଣି ତୁମକୁ ଏମିତି ଦେଖିବି ବୋଲି । ଅଚାନକ ଦେଖି ତୁମ ନଜର ରୁ ବର୍ତ୍ତି ଯିବାକୁ ଚେଷ୍ଟା କରି ସଫଳ ହେଲି । ଅଜଣା ଭୟ ଯେମିତି ଗୋଟା ପଣେ ମୋତେ ଗିଳି ପକେଇଲା ।ପୁରୁଣା ପ୍ରେମ ପୁଣି ପ୍ରଥମ ପ୍ରେମ ଭୁଲି ବାର ନୁହେଁ । ମୁଁ ମାତ୍ର ସବୁବେଳେ ଚାହୁଁଥିଲି ଭୁଲି ଯିବା ପାଇଁ ।

         ତୁମ ସହ ବିତେଇ ଥିବା ଅନେକ ବର୍ଷ ମୁଁ ଅପାତ୍ର ରେ ଦାନ କଲାଭଳି ପ୍ରତ୍ୟେକ ମୁହୁର୍ତ୍ତ ଅନୁଭବ କରେ । ସେ କ୍ରୁର ସମୟ ର ଯନ୍ତ୍ରଣା ସବୁ ବେଳେ ମୁଁ ଭୁଲି ବାକୁ ଚାହିଁ ବି ଭୁଲି ପାରୁନି । ତୁମ ସହ ମୋର ଅତୀତ ପୋଡ଼ି ଜାଳି ଛାର ଖାର ହେଇ ଯାଉ । ତୁମେ ବଦଳି ଗଲ କି ସମୟ ବଦଳି ଗଲା ,ଅଚାନକ ସବୁ ଓଲଟ ପାଲଟ ହେଇ ଯିବା ଟା ମୁଁ କିଛି ବୁଝି ପାରି ନଥିଲି ।

                                                                                         କେବେ କହିବିନି ମାେ ମୂଲ୍ୟବାନ ସମୟ ସବୁ ନଷ୍ଟ ହେଇଗଲା ବୋଲି ,ମୋର କେହି ଜଣେ ଶୁଭେଚ୍ଛୁ ମୋତେ କହିଥିଲେ ଅନ୍ତରା ତୁମକୁ ସମୟ ନଷ୍ଟ କରି ଦେଇଛି । ସବୁ ବୁଝେ ,ସବୁ ଜାଣେ ,କାହାକୁ କହିବି କଣ ମୁଁ ପାଇଛି ଆଉ ହରେଇଛି । ମୂର୍ଖାମି ହେବ ଲାଭ କ୍ଷତି ର ହିସାବ କରିବା ।

           ମୁଁ ଯାହା କହିବି ମୋ ପ୍ରେମର ଅପମାନ ହେବ । ପ୍ରେମ କରିବା ମାେ ହୃଦୟ ର ନିର୍ଦ୍ଦେଶ ଥିଲା । ତୁମକୁ ହରେଇବା ହୁଏତ ମୋର ଦୁର୍ଭାଗ୍ୟ ଥିଲା , ନା ନା ଏବେ ଭାବୁଛି ସୌଭାଗ୍ୟ ଥିଲା । ଭଗବାନଙ୍କ ମାଡ଼ ର ଶବ୍ଦ ନଥାଏ । ଜୀବନ ରାସ୍ତାରେ ଖୁସିରେ ମତୁଆଲା ହେଇ ଯାଉ ଯାଉ ଆଣ୍ଠେଇ ପଡି ରକ୍ତାକ୍ତ ହେବା ଯାହା ସାର ହେଲା ।

              ମୁଁ ଅନ୍ତରା , ପାଠ ପଢା ସାରି ଚାକିରୀ ପାଇ ଦିଲ୍ଲୀ ଚାଲି ଗଲି ।କିଛି ଦିନର ରହଣି ଭିତରେ ମୋ ଅଫିସ ର ପୁରୁଣା କର୍ମଚାରୀ ଅନୁପମଙ୍କ ସହ ଭେଟ ହୁଏ । ସମୟ କ୍ରମେ ଦୁହେଁ ଦୁହିଁଙ୍କର ଆଦବ କାଇଦା ,ଜୀବନ ଶୈଳୀ କୁ ପସନ୍ଦ କଲୁ । ସତ କଥା ହେଲା ଦୁହେଁ ଦୁହିଁଙ୍କୁ ମନ ଦେଇ ଦେଲୁ ,ଓଡ଼ିଶାର ଜାଣିଲା ପରେ ଆତ୍ମିୟତା ବେଶୀ ବଢ଼ି ଯାଇଥିଲା । ପସନ୍ଦ ନା ପସନ୍ଦ , ମୈାକା ଖୋଜି ଖୁସି କରିବା ଶୈଳୀ ମୋତେ ବହୁତ୍ ଆକୃଷ୍ଟ କରିଥିଲା । ଘରଠୁ ଯେହେତୁ ଦୂରରେ ଥିଲି , ମାେ ଉପରେ କଟକଣା ବି କାହାର ନଥିଲା । ଅଫିସ ପରେ ,ସାପ୍ତାହିକ ଛୁଟିରେ ସବୁ ସମୟ ସାଙ୍ଗ ହୋଇ ବିତାଉ ଥିଲୁ । ଏମିତି ହେଲା ମୁହୂର୍ତ୍ତେ ଛାଡ଼ି ବଞ୍ଚିବା କଷ୍ଟ ହେଇଗଲା । ଜୀବନ ଠୁ ଅଧିକ ପ୍ରେମ କରୁଥିଲି ଅନୁପମ ଙ୍କୁ , ତାଙ୍କ ପ୍ରେମ ବି ମାେ ପାଇଁ ଅନୁଭବ କରି ପାରୁ ଥିଲି । ସେଥିପାଇଁ ତ ଆମେ ବିବାହ ବନ୍ଧନ ରେ ଆବଦ୍ଧ ହେବାର ନିଷ୍ପତ୍ତି ନେଇ ସାରିଥିଲେ । ତୁମେ ନିଜର ଗୋଟେ ଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଆରମ୍ଭ କଲ ,ମୁଁ ତୁମ କଥା ମାନି ପୂର୍ବ ଚାକିରୀ ଛାଡ଼ି ତୁମ ସହ କାମ କରିବାକୁ ଲାଗିଲି ।

ଆହୁରି କାମ ର ସମୟ ବଢ଼େଇଲି , ଆଶା ମୁତାବକ ସଫଳତା ବି ତୁମେ ହାସଲ କଲ ,ମୁଁ ଯେମିତି ଖୁସିରେ ପାଗଳ ହେଇ ଯାଉଥିଲି । ସବୁ ଆମର ଆମର ନିଶାରେ । କେତେ ବୋକି ମୁଁ ଥିଲି ସତେ ,ଜୀବନ ସୌଦା ରେ ମୁଁ ଠକି ଚାଲିଥିଲି।

           କାମ ତ କରୁଥିଲି ,ହେଲେ ତୁମ ହାତ ଟେକା କୁ ଅପେକ୍ଷା କରୁଥିଲି ,ମୋର ଦରମା ତୁମ ପାଖେ ବନ୍ଦ ହୋଇ ଯାଇଥିଲା । ଭାବୁଥିଲି ହଁ ଆଉ କେତେ ଦିନ ,ବାହାଘର ଟା ହେଇଗଲେ ସବୁ ଠିକ୍ ହେଇଯିବ । କାର୍ଯ୍ୟ ଭାର ରେ ମୁଁ ଅତିଷ୍ଟ ହେଇ ପଡୁ ଥିଲାବେଳେ ,ତୁମ ଭରଷା ବୋଳା ଚେହେରା ଟା ମନେ ପଡି ଯାଉଥିଲା । ତୁମ ସ୍ଵପ୍ନ ସବୁ ବାଟବଣା ନହେଉ ମୁଁ ଆହୁରି ଆହୁରି ଯତ୍ନବାନ ହେଉଥିଲି ।

             ମୁଁ ଭୁଲ୍ ନଥିଲି । ସ୍ବାର୍ଥ କିଛି ନଥିଲା , କେବଳ ତୁମର ହେଇ ରହିବା ,ମାେ ପ୍ରେମ କୁ ସାର୍ଥକ କରିବା ନ୍ୟାୟରେ ଦୌଡୁ ଥିଲି । ତୁମେ ବସ୍ ହେଇ ଅୟସ କରିବା ଆରମ୍ଭ କରି ଦେଇ ଥିଲ । ଆଉ ମୁଁ ସେମିତି କର୍ମଚାରୀ ଭାବରେ ମୁଣ୍ଡ ଗଣତି ରେ ସହଭାଗୀ ହେଉଥିଲି । ମନ କଥା କାହା ସାମ୍ନାରେ ପ୍ରକାଶ କରି ପାରୁ ନଥିଲି, କେବଳ ସେଇ ନିର୍ମମ ଈଶ୍ୱରଙ୍କ ବ୍ୟତୀତ । ମନ ଖୋଲି ଗୁହାରି କରୁଥିଲି ଅନୁପମଙ୍କ ସହ ବଞ୍ଚିବା ପାଇଁ । ଡରୁଥିଲି ,ତାଙ୍କୁ ଜୀବନ ରୁ ବାଦ ଦେଲେ ବଦନାମ ହେଇ ଯିବିନି ତ , ଭଗବାନଙ୍କ ପାଖେ ଦୋଷୀ ହେଇ ଯିବିନି ତ । ଆମ ଦୁଇ ଜଣ,ଆଉ ତାଙ୍କ ଘର ଲୋକଙ୍କ ଛଡ଼ା କେହି ଜାଣି ନଥିଲେ । ତାଙ୍କ ଘର ଲୋକ ଅବଗତ ଥିବାରୁ ଦ୍ବନ୍ଦରେ ନଥିଲି । ମୋର ମୋ ପରିବାର ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା ,ଅନୂପମଙ୍କୁ ସମସ୍ତେ ଭଲରେ ଜାଣିଥିଲେ , ଯେମିତି ହେଲେ ମୋ ଖୁସି ପାଇଁ ମାନି ଯିବେ ।

                 ପ୍ରକୃଷ୍ଟ ସମୟ ଆସିଲେ ସମସ୍ତଙ୍କୁ ଆମ ଦୁହିଁଙ୍କ ବିଷୟରେ କହିବି ଭାବି ଚୁପ୍ ଚାପ୍ ଥିଲି । ଛୁଟି ହେଲେ ଓଡ଼ିଶା ମିଶିକି ଯିବା ଆସିବା କରୁଥିଲୁ । ଧୀରେ ଧିରେ ଦିଲ୍ଲୀ ରେ ମାେ ପାଇଁ ଚଳିବା କଷ୍ଟ ହେଇ ପଡ଼ିଲା । ଏତେ ଭଲ ଜାଗାରେ ,ଏତେ କାମ କରି ବି ମୁଁ ଘର ଲୋକଙ୍କୁ ସାହାଯ୍ୟ କରିବା ଦୁରେ ଥାଉ ,ନିଜେ ନିଜର ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହେଉଥିଲି ।ଘର ଲୋକ ପ୍ରାୟ ଖର୍ଚ୍ଚ ସବୁ ତୁଲାଉ ଥିଲେ ।ଅନୁପମ କେବେ କେମିତି ସାଙ୍ଗରେ ବାହାରେ କିଛି ଗୋଟେ ପସନ୍ଦ ର ଖାଇବା କି କିଛି କିଣିଦେବା ରେ ସୀମିତ ଥିଲା ।ମୁଁ ତାଙ୍କ ପାଖେ ମୋର ନୈତିକତା ହରେଇ ନଥିଲି ବୋଲି ହୁଏତ ଆଜି ଶାନ୍ତି ରେ ଅଛି । ଅନୁପମ

ତୁମେ କେମିତି ଥିବ ଆଦୌ ଜାଣିବାର ସ୍ପୃହା ନାହିଁ ମୋର । ଆଉ ଥରେ ସେ କଳଙ୍କିତ ଅଧ୍ୟାୟ ମାେ ଭଳି କେହି ନ ଭୋଗ କରନ୍ତୁ ।

             ବିଶ୍ୱାସ ଭାଙ୍ଗିବା ବ୍ୟଥା ତ ସବୁଦିନ ମନେ ରହିବ । ଆଉ ମୁଁ କାହାକୁ ଆଜିକାଲି ବିଶ୍ୱାସ କରିବାର ସାହସ ବି କରି ପାରୁନାହିଁ । ଏମିତି କିଛି ଦିନ ଗଲାପରେ ତାଙ୍କର ଘର ଲୋକ ସମସ୍ତେ ଦିଲ୍ଲୀ ଆସି ଥାଆନ୍ତି । ଘର ଲୋକ ଆସିବା ପରେ ତାଙ୍କ ଘରକୁ ଯିବା ଏମିତିରେ ବି ମୋର ବନ୍ଦ ହେଇ ଯାଇଥାଏ । ଯାହା ଅଫିସ ରେ ଦେଖା ସାକ୍ଷାତ ,କେବେ କେମିତି ବାହାରକୁ ବାହାରୁ ,ବାହାରକୁ ମାନେ ସମୟ ଥିଲେ ସନ୍ଧ୍ୟାରେ ଅନୁପମ ମୋ ଘରକୁ ଆସନ୍ତି ।

             ତାଙ୍କ ଘରଲୋକ ମାସେ ଖଣ୍ଡ ରହି କଟକ ଫେରିଲେ । ପରେ ଆମେ କଥା ହେ ଲୁ ଯେ ମିଶିକି ଓଡ଼ିଶା ଯିବା କିଛିଦିନ ପାଇଁ , ଆଉ ଡେରି ନକରି ଘର ଲୋକଙ୍କୁ ରାଜି କରେଇ ବାହା ହେଇ ଯିବା । ସବୁ ଖୁସି ହାତ ପାହାନ୍ତା ରେ ପାଇଲା ଭଳି ଲାଗୁଥାଏ । ଭାଵନା ରାଜ୍ୟରେ ବୁଲି ବୁଲି କେତେବେଳେ ସନ୍ଧ୍ୟା ରୁ ସକାଳ ହେଇ ଯାଏ ଜଣା ପଡେନି । ଅନୁପମ ଙ୍କ ବାହୁ ବନ୍ଧନୀ ରେ ଯେମିତି ମୋତେ ଦୁନିଆ ଯାକର ସୁଖ ସୌଭାଗ୍ୟ ମିଳି ଯାଏ । ସେ ମୁହୁର୍ତ୍ତ ଟେ ଛାଡ଼ି ବଞ୍ଚି ପାରିବେନି ବୋଲି କୁହନ୍ତି । ବାକି ଥିବା ଜରୁରୀ କାମ ସବୁ କର୍ମଚାରୀ ମାନଙ୍କୁ କହି ,ଓଡ଼ିଶା ଆସିଲୁ ଗୋଟେ ମାସ ପାଇଁ ।

       ମୁଁ ପାଗେଳୀ ଯାହା ବୁଝିଥି ଲି ,ପ୍ରେମ ମାନେ କେବଳ ବିବାହ ହିଁ ଶେଷ ଲକ୍ଷ । ତାପର ଠୁ ତ ଗୋଟେ ସୁନ୍ଦର୍ ସ୍ୱର୍ଗୀୟ ଜୀବନ ଯାତ୍ରାର ଆରମ୍ଭ ହୋଇ ଥାଏ । କେହି ଜଣେ ଏତେ ନିଜର ଲାଗେ ଯେ , ତା ସହ ଜୀବନ ର ପ୍ରତ୍ୟେକ ମୁହୁର୍ତ୍ତ କଣ କେତେ ଜନ୍ମ ତା ସହ ବଞ୍ଚିବାକୁ ଇଚ୍ଛା ହୁଏ । ଏବେ ଭାବୁଛି ମାେ ଭାଵନା ସବୁ ମୂଲ୍ୟହୀନ ଥିଲା ବୋଲି ।

          ଓଡ଼ିଶା ଆସିବା ଦୁଇ ଚାରି ଦିନ ପରେ କଟକ ର ଗୋଟେ ପାର୍ଟି ସହ ମୋର ମିଟିଂ ଫିକ୍ସ୍ ହେଇଥାଏ ,ମୋର ଠିକ୍ ମନେ ଅଛି ସେଦିନ ମଙ୍ଗଳ ବାର ଥାଏ ,ଆମେ ସକାଳ ନଅ ଟା ପାଖା ପାଖି ପୂର୍ବ ନିର୍ଦ୍ଧାରିତ ଜାଗାରେ ଦେଖା ହେ ଲୁ , ମିଶିକି ବ୍ରେକଫାଷ୍ଟ୍ ବି ସାରିଲୁ , ସେ ମୋତେ ନେଇ ମୋ ମିଟିଂ ଜାଗାରେ ଛାଡ଼ି ଦେଇ ଆସିଲେ । ମୋର କାମ ପ୍ରାୟ ସରୁ ସରୁ ସନ୍ଧ୍ୟା ପାଞ୍ଚଟା ହେଇ ଯାଇଥାଏ ।

             ମୁଁ ଅନୁପମ ଙ୍କୁ ଫୋନ ଲଗେଇଲି ,ଦୁଇ ତିନିଥର ଲଗେଇଲା ପରେ ତାଙ୍କ ସାନଭାଇ ମାେ କଲ ର ଉତ୍ତର ଦେଲେ । ସେ କହିଲା ହଁ ଭାଇଙ୍କ ଫୋନ୍ ଟା ମାେ ପାଖରେ ଅଛି ,ଆଜି ଭାଇଙ୍କ ବାହାଘର ତ ସେ ରେଡି ହେଉଛନ୍ତି ।ମୁଁ କିଛି ବୁଝି ପାରୁ ନଥାଏ ,ଆଉ ଥରେ ପଚାରିଲି କାହାର ବାହାଘର ? ସେ ଆଉ ଥରେ କହିଲା ଅନୁପମ ଭାଇର ବାହାଘର ,ସେ ନିଜ ବିବାହ କର୍ମରେ ବ୍ୟସ୍ତ ଥିବାରୁ ମୁଁ ତାଙ୍କ ଆସୁଥିବା କଲ୍ ର ଆନ୍ସର୍ ଦଉଛି ।

           ମୁଁ ଧିରେ ଧୀରେ ମଣିଷ ରୁ ଜଡ ପାଲଟି ଯାଇଥିଲି ,କାନ କୁ ଯେମିତି କିଛି ଶୁଣା ଯାଉ ନଥିଲା । କଣ କରିବି କିଛି ଭାବି ପାରୁ ନଥିଲି ।ସଂଜ୍ଞାହୀନ ଅବସ୍ଥା ପ୍ରାୟ । ସେଇଠୁ ସେମିତି ମହାନ୍ତି ବାବୁଙ୍କୁ ଅଚାନକ ଅସୁସ୍ଥତା ଦର୍ଶାଇ ଗୋଟେ ଗାଡି ଧରି ସିଧା ତାଙ୍କ ଘରେ ପହଞ୍ଚିଲି ।ପହଞ୍ଚି ଯାହା ଦେଖିଲି ,ବିଶ୍ୱାସ ନକରି ରହି ପାରିଲି ନାହିଁ ।

                ଘର ବାହାର କାନ୍ଥରେ ଅନୁପମ ଏବଂ ତାଙ୍କ ଭାବି ପତ୍ନୀଙ୍କ ମିତାଲି ଙ୍କ ନାମ ର ଶୁଭ ପରିଣୟ ବାହା ଚିତା ,ଚାରି ପାଞ୍ଚ ଦିନ ପୂର୍ବରୁ ନିଶ୍ଚେ ଅଙ୍କା ହୋଇଥିବ । ପ୍ରେମ ରେ ଏମିତି ଛାତି ଫଟା ଦୃଶ୍ୟ କାହା ଭାଗ୍ୟରେ ନଥାଉ । ଏକ ପ୍ରକାର ପଥର ପାଲଟି ଯାଇଥାଏ । ମୁଁ କେମିତି ନିଜକୁ ସମ୍ଭାଳିବି ଜାଣି ପାରୁ ନଥାଏ ।

ଘର ଭିତରେ ପଶୁ ପଶୁ ତାଙ୍କ ସାନ ଭଉଣୀ କହିଲା,ଭାଇ ଛାତରେ ଗାଧଉ ଛନ୍ତି । ଛାତରେ ଯାଇ ଭିଡ଼ ପଛରୁ ଯାହା ଦେଖିଲି ,ସେମିତି ମୁଁ ହୁଏତ କେବେ ଅନୁପମ ଙ୍କ ପାଇଁ ସ୍ଵପ୍ନ ଦେଖିଥିଲି । ସଧବା ନାରୀଙ୍କ ମଝିରେ ଚନ୍ଦନ ହଳଦୀ ବୋଳା ମୁହଁ କାନ୍ଧରେ ଗୁଆ ପାନ ପତ୍ର ର ପୂଜା, ପିଢ଼ା ଉପରେ ସେ ବସିଛନ୍ତି ।ଦୂରରୁ ମାେ ଆସିବା ହୁଏତ ଜାଣିନେଲେ , ଏତେ କଷ୍ଟ ଭିତରେ ମୁଁ ଖୁସିରେ ସ୍ମିତ ହାସ୍ୟ ଟିଏ ଦେଲି । ପ୍ରେମରେ ଆଉ କଣ ୟାଠୁ ଅଧିକ ଚାହିଁବ ଜଣେ ପ୍ରେମିକା । ଅନୁପମ ଙ୍କ ଇଚ୍ଛା ନଥିଲେ କଣ ଏସବୁ ସମ୍ଭବ ହେଇ ଥାଆନ୍ତା , ବିଲକୁଲ୍ ବି ନୁହେଁ ।

       ମାେ ପ୍ରଶ୍ନ ମାେ ଉତ୍ତର ସବୁ ମାେ ଭିତରେ ହିଁ ଉଭାନ ହେଇ ଯାଉଥିଲା । ଭିଡ଼ ଆଡେଇ ଅନୁପମ ଆଡ଼କୁ ଯାଇ ହଳଦୀ ଗିନାରୁ କିଛି ହଳଦୀ ଆଣି ତାଙ୍କ ମୁଁହ ରେ ଲଗେଇ ଦେଲି । ମାେ ପ୍ରିୟ ମଣିଷ କୁ ମୁଁ ଅଜାଣତରେ ହରେଇ ବାକୁ ଯାଉଥିଲି ଆଉ ସେହି ହଳଦୀ ସ୍ପର୍ଶ ରେ ମୁଁ ଶେଷ ଥର ଛୁଇଁ ଥିଲି । ସେ ନିର୍ଦ୍ଦୟ ପ୍ରେମିକର ଆଖିରେ କି ଭାଷା ଥିଲା କିଛି ବୁଝି ପାରୁ ନଥିଲି । ମୁଣ୍ଡରେ ପିତଳ ପାଣି ଢାଳେ ନେଇ ଢାଳି ଦେଲି । ସବୁ ସ୍ଵପ୍ନ ପୁରା ହେଉଛି ,ମୁଁ ବି ସାମିଲ ଅଛି ,ହେଲେ ଏ ପ୍ରେମିକା ଚରିତ୍ର ର ମୃତ୍ୟୁ ହେଉଛି ଧୀରେ ଧିରେ ।କଣ କରି ଥାଆନ୍ତି ମୁଁ, ହାଲା କରି ,କାନ୍ଦି ମୋ ଅଧିକାର ସାବ୍ୟସ୍ତ କରି ଥାଆନ୍ତି, ନା ମରିବାର ଧମକ ଦେଇ ତାଙ୍କୁ ସେଠୁ ଦୂରକୁ ନେଇ ଯାଇ ଥାଆନ୍ତି ,ନା ପୋଲିସ ଷ୍ଟେସନ ଯାଇ ଅଭିଯୋଗ କରି ଥାଆନ୍ତି ।

              ଯୋଉଠି ଆପଣା ସୁନା ଭେଣ୍ଡି ପାଲଟି ଗଲା ,ସବୁ ପ୍ରହସନ ରେ ପରିଣତ ହୋଇ ଥାଆନ୍ତା । ଆମ ଦିଲ୍ଲୀ ଅଫିସ୍ ର ପିଲା ,ଯିଏ ଆମ ଦୁଇ ଜଣଙ୍କ ବିଷୟରେ ଜାଣିଥିଲା ସେ ବି କିଛି ସମୟ ପରେ ଆସି ପହଞ୍ଚିଲା ।ତାକୁ ସାମ୍ନାରେ ଦେଖି ମୁଁ ଆଶ୍ଚର୍ଯ୍ୟ ଚକିତ ହେଇ ଅନେଇ ଥାଏ ,ସେ କହିଲା ସାର୍ ମୋତେ ଚାରିଦିନ ପୂର୍ବରୁ ନିମନ୍ତ୍ରଣ କରିଥିଲେ ,ଏବେ ମୁଁ ଠିକ୍ ବୁଝିଲି ଅନୁପମ ର ଜାଣତରେ ସବୁ ହେଉଛି । ମୁହଁ ରେ ଦୁଃଖ ର ଭାବ ଲୁଚେଇ ଘର ଭିତରକୁ ଗଲାରୁ ,ତାଙ୍କ ଭଉଣୀ କହିଲେ ଯାଇକି ଟିକେ ଭାଇଙ୍କୁ ସଜେଇ ଦିଅ। ଅନୁପମ ଥିବା ରୁମ୍ କୁ ଯାଇ ଦୂରରୁ ତାଙ୍କ ମୁହଁ କୁ ଚାହିଁ ରହିଲି , ଆଉ କୋଉ ଅଧିକାରରେ ଛୁଇଁ ସଜେଇ ଥାଆନ୍ତି । ସମସ୍ତେ ଜୋର କରି ବରଯାତ୍ରୀ ରେ ନାଚିବାକୁ ବାଧ୍ୟ କରିଥାନ୍ତି ।ବାହାଘର ବି ଆରମ୍ଭ ହେଲା ,କୌଣସି ଫିଲ୍ମ୍ ର ଦୃଶ୍ୟ ଭଳି ମୋତେ ମନେ ହେଉଥାଏ । ଲାଗୁଥାଏ ଏସବୁ ସାମ୍ନା କରିବା ପୂର୍ବରୁ ମୁଁ ମରି ନଗଲି କାହିଁକି ।

                  

               ବାହାଘର ମଝିରେ ଅନୂପମଙ୍କ ର ପରମ୍ପରାନୁଯାୟୀ ତାଙ୍କ ଧର୍ମପତ୍ନୀ ଙ୍କୁ ହଳଦିଆ ସୁତାର ପୁସ୍ତା ପିନ୍ଧା କର୍ମ ହେବା କ୍ଷଣି ମାେ ଧର୍ଯ୍ୟ ର ବନ୍ଧ ବାଡ ସବୁ ଭାଙ୍ଗିଗଲା ।ମୋତେ ଦିନେ ଏଇ ମଣିଷ ପୁସ୍ତା ପିନ୍ଧିବାର ଆଶା ଦେଇଥିଲା । ଅନ୍ଧାର ରାତିରେ ବିବାହ ମଣ୍ଡପ ଠାରୁ କେହି ନଦେଖି ପାରିଲା ଭଳି ଦୂରକୁ ଦୋୖଡି ଚାଲିଗଲି । ନିଜ ଭିତର ର ପ୍ରେମର କୋହ କୁ କାନ୍ଦି କାନ୍ଦି ପୁରା ଖାଲି କରିଦେଲି ।ମୁହଁ ଉପରକୁ ଉଠେଇ ଖାଲି ଆକାଶ କୁ ଦେଖିଲା ବେଳକୁ ମାେ ପାଖେ ବିନୟ ଦିଲ୍ଲୀର ଷ୍ଟାଫ୍ ଠିଆ ହୋଇଛି ,ସେ ମୋତେ କେମିତି ବୁଝେଇବ ନିଜେ ବି ଜାଣି ପାରୁ ନଥିଲା ।ମାେ ପାଖରେ ଆସି ଚୁପ୍ ଚାପ୍ ବସିଲା ।

          ମୁଁ ଲୁହ ପୋଛି ବିନୟ କୁ କହିଲି,ବିନୟ ମୋର କୋଉଠି ଭୁଲ୍ ରହିଲା ମୁଁ ଜାଣି ପାରିଲି ନାହିଁ । ଥରେ ସେ ଲୋକ ମୋତେ କାହିଁ ପାରିଥାନ୍ତା ,କି ସେ ମୋ ସହ ବଞ୍ଚିବାକୁ ଚାହୁଁ ନଥିଲା ବୋଲି ,ଏମିତି ଭାବେ ମୋତେ ବଞ୍ଚି ଥାଉ ଥାଉ ମାରିଦେବ ବୋଲି ଟିକେ ବି ଭାବି ନଥିଲି । ମୋର ପ୍ରେମ ଅନୁପମ ପାଇଁ ନିସର୍ତ୍ତ ଥିଲା ,ତାର ପ୍ରମାଣ ମୁଁ ନିଜକୁ ଦେଇ ଦେଲି । ସବୁ ହରେଇ ସାରିଥିଲି ,ଭଗବାନଙ୍କ ବ୍ୟତୀତ କାହା ପାଖେ ଅଭିଯୋଗ କରି ପାରିଲିନି ,ସେ ଅଦୃଶ୍ୟ ଈଶ୍ୱର ଛାଡ଼ କେହି ମାେ ଲୁହ ବି ଦେଖି ପରୀ ନଥିଲେ ।

            ମୁଁ ତ ବହୁତ ଖୁସି ହେବା କଥା , କେହି ଅତି ପ୍ରିୟ ମଣିଷ ର ଖୁସି ପାଇଁ ନିଜ ପ୍ରେମକୁ ବଳି ଦେଇ ଦେବା ।ଅନୁପମ କୁ ତା ଖୁସିରେ ଜୀବନ ବଞ୍ଚିବାକୁ ଛାଡ଼ିଦେବା ।କାହା କାହାକୁ ମୁଁ ଅଶାନ୍ତି ରେ ରଖି ଥାଆନ୍ତି ।

          ବିନୟ କୁ ଅନୁରୋଧ କଲି ମୋର କେତେଟା କାମ କରି ଦେବାକୁ ,ତୁରନ୍ତ ମାେ ବ୍ୟାଗ୍ ରେ ଥିବା ଅଫିସ୍ ର ସବୁ ଦରକାରୀ ପେପର୍ , ଚାବି , ରେଜିଗ୍ନେସନ୍ ଲେଟର , ଅନୁପମ ପାଇଁ ସମ୍ପର୍କ , ଦାୟିତ୍ଵ ରୁ ମୁକ୍ତି ପାଇଁ ଧନ୍ୟବାଦ ଦେଇ ଗୋଟେ ଚିଠି ଲେଖି ବିନୟ ହାତରେ ଧରେଇ ଦେଲି। ତାକୁ କହିଲି ବିନୟ ବାହାଘର ଏବେ ଶେଷ ହେବା ଉପରେ , ନବ ବିବାହିତ ଙ୍କୁ ଖୁବ୍ ସୌଭାଗ୍ୟ ପ୍ରାପ୍ତ ହେଉ , ଚାଲ ମୋତେ ଟିକେ ଆମ ଘରେ ଛାଡ଼ି ଦେଇ ଆସିବ । ବିନୟ ମାେ କହିବା ମୁତାବକ କାମ କଲେ । ଘରେ ଆସି ମୃତବତ୍ ଭୋକ ଶୋଷ ଭୁଲି ଅନେକ ଦିନ ପଡି ରହିଲି । କାହାକୁ କଣ କହି ଥାଆନ୍ତି ଆଉ ।ଦିଲ୍ଲୀ ସହ ଯୋଡ଼ି ହେଇଥିବା ସବୁ ଫର୍ଦ୍ଦ ବନ୍ଦ କଲି । 

କିଛି ଦିନ ମାସ ଦୁର୍ଘଟଣା ରେ ସ୍ମୃତି ଶକ୍ତି ହରେଇ ବସିବା ଭଳି ମନେ ହେଲା ।ଧୀରେ ଧୀରେ ବୁଝିଲି କାହିଁକି ମୁଁ ଏମିତି ବଞ୍ଚିବି ??

         ପ୍ରେମ କଣ ଜୀବନରେ ସବୁ କିଛି । ପରିବାର , ପୁରା ଦୁନିଆ ମାେ ପାଇଁ ଅଛି। ହାର ମାନିବାର କିଛି କାରଣ ହିଁ ନାହିଁ ।

ମୁଁ ଯାହା ଚାହିଁବି , ସବୁ ମୋତେ ମିଳିବ ବୋଲି ବି ଅର୍ଥ କିଛି ନାହିଁ ।

ପ୍ରେମ କେବଳ ବିବାହ ରେ ଅନ୍ତ ହୁଏ ସେ ଭ୍ରମ ବି ମୋର ଜଲଦି ଦୂର ହେଇଗଲା । ଜୀବନ କୁ ନେଇ ବାସ୍ତବବାଦୀ ହେବା ନିହାତି ଦରକାର । ସେଇଆ ହେଲା, ମୁଁ ବାସ୍ତବତା କୁ ବୁଝିଗଲି । ପ୍ରେମ ଗୋଟେ ମଧୁର ମିଛ ସମ୍ପର୍କ ।

               ଆରେ ...... ଅନ୍ଧାର ହେଇ ଗଲାଣି ଚାରିଆଡେ ।ଭୁଲି ଯାଇଥିଲି ଅଜାଣତରେ କେତେବେଳେ ନଷ୍ଟ ଅତୀତ କୁ ଆଉ ଥରେ ବଞ୍ଚୁଥିଲି । ଯାଏ ବହୁତ କାମ ଅଛି,ରୋଷେଇ କରିବି , ଘର ଲୋକ ସମସ୍ତେ ଏବେ ମାର୍କେଟ ରୁ ଫେରି ଆସିବେ । ଜୀବନ ଟା ବଞ୍ଚିବାର ଅନ୍ୟ ନାମ , ସମସ୍ତଙ୍କୁ ନିଜ ଢଙ୍ଗରେ ବଞ୍ଚିବା ଦରକାର । କାହା ଉପରେ କିଛି ଅଭିମାନ ନାହିଁ ।ମାତ୍ର ପ୍ରେମ ଉପରେ ମୁଁ ଆଉ ଭରଷା କରିବିନି । କେବେବି ଅନୁପମ ସହ ମୋର ସାକ୍ଷାତ ନ ହେଉ ,ଅଟଲିଷ୍ଟ୍ ଏଇ ଜନ୍ମରେ ତ ନୁହେଁ ।

(( ପାଠକେ ନିଶ୍ଚୟ ଜଣେଇବେ ଏଇ " ପ୍ରତାରିତା ପ୍ରେମିକା " ପଢ଼ି କିପରି ଲାଗିଲା ))



Rate this content
Log in

Similar oriya story from Romance