ପିଲାଦିନ ସ୍ମୃତି
ପିଲାଦିନ ସ୍ମୃତି
ଆରେ ବାଃ ବହୁତ ଦିନ ପରେ ଦେଖିଲି ଖଜୁରୀ କୋଳି । ଜଣେ ବନ୍ଧୁଙ୍କ ହାତରେ ଖଜୁରୀ ପେଣ୍ଡା ଧରି ଫୋଟୋ ଟିଏ ଦେଖି ମନ କଥା ଲେଖିବାକୁ ଇଚ୍ଛା ହେଲା । ଦିନ ଥିଲା ଦୁଇ ଚାରିଟା କୋଳି ପାଇଁ ଆଠ ଦଶ ଜଣ ସାଙ୍ଗ ମିଶି ଅପନା ଅଜା ବାଡି ପଛ ଖଜୁରୀ ଗଛ ମୂଳ ପୋଖରୀ ପଙ୍କ କାଦୁଆ ପାଣିରେ ପଶି ଖରାବେଳେ ସାରା ଓଦା ହେଇ ଖୋଜୁ ଥିଲୁ , ଘରୁ ମାଡ଼ ବି ଖାଉ ଥିଲୁ । ଆଜି ଡବା ବନ୍ଦ ଆରବିଆନ୍ ଡେଟସ୍ ରେ ସେ ଖୁସି ନାହିଁ । ପିଲା ବେଳର ସେ ଦିନ ସବୁ ବହୁତ୍ ଭଲ ଥିଲା । ଏତେ ମାପଚୁପ ଭରା ଜୀବନ ନଥିଲା ।
ଆଉ କିଛି ଦିନ ରେ ରଜ ,ପୂର୍ବ ଭଳି ରଜ ମଉଜ କାହିଁ ଯେ ? ମାେ ଦାଦା ରଜ ର ୧୫ ଦିନ ପୂର୍ବରୁ ରାହାମା ରୁ ସୁନ୍ଦର ଫ୍ରକ୍ , କ୍ରିମ ପାଉଡର,ଟିକିଲି ,ଆହୁରି କେତେ ସୌଖିନ ଜିନିଷ ସହ ମିଠା ପାନ ମସଲା ଆଣି ଦିଅନ୍ତି । ସାଙ୍ଗ ମାନଙ୍କୁ ଡ୍ରେସ୍ ଦେଖେଇ ଦେଖେଇ ରଜ ପୂର୍ବ ଦିନକୁ ଦେଖିଲା ବେଳକୁ ପୁରା ଅସନା କରି ଦେଇଥାଏ ଯେ ଦାଦା ପୁଣି ଯାଇ ଆଉ ଗୋଟେ ନୂଆ ଡ୍ରେସ ଆଣି ଦେଉଥିଲେ । ଆମ ବାଡ଼ିରେ ବାଉଁଶ ଦୋଳି ଲାଗୁଥିଲା,ମୁଁ କାହା ଘର ଆଡ଼େ ଯିବିନି ବୋଲି ,ଗାଆଁ ସାରା ସାନ ବଡ଼ ଝିଅ ସବୁ ଆସି ଆମ ବାଡ଼ିରେ ହିଁ ଖେଳୁଥିଲେ ।
ସେ ବଡ଼ ଚାକୁଣ୍ଡା ଗଛ ଟା ବି ଆଉ ନାହିଁ ,ବାବା ନୂଆ ଘର ତିଆରି କରିବା ପରେ ସେ ବିରାଟ ଗଛଟା ବି କାଟି ଦେଲେ ।ଗାଆଁ କୁ ବୁଲି ଗଲେ ସବୁ ବାଲ୍ୟ ସ୍ମୃତି ତାଜା ହେଇଯାଏ । ଆମ ପିଲା ମାନେ ତ କିଛି ଜାଣିଲେ ନାହିଁ । ଗୋଟେ ଘର ଭିତରେ ରହି ରହି ବଞ୍ଚିବା କଥା ଯାହା ।
ବାବାଙ୍କୁ , ଭାଇ କୁ କହିଛି ପ୍ରତି ବର୍ଷ ପଚାଶ ଟା କରି ଗଛ ଲଗେଇବେ । ଦିନେ ନା ଦିନେ ପ୍ରାଣ ବିକଳରେ ସେଇ ଗାଆଁକୁ ଧାଇଁବା ପାଇଁ ପଡ଼ିବ । ଗଛ ଲତା କିଛି ଥିଲେ ତ ବଞ୍ଚି ହେବ । ଗରମ ଦିନକୁ ଦିନ ବଢୁଛି ,ସମସ୍ତେ ଅନୁଭବୀ ଅଧିକ ଆଉ କଣ କହିବି । ଆଜିକାଲି ଯେଉଁଠି ଯେଉଁ ଫଳ ମଞ୍ଜି ଦେଖିଲେ ଚାରା କରିବାକୁ ଇଚ୍ଛା ହେଉଛି । ଆଖି ଖୋଲିଲେ , ବନ୍ଦ କଲେ ଖାଲି ସବୁଜିମା ଦେଖିବାକୁ ଇଛା ।
ଉଣା ଅଧିକେ ସମସ୍ତେ ଠିକିଲେ ଆଉ ଶିଖିଲେଣି ମଧ୍ୟ ।
ସବୁ ଦୁର୍ଦ୍ଦିନରୁ ବଞ୍ଚିବା ପାଇଁ କେବଳ ଗଛ ଲଗେଇବା ସହ ପ୍ରକୃତି ଆଉ ସମଗ୍ର ଜୀବ ଜଗତ ପ୍ରତି ସହନଶୀଳ ହେବା ।
ନିଜେ ଶାନ୍ତିରେ ରହିବା ସହ ଅନ୍ୟକୁ ଶାନ୍ତିରେ ରହିବା ପାଇଁ ସାହାଯ୍ୟ କରିବା ।
