STORYMIRROR

Gangotri Priyadarshini

Abstract Tragedy Crime

3  

Gangotri Priyadarshini

Abstract Tragedy Crime

ଚକ୍ରବ୍ୟୁହରେ ବୃତ୍ତି ପ୍ରବୃତ୍ତି

ଚକ୍ରବ୍ୟୁହରେ ବୃତ୍ତି ପ୍ରବୃତ୍ତି

3 mins
214


ବେଶ୍ୟା ଶବ୍ଦ କାହା ପାଇଁ ଶବ୍ଦ ତ କାହା ପାଇଁ ଅପଶବ୍ଦ । ଘୃଣାରେ କେହି କେହି ନାକ ଟେକି ଦିଅନ୍ତି । ପ୍ରତ୍ୟେକ ନାରୀ କେବେ ଚାହେଁନି ତାର ମର୍ଯ୍ୟାଦା ଲଙ୍ଘନ କରି ସମାଜ ଆଖିରେ କଳୁଷିତ ହେବ ,କେହି କେହି ପରିସ୍ଥିତିର ଦାସ ସାଜି ବେଶ୍ୟା ବୃତ୍ତିର କୁମ୍ଭିପାକ ନର୍କରୁ ନିଜକୁ ମୁକ୍ତ କରି ପାରନ୍ତି ନାହିଁ । 


ଦୋଷ ଖାଲି କଣ ନାରୀର ! କାପୁରୁଷର ଜ୍ଵାଳା ଉପଶମ ପାଇଁ ନାରୀ ବେଶ୍ୟା ସାଜେ , ପଣ୍ୟଦ୍ରବ୍ୟ ସାଜେ , ନଷ୍ଟ ଚରିତ୍ରା ସାଜେ ଆଉ ମାଟିହାଣ୍ଡିର କଳଙ୍କ ମୁଣ୍ଡରେ ବୋହି ମୃତ୍ୟୁ ପର୍ଯ୍ୟନ୍ତ ମରୁଥାଏ ଆଉ ପୁରୁଷ ଚକ୍ ଚକ୍ ପିତଳ ଗରା ର ଆଖ୍ୟାରେ ପ୍ରଚ୍ଛଦପଟ୍ଟର ଖଳନାୟକ ସାଜି " ଅନ୍ଧାର ଗଳି " ଭଳି ଏକ ଭିନ୍ନ କଳଙ୍କିତ ସମାଜର ନିର୍ମାତା ସାଜେ ।

ଯେବେ ଆତଙ୍କି ନଥାନ୍ତେ ଆତଙ୍କ ସୃଷ୍ଟି ହୁଅନ୍ତା କାହିଁକି?  


ଆରାଧନା କଣ ଜାଣି ଥିଲା ଏମିତି ଦିନେ ସେ ଅନ୍ଧାର ଗଳିରେ ନିଷ୍ପ୍ରଭ ହେଇ ଯିବ । ଯେଉଁଠି ପ୍ରବେଶ ଦ୍ଵାର ତ ବାହାରୁ ଦୃଶ୍ୟ ମାନ ମାତ୍ର ନିଷ୍କାସନ ଦ୍ଵାର ଲୌହ ମୁଦ ଆବଦ୍ଧ । ଗରିବ ହେଲେ ବି ବହୁତ ହସ ଖୁସିରେ ଜୀବନଟା ବିତୁଥିଲା । ଜନ୍ମରୁ କଥା କହି ପାରୁ ନଥିଲା ଆରାଧନା । ଅଲିଅଳି ଝିଅ ସେ ତା ପିତା ମାତାଙ୍କର । ଜନ୍ମରୁ କଥା କହି ପାରୁ ନଥିଲା ଆରାଧନା ହେଲେ ତା ସୁନ୍ଦରତା ,କଥା କୁହା ଆଖି ଯୋଡ଼ିକ ,ଚପଳାମି ପୂର୍ଣ୍ଣ ଚାଲି ଚଳଣୀ ରେ କାହାକୁ ମନ୍ତ୍ରମୁଗ୍ଧ କରିଦେବ । ସହଜରେ କେହି ଅନୁମାନ କରି ପାରିବେ ନାହିଁ ଯେ ଝିଅ ଟି ବାକ୍ ଶକ୍ତିହୀନ । ଏତେ ହସକୁରି ଝିଅ ଆରାଧନା କିଛି କଥା ନକହି ବି ଅନେକ କିଛି କହିଯାଏ । ସାହିର ସବୁ ଲୋକ ଟିକେ ଭଲ ମନ୍ଦ ପୂଜା ପାର୍ବଣରେ ଖୋଜନ୍ତି ଆରାଧନାକୁ । ଏକ ମାତ୍ର ସନ୍ତାନ ହୋଇ ଥିବାରୁ ବାପା ମାଆଙ୍କ ସବୁ ସୁବିଧା ଅସୁବିଧା ପରେ ବି ବହୁତ ଗେଲ ବଶରରେ ପାଳି ଥାଆନ୍ତି । ଆରାଧନାକୁ ନେଇ ମାଆ ବାପାଙ୍କର ଅନେକ ସ୍ଵପ୍ନ ଆଉ ଗର୍ବ । କୌଣସି ପରିସ୍ଥିତିକୁ ଖାତିର ନକରି ଝିଅକୁ ସବୁ ସୁଖ ସ୍ୱାଛନ୍ଦ ଯୋଗେଇ ଦେବାରେ ହେଳା କରି ନଥାନ୍ତି । 


ଆରାଧନା କୁ ଠିକ୍ ଷୋହଳ କି ସତର ବର୍ଷ ହୋଇଥାଏ !ବାପା ମାଆ ଦୁଇ ଜଣ ଆଗ ପଛ ହେଇ ଆରପାରିକୁ ବାଟ କାଟି ଝିଅକୁ ଏକା କରି ଛାଡ଼ି ଚାଲିଗଲେ । ପିଲାଟା ଅନାଥ ହେଇ ଗଲା ଦେଖି ତାଙ୍କ ଗ୍ରାମର ଜଣେ ସହୃଦୟ ସନ୍ତାନ ହୀନ ଦମ୍ପତି ଯିଏକି କଲିକତାରେ ବହୁତ ଦିନରୁ ରହି ଆସୁଥିଲେ ଆରାଧନାକୁ ନିଜ ସହ ନେଇ ଯିବା ପାଇଁ ଗ୍ରାମବାସୀ ମାନଙ୍କୁ କହିବାରୁ ଆରାଧନାର ଭବିଷ୍ୟତ ଜୀବନକୁ ଆଖି ଆଗରେ ରଖି ସମସ୍ତେ ତାକୁ ତାଙ୍କ ସହ ଛାଡ଼ିଲେ । ନିଜ ଗାଁ ଲୋକ ତ ବିଚାରି ଝିଅର ଜୀବନ କୂଳରେ ଲାଗିଯିବ ଭାବି ରାଜି ହେଇଗଲେ । ଅନ୍ୟ କିଏ କାହିଁ ତାର ଦାୟିତ୍ଵ ମୁଣ୍ଡକୁ ନେବେ ?

ସତରେ ଏତେ ବଡ଼ ଦୁନିଆରେ ମଣିଷ କେତେ ସ୍ୱାର୍ଥବାଦି ।


ଝିଅଟିକୁ ତାର ମା ବାପା, ଭିଟାମାଟି ,ପ୍ରାଣ ପ୍ରିୟ ଗ୍ରାମ୍ୟ ଜୀବନୀ ର ମୋହ ତ୍ୟାଗ କରି କଲିକତା ଯିବାକୁ ପଡିଲା ।

ସେଠି ପହଂଚିବା ପୂର୍ବରୁ ଖଡ଼ଗପୁର ରେଳ ଷ୍ଟେସନରେ ମଣିଷ ଶରୀରକୁ ନେଇ ବେପାର କରୁଥିବା ଗୋଟେ କୁଖ୍ୟାତ ଅପରାଧୀ ଦଳ ହାତରେ ଆରାଧନା ଅପହୃତ ହେବା ପରେ କଲିକତାର କୌଣସି ଏକ ରେଡ୍ ଲାଇଟ୍ ଏରିଆରେ ନିଜକୁ ଆବିଷ୍କାର କରେ । କଥା କହି ନ ପାରିବା, ସହରର ଅନ୍ଧ ଦୁନିଆ ବିଷୟରେ ଅଜ୍ଞ ଥିବା କାରଣରୁ ନିଜକୁ ସେ ଭୟଙ୍କର ନର୍କରୁ ଉଦ୍ଧାର କରିବା ସମ୍ଭବ ହୋଇ ପାରି ନଥିଲା । 


ଯେଉଁ ବାଇଜୀ ଆରାଧନାକୁ କିଣି ଥିଲେ ଜୋର ଜବରଦସ୍ତ ,ଅକଥନୀୟ ଅତ୍ୟାଚାର ଦେଇ ବେଶ୍ୟାବୃତି ଭଳି ଘୃଣ୍ୟ କାର୍ଯ୍ୟରେ ନିୟୋଜିତ କଲେ । କିଛି ମାସ ପରେ ଅଚିହ୍ନା ରୋଗରେ ପଡି ଝିଅଟି କଲିକତାର କୌଣସି ଏକ ସରକାରୀ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଦିନେ ଏ ଦୁନିଆ ଛାଡ଼ି ଚାଲିଗଲା ।


କୁହନ୍ତୁ କଣ କହିବେ ପରିସ୍ଥିତିର ଚକ୍ରବ୍ୟୁହ , ବୃତ୍ତି ନା ପ୍ରବୃତ୍ତି ? ଏମିତି ହଜାର ହଜାର ଜୀବନ ଦୀପ ନିର୍ବାପିତ ହେଉଛି କେତେକ ସ୍ୱାର୍ଥନୈଷ୍ଟି ମଣିଷ ପାଇଁ । ନିଜର ବ୍ୟକ୍ତିଗତ ଲୋଭ ପାଇଁ ନାରୀ ମାନଙ୍କୁ ନିକ୍ଷେପ କରନ୍ତି ପାପ ଗର୍ଭକୁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract