ଗଣେଶଙ୍କ ବାଲ୍ୟ ଲୀଳା
ଗଣେଶଙ୍କ ବାଲ୍ୟ ଲୀଳା
ଗଣେଶଙ୍କ ବାଲ୍ୟ ଲୀଳା
*******************
ଆଜି ଆମେ ଗଣେଶ ଭଗବାନଙ୍କର ପିଲା ବେଳର କିଛି କଥା କାହାଣୀ ମାଧ୍ୟମରେ ପଢ଼ିବା। ହିନ୍ଦୁ ପୁରାଣରେ ପଶୁ ଆକାରରେ ଅନେକ ଦେବତା ଏବଂ ଦେବୀ ଅଛନ୍ତି। ଭଗବାନ ଗଣେଶ ହେଉଛନ୍ତି ଜଣେ ହିନ୍ଦୁ ଦେବତା, ଯାହାଙ୍କୁ ପ୍ରତ୍ୟେକ ପୂଜାର ପ୍ରାରମ୍ଭରୁ ପୂଜା କରାଯାଏ।ସେ ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଦେବତା ।
ଗଣେଶ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପ୍ରଥମ ପୁତ୍ର।ଗଣେଶଙ୍କ ନାମ ଦୁଇଟି ଭିନ୍ନ ଭିନ୍ନ ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଛି: “ଈଶ”, ଯାହାର ଅର୍ଥ ପ୍ରଭୁ ଏବଂ “ଗଣ” ଅର୍ଥାତ୍ ଗୋଷ୍ଠୀ ।ତେଣୁ ଗଣେଶ ସର୍ବଜନ ଭଗବାନ ଭାବେ ବିଦିତ ।ଚାଲନ୍ତୁ ଆମେ ବର୍ତମାନ ଶ୍ରୀ ଗଜାନନଙ୍କର ବାଲ୍ୟ କାଳର କିଛି ରୋଚକ ଲୀଳାକୁ କାହାଣୀ ଛଳରେ ପଢ଼ି ବହୁତ ଶିକ୍ଷଣୀୟ କଥା ଶିଖିବା ।
(( ଭଗବାନ ଗଣେଶ ଏବଂ କାବେରୀ ନଦୀର ଉତ୍ପତ୍ତି ))
**************************************
ଥରେ ଅଗସ୍ତ୍ୟ ଋଷି ଭଗବାନ ବ୍ରହ୍ମା ଏବଂ ଶିବଙ୍କ ଆଶୀର୍ବାଦ ଲୋଡିଥିଲେ।ସେ ଭାରତର ଦକ୍ଷିଣ ଦେଶକୁଜଳଯୋଗାଇବା ପାଇଁ ନିର୍ଦ୍ଧାରିତ ସ୍ଥାନରେ ପ୍ରବାହିତ ନଦୀ ସୃଷ୍ଟି କରିବାକୁ ଚାହୁଁଥିଲେ । ଭଗବାନମାନେ ତାଙ୍କ ପ୍ରାର୍ଥନା ଶୁଣି ତାଙ୍କର କମଣ୍ଡଳୁକୁ ପାଣିରେ ଭରି ଦେଲେ ।ଏହା ପରେ ଋଷି ଅଗସ୍ତ୍ୟ କୁର୍ଗ ପର୍ବତ ଅଞ୍ଚଳରେ ପହଞ୍ଚିଲେ । ବାଟରେ ସେ ଏକ ଛୋଟ ପିଲାକୁ ଦେଖି ଶୌଚ ଯିବା ଉଦ୍ଦେଶ୍ୟରେ କମଣ୍ଡଲୁରେ ଗଚ୍ଛିତ ଜଳର ଯତ୍ନ ନେବାକୁ ଅନୁରୋଧ କରି ଟିକେ ଦୂରକୁ ଚାଲିଗଲେ । ସେହି ଛୋଟ ପିଲା ଶିଶୁ ଗଣେଶ ହିଁ ଥିଲେ ଏବଂ ସେ ସେହି ଜଳ ଭର୍ତି ପାତ୍ରକୁ ଉକ୍ତ ସ୍ଥାନରେ ଭୂମି ଉପରେ ରଖି ଦେଲେ, କାରଣ ସେ ତ ସ୍ଵୟଂ ଭଗବାନ, ନିଜ ଇଚ୍ଛାରେ ସେହି ସ୍ଥାନ ଟି ନଦୀ ପାଇଁ ଉପଯୁକ୍ତ ବୋଲି ଜାଣି ଏପରି କରିଥିଲେ ।ଠିକ୍ ସେହି ସମୟରେ କୁଆଡୁ ଗୋଟେ କାଉ ଆସି ସେ କମଣ୍ଡଲୁ ଉପରେ ବସି ପଡ଼ିଲା, ଯାହା ଫଳରେ ପାତ୍ରରୁ କିଛି ଜଳ ଚହଲି ଯାଇ ତଳେ ଭୂମି ଉପରେ ଢାଳି ହୋଇଗଲା ।
ଋଷି ଅଗସ୍ତ୍ୟ ଏହା ଦେଖି ସେହି ଛୋଟ ପିଲା ଉପରେ ବିରକ୍ତ ହେବାକୁ ଉଦ୍ୟତ ହୁଅନ୍ତେ ସେହି ସ୍ଥାନରେ ପୁଷ୍ପ ବୃଷ୍ଟି ହେଲା ଏବଂ ଋଷି ତଳ ବଳରେ ଉକ୍ତ କାର୍ଯ୍ୟ ପ୍ରଭୁ ଗଣେଶଙ୍କର ଜାଣି, ଅତ୍ୟନ୍ତ ଆନନ୍ଦିତ ହେଲେ। ପାତ୍ରରୁ ଜଳ ଭୁ ପତିତ ହୋଇଥିବା ସ୍ଥାନରୁ ଦକ୍ଷିଣରେ ଥିବା କାବେରୀ ନଦୀ ସୃଷ୍ଟି ହେଲା ଏବଂ ଏହାକୁ ଏକ ପବିତ୍ର ନଦୀ ଭାବେ ଆଖ୍ୟାୟିତ କରାଗଲା |
କାହାଣୀଟିର ସାର ମର୍ମ ହେଲା ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ଉତ୍ତମ କାରଣ ପାଇଁ ଅବଶ୍ୟ ହୋଇଥାଏ | ତେଣୁ ପିଲାମାନେ ତୁମ ଜୀବନରେ କିଛି ଖରାପ ଘଟଣା ଘଟିଲେ ବି ଦୁଃଖୀ ନ ହୋଇ ମନଯୋଗ ଦେଇ ପରିଶ୍ରମ କଲେ ଆମେ ମାନେ ଶେଷରେ କାର୍ଯ୍ୟ ଟିକୁ ଉତ୍ତମ ରୂପେ ସମାପ୍ତ କରି ପାରିବା ।
(( ଭଗବାନ ଗଣେଶ ଏବଂ କୁବେର ))
*************************************
ହିନ୍ଦୁ ପୁରାଣରେ କୁବେର, ଧନର ଦେବତା ଭାବେ ପରିଚିତ।କୁବେର ବହୁ ସମ୍ପଦ ଅଧିକାରୀ ହୋଇ ଥିବାରୁ ଅହଂକାରୀ ଓ ଗର୍ବି ଥିଲେ।ଥରେ ସେ ଏକ ଭୋଜିର ଆୟୋଜକ, ସାଜି ରାତ୍ରୀ ଭୋଜନ ପାଇଁ ବହୁ ଲୋକପ୍ରିୟ ଦେବତାଙ୍କୁ ଅତିଥି ରୂପେ ନିମନ୍ତ୍ରଣ କଲେ, ସେମାନଙ୍କ ମଧ୍ୟରେ ଭଗବାନ ଶିବ ଏବଂ ପାର୍ବତୀ ମଧ୍ୟ ନିମନ୍ତ୍ରିତ ଅତିଥି ଥିଲେ।
ଦିବ୍ୟ ଦମ୍ପତି ରାତ୍ରୀ ଭୋଜନରେ କୌଣସି କାରଣବଶତଃ ଯୋଗ ଦେଇ ନ ପାରିବାରୁ ସେମାନେ ତାଙ୍କର ପୁତ୍ର ବାଳ ଗଣେଶଙ୍କୁ ପଠାଇଲେ।ଭୋଜନ ଆରମ୍ଭ ହେଲା, କୁବେର ସମସ୍ତ ଦେବାତିଥିଙ୍କୁ ଖାଦ୍ୟ ଖାଇବାକୁ କହିବାରୁ, ବାଳକଗଣେଶ ଭୋଜିରେ ନାନା ପ୍ରକାର ସୁସ୍ଵାଦୁ ଖାଦ୍ୟ ଖାଇବାକୁ ଲାଗିଲେ, ଯାହା ଫଳରେ ଉକ୍ତ ଭୋଜିରେ ସମସ୍ତ ଖାଦ୍ୟ ଜଲଦି ସରିଗଲାଏବଂ ତତ୍ପଶ୍ଚାତ ବାଳକ ଗଣେଶ କୁବେର ଙ୍କ ଅଳକାପୁରର ସମସ୍ତ ପାତ୍ର, ଆସବାବପତ୍ର ଏବଂ ଅନ୍ୟାନ୍ୟ ବସ୍ତୁ ଖାଇବାକୁ ଲାଗିଲେ।ଏହା ପରେ ଗଣେଶ ରାତ୍ରୀ ଭୋଜନର ଆୟୋଜକ କୁବେରଙ୍କୁ ଗିଳିବାକୁ ଉଦ୍ୟତ ହୁଅନ୍ତେ, କୁବେର ଭୟଭୀତ ହୋଇ ଭଗବାନ ଶିବଙ୍କ କୈଳାଶକୁ ଦଉଡ଼ି ମହାଦେବଙ୍କ ଶରଣ ଲୋଡିଲେ।
ଭଗବାନ ଶିବ ଗଣେଶଙ୍କୁ କିଛି ତାଙ୍କର ପ୍ରିୟ ଶସ୍ୟ ପ୍ରଦାନ କଲେ ଏବଂ ଯାହା ଫଳରେ ବାଳକ ଗଣେଶଙ୍କର କ୍ଷୁଧା ତୁରନ୍ତ ବନ୍ଦ ହେଲା।ଭଗବାନ କୁବେର ତାଙ୍କର ଗର୍ବର ପରିଣାମ ଅନୁଭବ କଲେ ଏବଂ ତାଙ୍କ ଗର୍ବ ପାଇଁ ଗଣେଶଙ୍କୁ କ୍ଷମା ମଧ୍ୟ ମାଗିଲେ ।
କହିବାର ତାତ୍ପର୍ଯ୍ୟ, ଏହା ଯେ ତୁମର ଯାହା ଅଛି ସେଥିପାଇଁ ଗର୍ବ କର ନାହିଁ | ଏହା ପରିବର୍ତ୍ତେ, ଭଲ ଉଦ୍ଦେଶ୍ୟ ପାଇଁ ତୁମେ କିପରି ନିଜର ଅଧିକାରକୁ ବ୍ୟବହାର କରିପାରିବ ସେ ଉପରେ ଧ୍ୟାନ ଦିଅ |
(( ଭଗବାନ ଗଣେଶ ଏବଂ ମାତା ପାର୍ବତୀଙ୍କ କାହାଣୀ ))
*****************************************
ପିଲାମାନଙ୍କୁ ବାଳକ ଗଣେଶଙ୍କ କାହାଣୀ କିପରି ସମସ୍ତ ଜୀବ ଜନ୍ତୁଙ୍କ ପ୍ରତି ସ୍ନେହ ଭାବ, ସହନଶୀଳତା ଏବଂ ଯତ୍ନଶୀଳ ହେବା ଉଚିତ୍, ତାହା ଶିକ୍ଷା ଦେବା ଏହି କାହାଣୀର ଉଦ୍ଦେଶ୍ୟ ।
ଦିନେ ଶିଶୁ ଗଣେଶ ଏକ ବିଲେଇ ସହିତ ଖେଳୁଥିଲେ ଏବଂ ଲାଞ୍ଜ ଟାଣି ଭୂମିରେ ବାରମ୍ବାର ବିଲେଇକୁ ଫିଙ୍ଗି ତାକୁ କଷ୍ଟ ଦେଇ ଖୁସି ପାଉଥିଲେ।ବିଲେଇ ସହ ଖେଳ ଛାଡ଼ି, ଯେତେବେଳେ ଗଣେଶ ତାଙ୍କ ମାତା ଦେବୀ ପାର୍ବତୀଙ୍କ ପାଖକୁ କୈଳାସ ପର୍ବତ ଉପରକୁ ଗଲେ, ସେତେବେଳେ ସେ ମାତା ପାର୍ବତୀଙ୍କୁ ଯନ୍ତ୍ରଣା ଜର୍ଜରିତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ଯେତେବେଳେ ସେ ତାଙ୍କୁ ଏ ବିଷୟରେ ପଚାରିଲେ, ତାଙ୍କ ମାଆ ଉତ୍ତର ଦେଲେ ଯେ ଗଣେଶ ଖେଳ ବେଳେ ବିଲେଇକୁ ଦେଇଥିବା କଷ୍ଟର ପରିଣାମ ଏହି କ୍ଷତ । ଯେହେତୁ ସେ ତାଙ୍କ ସହିତ ବିଲେଇ ଭଳି ଖେଳୁଥିଲେ |
ମାତା ପାର୍ବତୀ ଆହୁରି ମଧ୍ୟ କହିଛନ୍ତି ଯେ ପଶୁମାନଙ୍କୁ ନିର୍ଦ୍ଦୟ ବ୍ୟବହାର କରିବା ଅନ୍ୟାୟ ଏବଂ ଗଣେଶ ବିଲେଇକୁ ଆଘାତ ଦେଇଥିବାରୁ ମାତା ଅତ୍ୟନ୍ତ ମର୍ମାହତ।ମଣିଷମାନଙ୍କୁ ଯେପରି ଏହି ଜଗତରେ ବଞ୍ଚିବାର ଅଧିକାର ଅଛି, ସେହି ନ୍ୟାୟରେ ସବୁ ଜୀବ ଜନ୍ତୁଙ୍କର ମଧ୍ୟ ସମାନ ଅଧିକାର ରହିଛି, କୌଣସି ଜୀବ ଜନ୍ତୁଙ୍କୁ ଅଜାଣତରେ ମଧ୍ୟ ଆଘାତ କର ନାହିଁ |