Gangotri Priyadarshini

Classics Fantasy Inspirational

4  

Gangotri Priyadarshini

Classics Fantasy Inspirational

ସୁଆଦିଆ ଅତୀତ

ସୁଆଦିଆ ଅତୀତ

5 mins
240



କାହିଁ କେତେ କାଳରୁ , କହିବା ବାହୁଲ୍ୟ ସୃଷ୍ଟିର ପ୍ରାରମ୍ଭରୁ ଖାଦ୍ୟ ଖାଦକ ର ସମ୍ପର୍କ କେତେ ଯେ ନିଗୂଢ଼ ଅବର୍ଣ୍ଣନୀୟ।କଥା ଅଛି କାହା କୁ ବେଶୀ ନିଜର କରିବାର ଥିଲେ,ସ୍ନେହ,ଯତ୍ନ ରେ ସୁଆଦିଆ ଖାଦ୍ୟ ଖୁଆଇ ତା ମନ ଜିତି ହୁଏ ।ସେଥିପାଇଁ ତ କଥାରେ କୁହନ୍ତି " ପେଟ ପାଇଁ ସବୁ ନାଟ,ଗାଆଁ ସହର ରେ ଭୋକ ପାଇଁ ଚାଲେ କେତେ ଯେ ହାଟ "


ଆମର ଭାରତୀୟ ପରମ୍ପରାରେ ଖାଦ୍ୟ ର ମହନୀୟତା ଖୁବ୍ ପବିତ୍ର।ଆମେ ଭଗବାନଙ୍କୁ ନିଜର ଭକ୍ତି ନୈବେଦ୍ୟ ଛଳରେ ପ୍ରସାଦ ଅର୍ପଣ କରିଥାଉ ।ପୁଣି ଆମର ପ୍ରିୟ ଅଗ୍ରପୂଜ୍ୟ ଗଣପତି ଖାଦ୍ୟ ପ୍ରିୟ ପ୍ରଭୁ,ଲଡୁ ପାଇଁ ତାଙ୍କର କେତେ ଆଗ୍ରହ ।ସର୍ବ ଶକ୍ତିମାନ ପ୍ରଭୁ ଶ୍ରୀରାମ ଙ୍କ ପ୍ରିୟ ଭକ୍ତ ହନୁମାନ ମଧ୍ୟ ନାନାଦି ଫଳ ପ୍ରିୟ ।ମହାଭାରତ ର ବଳଶାଳୀ ଚରିତ୍ର କୌନ୍ତେୟ ଭୀମ ମଧ୍ୟ ଖାଦ୍ୟ ପ୍ରିୟ ଥିଲେ ବୋଲି ଆମ ପିଲାବେଳୁ ବହୁତ୍ କାହାଣୀ ଶୁଣିଛୁ।


ଚାଲନ୍ତୁ ଏବେ ଜାଣିବା କାହାଣୀ ର ଚରିତ୍ର ସମ୍ପର୍କରେ ,ମୁଁ ମାମୁନି ଆଉ ମାେ ପୁରା ପରିବାର ।ଛୋଟ ବେଳୁ ଗାଆଁ ପରିବେଶ ରେ ଲାଳନ ପାଳନ ହେଲା ମୋର ।ବାପା ବୋଉ,ଦାଦା ଖୁଡି,ଜେଜେ ଜେଜେମା ପୁରା ପରିବାର ର ଛତ୍ର ଛାୟାରେ ଦିନ ସବୁ ଗଡ଼ି ଚାଲିଥାଏ। ସ୍ନେହ, ସରଧା ରେ ବଢ଼ି ଘର ର କୌଣସି କାମ ଶିଖି ନଥାଏ।ହେଲେ ରୋଷେଇ ରେ ମୋର ଭାରି ମନ, ରକମ ରକମ ଖାଇବାରେ ଭାରି ଶରଧା।


କିଛି ଶିଖିବାକୁ ଇଚ୍ଛା କଲେ ବି ,ମୋତେ ସମସ୍ତେ ଚୁଲି ପାଖକୁ ଯିବା ପାଇଁ ବାରଣ କରିଥାନ୍ତି ।ଜେଜେ ମୋର ନିତି ସନ୍ଧ୍ୟା ପୂର୍ବରୁ ଚାଷ ଜମି ଆଡେ ଅନ୍ଦ୍ଧୁଳି ( ଯାହା ନଡ଼ିଆ ପତ୍ର ର ସରୁ ସରୁ ଖଡ଼ିକା କାଠି ଆଉ ସୁତୁଲି ରେ ତିଆରି ହୋଇଥାଏ,ଛୋଟ ଛୋଟ ଘର ଥାଇ ଦେଢ଼ ଫୁଟ କି ଦୁଇଫୁଟ ଲମ୍ବା, ଅଧ ଫୁଟରୁ ଟିକେ ଅଧିକ ଚଉଡ଼ା ଅନ୍ଧୁଳି କୁ ଛୋଟ ଖୋଲା ଥିବା ଅଂଶ କୁ ଉପରକୁ ମୁହଁ କରି,ଅଳପ ପାଣିଧାର ଚାଲିଥିବା ଜାଗାରେ,ଜମି ହିଡକୁ ମଝିରୁ କାଟି ବସେଇ ଦିଆଯାଏ, ଛୋଟ ଛୋଟ ମାଛ ପାଣି ସୁଅରେ ଅନ୍ଧୂଳି ଭିତରେ ରହି ଯାଆନ୍ତି ) ବସେଇ ଦିଅନ୍ତି,ସକାଳେ ଶୌଚ ହେଇ ଆସିବ ରାସ୍ତାରେ ଅନ୍ଧୁଳି ଆଣି ଆସନ୍ତି,ମୋତେ ଭାରି ଭଲ ଲାଗେ ଦେଖିବାକୁ ଜେଜେ ଙ୍କ ଅନ୍ଧୂଳୀ ଝାଡି ତାଜା ଛୋଟ ଚିଙ୍ଗୁଡ଼ି ବାହାର କରିବା,ପୁଣି ସେସବୁ ସଫାକରି ଧୋଇ ଲୁଣ ହଳଦୀ ଗୋଳେଇ ତୁରନ୍ତ କଟା ପିଆଜ ,ଶୁଖିଲା ଲଙ୍କା ଦେଇ ଭାଜି ମାେ ଜେଜେ ମା ମୋତେ ଆଉ ମୋ ଜେଜେଙ୍କୁ ସକାଳ ୮ଟା ସୁଦ୍ଧା ଗୋଟେ ବଡ଼ ପଖାଳ କଂସା ସହ ଗିନାଏ ଚିଙ୍ଗୁଡ଼ି ଭଜା ପରଶି ଦିଏ ।କି ବାସ୍ନା ଆଉ ସ୍ଵାଦ ସେ ଖାଇବାର ,ଆଜିବି ମନ ଅଧିର ହେଇ ଯାଏ ।ମାେ ଜେଜେ, ଜେଜେ ମା ତ କେବେଠୁ ଦୁନିଆ ଛାଡ଼ି ସାରିଲେଣି,ହେଲେ ଆଜି ବି ମୋର ପଖାଳ ,ମାଛ ଭଜା ମୋହ ବଳବତ୍ତର ରହିଛି ।


କେବେ କେମିତି ବନ୍ଧୁ ବାନ୍ଧବ ଘର ଏକା ଯାଇଥିଲେ,କହିଦିଏ ସବୁ ରୋଷେଇ ମୁଁ କରିବି,ସେମାନେ ବିଶ୍ୱାସ ରେ ଛାଡି ଦିଅନ୍ତି ରନ୍ଧା ଘର।ସବୁ ଯତ୍ନ ରେ ରାନ୍ଧି କରି ଖାଇବା ପାଇଁ ଦିଏ,ସମସ୍ତେ ଖାଇ ଖୁସି ହେଇ ତାରିଫ୍ କରନ୍ତି ମଧ୍ୟ ।କେହି କେବେ କହିଦେଲେ ଘର ଲୋକ ବିଶ୍ୱାସ ନକରି ଓଲଟି କୁହନ୍ତି ତାକୁ କି ରୋଷେଇ ଜଣା ଯେ ।


ନବମ ଶ୍ରେଣୀ ରେ ପଢିଲା ବେଳେ ପ୍ରାୟ ଆମେ ଘରେ ଜେଜେ,ଜେଜେ ମା, ସାନ ଦାଦା ଆଉ ମୁଁ ଘରେ ରହୁ। ଖରା ଛୁଟିରେ ମୁଁ ଜବରଦସ୍ତ ରୋଷେଇ କରେ ମାେ ପ୍ରିୟ ସୁକ୍ତ,ଯାହା ପ୍ରତି ବର୍ଷ ଆମ ଗାଆଁ ଅଷ୍ଟ ପ୍ରହରୀରେ ଟିକେ ନିଆରା ଢଙ୍ଗରେ ରୋଷେଇ ହୁଏ। ସୁକ୍ତ ପାଇଁ ସଜନା ଛୁଇଁ,ବାଇଗଣ,ଅଳ୍ପ କଲରା,ଆଳୁ,ମାଟି ଆଳୁ,ଟମାଟୋ କୁ ଆବଶ୍ୟକ ଆକାରରେ କାଟି ପରିଷ୍କାର କରି ରଖି,ଚୁଲିରେ ବଡ଼ କଡ଼େଇ ଟେ ବସେଇ ଗରମ ହେଲା ପରେ ସେଥିରେ ସୋରିଷ ତେଲ ଦେଇ ,ପ୍ରଥମେ ବଡ଼ି ଭାଜି ଟିକେ ଲାଲ୍ ହୋଇଗଲା ପରେ କଡ଼େଇ ରୁ କାଢି ରଖେ,ବାକି ଗରମ ତେଲ ରେ ଟିକେ ପଞ୍ଚୁ ଫୁଟଣ ଫୁଟେଇ ଟମାଟୋ ଛାଡ଼ି ବାକି ସବୁ ପାରିବ ପକେଇ ଡର ସିଝା ହେଲା ଯାଏ ଭାଜି ଗୋଟେ ଜାଗାକୁ କାଢି ରଖି ଦିଏ।ସେହି କଡ଼େଇ ରେ ଆଉ କିଛି ତେଲ ଦେଇ ସେଥିରେ ପିଆଜ,ରସୁଣ,ଅଦା, କଞ୍ଚା ଲଙ୍କା କି ଶୁଖିଲା ଲଙ୍କା,ଜିରା,ସୋରିଷ ଆବଶ୍ୟକ ପରିମାଣରେ ଶିଳା ବଟା ମସଲା ପକେଇ କଷି ଦିଏ। ମସଲା ଉପରେ ତେଲ ଦିଶିଲେ ସେଥିରେ ପୂର୍ବର ଭଜା ପରିବା,ଲୁଣ,ହଳଦୀ,ଧନିଆ ଗୁଣ୍ଡ ଦେଇ ଭଲରେ ପାଞ୍ଚ ଦଶ ମିନିଟ୍ କଷି ଅଳ୍ପ ପାଣି ଦେଇ ଘୋଡେଇ ରଖେ,ଟିକେ ଭଲରେ ଫୁଟି ଆସିଲା ପରେ ପୂର୍ବର ଭଜା ବଢ଼ି କୁ ଦର ଭଙ୍ଗା କରି କଡ଼େଇ ରେ ପକେଇ ଘାଣ୍ଟି ଦିଏ।ତରକାରୀ ଟିକେ ପାଣି କମି ଶୁଖା ହେଇଗଲେ ଚୁଲିରୁ ଓହ୍ଲାଇ ଦିପହରରେ ଗରମ ଗାଆଁ ଉଷୁନା ଭାତ,ଦେଶୀ ମୁଗ ରସୁଣ ଛୁଙ୍କ ଡାଲି ସହ ମାେ ହାତ ତିଆରି ସୁକ୍ତ ଖାଇ ସମସ୍ତେ କୁହନ୍ତି ,ତୁ କେମିତି ଏତେ କଥା ସିଖିଲୁ।ଏତିକି ଜାଣେ ମନେ ମନେ ଭାରି ଖୁସି ହୁଅନ୍ତି ମାେ ଘର ଲୋକ ।


ଆମ ଗାଆଁ ରେ ମୋର ଦୁଇଜଣ ଅତି ପ୍ରିୟ ସାଙ୍ଗ ମିଲି ଆଉ ପିଙ୍କି,ଖାଲି ଯାହା ରାତି ଶୋଇବା ସମୟ ଅଲଗା ହେଇ ଥାଉ।ଲଙ୍କା କାଣ୍ଡ ରୁ ରାମ ନାମୀ ସବୁଥିରେ ସିଦ୍ଧହସ୍ତ। ସ୍କୁଲରେ ପ୍ରାୟ ସବୁଦିନ ଆଉ ଦୁଇ ଚାରିଜଣ ସାଙ୍ଗ ସହ ମିଶି ଖଟା ଚକଟା ଖିଆ।ଦୁଇ ତିନି ଦିନରେ ଧରାପଡ଼ି ନିଧୂମ ମାଡ଼ ଖାଇ ପୁଣି ଯୋଉ କଥା କୁ ସେଇ କଥା। ଧରା ଏଇଥି ପାଇଁ ପଡୁ ଯେ ସାର ପଢେଇଲା ବେଳେ ହିଁ ଖଟା ଖାଇବା ପର୍ବ ଚାଲୁଥାଏ ।କି ପାଠ କଣ ଏବେ ଭାବୁଛି କିଛି ବୁଝୁ ନଥିଲୁ ଖାଲି ବଦମାସୀ ଛଡ଼ା ।ସେ ଖଟା ଚକଟା ପାଇଁ ସ୍କୁଲ ଛୁଟି ପରେ କିଏ କଣ ଆଣି ଆସିବ ଫାଇନାଲ ହେଇଯାଏ।ଖାଲି ଧୁଆ ଯନ୍ତ୍ର ବାକ୍ସ ,ଗିନା ରେଖଟା ଚକଟା,ହା ହା ହା । ମଞ୍ଜିଲଗା ତେନ୍ତୁଳି,କୁଆଁରୀ ଆମ୍ବୂଲ,କଞ୍ଚା ଲଙ୍କା,ଧନିଆ ପତ୍ର, ଲୁଣ ,ପାଣି ଟିକେ, ଟମାଟୋ,ପିଆଜ ଚକଟା ।ଯନ୍ତ୍ର ବାକ୍ସ ରେ ଖଟା ଖିଆ,ସାରଙ୍କ ନଜର ପଡିବା ପୂର୍ବରୁ ବନ୍ଦ ସବୁ।କି ଦିନ ସବୁ ଥିଲା ?କିଛି ନଥାଇ ବି ଖୁସି ବହୁତ ଥିଲା,ଆଜି ସଫଳତା ପାଇଁ ଦୌଡ଼ି ଦୋୖଡି ମଣିଷ ନୟାନ୍ତ।


ଦିନ ଗଡିଚାଲେ,ମଣିଷ ଜ୍ଵିହା ନୂତନତ୍ବ ର ସନ୍ଧାନରେ ପ୍ରୟାସ ରତ। ମନେ ପଡେ ସାହି ଭୋଜିରେ ସେତେବେଳ ର ଜନ୍ତାଳ ଭୋଜି ଅର୍ଥ ଏଯାଏ ଜାଣିବାର ସୁଯୋଗ ପାଇନି,ଅନ୍ୟ ମାନେ କହନ୍ତି ଯେ ଗ୍ରାମ ଦେବତୀ ଙ୍କ ପାଖେ ଚୁଲି ରନ୍ଧା ଆମିଷ ଘାଣ୍ଟ  ତରକାରୀ,ଭାତ,ଖଟା,ଖିରି ପ୍ରସାଦ ଭାବେ ବର୍ଷ କୁ ଥରେ ଅର୍ପଣ କରାଯିବା ପରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଇ ଥାଏ ।


ସେ ପ୍ରସାଦ ର ସ୍ଵାଦ ଅବର୍ଣ୍ଣନୀୟ।କେମିତି ରନ୍ଧା ହୁଏ ବୋଲି ଜାଣିବାକୁ ଆଗ୍ରହୀ ହେବାରୁ ପଡିଶା ର ଜଣେ ପିଉସୀ ଯିଏ ରୋଷେଇ ରେ ଧୁରନ୍ଧର , ତାଙ୍କ କହିବା ମୁତାବକ ସବୁ ଆବଶ୍ୟକୀୟ ସାମଗ୍ରୀ ଜେଜେ ଆଣି ରଖିଲେ, ମୁଁ ପିଉସୀ ଙ୍କୁ କହିଲି ତୁମେ ମୋତେ ପ୍ରସ୍ତୁତି ପ୍ରଣାଳୀ କହିଚାଲ,ମୁଁ ରୋଷେଇ କରିବି।ସେ କହିଲେ ହଉ ଠିକ୍ ଅଛି।ପିଉସୀ ଙ୍କ କହିବାନୁସାରେ ପ୍ରଥମେ କଖାରୁ,ସାରୁ,ଦେଶୀ ଆଳୁ,ଆଳୁ,ଟମାଟୋ କୁ ସମାନ ଆକାରରେ ଟିକେ ବଡ଼ ବଡ଼ ଖଣ୍ଡ କାଟି,ଧୋଇ ରଖିଲି।


ଶି ଅଦା,ରସୁଣ,ପିଆଜ,ଶୁଖିଲା ଲଙ୍କା, ଗୋଟା ଜିରା, ଗୋଟା ଧନିଆ କୁ ବାଟି ଦେଲି,କିଛି କଞ୍ଚାଲଙ୍କା ଛେଚି ରଖିଲି, ଗୋଟା ଗରମ ମସଲା କୁ ଆବଶ୍ୟକ ମୁତାବକ ଗୁଣ୍ଡ କରି ରଖିଲି। ବୁଟ ଡାଲି କୁ ପୂର୍ବରୁ ପାଣିରେ ଭିଜେଇ ରଖିଥିଲି। ଘାଣ୍ଟ ପାଇଁ ଜେଜେ ଭଲ ବଡ଼ ଖଏଙ୍ଗା ମାଛ ଦି କିଲୋ ଆଣି ଦେଇଥିଲେ।ମାେ ଜେଜେ ମାଆ ସେ ମାଛକୁ ଭଲ ଭାବେ ସଫା କରି ଲୁଣ,ହଳଦୀ ଦେଇ ସୋରିଷ ତେଲରେ ଭାଜି ରଖିଥିଲେ।ଶୁଖିଲା ଜିରା ଲଙ୍କା କୁ କଡ଼େଇ ରେ ଭାଜି ଗୁଣ୍ଡ କରି ଦେଇଥିଲେ।ପିଉସୀ ଙ୍କୁ କହିଲି ଚୁଲି ଲଗେଇ ଦେବା ପାଇଁ,ମୁଁ ଗୋଟେ ଡେକଚି ହାଣ୍ଡି ବସେଇ ଆବଶ୍ୟକ ତା ମୁତାବକ ପାଣି ଦେଇ,ପାଣି ଫୁଟିବା ପରେ ସେଥିରେ ଡାଲି,ଲୁଣ,ହଳଦୀ ପକେଇ ବାମ୍ଫ ବୁଲିଯିବା ପରେ ସବୁ କଟା ପରିବା ,ତେଜ ପତ୍ର ଦୁଇ ଚାରିଟା ପକେଇ , ଅଦା କଞ୍ଚାଲଙ୍କା ଛେଚା ଦେଇ ସିଝିବା ପାଇଁ ଛାଡ଼ିଦେଲି ।


ଆଉ ଗୋଟେ ଚୁଲିରେ ଗୋଟେ ବଡ଼ କଡ଼େଇ ବସେଇ,ଗରମ ହେଲା ପରେ ସୋରିଷ ତେଲ ଭଲରେ ଗରମ କରି ଦୁଇଟା ତେଜ ପତ୍ର ଅଳ୍ପ ପଞ୍ଚ ଫୁଟଣ ପକେଇଲି।ତାପରେ କଟା ପିଆଜ କିଛି ପକେଇ ଟିକେ ନାଲି ହେଲା ଯାଏ ଭାଜି ସେଥିରେ ପୂର୍ବର ବଟା ମସଲା ପକେଇ କଷିବାକୁ ଲାଗିଲି, ସେଥିରେ କଟା ଟମାଟୋ ,ଲୁଣ,ହଳଦୀ ଟିକେ,ନାଲି ଲଙ୍କା ଗୁଣ୍ଡ ଦେଇ ଟମାଟୋ ନରମ ହେବା ଯାଏ ଭାଜିଲି।ମସଲା ଉପରକୁ ଭଲରେ ତେଲ ଆସିଯିବା ପରେ ସେଥିରେ,ଆଗରୁ ସବୁ ଭଜା ମାଛକୁ ଭାଙ୍ଗି ଛୋଟ କରି ରଖା ଯାଇଥିବା ରୁ ମସଲା କଷାରେ ପକେଇ ଭଲରେ ଭାଜିଲା ପରେ,ଆର ପଟ ଚୁଲିରେ ସିଝି ଯାଇଥିବା ଡାଲି ଆଉ ପରିବାର ମିଶ୍ରଣ କୁ ମାଛ କଡ଼େଇ କୁ ଅଜାଡ଼ି ଦେଇ ଭଲରେ ଘଣ୍ଟା ଘାଣ୍ଟି କରି ସେଥିରେ ଗରମ ମସଲା ଗୁଣ୍ଡ , କଟା ଧନିଆ ପତ୍ର ପକେଇ ଦେଇ ଆଉ କିଛି ସମୟ ଚୁଲିରେ ରଖି ଓହ୍ଲେଇ ଦେଲି,ତାପରେ ପୂର୍ବରୁ ପ୍ରସ୍ତୁତ ଭାତ ଖଟା,ଖିରି ସହ ଘରେ ସମସ୍ତଙ୍କୁ ଖାଇବା ବାଢ଼ି ଦେଲି। ପିଉଷୀ ଆଉ ମୁଁ ବି ସାଙ୍ଗ ହେଇ ଖାଇ ବସିଲୁ,ପ୍ରଥମ ଥର ଯନ୍ତାଳ ଘାଣ୍ଟ ରାନ୍ଧି ଖୁଆଇଲି,ଖୁବ୍ ସ୍ଵାଦ ଯୁକ୍ତ ଥିଲା ,ମୋର ରୋଷେଇ ଆଗ୍ରହ ଦେଖି ସମସ୍ତେ ବହୁତ୍ ଖୁସି ହେଉଥିଲେ ମାେ ଉପରେ।ଯାହା ବି କିଛି ଥାଉ,ସପରିବାର ମିଳି ମିଶି ସବୁ ଖୁସିରେ ଭାଗୀଦାର ହେବା ସତରେ ବହୁତ ଭାଗ୍ୟର କଥା।ଆଜି କାଲିକା ଦିନରେ କାହିଁ ଆଉ ସେ ଏକାନ୍ନବର୍ତି ପରିବାର ର ସୁଖଦ ମୁହୁର୍ତ୍ତ ର ଅନୁଭୂତି ।ଆଜି ବି ମୁଁ ପୂର୍ବଭଳି ଭାରି ଖାଦ୍ୟ ପ୍ରିୟ। ରୋଷେଇ କରିବାରେ,ସୁଆଦିଆ ଖାଦ୍ୟରେ ମାେ ବୋଉଙ୍କ ହାତରନ୍ଧା ର ଅନୁଭବ କାହିଁ ଯେ କେତେ।

" ବାକି ରଖିଲି କିଛି ରନ୍ଧା ସୁଆଦ

   ପୁଣି ପରଷିବି ଗଳ୍ପ ଆଲ୍ହାଦ "

ରୋଷେଇ ଧୁରନ୍ଧର ଅନୁଭୁତ

   



Rate this content
Log in

Similar oriya story from Classics