ମଦର ଇଣ୍ଡିଆ
ମଦର ଇଣ୍ଡିଆ
ମାତୃତ୍ଵ ଏକ ବିରଳ ଅନୁଭବ । ନାରୀ ଜୀବନ ର ସମ୍ପୁର୍ଣ୍ଣ ସାଧନା,ନିଜ କୋଳ ରୁ ପଞ୍ଚ ତତ୍ତ୍ଵ ର ଶରୀର ସୃଷ୍ଟି କରିବା । ତାପରେ ବଢ଼ି ଚାଲିବ ମନୁଷ୍ୟ ସଭ୍ୟତା । ଅନ୍ତହୀନ ତପସ୍ୟା ମାଆ ଟିର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ।
ଅନୁପ୍ରଭା ର କାହିଁ କେବେଠୁ ଅପେକ୍ଷା ପିଲାଟିଏ ପାଇଁ ।
ବାର ବର୍ଷ ହେଲାଣି ତା କୋଳ ଶୂନ୍ୟ । ଆଉ ଶୁଣି ପାରୁନି କାହା କଥା ,ସବୁ ମୁହଁ ଅସ୍ପଷ୍ଟ ଦିଶୁଛି ଲୁହରେ କ୍ଷୋଭ ରେ ।
କିଏ କଣ କରି ପାରିବ ତା ଦୁଃଖ ଦୂର ପାଇଁ । କେତେ ଡାକ୍ତର,ଦିଅଁ,ଦେବତା,ବାର ଓଷା ବ୍ରତ,ଉପବାସ ସବୁ ନିଷ୍ଫଳ ।
ସବୁତ ଥିଲା ଯାହା ଯାହା ଆବଶ୍ୟକ ସୁନା ସଂସାର ପାଇଁ ।
ପୁଣ୍ୟବନ୍ତ ସ୍ଵାମୀ, ଶାଶୁ ଘର,ବାପା ଘର,ସମ୍ପର୍କ ,କାହିଁ କୋଉ ଆଶୀର୍ବାଦ ଠୁ କମ୍ ମନେ ହୁଏନି । ସ୍ଵାମୀ ଚିନ୍ମୟ ଙ୍କ ପ୍ରତି ପାଦରେ ସହଯୋଗ,ପ୍ରେମ ଆଉ ଅଧିକ କଣ ଚାହିଁ ଥାଆନ୍ତି ଜୀବନ ରୁ ।
ଯେତେବେଳେ ପିଲାଟିଏ ପାଇଁ ଯୋଜନା ହେଲା ଖୁସି ଉଛୁଳି ପଡ଼ିଲା ପରୀ ଆଣୁପ୍ରଭାକୁ ମନେ ହେଉ ଥିଲା । ମାଆ ହେବାର ସ୍ୱପ୍ନରେ ମଶ୍ ଗୁଲ ରହୁଥିଲା । କେତେଦିନ ହେବ ଚିନ୍ମୟଙ୍କର ଭଲ ପାଇବା ଆଉ କିଛି ଥଳ କୂଳ ମାନୁନଥିଲା । ଅଫିସ୍ ରୁ ଜଲଦି ବାହାରି ଆସି ସମୟ କାଟୁଥିଲେ ଅନୁ ସହ । କିଛି ମାସ ଗଲା,ବର୍ଷେ ଗଲା ,କାହିଁ କିଛି ନାହିଁ । ଡାକ୍ତର ଙ୍କ ସହ ସବୁ ପରାମର୍ଶ ,ପରୀକ୍ଷା ନିରୀକ୍ଷା ବି ସରି ଗଲାଣି,କିଛି ବି ତ ଅସୁବିଧା ନାହିଁ । କଣ ଭଗବାନ ମୁହଁ ମୋଡ଼ି ନେଲେ ଅନୁ ଠାରୁ । ପରିବାର ରେ ତ ସମସ୍ତେ ବୁଝୁଥିଲେ ହେଲେ ସାହି ପଡିଶା,ବନ୍ଧୁ ବାନ୍ଧବ ଙ୍କ ସାଧାରଣ ପ୍ରଶ୍ନବାଣରେ ବାର ବାର ମରୁଥିଲା ଅନୁ । ଯେଉଁଠି ନିଜେ ନିଜକୁ ଆଶ୍ୱାସନା ଦେଇ ପାରୁ ନଥିଲା,ଆଉ କାହାକୁ କଣ ବୁଝେଇବ ।
ସହର ର ସବୁ ଡାକ୍ତରୀ ଚିକିତ୍ସା ଫେଲ ହେଇଯାଇଥିଲା । ସମୟ ବଦଳି ଚାଲିଥିଲା । ବଞ୍ଚିବା ଅପେକ୍ଷା ମରିିବା ର ଅପେକ୍ଷା ସ୍ପଷ୍ଟ ଦିଶୁଥିଲା ଅନୁକୁ । ଚିନ୍ତାରେ ଚିନ୍ତାରେ ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ଅନେକ ଛୋଟ ଛୋଟ ରୋଗ ଶରୀରକୁ କବଳିତ କରିଚାଲିଥିଲେ । ଘରେ ଯିଏ ଯେତେ ଵୁଝେଇଲେ ବି ଆଉ କାନକୁ କିଛି ସୁଭୁ ନଥାଏ । କେତେଥର ଚିନ୍ମୟ ବାବୁ ମୋତେ ଫୋନ କରିକୁହନ୍ତି, ଉଷା ଟିକେ ବୁଝାଅ ଅନୁକୁ ;ଆମକୁ ପିଲା ଝିଲା କିଛି ଦରକାର ନାହିଁ,ମୋତେ ଅନୁ ଠୁ କେହି ପ୍ରିୟ ନୁହନ୍ତି । ମୁଁ ତାକୁ ଏ କଷ୍ଟରେ ଆଉ ଦେଖି ପାରୁନି । ସବୁବେଳେ ଡର ଲାଗି ରହୁଛି,ପିଲା ପିଲା ହେଇ କାଳେ କିଛି କରି ଦେବନି ତ । ତୁମେ ତ ଜାଣ ଉଷା ସେ ଛୋଟ ପିଲାଙ୍କୁ କେତେ ଭଲ ପାଏ,ଏବେ ନିଜକୁ ସେ ହତଭାଗୀ ଟେ ବୋଲି ଭାବି ଚାଲିଛି । ମୁଁ କଣ କହି ସାନ୍ତ୍ୱନା ଦେବି ,ଉତ୍ତର ଖୋଜି ପାଏନି । ଈଶ୍ୱର ଙ୍କୁ ପ୍ରାର୍ଥନା କରେ,ଅପେକ୍ଷା ର ଶୀଘ୍ର ଅନ୍ତ ହେଉ ପ୍ରଭୁ । ଏମିତି ଦେଖି ଦେଖୁ ବାର ବର୍ଷ ଚାଲିଗଲା । ଦୁଇ ପରିବାର ର ସମସ୍ତେ ଅନୁ ର ଏ ଅବସ୍ଥା ଦେଖି ଦୁହିଁଙ୍କୁ ଅନାଥ ଶ୍ରମ ରୁ ପିଲା ଗୋଟେ କୋଳେଇ ନେବା ପାଇଁ ରାଜି କରେଇଲେ । କିଛି ତ ଗୋଟେ ରାସ୍ତା ବାହାରିଲା । ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ଓଡ଼ିଶା ସରକାରଙ୍କ ଦ୍ଵାରା ପରିଚାଳିତ ସଂସ୍ଥା ଦ୍ଵାରା ପିଲା କୋଳେଇ ନେବାର ସମସ୍ତ ବ୍ୟବସ୍ଥା ଶେଷ କରିବା ପୂର୍ବରୁ ଘରଠୁ କିଛି ଦୂରରେ ଥିବା ଅନାଥ ଆଶ୍ରମକୁ ପିଲା ମାନଙ୍କ ପସନ୍ଦ ର ଜିନିଷ ସବୁ ନେଇ ନିତି ଦିନ ଯିବାସହ ଅନ୍ତେବାସୀ ମାନଙ୍କ ସହ କିପରି ଏକ ସମ୍ମୋହକ ସମ୍ପର୍କ ଗଢ଼ି ସାରି ଥାଆନ୍ତି ।
ଏଇକିଛି ଦିନ ଭିତରେ ଦୁଇ ଜଣ ଖୁବ ଖୁସିରେ ସମୟ ଅତିବାହିତ କରୁଥାଆନ୍ତି । ଅନୁ ର ସନ୍ଧ୍ୟା ସମୟରେ କେତେବେଳେ ଚିନ୍ମୟ ଅଫିସ୍ ରୁ ଫେରିବେ ଅପେକ୍ଷା,କେତେ ଜଲଦି ସେମାନେ ଯାଇ ଅନାଥ ଆଶ୍ରମ ର ସବୁ ପିଲା ମାନଙ୍କ ସହ ମିଶିବେ,ବହୁତ୍ ହସିବେ ହସାଇବେ । ଅନୁ ଆଖିରେ ଏଥର ଆଖିଖୋଲା ବାସ୍ତବିକତା ସବୁ,ନିଜର ପିଲା ନଥିଲେ କଣ ହେଲା ଏମାନେ ବି ତ ପିତୃ ମାତୃ ହୀନ ନିଷ୍ପାପ କୋମଳମତି ଶିଶୁ । ଆମେ ଏମାନଙ୍କ ପାଇଁ ବି ବଞ୍ଚି ଯିବା,କିଛି କରିବାର ଅଛି ତ ଏମାନଙ୍କ ପାଇଁ କରିବା,ସବୁ ପିଲାଙ୍କୁ ମଣିଷ କରିବା,ତାଙ୍କର ଦାୟିତ୍ଵ ନେବା,ଏମିତି କେତେ କଥା କହି ଅନୁ ଚିନ୍ମୟଙ୍କୁ ବୁଝାଏ । ଚିନ୍ମୟ ଅନୁର ଖୁସି ଦେଖି ବହୁତ ଖୁସି ହୁଅନ୍ତି ।
ଏମିତି ହଠାତ୍ ଦିନେ ଆଶ୍ରମ ରେ ଅନୁ ଭୀଷଣ ଅସୁସ୍ଥ ହୋଇ ପଡ଼ିଲା,ସମସ୍ତେ ବ୍ୟସ୍ତ ହୋଇ ପଡିଲେ । ଆଶ୍ରମ ରେ ଥିବା ଡ଼ାକ୍ତର ଆସି ଅନୁକୁ ପରୀକ୍ଷା ନିରୀକ୍ଷା କରି କହିଲେ ବଡ଼ ଚିନ୍ତାଜନକ ବିଷୟ ଚିନ୍ମୟ ବାବୁ । ଚିନ୍ମୟ ପୁରା ଡରି ଯାଇଥାନ୍ତି କଣ ଏମିତି ହେଲା,ଡାକ୍ତର କଣ କହିବେ?ସବୁ ନିରବତା ଭଙ୍ଗ କରି ଡାକ୍ତର କହିଲେ ଚିନ୍ମୟ ବାବୁ ଆଇ ଆମ୍ ଜୋକିଂ,ଆପଣଙ୍କ ଧର୍ମପତ୍ନୀ ମାଆ ହେବାକୁ ଯାଉଛନ୍ତି । କାନ ରେ ସବୁ କଥା ଯେପରି ଇକୋ ହେଉଥାଏ,କଣ କହିଲେ ଡାକ୍ତର ସାହାବ,ଅନୁ ମାନେ ଆମେ
ମାଆ ବାପା ହେବାକୁ ଯାଉଛୁ ।
କେମିତି ଧନ୍ୟବାଦ ଦେବି ସମସ୍ତଙ୍କୁ ଜାଣି ପାରୁନି ମୁଁ, କେତେ ବର୍ଷର ଅପେକ୍ଷା,ଓହୋ କି ଶାନ୍ତି! ବିଚାରି ମରି ମରି ବଞ୍ଚୁଥିଲା । ଏଇକୁନି ଭଗବାନ ମାନଙ୍କ ପାଇଁ ବୋଧେ ଆମକୁ ଏଇ ଖୁସି ମିଳିବାକୁ ଯାଉଛି ଡାକ୍ତର ସାହାବ୍ ।
ଡାକ୍ତର ଗଲା ପୂର୍ବରୁ କହିଲେ ଟିକେ ହୋସ୍ ଆସିଯାଉ ମାଡ଼ାମ୍ ଙ୍କୁ ।
ତାପରେ ଘରକୁ ନେଇ ଯିବେ । ଚିନ୍ମୟ ଜାଣି ପାରୁନଥିଲେ ଅନୁ ହୋସ ରେ ଆସିଲା ପରେ କେମିତି ଏତେବଡ଼ ଖୁସି ଖବର ଜଣେଇବେ,କିଛି ବୁଝି ପାରୁନଥିଲେ । ଏଇ ଭିତରେ ଚିନ୍ମୟ ସମସ୍ତଙ୍କୁ
ଫୋନ୍ କରି ଖୁସି ଖବର ଜଣେଇ ସାରିଥିଲେ । ଅନୁଙ୍କର ଚେତା
ଆସିବା ପରେ ଉଠି ବସିଲେ,ସମସ୍ତେ ତାଙ୍କୁ ଦେଖି ହସି ହସି ବଧେଇ ଜଣେଇଲେ ,ଅନୁ କିଛିକୁନି ପିଲାଙ୍କୁକୁଣ୍ଡେଇ ଆଖିରୁ ଆନନ୍ଦ ଅଶ୍ରୁ ଗଡ଼େଇ ଚାଲିଥିଲେ । ସବୁ କଣ୍ଟକିତ ପାଠ ଯେମିତି ଧିରେ ଧୀରେ ପରିଷ୍କାର ହେଇ ଆସୁଥିଲା । ମୁକ୍ତିର ଝଳକ ଯେମିତି ଦୃଷ୍ଟି ଗୋଚର ହେଉଥିଲା । ଭଗବାନ ଙ୍କ ପରୀକ୍ଷା ରେ କୃତକାର୍ଯ୍ୟ ହେଇ ଯେମିତି ଅନୁ ମାତୃତ୍ଵ ର ତପସ୍ୟା ଅର୍ଥେ ଚାଳିଶି ସପ୍ତାହ ର ଅପେକ୍ଷା ର ସଫଳତାକୁ ପୁରା କରି ଭଲରେ ଭଲରେ ଦୁଇ ଯମଜ କନ୍ୟାରତ୍ନ ଙ୍କୁ ଜନ୍ମ ଦେଲା । ପୁରା ପରିବାର,ଚାରିଆଡେ ଖୁସିର ମାହୋଲ୍ । ଆଶ୍ରମ ରୁ ମଧ୍ୟ ଅନୁକୁ ପିଲାମାନେ ଭେଟିବାକୁ ଯାଇଥାନ୍ତି । ସବୁ ଦୁଃଖ ର ସୁଖଦ ସମାପ୍ତି । ଅନୁ ଏବଂ ଚିନ୍ମୟ ସନ୍ତାନ ଜନ୍ମ ଖୁସିରେ ଆତ୍ମ ବିଭୋର.....।
ମାତୃତ୍ଵ ଏକ ପରାକାଷ୍ଠା । ବିକଳ ହେଇଯାଏ ମାଆ ର ଆତ୍ମା ପିଲା ହୁଅନ୍ତୁ କି ଜୀବଜନ୍ତୁ ହୁଅନ୍ତୁ ,କଷ୍ଟରେ ଦେଖି । ମାଆ ପାଇଁ ସବୁ ପିଲା ନିଜ ସନ୍ତାନ ଭଳି । ମାଆ କେବେ ସ୍ନେହ ରେ ଆପଣା ପର ଵାଛ ବିଚାର ରଖେନି । ସେଥିପାଇଁ ତ ମାଆ ମମତାମୟୀ,ଚିର ବନ୍ଦନୀୟ ।
#Non-Stop November
