ପ୍ରଶଂସା
ପ୍ରଶଂସା
ନାଇକେନପାଲିକୁ ଆସିଥିବା ନୂଆଁ ବୋହୂଟି ଦେଖିବାକୁ ଗୋଟା ଗୋଟି ନାୟିକାଟିଏ ବୋଲି ଆଖ ପାଖ ସାତ ଖଣ୍ଡ ଗାଁ ରେ ପ୍ରଚାର ହୋଇଯାଏଥାଏ । ଏମିତି କି ବୋହୂ ଦେଖି ଆସିଥିବା ଲୋକଙ୍କ ମୁଖରୁ ବୋହୂର ଭୂରି ଭୂରି ପ୍ରଶଂସା ଶୁଣିବାକୁ ଲୋକଙ୍କ ଭିତରେ ଏକ ଭିନ୍ନ ଧରଣର ଉତ୍ସାହ ମଜ୍ଜିଥାଏ । ସମସ୍ତେ କେବଳ କହୁଥାନ୍ତି ଗୋଟିଏ ଚାଉଳେ ଗଢା ବୋହୂଟିଏ ବାଛି ଆଣିଲା ପିଣ୍ଟୁ । ପିଣ୍ଟୁ ନିଜ ପତ୍ନୀର ପ୍ରଶଂସାରେ ଖୁସି ଥାଏ । ସେ ଜାଣିଥାଏ ପତ୍ନୀ ମାନୀ ଦେଖିବାକୁ ଯେମିତି ମନଲୋଭୀ ଗୁଣ, ବ୍ୟବହାରରେ ମଧ୍ୟ ଠିକ ସେଭଳି । ତେଣୁ ହିଁ ସେ ବାଛି ବାଛି ଆଣିଛି ।
ବାହାଘରକୁ ବର୍ଷଟିଏ ବିତିଯାଇଥାଏ ତଥାପି ବୋହୂର କଥା ସରିନଥାଏ । ସେପଟେ ତାଙ୍କ ପରେ ପରେ ଯିଏ ବାହା ହେଉ ପଛେ ମାନୀ ବୋହୂ ସହ ପ୍ରଶଂସା ଅଧିବ ନୂଆଁ ବୋହୂର କମ ଶୁଣାଯାଉଥାଏ । ଦିନେ ମାନୀ ବୋହୂର କଥା ଭିତରୁ ଉଡି ଉଡି ଆସେ ଆଉ ଏକ କଥା । ସଭିଙ୍କ ମନରେ ପଶିଯାଏ ଛାନିଆ । ମାନୀ ବୋହୂକୁ ରୋଗ ହୋଇଛି ଜାଣିବା ପରଠୁ ସଭିଙ୍କ ମୁଖରୁ ଚମକ ହଜିଯାଇଥାଏ । ସେପଟେ ମାନୀ ବୋହୂକୁ କୌଣସି ଛୋଟ ରୋଗ ହୋଇନଥାଏ । ଘର କାମ କରୁଥିବା ବେଲେ ମୁଣ୍ଡଟା ବୁଲେଇ ପଡିଯିବାରୁ ତାଙ୍କ ପେଟରେ ଆଘାତ ଲାଗି ବୃକକ ଖରାପ ହୋଇଯାଇଛି ।
ଗରିବ ଘରର ପୁଅ ପିଣ୍ଟୁ । ମାସେ ଖଟିଲେ ମାସ ଶେଷରେ ଯାହା ଆସେ ସେଥିରେ ପେଟ ପୂରେ ସାରା ଘରର। ସେଥିରେ ଏତେ ବଡ ଅଘଟଣ । ମୁଣ୍ଡରେ ଚମକ ପଡେ । ସବୁ ରାସ୍ତା ଅନ୍ଧାରର ଦେଖାଯାଏ । ସେଥିରେ ପୁଣି ମାତ୍ର ମାସଟିଏର ସମୟ । ମାସଟିଏ ଭିତରେ ଏକ କୋଟି ଟଙ୍କା ନହେଲେ ମାନୀର ମୃତ୍ୟୁ ସୁନିଶ୍ଚିତ ।
ଉପାୟ ଶୂନ୍ୟ ପିଣ୍ଟୁ କିନ୍ତୁ ମାନୀ ଉପରେ ଜୀବନ ଛାଡିଥାଏ । ନିଜଠୁ ମଧ୍ୟ ଅଧିକ ଭଲପାଉଥାଏ ତାକୁ । ସେ ଏଣେ ତେଣେ ସବୁଠି ବୁଲି ଟଙ୍କାର ରୋଜଗାରରେ ଲାଗେ । ତଥାପି ମଧ୍ୟ ଏକ କୋଟି କେମିତି ସମ୍ଭବ । ଏତେ ଟଙ୍କା ଏକାଠି ନା ସେ କେବେ ଦେଖିଥାଏ ନା ଦେଖିବାକୁ ଭାବିଥାଏ । ହେଲେ ପରିସ୍ଥିତି ତାକୁ ଏକ କୋଟି ଟଙ୍କା ଆଗେ ଠିଆ କରିଛି ।
ମାସଟି ସରି ସରି ଯିବାକୁ ଅଭିମୁଖେ । ଏକ କୋଟି ଟଙ୍କା ଯୋଗାଡ ହୋଇନି । ମାନୀର ରୋଗ ମଧ୍ୟ ବଢିଚାଲିଛି । ଏମିତି ଚିନ୍ତା ଚିନ୍ତା ଭିତରେ ସେ କୁମାର୍ଗକୁ ଆପଣେଇନିଏ । ନିଜକୁ ଉଚ୍ଚ ଶିକ୍ଷିତ ମହିଳାଙ୍କ ଶଯ୍ୟାଶାୟୀ କରି ଅର୍ଥ ଯୋଗାଡ କରେ । ଠିକ୍ ମାସକ ମିତି ଏକ କୋଟି ପାଇଁ ଥରେ ନୁହେଁ ବାରମ୍ବାର ସେଇ ରାସ୍ତାରେ ସେ ଚାଲେ ।
ଶେଷରେ ମାନୀର ମଧ୍ୟ ଅସ୍ତ୍ରୋପଚାର କରାଯାଇ ସଫଳ ଭାବରେ ମାନୀର ଜୀବନକୁ ଭୟଶୂନ୍ୟ କରାଯାଏ । ସେ ନୂତନ ଜନ୍ମଟିଏ ପାଇ ସ୍ବାମୀଙ୍କ ଆଗେ କୃତଜ୍ଞ ରହେ । କିଛି ଦିନ ପରେ ମାନୀ ଘରକୁ ଫେରି ଆସେ । ମାନୀ ଆସିବା ପରେ ପିଣ୍ଟୁ ସମସ୍ତ କଥା ମାନୀକୁ ଜଣେଇ ଦେଇ ଭୋ ଭୋ କାନ୍ଦିବାକୁ ଲାଗେ । ମାନୀ କିନ୍ତୁ କିଛି ନକହି କେବଳ ପିଣ୍ଟୁକୁ ନିଜ ବାହୁବଳୟ ଭିତରେ ଜାବୁଡି ଧରିଥାଏ ।
ଗାଁ ଲୋକଙ୍କ ଭିତରେ ଯେଉଁ ନାୟିକାର ଦିନେ ପ୍ରଶଂସା ଉଡୁଥିଲା ଆଜି ତା ବଦଳରେ ତା ସ୍ବାମୀ ପିଣ୍ଟୁର ପ୍ରଶଂସା ଛାଇଯାଇଥାଏ । ଭଲ ପାଇବାର ଉଦାହରଣରେ ସେମାନଙ୍କ ଯୋଡିକୁ ସର୍ବଦା କୁହାଯାଏ । ମାନୀ ସବୁ ଜାଣି ସବୁ ଭୁଲି ପତି ସହ ସୁଖରେ ରହେ । ସେପଟେ ପିଣ୍ଟୁ ସବୁକିଛି ମାର୍ଗରୁ ଫେରି ପତ୍ନୀ ସହ ସାଂସାରିକ ଜୀବନରେ ଆଗେଇଚାଲେ ।

