ପରୀ
ପରୀ


ଆଜିକାଲି ରାଜୁ ଆଉ ରିଆକୁ ବେଶୀ ଭଲ ପାଉନି । ରାଜୁ ଯିଏ କି ୪ ବର୍ଷ ତଳେ ରିଆକୁ ବାହା ହୋଇଥିଲା । ରିଆ ଦେଖିବାକୁ ଖୁବ୍ ସୁନ୍ଦର ଥାଏ ।ଯେତେବେଳେ ରାଜୁର ବାପା ତା ପାଇଁ ରିଆର ବାହାଘର ପ୍ରସ୍ତାବଟେ ଆଣିଲେ , କେବଳ ଫଟୋ ଦେଖି ହିଁ ରାଜୁ ବାହାଘର ପାଇଁ ରାଜି ହୋଇ ଯାଇଥିଲା । ତଥାପି ଝିଅ ଘର ଅନୁରୋଧରେ ରାଜୁ ଯାଇ ଥିଲା ଝିଅକୁ ଦେଖିବା ପାଇଁ ।
ଝିଅକୁ ଦେଖିବାକୁ ଯାଇ ରାଜୁର ଆଖି କେବଳ ସେହି ଫଟୋରେ ଥିବା ସୁନ୍ଦରୀ ମୁହଁ ଟିକୁ ଖୋଜି ବୁଲୁଥାଏ । ଚା କପ୍ ଧରି ରିଆ ଯେତେବେଳେ ପହଞ୍ଚିଲା ସେତେବେଳେ ରାଜୁ ତାର ନିଜ ଆଖିକୁ ବିଶ୍ବାସ କରିପାରୁନଥାଏ ।ଏତେ ସୁନ୍ଦର ଚେହେରା ଦେଖି ପ୍ରଥମ ଦେଖାରେ ହିଁ ସେ ତାର ଦିବାନା ହୋଇଯାଇଥିଲା ।
ଘରେ ପହଞ୍ଚି ରାଜୁ ତା ବାପାଙ୍କୁ ଜୋର୍ ରେ କୁଣ୍ଢେଇ ପକାଇ ଗେଲ୍ହ କରିବାକୁ ଲାଗିଲା ।
- ବାପା , ତୁମେ ଯେ ମୋ ପାଇଁ ଏମିତି ପରୀ ଟିଏ ବାଛି ଦେବ ବୋଲି ମୁଁ ତ କେବେ ଭାବି ନଥିଲି । ହେଲେ ବାପା , ମୁଁ କହୁନି ଯେ ଖାଲି ସୁନ୍ଦର ଚେହେରାଟିଏ ସୁନ୍ଦର ଜୀବନ ସାଥୀ ହୋଇ ପାରିବ ।କିନ୍ତୁ ତୁମେ ବାଛିଛ ମାନେ ତା ଗୁଣ ତ ନିହାତି ଭଲ ହୋଇଥିବ ।
ବାପା ତାର କହୁଥାନ୍ତି ହଁ ରେ ତା ଗୁଣ ବହୁତ ଭଲ ।ତାପରେ ତୁମେ ଦୁହେଁ ଖୁସିରେ ରହିଲେ ତ ଆମେ ବୁଢା , ବୁଢୀ ଖୁସି ।
ତୁ ତାହେଲେ ରାଜି ତ....?
ବାହାଘର ପାଇଁ ହଁ ତାହେଲେ କରିବି ତ .....?
ରାଜୁ କହୁଥାଏ ...ହଁ ବାପା ତୁମେ ଯେତେବେଳେ ତୁମ ପାଇଁ ପରୀ ଭଳି ବୋହୂଟିଏ ବାଛିଛ ମୁଁ ବା ଅରାଜି କାହିଁକି ହେବି ...?
ବାସ୍ କିଛି ମାସ ପରେ ବାହାଘର ହୋଇଗଲା । ନିଜର ଗୁଣ ବ୍ୟବହାରରେ ରିଆ ଘରର ସମସ୍ତଙ୍କ ମନ ଜିଣି ନେଇଥାଏ ।ସେମିତି ତ ସବୁ ଶାଶୁ ଘର ପରି ତା ଶାଶୁ ବି କେତେବେଳେ ରାଗନ୍ତି , ଗାଳି କରନ୍ତି । କିନ୍ତୁ ରିଆ ତା ବାପା , ମା ଠୁ ପାଇଥିବା ସଂସ୍କାର ଅନୁସାରେ ସବୁ ଶୁଣି ପଛ ପଟରୁ ଯାଇ ତା ଶାଶୁଙ୍କୁ କୁଣ୍ଢେଇ ପକାଏ ।ଆଉ ଶାଶୁଙ୍କର ରାଗ କୁଆଡେ ଉଭାନ୍ ହୋଇଯାଏ ।
ଏମିତି ସବୁ ଗୁଣ ପାଇଁ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି ।
କିଛି ଦିନ ପରେ ରାଜୁର ଟ୍ରାନ୍ସଫର୍ ହୋଇଗଲା ।ରିଆ ତ ରାଜୁ ସହ ଯିବା ପାଇଁ ମନା କରୁଥାଏ ।କିନ୍ତୁ ପୁଅଟା ବାହା ହୋଇ ଏକା ରହିବ ରାନ୍ଧି ବାଢି ଖାଇବ , ଏସବୁ କଥା ଭାବି ରାଜୁର ବାପା , ମା ଜବରଦସ୍ତି କରି ରିଆକୁ ରାଜୁ ସହ ପଠେଇ ଦେଲେ ।
ଦୁଇ ପକ୍ଷୀ ଚାଲିଲେ ନୂଆ ବସାଟେ ବାନ୍ଧିବାକୁ । ବୟସର ଲହରୀ ସହ ପ୍ରେମର ଜୁଆରରେ ଦୁହେଁ ଭାରି ମଜଗୁଲ୍ ଥାନ୍ତି ।
କିନ୍ତୁ ବାହାଘରର ଚାରି ବର୍ଷ ପରେ ସବୁ କିଛି ବଦଳିଗଲା ପରି ଲାଗୁଥାଏ ।ଏଇ ଆଠ ମାସ ହେଲାଣି ସେମାନଙ୍କର ଝିଅଟିଏ ହୋଇଛି ।ରିଆ ଘର କାମ ସହ ଝିଅର ଦେଖା ଚାହାଁ ରେ ଏତେ ବ୍ୟସ୍ତ ଯେ ସେ ଆଉ ରାଜୁ କଥା ଆଗ ପରି ଠିକ୍ ରେ ବୁଝି ପାରୁନଥାଏ । ରୋମାଣ୍ଟିକ୍ ପ୍ରେମିକାଟେ ପରି ସେ ଆଉ ରାଜୁକୁ ବିମୋହିତ କରି ପାରୁନଥାଏ ।
କେମିତି ବା କରିବ ...?
ପିଲା କୁ ସମ୍ଭାଳିବା କଣ କମ୍ କଥା କି ...।
ରାଜୁର କିନ୍ତୁ ସବୁବେଳେ କମ୍ପ୍ଲେନ୍ ....
- ତୁମେ ଆଉ ଆଗ ପରି ଆଉ ମୋତେ ଭଲ ପାଉନ ।
- ତୁମେ ଆଉ ମୋ ମନ ପସନ୍ଦର ରୋଷେଇ କରୁନ ?
- ତୁମେ ଆଉ ଆଗ ପରି ମୋ ପାଇଁ ସଜେଇ ହୋଇ ରହୁନ ?
- ଆଗର ସେ ସୁନ୍ଦର ଚେହେରା ଆଉ ନାହିଁ ?
- ଆଗ ପରି ଆଉ ସୁନ୍ଦର ଦେଖା ଯାଉନ ?
- କେତେ ମୋଟୀ ଦେଖାଯାଉଛ...।
-କୁଆଡେ ଗଲା ତୁମର ସେ ଚେହେରା ....?
-କୁଆଡେ ଗଲା ସେ ସ୍ଲିମ୍ ଫିଗର୍....?
-କୁଆଡେ ଗଲା ସେ ନିଶା ଭରା ଆଖି , ଯାହାକୁ ଦେଖି ମୁଁ ଦିବାନା ହୋଇଥିଲି ....।
ଏସବୁ ଶୁଣି ବି ରିଆ ନିରୁତ୍ତର ଥାଏ ।କେମିତି ସେ ବୁଝେଇବ ରାଜୁକୁ ମା ହେବା ଟା ଏତେ ସହଜ କଥା ନୁହେଁ । କେମିତି ବୁଝେଇବ ସେ ଯେ ଘରର କାମ ସାରି ଝିଅ କଥା ବୁଝୁ ବୁଝୁ କେତେବେଳେ ସେ ସେଇ ଝିଅ ପାଖରେ ହିଁ ଘୁମେଇ ପଡୁଛି ନିଜେ ବି ଜାଣି ପାରୁନି । କେତେ ରାତି ଅନିଦ୍ରାରେ କଟୁଛି କେମିତି ବୁଝେଇବ ସେ ।
ଆଉ ରହିଲା ସୁନ୍ଦରତା କଥା ଜଣେ ମା ହେବା ସମୟରେ ନିଜର ଶରୀରର ସୁନ୍ଦରତାକୁ ଦେଖେ ନାହିଁ । କାହିଁକି ନା ସନ୍ତାନ ପ୍ରାପ୍ତିର ସୁଖ ଟା ତା ପାଇଁ ଏକ ଗହଣା ସମ ହୋଇଯାଏ । ସେ ସମୟରେ କେହି ଦେଖେନା କେତେ ମୋଟୀ ହେଲା କି କେତେ ବଡି ର ସେପ୍ ଏଣ୍ଡ ସାଇଜ୍ ଚେଞ୍ଜ ହେଲା ।କେବଳ ପିଲାର ଯତ୍ନ ନେବା ତା ପାଇଁ ମୁଖ୍ୟ ପାଲଟି ଯାଏ । କେମିତି ବୁଝେଇବ ସେ ଯେ ରାଜୁର ଜନ୍ମରେ ତା ଶାଶୁ ମା ଙ୍କୁ ବି ଏମିତି ସମ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିଥିବ ।
କିନ୍ତୁ କିଛି ନ କହି ସେ ଚୁପ୍ ରହିଯାଏ ।
କିଛି ଦିନ ପରେ ରିଆର ଦେହ ବହୁତ ଖରାପ ହେଲା ।ଥଣ୍ଡା ତା ସହ ଜ୍ବର ।ରାଜୁ ଦେଖେ ତ ରିଆ ଦେହ ତାତି ଖଇ ଫୁଟୁଛି ।ବାଧ୍ୟ ହୋଇ ଛୁଟି ନେଇ ଘରେ ରହିଲା ।ଖାଇବା ହୋଟେଲରୁ ମଗେଇ ଦେଉଥାଏ , କିନ୍ତୁ ଝିଅ ଏବଂ ରିଆ ଦୁଇ ଜଣଙ୍କର ଯତ୍ନ ତାକୁ ନେବାକୁ ପଡୁଥାଏ ।
ତିନି ଦିନ ପରେ ରିଆ ଠିକ୍ ହେଲା । ସକାଳୁ ଉଠି ରାଜୁ ପାଇଁ ଚା କରିବାକୁ ଯାଉଥାଏ ରିଆ ।
ରାଜୁ ରିଆର ହାତକୁ ଧରି ପକାଇଲା ।ବହୁତ କାନ୍ଦିଲା ।କହୁଥାଏ ରିଆ ଲୋ ତୁମେ ସତରେ ମୋ ପରୀଟା ଲୋ ।ମୁଁ କେତେ ଭୁଲ ବୁଝିଥିଲି ତୁମକୁ ।ଏଇ କେଇ ଦିନ ଟିକିଏ ଝିଅ ଆଉ ତୁମ ଯତ୍ନ ନେଇ ମୁଁ ହାଲିଆ ହୋଇ ଗଲିଣି ।ଆଉ ସବୁଦିନ କେମିତି ଏତେ କାମ କରି ପାରୁଛ ।
କିଛି ନ ବୁଝି କେତେ କଣ କହି ଦେଇଛି ।ରାଗିବନି ତୁମେ ରିଆ ।ତୁମେ କାଲି ବି ମୋ ପରୀ ଥିଲ ଆଜି ବି ମୋ ପରୀ । ତୁମର ପ୍ରତିଟି କାମ ରୁ ମୁଁ ବି ଆଜି ଜୀବନର ନୂଆ ଦାୟିତ୍ବ ନେବା ପାଇଁ ଅନୁପ୍ରେରିତ ।
ବହୁତ ଖୁସି ମୁଁ ରିଆ , ଯେ ତୁମ ପରି ପରୀଟେ ମୋ ଜୀବନରେ ପାଦ ଥାପିଛି...............ତୁମ ପରି ପରୀଟେ ପାଇଁ ମୋର ସ୍ନେହ , ପ୍ରେମର ଡେଣାଟେ ଦରକାର , ଯାହା କି ମୁଁ ଭୁଲି ଯାଇଥିଲି ।ଯାହା ହେଉ ଠିକ୍ ସମୟରେ ସେତକ ବୁଝି ପାରିଲି ।