Priyadarsini Das.

Tragedy

3  

Priyadarsini Das.

Tragedy

ନିରୀହ ମନ

ନିରୀହ ମନ

3 mins
306



       


ବ୍ୟାଙ୍କରେ ଭେଟିଲି ଜଣେ ବୁଢୀ ଲୋକଙ୍କ ସହ । ଭାରି ଖୁସି ମନରେ ବସିଥାନ୍ତି । ଯାହାକୁ ପାରୁଛନ୍ତି ତା ସହ କଥା ହେଉଥାନ୍ତି । ବୟସ ୭୦ ପାଖାପାଖି । ଥରେ ଯଦି ଗୋଟିଏ ସ୍ଥାନରେ ବସୁଥାନ୍ତି ତ କିଛି ସମୟ ପରେ ଆଉ ଗୋଟିଏ ସ୍ଥାନକୁ ଯାଉଥାନ୍ତି । କିନ୍ତୁ ଜଣେ ପୁରୁଷଙ୍କୁ ଚାହିଁ ଟିକିଏ ଚୁପ୍ ହେଉଥାନ୍ତି ପୁଣି ସେହି ପୂର୍ବ ପରି ଛୋଟ ପିଲା ପରି ହରକତ କରୁଥାନ୍ତି । 


  କିଛି ସମୟ ପରେ ଆସି ବସିଲେ ମୋ ପାଖରେ । ଏତେ ସମୟ ଅପେକ୍ଷା କରି ମୋତେ ବିରକ୍ତି ଲାଗୁଥାଏ ,ହୁଏତ ସେ ବିରକ୍ତି ଭାବଟା ମୋ ମୁହଁ ରୁ ଜଣା ପଡୁଥାଏ । 

  

   ବୁଢୀ ଲୋକ ଜଣକ ମୋ ପାଖକୁ ଆସି ବସିଲା ପରେ ମୋତେ କହିଲେ କଣ କିରେ ଝିଅ ରାଗୁଛୁ କି ମୁଁ ତୋର ପାଖରେ ଆସି ବସିଲି । 


ମୁଁ ନା କହିଲି । 


ସେ ପୁଣି ନାନା କଥା ପଚାରୁଥାନ୍ତି ଆଉ ମୁଁ ତାର ଉତ୍ତର ଦେଉଥାଏ । 


ତାପରେ ମୁଁ ପଚାରିଲି କଣ କଥା ମାଉସୀ ବହୁତ ଖୁସି ଲାଗୁଛନ୍ତି ,,,,କଥା କଣ କି ?

ପୁଣି ସେ ଭଦ୍ରଲୋକଙ୍କୁ ଦେଖି ଚୁପ୍ ବି ହେଉଛନ୍ତି । କିଏ ସିଏ ?


କହିଲେ ଆରେ ଝିଅ ସେ ମୋର ପୁଅ । ମୋର କଥା ଶୁଣି କୁଆଡେ କେହି ବିରକ୍ତି ହେବେ ବୋଲି ଭାବି ମୋ ପୁଅ ମୋତେ ଆଖି ଦେଖେଇ ମନା କରୁଛି । 


କହିଲୁ ଝିଅ ମୋ କଥା ଶୁଣି କେହି କଣ ରାଗିବେ ?


ତାପରେ ପୁଣି ପଚାରିଲି ମାଉସୀ କାହିଁକି ଆସିଛନ୍ତି ବ୍ୟାଙ୍କକୁ ?


ଏମିତି ଲାଗିଲା ଯେମିତି ମୋର ଏ ପ୍ରଶ୍ନ ଶୁଣି ମାଉସୀ ଜଣକ ଭାରି ଖୁସି ହୋଇଗଲେ । ମୋ ପାଖକୁ ଆଉ ଟିକିଏ ଭିଡି କରି ଆସି ବସିଲେ । 

ଆଉ ତାଙ୍କର ଗପ ପେଡି ଆରମ୍ଭ କରିଦେଲେ । 


 ଆଲୋ ଜାଣିଛୁ ଲୋ ମାଆ ସବୁ ମାସର ଏଇ ପହିଲା ପାଖାପାଖି ଦିନଟା ଭାରି ବଢିଆ । ମାସଟା ମୁଁ ଘରୁ ବାହାରେନି । ଏଇ ଦିନରେ ମୋ ପୁଅ ମୋତେ ବାକ୍ସରୁ ନୂଆ ଶାଢୀଟେ ପିନ୍ଧିବାକୁ କହେ । ବୋହୁ ମୋ ମୁଣ୍ଡ କୁଣ୍ଡେଇ ବାହାର କରିଦିଏ । ମୁଁ ମୋର ପାନ ବଟୁଆ ଟେ ଧରି ବାହାରେ । ଆସିଲା ପରେ ଗୋଟିଏ ଟିପ ଚିହ୍ନ ଦେଲା ପରେ ମୋର କାମ ଶେଷ । ପୁଅର କାମ ନ ସରିବା ଯାଏଁ ମନ ପୁରେଇ ସମସ୍ତଙ୍କ ସହ କଥା କୁହେ । କେହି କେହି ତ ମୋର ଚିହ୍ନା ହେଇ ଗଲେଣି ଏଇଠି । ସେମାନେ ବି କେତେଜଣ ମାସର ଏ ପହିଲାରେ ଆସନ୍ତି । 


ଏ ସବୁ ଶୁଣି ଭାବିଲି କଣ ଏମିତି ଟିପ ଚିହ୍ନ ମାଉସୀର ଦରକାର ହେଉଛି ...........?


ମନର ପ୍ରଶ୍ନଟିକୁ ମାଉସୀଙ୍କୁ ପଚାରିଲି କଣ କି ମାଉସୀ ଏଇ ଟିପ ଚିହ୍ନ ପାଇଁ ଆସୁଛ ? 


ମାଉସୀ ଜଣକ କହିଲେ ----ଆଲୋ ହୁଣ୍ଡି ,ବୁଝି ପାରିଲୁନି କି । ଆରେ ପଇସା ମିଳିବ ପରା ମୋ ଟିପ ଚିହ୍ନରୁ । ତୋ ମଉସା ଚାକିରୀ କରିଥିଲେ ,ସେ ମୋତେ ଛାଡି କି ଗଲା ପରେ ତାଙ୍କର କି ପଇସାଟା ମୋତେ ମିଳେ ଲୋ । ଆଉ ସେଇଟା ନେବାକୁ ଆସେ ପରା । ବୁଝିଲୁ .......? 


ହେଲେ ସେ ପଇସା ମୋର ନିଏନି । ମୋ ପୁଅ ନିଏ । ମୋର ଖାଲି ଏତିକି ଖୁସି ସେଇ ଟିପ ପାଇଁ ହେଉ ପଛେ ମାସକୁ ଥରେ ବୋହୁ ମୋତେ ସଜେଇ ପଠଉଛି । ମାସ ସାରା ଘରେ ସେଇ କେ କାଳର ସୂତା ଲୁଗା ସବୁ ପିନ୍ଧି ପିନ୍ଧି ରାଗ ଲାଗେ । ହେଲେ ଏଇ ଦିନ ବାକ୍ସରୁ ଟାଣ ମଡମଡ ,ଚକଚକ ଶାଢୀଟେ ପିନ୍ଧି ଆସେ ପୁଅ ସହ ତା ଗାଡିରେ । ବହୁତ ବଢିଆ ଲାଗେ ମୋତେ । ମୋ ବୟସର ଲୋକ ସହ ଏଇଠି କଥା ହେଇ ମନଟା ଭାରି ହାଲକା ଲାଗେ । 


କଣ କିରେ ଝିଅ ମୋ କଥାରେ ରାଗୁଛୁ କି ?


ମୁଁ ଟିକିଏ ହସି ଦେଇ କହିଲି କାହିଁକି ରାଗିବି ମାଉସୀ ?


ଏତିକି ରେ ମୋର ସିରିଏଲ୍ ଆସିଲି । ସେଉଠୁ ଉଠି ଆସିଲି । 


କାମ ସରିଲା ପରେ ଭାବିଲି କେତେ ଏ ନିରୀହ ଏ ବୁଢୀ ଲୋକ ଜଣକ । ନା ପଇସା ପାଇଁ ଲୋଭ ଅଛି । ନା ପୁଅ ନାମରେ କିଛି ଅଭିଯୋଗ ଅଛି । ନା କିଛି ଦୁଃଖ କରୁଛନ୍ତି । 

  ଯେତିକି ପାଉଛନ୍ତି ତା ପାଇଁ ଖୁସି । ସେ ମାସକୁ ଥରେ ବୋହୁଠୁ ସଜ ହେବା ହେଉ ଅବା ପଇସା ଉଠେଇବା ବାହାନାରେ ବୁଲିବା ହେଉ । 


  ସତରେ ସମସ୍ତେ ଯଦି ପାଖରେ ଥିବା ଜିନିଷ କୁ ନେଇ ସନ୍ତୁଷ୍ଟ ରହିବେ ,,,ଜଟିଳତାକୁ ଦୂରେଇ ସରଳ ମନରେ ରହିବେ ତେବେ ସମସ୍ତେ ଖୁସିରେ ରହି ପାରିବେ । 


ମନ ମୋର ସେ ମାଉସୀଙ୍କୁ ପ୍ରଶଂସା ନ କରି ରହି ପାରିଲାନି...।



Rate this content
Log in

Similar oriya story from Tragedy