ଭୟଙ୍କର ବ୍ୟାଧି-ପ୍ରେମ
ଭୟଙ୍କର ବ୍ୟାଧି-ପ୍ରେମ




ଝିଅଟିର ନାମ ସ୍ବପ୍ନା । ନାମଟି ସିନା ସ୍ବପ୍ନା ହେଲେ ଖାଲି ସ୍ବପ୍ନର ଦୁନିଆରେ ବଞ୍ଚିବାକୁ ପସନ୍ଦ କରେନି ସେ ।ସବୁ କିଛିକୁ ବାସ୍ତବ ରୂପ ଦେବାକୁ ବହୁତ ଭଲ ପାଏ ।
ମାଷ୍ଟର ଡିଗ୍ରୀ କରୁଥିବା ସମୟରେ ଭଲ ପାଇ ବସିଲା ତାର ଜଣେ ସହପାଠୀକୁ ।ଆଉ ବିବାହ ମଧ୍ୟ ହେଲା ।ହେଲେ ଶାଶୁଘର ରେ କେହି ବି ତାକୁ ଚାକିରୀ କରିବାକୁ ଅନୁମତି ଦେଲେ ନାହିଁ ।
ଘର କାମରେ ସବୁବେଳେ ବ୍ୟସ୍ତ ରହେ ।ଶାଶୁ ,ଶ୍ବଶୁର ସେବା ,ସ୍ବାମୀଙ୍କୁ ଅଫିସ୍ ପାଇଁ ପ୍ରସ୍ତୁତ କରିବା ପୁଣି ଘର କାମ ,ବନ୍ଧୁ ଚର୍ଚ୍ଚାରେ ସେ ନିଜ ପାଇଁ ବି ସମୟ ପାଏନା ।
ପାଠ ଠୁ ବହୁତ ଦୂରକୁ ଚାଲି ଯାଇଥାଏ ।ଯେତେବେଳେ ସ୍ବପ୍ନା ଶୁଣେ କି ତାର ସବୁ ସାଙ୍ଗ ଚାକିରୀ କରିଛନ୍ତି, ବହୁତ ମନ କଷ୍ଟ କରେ ସେ ।ହେଲେ କାହାରିକୁ କିଛି ବି ନ କହି ଆଖିରୁ ଦୁଇ ଧାର ଲୁହ ଗଡେଇ ଶୋଇଯାଏ ।ପୁଣି ସକାଳେ ଉଠି କାମ କରେ ।
ଚାହୁଁ ଚାହୁଁ ଏମିତି ଗୋଟିଏ ବର୍ଷ ବାହାଘରର ବିତିଲା ଓ ସ୍ବପ୍ନା ମା ହେବାକୁ ଯାଉଥିବା ଖୁସି ଖବରଟି ମିଳିଲା ।ସମସ୍ତେ ଖୁସି ,କିନ୍ତୁ ସ୍ବପ୍ନା ସେତେ ଖୁସି ନ ଥାଏ ।ସିଏ ଭାବୁଥାଏ ସତରେ ସବୁ କିଛି ବହୁତ୍ ଶୀଘ୍ର ବଦଳିଗଲା ।କିନ୍ତୁ ଏଇ ଖବରଟି ପରେ ସ୍ବପ୍ନାକୁ ବହୁତ ଯତ୍ନ ମିଳିଲା ।ଏ ସବୁ ଦେଖି ସ୍ବପ୍ନାର ମନ ବଦଳିଗଲା ଓ ଖୁସି ହେବାକୁ ଲାଗିଲା । ସମୟ ଗଡି ଗଡି ସ୍ବପ୍ନା ସ୍ତ୍ରୀରୁ ମା ହୋଇଗଲା ।ବଢିଗଲା ତାହାର ଆହୁରି ଦାୟିତ୍ବ ।
ଘର ସହ ପିଲା କଥା ବି ବୁଝୁଥାଏ ।ହେଲେ ମନ ଟି ତାର ସବୁବେଳେ ଚାକିରୀ ଟେ ପାଇଁ ବ୍ୟାକୁଳ ଥାଏ । ଘରରେ କିଛି ବି ଅଭାବ ନ ଥାଏ ,ହେଲେ ସିଏ ନିଜସ୍ବ ପରିଚୟ ପାଉ ନ ଥାଏ ।
ଦିନେ ଯାଇ ସ୍ବାମୀ କୁ କହିଲା କି
"ମୁଁ ଚାକିରୀ କରିବି ।ମୋତେ ଏମିତି ଆଉ ଭଲ ଲାଗୁନି ।ଯଦି ଖାଲି ଏମିତି ଘରରେ ରହିବାର ଥିଲା ତାହେଲେ ମୁଁ ଆଉ ଏତେ ପାଠ ପଢି ନ ଥାନ୍ତି ।ଛୋଟ ବେଳୁ କଷ୍ଟ କରି ପାଠ ପଢିବାର କିଛି ମୂଲ୍ଯ ହିଁ ରହିଲାନି ।ତୁମେ ବି ତ ଚାକିରୀ କରିଛ ।ମୁଁ ବି ମୋର ନିଜର ପରିଚୟଟେ ତିଆରି କରିବାକୁ ଚାହୁଁଛି ।କାଲି କି ଆମ ପିଲା ପାଇଁ ବାପା ହିସାବରେ ତୁମର ଯେମିତି ସ୍ବତନ୍ତ୍ର ପରିଚୟ ରହିବ ,ମୁଁ ମୋ ପାଇଁ ବି ସେଇ ସ୍ଥାନ ପାଇବାକୁ ଚାହୁଁଛି । ଚାକିରୀ କରିଲେ ତୁମକୁ ବି ତ ଏତେ ପରିଶ୍ରମ କରିବାକୁ ପଡିବନି ।ଦୁଇଜଣ ମିଶି ଘର ଚଳେଇବା ।ଭବିଷ୍ୟତ ପାଇଁ ଆହୁରି ଭଲ ଯୋଜନା କରିବା ।ଚାକିରୀ କରି ସ୍ବାବଲମ୍ବୀ ହେବାର ଇଚ୍ଛା ମୋର ପୂରଣ କରିବାକୁ ଚାହେଁ ।ତୁମେ ଖାଲି ଥରେ ମୋତେ ଅନୁମତି ଦେଇ ଦିଅ ।ସବୁ ସହପାଠୀ ଚାକିରୀ କରିଛନ୍ତି କେବଳ ମୁଁ ହିଁ କରିନି ।ମୋତେ ମୋ ସ୍ବପ୍ନ ପୂରଣ କରିବାକୁ ଦିଅ । "
ସ୍ବାମୀକୁ ଏତିକି କହି ସ୍ବପ୍ନା ଶୋଇଗଲା ।
ତହିଁ ଆର ଦିନ ସ୍ବପ୍ନାର ଶ୍ବଶୁର ଏ କଥା ଜାଣିଲେ ଆଉ ସ୍ବପ୍ନା କୁ ଡାକି ମନା କରିଲେ ଚାକିରୀ ପାଇଁ ।କହିଲେ "ତୋର ମାସକୁ ଚାକିରୀରୁ ଯେତିକି ଟଙ୍କା ପାଇଥାନ୍ତୁ ସେତିକି ଟଙ୍କା ମୁଁ ଦେବି ,ତୁ କିନ୍ତୁ ଚାକିରୀ କରିବା ଦରକାର ନାହିଁ "।
ଶାଶୁ ବି କହିଲେ ଆରେ ମା ତୁ ତ ଆମର ପାଠୁଆ ବୋହୁ ।ଆଉ ଏତେ ପାଠ ପଢିଛୁ ବୋଲି ତ ସବୁ ବନ୍ଧୁ କେତେ ପ୍ରଶଂସା କରନ୍ତି ।ପୁଣି ଚାକିରୀ କାହିଁକି କରିବୁ ?
ସ୍ବପ୍ନା ଆଖି ଆଗରେ ତାର ସ୍ବପ୍ନ, ଆଶା ଭାଙ୍ଗି ଯିବାର ଲାଗିଲା, କୋହ କୁ ସମ୍ଭାଳି ପାରିଲାନି ।ଶ୍ବଶୁରଙ୍କୁ ଖାଲି ଏତିକି କହିଲା କି
"ମୋର ବାପା ମୋତେ ଘର ସମ୍ଭାଳିବା ସହ ଉପାର୍ଜନ କ୍ଷମ ପାଇଁ ଏତେ ପାଠ ପଢେଇଲେ ,ଆଉ ମୁଁ ବି ମନରେ ଚାକିରୀ ପାଇଁ ଅନେକ ସ୍ବପ୍ନ ବାନ୍ଧିଛି ।ଏମିତି ସବୁ ଭାଙ୍ଗିଯିବ ତାହେଲେ........ ।"
ସ୍ବପ୍ନା ର କଥା ଶୁଣି ତା ଶ୍ବଶୁର କଣ ଭାବିଲେ କେଜାଣି ତାକୁ ଚାକିରୀ ପାଇଁ ଅନୁମତି ଦେଇଦେଲେ ।
ଏଥର ସ୍ବପ୍ନାକୁ କିଏ ସମ୍ଭାଳେ ।ଖୁସିରେ ପାଦ ତଳେ ଲାଗୁ ନ ଥାଏ ।ଘର କାମ ସାରି ବସିଯାଏ ପଢିବାକୁ । ଇଣ୍ଟରଭ୍ଯୁ ପାଇଁ ନିଜକୁ ପ୍ରସ୍ତୁତ କରିଲା ।କେତେ ଥର ସିଲେକ୍ଟ ହୁଏନି ,ଭାଙ୍ଗିପଡେ ।ପୁଣି ଚେଷ୍ଟା କରେ ।
ଏମିତି ଚେଷ୍ଟା କରୁ କରୁ ଥରେ କୃତକାର୍ଯ୍ଯ ହେଲା ,ପାଇଗଲା ଚାକିରୀଟିଏ ।
ମାସ ସରିଲା । ପ୍ରଥମ ଦରମା ଆସିଲା ।ସମସ୍ତଙ୍କ ପାଇଁ ଉପହାର କିଣି ଘରକୁ ଫେରିଲା ।ଠାକୁରଙ୍କ ପାଇଁ ଭୋଗ କିଣିଲା ।ଅତି ଆନନ୍ଦରେ ଘରକୁ ଆସି ସମସ୍ତଙ୍କର ଉପହାର ଦେଲା ।
ବଳକା ଟଙ୍କାକୁ ହାତରେ ଧରି ଶ୍ବଶୁରଙ୍କ ପାଖେ ପହଞ୍ଚିଲା ।ଶ୍ବଶୁରଙ୍କ ହାତକୁ ଟଙ୍କା ତକ ବଢେଇ ଦେଇ ଆଖି ଛଳଛଳ କରି କହୁଥାଏ ,ମୋ ବାବା ପାଠ ପଢେଇ ସ୍ବପ୍ନ କୁ ଛୁଇଁବାର ରାସ୍ତା ଦେଖେଇଥିଲେ ,ଆଉ ଆପଣଙ୍କ ଅନୁମତି ମୋ ସ୍ବପ୍ନକୁ ସାକାର କରେଇ ପାରିଲା । ଏମିତି ଆଶୀର୍ବାଦ କରୁଥାନ୍ତୁ ।
ସ୍ବପ୍ନା ଭାବୁଥିଲା ସତରେ ଆଜି ମୋର ସ୍ବପ୍ନ ସତ ହୋଇଗଲା ।