ମା -ବିପଦ ର ବନ୍ଧୁ
ମା -ବିପଦ ର ବନ୍ଧୁ
ସକାଳ ର 9.10 ।ସବୁଦିନ ପରି ଆଜି ବି ଭାରି ତରତର ହୋଇ ସ୍କୁଲ ବାହାରିଲି ।ବାହାରେ ଦେଖେ ତ ପ୍ରବଳ ବର୍ଷା ।ଟିକିଏ ଅଟକି ଯିବି ଭାବିଲି ଯେ ,କିନ୍ତୁ ଶିକ୍ଷା ବିଭାଗର ଉତ୍ଥାନ କାର୍ଯ୍ଯକ୍ରମ ମୋତେ ରହିବାକୁ ଦେଲାନାହିଁ ।
କିଛି ପାଦ ଚାଲିଲା ପରେ ଦେଖିଲି ବୁଢୀ ଲୋକଟିଏ ଛତାଟିଏ ଧରି ଚାଲିଥାନ୍ତି । ହଠାତ୍ ସିଏ ଟିକିଏ ଅଟକି ଗଲେ ।ମୁଁ ଅଟକି ଗଲି ,ତାଙ୍କର ଅଟକିବାର କାରଣ ଜାଣିବାକୁ ।
ନଇଁ ପଡି ଧରି ଆଣିଲେ ସେ ଛୋଟ ଛେଳି ଛୁଆଟିକୁ ବୁଦା ମୂଳରୁ । ପୁରା ଓଦା ଥାଏ ସେ ଛୋଟ ଜୀବଟି । ନିଜ କୋଳରେ ଧରି ନିଜ ଛତାରେ ଛେଳିଟିକୁ ସାହାରା ଦେଇ ଆଗକୁ ବଢି ଚାଲିଲେ ।
ମୁଁ ବି ତ ଚାଲୁଥିଲି ସେଇ ରାସ୍ତା ଉପରେ ।କାହିଁକି ଦେଖିପାରିଲିନି ସେଇ ଛେଳିଟିକୁ । ସ୍କୁଲରେ ପହଞ୍ଚିବାର ବ୍ୟସ୍ତତା ପାଇଁ ନା ମୁଁ ଆହରଣ କରି ପାରିନାହିଁ ସେତିକି ମମତା ?
ମନରେ ଆସିଲା ସତରେ ଏ ହିଁ ମା ।ଜୀବନରେ ଏ ମହିଳା ଜଣଙ୍କ ନିହାତି ଭାବରେ ଝିଅ ,ସ୍ତ୍ରୀ ,ମା ,ଆଇ ,ବୁଢୀ ମା ସବୁ ପ୍ରକାରର ସମ୍ପର୍କକୁ ଛୁଇଁ ସାରିଥିବେ।
ସେ ସମସ୍ତଙ୍କୁ ସ୍ନେହ, ମମତା ଅଜାଡି ଦେଲା ପରେ ବି ସାଇତି ରଖିଛନ୍ତି ଆହୁରି ଅନେକ ମମତା , ଯାହା କି ଢାଳି ଦେଲେ ସେ ସେଇ ଜୀବଟି ଉପରେ ।ସତରେ କେତେ ମହାନ ସେ ବୁଢୀ ଲୋକଟି ।
ଧନ୍ୟ ତୁମେ ମା ।ଧନ୍ୟ ତୁମର ମମତା ।ତୁମେ ମହାନ ।ବିରାଟ ତୁମର ହୃଦୟ ।ତୁମେ ରହିବ ଚିର ଅମର ସଭିଙ୍କ ମନରେ ।
କେହି ବି କ'ଣ ନେଇ ପାରିବ ତୁମର ଏ ସ୍ଥାନ .....?