Kalyani Nanda

Romance

2  

Kalyani Nanda

Romance

ପ୍ରେମର ସୌଧ

ପ୍ରେମର ସୌଧ

4 mins
242


କୋଇଲିର କୁହୁ କୁହୁ ଶବ୍ଦ ଦୂରରୁ ଶୁଭୁଥାଏ । ସକାଳ ସୂରୁଜ ଧରା ବକ୍ଷକୁ ଆଲୋକିତ କରୁଥାଏ । ଚା କପ ଟି ଧରି ସୁରଭି ସ୍କୁଲ କ୍ଵାର୍ଟର ବାହାରେ ବସି କେଉଁ ଏକ ଭାବନାରେ ବୁଡି ଯାଇଥାଏ । କେତେ ଶୀଘ୍ର ସମୟ ସତରେ ବିତି ଯାଏ । ସମୟ ସାଥିରେ କେତେ କଣ ବଦଳି ଯାଏ । ତା ଜୀବନରେ ବି ପରିବର୍ତ୍ତନ ଆସିଛି ବିଗତ ଦଶ ବର୍ଷ ଭିତରେ । ସେ କଣ ଆଉ ଆଗର ସୁରଭି ହୋଇ ଅଛି । ସବୁବେଳେ ହସ ଖୁସିରେ ରହୁଥିବା ସୁରଭି ଏବେ ଶାନ୍ତ, ନୀରବତା ର ପ୍ରତିମୂର୍ତ୍ତି । ମଝି ସାଗରର ଶାନ୍ତ, ସ୍ଥିର ଜଳ ପରି । ନିଜ ଭିତରେ ବୁଡି ରହିଥିବା ଅନ୍ଯ ଏକ ସୁରଭି ।କିନ୍ତୁ ଆଜି ସେ ସୁରଭି ଭିତରେ ଏକ ଅକୁହା, ଅବୁଝା ହଲଚଲ । ଯେମିତି କିଏ ଶାନ୍ତ ଜଳରେ ଟେକା ଟିଏ ଫିଙ୍ଗି ଦେଇ ଅସ୍ଥିର କରି ଦେଇଛି । ହଁ, ତା ନୁହେଁ ତ ଆଉ କଣ ? ଯେଉଁ ସୌମ୍ଯ ର ବିଚ୍ଛେଦରେ ହସ ଖୁସିରେ ଭରା ଚଂଚଳ ସୁରଭି ଜୀବନରେ ନୀରବତା ର ଆସ୍ତରଣ ଟିଏ ଢାଙ୍କି ହୋଇ ଯାଇଥିଲା, ଆଜି ଦଶ ବର୍ଷ ପରେ ସେଇ ସୌମ୍ଯ, ସୌମ୍ୟରଂଜନ ମହାପାତ୍ର ର ଅଚାନକ ଆବିର୍ଭାବ ତା ଶାନ୍ତ ମନକୁ ଅସ୍ଥିର, ବ୍ୟାକୁଳ କରିଛି ।

ସୌମ୍ଯ ତା କଲେଜ ବନ୍ଧୁ ଥିଲା । କଲେଜରେ ହିଁ ଦୁଇ ଜଣଙ୍କ ଭିତରେ ବନ୍ଧୁତା ଆଉ ଧିରେ ଧିରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । କଲେଜ ପଢା ସରିବା ପରେ ସୌମ୍ଯ ଚାକିରୀ ପାଇ ଅନ୍ଯତ୍ର ଚାଲି ଯାଇଥିଲା । ସୁରଭି ଓ ସୌମ୍ଯର ବିବାହରେ ସୌମ୍ଯ ର ପିତା ରାଜି ନ ଥିଲେ । କାରଣ ସେ ତାଙ୍କ ବନ୍ଧୁ ଝିଅ ସହ ସୌମ୍ଯ ର ବିବାହ ଦେବାକୁ ଚାହୁଁଥିଲେ । କିନ୍ତୁ ସୌମ୍ଯ ସେଥିରେ ରାଜି ହୋଇ ନ ଥିଲା । ସୌମ୍ଯ ଓ ସୁରଭି ର ବାହାଘର ହୋଇ ପାରି ନ ଥିଲା ।ସୁରଭି କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରୀ ପାଇ ବରହମପୁର ଚାଲିଗଲା ବିବାହ ନ କରିବାର ନିଷ୍ପତ୍ତି ନେଇ । ତା ପରେ ସୌମ୍ଯର ବିଚ୍ଛେଦ ଚଂଚଳ ସୁରଭି ର ମନକୁ ଜଡ, ସ୍ତବ୍ଧ କରି ଦେଇଥିଲା । ସୌମ୍ଯ ତା ବାପାଙ୍କ କଥାରେ ରାଜି ହୋଇ ବିବାହ କରିଥିବ ବୋଲି ସୁରଭି ଭାବି ନେଇଥିଲା ଓ ସୌମ୍ଯ କୁ ଭୁଲିବାକୁ ଚେଷ୍ଟା କରିବାକୁ ଚାହିଁ ମଧ୍ଯ ଭୁଲି ପାରି ନ ଥିଲା । ବହୁତ ଦିନ ଧରି ସୌମ୍ଯରଞ୍ଜନ ଖବର ବି କିଛି ପାଇ ନ ଥିଲା । ନୀରବତା ର ବଳୟ ଭିତରେ ସୌମ୍ଯରଞ୍ଜନ ସ୍ମୃତି କୁ ଜାବୁଡି ଧରି , ତା ପ୍ରେମକୁ ପାଥେୟ କରି ଏକାକୀ ସ୍କୁଲ ଛୁଆଙ୍କ ଗହଣରେ ନିଜ କର୍ତ୍ତବ୍ଯ କରି ଚାଲୁଥାଏ ।

ଆଜି ଦଶ ବର୍ଷ ପରେ ସୌମ୍ଯ ସହ ତାର ଭେଟ ହୋଇଥିଲା ବଜାର ଭିତରେ । ଅବାକ ହୋଇ ଦୁହେଁ ଦୁହିଁଙ୍କୁ ବହୁତ ସମୟ ନୀରବରେ ଖାଲି ଅନାଇ ରହିଥିଲେ । କଥା ପଦେ ବି ବାହାରୁ ନ ଥିଲା ଦୁହିଁଙ୍କ ମୁହଁରୁ ।ପ୍ରଥମେ ସୌମ୍ଯ ପଚାରି ଥିଲା ସୁରଭି ର ଭଲ ମନ୍ଦ କଥା ।ଧିରେ ଧିରେ ସହଜ ଅବସ୍ଥାକୁ ଆସିଥିଲା ସୁରଭି ।ସୌମ୍ଯ କହୁଥିଲା , ଚାକିରୀ ସଂକ୍ରାନ୍ତରେ ସେ ଦିଲ୍ଲୀ ରେ ଥିଲା ଏତେ ଦିନ । ତା ବାପାଙ୍କ ମୃତ୍ଯୁ ହେଲା ପରେ ସେ ଓଡିଶାକୁ ବଦଳି ହୋଇ ଆସି ବରହମପୁରରୁ ଅଛି । ମାଁ କୁ ତାର ପାଖରେ ରଖିଛି । ସୁରଭି ତାକୁ ପଚାରି ପାରି ନ ଥିଲା, ସୌମ୍ଯ ବିବାହ କରିଛି ନା ନାହିଁ । ଯଦି କରିଛି ତେବେ ପରିବାର ତାର କେମିତି ?ତା ସ୍ତ୍ରୀ, ଛୁଆ ପିଲା ବିଷୟରେ କିଛି ପଚାରି ପାରି ନ ଥିଲା । ସୌମ୍ଯ ତା ସହ ଭେଟ ହେବାକୁ ଆଜି ଡାକୁଛି । ଯିବ କି ନ ଯିବ ଭାବୁଥାଏ ସୁରଭି । ହିଁକି ଯିବ ? ଏତେଦିନ ହୋଇ ଗଲାଣି । 22 ବର୍ଷର ସୁରଭି ଏବେ 32ବର୍ଷ ର ନାରୀ ।ସୌମ୍ଯ ର ପ୍ରେମ ହରାଇ ସେ ଯେ ଏକାକିନୀ ।ସୌମ୍ଯ ଯଦି ବିବାହିତ ତେବେ ସେ ତାର ବୈବାହିକ ଜୀବନ ଭିତରେ କାହିଁକି ଅଶାନ୍ତିର ମାଧ୍ଯମ ହେବ ? ଫୋନ ରିଙ୍ଗ ହେଲା । ସେ ପଟୁ ସୌମ୍ଯ କହୁଥାଏ , " ସୁରଭି ତୁମକୁ ଅପେକ୍ଷା କରିଛି ।ତୁମେ ଆସ । ବହୁତ କଥା କହିବାର ଅଛି । ତୁମକୁ ଶୁଣିବାକୁ ହେବ ।ମୋ କଥା, ମୋ ମନର ଯନ୍ତ୍ରଣା । ସବୁ ଜାଣିବାକୁ ହେବ ତୁମକୁ । ପ୍ଲିଜ, ଥରେ ତ ଆସ ।" ସୁରଭି ମନା କରି ପାରିଲାନି ତାର କଥା । ସେ କେବେ ବି ତାଙ୍କ କଥାକୁ ଅମାନ୍ଯ କରେନି । ବାରମ୍ବାର ତା ପ୍ରେମ ନିବେଦନ କୁ ବି ତ ସେ ପ୍ରତ୍ଯାଖ୍ଯାନ କରି ପାରି ନ ଥିଲା । ଆଜି ବି ସେ ସୌମ୍ଯର ପ୍ରେମ ବନ୍ଧନରୁ ନିଜକୁ ମୁକ୍ତ କରି ପାରିନି । ସୌମ୍ଯ ବି କଣ ଏବେ ବି ତାକୁ ଭଲ ପାଉଥିବ । କେଜାଣି ? ମନର କୌତୁହଳ ତାକୁ ଟାଣି ନେଇଥିଲା ସୌମ୍ଯ ପାଖକୁ । ପାର୍କର ଗୋଟିଏ କଣରେ ବସିଥିଲେ ଦୁହେଁ। ସୌମ୍ଯର ସାନ୍ନିଧ୍ୟ ସୁରଭି କୁ ଏତେ ଦିନ ପରେ ବି ମୋହଗ୍ରସ୍ତ କରୁଥାଏ । ସୁରଭି କୁ ଦେଖି ସୌମ୍ଯ ଜାଣି ପାରିଥାଏ ଯେ ସୁରଭି ବିବାହ କରିନି । ସୁରଭି ପ୍ରଥମେ ସୌମ୍ଯ କୁ ପଚାରିଲା, " ସୌମ୍ଯ, ତୁମ ସ୍ତ୍ରୀ, ଛୁଆ ପିଲା କେମିତି ଅଛନ୍ତି ?"ଏଇ ପ୍ରଶ୍ନର ଉତ୍ତର ପାଇଁ ସୁରଭି ଖୁବ ବ୍ୟାକୁଳ ଥିଲା । ସୌମ୍ଯ କିଛିକ୍ଷଣ ଚୁପ୍ ରହି ସୁରଭି କୁ ଏକ ଲୟରେ ଚାହିଁ ରହିଥାଏ । ସୁରଭି ର ମନକଥା ବୁଝିପାରୁ ଥାଏ। ବହୁତ ସମ୍ମାନ ପରେ ସୌମ୍ଯ ହଠାତ୍ କହିଲା," ସୁରଭି, ତୁମେ ମୋତେ ବାହା ହେବ ? " ସୁରଭି ଚମକି ପଡିଲା । ଏଇ ପ୍ରଶ୍ନ ଭିତରେ ସୌମ୍ଯର ବ୍ୟାକୁଳତା, ଆଗ୍ରହ ଏବେ ବି ସେମିତି ଥିଲା ଯେବେ ସେ ପ୍ରଥମ ଥର ସୁରଭି କୁ ପ୍ରେମ ନିବେଦନ ଓ ବିବାହର ପ୍ରସ୍ତାବ ଦେଇଥିଲା । " କିନ୍ତୁ ତୁମ୍ଭର ସ୍ତ୍ରୀ, ଛୁଆ ପିଲା ......? ?"ଆଗକୁ ଆଉ କିଛି ପଚାରି ପାରିଲାନି। ଖାଲି ପ୍ରଶ୍ନିଳ ଆଖିରେ ଚାହିଁ ରହିଥାଏ । ତା ମନ ଭିତରେ ଦ୍ବିଧା, ଦ୍ବନ୍ଦ ର କୋଳାହଳ। ସୌମ୍ଯ ତାକୁ ଆଉ ଆଶଙ୍କାରେ ନ ରଖି ସେ ଯେ ବିବାହ କରିନି ଏ ଯାଏ , ସେ କଥା ସୁରଭି କୁ ଜଣାଇ ଦେଲା । ମନେ ମନେ ସୁରଭି ଖୁସି ହେଲା । କିନ୍ତୁ ସୌମ୍ଯ କୁ ସେ କହିଲା, " କିନ୍ତୁ ଏତେଦିନ ପରେ, ଏ ବୟସରେ , ତୁମ ଘରେ ଏ ବିବାହରେ ରାଜି ହେବେ ତ ?" " ତୁମେ ହଁ କୁହ ସୁରଭି । ଆଜିଯାଏ ମୁଁ ତୁମକୁ ଭୁଲି ପାରିନି । ଆମର ଭଲ ପାଇବାର ସୁଖଦ ମୂହୁର୍ତ୍ତ ସବୁ ଆଜି ବି ମୋ ଅନ୍ତରରେ ସାଇତି ହୋଇ ରହିଛି । ଆଉ ନୁହେଁ ସୁରଭି , ଚାଲ, ଆଜି ଆମେ ଆମ ପ୍ରେମର ସୁଖର ସଂସାର ଗଢିବାର ସ୍ବପ୍ନକୁ ବାସ୍ତବତାର ରୂପ ଦେବା । ଯେଉଁ ପ୍ରେମର ସୌଧ ଦିନେ ଖଣ୍ଡ ବିଖଣ୍ଡ ହୋଇଥିଲା ତାକୁ ସୁନ୍ଦର କରି ତୋଳିବା । କୁହ, ତୁମେ ରାଜି ତ ? ମୋ ସହ ବାକି ଜୀବନର ପଥ ଚାଲିନ

" ସୁରଭି ଆଖିରେ ଦିଟୋପା ଲୁହ ଟଳମଳ କରୁଥାଏ ଆଉ ତା ନାଲି ନାଲି ଓଠରେ ହସ ଧାରେ ବି ଖେଳୁଥାଏ ।ଦୂରରୁ କପୋତ ଟିଏ ହୁଁ ହୁଁ କରି ତା ଜୋଡି କପୋତ କୁ ଡାକୁଥାଅ ।


Rate this content
Log in

Similar oriya story from Romance