ପ୍ରେମର ପ୍ରମାଣ
ପ୍ରେମର ପ୍ରମାଣ
ଶୀତୁଆ ଅପରାହ୍ନ ରେ କାଠଯୋଡି ବନ୍ଧ ଉପରେ ବସି ଗୋଡ଼ ହଲେଇ ହଲେଇ ଚିନାବାଦାମ ର ମଂଜି ଟିଏ ପାଟିକୁ ନେଉ ନେଉ ଝିଅ ଟି ପଚାରିଲା.. "ସତରେ କଣ ତୁମେ ମୋତେ ଭଲପାଅ ।"
ଆଖିରେ ଚମକ ଖେଳେଇ ପୁଅ ଟି ଉତ୍ତର ଦେଲା, "ବହୁତ..."
"ଅଛି କିଛି ପ୍ରମାଣ...ଦିଅ..."ବେପର୍ବା ଭାବରେ କହିଲା ଝିଅଟି।।
"ପ୍ରେମ କଣ ଏତେ ସହଜ ଯେ ମୁହୂର୍ତ୍ତକ ର ପ୍ରମାଣରେ ଦେଖେଇଦେବି, ପ୍ରେମକୁ ପ୍ରମାଣିତ କରିବାକୁ ସାରା ଜୀବନ ବି କମ ପଡିବ," ପୁଅ ଟି ଉତ୍ତର ଦେଲା।।
"ବେଶ ଭଲ ବାକପଟୁତା ତ, ପ୍ରଶ୍ନଟିକୁ ଆଡେଇ ଦେବା ପାଇଁ..."ଭୁସ କିନା ଉଠିପଡ଼ିଲା ଝିଅଟି। ଚାଲିଗଲା ଥରେ ମାତ୍ର ପଛକୁ ନଚାହିଁ।।
ବୁଣିଗଲା ସବୁତକ ଚିନାବାଦାମ।। କେମିତି ଗୋଟେ ଖାଁ ଖାଁ ଭାବ ସେ ପରିବେଶ ରେ ବି। ପୁଅର ଛାତି ଭିତରେ ବି।।
**********
ପାଣି ପରେ ବହି ଗଲା ଦିନ ସବୁ, ବୟସ ବି। ଝିଅ ଟି ଏବେ ବୟସ୍କା। ବିବାହ, ବିଦେଶ ଗ୍ରସ୍ତ ପରି ଅନେକ ଘଟଣା ଘଟି ଯାଇଛି ଜୀବନରେ। ନଈ କୁଳ ଆଡେ ଟିକେ ବୁଲି ଆସ , ମଧୁମେହ ଆକ୍ରାନ୍ତ ଦେହକୁ ସୁସ୍ଥ ରଖିବାକୁ ଡାକ୍ତର ଙ୍କ ପରାମର୍ଶ ଆଉ ଘର ଲୋକ ଙ୍କର ତାଗିଦ। ସେଇ ଚିନ୍ହା ଚିଂହା ନଇ କୂଳ। କାଠଯୋଡି ବନ୍ଧ । ସେଇ ଚିହ୍ନା ଜାଗାଟି। ଯେଉଁଠି ଦିନେ ଗୁମୁରି ଥିଲେ ଯୋଡିଏ କପୋତ। ଦୀର୍ଘଶ୍ବାସ ନେଲା ଝିଅଟି।
"କଣ ଆଜି ପ୍ରମାଣ ପାଇଲ, ମୁଁ ତୁମକୁ ପ୍ରେମ କରେ ବୋଲି..."ପଛକୁ ବୁଲିଲା ବେଳକୁ ପରିଚିତ ମୁହଁଟିଏ, ବୟସର ଭାରରେ ଯାହା ଆକ୍ରାନ୍ତ। ସେଇ ଆଖି ସେଇ ତେଜ।
'ସେବେଠୁ ଯାଇଛ ଯେ ଆଜି ଫେରିଲ । ଜୀବନ ଯାକର ପ୍ରମାଣ କଣ ଯଥେଷ୍ଟ ନା......"ଅଟକି ଗଲା କଥା। ଅଟକି ଯାଇଥିଲା ସମୟ...।ଥମି ଯାଇଥିଲା ମହାନଦୀର ପାଣି..........
ଥମି ଯାଇଥିଲା ଦୁଇଟି ହୃଦୟ।।
ଜଣେ ମୁଗ୍ଧ... ଜଣେ ସ୍ତବ୍ଧ....