ମଣିଷ ଈଶ୍ୱର
ମଣିଷ ଈଶ୍ୱର


ପୃଥିବୀରେ ଦିନକୁ ଦିନ ବଢୁଥିଲା ବିଭତ୍ସ ହିଂସା କାଣ୍ଡ, ଦଙ୍ଗା, ଭ୍ରଷ୍ଟାଚାର, ବଳାତ୍କାର, ଆତଙ୍କବାଦ, ଅସମାଜିକତା। ଏସବୁ ଦେଖି ଦେଖି ବିବ୍ରତ ହୋଇ ପଡୁଥିଲା ମଣିଷ। ମଣିଷ ସମାଜର ଏ ଦୁରାବସ୍ଥା ବେଳେ, ପୃଥିବୀର ଏ ପତନ ବେଳେ ତାର ରକ୍ଷାକର୍ତା ଇଶ୍ୱର କାହାନ୍ତି । କାହିଁକି ସେ ଅବତରୁ ନାହାନ୍ତି ଏ ଦୁଃଖ ଯନ୍ତ୍ରଣାରୁ ପୃଥିବୀକୁ ରକ୍ଷା କରିବାକୁ। ଦୁଷ୍ଟ ନାଶି ସନ୍ଥ ପାଳିବାକୁ। ପ୍ରଶ୍ନଟି ଛଟ ପଟ କରୁଥିଲା ମଣିଷକୁ କିନ୍ତୁ ଉତ୍ତର ମିଳୁନଥିଲା।
ସେ ଆଖିବୁଜି ପ୍ରାର୍ଥନା କରି ବସୁଥିଲା ତା ଠାକୁର ଘରର ଖଟୁଳି ଆଗରେ, ସଜେଇ ଦେଉଥିଲା ଜାତିଜାତିକା ଫୁଲରେ, ବାଢି ଦେଉଥିଲା ସ୍ୱାଦିଷ୍ଟ ମିଷ୍ଠାନ୍ନ, ଫଳ ମୂଳ, ନୈବେଦ୍ୟ । ଜାଳୁଥିଲା ଆଳତୀ, ଦୀପ, ଧୂପ । ହେଲେ ତାର ପ୍ରୟାସ ଥିଲା ନିଷ୍ଫଳ ।
ବ୍ୟତିବ୍ୟସ୍ତ ହୋଇ ସେ ମୁଣ୍ଡରେ କପଡା ବାନ୍ଧି ମସଜିଦରେ ନମାଜ ପଢୁଥିଲା । ଦରଘାରେ ଚଢ଼ାଉ ଥିଲା ଭଳି ଭଳି ରେଶମୀ ଚାଦର ।
ପୁଣି ଛାତିରେ କ୍ରସ ଝୁଲେଇ ଗୀର୍ଜାରେ ହାତ ଯୋଡ଼ି ଭକ୍ତି କରୁଥିଲା । କ୍ରୁଶ ବିଦ୍ଧ ଯୀଶୁଙ୍କ ଆଗରେ ଜାଳୁଥିଲା ସୁଗନ୍ଧିତ ମହମବତୀ । କିନ୍ତୁ ଦୂର ହେଉ ନଥିଲା ମଣିଷ ମନରୁ ପ୍ରଶ୍ନବାଚୀର ସେ ଅନ୍ଧକାର । ମିଳୁନଥିଲେ ଈଶ୍ୱର, ଆଲ୍ହା, ଭଗବାନ।
ତେବେ କଣ ସେମାନେ ନିରୁଦ୍ଧିଷ୍ଟ । ସନ୍ଦେହରେ ପଡୁଥିଲା ମଣିଷ।
ଦିନେ ମଧ୍ୟ ରାତ୍ରିରେ ଅସ୍ତବ୍ୟସ୍ତ ନିଦ ତାର ଭାଙ୍ଗିଗଲା। ତାକୁ ଲାଗିଲା ଛାଇଟିଏ ବିଚରଣ କରୁଛି ତାର ଶୋଇବା ଘର ଭିତରେ ।
"କିଏ... କିଏ ତୁମେ" ପ୍ରଶ୍ନ କଲା ମଣିଷ ।
"ମୁଁ ଈଶ୍ୱର ଯାହାକୁ ତୁମେ ଅସ୍ତ ବ୍ୟସ୍ତ ହୋଇ ଖୋଜୁଥିଲ"
"ତୁମେ ଈଶ୍ୱର!" ପୁଲକିତ ହୋଇଉଠିଲା ମଣିଷ।
"ତେବେ ପୃଥିବୀର ଏ ଦୁର୍ଦ୍ଦିନ ବେଳେ ତୁମେ କେଉଁଠି??"
" ମୁଁ ଯେ କ୍ରୋଧରେ ପୁରା ମଣିଷ ସମାଜ ଉପରେ"
"ତୁମେ ବି କ୍ରୋଧ କରିପାର" ଅନୁଚ୍ଚାରିତ ରହି ଯାଉଥିଲା ମଣିଷ ମନର ଭାଷା। ଈଶ୍ୱର କଣ ମଣିଷ ପରି କ୍ରୋଧ କରିପାରନ୍ତି । ଆଚମ୍ବିତ ହେଉଥିଲା ମଣିଷ ।
"ହଁ, ମଣିଷ ମସ୍ତିଷ୍କର ସେଇ ବିଚାରଧାରା ଯାହା ମୋର ଅସ୍ତିତ୍ୱକୁ ଅସ୍ୱୀକାର କରେ, ତାକୁ ନେଇ ମୁଁ ଇର୍ଷାରେ ମଧ୍ୟ" ମଣିଷର ମନର କଥା ଶୁଣିପାରିଲା ପରି ଈଶ୍ୱର ଉତ୍ତର ଦେଲେ।
ଆହୁରି ଆଶ୍ଚର୍ଯ୍ୟ ହେଉଥିଲା ମଣିଷ । ଈଶ୍ୱର କଣ ମଣିଷ ପରି ଇର୍ଷା କରିପାରେ, ତେବେ ମଣିଷ ଆଉ ଈଶ୍ୱର ଭିତରେ ଫରକ କଣ ।
" ମୁଁ ଚାହେଁ ପୂଜା ପାଠ ଭକ୍ତି, ଜପ ତପ, ଆରାଧନା ପ୍ରାର୍ଥନା । ତେବେ ହିଁ ଅବତରୀ ଆସିବି ପୃଥିବୀ ପୃଷ୍ଠକୁ ।"
ଈଶ୍ୱର ବି ଉତ୍କୋଚ ଚାହେଁ, ଅବାକ ହେଉଥିଲା ମଣିଷ ।
"ହେଲେ ତୁମେ ଯେ ସୃଷ୍ଟି କର୍ତ୍ତା" ବିସ୍ଫାରିତ ଆଖିରେ ମଣିଷ ପ୍ରଶ୍ନ କଲା ।
" ସୃଷ୍ଟି କର୍ତ୍ତା...କିଏ କାହାର ସୃଷ୍ଟି କର୍ତ୍ତା" ଅଟହାସ୍ୟ କରୁଥିଲେ ଈଶ୍ୱର ।
ମଣିଷର ସମସ୍ତ ଗୁଣ ଧରି ମଣିଷର ପ୍ରତିରୂପ ପରି ଈଶ୍ୱର ମଣିଷର ନାଁ ମଣିଷ ଈଶ୍ୱରର ସୃଷ୍ଟିକର୍ତା । ଗଭୀର ସନ୍ଦେହରେ ଘାଣ୍ଟି ହେଉଥିଲା ମଣିଷ । ମନ୍ଦ ମନ୍ଦ ହସୁଥିଲେ ଈଶ୍ୱର ।
" ତେବେ ସୃଷ୍ଟିକୁ ରକ୍ଷା କରିବାର ଦାୟିତ୍ୱ କାହାର"
"ଈଶ୍ୱର ଯାହାର ପ୍ରତିରୁପ ତା ପାଇଁ ଅସମ୍ଭବ ବା କଣ" ଧୀର ସ୍ୱରରେ ଈଶ୍ୱର କହୁଥିଲା ପରି ଶୁଣାଗଲା ।
"ତେବେ କଣ ତୁମେ ମୋର ହିଁ କଳ୍ପନା" ଆଖି ମଳି ମଳି ଚାହିଁଲା ମଣିଷ । ତା ଆଗରେ କେବଳ ଶୂନ୍ୟତା ।
ଚାରିପାଖକୁ ଚାହିଁ ଦେଖିଲା, ସେ ନୀରବ କୋଠରୀରେ ମଣିଷ ହିଁ ଏକୁଟିଆ ଥିଲା ।
"ତେବେ ମୁଁ କଣ ମୋ ସହ ହିଁ କଥା ହେଉଥିଲି" ବିସ୍ମିତ ହୋଇ ଶୂନ୍ୟକୁ ପ୍ରଶ୍ନ କଲା ମଣିଷ ।
ମୁଁ ହିଁ ଈଶ୍ୱରର ସୃଷ୍ଟି କର୍ତ୍ତା ।
ମୁଁ ହିଁ ସୃଷ୍ଟିର ପାଳନ କର୍ତ୍ତା, ସଂହାର କର୍ତ୍ତା, ରକ୍ଷା କର୍ତ୍ତା । ସବୁ ମୁଁ ହିଁ ।
ଉଦ୍ଭାସିତ ହୋଇ ଉଠିଲା ମଣିଷର ମନ ।
ଜ୍ଞାନର ଆଲୋକରେ ଦୁରେଇ ଗଲା ସବୁତକ ଅନ୍ଧକାର ।
ସତ୍ୟକୁ ଆବିଷ୍କାର କରି କ୍ଷଣେ କ୍ଷଣେ ଚମତତ୍କୃତ ହେଉଥିଲା ମଣିଷ।
ଖୋଲି ଖୋଲି ଯାଉଥିଲା ତାର ଜ୍ଞାନ ଚକ୍ଷୁ ।