Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Rajabala Tripathy

Tragedy Romance


3  

Rajabala Tripathy

Tragedy Romance


ଜଣେ ପ୍ରେମିକାର ମୃତ୍ୟୁ

ଜଣେ ପ୍ରେମିକାର ମୃତ୍ୟୁ

8 mins 591 8 mins 591


"ଲିସା ଲେଟସ ନଟ ଟକ ଏନି ମୋର। ଇଟ୍ସ ଓଭର ନାଓ । ସରି ଟୁ ହର୍ଟ ୟୁ।" 

"କଣ, କଣ କହୁଛ। ଲଳିତ" ଲିସା କଥା କେବଳ ତାକୁ ହିଁ ଶୁଣା ଯାଉଥିଲା। ସେପଟରୁ ଫୋନ ଡିସକନେକଟ କରିଦେଇଥିଲେ ଲଳିତ। 

ହେଲେ କାହିଁକି କଣ ହେଲା । କଣ ଭୁଲ କଲି ମୁଁ। ପୃଥିବୀ ସମ୍ପୂର୍ଣ୍ଣ ଭାବେ ଓଲଟି ଯାଉଥିଲା ଲିସାର । ଛାତି ଭିତରେ ପ୍ରବଳ ଯନ୍ତ୍ରଣା। ସତେକି ଟୁକୁଡା ଟୁକୁଡା ହେଇ ଯାଉଛି ତା ପୁରା ହୃଦୟ। ପୁରା ଦେହରେ ଏକ ବଡ଼ ଭୂମିକମ୍ପ। 

ଥର ଥର ହାତରେ ଡାଏଲ କଲା ଲଳିତର ଫୋନ ନମ୍ବର । ଦ ସସକ୍ରାଇବର ୟୁ ଆର କଲିଂ ଇସ ସ୍ୱିଚଡ଼ ଅଫ, ମଧୁର କଣ୍ଠରେ ଶୁଣେଇ ଦେଲା ମୋବାଇଲ।  

ୱ।ଟ୍ପସ୍ଆପ୍ ରେ ମେସେଜ ଦେବାକୁ ଚେଷ୍ଟା କଲା ସେ। ଲଳିତ ତାକୁ ବ୍ଲକ କରିଦେଇଛି। ଫେସବୁକ ମେସେଞ୍ଜେରରେ ବି। ଆଉ ଗୋଟିଏ ବି ରାସ୍ତା ନାହିଁ, ଯାହା ତାକୁ ଲଳିତ ସହ ଛାତିର ଯନ୍ତ୍ରଣା ବାଣ୍ଟିବାକୁ ସୁଯୋଗ ଦେବ। 


ଶୋଇବା ଘର କୋଠରୀରେ ଅସହାୟ ହୋଇ ଛିଡା ହୋଇଥିଲା ଲିସା। ତାକୁ ଲାଗୁଥିଲା ବର୍ତ୍ତମାନ ସେ ଯେମିତି ଦୁନିଆର ସବୁଠୁ ନିଃସହାୟ ମଣିଷ। ଗଛ କାଟିଲା ପରି ବେଡ଼ ଉପରେ ପଡିଗଲା ସେ। ଆଖିରୁ ବହି ଯାଉଥିବା ଲୁହ ଧାରରେ ଭିଜି ଯାଉଥିବା ତକିଆ । ଆଜି ରାତି ମୋ ଜୀବନର ଶେଷ ରାତି ହୋଇ ଯାଆନ୍ତା କି କାମନା କରୁ କରୁ ମୋବାଇଲଟିକୁ ଛାତିରେ ଚାପି ଧରି କେତେବେଳେ ଶୋଇ ପଡ଼ିଥିଲା ସେ। 

ତାକୁ ଆଶ୍ଚର୍ଯ୍ୟ କରି ରାତି ବି ପହିଲା ସୂର୍ଯ୍ୟ ବି ଉଇଁଲା । ଆଉ ସେ ବି ବଞ୍ଚିଥିଲା। ନିଦ ଭାଙ୍ଗୁ ଭାଙ୍ଗୁ ପ୍ରଥମେ ସେ ଖୋଜିଲା ମୋବାଇଲ ଆଉ ୱ।ଟ୍ପସ୍ଆପ୍ ରେ ଲଳିତଠୁ ପଦୁଟିଏ ମେସେଜ ଯାହା ତା ଛାତିର ଯନ୍ତ୍ରଣାକୁ କିଛି ମାତ୍ରାରେ ଉପଶମ କରି ପାରିବ। ହେଲେ କିଛି କୁଆଡେ ନ ଥିଲା। ପୁଣି ଥରେ ଲଳିତର ମୋବାଇଲ ଡାଏଲ କରିବାକୁ ଚେଷ୍ଟା କଲା ସେ। ତାକୁ ଆହୁରି ଆଶ୍ଚର୍ଯ୍ୟ କରେଇ ଜାଣିପାରିଲା କି ଲଳିତ ତାକୁ ବ୍ଲକ କରି ଦେଇଛି। 


ଲଳିତ ଏତେ ନିଷ୍ଠୁର ତୁମେ। କେଉଁ ଭୁଲ ପାଇଁ ଦଣ୍ଡ ଦେଉଛ ମୋତେ। ଥରେ କହି ତ ଦିଅ। । ଲୁହରେ ଭାଙ୍ଗି ପଡ଼ିଲା ଲିସା। ପୁଣି ଥରେ ସେହି ଖଟରେ ପଡି ରହିଲା ସେ। କେହି ମୋତେ ଏ ଯନ୍ତ୍ରଣାରୁ ବଞ୍ଚାଅ ପ୍ଲିଜ। ତକିଆକୁ ଛାତିରେ ଜାକି ଧରି ଭୋ ଭୋ ହୋଇ କାନ୍ଦି ଉଠିଲା ସେ। ଏ ଭୟଙ୍କର ଯନ୍ତ୍ରଣାରୁ ମୁକ୍ତି ପାଇବାର କିଛି ବୁଦ୍ଧି ବାଟ ମିଳୁନଥିଲା ତାକୁ। ଲଳିତ ତୁମେ କହିଥିଲ ନା ମୋତେ କେବେ ମଧ୍ୟ ଛାଡି ଯିବ ନାହିଁ। କହିଥିଲ ନା ମୋତେ ସବୁ ବେଳେ ଖୁସିରେ ରଖିବବୋଲି । ପୁଣି କଣ ହେଲା। ନିଜର କଥା ଭାଙ୍ଗି ଦେଲ କେମିତି। କିଏ ଦେବ ଏ ପ୍ରଶ୍ନର ଉତ୍ତର। କୋଠରୀର ସେ ଶୂନ୍ୟତାରେ ବାଜି କଥା ସବୁ ତା ପାଖକୁ ହିଁ ଲେଉଟି ଆସିଲା। 


ଅନେକ ସମୟ ନିଶ୍ଚେତ ହୋଇ ଶୋଇ ରହିଲା ପରେ ବାଥରୁମକୁ ପଶିଗଲା ସେ। ସାବାର ତଳେ ଅନେକ ସମୟ ଠିଆ ହୋଇ ଭିଜୁ ଭିଜୁ ଭାବୁଥିଲା ଏଇ ପାଣିର ଧାରରେ ବହି ଯାଆନ୍ତା କି ତା ଛାତିର ଯନ୍ତ୍ରଣା ସବୁ। 

ମନ ଭିତରେ ତାର ଅନବରତ ଚାଲିଥିଲା ଏକ କୋଳାହଳ। ଲଳିତ ସହ ବିତିଯାଇଥିବା ଦିନ ସବୁ, ସେ କହିଥିବା କଥା ତାର ପ୍ରମିଜ, ଭବିଷ୍ୟତର ପ୍ଲାନ ସବୁ ଚଳଚିତ୍ର ପରି ଘଟି ଚାଲିଥିଲା ତା ମୁଣ୍ଡ ଭିତରେ ଚାଲିଥିଲେ ଦିନ ରାତି।


ମନ ଭିତରେ ସେ ଅନବରତ ପ୍ରଶ୍ନ ବାଣରେ ବ୍ୟତିବ୍ୟସ୍ତ କରିପକାଉଥିଲା ଲଳିତଙ୍କୁ ହେଲେ ଶୁଣିବାକୁ କେହି ନଥିଲେ। ନିଜ ପ୍ରଶ୍ନରେ ନିଜେ କ୍ଷତାକ୍ତ ହେଉ ଥିଲା ସେ। 


ଯିବାକୁ ହେବ ଉଠିବାକୁ ହେବ ବଞ୍ଚିବାକୁ ହେବ। ବାଥରୁମରୁ ବାହାରି ଆସିଲା ସେ। ତା ପରର ସମୟ ସବୁ ଥିଲା ଖୁବ ନିଷ୍ଠୁର। ସମୟ ଯେମିତି ଅଟକି ଯାଇଥିଲା ଲିସା ପାଇଁ। ଖାଇବା ତକ ତଂଟିରୁ ତଳକୁ ଯାଉ ନଥିଲା। ତା ଭୋକ ଲାଗିବା ଭାବନାଟି ବନ୍ଦ ହେଇଯାଇଥିଲା ଯେମିତି। ଅନେକ ସମୟ ବାନ୍ତି ବାନ୍ତି ଅନୁଭବ ହେଉଥିଲା, ସତେକି ତା ଭିତରେ ଛାଟି ପିଟି ହେଉଥିବା ଦୁଃଖ ସବୁ ବାନ୍ତିରେ ବାହାରି ଆସିବ। କିନ୍ତୁ କିଛି ହେଉ ନଥିଲା।


ଫେସବୁକ ପୃଷ୍ଠାରେ ଲଳିତ ଆଗ ପରି ନିଜର ଅପ ଡେଟ୍ସ ଦେଉଥିଲା, ସତେକି କିଛି ବଦଳି ଯାଇନି ତା ଜୀବନରେ। କଣ୍ଟା ପରି ବିନ୍ଧି ହେଇ ଯାଉଥିଲା ସେ ସବୁ ଲିସାର ଛାତିରେ। ମନ ତାର ବେଶ ବୁଝିପାରୁଥିଲା କେବେ ବି ତୁମକୁ ଜୀବନରେ ହରେଇବିନି ବୋଲି ବାର ବାର କହୁଥିବା ଲଳିତ ତାକୁ ଅଧା ରାସ୍ତାରେ ଛାଡି ଦେଇ ଆଗେଇ ଯାଇଛି, ହେଲେ ହୃଦୟ ମାନିବାକୁ ନାରାଜ। କ୍ଷତାକ୍ତ ହୃଦୟରୁ ତାର ଅନବରତ ଲହୁ ଝରୁଥିଲା। 


କାହାକୁ ବା କହିବ ସେ ନିଜ ମନର ଦୁଃଖ। "ମୋ ଲଳିତ ତୁମମାନଙ୍କ ବୟଫ୍ରେଣ୍ଡ ପରି ନୁହେଁ ଯେ ବଦଳି ଯିବ। ସେ ୟୁନିକ, ସେ ସ୍ପେସିଆଲ, କହି ମୁହଁ ଚୁପ କରେଇ ଦେଉଥିବା ସାଙ୍ଗମାନଙ୍କୁ ସେ କଣ ବା କହିବ। ନିଜକୁ ଭାରି ଅପମାନିତ ଆଉ ଲଜ୍ଜିତ ଫୀଲ ହେଉଥିଲା । 


"ଲିସା ଗୋଟିଏ କଥା କହିବି ଯେ..ବୁଝିପାରୁନି କେମିତି କହିବି" ସେଦିନ କ୍ଳାସରେ ପହଞ୍ଚୁ ପହଞ୍ଚୁ ତା ସାଙ୍ଗ ରିନି କହିଲା।


" କଣ କହୁନୁ" ହୃଦୟର ଗତି ତୀବ୍ର ହେଇ ଯାଉଥିଲା ଲିସାର ।


" ଲଳିତକୁ ପାର୍କରେ ଆଉ ଗୋଟେ ଝିଅ ସହ ଦେଖିଲି। ସବୁ ଠିକ ତ ତୁମ ଦୁଇ ଜଣଙ୍କ ଭିତରେ" 


ହଠାତ ସବୁ କିଛି ଫାଙ୍କା ହେଇଗଲା ଲିସାର ଛାତିରେ। ସତେ କି ଆଉ କିଛି ନାହିଁ ତା ଚାରିପଟେ। କେବଳ ଅନ୍ଧାର। କିଛି ନ କହିପାରି ସିଧା ହଷ୍ଟେଲ ରୁମକୁ ଚାଲି ଆସିଲା। ତା ପରେ ପ୍ରବଳ ବାନ୍ତି ଯେମିତି ଦେହ ଭିତରର ସବୁ ତକ ବାହାରକୁ ବାହାରି ଆସିବ। ଆଖିରୁ ବୋହୁ ଥିବା ଲୁହ ସବୁ ଜମା ବି ତାର ବୋଲ ମାନୁ ନଥିଲେ। 

ସେମିତି ନିସ୍ତେଜ ହେଇ ପଡି ରହିଲା ସେ ଶେଜ ଉପରେ। 

"ଲଳିତ ତୁମେ ମୋ ସହ ଏମିତି କାହିଁକି କଲ। କେମିତି ବା ଏମିତି କରିପାରିଲ ତୁମ ସ୍ୱିଟି ସହ" ଶୂନ୍ୟତାକୁ ବ୍ୟର୍ଥ ପ୍ରଶ୍ନ କଲା ସେ। ଲଳିତ ଫେରି ଆସିବାର ଆଶାର କ୍ଷୀଣ ସୁତାଟିଏ ଆଜି ଛିଣ୍ଡି ଯାଇଥିଲା। ତା ସହ ମିଳିଯାଇଥିଲା ଅନେକ ଅବୁଝା ପ୍ରଶ୍ନର ଉତ୍ତର।


ମୋତେ ଆଗକୁ ଯିବାକୁ ପଡ଼ିବ। ବଞ୍ଚିବାକୁ ପଡିବ। ଖୁସି ହେବାକୁ ପଡିବ। ଅତୀତକୁ ଭୁଲିବାକୁ ପଡିବ। ହେଲେ କେମିତି । କେମିତି ଯେ । କିଛି ବୁଦ୍ଧି ବାଟ ଦେଖା ଯାଉ ନଥିଲା ତାକୁ। ଏ ଯନ୍ତ୍ରଣାରୁ ରକ୍ଷା ପାଇବ କେମିତି , ଦିନ ସାରା ବିତି ଯାଉଥିଲା ଇଣ୍ଟରନେଟ ଘାଣ୍ଟିବାରୁ। କିଛି ଉପଦେଶ କିଛି ମୁହୂର୍ତ୍ତ ପାଇଁ ତାକୁ ସାହସ ଦେଉଥିଲା। କିନ୍ତୁ ପୁଣି ଯେସାକୁ ତେସା ହେଇ ଯାଉଥିଲା ଜୀବନ। ପୁଣି ସେଇ କଷ୍ଟ ରାତିରେ ଶୋଇବାଠୁ ପୁଣି ସକାଳୁ ଉଠିବା ଯାଏଁ।


ନିଜ ଶରୀର ନିଜ ବିଦ୍ୟା ବୁଦ୍ଧି ଉପରେ ଘୋର ସନ୍ଦେହ ହେଉ ଥିଲା ତାର। ନିଶ୍ଚିତ ଭାବରେ ସେ ସେ ଝିଅଠୁ ରୂପ ଗୁଣରେ କମ। ନହେଲେ ଏତେ ଭଲ ପାଇବା , ଏତେ ବିଶ୍ୱାସ ପରେ ଲଳିତ ତାକୁ ଛାଡି ଦେଇ ସେ ଝିଅକୁ ପସନ୍ଦ କଲା କେମିତି। ଧୀରେ ଧୀରେ ଆତ୍ମବିଶ୍ୱାସ ହରାଇ ବସୁଥିଲା ଲିସା। ଇଛା ହେଉଥିଲା ମରିଯିବାକୁ ବା ଉଭେଇ ଯିବା। ନିଜକୁ ଖୁବ ମୁଲ୍ୟହୀନ ଓ ଅଦରକାରୀ ଅନୁଭବ ହେଉ ଥିଲା ତାକୁ। କିପରି ଭାବେ ତାକୁ ଆଡେଇ ଦେଇ ତିଳେ ମାତ୍ର ତାର କଥା ନ ଭାବି ସେ ଝିଅର ହାତ ଧରିଥିବ ଲଳିତ। ଭାବିଲା ମାତ୍ରେ ଛାତି ଭିତରଟା କୋରି ହେଇ ଯାଉଥିଲା ତାର। ଛି ନିଜକୁ ଭାରି ତୁଚ୍ଛ ଲାଗୁଥିଲା । ବଞ୍ଚିବାକୁ ଆଉ କ୍ଷଣେ ବି ଇଛା ହେଉ ନଥିଲା। ମୋର ଏ ନିଦ ଆଉ କେବେ ନ ଭାଙ୍ଗୁ ସବୁ ରାତିର ଏ ପ୍ରାର୍ଥନା ବ୍ୟର୍ଥ ହେଉଥିଲା ତାର। 


ଦିନ ପରେ ରାତି ଆସୁଥିଲେ। ଜୀବନ ଗଡି ଚାଲି ଥିଲା। କିନ୍ତୁ ଅତୀତର ସେହି ସ୍ମୃତି ସବୁରେ ଅଟକି ଯାଇଥିଲା ସେ। ଦେଖୁ ଦେଖୁ ଛଅ ମାସ ବିତି ଯାଇଥିଲା । କିନ୍ତୁ ଦୁଃଖ ସବୁ ଠିକ ସେଇପରି ଥିଲା ତାଜା। ଏବେ ସେ ମୋବାଇଲ ସେ ଫେସବୁକ ଦେଖିବାକୁ ଡର ଲାଗୁଥିଲା ତାକୁ। ଲଳିତର ସବୁ ପୋଷ୍ଟିଂଗ କେବଳ ଜନ୍ତ୍ରଣା ଦେଉଥିଲା । ସେ ଯନ୍ତ୍ରଣାର ଅନ୍ତ ହି ନଥିଲା। ଦିନେ ଅନ ଫ୍ରେଣ୍ଡ କରି ଦେଲା ସେ ଲଳିତକୁ। ସେଦିନ କିନ୍ତୁ ଖୁବ କାନ୍ଦିଥିଲା ଲିସା। ସବୁ ଶେଷ। ଅନେକ ଲୁହ ବୋହି ଗଲା ପରେ ନିଜକୁ ଟିକେ ହାଲୁକା ଲାଗିଥିଲା। 


ଏକ ସମ୍ପର୍କକୁ ତିଆରି କରି ଅଗଣତାନ୍ତ୍ରୀକ ଭାବେ ଏକ ତରଫା ନଷ୍ଟ କରିଦେବା ଲଳିତର ଭୁଲ। ତେବେ ସେ ତାର ଭୁଲ ପାଇଁ ନିଜକୁ କାହିଁକି ଏତେ ଦିନ ଧରି କଷ୍ଟ ଦେଉଛି ସେ। ନିଜକୁ ବୁଝାଏ ଲିସା। ହେଲେ କିଛି ସମୟ ପରେ ପୁଣି ସେହି ଦୁଃଖଦ ଅତୀତର ଛାଇ ତାକୁ ଗ୍ରାସ କରି ବସେ। ଖୁବ ଛଟ ପଟ ହୁଏ ସେ ହେଲେ ନିଜକୁ ମୁକୁଳେଇ ପାରେନା।

ୟୁ ଟ୍ୟୁବର ସବୁ ତକ ମୋଟିଭେସନାଲ ଭିଡିଓ, ଗୁଗୁଲର ଯେତେ ହାଉ ଟୁ ରେକଭର ଫ୍ରମ ଏ ବ୍ରେକ ଅପ ବ୍ଲଗସ ସବୁ ସରି ଯାଉଥାଏ ହେଲେ ଭରୁ ନ ଥାଏ ଲିସା ମନରୁ ସେ ବିଶ୍ୱାସଘାତକତାର କ୍ଷତ। 


ଅତୀତର କଷ୍ଟ ଦାୟକ ସ୍ମୃତି ସହ ଅନେକ ସଂଘର୍ଷ ପରେ କିଛି ଦୀର୍ଘ ସ୍ୱାସ ଓ କେଇ ବୁନ୍ଦା ଲୁହକୁ ପୋଛି ଦେଇ କେତେ ବେଳେ ଶୋଇପଡିଥିଲା ସେ। 

ଛାତି ଭିତରରେ ଭୀଷଣ ଗୋଟେ ଯନ୍ତ୍ରଣା ତାକୁ ନିଦରୁ ଡାକି ଦେଲା। ଠିକ ଅନୁଭବ କରିପାରିଲା ଲିସା ଏ ସେଇ ରାତିର ଯନ୍ତ୍ରଣା ଯାହା କେବେ ବି ସରୁନି। 

ଲୁହ ଛଳ ଛଳ ଆଖିରେ ବେଡ଼ ଉପରେ ଉଠି ବସିଲା ସେ। ମୋବାଇଲ ଦେଖିଲା ସମୟ ରାତି ତିନି। ଚାରି ଆଡେ ନିଶବ୍ଦ। ଖୁବ ଶାନ୍ତିରେ ପଡିଛନ୍ତି ସମସ୍ତେ । କିନ୍ତୁ ତାକୁ ଏ ଯନ୍ତ୍ରଣାରୁ ମୁକ୍ତି କାହିଁ। କାହିଁ ଅବା ଶାନ୍ତି।

ଚକା ପାରି ବେଡ ଉପରେ ବସିଗଲା ସେ। ଆଖି ବନ୍ଦ କଲା। ତତଲା ଲୁହ ଦୁଇ ଧାର ଖସି ପଡ଼ିଲା ତା ଗାଲ ଉପରକୁ। ଶାନ୍ତିର ସନ୍ଧାନରେ ନିଜ ମନକୁ ସ୍ଥିର କରିବା ପାଇଁ ନିଜ ଦୁଇ ଭ୍ରୁ ମଝିରେ ମନ କେନ୍ଦ୍ରିତ କଲା ସେ। ମନେ ପକେଇବାକୁ ଚେଷ୍ଟା କଲା ମନକୁ ନିୟନ୍ତ୍ରଣ କରିବା ପାଇଁ ସେ ପଢିଥିବା ବ୍ଲଗ ସବୁ। ଶୁଣିଥିବାମୋଟିଭେସନାଲ ଭିଡିଓ ସବୁ। ଚିଂହୁ ଥିଲା, ଗଣୁ ଥିଲା ଅସ୍ତ ବ୍ୟସ୍ତ ମନରେ ଉଙ୍କି ମାରୁଥିବା ଭାବନାର ଲହଡି ସବୁକୁ। ଧୀରେ ଧୀରେ କେନ୍ଦ୍ରୀଭୂତ ହେଇ ଯାଇଥିଲା ସେ ମନର ଗଭୀର ଇଲାକାରେ। 


" ଲିସା, ଶୁଣ। ଏତେ ଅସ୍ତିରତା କାହିଁକି। କଣ ହେଇକି ତୋର। କାହିଁକି ହଜେଇ ଦେଇଚୁ ତ ମନର ନିୟନ୍ତ୍ରଣ। କାହିଁକି କାହା ହାତରେ ଦେଇ ଦେଲୁ ତୋ ଖୁସିର ଚାବି କାଠି। ତୁ କଣ ଭାବୁଛୁ ତୋର ଗୋଟିଏ ମନ କି ଯାହା ଭାଙ୍ଗି ଯାଇଛି ନାଁ। ଆମର କଣ କେବଳ ଗୋଟିଏ ମନ ଥାଏ କି। ଭୁଲ। ଟିକେ ଗହେରେଇକି ଦେଖ। ଆମର ଅନେକ ମନ ଥାଏ, ଝିଅର ମନ, ବନ୍ଧୁର ମନ, ପ୍ରେମିକାର ମନ, ସ୍ତ୍ରୀର ମନ ପୁଣି ମାଆର । ପରିସ୍ଥିତି ଅନୁସାରେ ହିଁ ଆମେ ଏହି ସବୁ ମନକୁ ତିଆରି କରିଥାଉ। ଏବଂ ଆବଶ୍ୟକତା ଅନୁସାରେ ହିଁ ଗୋଟିଏ ମନରୁ ଆଉ ଏକ ମନକୁ ଲମ୍ପ ପ୍ରଦାନ କରୁ। ଠିକ ଗୋଟିଏ ଭୂମିକାରୁ ଆଉ ଏକ ଭୂମିକାରେ ଅଭିନୟ କରିଲା ପରି। ତୋ ପ୍ରେମିକାର ମନଟି ସେତେବେଳେ ତିଆରି ହୋଇ ଥିଲା ଯେତେବେଳେ ଯାଏଁ ତୁ ପ୍ରେମରେ ଥିଲୁ, ଯେତେ ବେଳେ ସେ ପ୍ରେମ ଆଉ ନାହିଁ, ତେବେ ପ୍ରେମିକା ଆଉ ଆସିଲା କେଉଁଠି। ସେ ଏବେ ମୃତ। ଏକ ମୃତ ମନ ପାଇଁ ଦୁଃଖ କାହିଁକି। କାହିଁକି ଏତେ ଅନୁଶୋଚନା। ବରଂ ଖୋଜି ଦେଖ ତୋର ଅନ୍ୟ ସବୁ ମନ ବେଶ ଭଲ ଭାବରେ ରହିଚି, ଏକ ଛାତ୍ରୀର ମନ, ଏକ ବାନ୍ଧବୀର ମନ, ଏକ ଝିଅର ମନ। ସବୁ ବେଶ ସୁରକ୍ଷିତ। ପୁଣି ଏକ ମୃତ ମନ ଏକ ମୃତ ଭୂମିକା ପାଇଁ ଅନ୍ୟ ମନଗୁଡିକୁ କାହିଁକି ଏତେ କଷ୍ଟ ଦେଉଛୁ ତୁ। ତୁ ହିଁ ତ ସେ ପ୍ରେମିକାର ମନଟିର ସ୍ରଷ୍ଟା। ଯଦି ଇଛା କରିବୁ ବା ଆବଶ୍ୟକ ମନେ କରୁ, ପୁଣି ଥରେ ଆଉ ଏକ ପ୍ରେମିକାର ମନ ତୁ ହିଁ ତିଆରି କରି ଦେଇପାରିବୁ। ଏଥିରେ ଏତେ ବ୍ୟସ୍ତ ହେବାର କଣ ଅଛି। 


ଦେଖ, ଯଦିବି ତୋ ପାଖରେ ଥିବା ସବୁତକ ମନଙ୍କର ମୃତ୍ୟୁ ହୋଇଯାଏ । ତେବେ ବି ତୋର ଦୁଖୀ ହେବାର କିଛି ନାହିଁ। କାରଣ ସେ ସବୁ ତକ ମନର ସ୍ରଷ୍ଟା ତୁ ହିଁ ସୁରକ୍ଷିତ ଅଛୁ। ତୋତେ ଏ ସବୁ କିଛି ଫରକ ପଡୁଛି କାହିଁକି,ମନ ଭାଙ୍ଗୁ କି ନ ଭାଙ୍ଗୁ। ତୁ କେବେ ଲକ୍ଷ୍ୟ କରିଛୁ, ତୋ ଜୀବନର ଏହି ଝୁଣ୍ଟି ପଡିଥିବା ମୁହୂର୍ତ୍ତ ପୂର୍ବରୁ ତୁ କେମିତି ଥିଲୁ ଆଉ ଆଜି କେମିତି। କେମିତି ତୁ ଝୁଣ୍ଟି ପଡି ରକ୍ତାକ୍ତ ହୋଇ ଉଠିବା ଶିଖିଗଲୁ। ଶିଖିଗଲୁ ନିଜ ମନକୁ ନିୟନ୍ତ୍ରଣ କରିବାର କଳା। କେତେ କଣ ଶିଖିଲୁଣି ଏ ଭିତରେ ତୁ। ଝୁଣ୍ଟି ପଡି ନଥିଲେ କଣ କେବେ ଶିଖିପାରି ଥାନ୍ତୁ। ଏ ଘଟଣାଟିକୁ ଜୀବନ ଯାତ୍ରାରେ ଏକ ଅନୁଭବ ଭାବରେ ଗ୍ରହଣ କରି ୟା ଠାରୁ ଶିକ୍ଷା ନେଇ ଆଗେଇ ଯାଉନୁ କାହିଁକି। କାହିଁକି ନିଜକୁ ଅନାବଶ୍ୟକ ଭାବରେ କଷ୍ଟ ଦେଉଛୁ। ଯା ଛାଡ଼ିଦେ ଅତୀତର ଦୁଃଖକୁ, କ୍ଷମା କରିଦେ, ଭୁଲି ଯା ।ବର୍ତ୍ତମାନରେ ପାଦ ଦେଇ ଭବିଷ୍ୟତକୁ ଲମ୍ପ ଦେବା ସମୟ ପରା ଏବେ। ଯା ..."

ଆଖି ଖୋଲି ଚାରି ଆଡକୁ ଚାହିଁଲା ଲିସା। ଅନେକ ସମୟ ଧରି କିଏ ତାକୁ ଏତେ ବଡ଼ ଶିକ୍ଷା ଦେଇ ଗଲା। କିଏ ସିଏ। କିଏ ତେବେ ସେ କଣ ମୁଁ, ମୁଁ ନିଜେ କି।

ମନ ଭିତରରୁ ସବୁ ତକ କଷ୍ଟ ଧୋଇ ହେଇ ଯାଇଥିଲା। ଛାତି ଭିତରେ ଏକ ବଡ଼ ଝଡ଼ ଯେମିତି ଘୁରି ଘୁରି ଶାନ୍ତ ପଡି ଯାଇଥିଲା। ଉଠି ଯାଇ ଝରକା ଖୋଲି ଦେଲା ଲିସା। ଦଲକାଏ ଥଣ୍ଡା ପବନ ସତେଜ କରିଦେଲା ତା ମନକୁ। 

" ମୋ ଜୀବନ ଯାତ୍ରାରେ ଏତେ ବଡ଼ ଶିକ୍ଷା ପାଇଁ ତୁମକୁ ବହୁତ ଧନ୍ୟବାଦ ଲଳିତ। ଆଉ ତୁମକୁ ଭୁଲିବା ପାଇଁ ଆଉ ସଂଘର୍ଷ କରିବାକୁ ପଡିବ ନି। ତୁମେ ରହିବ ସବୁବେଳେ ମୋ ଛାତି ଭିତରେ ମୋ ଜୀବନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ର ଚିନ୍ହ ହେଇ । ଥାଙ୍କସ। ଖୁସିରେ ଥାଅ।" ହସର ଧାରାଟିଏ ଖେଳି ଗଲା ଲିସା ଓଠରେ। 

ଏବେ ବହୁତ କାମ ବାକି ରହି ଗଲାଣି । ଦୀର୍ଘ ଦିନ ପରେ ନିଦ ଭାଙ୍ଗିଛି। ଯିବାକୁ ହେବ ଆଗକୁ ଆଗକୁ। ଜୀବନଟା ଖୁବ ଛୋଟ । ନାଁ ଆଉ ସମୟ ନଷ୍ଟ କରି ଲାଭ ନାହିଁ। ନିଜକୁ ଶୁଣେଇ ତର ତର ହୋଇ କଲେଜ ପାଇଁ ରେଡି ହେବାକୁ ବାହାରିଗଲା ଲିସା। ଲାଗୁଥିଲା ନୂଆ ସକାଳର ସୂର୍ଯ୍ୟ ବି ପୂର୍ବରୁ ପଶ୍ଚିମକୁ ଯିବା ପାଇଁ ଖୁବ ତର ତର ହେଉଥିଲେ। 



Rate this content
Log in

More oriya story from Rajabala Tripathy

Similar oriya story from Tragedy