Rajabala Tripathy

Others

4.8  

Rajabala Tripathy

Others

କାଗଜ ଡଙ୍ଗା

କାଗଜ ଡଙ୍ଗା

4 mins
416



"ବର୍ଷା ଋତୁ ମୋ ଫେବ୍ରେଟ ଋତୁ। କାହିଁକି କୁହତ" ଚିନାବାଦାମ କାଗଜ ଠୁଙ୍ଗାକୁ ଫୋଲଡ଼ କରୁ କରୁ ଲୋରୀ ବିଭୁକୁ ପଚାରିଲା। ସେଦିନର ବର୍ଷା ଭିଜା ଅପରାହ୍ଣ ସେମାନଙ୍କର କଟୁଥିଲା ପାର୍କରେ। ମେଞ୍ଚାଏ କଳା କଳା ବାଦଲକୁ ଧରି ଆକାଶ ଖୁବ ଥମ ଥମ ଲାଗୁଥିଲା। ସତେକି ଏହି ମାତ୍ର ଝର ଝର ହୋଇ କାନ୍ଦି ପକେଇବ ।  


"କାହିଁକି.. ମା ଭଲ ପକୋଡା ବନାନ୍ତି ବୋଧେ" ଠୁଙ୍ଗାଏ ଚିନାବାଦାମ ଚୋବେଇ ସାରି ନେକ୍ସଟ ଆଇଟମ ଭାବେ ଆଳୁ ଚିପ୍ସର ଏକ ବଡ଼ ପ୍ୟାକେଟ ଖୋଲୁ ଖୋଲୁ ବିଭୁ କହିଲା। 


" ହେ ନାଁ ମ । ଡଙ୍ଗା ତିଆରି କରିବା ମୋ ପିଲା ଦିନର ଅଭ୍ୟାସ। ବର୍ଷା ଆସିଲେ କାଗଜ ଡ଼ଙ୍ଗା ତିଆରି କରି ପ୍ରଥମ ବର୍ଷାର ପାଣିରେ ଭସେଇ ଦେବାକୁ ମୋ ମନ ଅଥୟ ହୁଏ । ବର୍ଷାରେ ଓଦା ହେଇ ବାପାଙ୍କଠୁ କେତେ ଯେ କାନ ମୋଡ଼ା ଖାଇଛି। କାଗଜ ଡ଼ଙ୍ଗାରେ ମୋ ଏକ୍ସ ପ୍ରେମିକର ନାଁ ସଙ୍ଗେ ମୋ ନାଁ ଲେଖି ନନ୍ଦନକାନନର କାଞ୍ଜିଆ ହ୍ରଦରେ ଭସେଇବାର ଅନେକ ମଧୁର ସ୍ମୃତି ବି ଅଛି" ପାର୍କର ଛୋଟ ଫାଉଂଟେନର ପାଣିରେ ଚିନାବାଦାମର କାଗଜ ଠୁଙ୍ଗାରେ ଡଙ୍ଗାଟିଏ କରି ଠେଲି ଦେଉ ଦେଉ ଲୋରୀ କହିଲା। 


" ୱା ବଢ଼ିଆ ତ , ତେବେ ସେ ମହାଶୟ ଦୁରେଇ ଗଲେ କାହିଁକି" ପାଖରେ ବସି ଚିପ୍ସ ଚୋବଉ ଚୋବଉ ବିଭୁ କହିଲା। ଆଜି କାଲି ସାଙ୍ଗ କମ ପ୍ରେମିକ ପ୍ରେମିକ ବେଶି ଲାଗୁଥିଲା ସେ ଲୋରୀକୁ। 


"ଖୁବ ପ୍ରଗାଢ ଥିଲା ସେ ପ୍ରେମ, ଭାବିଥିଲି ସାରା ଜୀବନ ପାଇଁ ଅଟକି ଯିବି ବୋଲି । ଭବିଷ୍ୟତର ସୁନ୍ଦର ସ୍ୱପ୍ନରେ ଆନମନା ହେଉଥିବା ମୋ ମନକୁ ଦୁଃଖର ସମୁଦ୍ରରେ ବୁଡ଼େଇ ଦେଇ ବାଟ କାଟି ଚାଲି ଗଲା ସିଏ । କାରଣ ମୁଁ କୁଆଡେ ସାଧାରଣ ଝିଅଙ୍କଠୁ ଖୁବ ଅଲଗା । ତାକୁ ଡର ଲାଗିଲା, ମୋ ବ୍ୟକ୍ତିତ୍ୱ ଆଗରେ ସେ ନ୍ୟୁନ ପଡିଯିବନି ତ । ତା ପୁରୁଷତ୍ୱର ଅହଂକାର ଆଗରେ ନିଜକୁ ସମର୍ପଣ କରିପାରିଲା ପରି ଭାବ ସେ ମୋ ଭିତରେ ପାଇଲା ନାହିଁ। ମୋ ଅଜାଣତରେ ସେ ଖୋଜିନେଲା ନିରୀହ ହରିଣୀ ପରି ସୁନ୍ଦରୀ ସୁକୁମାରୀଟିଏ । ସେ ଆଗେଇ ଗଲା କିନ୍ତୁ ମୁଁ ନିଜକୁ ଅଟକେଇ ରଖିଲି ସେଇ ସମାନ ଜାଗାରେ ଅନେକ ଦିନ ଧରି । ଧିରେ ଧିରେ ସମୟର ଗତି ସହ ମୁଁ ବି ଟାଣି ହେଇ ଚାଲିବାକୁ ଲାଗିଲି । ସମୟ ମୋତେ ଠେଲି ଠେଲି ପହଞ୍ଚେଇ ଦେଇଛି ଏଇ ଏଇଠି "


"ଓ, ତେବେ ମହାଶୟ ଜଣଙ୍କ ଏବେ କେଉଁଠି?"


"ପୃଥିବୀର କୌଣସି ଏକ କୋଣରେ ନିଶ୍ଚୟ, ହେଲେ ମୋ ପାଇଁ କେବଳ ଏକ ଝାପ୍ସା ସ୍ମୃତି" 


"ଆଛା, ଆଉ ଏବେ ....ଆଉ କେଉଁଠି ଅଟକି ଯିବାର ପ୍ଲାନ ଅଛି କି ନାହିଁ" ଖୁବ ଆଶାୟୀ ଦୃଷ୍ଟିରେ ଲୋରୀକୁ ଚାହିଁ କହିଲା ବିଭୂ।


"ଉଁ..ଉଁ...ମୋର ବିଚାରଧାରା ଆଉ ବ୍ୟକ୍ତିତ୍ୱକୁ ସହ୍ୟ କରିପାରିଲା ଭଳି ଏକ ଲକ୍ଷ୍ୟ ଏ ଯାଏଁ ମିଳିନି" ଲୋରୀର କଥାକୁ ସମର୍ଥନ କଲା ପରି ମେଘୁଆ ଆକାଶ ବିନ୍ଦୁ ବିନ୍ଦୁ ବର୍ଷିବାକୁ ଆରମ୍ଭ କରି ଦେଇଥିଲା। ବସିଥିବା ଜାଗାରୁ ଉଠିପଡ଼ିଲା ସେ। ଏବେ ଫେରିବାର ସମୟ।


ଡିପାଟମେଣ୍ଟରେ ଖୁବ ଧମାଲ ଚାଲିଥିଲା । ପିଜି ଫେୟାରୱେଲ ପାର୍ଟିରେ ସମସ୍ତେ ନିଜ ନିଜର ଶେଷ ଛାତ୍ରଜୀବନକୁ ମନ ଭରି ଉପଭୋଗ କରିବାକୁ ପ୍ରୟାସ କରୁଥିଲେ। ସେହି ସମୟ ସବୁକୁ କ୍ୟାମେରା ଲେନ୍ସରେ ବାନ୍ଧି ରଖି ଅଟକେଇ ଦେବା ପାଇଁ ବୃଥା ପ୍ରୟାସ ବି ଚାଲିଥିଲା। କେତେ କେତେ ପ୍ରତିଶୃତି ପାଣିରେ ଗାର ଭଳି ଭାଙ୍ଗୁଥିଲା ତ କେତେ ପୁଣି ନୂଆ କରି ତିଆରି ହେଉଥିଲା।


 ଏ ହୋ ହାଲ୍ଲାରୁ ଟିକେ ଦୁରେଇ ଯାଇ ହଲର ଗୋଟିଏ କୋଣରେ ହାତରେ କୋଲଡ଼ ଡ୍ରିଂକ୍ସ ଗ୍ଲାସଟେ ଧରି ଭିଡରୁ ଏକୁଟିଆ ବସିଥିଲା ଲୋରୀ। ଭାବୁଥିଲା ୟା ପରେ ପୁଣି କଣ। କେଉଁ ଦିଗକୁ ଟାଣି ନେବ ଜୀବନ। 


"ସ୍ମାଇଲ ପ୍ଲିଜ" ଝକ କରି କ୍ୟାମେରା ଫ୍ଲାସ କଲା ବିଭୁ। ଫୋଟୋ ଉଠେଇସାରି ପାଖ ଚେୟାରରେ ବସି ପଡ଼ିଲା। 


"ଆଉ ଆଗକୁ କଣ ପ୍ଲାନ, ମେରେଜ ନା ପାଠ ପଢା"


"କାହିଁ ତୁମର କଣ ମେରେଜ କରିବାର ଅଛି କି" ରସିକତା କରି ଲୋରୀ କହିଲା।


" ହଁ କରନ୍ତି ଯେ ହେଲେ ମୋର ତ ବେକାରୀ ଜୀବନ, ଘର ଚଳେଇଲା ପରି ଚାକିରିଆ ଝିଅଟେ ତ ଆଗେ ଯୋଗାଡ଼ କର।"


"ଆଛା, ବାହା ହେବାକୁ ଭାରି ମନ ତ" ହସି ହସି ଗଡି ଗଲା ଲୋରୀ। ବିଭୁ ବି ଖୁବ ହସିଲା। 


"ଲୋରୀ, ଆଇ ଲଭ ୟୁ" ଅଧାରୁ ହସ ବନ୍ଦ କରି ଖୁବ ସିରିୟସ ହେଇ କହିଲା ବିଭୁ। 


ହସୁ ହସୁ ଅଟକି ଗଲା ଲୋରୀ । ସତେକି କଣ୍ଟାଟେ ଛାତି ଭିତରେ ଫୋଡି ହେଇଗଲା। ଛାତି ଭିତରେ ଶୋଇ ରହିଥିବା ସ୍ମୃତି ସବୁ ହଠାତ ଜାଗ୍ରତ ହୋଇ ଜଳିବା ଆରମ୍ଭ କରିଦେଇଥିଲେ। କଣ ଉତ୍ତର ଦେବ କିଛି ବୁଝିପାରିଲା ନି ସେ। କେଜାଣି ସେ କଣ ଚାହେଁ ନିଜେ ବି ଜାଣେନା । ଗ୍ଲାସରେ ଥିବା ବାକି କୋଲଡ଼ ଡ୍ରିଙ୍କ ତକ ଗୋଟେ ନିଶ୍ୱାସରେ ଢ଼ୋକି ଲୁହରେ ଢଳ ଢଳ ହେଉଥିବା ଆଖିକୁ ଲୁଚେଇବା ପାଇଁ ଥରେ ବି ବିଭୁକୁ ନ ଦେଖି ସିଧା ଉଠି ପଡି ହଲରୁ ବାହାରି ଆସିଲା ଲୋରୀ।


 ସ୍ମୃତିମାନେ ସତରେ ଖୁବ ନିଷ୍ଠୁର , ଟିକିଏ କଥାରେ ନିଦରୁ ଉଠିପଡ଼ି ମନକୁ ଆକ୍ରମଣ କରି କ୍ଷତାକ୍ତ କରିପକାନ୍ତି, ଧେତ....ହଷ୍ଟେଲ ମୁହାଁ ହେଲାବେଳକୁ ଭାବି ହେଉଥାଏ ସେ।



"ଦିଦି ତୁମ ପାଇଁ ପାର୍ସଲଟେ ଆସିଛି।" ହଷ୍ଟେଲ ଗେଟ କିପର ଗେଟ ପାଖରେ ଅଟକେଇଦେଲା। ପିଜି ପରେ ପରେ ଜଣେ ଜୁନିଅରର ରୁମ ସେୟାର କରି କିଛି ମାସ ପାଇଁ କମ୍ପିଟେଟିଭ ପ୍ରିପାୟର କରୁଥାଏ ଲୋରୀ। 


ମୋ ନାଁରେ ପାରସଲ । କିଏ ପୁଣି ପଠେଇବ । ଗତ ମାସ ଘରୁ ଆସିଲା ପରେ ଘରୁ କୌଣସି ପାର୍ସଲ ଆସିବାର ସମ୍ଭାବନା ନାହିଁ। କାଗଜ ଲଗା ସୁନ୍ଦର ଚାରିକୋଣିଆ ଡବାର ପାର୍ସଲଟେ ହାତରେ ଧରେଇଦେଲା ଗେଟ କିପର। ପଠେଇବା ଲୋକର ଠିକଣା ପଢି ଚମକି ପଡିଲା ଲୋରୀ, ବିଭୁଦତ୍ତ ଜେନା, ମାହାଙ୍ଗା, କଟକ। 


ଖୁବ ଯତ୍ନରେ ପାର୍ସଲ ଖୋଲିଲା ସେ । ଭିତରେ ଥିଲା ରଙ୍ଗୀନ ଅଏଲ ପେପରରେ ତିଆରି ସୁନ୍ଦର କାଗଜର ଡଙ୍ଗାଟିଏ, ଯାହାର ଗୋଟିଏ ପାର୍ଶ୍ଵରେ କଲମରେ ଲେଖାଯାଇଛି ବିଭୁ, ଆଉ ଅନ୍ୟ ଏକ ପାର୍ଶ୍ଵରେ ଲୋରୀ। ତା ସହ ଚାରି ଚଉତା ଛୋଟ ଚିଠିଟିଏ। ଥରିଲା ହାତରେ ଚିଠିଟି ଖୋଲିଲା ଲୋରୀ।


ଲୋରୀ,

ମୁଁ ଜାଣେନା ତୁମ ଯାତ୍ରାପଥର ଲକ୍ଷ୍ୟ କେଉଁଠି। କିନ୍ତୁ ମୁଁ ତୁମ ପାଖରେ ହିଁ ଅଟକି ଯାଇଛି। ଆଉ ସାରା ଜୀବନ ଅଟକି ଯିବାର ନିଷ୍ପତ୍ତି ବି ନେଇ ଯାଇଛି। ତୁମକୁ ଆଉ ତୁମ ଦୁଃଖ ଭରା ଅତୀତର ସ୍ମୃତିକୁ ନିଜର କରିବାକୁ ଚାହେଁ। ତୁମ ବର୍ତ୍ତମାନ ଆଉ ଭବିଷ୍ୟତର ଅଂଶ ହେବାର ସୌଭାଗ୍ୟ ତୁମେ ମୋତେ ଦେବ କି ନାହିଁ ମୁଁ ଜାଣେନା। କାଗଜ ଡଙ୍ଗାଟିଏ ପଠେଇଲି ଯଦି କେବେ ମୋ ପାଖରେ ଅଟକି ଯିବାର ନିଷ୍ପତ୍ତି ନିଅ, ଅପେକ୍ଷା କରିବ ମୌସୁମୀର ପ୍ରଥମ ବର୍ଷା ସହ ମୁଁ ଫେରିବି । ଏଇ କାଗଜ ଡଙ୍ଗାଟି ମିଶିକି ଭସେଇବା କାଞ୍ଜିଆ ହ୍ରଦର ପାଣିରେ...

ପି ଏଚ ଡି ଜଏନ କରିବା ପାଇଁ ଆଇ ଆଇ ଟି ମୁମ୍ବାଇ ଯାଉଛି। ତଳେ ମୋର ଠିକଣା ଦେଉଛି। ତୁମଠୁ ଅନାଵନା ଶବ୍ଦ ଧାଡିଏର ପ୍ରତୀକ୍ଷାରେ । 

            ବିଭୁ


ଛାତି ଭିତରର ଅଂଶ ସବୁ ଵତୁରି ଯାଉଥିଲା ଲୋରୀର। ସତେକି ମୌସୁମୀର ଅନେକ ପୂର୍ବରୁ ଝିମ ଝିମ ବର୍ଷା ବର୍ଷି ଯାଇଛି ତା ଛାତି ଭିତରେ। ଏବେ ଚାରି ପାଖରେ କେବଳ ଭିଜା ମାଟିର ମିଠା ମିଠା ବାସ୍ନା । ଅନେକ ଦିନ ଧରି ମନରେ ଜମାଟ ବାନ୍ଧି ଥିବା ଦୁଃଖର କଳା ବାଦଲ ବର୍ଷି ଯାଉଥିଲା ତା ଆଖିରୁ ଲୁହ ହୋଇ। ସ୍ନେହରେ ଆଉଁସି ଆଣିଲା ସେ କାଗଜ ଡଙ୍ଗାଟିକୁ ସେ। ଧିରେ ଓଠରେ ଛୁଇଁ ଦେଲା କାଗଜ ଡ଼ଙ୍ଗାରେ ଲେଖା ଯାଇଥିବା ବିଭୁ ନାଁ ଟିକୁ। 


"ଅପେକ୍ଷା ରେ...." ଗଭୀର ଆବେଗରେ ଡଙ୍ଗାଟିକୁ ଛାତିରେ ଚାପି ଧରି କେହି ନ ଶୁଣିଲା ପରି ଉଚ୍ଚାରଣ କଲା ସେ।




Rate this content
Log in