ପ୍ରେମର ଭିନ୍ନ ଏକ ରଙ୍ଗ
ପ୍ରେମର ଭିନ୍ନ ଏକ ରଙ୍ଗ
"ମୁଁ ତୁମକୁ ଭଲ ପାଏ" ୟୁନିଭରସିଟି କ୍ୟାଣ୍ଟିନରେ ଆମ ସାମ୍ନାରେ ସଦ୍ୟ ପରଶା ଯାଇଥିବା କଫି ମଗର ଗରମ କଫିର ବାସ୍ନାରେ ବୁଡି ଯାଇଥିବା ମୋତେ ଚମକେଇ ଦେଇ ସିଏ କହିଲା ।
"ୱା..ହ୍ଵାଟ ଏ କୋଇନସିଡ଼େନ୍ସ..ମୁଁ ବି ମୋତେ ଭଲ ପାଏ" ମୁଁ କହିଲି। ପ୍ରେମର ବିଭିନ୍ନ ରଙ୍ଗ ଦେଖି ଦେଖି କେବେ ଅବିଭୂତ ତ ପୁଣି କେବେ ଆଚମ୍ବିତ ହେଇ ହେଇ କେତେବେଳେ ଯେ ମୁଁ ନିଜକୁ ଭଲ ପାଇବା ଶିଖିବା ଆରମ୍ଭ କରି ଦେଇଥିଲି, ଠିକ ବାଟ ହୁଡା ପଥିକଟି ଘରକୁ ଫେରି ଆସିଲା ପରି ।
"ମାନେ" କିଛି ନ ବୁଝିପାରିଲା ପରି ସିଏ କଫି ମଗଟି ଧରି ମୋତେ ଚାହିଁ ରହିଲା।
"ମାନେ.. ମୁଁ ନିଜକୁ ବୁଝେ, ନିଜକୁ ଯତ୍ନ କରେ। ଖାଲି ଶରୀରକୁ ନୁହେଁ ମୋ ମନଟିର ଢେର ଯତ୍ନ ମଧ୍ୟ ନିଏ। ନିଜକୁ ସମୟ ଦିଏ। ଝୁଣ୍ଟି ପଡିଥିବା ସମୟ ଗୁଡ଼ିକରେ ନିଜକୁ ନିଜେ ସାହାରା ଦିଏ। ଲୁହ ଛଳ ଛଳ ମୁହୂର୍ତ୍ତଗୁଡିକରେ ନିଜ ପାଇଁ ନିଜେ କାନ୍ଧ ପାଲଟି ଯାଏ। ଅସୁରକ୍ଷିତ ସମୟଗୁଡିକରେ ପାଲଟି ଯାଏ ନିଜେ ନିଜର ଢାଲ। କେବେ ନିଜକୁ ସରପ୍ରାଇଜ ଗିଫ୍ଟ ଦେଇ ଖୁସି କରାଏ ତ ପୁଣି କେବେ ନିଜକୁ ସ୍ନେହରେ ଆଉଁସି ଦିଏ ବି। ହଁ ମୁଁ ନିଜେ ନିଜକୁ ଅନେକ ଭଲ ପାଏ । ନିଜକୁ ଭଲ ପାଇବା, ନିଜକୁ ବୁଝିବା ଦୁନିଆକୁ ଭଲ ପାଇବା ଆଉ ବୁଝିବାର ପ୍ରଥମ ଓ ଆଵଶ୍ୟକୀୟ ସୋପାନ ନୁହେଁ କି??"
"ତେବେ ..." ଅସମ୍ପୂର୍ଣ୍ଣ ରହିଗଲା ସିଏ।
" ମୋ ପ୍ରତି ତୁମ ମନରେ ଥିବା ସଦ ଭାବନା ପାଇଁ ତୁମକୁ ଧନ୍ୟବାଦ। ଆଉ ତୁମର ସ୍ପଷ୍ଟବାଦିତା ପାଇଁ ମଧ୍ୟ। ପ୍ରତ୍ୟେକ ମଣିଷ ନିଜ ନିଜର ଭାବନା ପାଇଁ ମୁକ୍ତ। କାହା ମନର ଇଲାକାରେ ପ୍ରେମର ମଞ୍ଜିଟିଏ ପୋତି ପ୍ରତ୍ୟାଶାର ଦ୍ରୁମଟିଏ ଆକାଂକ୍ଷା କରିବାର ଅଯୌକ୍ତିକ ନୁହେଁ କିନ୍ତୁ ତାହା ଯେ ନିହାତି ଅପରିହାର୍ଯ୍ୟ ହେବ, ଏହା ମଧ୍ୟ ଠିକ ନୁହେଁ। ତେବେ ତୁମର ସେହି କ୍ଷୁଦ୍ର ଆଶାଟି ବଢି ବଢି ତୁମକୁ ତୁମଠାରୁ ଅଲଗା କରି ଏସିଡ କି ନିଶା ବୋତଲ ଯେପରି ଧରେଇ ନ ଦିଏ ଏଇଟା ନିଶ୍ଚିତ କରିବା ଦାୟିତ୍ୱ ତୁମର। ତୁମେ ନିଜକୁ ଭଲ ପାଇବା ଆରମ୍ଭ କଲେ ଏପରି କୌଣସି ବୋତଲର ଆଵଶ୍ୟକତା ପଡିବ ନାହିଁ ଯେ" ଶେଷ କେଇ ଧାଡି ବେଳକୁ ଉଭୟ ହସିବା ଆରମ୍ଭ କରି ଦେଇଥିଲେ।
"ଥ୍ୟ।ଙ୍କସ" କିଞ୍ଚିତ ଅଭିମାନି ଥିଲା ତା ସ୍ୱର।
"ମୋଷ୍ଟ welcome ବନ୍ଧୁ, ଚିୟରସ୍" ତା କଫି ମଗରେ ମୋ ମଗ ଛୁଏଁଇ କହିଲି।
ତାର ବିବ୍ରତପଣ ପୁରା କଟି ନ ଥିଲା। କିନ୍ତୁ ଭାବନା ରାଜ୍ୟରେ ସୂର୍ଯ୍ୟୋଦୟର ଲାଲିମା ଫୁଟି ଉଠିବାର ଉପକ୍ରମଣ ମୋତେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା।