Rajabala Tripathy

Inspirational

2  

Rajabala Tripathy

Inspirational

ଦୌଡ଼

ଦୌଡ଼

6 mins
595



ଏକ ବିସ୍ତୃତ ପଡିଆ । ପଡ଼ିଆର ଗ୍ୟାଲାରୀରେ କୋଣ ଅନୁକୋଣରେ ଖଚା ଖଚ ଲୋକ ଭିଡ଼। ଘୋ ଘୋର ଶବ୍ଦରେ ପ୍ରକମ୍ପିତ ପୁରା ପରିବେଶ । ଏହି ପରି ମୁହୂର୍ତ୍ତରେ ସିଏ ନଇଁ ପଡ଼ିଛି ଟ୍ରାକ ଉପରେ, ଅପେକ୍ଷା କେବଳ 'ଗୋ'ର ହୁଇସିଲକୁ। ତା ପରେ ଧନୁରୁ ତୀର ଛୁଟିଲା ପରି ଚାଲିବ ଦୌଡ଼। ଧଇଁ ସଇଁ ହୋଇ। ଲକ୍ଷ୍ୟ କେବଳ ସେଇ ରିବନ। ପାଖକୁ ପାଖେଇ ଆସୁଛି ସେ। ହଁ ବହୁତ ପାଖ। ଉତ୍କଣ୍ଠାରେ ବଢ଼ି ଯାଉଛି ଛାତିର ସ୍ପନ୍ଦନ। ପାଖକୁ ଆହୁରି ପାଖକୁ ଖୁବ ନିକଟରେ ଲକ୍ଷ୍ୟ। ବାସ....।।

 ଭାଙ୍ଗିଯାଏ ରୁବିର ନିଦ। ଧେତ ଆଉ ନିଦ ଟିକେ ଅଟକି ଯାଇଥିଲେ ହୁଅନ୍ତା ନି କି। ଜଷ୍ଟ ଛୁଇଁବ ଛୁଇଁବ ହେଉଥିଲା ସେ ତାର ଲକ୍ଷ୍ୟକୁ। ବିରକ୍ତ ହୋଇ ବେଡ଼ ଉପରେ ଉଠି ବସି ପଡିଲା ରୁବି। ତାକୁ ଆହୁରି ବିରକ୍ତ କରି ଆଲାର୍ମ ଘଣ୍ଟା ବାଜି ଉଠିଲା । ଆରେ ସମୟ ହୋଇଗଲା ପ୍ରାକ୍ଟିସ ପାଇଁ ବାହାରି ଯିବାକୁ ହେବ। 

ଇଂଲିଶ ଅନର୍ସର ପ୍ରଥମ ବର୍ଷର ଛାତ୍ରୀ ରୁବି। ପାଠଠୁ ଖେଳ କୁଦରେ ବେଶ ଆଗ୍ରହୀ। ଜିଲ୍ଲା ସ୍ତରୀୟ ରନିଂ ଚାମ୍ପିୟାନ ସିଏ। ଲକ୍ଷ୍ୟ ତାର ଷ୍ଟେଟ ଲେଭେଲ ପରେ ନେସନାଲ ଲେଭେଲ । ତା ସହ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ରିପ୍ରେଜେଣ୍ଟ କରିବା । ଦୌଡ଼ ରାଣୀ ପି ଟି ଉଷାଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରି ଆଗେଇ ଚାଲିଛି ସେ। ହେଲେ ଏତିକି ବାଟ ଆସିବା ପାଇଁ କମ ସଂଘର୍ଷ କରିବାକୁ ପଡିନି ତାକୁ। 

"ମାଇପି ଝିଅଟେ ଅଣ୍ଡିରାଙ୍କ ପରି ଏତେ ଖେଳ କୁଦ କଣ" ଜେଜିମା ଆକଟ କରି କହିଥିଲା।

" ଯେତିକି ହେଲା ହେଲା ଆଉ ଏ ସବୁକୁ ମନ ବଳାନା । ପାଠ ଶାଠରେ ମନ ଦେ" ବାପା ବୋଉ କହି ଦେଇଥିଲେ।

ମନମାରି ଅନେକ ଦିନ ରହିଯାଇଥିଲା ରୁବି। ଝିଅଟିକୁ କଣ ସ୍ବପ୍ନ ଦେଖିବା ମନା। ତାର କଣ ଆଗକୁ ବଢିବାର କୌଣସି ଅଧିକାର ନାହିଁ। ମନରେ ଉଠୁଥିବା ଏ ପ୍ରଶ୍ନ ଗୁଡିକର ଉତ୍ତର କାହାଠୁ ପାଇ ନଥିଲା ସିଏ। ସାମାଜିକ ବ୍ୟବସ୍ଥା ପାଦରେ ତାର ଜଞ୍ଜିର ଭଳି ଛନ୍ଦି ହେଇ ଯାଇଥିଲା। ଯେତେ ଭିଡି ମୋଡି ହେଉଥିଲା ସେତେ କ୍ଷତାକ୍ତ ହେଉଥିଲା ମନ।

ତାର ଏଇ ଦୂରବସ୍ଥାକୁ ଦୂର କରିବା ପାଇଁ ଦିନେ ଆସି ପହଁଚି ଥିଲେ ସାନ ମାମୁଁ। ଦୂର ଏକ ସହରରେ ଅଧ୍ୟାପକ ଭାବରେ କାମ କରୁଥିଲେ ସେ। ରୁବିର ମନକୁ ପଢି ପକେଇଥିଲେ ସଙ୍ଗେ ସଙ୍ଗେ । ଦେଖିଥିଲେ ତାର ସାର୍ଟିଫିକେଟ ଆଉ କପ ଭର୍ତି ଆଲମୀରା । ଜାଣିପାରିଥିଲେ ରୁବି ଯେ ଏକ ଉଦୀୟମାନ ପ୍ରତିଭା, ସୁବିଧା ସୁଯୋଗ ପାଇଲେ ସେ ନିଶ୍ଚିତ ଭାବରେ ଫୁଟି ଉଠିବ। "ଆଜି କାଲି ଝିଅମାନେ ବି କମ ନୁହଁନ୍ତି ଦିଦି, ଆକାଶରେ ଉଡିଲେଣି । ପୁଅମାନଙ୍କଠାରୁ ମଧ୍ୟ କେଇ ପାଦ ଆଗକୁ ଗଲେଣି। ସମାନ ସୁଯୋଗ ପାଇଲେ ଖାଲି ପରିବାରର ନୁହେଁ ଦେଶ ଜାତିର ମଧ୍ୟ ବିଶ୍ୱ ଦରବାରରେ ଟେକ ରଖୁଛନ୍ତି।" ଭିଣୋଇ ଭଉଣୀଙ୍କୁ ବୁଝେଇଥିଲେ ପରେଶ।

ରୁବି ଆମର ଖୁବ ପ୍ରତିଭାବାନ, ଢେର ନାଁ କରିବ। ତାଙ୍କ ଆଗକୁ ବଢ଼ିବାକୁ ଦିଅ। ତା ବାହାଘର କଥା ଜମା ବ୍ୟସ୍ତ ହୁଅନା। ଦେଖିବ ଦିନେ ଆମ ଝିଅକୁ ବାହା ହେବାକୁ କେତେ ବଡ଼ ବଡ଼ ଘରର ପୁଅଙ୍କର ଲାଇନ ଲାଗିବ"।

ବଡ଼ କଷ୍ଟରେ ରାଜି ହୋଇଥିଲେ ରୁବିର ବାପା ମାଆ, ହେଲେ ଜେଜେମାର ମନ ବୁଝିନ ଥିଲା। ମାଇକିନିଆ ଝିଅ ଧୀର ହେଉଲବ,ସ୍ଥିର ହେବ, ତଳକୁ ମୁହଁ ପୋତି ଚାଲିବ, ଏ ଉପର ମୁହିଁ ହୋଇ ଅଣ୍ଡିରାଙ୍କ ପରି ଧାଇଁବ କିଆଁ, ଏଇ କଥା ପଦକର ଅଟକି ଯାଇଥିଲା ଜେଜେମା। 

ଅନେକ ଯୁକ୍ତି ତର୍କ, ବୁଝା ମଣା ପରେ କଟକ ସ୍ପୋର୍ଟସ୍ ହଷ୍ଟେଲରେ ଯୋଗ ଦେଇଥିଲା ରୁବି । ସେଦିନ ଥିଲା ତା ପାଇଁ ତା ସ୍ୱପ୍ନର ଦିନ । ବିରାଟ ପଡିଆ, ତା ଭଳି ମାନସିକତାର ସାଙ୍ଗ ସାଥୀଙ୍କୁ ପାଇ ଖୁବ ଖୁସି ହୋଇଯାଇଥିଲା ସେ। ଚାଲିଥିଲା ରିତିମିତ ପ୍ରାକ୍ଟିସ । ବାନ୍ଧି ହୋଇ ଯାଇଥିଲା ସେ ତାର ରୁଟିନ ବନ୍ଧା ଜୀବନରେ। ଲକ୍ଷ୍ୟକୁ ଛୁଇଁବାର ନିଶା ଆହୁରି ଗାଢ଼ ହୋଇ ଆସୁଥିଲା। ଅନ୍ୟମାନଙ୍କ ଭିତରୁ ବେଶ ବାରି ହୋଇ ପଡୁଥିଲା ରୁବି। କୋଚମାନେ ଖୁବ ଆଶାବାଦୀ ଥିଲେ ତାର ଭବିଷ୍ୟତର ଜୀବନକୁ ନେଇ । ହଷ୍ଟେଲ ରୁମରୁ ଖେଳ ପଡିଆ ଭିତରେ କଟି ଯାଇଥିଲା ତାର ସମୟ। 


ପ୍ରାକ୍ଟିସ ପାଇଁ ଖେଳ ପଡିଆର ଗେଟ ପାଖରେ ପହଂଚୁ ପହଁଚୁ ପୁଣି ଥରେ ଭେଟ ହୋଇଗଲା ସେଇ ଆଖି ଦୁଇଟି ସହ। ଉଫଃ ପୁଣି ସିଏ। ନୀଳ ୟମାହା ବାଇକଟିକୁ ଆଉଜି ଛିଡା ହୋଇଥାଏ ପୁଅଟି। ସବୁଦିନ ପ୍ରାକ୍ଟିସ ପାଇଁ ପଡ଼ିଆକୁ ଯିବା ସମୟରେ ତା ସହ ଭେଟ ହୁଏ ରୁବିର। କିଛି କହିବ କହିବ ହେଉ ଥାଏ ତାର ସେଇ ଦୁଇ ଆଖି। ମୁହଁ ଫେରେଇ ଆଣି ପଡିଆ ଭିତରକୁ ପଶିଯାଏ ରୁବି। ଏମିତି ଚାଲିଥିଲା ବେଶ କିଛି ଦିନ ଧରି। ଦିନେ ହଠାତ ତା ରାସ୍ତା ରୋକି ଛିଡା ହୋଇଗଲା ସିଏ। ଅଟକି ଯାଇଥିଲା ରୁବି। ସିଏ କେମିତି ବା ଅଟକି ଗଲା। ନିଜେ ନିଜେ ଆଶ୍ଚର୍ଯ୍ୟ ହେଉଥିଲା ରୁବି। ଇଛା ନାଁ ଅନିଚ୍ଛା। ମନର ନିକିତିରେ ତଉଲୁ ତଉଲୁ ଇଛାର ତରାଜୁଟା ବେଶି ଓଜନିଆ ଲାଗୁଥିଲା ତାକୁ। ତେବେ କଣ ଏଇ ଭିତରେ ସେ ସେହି ଆଖି ଦୁଇଟିର ପ୍ରେମରେ ପଡି ଯାଇଛି। 

ଅଟକି ଯିବାର ପରବର୍ତ୍ତୀ ପର୍ଯ୍ୟାୟ ଗୁଡିକ ସ୍ୱତ୍ୱ ପ୍ରବୃତ୍ତ ଥିଲା। କୌଣସି ନିୟନ୍ତ୍ରଣକୁ ଅସ୍ବୀକାର କରି ଦ୍ରୁତ ଗାମୀ ଝରଣା ଭଳି କଳ କଳ ହୋଇ ବୋହି ଗଲେ ଭାବପ୍ରବଣତା ସବୁ। 

"ହାୟ ମୁଁ ଅମିତ। ମୋତେ ତୁମେ ଜଣନା । ହେଲେ ମୁଁ ତୁମକୁ ଭଲରେ ଜାଣେ" ହ୍ୟାଣ୍ଡସେକ ପାଇଁ ରୁବି ଆଡ଼କୁ ହାତ ବଢ଼ାଇଲା ଅମିତ । ଯେତେ ଅଟକେଇବାକୁ ଚେଷ୍ଟା କଲେ ବି ଅମାନିଆ ହାତ ତାର ଛନ୍ଦି ଗଲା ଅମିତର ହାତ ପାପୁଲି ସହ। ଅଳ୍ପ ହସି ପଡିଆ ଆଡକୁ ଚାଲିଗଲା ରୁବି।

ନିଶାଗ୍ରସ୍ତ ଲାଗୁଥିଲା ପୁରା ସକାଳରୁ ରାତି ଯାଏଁ ରୁବିକୁ। କେବଳ ପ୍ରତୀକ୍ଷା ରହୁଥିଲା ପୁଣି କାଲିର ସକାଳକୁ।

ପ୍ରେମ ଉବୁଟୁବୁ ଦିନ ସବୁ ପରେ ପରେ ତା ନିଦକୁ ଆଉ ଖେଳ ପଡ଼ିଆର ଗହଳିର ଶବ୍ଦ ଭରା ସ୍ବପ୍ନ ଆସୁ ନ ଥିଲେ । ସ୍ୱପ୍ନରେ ଆସୁଥିଲା ଗୋଟିଏ ଝାପ୍ସା ମୁହଁ ଆଉ କିଛି ମିଠା ମିଠା କଥା। "ଅମିତ" ନିଦରୁ ଉଠି ରୋମାଂଚିତ ହେଉଥିଲା ରୁବି। ଖେଳ ପଡ଼ିଆର ସୋର ଧୀରେ ଧୀରେ ଦୁରେଇ ଯାଉଥିଲା ତା କାନ ପାଖରୁ। ତା ବଦଳରେ ଆସନ ଜମେଇ ବସୁଥିଲା ଅମିତର ମିଠା କଥା ସବୁ। ଗୋଲଡ଼ ମେଡାଲର ସ୍ବପ୍ନସବୁକୁ ଧକ୍କାମାରି ସ୍ଥାନ ଚ୍ୟୁତ କରିବାକୁ ଚେଷ୍ଟା କରୁଥିଲେ ବିବାହର ସ୍ବପ୍ନ ସବୁ। ନିଜର ଏ ପରିବର୍ତ୍ତନରେ ଚମକି ପଡୁଥିଲା ରୁବି, ଚେଷ୍ଟା କରୁଥିଲା ମନକୁ ବାନ୍ଧି ରଖିବାକୁ ତାର ଲକ୍ଷ୍ୟରେ। 


"ମୁଁ କଣ କହୁଥିଲି କି, ମୋର ତ ଚାକିରୀ ହେଇଗଲା । ଏବେ ଘରେ ବାହାଘର କଥା କହିଲେ ଭଲ ହେବ ବୋଲି ଭାବୁଥିଲି । କଣ କହୁଛ"

ଷ୍ଟ୍ର ଲଗେଇ ଜୁସ ଗ୍ଲାସରୁ ଜୁସ୍ ପିଉ ପିଉ ଅଟକି ଗଲା ରୁବି । ବାହାଘର ..ହେଲେ ଏବେ ଏବେ ନେସନାଲ ଲେଭଲ କଂପିଟିସନ ପାଇଁ ମନ ଲଗେଇ ପ୍ରାକ୍ଟିସ କରୁଛି ସିଏ। ଏବେ କେମିତି । କଣ କହିବ ଭାବିପାରିଲା ନାହିଁ ସିଏ। 

"କଣ ଭାବୁଛ"

" ମୁଁ ଭାବୁଥିଲି ନେସନାଲ ଲେଭଲ ତ ଏବେ ଆଗକୁ ଅଛି। ତା ପରେ ଭାବିଲେ ହୁଅନ୍ତା ନି"

"ଆଛା ହେଉ" ଦର ମଉଳା ମୁହଁରେ ଉତ୍ତର ଦେଇଥିଲା ଅମିତ। ଆଗକୁ ଆଉ କଥା ବଢ଼େଇବାକୁ ଦେଇ ନଥିଲା ସେଦିନ ରୁବି। 


"ରୁବି, ତୁମେ ତ ଜାଣିଛ ମମିକୁ ଡିଆଁ କୁଦା କରୁଥିବା ଝିଅମାନେ ଜମା ପସନ୍ଦ ନୁହନ୍ତି। ଏ ସବୁରୁ ମିଳିବ କଣ । ଏ ସବୁ ଛାଡିଦେଲେ ହେବନି କି" ରୁବିକୁ ଚମକେଇ ଦେଇ ଦିନେ ପଚାରିଲା ଅମିତ।

"କଣ କହୁଛ, ଏ ସମ୍ଭବ ନୁହେଁ'

"ଆରେ ଶୁଣ ତ, ଦେଖ ଆଜି କାଲି ଏ ଦୌଡା ଦୌଡ଼ିରୁ ମିଳୁଛି କଣ କହିଲ, ରାଜି ହେଇ ଯାଅନା ପ୍ଲିଜ । ପ୍ଲିଜ ମୋ ପାଇଁ କେବଳ।" ହାତ ଧରି ଅଳି କରିଥିଲା ଅମିତ। " ତୁମେ କଣ ମୋତେ ଭଲ ପାଅନା"

ମୁଣ୍ଡ ବୁଲି ଯାଇଥିଲା ରୁବିର। ଟୁକୁରା ଟୁକୁରା ହୋଇ ଭାଙ୍ଗି ଯାଉଥିଲା ତାର ସ୍ବପ୍ନ ସବୁ। ତା ନୀରବତାକୁ ସମ୍ମତି ବୋଲି ଭାବି ନେଇଥିଲା ଅମିତ। ସେଦିନ ରାତି ଯାକ ନିଶବ୍ଦରେ ଢେର କାନ୍ଦି ଥିଲା ସେ। ଅମିତ ଆଉ ତାର ସ୍ବପ୍ନ, ଦୁଇଟି ଭିତରୁ କାହାକୁ ଛାଡିବ କାହାକୁ ବାଛିବ ଦ୍ଵନ୍ଦରେ ପଡୁଥିଲା ସେ। ଦୁହେଁ ଥିଲେ ତା ଜୀବନର ଅନ୍ତରଙ୍ଗ ଅଙ୍ଗ ଦୁଇଟି । 

ଏବେ ସେ ଖେଳ ପଡ଼ିଆ ଯାଉଥିଲା ଚୋରଙ୍କ ପରି ଲୁଚି ଲୁଚି । ଯଦି ଅମିତ ଦେଖି ନିଏ ତ, ଛାତି ଧଡ଼ ଧଡ଼ ହେଉଥିଲା ରୁବିର। ଅମିତକୁ ହରେଇବାର ଭୟ ଆଛନ୍ନ କରୁଥିଲା ତାକୁ। କିଛି ଦିନର ଛଟ ପଟ ଜୀବନ ପରେ ନିଜ ମନର ସ୍ୱରକୁ ଜୋର ଜବରଦସ୍ତ ଚାପି ଦେଇ ନିଜକୁ ନିଜର ନିଷ୍ପତ୍ତି ଶୁଣେଇ ଦେଇଥିଲା ସେ। ନାଁ ଏବେ ଖେଳ ପଡ଼ିଆକୁ ଭୁଲିବାକୁ ପଡିବ। ମନେ ମନେ ପ୍ରସ୍ତୁତ ହେଉଥିଲା ଆଗାମୀ ଭବିଷ୍ୟତ ପାଇଁ, ତାର ଆଉ ଅମିତର । ଅମିତର ଘର ତରଫରୁ ପ୍ରସ୍ତାବ ଯାଇଥିଲା ତା ଘରକୁ। ଅମିତର ବାପା ମାଆ ଭେଟିବାକୁ ଆସିଥିଲେ ତାକୁ। ଅମିତର ପରିବାର ଲୋକଙ୍କ ବ୍ୟବହାର କିଛି ଠିକ ଲାଗିନଥିଲା ତାକୁ। ତାର ମାଆ ଆଖିରେ ଆଖିରେ ଏମିତି ସ୍କାନ କରିଥିଲେ ତାର ପୁରା ଶରୀରକୁ ଯେମିତି କି କିଛି ଗୋଟେ କେମିତି ଭାଙ୍ଗି ଯାଇଛି ବା ଛିଣ୍ଡି ଯାଇଛି ତା ଭିତରେ ଯେହେତୁ ସେ ଜଣେ ଖେଳାଳି।

ଧୀରେ ଧୀରେ ସବୁ ଠିକ ହେଇଯିବ, ନିଜକୁ ନିଜେ ବୁଝାଉ ଥିଲା ରୁବି। 

"ମାଆ ସେମାନେ ଏତେ ବଡ଼ ଘର, ଆମକୁ ପସନ୍ଦ କରିବେ ତ" ଫୋନରେ ପଚାରି ଥିଲେ ରୁବିର ବାପା। ନିରୁତ୍ତର ରହିଥିଲା ରୁବି। ସେମାନେ ଘରୁ ବୁଲି ଚାଲିଗଲା ପରେ ବେଶ କିଛି ଦିନ ଚୁପ ଚାପ ଥିଲା ସବୁ। କମି ଯାଇଥିଲା ଅମିତର ଫୋନ କଲ। " ମୁଁ ଘର ଲୋକଙ୍କ ସହ କଥା ବାର୍ତା କରୁଛି" ନିଜ ତରଫରୁ ଫୋନ କଲେ ଏମିତି ସବୁ ଉତ୍ତର ମିଳୁଥିଲା ରୁବିକୁ। ଆଖପାଖର ପରିସ୍ଥିତି ତାକୁ ବେଶ ଅଦ୍ଭୁତ ଲାଗୁଥିଲା। କିନ୍ତୁ ଚାହିଁ ମଧ୍ୟ ପ୍ରକାଶ କରିପାରୁନଥିଲା ସେ ନିଜ ମନର ଭାଷା। ତାର ମସ୍ତିଷ୍କ ତାକୁ କିଛି ସନ୍ଦେଶ ଦେଉଥିଲା, ହେଲେ ତାକୁ ହୃଦୟ ଗ୍ରହଣ କରିବାକୁ ନାରାଜ ଥିଲା। 


ଅନେକ ଦିନ ପରେ ଦୁହେଁ ଖେଳ ପଡିଆ ବାହାରେ ମିଶୁଥିଲେ। ଅମିତ କଣ କହିବ ବୋଲି ଉତ୍କଣ୍ଠିତ ଥିଲା ରୁବି, ତା ସହ କିଞ୍ଚିତ ଶଙ୍କିତ ବି। କଣ ଗୋଟିଏ କହିବ କହିବ ହେଇ ରହି ଯାଉଥିଲା ଅମିତ। ତା ମୁହଁକୁ ଚାତକ ପରି ଚାହିଁ ରହିଥିଲା ରୁବି।

"ତୁମେ ତ ଜାଣ, ମମି ତୁମକୁ ପସନ୍ଦ କରେନା। ଝିଅ ପିଲା ଖେଳ କୁଦ କରିବା ତାର ଜମା ପସନ୍ଦ ନୁହେଁ। ତା ଛଡା ଘରଠୁ ବାହାରକୁ ଯାଇ ରହୁଥିବା ଝିଆମାନଙ୍କର ଚରିତ୍ର ଉପରେ ବି ତାର ସନ୍ଦେହ ଅଛି" ଦୋ ଦୋ ପାଞ୍ଚ ହୋଇ କହି ଚାଲିଥିଲା ଅମିତ।

" ଆଉ ମୁଁ ପରିବାର ବିରୁଦ୍ଧରେ ଯାଇ ତୁମକୁ ଗ୍ରହଣ କରିବା ଠିକ ହେବନି ।ତେଣୁ...."

ନିର୍ବାକ ହେଇ ଅମିତର କଥା ଶୁଣୁଥିଲା ରୁବି । କିଛି କଥା ଆଉ କାନକୁ ଶୁଣା ଯାଉ ନଥିଲା। ଧୀରେ ଧୀରେ ପାଲଟି ଯାଉଥିଲା କୋଲହଳରେ । ସେ କୋଳାହଳ ଆହୁରି ଗଭୀର ହେଉଥିଲା । ଧୀରେ ଧୀରେ ସେ କୋଳାହଳ ପରିଣତ ହେଉଥିଲା ଖେଳ ପଡ଼ିଆର ଘୋ ଘା ରେ। ସତେ ଯେମିତି ଟ୍ରାକ ରେଡି, ଏବେ ବାଜିବ "ଗୋ"ର ହୁଇସିଲ। ଅମିତର କଥା ରୁବିର କାନରେ ଆଉ ବାଜୁ ନଥିଲା। ହଠାତ ବୁଲି ପଡି ଖୁବ ଜୋରରେ ଦୌଡ଼ିବାକୁ ଲାଗିଲା ସେ। ସତେ ଯେମିତି ଏଇ କିଛି ଦିନ ହେବ ଦୌଡିବା ଭୁଲି ଯାଇଥିଲା, ଭୁଲି ଯାଇଥିଲା ବଂଚିବା, ଭୁଲି ଯାଇଥିଲା ତାର ଲକ୍ଷ୍ୟ। ଜୀବନର ଅର୍ଥ କେଉଁଠି ଅଟକି ଯିବା ନୁହେଁ, ଜୀବନ ତ ଏକ ଲମ୍ବା ଟ୍ରାକର ଦୌଡ଼। ପଡି ଉଠି ବାଧା ବନ୍ଧନ ସତ୍ତ୍ୱେ ବି ଦୌଡ଼ିବାକୁ ହେବ। ଦୌଡି ଚାଲିଥିଲା ରୁବି ତା ଲକ୍ଷ୍ୟ ଦିଗରେ। ଧୀରେ ଧୀରେ ପବନ ପରି ହାଲକା ହେଇ ଯାଉଥିଲା ତା ମନରୁ ଦୁଃଖର ବୋଝ ସବୁ। ଲକ୍ଷ୍ୟ ଏବେ ଦୂର ନୁହେଁ।



Rate this content
Log in

Similar oriya story from Inspirational