ବର୍ଷାରେ ଦୁଇଟି ଦୃଶ୍ୟ
ବର୍ଷାରେ ଦୁଇଟି ଦୃଶ୍ୟ
ଦୃଶ୍ୟ ଏକ-
ଆକାଶରେ ବର୍ଷିବ ବର୍ଷିବ ହେଉଥିବା କଳା ହାଣ୍ଡିଆ ମେଘକୁ ଦେଖି ବ୍ୟସ୍ତ ହେଇ ପଡ଼ୁଥିଲା ସବିତା। ତାର ଦରଭଙ୍ଗା ପଲିଥିନ ଘେରା କୁଡ଼ିଆ ଆଗରେ ଉଠା ଚୁଲି ଉପରେ ଟକ ଟକ ହେଇ ଫୁଟୁ ଥିଲା ଭାତ ହାଣ୍ଡିରେ ଭାତ ଆଉ କୁଡ଼ିଆ ଭିତରେ ଟକ ଟକ ହୋଇ ଫୁଟୁଥିଲା ଭୋକ ତା ଦୁଇ କୁନି କୁନି ପିଲାଙ୍କ ପେଟରେ ।ଟିକେ ଅଟକି ଯାରେ ରଇଜଳା ବର୍ଷା। ଭାତଟା ତ ହେଇଯାଉ।
ଚାରି ଦିନ ଧରି ଝଡି ଲାଗି ରହିଛି। ଘର ବୋଲି ଯେଉଁ ଦରଭଙ୍ଗା କୁଡ଼ିଆଟି, ଚଟାଣ ତାର ଅଧା ଓଦା। ଯେତେ ପଲଥିନ ଢାଙ୍କିଲେବି ଏ ବର୍ଷା ପବନରେ ରହୁଛି କେଉଁଠି।
ପଛକୁ ଫେରିଯାଏ ସବିତା। ତାର ବି ଥିଲା ଛୋଟ ଝାଟି ମାଟିର ଘରଟିଏ ଯାହା ସିଏ ଆଉ କୁନା ବାପା ନିଜ ହାତରେ ମାଟି କାଦୁଅ ଚକଟି ତିଆରି କରିଥିଲେ। ସେ ଘରର କାନ୍ଥରେ ସବିତା ଆଙ୍କିଥିଲା କେତେ କଣ ଝୋଟି ଚିତା। ଚାଳ ଉପରେ ଅଣେଇ ଦେଇଥିଲା କଖାରୁ ଆଉ ପୋଇ ଡ଼ଙ୍କ । ସେହି ଗୋଟିକିଆ ଘରେ ଦିନ ସାରା କାମ କରି କରି ଥକି ପଡିଥିବା ଦେହଟିକୁ କୁନା ବାପାର ଦେହ ସହ ଛନ୍ଦି ଶୋଇ ପଡିଲେ ଲାଗୁଥିଲା ଦୁନିଆର ସବୁତକ ସୁଖ ଏବେ ତା ହାତ ମୁଠାରେ।
ସେ ସୁଖତକ ମୁଠାଇ ମୁଠେଇବାକୁ ଚେଷ୍ଟା କରୁ କରୁ ସମୟ ପାଣି ପରି ବହି ଯାଇଥିଲା। ଦେଖୁ ଦେଖୁ ଘର ଅଗଣାରେ ନିଜ କୁନି କୁନି ପାଦରେ ଠୁକୁ ଠୁକୁ ଚାଲିଥିଲା ପ୍ରଥମେ କୁନା ତା ପରେ ପରେ ମୁନି। ଛୋଟ ଘରଟି ତାର ପୁରି ଉଠିଥିଲା ଦୁଇ ଶାବକଙ୍କ କିଚିରି ମିଚିରିରେ ।
ସୁଖେ ଦୁଃଖେ ଗଡି ଚାଲିଥିଲା ତା ଜୀବନର ଗାଡି।
କିନ୍ତୁ ତାର ସୁଖକୁ ଯେମିତି କାହାର ନଜର ଲାଗିଗଲା । ମୁହୂର୍ତ୍ତକରେ ଓଲଟି ପଡିଥିଲା ତାର ପୃଥିବୀ ।
ସେଦିନ ସକାଳୁ ସକାଳୁ ବସ୍ତି ସାରା କୁହା କୁହି ହେଲେ କଣ ଗୋଟେ ଝଡ଼ ମାଡି ଆସୁଛି । ସବିତାଠାରୁ ଖବର ଶୁଣି କୁନା ବାପା ପଡିସା ଘର କଳା ଧଳା ଟିଭିରେ ନିଉଜ ଦେଖି ଦେଖିଲା ଫନି ବୋଲି ଝଡ଼ଟିଏ ଓଡିଶା ଆଡ଼କୁ ମାଡି ଆସୁଛି। କାଳେ ବଡ଼ କ୍ଷତି କରିବ।
ହେ ଯା ମ । କେତେ ବାତ୍ୟା ଆସିଲାଣି ଗଲାଣି । ଆମର କଣ ବା ଯାଏ ଆସେ।
ଡର କାହାକୁ ଭୟ କାହାକୁ
ଠାକୁର ଅଛନ୍ତି ଚଉ ବାହାକୁ
ଜଗା ଥାଉ ଥାଉ ଆଉ ଡର କଣ । ସବିତାର ଶତ ବାରଣକୁ ନ ମାନି ନୀଳ ଚକ୍ରକୁ ଚାହିଁ ମୁଣ୍ଡିଆ ମାରି ଦେଇ ଦରିଆକୁ ମାଛ ଧରିବାକୁ ଚାଲିଗଲା କୁନା ବାପା । ସବିତା ଛାତିରେ ଛନକା ପଶିଲା । ସତରେ ଯଦି ଟିଭି କଥା ସତ ହୁଏ ତେବେ ତାର ଏ ଚାଳ ଛପର ଘର ସମ୍ଭାଳି ପାରିବ ତ । ଆକାଶକୁ ଚାହିଁ ଦେଖିଲା କଳା କଳା ବାଦଲରେ ଆକାଶ ମେଘୁଆ ଦିଶୁଥିଲା ।
ଦ୍ୱିପ୍ରହର ବେଳକୁ କିଛି ସରକାରୀ ଲୋକ ଆସି ବସ୍ତି ଖାଲି କରିବାକୁ କହିଲେ, ବାତ୍ୟା ଆଶ୍ରୟ ସ୍ଥଳୀକୁ ଯିବାକୁ ହେବ । ସବିତାର ହୋସ ଉଡ଼ିଗଲା । କୁନା ବାପାର ଦେଖା ନାହିଁ, ଖାଲି ସିଏ ନୁହେଁ, ବସ୍ତିର ଦାମ, ନୀଳ ଆଉ ରମଣୀ ମଧ୍ୟ କୁନା ବାପା ସହ ମାଛ ଧରିବାକୁ ଯାଇଥିଲେ। ଆକାଶ ଅନ୍ଧାର କରି ଧୀରେ ଧୀରେ ବର୍ଷିବା ବି ଆରମ୍ଭ ହୋଇଯାଇଥିଲା । ପବନର ବେଗ ବି ବଢୁଥିଲା । ଜୋର ଜବରଦସ୍ତି ବସ୍ତିର ଲୋକମାନଙ୍କୁ ନିଆ ଯାଇଥିଲା ବାତ୍ୟା ଆଶ୍ରୟ ସ୍ଥଳୀକୁ । ବାଧ୍ୟ ହୋଇ ଯଥା କିଞ୍ଚିତ ଜିନିଷ ପତ୍ର ଧରି ପିଲା ଦୁଇଙ୍କ ସହ ବାତ୍ୟା ଆଶ୍ରୟ ସ୍ଥଳରେ ପାଦ ଦେଇଥିଲା ସବିତା । ମନ ତାର ଦବି ଦବି ଯାଉଥିଲା, ଆଖି ଖୋଜୁଥିଲା କୁନା ବାପାର ମୁହଁ। ମା ବସୁଳେଇ ତାଙ୍କୁ ଘଣ୍ଟ ଘୋଡେଇ ଥା ମାଆ, ତୋତେ କଳା ବୋଦା ଦେବି, ମାନସିକ କରିବସିଲା ସବିତା।
ଆଖି ପିଛୁଳାକେ ଗୋଟେ ବଡ଼ ମାଲ ଗାଡି ପରି ମାଡି ଆସିଲା ବର୍ଷା ଆଉ ପବନ । ପବନର ବେଗ ଏତେ ତୀବ୍ର ଥିଲା ଯେ ତାର ସୁ ସୁ ଶବ୍ଦରେ ଉଡି ଯାଉଥିଲା ମଣିଷ ପାଟିର କଥା । କଡ଼ କଡ଼ ମଡ ମଡ଼ ଶବ୍ଦ କରି ଭାଙ୍ଗି ପଡୁଥିଲା ବଡ଼ ବଡ଼ ଗଛ , ଉପୁଡି ଯାଉଥିଲେ ବିଜୁଳି ଖୁଣ୍ଟ ସବୁ। ଉଡି ଯାଉଥିଲା ଛାତ ଉପରୁ ଆଜବେଷ୍ଟସ । ଭୁଶୁଡି ପଡୁଥିଲା ମାଟି ଘର କୋଠା ଘର ଆଉ ପ୍ରକୃତିର ଏ ଭୟାନକ ରୂପ ଆଗରେ ଭୁଶୁଡି ପଡୁଥିଲା ମଣିଷ ମନରୁ ଅହମିକା। ବିବଶ ହୋଇ ଠିଆ ହେଇଥିଲା ସେ କେବଳ ପ୍ରକୃତିର ଏ ତାଣ୍ଡବ ଆଗରେ। ମାଆ ଚଢ଼େଇ ନିଜ ଦୁଇ ଡେଣାରେ ତାର ଚିଆଁକୁ ଜାକି ଧରିଲା ପରି ନିଜର ଦୁଇ ପିଲାଙ୍କୁ ଛାତିରେ ଜାକି ଗୋଟିଏ କୋଣରେ ବସିଥିଲା ସବିତା । କୁନା ବାପାର କଥା ମନେ ପଡିଲେ ଛାତି ଭିତରଟା ଫାଙ୍କା ହେଇଯାଉଥିଲା ତାର । ସେ ଭୟଙ୍କର ରାତି ଖୁବ ଧୀରେ ଧୀରେ କଟି ଥିଲେ ସତେକି ଗୋଟିଏ ଯୁଗ।
ସକାଳର ଆଲୋକରେ ପୃଥିବୀ ଥିଲା ଖୁବ ବିଭତ୍ସ । ଚାରିଆଡେ କେବଳ ଭଙ୍ଗା ରୁଜା ସତେକି ଝଡ଼ର ମାଡ଼ରେ କ୍ଷତ ବିକ୍ଷତ ହୋଇଯାଇଥିଲା ପୃଥିବୀ । ଏକାକାର ହେଇଯାଇଥିଲା ବସ୍ତି କଲୋନୀ ମନ୍ଦିର ମସଜିଦ ରାସ୍ତା ଘାଟ ସବୁ କିଛି। ସେଯାଏଁ ବି ଦେଖା ନଥିଲା କୁନା ବାପାର ।
ବସ୍ତିର ଘର ସବୁ ମାଟି କାମୁଡି ପଡ଼ିଥିଲେ । ବିରାଟ ବରଗଛ ଉପୁଡି ମାଆ ବାସୁଳେଇଙ୍କ ପୀଠ ନିଶ୍ଚିହ୍ନ ହୋଇ ଯାଇଥିଲା । ଛାର ଖାର ହୋଇ ଯାଇଥିବା ବସ୍ତିରେ କେଉଁଟି କାହାର ଘର ବୋଲି ଜାଣିବାକୁ ଅନୁମାନ ବ୍ୟତୀତ ଆଉ କିଛି ଉପାୟ ନଥିଲା । ବିକଳ ଆଖି ସବୁ ମାଟି ଦରାଣ୍ଡି ଖୋଜୁଥିଲେ ନିଜ ବାସ ସ୍ଥାନର ଚିହ୍ନ। ଆଖି ଲୁହ ଆଖିରେ ମାରି ଫେରିବାକୁ ପଡିଥିଲା ପୁଣି ସେଇ ବାତ୍ୟା ଆଶ୍ରୟ ସ୍ଥଳୀକୁ । ସର୍ଵହରାର ଲୁହ କୋହରେ ଫାଟି ପଡିଥିଲା ସେ ଆଶ୍ରୟସ୍ଥଳୀ । ଲୁହ ଗଡେଇବା ବ୍ୟତୀତ ଆଉ କିଛି ଉପାୟ ନଥିଲା ।
ଆଶ୍ରୟ ସ୍ଥଳୀରେ ବଢା ଯାଇଥିବା ଭାତ ଡାଲମା ତଣ୍ଟି ତଳକୁ ଗଳୁନଥିଲା ସବିତାର । ପିଲା ଦୁହିଁଙ୍କୁ ଖୁଏଇ ଦେଇ ପାଣି ମୁନ୍ଦେ ପିଇ ସେଇ ସିମେଣ୍ଟ ଚଟାଣରେ ଗଡି ପଡିଲା ସେ । ଘର ଦ୍ୱାର ସବୁ ଗଲା ଏବେ ରହିବ କେଉଁଠି ଆଉ କୁନା ବାପା । କୁନା ବାପା କୁଆଡେ ଗଲା କିଏ ଉତ୍ତର ଦେବ ତାକୁ। ଶୂନ୍ୟତାକୁ ପ୍ରଶ୍ନ କରୁ କରୁ ଚାରିଦିନ ବିତିଯାଇଥିଲା । ସମୟ ବସିବା ଜାଗାରୁ ଉଠିବାକୁ ବାଧ୍ୟ କରିଥିଲା ବାତ୍ୟା ଗ୍ରସ୍ତ ମଣିଷମାନଙ୍କୁ । ରିଲିଫରୁ ମିଳିଥିବା ପଲିଥିନ ନେଇ ନିଜ ନିଜର ଘର ସଜାଡ଼ିବାକୁ ଲାଗିପଡିଥିଲେ ସଭିଏଁ । ଝଡ଼ ଆସେ ଝଡ଼ ଯାଏଁ ଜୀବନ କେବେ ଅଟକି ଯାଏନା, ବଞ୍ଚିବାକୁ ପଡେ ଇଛା ଥାଉ ବା ନ ଥାଉ। ହେଲେ ସବିତା ଉଠିନଥିଲା, ଶୁଣି ନଥିଲା ସାଇ ପଡ଼ିଶାଙ୍କ କଥା । ଅପେକ୍ଷା କରି ରହିଥିଲା କୁନା ବାପାର । ହେଲେ କୁନା ବାପାର ଖବର ବଦଳରେ କିଛି ଗଳିତ ଶବ ମୁହାଣରେ ଲାଗିଥିବାର ଖବର ପାଇଥିଲା ସବିତା । ବସ୍ତି ସାରା ଲୋକ ଧାଇଁ ଯାଇଥିଲେ । ମୁଣ୍ଡ ପିଟି କାନ୍ଦିଥିଲା ନୀଳର ଭାର୍ଯ୍ୟା, ରମଣୀ ଆଉ ଦାମର ବୋଉ । ହେଲେ ଯାଇ ନଥିଲା ସବିତା । ସାହସ ହେଉ ନଥିଲା ତାର । ଡରୁଥିଲା କାଳେ କୁନାବାପା ଦିନେ ଫେରିଆସିବ ଏଇ ପ୍ରତ୍ୟୟ ଟିକକ ସରି ନ ଯାଏ ତା ମନରୁ। କୁନା ବାପା ଫେରିଆସିଲେ କହିବ କଣ?
ସବିତା ତୁ ତୋ କୁନା ମୁନିଙ୍କ ପାଇଁ ପଲିଥିନ ଘେରା ଘରଟିଏ କରିପାରିଲୁନି ଯେ ମୋରି ପ୍ରତୀକ୍ଷାରେ ରହିଲୁ । ଦିନେ ବସିବା ସ୍ଥାନରୁ ଉଠିପଡ଼ିଲା ସବିତା । ଦିନ କେଇଟାରେ ବସ୍ତିର ଜାଗା ଖଣ୍ଡକରୁ ମାଟି ପଥର ଆଡେଇ ତିଆରି ହୋଇଗଲା ପଲିଥିନ ଘେରା ଝାଟି ମାଟିର ଘରଟିଏ। ତା ଦୁଇ ଶାବକଙ୍କ ମୁହଁରେ ଆଧାର ଦେବା ବାଛି ନେଇ ଥିଲା ଭଳି କି ଭଳି କାମ କେବେ ରାସ୍ତା କାମ ତ କେବେ ଘର ତିଆରି ପୁଣି କେବେ ଚାଷ ହେଲେ ଭୀଷ୍ମ ପ୍ରତିଜ୍ଞା କରିଥିଲା ଆଉ ଦିନେ ବି ମୁଁହ ଟେକି ଚାହିଁବନି ସେ ଦରିଆ ଆଡ଼କୁ ଯିଏ ହଜେଇ ଦେଇଛି ତା କୁନା ବାପାକୁ । ବିତି ଯାଇଥିଲେ ଦିନ, ସପ୍ତାହ, ମାସ ଧୀରେ ଧୀରେ ସାମାନ୍ୟ ହେଉଥିଲା ତା ଆଖପାଖର ପୃଥିବୀ କିନ୍ତୁ ସରୁ ନଥିଲା ସବିତା ମନରୁ ଗୋଟିଏ ଅନନ୍ତ ପ୍ରତୀକ୍ଷା। କୁନାବାପା ଫେରି ଆସିବ କେବେ ତ ନିଶ୍ଚୟ।
ତା ଭାବନାର ନିଆଁରେ ପାଣି ପକେଇ ଝପ ଝପ ହେଇ ଆକାଶରୁ ଗଳି ପଡିଲା ବର କୋଳିଆ ଟୋପାଗୁଡିକ । ନିଭି ନିଭି ଆସୁଥିଲା ତା ଉଠା ଚୁଲିରୁ ନିଆଁ । ତର ବର ହୋଇ ଖାଲି ହାତରେ ଭାତ ହାଣ୍ଡିଟିକୁ ଚୁଲିରୁ ଉଠେଇ ଆଣିଲା ସବିତା । ଘରର ଚଟାଣରେ ଥୋଉ ଥୋଉ ଜାଣିପାରିଲା ତତଲା ହାଣ୍ଡିର ତାପରେ ସିଝି ଯାଇଥିଲା ତାର ହାତ ପାପୁଲିରୁ ଫାଳେ। ସେଥିକୁ ନଜର ନ ଦେଇ ଡଙ୍କିରେ ଉଠେଇ ଆଣିଲା ହାଣ୍ଡିରୁ ଭାତ । ଚିପି ଦେଖିଲା ଭାତ ନୁହେଁ ସେ ଯେ ଦର ସିଝା ଚାଉଳ । ଲୁହ ଡବ ଡବ ଅସହାୟର ଆଖିରେ ତାର ପିଲା ଦୁହିଁଙ୍କୁ ଚାହିଁଲା ସବିତା। ନିରୀହ ଆଖିରେ ତାଙ୍କର ଭୋକିଲା ଚାହାଣି । ବୋଉ ଭାରି ଭୋକ, ବିନା ଶବ୍ଦରେ ବି ସେ ଚାହାଣୀ ଚିତ୍କାର କରି କହୁଥିଲା। କୋହରେ ଭାଙ୍ଗି ପଡ଼ିଲା ସବିତା । ସେ ଛୋଟ ପରିବାରଟିର ପେଟର ଭୋକର ନିଆଁକୁ ତିଳେ ମାତ୍ର ଖାତିର ନ କରି ବାହାରେ ଧୂମ ବର୍ଷୁ ଥିଲା ସେ ସନ ବର୍ଷା ଋତୁର ବର୍ଷା ।
ଦୃଶ୍ୟ ଦୁଇ-
"ମାମା କାହିଁକି ବର୍ଷା ହେଉନି ଯେ" କେତେ ବେଳରୁ କଳା କଳା ମେଘଗୁଡାକ ଆକାଶକୁ ଓଜନିଆ କରି ଓହଳିଥିବା କିନ୍ତୁ ଅଭିମାନ କଲା ଭଳି ଜମା ବି ବର୍ଷୁ ନଥିବା ମେଘକୁ ଝରକା ପାଖରୁ ଛିଡା ହେଇ ଆକାଶକୁ ଚାହିଁ ଦେଖୁ ଦେଖୁ ମାମାକୁ ଡାକ ପକାଉ ଥିଲା ରିମା । "ଦେଖ ନାଁ ମାମା ...ଏ ମାମା"
"ଓ ହୋ କଣ ହେଉଛୁ । ବର୍ଷାର ଯେତେବେଳେ ଇଚ୍ଛା ହେବ ସେ ବର୍ଷିବ ତୁ ଏମିତି ହେଲେ କଣ ହେଇଯିବ ଯେ" ରୋଷେଇ ଘରୁ ବିରକ୍ତ ହୋଇ ପାଟି କରି କହିଲେ ରୀମାର ମାମା ।
ମନ ମାରି ଆକାଶକୁ ଚାହିଁରହିଥିଲା ରୀମା । ଅଳସ ରବିବାରଟା ତାର ସେଇ ଶୀତ ତାପ ବିଶିଷ୍ଟ ଦ୍ବିତଳ ପ୍ରାସାଦରେ ଜମା ଭଲରେ କଟୁ ନଥିଲା। ମନ ଖୋଜୁ ଥିଲା ରିମଝିମ ବର୍ଷାରେ ଖୋଲା ବାଲକୋନୀ ଆଉ ତା ସହ ଗରମ ଗରମ ଚା ଆଉ ପକୁଡି । ତା ବାଦେ ବର୍ଷାରେ ସେଲ୍ଫି ଉଠେଇ ଫେସବୁକରେ ପୋଷ୍ଟ କରି ତା କ୍ଲାସ ମେଟମାନଙ୍କୁ ଜଳେଇବାର ତାର ଆଉ ଗୋଟେ ହିଡେନ ଡିଯାଏର ଥିଲା। ଏତେ ସବୁ ଇଛା ନେଇ ରୀମା ଛଟ ପଟ ହେଉଥିବା ବେଳେ ତା ସହ ବାଦ କଲା ପରି ବର୍ଷା ଜମା ବି ବର୍ଷୁ ନଥିଲା ।
"କଣ ହେଲା ରୀମା ମାମା କାହିଁକି ମୁହଁ ଶୁଖେଇଛ" ଘର ଝାଡୁ କରୁ କରୁ ପଚାରିଲା ମିନା, ତାଙ୍କ ଘରକୁ ସବୁ ସକାଳେ ସନ୍ଧ୍ୟା ଯିଏ ଘରର ଯାବତୀୟ କାମ କରିବାକୁ ଆସେ।
"ମିନା ଅପା ଦେଖନା ବର୍ଷା ଟା ଜମା ବି ବର୍ଷୁନି । ଚାଲ ତୁ ଆଉ ମୁଁ ମିଶିକି ପ୍ରେ କରିବା ଯେମିତି ଆଜି ନିଶ୍ଚୟ ବର୍ଷା ହେବ । କରନା ମିନା ଅପା ।" ହାତ ଯୋଡି ପ୍ରେୟାର କରିବାକୁ ଲାଗିଲା ରୀମା । ତାର ଘର ଚଟାଣକୁ ନିତି ଭିଜାଉ ଥିବା ବର୍ଷା ହେଉ ବୋଲି ଭଗବାନଙ୍କୁ ଡାକିବ ନାଁ ଡାକିବ ନାହିଁ ବୋଲି ଦ୍ଵନ୍ଦରେ ପଡିଯାଇଥିଲା ମିନା । ଦୁଇ ଜଣ ଯାକଙ୍କ ମନୋଭାବକୁ ଖାତିର ନକରି ଫୁଲେଇ ବର୍ଷା ବର୍ଷିବା ଆରମ୍ଭ କରିଦେଇଥିଲା ।
" ମାମା, ବର୍ଷା ହେଲାଣି ପକୁଡି ଆଉ ଚା ନେଇ ବାଲକୋନୀକୁ ଆସ" ମୋବାଇଲଟା ହାତରେ ଧରି ବାଲକୋନୀକୁ ଧାଇଁ ଗଲା ରୀମା । ଏବେ ବର୍ଷା ଭିଜା ସେଲ୍ଫିର ଟାଇମ୍ । ରିମ୍ ଝିମ ପାଉଁଜି ଶବ୍ଦ କରି ବାଲକୋନୀରେ ନାଚୁଥିଲା ବର୍ଷା ରାଣୀ ।