Rajabala Tripathy

Inspirational

3.1  

Rajabala Tripathy

Inspirational

କରୁଣାର ହସ

କରୁଣାର ହସ

6 mins
543



ଯେତେ ଚେଷ୍ଟା କଲେ ବି ଖୁସି ହେଇପାରୁନଥିଲେ ଦିବାକର ବାବୁ। ଦିନ ରାତି ଅନବରତ ତାଙ୍କ ଆଖିରେ ନାଚି ଉଠୁଥିଲା ତାର ସେଇ ନିରୀହ ମୁହଁଟି ଆଉ ଛାତିରେ ତୀର ପରି ବିନ୍ଧୁ ଥିଲା ତା ଓଠରେ ଲାଖି ରହିଥିବା ଧାରେ ହସ। ସତେକି ହସ ନୁହେଁ ଆଟମବମଟେ ଯାହା କ୍ଷଣେ କ୍ଷଣେ ଧ୍ୱଂସ କରି ଦେଉଥିଲା ତାଙ୍କ ମନର ଇଲାକାକୁ । 


ଖୁବ ଅସହ୍ୟ ହେଉଥିଲା ତାଙ୍କୁ ତାର ସେଇ ହସ ଟିକକ । ଯେମିତିକି ସେ ହସ ନୁହେଁ ନିଆଁର ଝୁଲଟିଏ ଯାହା ପୋଡି ପକାଉଥିଲା ଦିବାକର ବାବୁଙ୍କର ପ୍ରତିପତ୍ତି ସମ୍ପନ୍ନ ଜୀବନର ସବୁତକ ଶାନ୍ତି। ସେ ବିମୋଳ ହସଟିର ଅଧିକାରୀଟି ଥିଲା କରୁଣା, ଦିବାକର ବାବୁଙ୍କର ବୃହତ ଉଦ୍ୟାନର ଏକମାତ୍ର ମାଳି। ନିଜର ସ୍ତ୍ରୀ ଓ ପୁଅଟିଏ ଝିଅଟିଏଙ୍କୁ ନେଇ ଦିବାକର ବାବୁଙ୍କର ସର୍ଭେଣ୍ଟ କ୍ୱାଟରରେ ରହେ କରୁଣା।ଦୁଇ ପ୍ରାଣୀ ଦିନଯାକ ଉଦ୍ୟାନରେ କାମ କରନ୍ତି। ମାସ ଶେଷରେ ସ୍ୱଳ୍ପ ଦରମା ସହ ଦିବାକର ବାବୁଙ୍କର ଘରୁ ଉଦବୃତ ଖାଦ୍ୟରେ ଚାରି ପ୍ରାଣୀଙ୍କର ପେଟ ପୁରେ। ଏପରିକି କେବେ କେବେ ପୁରୁଣା ଲୁଗା ପଟାରେ ମଧ୍ୟ ସେମାନଙ୍କର ଭାଗ ବସେ। 


ଏତେ ଅଭାବରେ ମଧ୍ୟ ଦୁଃଖର ଛାଇ ଛୁଇଁ ପାରୁ ନଥିଲା କରୁଣାର ଓଠର ସେ ହସଟିକୁ । ସଦାବେଳେ ସେ ହସ ହସ ସଦାବେଳେ ଚଳ ଚଞ୍ଚଳ । ତାର ସୁଖୀ ପରିବାରକୁ ଲକ୍ଷ୍ୟ କରି ଈର୍ଷ୍ୟାରେ ଜଳି ଯାଉଥିଲେ ଦିବାକର ବାବୁ। କେଉଁଥି ପାଇଁ ଏତେ ଖୁସି ଯେ କଣ ଅଛି ନାଁ ଧନ ସମ୍ପତ୍ତି ନାଁ ଜମିବାଡ଼ି । ତାଙ୍କରି ହାତ ଟେକାକୁ ଚାହିଁ ରହିଥିବା ଲୋକଟିର ଏତେ ଖୁସି ଆସୁଛି କେମିତି। ଆଶ୍ଚର୍ଯ୍ୟ ହୁଅନ୍ତି ସେ। 


ନିଜ ଶୋଇବା ଘର ଝରକାରୁ ଲକ୍ଷ୍ୟ କରନ୍ତି। କେମିତି ମନ ମତାଣିଆ ଗୀତ ଗାଇ ଗଛରେ ପାଣି ଦେଉଛି କରୁଣା। କେମିତି ତାର ପିଲା ଦୁଇଟି ତାର ଝାଳୁଆ ଦେହରେ ଘଷି ହେଉ ହେଉ ସ୍ନେହରେ ଜାବୁଡ଼ି ଧରୁଛି ସେ। ବାପ ଆଖିରେ ତାର ଏକ ମଧୁର ପରିପୂର୍ଣ୍ଣତା । ତାର ଦୁଇ ପିଲା ଆଉ ବାପର ସ୍ନେହ ଦେଖି କେମିତି ଖୁସିରେ ଚମକି ଉଠିଛି କରୁଣାର ସ୍ତ୍ରୀ କାମିନୀର ଆଖି। ଘର କାମ କରୁ କରୁ କେମିତି ଅଟକି ଯାଇ ଚାହିଁ ରହିଛି ସେ ତାର ଛୋଟ ପରିବାରଟିକୁ ।


 ଓଃ ସହିବାର ସୀମା ଟପିଯାଏ ତାଙ୍କର । ଜୋର କରି ବନ୍ଦ କରିଦିଅନ୍ତି ଝରକାଟିକୁ। ଏତେ ଧନ ସମ୍ପତ୍ତି ଜମି ବାଡ଼ି ନୌକର ଚାକର ଭଳିକି ଭଳି ଦାମୀ ଗାଡି ଥିବା ସତ୍ତ୍ୱେ ସେ କାହିଁକି ଅସୁଖୀ। ସୁନ୍ଦରୀ ଶିକ୍ଷିତା ପତ୍ନୀ, ଉଚ୍ଚଶିକ୍ଷିତ ଦୁଇ ପୁଅ ଓ ଝିଅକୁ ନେଇ ତାଙ୍କର ବି ପରିବାରଟିଏ ଅଛି। ହେଲେ ପତ୍ନୀଙ୍କୁ ତାଙ୍କ ବାନ୍ଧବୀମାନଙ୍କ ଗହଣରୁ, ପିଲାମାନଙ୍କୁ ନିଜ ନିଜ କାମରୁ ଫୁରସତ ମିଳିଲେ ତ ତାଙ୍କ ସହ କେହି ପଦୁଟିଏ କଥା ହେବେ। ତାଙ୍କ ପାଖରେ ବା ଘଡ଼ିଏ ବସିବ କିଏ । କିଏ ବା ଶୁଣିବ ତାଙ୍କ ମନର କଥା। ସେ ସୁଯୋଗ ମିଳେନା, ସମସ୍ତେ ବ୍ୟସ୍ତ। ତେବେ ଏ ଧନ ସମ୍ପତି ଯଦି କଣିଚାଏ ସୁଖ ନ ଦେଲା, ଏ ସବୁ ଅର୍ଜି ଲାଭ ବା କଣ। ମନେ ମନେ ଭାଳି ହୁଅନ୍ତି ଦିବାକର ବାବୁ।ନିଜ ପରିବାର ସହ କରୁଣାର ପରିବାର ଓ ନିଜ ସହ କରୁଣାକୁ ନିଜ ଅଜାଣତରେ ତୁଳନା କରୁ କରୁ ଚମକି ପଡ଼ନ୍ତି ସେ। ଧେତ...ମୁଁ କିଏ ଆଉ କରୁଣା କିଏ। କାହିଁ ରଜା ଭୋଜ କାହିଁ ଗଙ୍ଗୁ ତେଲି। 


ଦିନକୁ ଦିନ କରୁଣାର ହସ ତାଙ୍କୁ ବିଷ ପ୍ରାୟ ଲାଗେ। କରୁଣାକୁ ଚାକିରୀରୁ ଛୁଟି କରିଦେଲେ ଉଚିତ ହୁଅନ୍ତା, ତାର ସେ ହସକୁରା ମୁହଁ ଦେଖିବାରୁ ମୁକ୍ତି ମିଳିଯାଅନ୍ତା ତ, ଭାବି ବସନ୍ତି ସେ। ହେଲେ ସେ ଭାବନାକୁ କାମରେ ପରିଣତ କରିବା ପାଇଁ ମନ ଭିତରେ କେହି ଜଣେ ଅଟକେଇ ଦିଏ ତାଙ୍କୁ। କଣ କୈଫିୟତ ଦେବେ ସେ। କଣ ଏୟା କହିବେ, କରୁଣା ତୁ ସବୁବେଳେ ଖୁସି ରହୁଥିବାରୁ ତୋତେ ଚାକିରୀରୁ ବାହାର କରିଦିଆଗଲା। ହେତ...ଏମିତି ହୁଏକି। କଥାଟା ତାଙ୍କ କାନକୁ କେମିତି ଅଡ଼ୁଆ ଅଡ଼ୁଆ ଶୁଣା ଯାଏ। ଉଠୁଥିବା ପାଦକୁ ପୁଣିଥରେ ଫେରେଇ ନିଅନ୍ତି ସେ। 


ସେଦିନ ଶୀତୁଆ ସକାଳରେ ବାଲକୋନୀରେ ବସି ବସି ଚା କପଟେ ଉପଭୋଗ କରୁଥିଲେ ଦିବାକର ବାବୁ। ଅନ୍ୟ ଦିନ ଅପେକ୍ଷା କିଞ୍ଚିତ ଖୁସି ଥିଲେ ସେ। ଚା କପର ଗରମ ଧୂଆଁ ତାଙ୍କ ମନକୁ ଉଷୁମ କରି ଦେଉଥିଲା। 

"ବାବୁ ଜୁହାରେ" ପଛକୁ ଫେରି ଚାହିଁଲେ ସେ। କରୁଣା ତାର ସେହି ଚିର ସବୁଜ ହସ ହସ ମୁହଁରେ। ଧେତ ମନରୁ ସବୁତକ ଉଷୁମ ଉତୁରି ଗଲା ଦିବାକର ବାବୁଙ୍କର। 

"କଣ ହେଲା" କିଞ୍ଚିତ ବିରକ୍ତି ସ୍ୱରରେ ପଚାରିଲେ ସେ। 

" ବାବୁ ଏ ମାସ ଦରମା ଟଙ୍କାରୁ କିଛି ଆଗତୁରା ଦିଅନ୍ତେ ନି"

"କାହିଁ ତୋର ଏମିତି କଣ ଦର୍କାର ପଡିଲା କି" ବେଶ ଅବଜ୍ଞା ସ୍ୱରରେ କହିଲେ ଦିବାକର ବାବୁ। ଯେମିତିକି ତାଙ୍କୁ କରୁଣା ପ୍ରତି ଖୁବ ଅଲର୍ଜି ଅନୁଭବ ହେଉଛି ତାର ଉପସ୍ଥିତି କ୍ଷଣେ ମଧ୍ୟ ବରଦାସ୍ତ ହେଉନି। ସେ ଯେପରି କରୁଣା ନୁହେଁ ଏକ ରୋଗ ସୃଷ୍ଟିକାରୀ ଜୀବାଣୁଟିଏ।


"ନାଇଁ ଯେ, ଏଇ ନିଲୁ ବୋଉର ଭାରି ମନ କଟକ ବାଲି ଯାତ୍ରା ବୁଲି ଯିବାକୁ। ଭାବୁଛି ତାକୁ ଆଉ ପିଲାମାନଙ୍କୁ ବୁଲେଇ ନେଇଯିବି । ସେଇଥି ପାଇଁ ...." ମୁଣ୍ଡ କୁଣ୍ଡେଇ କୁଣ୍ଡେଇ କହିଲା କରୁଣା। 


ତାକୁ ବୁଲି ଚାହିଁଲେ ଦିବାକର ବାବୁ।ତା ଓଠର ହସ ଟିକକ ହୀରା ଖଣ୍ତ ପରି ଜକ ଜକ କରୁଥିଲା । ତାର ଚମକରେ ଜଳି ଉଠୁଥିଲା ଦିବାକର ବାବୁଙ୍କର ମନ। 


"ହଉ ହଉ ଦେଖିବା। ତୁ ଯାଆ ଏବେ" 

 " ହଉ ବାବୁ" ମନରେ ଆଶାର ଦୀପଟିଏ ଜଳେଇ ଚାଲିଗଲା କରୁଣା। 


ହୁଁ କଣ ନା ବାଲି ଯାତ୍ରା ବୁକିବାକୁ ଯିବ। ଆଉ କିଛି କାମ ନାହିଁ ତ ଲୋକମାନଙ୍କର" ମନେ ମନେ ଗୁଣୁ ଗୁଣେଇ ହେଲେ ସେ। 

ତାଙ୍କ କଳ୍ପନାରେ ଉଙ୍କି ମାରିଲା ବାଲି ଯାତ୍ରାର ଲୋକ ଗହଳି। ସେ ଗହଳି ଭିତରେ ନିଜର ଦୁଇ ପିଲାଙ୍କୁ ବେଲୁନ କିଣି ଦେଉଥିବା କରୁଣାର ହସ ହସ ମୁହଁ। ତା ସ୍ତ୍ରୀକୁ ଦହିବରା ଆଳୁ ଦମ ଖୁଆଉ ଖୁଆଉ ଆହୁରି ଝଲସି ଉଠିଥିବା ତା ଓଠର ସେ ହସ ଟିକକ। ହଠାତ ସେ ହସଟି ବଢି ବଢି ପରିଣତ ହୋଇଗଲା ଏକ ଉଜ୍ଜ୍ୱଳ ଆଲୋକ ପିଣ୍ଡରେ । ସେ ଆଲୋକର ଉଜ୍ଵଳତାରେ ସତେ ଯେମିତି ଅନ୍ଧ ହେଇଯାଉଥିଲା ଦିବାକର ବାବୁଙ୍କର ଦୁଇ ଆଖି । ଆଃ...ଚିତ୍କାର କରି ଉଠିଲେ ସେ। କଳ୍ପନାର ରାଜ୍ୟରୁ ବାହାରି ଆସିଲେ। ଓହୋ ରକ୍ଷା କେହି ଶୁଣି ନାହାନ୍ତି । ନହେଲେ କଣ ବା କାହାକୁ କହିଥାନ୍ତେ। ଧେତ ସକାଳଟା ପୁରା ଖଟା ହେଇଗଲା। ଗର ଗର ହେଇ ବସିବା ଜାଗାରୁ ଉଠିଗଲେ ଦିବାକର ବାବୁ। 


କେବେ କେବେ ଦିବାକର ବାବୁଙ୍କର ଇଛା ହୁଏ ଏମିତି କିଛି କରିପାରନ୍ତେ କି ସେ, ମଉଳି ଯାଆନ୍ତା କରୁଣା ଓଠରୁ ସେ ହସର ଫୁଲଟିଏ। ଅସ୍ତ ହୋଇ ଯାଆନ୍ତା ଉକୁଟା ହସର ସୁର୍ଯ୍ୟଟି ଯାହା କରୁଣାର ଓଠ କୋଣରେ ଉଇଁ ଅନ୍ଧାର କରି ଦେଉଛି ଦିବାକର ବାବୁଙ୍କର ମନର ଦୁନିଆକୁ। ହେଲେ ସବୁତକ ପ୍ରୟାସ ଫିକା ପଡ଼ିଯାଏ । ତାଙ୍କ ରୁକ୍ଷ ବ୍ୟବହାରକୁ ତିଳେ ମାତ୍ର ଭ୍ରୁକ୍ଷେପ ନ କରି କରୁଣାର ସରଳ ମୁହଁରେ ହସର ଜହ୍ନଟିଏ ଠିକ ପୂର୍ଣ୍ଣିମା ରାତିରେ ଆକାଶରେ ଝୁଲୁଥିବା ଜହ୍ନଟିଏ ପରି। ବାରମ୍ବାର ନିଜ ପାଖରେ ହାରି ଯାଉଥାନ୍ତି ଦିବାକର ବାବୁ। ଏ ହାର ତାକୁ ଆହୁରି ଆହୁରି ଦୁର୍ବଳ କରି ତୋଲୁଥାଏ। ଅସହ୍ୟ ହେଉଥାଏ ଜୀବନ। 


ଏତେ ଧନ ସମ୍ପତ୍ତି ଥାଇ ସିଏ ବା କେମିତି ଅସୁଖି , କିଛି ନଥାଇ ବି କରୁଣା ମୁହଁରେ କେମିତି ବା ଝଲମଲ କରୁଛି ଖୁସିର ରେଖାଟିଏ।ଏତେ ଖୁସି ଆସୁଛି ବା କେଉଁଠୁ। ଧୀରେ ଧୀରେ ରାଗ ଓ ଈର୍ଷ୍ୟା ରୂପାୟିତ ହେଉଥିଲେ ଏକ ବିରାଟ ପ୍ରଶ୍ନବାଚୀରେ। ହେଲେ ଉତ୍ତର ମିଳୁନ ଥିଲା। ଦିନ ରାତି ଅବିରତ ତାଙ୍କ ମନକୁ ବ୍ୟାକୁଳ କରୁଥିଲା ଏଇ ପ୍ରଶ୍ନଟି। 

ପଚାରି ଦେବି କି ଆଉ , କରୁଣା ତୋର ଖୁସିର ଉତ୍ସଟି କଣ? କଣ ତାକୁ କିଛି ପୋତା ଧନର ସନ୍ଧାନ ମିଳିଯାଇଛି କି? ସନ୍ଦେହରେ ଘାଣ୍ଟି ହେଉଥିଲା ଦିବାକର ବାବୁଙ୍କର ମନ।


ବେଶ କିଛି ଦିନର ଛଟ ପଟ ପରେ ଦିନେ ଧୀର ପାଦରେ ଉଦ୍ୟାନରେ ପାଦ ଦେଲେ ସେ। ଗୁଣୁ ଗୁଣ ଗୀତ ଗାଇ ଫୁଲ ଗଛ ସବୁକୁ ନିଜର ପିଲାଟି ପରି ଆଉଁସି ଆଣୁଥିଲା କରୁଣା। କିଛି ଦୂରରୁ ଶୁଣା ଯାଉଥିଲା ତାର ପିଲାମାନଙ୍କର କୋଳାହଳ। ଖୁବ ମଧୁର ଥିଲା ସେ ଅପରାହ୍ନ। ସୂର୍ଯ୍ୟ ମାଆ କୋଳକୁ ଡେଇଁବେ ଡେଇଁବେ ବୋଲି ଉଦ୍ୟତ ହେଉଥିଲେ। 

"ବାବୁ ଜୁହାରେ" ମାଲିକଙ୍କୁ ଦେଖି ମୁଣ୍ଡିଆ ପକେଇଲା କରୁଣା। 

ଗମ୍ଭୀର "ହୁଁ" ଟେ ତା ଆଡ଼କୁ ଛାଟିଦେଇ ଚେୟାରରେ ବସି ପଡିଲେ ଦିବାକର ବାବୁ। ତାଙ୍କ ଆଗରେ ପରଶି ଦିଆ ଗଲା ଦାମୀ କପ ପ୍ଲେଟରେ ଚାହା ଆଉ ଜଳଖିଆ। 

ଚା କପ ଟି ଉଠେଇ ଧରିଲେ ଦିବାକର ବାବୁ। କପରେ ଥରୁଟିଏ ଓଠ ଲଗେଇ ଭାବିଲେ ନାଁ ଆଉ ରହି ହେବନି। ପ୍ରଶ୍ନଟି ତାଙ୍କ ଭିତରେ ଖୁବ ଛଟ ପଟ ହେଉଥିଲା।

" ଆରେ କରୁଣା, ଏଠିକୁ ଆସିଲୁ। "ଗଳା ଝାଡ଼ି ଡାକିଲେ ସେ।

" ହଁ ବାବୁ କୁହନ୍ତୁ" 

"କଥା କଣ କି ପ୍ରଶ୍ନଟିଏ ପଚାରିଥାନ୍ତି ଯେ...." ଇତଃ ସ୍ତତଃ ହୋଇ କହିଲେ ଦିବାକର ବାବୁ। 

"କଉ କଥା ବାବୁ, କହୁ ନାହାନ୍ତି । ମୁଁ ବା କଣ ଜାଣେ ଯେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି" 

" ଏଇ ....କହୁ ଥିଲି କି । ତୋର ତ ଅଳ୍ପ ଦରମା ପୁଣି ଜମି ବାଡ଼ି ବି ଵିଶେଷ କିଛି ନାହିଁ ତଥାପି ତୁ ଏତେ ଖୁସିରେ କେମିତି ଅଛୁ। କଣ କିଛି ପୋତା ଧନର ସନ୍ଧାନ ପାଇଛୁ କି" କୁଣ୍ଠିତ କଣ୍ଠରେ ପଚାରିଲେ ଦିବାକର ବାବୁ। 

"କଣ ଯେ ଆପଣ କୁହନ୍ତି ବାବୁ, ଆମ ଗରିବ ଗୁରୁବାଙ୍କ ପାଇଁ ଧନ ବା କେଉଁଠୁ ଆସିବ । ଯାହା ମିଳୁଛି ସେତିକି ଢେର । ତଥାପି ପଚାରୁଛନ୍ତି ଯଦି କହୁଛି ବାବୁ, ପିଲାଦିନେ ବା' ମୋର କହିଥିଲା ଶୁଣ ପୁଅ ଯେତେ ଦିନ ଯାଏଁ ତୋ ମୁଣ୍ଡ ଉପରେ ଆକାଶ ଆଉ ପାଦ ତଳେ ମାଟି ଅଛି ତୁ ଦୁନିଆର ସବୁଠୁ ଧନୀ । ତେଣୁ କେବେ ଦୁଃଖୀ ହେବୁନି । ସବୁ ବେଳେ ହସ ଖୁସିରେ ରହିବୁ। 

ମୋର ବା'ର କଥା ଠିକ ନୁହେଁ କି ବାବୁ, ଘର ବାଡ଼ି ଧନ ରତ୍ନ ଦିନେ ଆସିବ ଦିନ ଚାଲିଯିବ ହେଲେ ମୁଣ୍ଡ ଉପରର ଆକାଶ ପାଦ ତଳର ମାଟିକୁ କେହି କଣ କେବେ ନେଇ ପାରିବ କି? ସେଇ ମୋର ପୋତା ଧନ। ଏତେ ବଡ଼ ପୋତଧନ ଥାଉ ଥାଉ ଆଉ ଦୁଃଖ କଣ ପାଇଁ ବାବୁ। " ପୁଣି ଥରେ ହସର ଫୁଆରା ବିଞ୍ଚିଦେଇ ନିଜ କାମରେ ଲାଗିଗଲା କରୁଣା।

ଅବାକ ହେଇ ବସି ରହିଥିଲେ ଦିବାକର ବାବୁ। କେତେ ବଡ଼ କଥା ନ କହିଲା କରୁଣା। ଠିକ ତ। ପାଠ ପଢୁଆ ଦିବାକର ବାବୁଙ୍କର ଅଜ୍ଞାନ ଚକ୍ଷୁକୁ ଆଜି ଜ୍ଞାନର ଆଲୋକରେ ଖୋଲି ଦେଇଥିଲା ଅଶିକ୍ଷିତ ମଳି ମୁଣ୍ଡିଆ କରୁଣା। ତେବେ ସେ ବା କାହିଁକି ଦୁଃଖୀ ହେଉଛନ୍ତି । ତାଙ୍କର ମୁଣ୍ଡ ଉପର ଆକାଶ ଆଉ ପାଦ ତଳର ମାଟି ଏବେ ବି ସୁରକ୍ଷିତ। 

ଭାରି ଉଶ୍ୱାସ ଲାଗିଲା ତାଙ୍କୁ। ସତେକି ତାଙ୍କ ଛାତି ଭିତରର ମେଘୁଆ ଆକାଶଟା ନିମିଷକରେ ଫର୍ଚ୍ଚା ହେଇଗଲା। 

"ଆସରେ ପିଲେ ଏଇଠିକୁ ଆସ" ବିସ୍କୁଟ ଭର୍ତ୍ତି ପ୍ଲେଟଟି ଧରି ଦୂରରେ ଠିଆ ହୋଇ ତାଙ୍କୁ ଦେଖୁଥିବା କରୁଣାର ପିଲାମାନଙ୍କୁ ଡାକ ପକେଇଲେ ସେ।ଚଳ ଚଞ୍ଚଳ ହରିଣୀ ପରି ଧାଇଁ ଆସିଲେ କୁନି କୁନି ପାଦ ଦୁଇ ଯୋଡ଼ା । ବାବୁଙ୍କର ଏପରି ବ୍ୟବହାର ଦେଖି ଖୁସିରେ ହସୁଥିଲା କରୁଣା। ସେ ଅପରାହ୍ନରେ ଦିବାକର ବାବୁଙ୍କର ଦୁନିଆ ଭିଜି ଯାଉଥିଲା ହସ ଖୁସିର ବର୍ଷାରେ । ଅନେକ ବର୍ଷ ପରେ ନିଜ ଅଜାଣତରେ ମୃଦୁ ମୃଦୁ ହସୁଥିଲେ ଦିବାକର ବାବୁ। 



Rate this content
Log in

Similar oriya story from Inspirational