Rajabala Tripathy

Tragedy

2  

Rajabala Tripathy

Tragedy

ଚା କପର ବାସ୍ନା

ଚା କପର ବାସ୍ନା

2 mins
348


କ୍ୱାଟରରେ ପାଦ ଦେଉ ଦେଉ ଏକ ମିଠା ମିଠା ବାସ୍ନା ନାକରେ ବାଜିଲା ଶ୍ୟାମଳିର। ଫୁଟନ୍ତା ଚାହାର ମିଠା ବାସ୍ନାରେ ବୁଡି ଥିଲା ତା ଛୋଟ ଘରଟି। ଚାହା ବର୍ଜିତ ତା ଘରେ ପୁଣି ଚାହାର ବାସ୍ନା  ତା ପ୍ରଶ୍ନିଳ ଚାହାଣୀ ବୁଝିପାରିଲା ନିନି, ଘରେ ରହି କାମ ଦାମରେ ସାହାଯ୍ୟ କରୁଥିବା ଝିଅଟି। ତା ଉତ୍ତରକୁ ଅପେକ୍ଷା ନ କରି ଘରେ ପଶିଗଲା ଶ୍ୟାମଳି। ଡ୍ରଇଂ ରୁମର ସୋଫାରେ ବିନ୍ଦାସ ହେଇ ବସି ରହିଥିଲା ଗୋଟିଏ ଖୁବ ଚିହ୍ନା ଫେସ...ଅନୁରାଗ। ତା ଆଗରେ ସଦ୍ୟ ପରଶା ଯାଇଥିବା ବାମ୍ଫ ଉଠା ଚାହା କପ । 


ଅନୁରାଗ ତା ଅଫିସର ସବୁଠୁ ହସକୁରା ମଣିଷଟିଏ। ଓଠରେ ହସରେ ଫୁଲଟେ ଫୁଟେଇ ପରକୁ ଆପଣାର କରିନେବାର କଳା ତାକୁ ବେଶ ଜଣା ଥିଲା। ଅଫିସ କ୍ୟାଣ୍ଟିନର ଚାହା କପରୁ ତା ସହ ହୋଇଥିବା ପରିଚୟ କେତେବେଳେ ଯେ ପ୍ରେମରେ ବଦଳି ଯାଇ ବିବାହ ଯାଏଁ ଚାଲି ଯାଇଥିଲା ଜାଣିପାରି ନ ଥିଲା ଶ୍ୟାମଳି। ଅଫିସ ପରର ଦୁହିଁଙ୍କର ସନ୍ଧ୍ୟା ସବୁ ଚାହା କପର ଧୂଆଁରେ କଟୁଥିଲା ଶ୍ୟାମଳିର ସେ ଛୋଟ କ୍ୱାଟରରେ।


ଜାତିଗତ ସମସ୍ୟା ପାଇଁ ଅଟକି ଯାଇଥିଲା ବିବାହ। ନିଜଠୁ ତଳ ଜାତିର ଝିଅକୁ ବୋହୂ କରି ନେବାକୁ ରାଜି ହେଉ ନଥିଲେ ଅନୁରାଗର ଗାଁରେ ରହୁଥିବା ବିଧବା ନୈଷ୍ଠିକ ଧାର୍ମିକା ମାଆ। ବୁଝେଇ ବୁଝେଇ ଥକି ଯାଉଥିଲା ଅନୁରାଗ। ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିଲା। ଆଉ ମଜା ଦେଉ ନଥିଲା କ୍ୟାଣ୍ଟିନର ଚାହା କପ। ବ୍ୟତିବ୍ୟସ୍ତ ଲାଗୁଥିଲା ଦିନ ସବୁ। 

ଦିନେ ବିରକ୍ତ ହୋଇ ସମ୍ପର୍କ ଡୋରଟିକୁ କାଟି ଅନୁରାଗକୁ ମୁକ୍ତ କରିଦେଇ କ୍ୟାଣ୍ଟିନର ଅଧା ପିଆ ଚାହା କପ ପାଖରୁ ଉଠି ଆସିଥିଲା ଶ୍ୟାମଳି। ବ୍ଲକ କରି ଦେଇଥିଲା ଅନୁରାଗକୁ mobileରୁ , ଫେସବୁକରୁ whatsappରୁ। ଲାଗି ପଡି ବଦଳେଇ ଦେଇଥିଲା କ୍ୱାଟର । ବଦଳି ପାଇଁ ବି ଲାଗି ପଡିଥିଲା । ଚେଷ୍ଟା କରିଥିଲା ଯେମିତି ଅନୁରାଗ ସହ ସାମ୍ନା ସାମ୍ନି ନ ହୁଏ। ସେଦିନଠାରୁ ରାଗ ଅଭିମାନରେ ଚାହା ପିଇବ ନାହିଁ ବୋଲି ଶପଥ କରିଥିଲା। ବନ୍ଦ ହେଇ ଯାଇଥିଲା କ୍ୟାଣ୍ଟିନର ଚାହା ଆସର । ଖାଲି ପଡୁ ଥିଲେ ଘରର ଚା କପ ସବୁ। 


ସେଇ ଅନୁରାଗ ତିନି ମାସ ପରେ ଆସି ବସିଛି ତା ଡ୍ରଇଂ ରୁମରେ। 


"ତୁମେ ଏଠି କାହିଁକି


"ମୁଁ ଆଉ କେଉଁଠି ଥାଆନ୍ତି କି ସେଇ ସମାନ ଦୁଷ୍ଟ ହସ ଅନୁରାଗ ଓଠରେ । 

ଅଭିମାନରେ କୁହୁଳୁ ଥିଲା ଶ୍ୟାମଳି। ବଡ଼ କଷ୍ଟରେ control କରୁଥିଲା ତା ଆଖିର ଲୁହ। 


କିଛି ସମୟ ସେମିତି ନୀରବରେ ବିତିଗଲା। 


"କିଛି କୁହ । "


" କଣ କହିବି "


"ସୁଖରୁ ପଦେ ଦୁଃଖରୁ ପଦେ"


"ମୋର ତୁମକୁ କିଛି କହିବାର ନାହିଁ । ସୁଖ କି ଦୁଃଖ କିଛି ବାଣ୍ଟିବାର ନାହିଁ।" ଛଳ ଛଳ ହେଉ ଥିଲା ଶ୍ୟାମଳିର ଆଖିର ଲୁହ। 


"ଆଛା ହଉ । ସୁଖ ଦୁଃଖ ନ ବାଣ୍ଟ। ମୋ ସହ ଚାହା କପଟେ ତ ବାଣ୍ଟି ନିଅ।" 

ଚାହା କପ ଉଠେଇ ଶ୍ୟାମଳି ଆଡ଼କୁ ବଢ଼େଇଲା ଅନୁରାଗ।


"ପ୍ଲିଜ । ଥରୁଟେ ଓଠରେ ଛୁଏଇଁ ଦିଅ। ଚାହା ବେଶି ମିଠା ଲାଗିବ।" ସବୁ ଥର ନିଜ କପର ପ୍ରଥମ ଢ଼ୋକ ଶ୍ୟାମଳିକୁ ପିଆଇଲା ପରି ଆଜି ବି କହିଲା ଅନୁରାଗ।


ଅନୁରାଗ ଆଡ଼କୁ ଆଖି ଉଠେଇ ଦେଖିଲା ଶ୍ୟାମଳି। ଲିଭି ଯାଇଥିଲା ଅନୁରାଗ ଓଠର ହସ। ଆଖିର ଲୁହ ସବୁ ଝରିବେ ଝରିବେ ହେଉଥିଲେ।  


"ଶେଷ ଥର ପାଇଁ ...ପ୍ଲିଜ" ....ବେଶ କରୁଣ ଥିଲା ଅନୁରାଗର ସ୍ୱର।


ଯନ୍ତ୍ର ଭଳି ହାତ ବଢ଼େଇ ଚାହା କପଟି ଧରିଲା ଶ୍ୟାମଳି। 


ଥର ଥର ହାତରେ ଓଠ ଲଗେଇ ଢୋକଟିଏ ନେଲା। ଚାହାର ଉଷୁମ ଜମା ବି ଉଷୁମେଇ ପାରୁ ନଥିଲା ତା ମନ ଭିତରର ହିମ ଶୀତଳତାକୁ। କିନ୍ତୁ ତରଳି ଯାଉଥିଲା ରାଗ ଅଭିମାନର ପାହାଡ଼, ବୋହି ଯାଉଥିଲା ଲୁହ ହୋଇ। 


ବାଷ୍ମାୟିତ ଆଖିରେ ଦେଖିଲା ଟି ପୟ ଉପରେ ପଡିଥିଲା ଅନୁରାଗର mrg କାର୍ଡ। ଛାତି ଭିତରଟା କୋରି ହେଇ ଯାଉଥିଲା ତାର। ଯନ୍ତ୍ରଣାରେ ଆଖି ବନ୍ଦ କରି ଦେଲା ଶ୍ୟାମଳି। ଅନୁରାଗ ହାତ ବଢ଼େଇ ଥିଲା ଶ୍ୟାମଳି ଓଠ ଛୁଆଁ ଶେଷ ମିଠା ଚାହା କପଟି ପାଇଁ। 

ଦୁଇଟି ଭଙ୍ଗା ହୃଦୟର ଦୁଃଖକୁ ଟିକେ ବି ଖାତିର ନ କରି ମିଠା ଚାହା ବାସ୍ନାରେ ଭିଜୁ ଥିଲା ସେଦିନର ସନ୍ଧ୍ୟା।


Rate this content
Log in

Similar oriya story from Tragedy