ପ୍ରେମର ପରିଭାଷା
ପ୍ରେମର ପରିଭାଷା


ସୁବିସ୍ତୃତ ସାଗର ସୈକେତ, ମାଇଲ ମାଇଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଝାଉଁବଣରେ ପବନ ବହିଲେ ସଁ ସଁ ଶବ୍ଦ, ତା ସହ ତାଳ ଦେଇ ଘୋ ଘୋ ଗର୍ଜନେ ଆସୁଛି ପୁଣି ଫେରିଯାଉଛି ସମୁଦ୍ର ଲହଡି । ସତେ ଅବା ଏଇ ନିର୍ଜନତାରେ ସେମାନେ ପରିପ୍ରକାଶ କରୁଛନ୍ତି ତାଙ୍କର ବାସ୍ତବତା, ଜଣାଇଦେଉଛନ୍ତି ନିଜର ଏଇ ଅବିରତ ନିରନ୍ତର ଉଲ୍ଲାସର ଏକ ସୁନ୍ଦର ମୂର୍ଚ୍ଛନା । ପୃଥିବୀରେ ଥିବା ଚିରନ୍ତନ ସତ୍ୟ ମଧ୍ୟେ ଏହା ମଧ୍ୟ ଅନ୍ତର୍ଭୁକ୍ତ, ସୃଷ୍ଟିକର୍ତ୍ତା ଙ୍କର ସୃଷ୍ଟିର ଅନନ୍ୟ ଓ ଅବିଚ୍ଛେଦ୍ୟ ଅଂଶ ବିଶେଷ ।
ଗୋଧୂଳି ବେଳାରରକ୍ତିମ ଗଗନେ ସୂର୍ଯ୍ୟ ଙ୍କ ଅସ୍ତ ଓ ଚନ୍ଦ୍ର ଙ୍କ ଉଦୟର ଏକ ନିଆରା ଉପଲବ୍ଧି ପାଇଁ ଏଭଳି ଏକରୋମଞ୍ଚପୁର୍ଣ୍ଣ ବେଳାଭୂମିକୁ ଧାଇଁ ଆସିଥିବା ସରୋଜ ବାବୁ ଙ୍କୁ କଣ ପାଇଁ ତାଙ୍କ ମନ ବାରମ୍ବାର ବାଧ୍ୟ କରୁଥିଲା ଏ ବିଷୟରେ ଭାବିବାକୁ । ଧିରେ ଧିରେ ବେଳାଭୂମିର ବେଳା ଯାଇ ନିଷାଦରାତ୍ରିରେ ପହଞ୍ଚିଲା, କିନ୍ତୁ ଉପରୋକ୍ତ ଅନୁଚ୍ଛେଦ ଟି ତାଙ୍କୁ ସେ ସ୍ଥାନ ତ୍ୟାଗ କରିବାକୁ ହିଁ ଦେଉନଥିଲା । ସେ ମନର ଏଇ ଅଥଳ ମହାସାଗରରେ ଡୁବି ଡୁବି ଅବଚେତନକୁ ଚାଲି ଗଲେ ଓ ଭୁଲି ଗଲେ ସମସ୍ତ ସ୍ଥାନ କାଳ ଓ ସମୟ ।
ବେଳେବେଳେ ମନୁଷ୍ୟ କ୍ଷେତ୍ରରେ ଏପରି ହୁଏ, ଯେତେବେଳେ ଅବଚେତନରେ ଲୁଚିରହିଥିବା ସୁଖ ଦୁଃଖର ମୁହୂର୍ତ୍ତ ସବୁ ଏପରି ପରିସ୍ଥିତିକୁ ହିଁ ଚାହିଁବସିଥାନ୍ତି ଓ ସୁଯୋଗ ଦେଖି ତତ୍କ୍ଷଣ ହିଁ ସାମ୍ନାକୁ ଆସିଯାଆନ୍ତି ।
ସେହିପରି ସରୋଜ ବାବୁ ଙ୍କ ହୃଦୟରୁ ଯେଉଁ ନିଷ୍କର୍ଷ ବାହାରିଲା ତାହା ଥିଲା ପ୍ରେମ, କେହି କେହି ତାକୁ ଯୋଡିଏ ଅକ୍ଷରକୁହନ୍ତି, କେହି ଅବା ଅଢେଇ ଅକ୍ଷର, କାହାପାଇଁ ଶାଶ୍ୱତ ତ କାହାପାଇଁ ଧୋକା ଛଳନା ଓ ପ୍ରତାରଣା, କିନ୍ତୁ ପ୍ରେମ ମଧ୍ୟ ପୃଥିବୀରେ ଚିରନ୍ତନ ଏକ ସତ୍ତା ଏହାକୁ ମାନିବାରେ କାହାରି ସନ୍ଦେହ ନାହିଁ । କିଏ ଅବା ବୁଝେଇପାରିବ ବାସ୍ତବରେ ପ୍ରେମର ସଂଜ୍ଞା!
ପ୍ରେମ ଅନ୍ତରର ଅଜଣା ଆକର୍ଷଣ, ଶରୀରର ଅପୂର୍ବ ଏକ ଶିହରଣ । ପ୍ରେମ କାହାକୁ କହନ୍ତି, ଯଦି କିଶୋରକୁ ପ୍ରଶ୍ନ କରାଯାଏ ତାର ଉତ୍ତର ଯାହା ହେବ, ଯୁବକର ଉତ୍ତର ତାହା ନୁହେଁ, ପୁଣି ପ୍ରୌଢ କ୍ଷେତ୍ରରେ ମଧ୍ୟ ଅଲଗା ।
କିନ୍ତୁ ସରୋଜ ବାବୁ ଙ୍କ କ୍ଷେତ୍ରରେ ଏହା କି ପ୍ରକାର ପ୍ରେମ ହେବ!
ଏହାବି ମନମଧ୍ୟରୁ ଉଭେଇଯିବା କଥା ନୁହେଁ ଯେ ମଣିଷର ଜୀବନ ଅନେକ ଅଙ୍କାବଙ୍କା ଗତିପଥରେ ଚାଲିଥାଏ । ପ୍ରତିଟି ପର୍ଯ୍ୟାୟ ନୂତନ ସମ୍ପର୍କ,ନୂତନ ଜ୍ଞାନ ଓ ନୂତନ ଅଭିଜ୍ଞତା ପ୍ରଦାନ କରେ, କାରଣ ଜଗତରେ କ୍ଷଣ କ୍ଷଣକୁ ନୂତନତ୍ୱର ସୃଜନୀ ହୁଏ । ବିବର୍ତ୍ତନବାଦରେ ସାମୟିକ ସ୍ଥିରତା ସମ୍ଭବ କିନ୍ତୁ ବୁଦ୍ଧିମାନ ମଣିଷ ସାମୟିକ ସ୍ଥିରତାରେ ଅଟକି ନଯାଇ ଆଗକୁ ବଢିଚାଲେ ।
ଅଧିକନ୍ତୁ ସରୋଜ ବାବୁ ବୟସର ଅପରାହ୍ନରେ ଏପରି ଏକ ମୁହୂର୍ତ୍ତରେ ଖୋଜିବସିଚନ୍ତି ପ୍ରେମକୁ । ଯଦି ସେ ଏତେ ଯାଏଁ ପ୍ରେମ କଣ ବୁଝିନାହାନ୍ତି ତେବେ ଅଦ୍ୟାବଧି ସମାଜରେ କିପରି ଚାଲିଛନ୍ତି । ସମୟର ସ୍ରୋତରେ ଘର, ପରିବାର, କର୍ମ ସବୁଠି ଯଦି ପ୍ରେମ ନଥାନ୍ତା ତେବେ ମଣିଷର ସୋପାନ ପରେ ସୋପାନର ଉନ୍ନତି କିପରି ହେବ? ଏପରି ଅସମାହିତ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛନ୍ତି ନିସ୍ତବ୍ଦ ବେଳାଭୂମିରେ ବିତିଯାଉଥିବାରଜନୀର ପ୍ରଗାଢତାରେ ମିଂଜିମିଞ୍ଜି ହେଇ ଜଳୁଥିବା ତାରକା ମଧ୍ୟରେ ନିଜକୁରାଜା ମଣୁଥିବା ଚନ୍ଦ୍ରମାକୁ ଦେଖି ।
ଏକାଗ୍ର ଚିତ୍ତେ ସେ ନିଜକୁ ନେଇଯାଇଛନ୍ତି ସେଇ ଛୋଟ ଅବୋଧ ଶିଶୁ ପାଖକୁ ଯାହାକୁ କେବଳ ମାତୃପ୍ରେମର ଝରଣା ହିଁ ପରିପୁଷ୍ଟ କରି ଗଢି ତୋଳିଲା, ଯୁବକଟିଏ ହେବାପରେ କର୍ମ ଅନୁରାଗୀ ହେଲା ସେଇ ଅନୁଯାଇ ସାମାଜିକ ଦାୟିତ୍ୱ ମଧ୍ୟ ବଢିଲା ଫଳରେ ପ୍ରେମର ସଂଜ୍ଞା ମଧ୍ୟ ବଦଳିଲା ଯାହା ଧିରେ ଧିରେ ପାରିବାରିକ ଓ ସାଂସାରିକ ବନ୍ଧନରେ ସୀମିତ ହୋଇ ସୁଖ ସୁବିଧା ସ୍ଵାଚ୍ଛନ୍ଦ ଜୀବନଯାପନକୁ ପ୍ରେମ ବୋଲି ବିହିତ କଲା । ପୁଣି ବୟସ ବଢ଼ିଲାପରେ ଜୀବନସାଥୀର ସେଇ ସେବା ସେଇ ଆପଣାପଣକୁ ହିଁ ପ୍ରେମ ବୋଲିକୁହାଗଲା । କିନ୍ତୁ ଶେଷକୁ ଗୋଟି ଗୋଟି କରି ସବୁ ପଶାପାଲିର ଗୋଟି ପରି ସମୟ ପଶାରେ ଚାଲିଗଲେ ।
କୁହାଯାଏ ଭଗବାନ ଙ୍କ ଏଇ ସୃଷ୍ଟିରେ ଅସମ୍ଭବ ବୋଲି ଶବ୍ଦ ହିଁ ନାହିଁ, ଅସମ୍ଭବ ଲାଗୁଥିବା କାର୍ଯ୍ୟ ବାସ୍ତବରେ ସମ୍ଭବର ଏକ ମୁଦିତ ଅଙ୍ଗ ଯାହା ଉନ୍ମେଷ ହେଲେ ଅସମ୍ଭବ ସମ୍ଭବ ହୁଏ, ଠିକ ସେପରି ଉତ୍ତର ଖୋଜୁ ଖୋଜୁ ସରୋଜ ବାବୁ ଙ୍କ ଏକାଗ୍ରତା ଉତ୍ତରକୁ ଉନ୍ମୋଚନ କଲା । କିନ୍ତୁ ଭିନ୍ନ ଢଙ୍ଗରେ । । । ।
ହଠାତ ସରୋଜ ବାବୁ ଙ୍କ ସାମ୍ନାରେ ହାଜିର ହେଲା ଠିକ ସମାନରୂପଧାରୀ ଜଣେ ବ୍ୟକ୍ତି, ତାହା ଥିଲା ତାଙ୍କ ପ୍ରତିବିମ୍ବ । । ।
ସରୋଜ ବାବୁ! କେବେ ନିଜକୁ ପ୍ରେମ କରିଛ?
ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହୋଇ ଉତ୍ତର ଦେଲେ, "ନିଜକୁ ପ୍ରେମ!"
ହଁ!!!
"ମଣିଷ ସବୁକିଛି ଉଦ୍ୟମ କରେ ନିଜର ସ୍ୱାର୍ଥସିଦ୍ଧି କରେ, କିନ୍ତୁ ଯାହା କରିବା କଥା, ନିଜକୁ ଯେଉଁ ପ୍ରେମ ଯେଉଁ ସମୟ ଯେଉଁ ସମ୍ମାନ ଦେବା କଥା, ତାହା ଦିଏନାହିଁ । କାରଣ ଏ ପ୍ରେମ ବିଷୟରେ ସେ ଅବଗତ ନଥାଏ ଓ ଅବଗତ ହେବାବେଳକୁ ହିଁ ସମୟ ନଥାଏ", ଛାୟା ପ୍ରତିବିମ୍ବ ଏତିକି କହି ଉଭାନ ହେଲା ।
ସରୋଜ ବାବୁ ଏଥର ବୁଝିପାରୁଥିଲେ, ପ୍ରେମ କେବେ କାହାକୁ ଛାଡେନି, ସ୍ୱାର୍ଥଜନିତ ଆସକ୍ତି ହିଁ ଛାଡ଼ିଗଲେ ମଣିଷ ପ୍ରେମ ବିଚ୍ଛେଦ ବୋଲି କୁହେ । ପ୍ରେମ ମଣିଷ ସହ ଆଗରୁ ଥିଲା,ରହିଛି ଓ ଭବିଷ୍ୟତରେ ମଧ୍ୟରହିବ, କାରଣ ଏହା ପରା ସୂର୍ଯ୍ୟ, ଚନ୍ଦ୍ର ଓ ସାଗର ଲହରୀ ପରି ଚିରନ୍ତନ । କୌଣସି ଚିରନ୍ତନର ବାସ୍ତବ ସଂଜ୍ଞା ନିରୂପଣ କରିବା ମୂର୍ଖାମୀ, କାରଣ ପ୍ରଗତିଶୀଳତାକୁ ସୀମିତ ଶବ୍ଦ ମଧ୍ୟରେ ଏକତ୍ରିତ କରାଯାଇପାରେନାହିଁ । କେବଳ ଏତିକି କହିହେବ ଏହା ଶାଶ୍ୱତ ।