STORYMIRROR

Kumar Mrutyunjay

Classics Inspirational Others

4  

Kumar Mrutyunjay

Classics Inspirational Others

ଅଧିକାରର ଅର୍ଦ୍ଧେକ ପୃଥିବୀ

ଅଧିକାରର ଅର୍ଦ୍ଧେକ ପୃଥିବୀ

2 mins
252

କୌଣସି ସୁନାମଧେୟ ସାହିତ୍ୟିକ ନହେଲେ ମଧ୍ୟ ଦାସ ବାବୁଙ୍କର ସାହିତ୍ୟ ତଥା ଦର୍ଶନ ପ୍ରତି ବିଶେଷ ରୁଚି। କେତେବେଳେ କେମିତି ମନ ମଧ୍ୟରେ ଉଙ୍କି ମାରୁଥିବା ସ୍ବତଃସ୍ଫ୍ରୁତ ପ୍ରେରଣାକୁ କଲମମୁନରେ ନିଗାଡ଼ି ଦିଅନ୍ତି ଧୋବ ଫରଫର କାଗଜ ଉପରେ, କିଛି କଥା ବେଳେଅଧେ ସାହିତ୍ୟପୃଷ୍ଠାରେ ପ୍ରକାଶ ହୋଇଯାଏ ଆଉ କିଛି ସେମିତି କାଗଜଭିତରେ ସୀମିତ ହୋଇ ରହିଯାଏ।


କିନ୍ତୁ ଆଜିର ଘଟଣାବଳୀଟି ସତେ ଅବା ତାଙ୍କର ସମସ୍ତ ଦାର୍ଶନିକ ଚିନ୍ତାଧାରାକୁ ଦୋହଲେଇ ଦେଇଥିଲା, ସତେ ଅବା ସେ ଜୀବନ ଦୋଛକିରେ ପଥହୁଡା ପଥିକଟେ ପରି କେଉଁଟା ଠିକ କେଉଁଟା ଭୁଲ ବାଛିବାରେ ଅସମର୍ଥ।


ତାଙ୍କ ମନ ଭିତରେ ସେ ସାଜି ଯାଇଥିଲେ ଉଭୟପକ୍ଷକୁ ଶୁଣି ବିଚାର କରିପାରୁଥିବା ନ୍ୟାୟାଧୀଶ। କିନ୍ତୁ କେବେ ସିଦ୍ଧାନ୍ତରେ ଉପନୀତ ହେବା ଯେ ଏତେ କଠିନ ତାହା ମର୍ମେ ମର୍ମେ ବୁଝିପାରୁଥିଲେ। ଗୋଟିଏ ପକ୍ଷ ଲାଗୁଥିଲା ବଳଶାଳୀ ବିତ୍ତବାନ ଚରମ ବ୍ୟକ୍ତିତ୍ୱ ଆଉ ଅନ୍ୟ ପକ୍ଷଟି ଲାଗୁଥିଲା ସରଳ, ନିରୀହ, ମୁକପ୍ରାୟ। କିନ୍ତୁ ଦୁନିଆ ଆଖିରେ ସେ କାଳ କାଳ ରୁ ଦୋଷୀ, ହେଲେ ତାକୁ ଦୋଷୀ ସଜେଇଲା କିଏ ?


ହଠାତ୍ ମୁଷଳ ବାରିଧାରା ପରି ବର୍ଷାର ଆଗାମୀ ସୂଚନା ବିନା, ଛତା ନ ନେଇ ତେଜରାତି ଦୋକାନକୁ ସଉଦା କିଣିବାକୁ ଯାଇଥିବା ଦାସବାବୁ ଅପେକ୍ଷା କରିଥିଲେ ବର୍ଷାର ପ୍ରଗାଢତା କମିବାକୁ। ହଠାତ ଦୃଷ୍ଟି ପଡିଗଲା ଯନ୍ତା ଭିତରେ ଫସି ରହିଥିବା ଛୋଟ ଚୁଟିଆ ମୂଷା ଉପରେ, କେଡେ କରୁଣ ଚାହାଣୀରେ ସେ ଚାହିଁଥିଲା ଦାସବାବୁଙ୍କ ଆଡକୁ।ସତେ ଅବା ସେଇ ଚାହାଣୀରେ ଭରି ରହିଥିଲା ଅସମାହିତ କେତେ ଗୁଡ଼ିଏ ପ୍ରଶ୍ନ ଆଉ ହାତରେ କତିପେୟ ସମୟ ବାକିଥିବା ଜୀବନର ଭୟ।

ଦାସବାବୁଙ୍କ ଏକଲୟରେ ମୂଷାକୁ ଚାହିଁ ରହିବା ଦେଖି ଦୋକାନୀଟି ହସୁ ହସୁ ଆରମ୍ଭ କଲା ସେଇ ମୂଷାର ଅପରାଧର ଲମ୍ବା ତାଲିକା, ଆଉ ନୁକସାନ କରିଥିବା ପଇସାର ହିସାବ ନିକାସ।


ଦାସବାବୁ ସିନା ଗୋଟିଏ ପକ୍ଷକୁ ଶୁଣୁଥିଲେ ହେଲେ ଅନ୍ୟପକ୍ଷ ଟି, ସେମିତି ଚାହିଁ ରହିଥିଲା ତାଙ୍କ ଆଡକୁ, ସେଇ ନୀରବତା ସତେ ଅବା ବଖାଣୁ ଥିଲା ତା'ର କୈଫତ। ଦାସବାବୁ ମର୍ମେ ମର୍ମେ ଅନୁଭବ କରୁଥିଲେ, ହୁଏତ ହୃଦୟରୁ ଶୁଣିପାରୁଥିଲେ ମୂଷାର ଅନ୍ତଃସ୍ୱର। ସତେ ଅବା ମୂଷାଟି କହୁଥିଲା ତା'ର ଆତ୍ମକହାଣୀ।


ମୂଷାର ନୀରବତାର ପରିଭାଷାକୁ କାଗଜରେ ବର୍ଣ୍ଣନା କଲେ ଠିକ ଏହିପରି ହେବ, "କିଏ ଗଢିଥିଲା ତୁମ ମାନଙ୍କୁ ଶ୍ରେଷ୍ଠଜୀବ ଭାବେ? ଶ୍ରେଷ୍ଠ ସିଏ ଯିଏ ରକ୍ଷାକରେ, ସୁରକ୍ଷା ଦିଏ,ପ୍ରେମ ଦିଏ, ହେଲେ ଏଠି ଶ୍ରେଷ୍ଠର ପରିଭାଷା ତ ସମ୍ପୂର୍ଣ୍ଣ ଭିନ୍ନ।କିଏ କହିଲା ଏସବୁ ତୁମର, ଏଇ ଶସ୍ୟ, ଏଇ ଜଳ, ଏଇ ବୃକ୍ଷ ଆଉ ଶେଷକୁ ଏଇ ପୃଥିବୀ! ଯଦି ଗୋଟେ ବାପର ଦୁଇଟି ସନ୍ତାନ ତେବେ ତମେମାନେ ନିଜେ ହିଁ ସମ୍ପତ୍ତିକୁ ଦୁଇ ଭାଗରେ ବାଣ୍ଟି ନେଉଛ, ହେଲେ କେବେ ତ ଚିନ୍ତା କରିନାହଁ, ଏ ସମଗ୍ର ସଂସାର ଈଶ୍ୱରଙ୍କ ସମ୍ପତ୍ତି ଆଉ ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ! ତେବେ ମୋର ପ୍ରାପ୍ୟକୁ ନିଜର ବୋଲାଇବାର ଏହା କ'ଣ ମଣିଷର ଅପଚେଷ୍ଟା ନୁହେଁ?"।


ଦାସବାବୁ ଶୁଣୁଥିଲେ ହେଲେ ବିଚାରାଳୟର ନ୍ୟାୟାଧୀଶ ଯେପରି ଜମିଜମା ମକଦ୍ଦମାରେ ଶୁଣାଣୀ କରି ପିତୃ ସମ୍ପତ୍ତିକୁ ସମଭାବେ ବାଣ୍ଟି ଦିଅନ୍ତି, ହେଲେ ଏଠି! ଏଠି ଭାଗ ହେଉଛି ପୃଥିବୀର, ଜଳସ୍ଥଳ, ପବନର, କିନ୍ତୁ କିପରି ହେବ? କିପରି ଏଇ ଛୋଟ ଜୀବଟି ପାଇପାରିବ ତା'ର ଜନ୍ମଗତ ଅଧିକାରର ସେତକ ପୃଥିବୀ!


ନା କାଳକାଳରୁ ଚାଲିଆସିଥିବା ଏଇ ଅକଥନୀୟ ଅତ୍ୟାଚାର ପୁଣି ଆଜି ଉଗ୍ରରୂପ ନେବ, ଫଳରେ ନୀରବରେ ସେଇ ବନ୍ଦୀ ହୋଇ ନିରବୀଯିବ ଏଇ ଚୁଟିଆ ମୂଷାର ଜୀବନ, ବଢିଯିବ ଗୋଟେ ମାତ୍ରାରେ ପୁଣି ମହମ୍ମଦ ଘୋରୀ, ଆଲ୍ଲାଉଦ୍ଦିନ, ଆଲେକଜାଣ୍ଡାର ଭଳି ପୃଥିବୀକୁ ଜୟ କରିବାର ଏକ ଉଦ୍ଧତ ପ୍ରଚେଷ୍ଟା।


ଏସବୁ ସହି ନପାରି କିଂକର୍ତ୍ତବ୍ୟବିମୁଢ ହୋଇ ଦାସବାବୁ ଉଠିଆସିଲେ ସେଠାରୁ, ବର୍ଷାର ପ୍ରକୋପ ଟିକେ କମିଥାଏ, ହେଲେ କାହିଁକି କେଜାଣି ତାଙ୍କ ଆଖିରୁ ବହି ଯାଉଥାଏ ଅଶ୍ରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics