Kumar Mrutyunjay

Drama Classics Inspirational

4.0  

Kumar Mrutyunjay

Drama Classics Inspirational

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

2 mins
264


  ପ୍ରଫୁଲ୍ଲ ପ୍ରଫୁଲ୍ଲତାର ଆଜି ଅନ୍ତ ନାହିଁ।ସେ ଆଜି ସ୍ଵଇପ୍ସିତ ଆକାଂକ୍ଷା ପଥେ ଅଗ୍ରସର ହେଉଛି। ଦୀର୍ଘ ଦେଢ଼ ବର୍ଷର ଅପେକ୍ଷାର ଅବସାନ ପାଇଁ ଆଉ ଅଳ୍ପ କିଛି ବାଟ ବାକି ରହିଲା।

  

   ଦୁଇ ଦିନର ରେଳ ଯାତ୍ରା ଓ ପାଞ୍ଚ ଘଣ୍ଟାର ବସ ଯାତ୍ରା ପରେ ଏବେ ତିନି କିଲୋମିଟର ଚାଲିସାରିଲାଣି କିନ୍ତୁ ଟିକେ ହେଲେ ବି ଥକା ଅବା କଷ୍ଟ ଲାଗୁନି, ଆହୁରି ପ୍ରାୟ ଗୋଟେ କିଲୋମିଟର ବାଟ ଚାଲିବ।ଏବେଠୁ ଜଣେ ଦୁଇଜଣ କରି ଗାଁ ଲୋକ ଦେଖା ହେଲେଣି ପଦେ ଅଧେ କଥା ନହୋଇ ଆସିବ ବା କିପରି?


  ଚାଲୁଥାଏ ଆଉ ମନଭରି ଉପଭୋଗ କରୁଥାଏ ଏ ସୁନ୍ଦର ପ୍ରକୃତିର ଅକଳନୀୟ ପରିପ୍ରକାଶକୁ। ସେଇ ନାଲିଗୁଡ଼ି ଅଣଓସାରିଆ ରାସ୍ତା,ଦୁଇ ପାଖରେ ନାନା କିସମର ବୃକ୍ଷ ରାଜି,କେଉଁଠି ତାଳ ତ କେଉଁଠି ଖଜୁରୀ ଅବା ମଝିରେ ମଝିରେ ନିଦାଘ ଖରାରେ ପଥକ୍ଲାନ୍ତ ପଥିକକୁ ଟିକେ ଆରାମ ଓ ବିଶ୍ରାମ ଦେବା ପାଇଁ ଦଶଭୁଜ ପ୍ରସାରି ପାଛୋଟି ନେଉଥିବା ଝଙ୍କାଳିଆ ଦ୍ରୁମ। କେତେବେଳେ ପଡିଯାଉଛି ସୁଦୂର ପ୍ରସାରୀ ଚାଷ ବିଲ ତ କେତେବେଳେ ପୁଣି ପଡିଆ ଆଉ ତା' ମଝିରେ ନିଶ୍ଚଳେ ନିଜର ଦାମ୍ଭିକତା ପ୍ରଦର୍ଶନ କରୁଥିବା ବିରାଟ ଶତାୟୁ ବଟ ବୃକ୍ଷ।


ଅର୍ଦ୍ଧନଗ୍ନ ଗ୍ରାମ୍ୟ ଶିଶୁ ମାନେ ସେଇ ଧୂଳିରେ ଗଡ଼ି ପଡି ମହାନନ୍ଦେ ଖେଳୁଥାନ୍ତି,ଅବଶ୍ୟ ଅନତିଦୂରେ କୈଶୋରରେ ପଦାର୍ପଣ କରିଥିବା ହାଇସ୍କୁଲ ଛାତ୍ର ମାନେ ଉତ୍ତମ ଶରୀର ଓ ସ୍ୱାସ୍ଥ୍ୟ ଗଠନରେ ରୁଚି ରଖି କ୍ଲବ ଘର ଆନୁକୂଲ୍ୟରେ ବିଭିନ୍ନ ପ୍ରତିଯୋଗିତା ମୂଳକ ଖେଳରେ ମାତିଥାନ୍ତି।ରୂପେଲି ନଗରୀର କଂକ୍ରିଟ ଜଙ୍ଗଲରେ ଅଣନିଶ୍ୱାସୀ ହେଇପଡିଥିବା ପ୍ରଫୁଲ୍ଲ ପ୍ରତିଟି କ୍ଷଣକୁ ଚାଲିବା ସହ ଉପଭୋଗ କରୁଥାଏ।

   


  ହଠାତ ସେ ଅନ୍ତର୍ମୁଖୀ ହୋଇଗଲା ଓ ଏକ ଗଭୀର ଚିନ୍ତନ ରେ ଡୁବିଯାଇ ଚିନ୍ତା କଲା କଣ ଅଛି ଅବା ସେଇ ସହରରେ! ଦିନ ଥିଲା ସହର ଚାକଚକ୍ୟ ତାକୁ ଆକୃଷ୍ଟ କରିନେଇଥିଲା ଓ ଟଙ୍କା ରୋଜଗାର କରିବାର ମୋହ ତାକୁ କବଳିତ କରିନେଇଥିଲା। "ଚାଷ କରି କିଏ ଉପରକୁ ଉଠିଲାଣି ନା ଉଠିବ"ଏପରି କିଛି ବାକ୍ୟ ତା ମନରେ ବସା ବାନ୍ଧିଥିଲା ତେଣୁ ସେ ଗାଁ ଛାଡି ଚାଲିଗଲା ସୁଦୂର ସହରକୁ।

   


   କିନ୍ତୁ ଦୂର ସହର ତାକୁ କିଛି ବିତ୍ତ ଦେଲା ସିନା ଦେଇପାରିଲାଣି ଆପଣାପଣ ଓ ଶାନ୍ତି।ଅଲଗା ଏକ ପରିବେଶ ଯେଉଁଠି ନା ଥାଏ କାହା ପାଖରେ ସମୟ ନା ଥାଏ କାହାପାଇଁ ଦୟା, ଭଲପାଇବା ପରି ଗୁଣ ଗୁଡିକ।ସମସ୍ତେ ଯେପରି ସ୍ୱାର୍ଥ ର ସାଥି। 


  ନଭଶ୍ଚୁମ୍ବୀ ଅଟ୍ଟାଳିକା ମାନ ଯେପରି ଦଣ୍ଡାୟମାନ ସେପରି ସେଠାକାର ଲୋକ ମାନଙ୍କ ହୃଦୟ ମଧ୍ୟ ପାଷାଣ। ସାହି ପଡିଶା ତ ଦୂର କଥା ବେଳ ପଡିଲେ ବାପ ପୁଅକୁ ବି ଅଚିହ୍ନା କରେ।


  ଅକ୍ଷୟତୃତୀୟାରେ ଯେଉଁ ମାଟି ମା'କୁ ଆମେ ପୂଜା କରୁ,ଯେଉଁ ମାଟି ମା' ଆମକୁ ଦାନା ଦିଏ ନିଜ ବୁକୁ ଚିରି ସୁନା ଫଳାଏ,ଯାହାକୁ ଖାଇ ଆମେ ବଞ୍ଚିବା ପାଇଁ ଶକ୍ତି ଓ ଚଳିବା ପାଇଁ ସାମର୍ଥ୍ୟ ପାଉ,ସେଇ ଅମୂଲ୍ୟ ମାଟି ପୁଣି ସେଠି ମିଳିବା କଷ୍ଟ। ସବୁଠି କେବଳ ମାର୍ବଲ,ଢ଼ଳେଇ ନହେଲେ ପିଚୁ। ଦୁର୍ମୂଲ୍ୟ ମାଟି ସେଠି ପ୍ୟାକେଟ ହେଇ ବିକ୍ରି ହୁଏ ସାମାନ୍ୟ ମୂଲ୍ୟରେ,ତାହା ପୁଣି ବାଲ୍କୋନିରେ ଶୋଭା ପାଇବା ନିମିତ୍ତ ଫୁଲ କୁଣ୍ଡରେ ଦେବା ପାଇଁ।


   ଏପରି ପ୍ରଫୁଲ୍ଲ ମନରେ ଆନ୍ଦୋଳନ ଚାଲିଥିବା ବେଳେ ଆକାଶ ଫଟେଇ ଗରଜି ଉଠି କେଉଁଠୁ କଳାବାଦଲ ମାଡି ଆସିଲା ଓ ନିମିଷକ ମଧ୍ୟ ରେ ଝିପି ଝିପି ହୋଇ ଝରେଇ ଦେଲା ତା'ର ବାରିଧାରା,ପ୍ରକୃତିସ୍ଥ ହୋଇ ଯାଇଥିଲା ସେ।ତା'ର ସର୍ବାଙ୍ଗ ଭିଜି ଯାଉଥିଲା,ଏମିତି କେତେଥର ସେ ଭିଜିଛି,କିନ୍ତୁ ଏଟା ଥିଲା ସମ୍ପୂର୍ଣ୍ଣ ନିଆରା।


   ବାଦଲ ନିଜଠି ସାଇତି ଥିବା ସମସ୍ତ ମୁକ୍ତା ରୂପୀ ଜଳ ବିନ୍ଦୁକୁ ଭୂପତିତ କରାଉଥିଲା ଓ ପ୍ରଫୁଲ୍ଲ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅନେକ ଦିନର ପ୍ରକୃତି ଉପଭୋଗର ଭୋକିଲା ପେଟ ରେ ଭିଜା ମାଟିର ବାସ୍ନାକୁ ଉଦରସ୍ଥ କରିନେଉଥିଲା।



Rate this content
Log in

Similar oriya story from Drama