ବ୍ୟକ୍ତିତ୍ୱ ଦର୍ଶନ
ବ୍ୟକ୍ତିତ୍ୱ ଦର୍ଶନ
ଡହଡହ ଖରାରେ ଖଇରୀରଙ୍ଗ ସରୁ ଧଡି଼ ପଡିଥିବା ଖଦଡ଼ ଧୋତି ସହ ସାଧା ପାଇଜାମା ପିନ୍ଧି ଛତାଟେ ଧରି ନିର୍ଜନ ପଥରେ ଯାଉ ଯାଉ ଅବସର ପ୍ରାପ୍ତ ଅଧ୍ୟାପକ ହରିବାବୁ ଲକ୍ଷ୍ୟ କଲେ ସତେ ଅବା କେହି ଜଣେ ପଛ ପଟୁ ତା'ଙ୍କୁ ଡାକୁଛି ଅବଶ୍ୟ ଟିକେ ଦୂରରୁ ଶୁଣା ଯାଉଛି ସାର... ସାର.... ଅଳ୍ପଟେ ଅଟକି ଯାଇ ପଛକୁ ବୁଲି ଚାହିଁଲେ ହରିବାବୁ, ସୁଟବୁଟ ପିନ୍ଧା ଯୁବକଟେ (ଅବଶ୍ୟ ବୟସ ୩୫ ଡେଇଁବଣି ପ୍ରୌଢ ବୋଲି ମଧ୍ୟ କୁହାଯାଇନପାରେ ଯୁବାବସ୍ଥାର ଅନ୍ତିମ ସୋପାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ) ତା'ଙ୍କୁ ଦୂରରୁ ହାତ ଟେକି ଡାକି ଚାଲିଥାଏ, ହରିବାବୁ ଦେଖିବା କ୍ଷଣି ଆସୁ ଆସୁ ସେ ହାତ ଯୋଡି ନମସ୍କାର କଲା। ପାଖରେ ପହଞ୍ଚିବା ପରେ ପାଦ ପାଖରୁ ପ୍ରଣାମ କରି କହିଲା, "ସାର! ମୋତେ ଜାଣିପାରୁଛନ୍ତି?!"
ଅବଶ୍ୟ ବୟସ ହେବା ପରେ ବୟସର ଛାପ ସ୍ୱରୂପ ହରିବାବୁ ସବୁ କିଛି ବିସ୍ମରି ଯାଉଛନ୍ତି, ଅଧ୍ୟାପକ ଜୀବନରେ କେତେ ଛାତ୍ର ଛାତ୍ରୀଙ୍କ ସହ ଚିହ୍ନା ପରିଚୟ ତେଣୁ ନିଶ୍ଚୟ କେହି ଛାତ୍ର ହୋଇଥିବେ ବୋଲି ବାମ ହାତରେ ଚଷମା ପୋଛୁ ପୋଛୁ ହରିବାବୁ ଭାବୁଥିଲେ।
"ସାର! ମୁଁ ଅନୀଲ, ବିଳାଶପୁର ମହାବିଦ୍ୟାଳୟର ୮୪ମସିହା ସ୍ନାତକ ବ୍ୟାଚ,... ଆସନ୍ତୁ ସାର ଏଇ ଛାଇ କୁ ଆସନ୍ତୁ ଟିକେ କଥା ହେବା"... ଏତିକି କହି ଲୋକଟି ହରିବାବୁଙ୍କ ହାତ ଧରି ରାସ୍ତାକଡ ବରଗଛ ପାଖେ ଥିବା ଏକ ଗୁମୁଟି ପିଣ୍ଡାକୁ ନେଇଗଲେ।
"ତମେ ବାବା! ମୋର ମନେ ପଡୁନାହିଁ ଠିକ ରେ" .. ଥର ଥର ଆଶ୍ଚର୍ଯ୍ୟ ଲାଗିବା ପରି କଣ୍ଠରେ ହରି ବାବୁ କହିଲେ।
"ସାର, ମନେ ଅଛି, ମୋର ସେତେବେଳେ ସିଗାରେଟ ଟାଣିବା ନିଶା ଥିଲା, ଏପରି କୁଅଭ୍ୟାସରେ ପଡ଼ିଥିଲି ଯେ ସେହି ସମୟ ଆସିଗଲେ ମୋ ମୁଣ୍ଡ କାମ ଦେଉନଥିଲା ମୁଁ ସବୁ ଭୁଲି ଯାଉଥିଲି, ଯଦିଓ ମୁଁ ମେଧାବୀ ଛାତ୍ର ଥିଲି କିନ୍ତୁ ଏହି କୁଅଭ୍ୟାସ ପାଇଁ ପରୀକ୍ଷା ହଲରେ ଥରେ କିଛି ମନେ ପଡ଼ିଲାନି, ଆପଣ ଥିଲେ ସେଦିନ ସେ ହଲର ପରୀକ୍ଷା ପରିଚାଳକ, ଶେଷରେ ଆପଣ ମୋ ଅନୁରୋଧ ରକ୍ଷା କରି ମୋତେ ହଲ ବାହାରକୁ ଯାଇ ଗୋଟେ
ସିଗାରେଟ ଟାଣିବାକୁ ଅନୁମତି ଦେଇଥିଲେ"। , ଏକ ସ୍ୱରରେ ଜୀବନର ଅଲିଭା ଅନୁଭୂତିକୁ ଅନୀଲ ବାବୁ କହି ଯାଉଥିଲେ ସାର ଙ୍କ ସାମ୍ନାରେ।
"ଆଛା ଆଛା! ମନେ ପଡ଼ିଲା, ତମେ ସେଇ ଅନୀଲ ଯିଏ ୮୪ ମସିହା ବ୍ୟାଚ ଟପ୍ପର ! ହରିବାବୁ ପ୍ରଶ୍ନ କଲେ।
"ଆଜ୍ଞା ସାର" ମଥାନତ କରି ଅନୀଲ ବାବୁଙ୍କ ସ୍ବୀକାରୋକ୍ତି। ଅନୀଲ ବାବୁ ପୁଣି କହିଲେ, "ମୋତେ କ୍ଷମା କରିଦିଅନ୍ତୁ ସାର, "ସେଦିନ ମୋ ପାଇଁ ପରୀକ୍ଷା ନିୟନ୍ତ୍ରକ ଆପଣଙ୍କୁ ଦୁଇବର୍ଷ ପାଇଁ ପରୀକ୍ଷା ପରିଚାଳନା ଦାୟିତ୍ବରୁ ବହିଷ୍କାର କରିଥିଲେ, ସତରେ ଏହା ମୋତେ ଖୁବ କଷ୍ଟ ଦେଇଥିଲା ଓ ଆଜି ବି କଷ୍ଟ ଦେଉଛି", ହରି ବାବୁ ଙ୍କ ହାତ ଧରି ଅନୀଲ ବାବୁ କହିଲେ।
"ଆରେ ନାଇଁ ନାଇଁ! ବିତିଗଲା କଥା ଗଲାଣି, ମୁଁ ଜାଣିଥିଲି ତମେ ମେଧାବୀ, ତେଣୁ ମୁଁ ତମକୁ ଅନୁମତି ଦେଇଥିଲି, ଜଣେ ମେଧାବୀ ଛାତ୍ରର କ୍ୟାରିଅର ରକ୍ଷା କରିବା ଶିକ୍ଷକ ହିସାବରେ ମୋର କର୍ତ୍ତବ୍ୟ" ହରି ବାବୁ କହିଲେ।
"ଜାଣିଛନ୍ତି ସାର, ଏହା ମୋ ବିବେକକୁ ଏତେ ବାଧିଲା ଯେ ମୁଁ ଧୀରେ ଧୀରେ ବଦ୍ଧପରିକର ହେଲି କେବେ ବି ନିଶା ଦ୍ରବ୍ୟ ଛୁଇଁବି ନାହିଁ" ଅନୀଲ ବାବୁ।
"ଆରେ ବାଃ, ଖୁବ ଭଲ କଥା ଅନୀଲ, ଏହାହିଁ ଶିକ୍ଷକ ହିସାବରେ ମୋର ସାର୍ଥକତା ବୋଲି ମୁଁ କହିପାରେ, ମୁଁ ତମକୁ ଜାଣିଥିଲି ଆଉ ସବୁବେଳେ ମନେ ରଖିବ ମଣିଷର ବ୍ୟକ୍ତିତ୍ୱ, ମଣିଷର ଚରିତ୍ର, କେବେ ବି ଗୋଟିଏ ଦିଗ ଉପରେ ପର୍ଯ୍ୟବେଶିତ ହୋଇ ନଥାଏ , ହୁଏତ ଗୋଟେ ଦିଗ ଭୁଲ ଥାଇପାରେ କିନ୍ତୁ ସେଥିପାଇଁ କେବେ କାହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ମଣିବା ଠିକ ନୁହେଁ"। ହରି ବାବୁଙ୍କ ଉତ୍ତର।
"ସାର!... ଏହା କହି ପୁଣି ଥରେ ଅନୀଲ ବାବୁ ପାଦ ଛୁଇଁବାକୁ ଉଦ୍ୟତ ହୁଅନ୍ତେ ହରିବାବୁ ଅଟକାଇ ଦେଇ ତାଙ୍କ ହାତ ଧରି ପିଠି ଥାପୁଡ଼େଇ ଦେଲେ।
ଶୁନଶାନ ଜନପଥର ଚିକମିକ ସୂର୍ଯ୍ୟକିରଣରେ ଘଟିଗଲା ଗୁରୁଶିଷ୍ୟଙ୍କର ଅପୂର୍ବ ଏକ ମିଳନ, ଅନନ୍ୟ ଏକ ସନ୍ଧିକ୍ଷଣ, ଏହାହିଁ ହେଲା ପ୍ରକୃତ ବ୍ୟକ୍ତିତ୍ୱ ଦର୍ଶନ।