STORYMIRROR

Kumar Mrutyunjay

Abstract Others

4  

Kumar Mrutyunjay

Abstract Others

ମୋ ଜଇମା, ଜନ୍ମାଷ୍ଟମୀ ଓ ମୁଁ

ମୋ ଜଇମା, ଜନ୍ମାଷ୍ଟମୀ ଓ ମୁଁ

3 mins
176

ଏବେ ଆଉ ସେମିତି ବର୍ଷା ନାହିଁ, ୧୫/୧୭ ବର୍ଷ ତଳେ ଜନ୍ମାଷ୍ଟମୀରେ ସତେ ଯେମିତି ପ୍ରଳୟ ଆସୁଥିଲା, କି ବର୍ଷା,କି ପବନ,କି ବିଜୁଳି ଘଡଘଡି, ସତେ ଅବା ଘନ ଅନ୍ଧକାରାଚ୍ଛନ୍ନ ରାତିରେ ଆକାଶଟା ଫାଟି ପଡିବ। ଠିକ ଯେମିତି ଆମେ ପୁରାଣରେ ପଢିଛେ ଓ ରାମାନନ୍ଦ ସାଗରଙ୍କ ଶ୍ରୀ କୃଷ୍ଣ ରେ ଦେଖିଛେ, ଅସମ୍ଭାଳ ସେ ଆକାଶ ଫଟା ବର୍ଷା।


ମୋର ପିଲାବେଳ, ଝାପ୍ସା ମନେ ପଡେ, ମୋ ଜେଜେମା ଯାହାକୁ ମୁଁ ସ୍ନେହରେ ଜଇମା ଡାକେ, ସେ ଜନ୍ମାଷ୍ଟମୀ ବ୍ରତ କରୁଥିଲା। ଦିନ ସାରା ଉପାସ ରୁହେ ସନ୍ଧ୍ୟାରେ ଆମ ଘରପାଖେ ଥିବା ରାଜାବଗିଚା ତ୍ରୟମ୍ବକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପାଖ କଲୋନୀ ମହିଳା ମାନଙ୍କ ସହ ମିଶି ବ୍ରତ ପୂଜା ବିଦ୍ଧି ସମାପନ କରିବା ସହ ଭୋଗ ଲଗାଏ।


ଘରେ ସନ୍ଧ୍ୟା ଧୂପ ସରିବା ପରେ ମୋ ମା ଭୋଗ ଡଲା ପୂଜା ସାମଗ୍ରୀ ସବୁ ସଜାଡି ଦିଏ, ତା' ପରେ ମୋର ଜିଦ୍ଦି ମୁଁ ବି ଯିବି ତା ସହ, ଶେଷରେ ଜିଦ୍ଦିରେ ମୋର ଜୟ ହୁଏ ଓ ଭଲ ପେଣ୍ଟ ସାର୍ଟ ପିନ୍ଧି ମୁଁ ପ୍ରସ୍ତୁତ ହୁଏ, ଜଇମା ତା ବାକ୍ସରୁ ଭଲ ଶାଢ଼ୀ କାଢି ପିନ୍ଧେ, ଭୋଗ ଡଲା ଧରି ପ୍ରସ୍ତୁତ ହୋଇ ଆମ ଗୁସୁମା ନାତି ଙ୍କୁ ମୋ ବାପା ବାଇକ ରେ ନେଇ ମନ୍ଦିରରେ ଛାଡି ଆସନ୍ତି। 


ଧୀରେ ଧୀରେ ସନ୍ଧ୍ୟା ଗଡି ଚାଲେ ଓ ବର୍ଷାର ପ୍ରକୋପ ବଢି ଚାଲେ, ପୁରା ସହର ଜନଶୂନ୍ୟ ଓ ଅନ୍ଧାର,ବର୍ଷା ପାଇଁ ବିଦ୍ୟୁତ ସରବରାହ ନଥାଏ, ମନ୍ଦିର ମୁଖଶାଳାରେ କଲୋନୀ ମହିଳା ଓ ଦୁଇ ପୁରୋହିତ ନନା ସହ ମୁଁ ଓ ମୋ ଜେଜେମା, (ଆଜି ସେଇ ପ୍ରାଙ୍ଗଣରେ ଆଉ ଏକ ବଡ ରାଧାକୃଷ୍ଣ ମନ୍ଦିର ଅଛି ବଡ ବଡ ବିଗ୍ରହ, ହେଲେ ସେତେବେଳେ ସେ ମନ୍ଦିର ନଥିଲା କେବଳ ଯୋଡ଼େ ଶାଳଗ୍ରାମ ଓ ଛୋଟ ଆଣ୍ଠୁଆ ଗୋପାଳ ଥିଲେ)। ସେଇ ଶାଳଗ୍ରାମ ଓ ଗୋପାଳଙ୍କୁ ଆଣି ପ୍ରାଙ୍ଗଣରେ ସ୍ଥାପନ କରାଯାଇ ପୂଜା କରାଯାଏ। ଏପଟେ ପୂଜା ଚାଲିଥାଏ ସେପଟେ ବର୍ଷାର କରାଳ ଗତି ବଢୁଥାଏ, ତୁହା ତୁହା ପବନରେ ଦୀପ ଟି ଲାଗୁଥାଏ ସତେ ଏବେ ଲିଭିବ (କିନ୍ତୁ କେବେ ଲିଭି ନାହିଁ)।


ପୂଜା ପ୍ରତି ମୋ ଜଇମାର ଲକ୍ଷ୍ୟ ନଥାଏ, ତା'ର କେବଳ ମୋ ଉପରେ ନଜର। ମୁଁ ମନ୍ଦିର ବାହାରେ ଥିବା ନନ୍ଦି ଭୃକୁନ୍ଦି ଦ୍ୱାରପାଳ ଙ୍କୁ ଯାଇ ଦେଖେ, ତାଙ୍କ ବର୍ଚ୍ଛା ଶୂଳ ରେ ହାତ ମାରେ, ଡର ଲାଗେ କାଳେ ସେମାନେ ମଣିଷ ହେଇ ମୋତେ ଉଠେଇ ନେଲେ ଯଦି। ଏପଟେ ଚକ ଚକ ବିଜୁଳି ଘଡଘଡି ମୋ ଜଇମା ଖାଲି ପାଗୁଲୁ ପାଗୁଲୁ କହି ମୋ ପଛେ ଲାଗିଥାଏ ସେପଟେ ଟର୍ଚ୍ଚ ନହେଲେ ହାଲୋଯେନ ଲାଇଟର ପ୍ରଭାବ କମି କମି ଆସୁଥାଏ ପୂଜା ବିଦ୍ଧି ଯଥାରୀତି ଚାଲୁଥାଏ। 


ଜଇମା ଖାଲି ମୋତେ ଡାକି ଟାଣି ଆଣି କୋଳରେ ବସେଇ ତା ପଣତ କାନି ଢାଙ୍କି ଦିଏ, ବାହାରେ ବିଜୁଳି ମାରୁଛି ବୋଲି। କିଛି ସମୟ ମୁଁ ବସେ ହେଲେ ପୁଣି ଉଠି ଆସି ଯୋଉ କଥାକୁ ସେଇ କଥା। ପୁଣି ଜଇମାର ଡାକ ପାଗୁଲୁ.. ପାଗୁଲୁ... ସମ୍ପୂର୍ଣ୍ଣ ପୂଜା ଯାକ ସେ ଠାକୁରଙ୍କ ନାଁ ପରିବର୍ତ୍ତେ ଖାଲି ମୋତେ ହିଁ ଡାକେ। ଏପଟେ ଭାଗବତ ପାଠ ଚାଲିଥାଏ ଶ୍ରୀ କୃଷ୍ଣ ଜନ୍ମ ଶଙ୍ଖ ହୁଳୁହୁଳି ରେ ମେଦିନୀ କମ୍ପିଯାଏ, ମୋ ପଛେ ଲାଗି ଲାଗି କିଛି ଶୁଣି ନଥିବା ଜଇମା ଜାଣି ଯାଏ କୃଷ୍ଣ ଜନ୍ମ ହେଲେ ପୁଣି ମୋତେ କୋଳରେ ଟାଣି ଧରି ମଥାରେ ଓଢଣା ସଜାଡି ହାତ ଯୋଡ଼ି ପ୍ରଣାମ କରେ ଓ ମୋ ହାତ ଧରି ପ୍ରଣାମ କରାଏ। କଲୋନୀ ସ୍ତ୍ରୀ ଲୋକଙ୍କୁ କୁହେ ଖାଲି ଜିଦ୍ଦି ମୋ ସହ ଆସିବ, ଏତେ ବର୍ଷା ଘଡଘଡି ଯେତେ ମନା କଲେ ବି ଶୁଣୁନି।ମୋର ଜଇମା ସହ ଯିବାର ଦୁଇଟି ପ୍ରମୁଖ କାରଣ ଥାଏ ଗୋଟେ ବୁଲିବା ବଦମାସି କରିବା ଓ ଅନ୍ୟଟି ପାଠ ପଢ଼ାରୁ ମୁକ୍ତି, ଘରେ ଥିଲେ ନିଶ୍ଚୟ ପଢିବାକୁ ପଡ଼ିଥାନ୍ତା।


ଶେଷରେ ପୂଜା ସରେ, ଯିଏ ଯାହାର ଭୋଗ ଲଗାନ୍ତି, ବିଶେଷ କରି କ୍ଷୀରି, କ୍ଷୀରା,ମିଠା, ଫଳ, ସିରିଣୀ ଏମିତି ଅନେକ, ଭୋଗ ଲାଗି ସାରିବା ପରେ ସମସ୍ତେ ମୋତେ ମିଠା ଦିଅନ୍ତି, ମୁଁ କଣ ଏତେ ଖାଇ ପାରିବି! ଶେଷରେ ଜଇମା ଖୋଜେ କୋଉଠୁ ପଲିଥିନ ଜରି ମିଳିଲେ ରଖିବ, ଭଲ ପରିଷ୍କାର ଜରି ଆଣି ଭୋଗ ସବୁ ରଖେ।


ସେତେବେଳେ ତ ମୋବାଇଲ ନଥାଏ, ଅନୁମାନ କରି ବାପା ଯାଇ ପୂଜା ଶେଷ ବେଳକୁ ପହଞ୍ଚନ୍ତି ଆମକୁ ଆଣିବାକୁ ନହେଲେ ବେଳେବେଳେ ଆମେ ଅପେକ୍ଷା କରୁ, ବାପା ଆସିଲେ ଗାଡ଼ିରେ ତାଙ୍କ ସହ ଆସିଲା ବେଳକୁ ମେଘ ଟିକେ କମିଥାଏ ,ହେଲେ ରାସ୍ତାରେ କି ପାଣିର ସୁଅ! ସତେ ଅବା ବନ୍ୟା! ପାଣି କାଟି କାଟି ଧୀରେ ଧୀରେ ଗାଡି ଚଲେଇ ଆମେ ଆସି ଘରେ ହାଜ଼ର। ଜଇମା ମୁଁ ସେଠି ବଦମାସି କଲାବେଳେ ମୋତେ ଡରାଏ, ମା' କୁ କହିଦେବ ବୋଲି ହେଲେ ଘରେ ଆସି କିଛି କୁହେନି। ଘରେ ଆସି ମା' ଦ୍ୱାରା ପ୍ରସ୍ତୁତ କ୍ଷୀରି, ପୁରି, ତରକାରୀ ଖାଇ ଶୋଇପଡୁ।


ଏମିତି ବର୍ଷ ପରେ ବର୍ଷ ବିତିଯାଏ ଗୋଟେ ଗୋଟେ ଜନ୍ମାଷ୍ଟମୀ, ମୁଁ ମୋର ପଞ୍ଚମ କି ଷଷ୍ଠ ଶ୍ରେଣୀ ଯାଏଁ ଜନ୍ମାଷ୍ଟମୀରେ ତା' ସହ ଯାଇଛି ହେଲେ ବୟସ ବଢ଼ିବା ସହ ବଦମାସି କମି ଯାଇଥିଲା।


Rate this content
Log in

Similar oriya story from Abstract