Kumar Mrutyunjay

Abstract Drama Inspirational

4  

Kumar Mrutyunjay

Abstract Drama Inspirational

ପାରାଅଲମ୍ପିକ ଓ ଜେଜେ

ପାରାଅଲମ୍ପିକ ଓ ଜେଜେ

2 mins
493


ସ୍ୱଚ୍ଛ ନିର୍ମଳ ନୀଳ ଆକାଶ, ତା ମଧ୍ୟରେ ନାନାରୂପେ ଭାସମାନ ଧଳା ବାଦଲ, ସୂର୍ଯ୍ୟଙ୍କ କଅଁଳ କିରଣ ଧୀରେ ଧୀରେ କଟୁ ହେବାକୁ ଲାଗିଥାଏ, ଆମ୍ବ ଗଛରୁ ଛୋଟ ଛୋଟ ପକ୍ଷୀଙ୍କର କିଚିରି ମିଚିରି ଶବ୍ଦ ଶୁଭୁଥାଏ,ସବୁ କିଛି ଘଟି ଚାଲିଥାଏ ଖୁବ ସହଜ ଓ ସରଳ ଭାବେ।ପ୍ରକୃତିର ଏହି ପ୍ରଶାନ୍ତି ସଭିଙ୍କ ମନରେ ଏକ ଆହ୍ଲାଦ ଆଣିବାରେ ସକ୍ଷମ।


କିନ୍ତୁ ବଙ୍ଗଳା ବାହାର ଘାସ ଗାଲିଚାରେ ବସିଥିବା କିଶୋରଟି ବିଷର୍ଣ୍ଣ ମନରେ ଏକଲୟରେ କେଉଁ ଏକ ଚିନ୍ତାରେ ମଗ୍ନ ରହିଥାଏ। ଏପରି ପ୍ରତୀତ ହେଉଥାଏ ସତେ ଫୁଟିବା ଆଗରୁ ଝଡି ଯାଉଥିବା ଗୋଲାପ କଢ଼ି ଅବା କାଳବୈଶାଖୀର କୁଆପଥର ମାଡରେ ବଢିବା ଆଗରୁ ଝଡ଼ି ପଡିଥିବା କଷି ଆମ୍ବ ଅବା ଜୀବନକୁ ଜୀଇଁବା ଆଗରୁ ହାରି ଯାଇଥିବା ମଣିଷଟିଏ।


ହଠାତ ପଛପଟୁ କାହାର ଏକ ସ୍ନେହ ବୋଳା ସ୍ପର୍ଶ ପାଇ ଇତଃସ୍ତତ ଭାବେ ମନକୁ ବର୍ତ୍ତମାନକୁ ଟାଣି ଆଣି ବୁଲି ପଡି ଦେଖିଲା। 


"ଓଃ ତମେ ଜେଜେ! ପ୍ରାତଃ ଭ୍ରମଣରୁ ଆସିଗଲ? 


ଜେଜେ- "ହଁ! ହେଲେ ତୁ ଏଠି ଏମିତି କାହିଁକି! ....


କିଛି ଉତ୍ତର ନଦେଇ ନିଜ ପାଦ ଆଡକୁ ଚାହିଁଲା କିଶୋରଟି, ନୀରବରେ ଜଣେଇଦେଲା ନିଜ ମନର ବ୍ୟଥା।


 ସୁସ୍ଥ ସବଳ ଚଲାବୁଲା କରୁଥିବା ମଣିଷଟି କିପରି ହଠାତ ନିସ୍ତେଜ ହୋଇପାରେ! କିଛି ଦିନ ଆଗରୁ ଗୋଡ଼ର ସ୍ନାୟୁ ତନ୍ତ୍ର ଦୁର୍ବଳ ହୋଇ ପଡିଲା ଓ ଶେଷରେ ଚକଗାଡିର ସାହାରା ନେବାକୁ ପଡିଲା। ସୁନ୍ଦର ଏକ ଜୀବନଶୈଳୀ ସହ ଅଭ୍ୟସ୍ତ ଥିବା କିଶୋରଟି କେମିତି ବା ଏପରି ପରିବର୍ତ୍ତନକୁ ସହଜେ ମାନି ନେଇ ପାରିବ!


ଜେଜେ ଠିକ ବୁଝି ପାରୁଥିଲେ କିଶୋର ନାତିର ଏହି ବେଦନାକୁ, ଶାରୀରିକ କଷ୍ଟଠୁ ମାନସିକ କଷ୍ଟ ଅତି ଭୟଙ୍କର, ତେଣୁ କିପରି ତାକୁ ନୂତନ ଆଶା ଆକାଂକ୍ଷା ଓ ଉଦ୍ଦୀପନା ର ସହ ପୁଣି ଥରେ ଆଗକୁ ବଢିବାକୁ ସାହସ ଯୋଗାଇବାକୁ ହେବ, ସେଇ କଥା ଭାବୁ ଭାବୁ ଆଖି ପଡିଲା ପାଖ ବଗିଚାର ଆମ୍ବ ଗଛ ପାଖରେ ବସିଥିବା କୁନି ବିଲେଇ ଉପରେ। 


ବିଲେଇଟି ଏକଦମ ସ୍ଥିର ଓ ନିଶ୍ଚଳ ଭାବେ ଶିକାର ମନୋବୃତ୍ତିରେ ଚାହିଁ ରହିଥାଏ ଆମ୍ବ ଗଛର କରୋଡରୁ ଉପର ତଳ ହେଉଥିବା ଗୁଣ୍ଡୁଚି ଆଡ଼େ। ଏମିତି ଲକ୍ଷ୍ୟ ସ୍ଥିର କରି ଝାମ୍ପ ଦେଉଥାଏ , କିନ୍ତୁ ଗୁଣ୍ଡୁଚି ନିଜ ପ୍ରାଣ ବଞ୍ଚେଇବାରେ ସଫଳ ହେଉଥାଏ, ଏମିତି ପାଞ୍ଚ ସାତ ଥର କରିବା ପରେ, କୁନି ବିଲେଇଟି ମନରେ ଭାବିନେଲା ତା ଦ୍ୱାରା ଏହା ସମ୍ଭବ ନୁହେଁ, ତେଣୁ ନିରାଶ ହୋଇ ସେ ଅନ୍ୟତ୍ର ଚାଲିଗଲା।


ଏହି ଘଟଣାଟି ଘଟୁଥିବା ସମୟରେ ଜେଜେ ନାତି ସାଜିଥିଲେ ନୀରବଦ୍ରଷ୍ଟା। ଘଟଣାନ୍ତେ ଜେଜେ କହିଲେ," କଣ ବୁଝିଲୁ! କେବେ ଦେଖିଛୁ ବିଲେଇ ଗୁଣ୍ଡୁଚି ମୂଷାଙ୍କୁ ଶିକାର କରିବାର? ମୁଣ୍ଡ ହଲେଇ କିଶୋର ମନା କରନ୍ତେ ଜେଜେ ପୁଣି କହିଲେ," କାରଣ ଏଇ ଛୋଟ ବେଳୁ ହିଁ ସେ ମନସ୍ଥ କରିନିଏ ଗୁଣ୍ଡୁଚି ଶିକାର ତା' ଦ୍ୱାରା ସମ୍ଭବ ନୁହେଁ। ତେଣୁ ବଡ ହୋଇ ସେ କ୍ଷମତା ହାସଲ କରିବା ପରେ ମଧ୍ୟ ଆଉ ପ୍ରୟାସ କରି ନଥାଏ। କିନ୍ତୁ ଯଦି ସେ ପ୍ରତ୍ୟେକ ପରିସ୍ଥିତି ଅନୁଯାୟୀ ପ୍ରୟାସ ଜାରୀ ରଖିଥାନ୍ତା ତେବେ ନିଶ୍ଚୟ ଜୟ ହୋଇଥାନ୍ତା। 


ଆପଣ ମାନଙ୍କ ସ୍ନେହ ଭଲ ପାଇବା ପାଖେ ମୁଁ ଋଣୀ, ଆଜି ଦେଶ ପାଇଁ ପାରା ଅଲମ୍ପିକରେ ମେଡାଲ ଜିତିଛି ତାହା ଆପଣ ମାନଙ୍କ ସ୍ନେହ ଓ ଆଶୀର୍ବାଦର ଫଳ। ପ୍ରତ୍ୟେକ ସଫଳ କଳାକାର ପଛରେ ଏକ ନିର୍ଦେଶକଙ୍କ ହାତ ଥାଏ, ମୋ ଜୀବନର ସେଇ ନିର୍ଦେଶକ ଥିଲେ ମୋ ଜେଜେ। ଆଜି ସେ ଆମ ଗହଣରେ ନାହାନ୍ତି କିନ୍ତୁ ମୁଁ ଜାଣେ ଯୋଉଠି ବି ଥିବେ ନିଶ୍ଚୟ ଖୁସି ହେଉଥିବେ, ଏହା ଥିଲା ମୋ ପରଦା ପଛର କାହାଣୀର ଏକ ଝଲକ। ଶେଷକୁ ଏତିକି କହିବି, "ଉଦ୍ୟମ ଓ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି" । 


ଦୁଇଶହ ଲୋକ ସମ୍ବଳିତ ସଭାଗୃହଟି ଏମିତି ନୀରବ ଥିଲା ସତେ ଯେମିତି ସୋରିଷ ଦାନା ପଡିଲେ ବି ଆବଜ଼ ହେବ, ସଭିଏଁ ଶୁଣୁଥିଲେ ବୁଝୁଥିଲେ ଓ ହୃଦୟଙ୍ଗମ କରୁଥିଲେ ଓ ଶେଷରେ ଜୋରଦାର କରତାଳିରେ ନିସ୍ତବ୍ଧ ସଭାଗୃହଟି ପ୍ରକମ୍ପିତ ହୋଇଗଲା।



Rate this content
Log in

Similar oriya story from Abstract