ମାଛଖିଆ ଭୂତ
ମାଛଖିଆ ଭୂତ


ଆଜକୁ ଷାଠିଏ ବର୍ଷ ତଳର.....
ସନ୍ଧ୍ୟା ନଇଁ ଗଲେ ସଭିଙ୍କ ଘରେ ଲଣ୍ଠନ ଆଲୁଅ ଦିଆଯାଏ, ତାହା ପୁଣି ଘର ମୁଖ୍ୟ ଦରଜା ପାଖରେ, ଅନ୍ୟ ସ୍ଥାନରେ ଡିବିରୀ ଆଉ ପିମ୍ପା।
"ତମର କଣ ମୁଣ୍ଡ ଖରାପ ହେଇଗଲାଣି,ଏଇ ସନ୍ଧ୍ୟା ଯାଇକି ଜହ୍ନ ଚାଳ ଛୁଇଁବା ପରି ହେଲାଣି,କହୁଛ କଣ ନା ମାଇଲେ ଚାଲି ହାଟ କୁ ଯିବ",ରାତି ରୋଷେଇ ପାଇଁ ବାଡ଼ି ପଟେ ଝଟା,ଘଷି ରଖୁ ରଖୁ ସୁନେଇ ଖୁଡି କହିଲେ।
ହେଲେ କକା ନଛୋଡ,ବଡ଼ ପାଟି କରି କହିଲେ,"ମୁଁ ଆଜି ଯିବି ମାନେ ଯିବି,କେତେ ଦିନୁଁ ଟିକେ ଭଲ ଆଇଁଷ ପାଟିକୁ ବାଜିନି, ଭାବୁଛି ବଡ଼ ଭାକୁଡିଆ କି ରୋହିଟେ ଆଣିବି,ସଅଳ ଯିବି ସଅଳ ଆସିବି, ଆଲୋ, ଭାତ ବସା ଭାତ ହେବା ଆଗରୁ ଆସି ପହଞ୍ଚିଯିବି"।
ପୁଣି ସୁନେଇ ଖୁଡି କହିଲେ,"ତମେ କଣ ଜାଣିନ ସେ ସବାଖାଇ ଦଉଡି ଦେଇ ମଲାନି ଯେ ସେଇ ବାଟ ବର ଗଛରେ ପିଶାଚୀ ହେଇକି ଅଛି,ବଞ୍ଚିଥିଲା ବେଳେ ଦୁଷି ମାଆ ବାପା ନାଁ ପକେଇଲା, ଏବେ ମରିକି ଗାଁ ଯାକ ଲୋକଙ୍କୁ ଯୋଉ ହଇରାଣ କରୁଛି, ସଞ୍ଜ ହେଲେ ସେ ବାଟରେ ଆଉ ଜନ୍ତୁ ସୁଦ୍ଧା ଯିବାକୁ ଡରିଲେଣି"।
ତା କଥା ପୁଣି କାଟି କକା କହିଲେ,"ସେ ପା ମୋତେ ବହୁତ ଭଲ ପାଉଥିଲା, କକା ବୋଲି କେତେ ମୁଣ୍ଡିଆ ମାରୁଥିଲା, ସେ ମୋର କିଛି କରିବନି ଲୋ !!
ହଉ ଯାଅ, ଦାଣ୍ଡ ଘରୁ ଲଣ୍ଠନ ନେଇକି ଯିବ,ହେ ମାଆ!ବାସେଳୀ, ମାଆ କଞ୍ଚାଖାଇ, ତୁ ୟାଙ୍କୁ ସାହା ହବୁ ଲୋ,ବୋଲି ସୁନେଇ ଖୁଡି କହିଲେ।
××××
ଜଟିଆ କକା ହାଟରୁ ଗୋଟେ ବଡ଼ ଭାକୁଡିଆଟେ ଛ ଅଣାରେ ପାଇଗଲେ, ତାକୁ ଧରି ମନ ଖୁସିରେ ଚାଲିଲେ, ଠିକ ବର ଗଛ ପହଞ୍ଚିଛନ୍ତି ବିକଟାଳ ରଡି ଦେଇ ଗଛ ଉପରେ ଡାଳ ହଲିଲା,ଶୁଖିଲା ଅଗିଲାଟେ ଧୂସ କରି ଖସିଲା,ଆଉ କକାଙ୍କୁ କିଏ ସମ୍ଭାଳେ ମାଛ ଛାଡି ଲଣ୍ଠନ ଫୋପାଡ଼ି, ଧୋତି ଟେକି କି ପ୍ରାଣ ବିକଳରେ ଧାଇଁଲେ।
×××××
ଘରେ ସବୁ ଶୁଣି ସୁନେଇ ଖୁଡି କହିଲେ, ମୁଁ ମୂଳୁରୁ କହିଛି, ଡାହାଣୀ ପିତାସୀ ଗୁଡା ସମ୍ପର୍କ ଦେଖନ୍ତିନି ସେମାନେ ପା ଆଇଁଷ ବାସନା କୁ ବେଶି ଠଉରେଇ ନିଅନ୍ତି, ମୋ କଥା ମାନିଲନି"।
ଜଟିଆ କକା, ମୁଣ୍ଡରେ ହାତ ଦେଇ କହିଲା ଶସ୍ତାରେ ପାଇଥିଲି ମାଛଟା, ଆରେ କିଛି ହେଇନଥିଲା ଖାଲି ଟିକେ ପେଟ ପଟରେ କଣ୍ଟା ବାଜି ଛେତିରି ଯାଇଥିଲା ବୋଲି କେହି ନେଲେନି ମୋତେ ଦେଇଦେଲା।
××××
ତା ପର ଦିନ ପୋଖରୀ ତୁଠରେ ବାସନ ଧୋଉ ଧୋଉ...
ଆଲୋ ଚମ୍ପା ଜାଣୁ ନା ଲୋ କାଲି ତୋ କକ କୁ ସେ ଅଲକ୍ଷଣୀ ପିଶାଚୀ ଗୋଡେଇ ଥିଲା ଲୋ, ଟିକକୁ ପାର ପାଇଗଲେ...
ଆମର କାଲି ମନ ଦୁଃଖ....
କୋଉଠି ମାଛ ଖାଇବା ବୋଲି ଆଶା କରିଲୁ ଶେଷରେ ପଖାଳ ବଡ଼ିଚୁରା ଖାଇକି ଶୋଇଲୁ।
ଆମର ଖୁଡି କାଲି ରାତିରେ ତମ ପୁତୁରା ଗୋଟେ ବଡ଼ ଭାକୁଡିଆଟେ ହାଟରୁ ଆଣିଥିଲେ,କମ ଦରରେ କିଛି ହେଇନଥିଲା, ଖାଲି ପେଟ ପଟଟା ଟିକେ ଛେତିରି ଯାଇଥିଲା ପା,ଆମର କାଲି ଜମେଇକି ଖାଇଥିଲୁ!!
××××××
ସଙ୍ଗେ ସଙ୍ଗେ ସୁନେଇ ଖୁଡି ଦଉଡ଼ିକି ଗଲା ଆଉ କକାକୁ ସବୁ କହିଲା, କକା ତ ରାଗିକି ପଞ୍ଚମ, ସୁନେଇ ଖୁଡି ଚମ୍ପ କୁ ଯା ଇଚ୍ଛା ତା ଗାଳି ଦେଇଗଲା ଆଉ କକା ବିଲକୁ ଯାଇ ଗୋଟେ ବ୍ରହ୍ମ ଚାପୁଡ଼ା ମାରି ଜୁଳିଆ ମୁଣ୍ଡରେ ଜୁଳୁଜୁଳିଆ ପୋକ ଦିନଟାରେ ଉଡେଇଦେଲେ,ଆଉ ଜୁଳିଆ ଠିକ ବୁଝି ଯାଇଥିଲା ଯେ କକା ତାର ଗତକାଲି ଭିଆଇଥିବା ଘଟଣାଟି ଜାଣି ଯାଇଛନ୍ତି, ଯାହା ସେ ବାଡ ସେପାଖେ ଥାଇ କକା ଖୁଡିଙ୍କ କଥା ଶୁଣି ମନେ ମନେ ହୀନ ବୁଦ୍ଧିରେ ଉପାୟ ପାଞ୍ଚିଥିଲା।