ଅନୁତାପର ବର୍ଷା
ଅନୁତାପର ବର୍ଷା


ନିବୁଜ ଏକ ସନ୍ଧ୍ୟା, ଶୁନଶାନ ରାସ୍ତାଘାଟ, କାଁ ଭାଁ ଗାଡିଘୋଡ଼ା ଯାତାୟତ, ଯେତେଯେତେ ଅନ୍ଧକାର ପ୍ରଗାଢ ହେଉଛି ସେତେସେତେ ଛକ ଉପର ଷ୍ଟ୍ରୀଟ ଲାଇଟଟି ଅବିଳମ୍ବେ କେନ୍ଦ୍ରୀଭୂତ ହେଉଛି, ଦୂରରେ ଦୋକାନ ଦୁଇଟାକୁ ଛାଡିଲେ ଆଉ କିଛି ଖୋଲାନାହିଁ, କାରଣ ଆଜି ରବିବାର।
ହେଲେ ଅରୂପ! ସେ ଆଜି ନିସ୍ତବ୍ଧ, କେଉଁ ମୁହଁ ନେଇ ଘରକୁ ଫେରିବ, ଆଉ କ'ଣ ବା ବାକି ରଖିଛି ସେ! ସେଦିନ ବାପାଙ୍କ କଥାକୁ ପାଦରେ ଆଡେଇ ଦେଇ ଚାଲିଯାଇଥିଲା ରାତାରାତି ରଙ୍ଗୀନ ସ୍ବପ୍ନର ଗାଲିଚାରେ ଘୁରି ବୁଲିବାକୁ, ଭାବିଥିଲା ସଫଳତା ଏବେ ହାତମୁଠାରେ, ସାଉଁଟି ଆଣିବ ଦୁନିଆର ସବୁ ଖୁସି! କିନ୍ତୁ ହାଏରେ ବିଧାତା! କେଡେ ବୋକା ଥିଲା ସେ!!
ମନେ ପଡିଯାଉଥିଲା ସେଦିନ ଘର ଛାଡିବାର ଘଟଣାବଳୀ, ବାପାଙ୍କୁ ଦେଇଥିବା ରୋକଠୋକ ଜବାବ! କହିଥିଲା,"ତମେ ହେଲ, ପୁରୁଣାକାଳିଆ ମରହଟିଆ, କେବଳ ପାଠ ଦ୍ୱାରା ସଫଳତା ମିଳେନି, ପାଠପଢି ତମେ କଣ ଟା ବା ଅଧିକ କରିପକେଇଛ!" ଏମିତି ଅନେକ କିଛି!!
"ଓଃ! ନା,ନା କେମିତି ଏମିତି କହିପାରିଲି ମୁଁ! ଥରେ ହେଲେ ଭାବିଲିନି!" ଛକ ପାଖ ଫୁଟପାଥରେ ପଡିଥିବା ବେଞ୍ଚ ଉପରେ ବସି ମନେ ମନେ ନିଜକୁ ଅନେକ ଗାଳି ଦେଉଥାଏ ଅରୂପ।
ଆଖି ଆଗକୁ ଭାସିଆସୁଥାଏ ନିକଟ ଅତୀତରେ ଘଟିଥିବା ପ୍ରତ୍ୟେକ ଘଟଣା ସମୂହ, ରାତାରାତି ଫିଲ୍ମ ତାରକା କରେଇବାର ଏକ ପ୍ରତିଶୃତିବଦ୍ଧ ଫୋନକଲ, କିପରି ଜାରି ରହିଥିବା ଇଂଜିନିଅରିଂ ଶେଷ ବର୍ଷର ଗୋଟିଏ ପରୀକ୍ଷାକୁ
ପଛରେ ପକେଇ ଚାଲିଗଲା ଅନିଶ୍ଚିତତା ଭିତରକୁ। ବାପା ଅନେକ ବାରଣ, ଆକଟ, କହିଲେ ଏମିତି ଇଭେଣ୍ଟ ବାରମ୍ବାର ଆସିବ, ହେଲେ ତା'ର ଗୋଟିଏ ଜିଦ ମୌକା ଥରେ ଆସେ, ଆଉ ସେଥିପାଇଁ ବାପାଙ୍କୁ ପଛରେ ପକାଇ ଘର ଛାଡିବାର ଚରମ ନିଷ୍ପତି ନେଇଗଲା।
ହେଲେ ପରେ ଜାଣିଲା ସବୁଠି ଚାଲିଛି କାଷ୍ଟିଂ, ପଇସା କାରବାର ଓ ଲବୀ। ସପ୍ତାହକର ଇଭେଣ୍ଟରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲେ ମଧ୍ୟ ସେ ସ୍ଥାନ ପାଇ ପାରିଲା ନାହିଁ, ଶେଷରେ ନିରାଶ ଓ ହତାଶ ହୋଇ ଫେରି ଆସିଲା, କିନ୍ତୁ ଘରକୁ ଯିବ କେମିତି! କେଉଁ ମୁହଁ ନେଇ ଯିବ!
ବେଞ୍ଚ ଉପରେ ବସି ତଳକୁ ମଥା ପୋତି ଭାବୁଥାଏ, ଭାବୁଥାଏ କଣ ନିଜକୁ କୋଷୁ ଥାଏ, ହଠାତ ଝିପିଝିପି କରି ବର୍ଷା ଆରମ୍ଭ ହୋଇଗଲା, ହେଲେ ଯିଏ ଦୁଃଖର ସାଗରରେ ଥାଇ ବି ଅନୁତାପର ବହ୍ନିରେ ଜଳୁଛି ତା' ପାଇଁ ବର୍ଷା ବା କଣ! ଅନୁତାପ ଦୁଃଖ ତା'ର ବିଫଳତା ପାଇଁ ନୁହେଁ, ବାପାଙ୍କୁ ଦେଇଥିବା ଅପମାନ ପାଇଁ!
ଏହି ସମୟରେ ବର୍ଷା ଆରମ୍ଭ ହୋଇସାରିଥାଏ, ପଛ ପଟୁ ଅରୂପ କାହାର ହାତ ନିଜ କାନ୍ଧ ଉପରେ ଅନୁଭବ କଲା, ଉଠିପଡ଼ି ଦେଖେ ତ ଛତା ଧରି 'ବାପା', ଧଡ଼କରି ଅରୂପ ଜାବୁଡି ଧରିଲା ବାପାଙ୍କୁ ଏ ବା କି ବର୍ଷା!, ଆଖିରୁ ବୋହି ଯାଉଥିଲା ଅସଲ ଅନୁତାପର ବର୍ଷା!
ସେ ପରା ବାପା! ବିଶାଳ ଯାହାର ଛାତି, ସେଇ ଛାତିକୁ ଆଉଜି ଥିଲା ଅରୂପ, ଆଉ କୋଳେଇ ନେଇ ଭିଡି ଆଣି ଶ୍ୟାମ ବାବୁ କହିଲେ,"ବାୟା ଟା, ଚାଲ ଘରକୁ, ଭିଜିଗଲୁଣି, ଥଣ୍ଡା ଧରିବ!"