ଭୁଲ କାହାର
ଭୁଲ କାହାର


ଏକଦା ଏକ ରାଜ୍ୟରେ ବ୍ୟାପିଲା ଅଜଣା ମହାମାରୀ, ନିମିଷକେ ଚାଲିଯାଉଥିଲା ଅନେକ ଜୀବନ, ସତେ ଯେମିତି ଖାଦ୍ୟ,ଜଳ ଏମିତିକି ବାୟୁ ମଧ୍ୟ ହୋଇଯାଇଥିଲା ଦୂଷିତ। ଚାରିଆଡେ ଶୁଣା ହାହାକାର ଆଉ ହାହାକାର, କି ଧନୀ କି ଗରିବ କି ରାଜା କି ପ୍ରଜା କି ପାପୀ କି ପୂଣ୍ୟବାନ ସମସ୍ତଙ୍କୁ ଜଣା ଏକ ନିରାଟ ସତ୍ୟ ବଚନ "ମୃତ୍ୟୁ ସୁନିଶ୍ଚିତ" , କାହିଁକି ନା ନା ଥାଏ ସେ ରୋଗର ଚିକିତ୍ସା ନା କିଛି ଔଷଧ।
ଶୁଖିଲା ପାଟିରେ ସିଠୁଆ ଓଠରେ ଆଉ ବଞ୍ଚି ଯାଇଥିବା କିଛି ଲୋକଙ୍କର ମଧ୍ୟ କାନ୍ଦିବାକୁ ବଳ ନଥାଏ, ସମ୍ପୂର୍ଣ୍ଣ ଭୂଖଣ୍ଡ ସତେ ଅବା ବଳବୀର୍ଯ୍ୟ ଶୂନ। ଦିନକୁ ଦିନ ସ୍ଥିତି ଗମ୍ଭୀର ରୁ ଅତି ଗମ୍ଭୀର ଆଡକୁ ଗଲା ସେ ସମୟରେ ରାଜ୍ୟର ଶାସକ ମଧ୍ୟ ମହାମାରୀ ପ୍ରକୋପରୁ ଦିବଂଗତ ହୋଇ ସାରିଥିଲେ, ଏମିତି କାଳର କରାଳ ଗତି ହେଲା ଯେ ସମ୍ପୂର୍ଣ୍ଣ ରାଜ୍ୟ ହୋଇଗଲା ଜନଶୂନ୍ୟ, ତର୍ପଣ କଣ ଶବ ସଂସ୍କାର କରିବାକୁ ମଧ୍ୟ କେହି ରହିଲେ ନାହିଁ।
ସମସ୍ତ ଦିବଂଗତ ଆତ୍ମା ମାନେ ଭୁଲୋକ ଛାଡି ପରଲୋକ ଗମନ କଲେ, ଯେଉଁଠାରେ କରାଯାଏ ହିସାବ ନିକାସ। ସେଠାରେ ଥାଏ ଏକ ବିଚାରାଳୟ ଏବଂ ବିଚାରପତି ଦେବତା ଥାଆନ୍ତି ବିଚାରକ, ପ୍ରତ୍ୟେକ ଙ୍କୁ କିନ୍ତୁ ସ୍ୱାଧୀନଭାବେ ନିଜ ପକ୍ଷ ରଖିବାର ସମ୍ପୂର୍ଣ୍ଣ ଅଧିକାର ଥାଏ। ଧୀରେ ଧୀରେ ବିଚାର କାର୍ଯ୍ୟ ଆରମ୍ଭ ହେଲା, ହେଲେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ, ଆମର ଭୁଲ କଣ!? ଏକା ସାଙ୍ଗରେ ଏପରି ମୃତ୍ୟୁ ତାଣ୍ଡବ କଣ ପାଇଁ! ନିରୀହ ଶିଶୁ, ମାତା ମାନେ ସେମାନଙ୍କ ଭୁଲ କଣ!? ଏମିତି ଅନେକ ପ୍ରଶ୍ନ
ପ୍ରଥମେ ପାଳି ପଡିଲା ଅସାଧୁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର, ପ୍ରଥମେ ଆସିଲେ ହତ୍ୟାକାରୀ, କଂସେଇ , ସେ ନିଜ ଦୋଷକୁ ଜମା ସ୍ୱୀକାର କରିବାକୁ ନାରାଜ। ତାଙ୍କ ମତରେ ଯଦି କେହି ମାଂସ ଭକ୍ଷଣ କରୁନଥାନ୍ତେ ତେବେ ସେ ମଧ୍ୟ ଜୀବିକା ପାଇଁ ହତ୍ୟା କରୁ ନଥା'ନ୍ତେ। ଦ୍ଵିତୀୟ ରେ ଆସିଲେ ଚୋର, ଅନ୍ଧାର ରାତିର ସର୍ଦାର, ତାଙ୍କ ଯୁକ୍ତି ଥିଲା ଭିନ୍ନ, ତାଙ୍କ କହିବା ଅନୁଯାୟୀ ଯଦି ପ୍ରଜାଗଣ ଙ୍କ ମଧ୍ୟରେ ଅନ୍ନ ବସ୍ତ୍ର ତଥା ଧନ ସମ ପରିମାଣରେ ଥାଆନ୍ତା ତେବେ ନିଶ୍ଚୟ ସେ ଚୋରି କରିନଥାନ୍ତେ, ଚୋର କେବେ ଅଭାବୀ ଘରକୁ ଯାଏନି ଚୋର ଯାଏ ଆବଶ୍ୟକତା ଠାରୁ ଅଧିକ ରଖିଥିବା ଲୋକଙ୍କ ଘରକୁ। ଦୁଇଟି ପକ୍ଷର ବଚନ ଶୁଣିବା ପରେ ବିଚାରପତି ପଡିଲେ ଦ୍ବନ୍ଦ୍ୱରେ, ହୁଏତ ଭାବୁଥିଲେ କଥା କିଛି ମନ୍ଦ ନୁହେଁ, ଯୁକ୍ତିଯୁକ୍ତ ଲାଗୁଛି।
ତହିଁ ଉତ୍ତାରୁ ଆସିଲେ ମିଥ୍ୟାବାଦୀ, ସେ ନିଜର ପକ୍ଷ ରଖି କହିଲେ, ହେଇପାରେ ମିଥ୍ୟା କହିବା ଭୁଲ କିନ୍ତୁ ପରିବେଶ ପରିସ୍ଥିତି ତଥା ଆତ୍ମରକ୍ଷା ପାଇଁ ମିଥ୍ୟାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କୁହାଯାଇ ନ ପାରେ। ଚତୁର୍ଥରେ ଆସିଲେ ଧନୀକ, ତା'ଙ୍କୁ ପ୍ରଶ୍ନ କରାଗଲା ତମେ ଜାଣିନ ପୃଥିବୀ ଈଶ୍ୱରଙ୍କ ସୃଷ୍ଟି ସେଥିରେ ଯାହା କ
ିଛି ଅଛି ଈଶ୍ୱରଙ୍କ ତେବେ ତମେ ଆବଶ୍ୟକତା ଠାରୁ ଅଧିକ କଣ ପାଇଁ ରଖିଥିଲ? , ତମେ ଚାହିଁ ଥିଲେ ଏହାକୁ ସମାନ ଭାବେ ବାଣ୍ଟି ପାରିଥାନ୍ତ ଫଳରେ ଚୋରର କହିବା କଥା ଆଉ ଯୁକ୍ତି ଯୁକ୍ତ ରହି ନଥାନ୍ତା,ଉତ୍ତର ରେ ଧନୀକ କହିଲେ," ମୁଁ ଜାଣିଛି ସଂସାର ଈଶ୍ୱରଙ୍କର କିନ୍ତୁ ପରିଶ୍ରମ ତ ମୋର, ତେଣୁ ମୋ କଷ୍ଟ ଅର୍ଜିତ ଧନ ମୃତ୍ୟୁ ଯାଏ ମୋ ପାଖେ ରହିବାରେ ଅସୁବିଧା କଣ!?
ଏଥର ବଡ ଅଡ଼ୁଆରେ ପଡିଲେ ବିଚାରପତି, କାହାକୁ କଣ ଦଣ୍ଡ ଦେବେ!କାହାକୁ ନ୍ୟାୟ ଦେବେ! ପରେ ପରେ ପାଳି ଆସିଲା ପୂଣ୍ୟବାନ ବ୍ୟକ୍ତିର, ତା'ର ଥିଲା ସିଧା ଆକ୍ଷେପ, ମୁଁ ଦାନ ଧର୍ମ ଧ୍ୟାନ ଧାରଣା ଉପାସନା କଲି ଆଉ ଶେଷରେ ମୋତେ ଏଇୟା ମିଳିଲା! ଏଇ ପାପୀ ମାନଙ୍କ ସହ ମରଣ! ଏହା ସମ୍ପୂର୍ଣ୍ଣ ରୂପେ ଅଯୁକ୍ତିକର! ବିଚାରପତି ସବୁକିଛି ଶୁଣୁଥା'ନ୍ତି। ଅନ୍ତିମ ରେ ଆସିଲେ ଶାସକ, ସେ କହିଲେ, ମୋର ଦୋଷ କ'ଣ! ମୋତେ ଦଣ୍ଡ କଣ ପାଇଁ ଦିଆଯିବ? ବିଚାରପତି ଉତ୍ତର ଦେଲେ କାରଣ," ତମେ ରାଜା, ଆଉ ପ୍ରଜା ମାନଙ୍କ ସବୁ ଉତ୍ତରଦାୟୀତ୍ବ ରାଜାଙ୍କର, ଯଦି ସୁଖ ଦୁଃଖର ରାଜା ସାମିଲ ହେବ, ତେବେ ପାପ ପୂଣ୍ୟର ହିସାବ ନିକାସରେ କଣ ପାଇଁ ନୁହେଁ?" ରାଜା କିନ୍ତୁ ଚତୁରତାର ସହ ଉତ୍ତର ଦେଲେ," ଆପଣ ପ୍ରଥମେ କହିଥିଲେ ସମଗ୍ର ଭୂଖଣ୍ଡ ଈଶ୍ୱରଙ୍କର ତେବେ ଈଶ୍ୱର ହେଲେ ଏହାର ମାଲିକ ବା ରାଜା, ତେବେ ସମସ୍ତ କିଛି ପାଇଁ ସବୁ ଠୁଁ ବଡ ଦୋଷୀ ହେଲେ ଈଶ୍ୱର, କାରଣ ଆମ ସମସ୍ତଙ୍କୁ ଉଚିତ ମାର୍ଗ ଦେଖେଇବା ତାଙ୍କ କର୍ତ୍ତବ୍ୟ"। ଏଥର ବିଚାରପତି ଦେବତା ବଡ ଚିନ୍ତାମଗ୍ନ ହେଲେ ସମସ୍ତ କିଛି ପକ୍ଷ ତର୍କର ଅନ୍ତର୍ଗତ ଆସୁଥିଲା, ଏପରି ପ୍ରତୀତ ହେଉଥିଲା ଭୁଲ କାହାରି ନୁହେଁ, ସତେ ସବୁ ଭୁଲ ଈଶ୍ୱରଙ୍କର! ହେଲେ ଈଶ୍ୱରଙ୍କୁ ତା'ଙ୍କ ଭୁଲ ପାଇଁ ଦଣ୍ଡ ଦେବ କିଏ! ସେଠାରେ ସ୍ୱୟଂ ଅନ୍ତର୍ଯ୍ୟାମୀ ପରମପିତା ଈଶ୍ୱର ଆବିର୍ଭାବ ହେଲେ।
ଈଶ୍ୱର କହିଲେ, ହଁ ମୁଁ ଦୋଷୀ, ମଣିଷକୁ ଗଢିବା ପୃଥିବୀକୁ ଗଢିବା ମୋର ଦୋଷ! କିନ୍ତୁ ମଣିଷ କେବେ ନିଜ ଦୋଷ ଦେଖିଲାଣି? ସବୁବେଳେ ଯୁକ୍ତି ମାଧ୍ୟମରେ,ଛଳନା ମାଧ୍ୟମରେ, କୁଟ ମାଧ୍ୟମରେ ଠକି ଆସିଛି, ଆଉ ଆସୁଛି ମଧ୍ୟ! ମଣିଷକୁ ବୁଦ୍ଧି ବିବେକ ଦେବା ମୋର ଭୁଲ!
ଆଶା ଆଉ ଲୋଭ ଭିତରେ ଫରକ ଅଛି, ପାପ ପୂଣ୍ୟ ଭାବି ପର ଆପଣାରେ ପ୍ରଭେଦ ଆଣି ନିଜକୁ ଶ୍ରେୟ ମଣିବା ବି ଭୁଲ, ଆବଶ୍ୟକତା ମେଣ୍ଟିବା ପରେ ମଧ୍ୟ ପରିଶ୍ରମ ଛଳରେ ଅଧିକ ସଞ୍ଚିବା ଭୁଲ, ଅନ୍ୟର ସମ୍ପତ୍ତିକୁ ନିଜର କରିବା ଭୁଲ, ସ୍ୱାଦ ଛଳରେ ନିରୀହ ଜୀବର ହତ୍ୟା କରିବା ବି ଭୁଲ, ଶେଷରେ ନିଜର ଚତୁର ବୁଦ୍ଧି ପ୍ରୟୋଗ କରି ନିଜ ଭୁଲକୁ ଭ୍ରାନ୍ତିରେ ପକାଇ ଅନ୍ୟ ମଥାରେ ଅଠା ବୋଲିବା ବି ଭୁଲ!
ଯଦି ଏହି ସବୁ ଭୁଲ ନୁହେଁ , ତେବେ ଯାଇ ମୁଁ ଭୁଲ!
ସେଥିପାଇଁ ଈଶ୍ୱର ହିସାବରେ ଦଣ୍ଡ ପାଇବା ମୋର ଉଚିତ।