ପ୍ରେମର ଅପେକ୍ଷା
ପ୍ରେମର ଅପେକ୍ଷା
ଅନେକ ଦିନରୁ ଷ୍ଟୋରରୁମ୍ ସଫା କରିବି କରିବି ହେଉଛି, ପରନ୍ତୁ ସମୟର ଘୋର ଅଭାବ ମୋ ପାଖରେ । ଆଜି ଅଫିସ ଛୁଟି । ଅଯଥାରେ ସମୟ ୱେବସିରିଜି ଦେଖାରେ ନସାରି, ଯାଇ ଷ୍ଟୋରରୁମଟା ସଫା କଲେ ଭଲ ହୁଅନ୍ତା । ଏହା ଭାବି ଷ୍ଟୋରରୁମ ଆଡକୁ ଅଗ୍ରସର ହେଲି । ଘରର ଅନେକ ପୁରୁଣା ଜିନିଷ ସହ ମୋ ପୁରୁଣା ବହି, ଖାତା, ସାଇକେଲ୍ ଇତ୍ୟାଦିକୁ ଜଡେଇ ଧରିଛି ଏ ଷ୍ଟୋରରୁମ ।
ନିଜ ପୁରୁଣା ଜିନିଷକୁ ବହୁତ ଦିନ ପରେ ଦେଖିଲେ ଭାରି ଭଲ ଲାଗେ । ବିଗତ ଦିନର ସ୍ମୃତିକୁ ପୁନଃ ତାଜା କରିଥାଏ । ଏ ପୁରୁଣା ବହି,ଖାତାକୁ ଫୋପାଡିବାକୁ ଇଚ୍ଛା ହୁଏନି ମୋର, ସେଥିପାଇଁ ସବୁ ଜିନିଷ କୁ ମୁଁ ଷ୍ଟୋରରୁମରେ ସାଇତି ଦିଏ ।
ବୋଉ ସବୁ ସମୟରେ ଗୋଟେ ପ୍ରଶ୍ନ: "ଅଯଥା ଜିନିଷ ରଖି ଘର ଭରିବାକୁ ତତେ କଣ ଭଲ ଲାଗେ ? " ।
ମୋ ବାପା କିନ୍ତୁ ଏକଥା ଶୁଣି ନିଆରା କଥା କୁହନ୍ତି, : " ସେ ତ ଆଉ କେଉଁଠି ରଖୁନି ଷ୍ଟୋରରୁମ୍ ରେ ରଖୁଛି ତୁମେ କଣ ସେଠାରେ ଚଳୁଛ ?
ବୋଉ ରାଗିକି କୁହେ " ବାପା ଯେପରି ଝିଅ ବି ସେପରି " ।
ହଁ, ମୁଁ ମୋ ବାପାଙ୍କ ପରି । ମୋ ବାପାଙ୍କୁବି ପୁରୁଣା ଜିନିଷକୁ ଯତ୍ନ୍ନରେ ସାଇତି ରଖିବାର ବହୁତ ଭଲଲାଗେ ।
ନିଜର ବହି ଖାତା ରଖିଥିବା ଥାକ ପାଖରେ ବସିଗଲି । ସବୁ ଗୁଡିକୁ ଥାକରୁ ଅଣୁଥାଏ, ଓ ଦେଖିକି ପୁନଃ ଆଉ ଏକ ଥାକରେ ଥୋଉ ଥାଏ । ଏପରି ଭାବରେ ଷ୍ଟୋରରୁମ୍ ସଫା କରେ, ମୋ ଜିନିଷ ଗୁଡିକ ଭଲ ଅଛିକି ନାହିଁ ଦେଖିବା ହେଉଛି ସଫା କରିବାର ବାହାନା । ମୋ ଆଖିରେ ପଡିଲା ଦଶମ ଶ୍ରେଣୀ ରଫ୍ ଖାତା । ଉପରେ ଲେଖା ଥିଲା
ରଫ୍ ଖାତା ।
ଅନିତା ଦାସ ।
ଶ୍ରେଣୀ- ଦଶମ ।
ଥରେ ସେ ଖାତା ଉପରେ ହାତ ବୁଲାଇ ଆଣିଲି, ସେଇ ଦିନ ଗୁଡିକ ଯେପରି ତାଜା ହୋଇଗଲା । ସ୍କୁଲ ଜୀବନ ସତରେ ଅଭୁଲା । ଆଜି କାହିଁକି ଇଚ୍ଛା ହେଲା ସେ ଖାତାକୁ ଖୋଲି ଦେଖିବାକୁ ।
ଗୋଟି ଗୋଟି ଫର୍ଦ୍ଦକୁ ଲେଉଟାଇ ଚାଲିଥାଏ । କେଉଁଠି ଗଣିତ, କେଉଁଠି ବିଜ୍ଞାନ, କେଉଁଠି ତ୍ରିକୋଣମିତି ସବୁ ବିଷୟରେ କିଛି ନା କିଛି ଅଛି । ଆଖି ପଡିଲା ସାଙ୍ଗ ପିଲାଙ୍କ ସହ ମଜାରେ କାହାର ବ୍ୟଙ୍ଗ ଚିତ୍ର କରିବା । କେଉଁଠି ଖାଲି ପିରିୟଡ଼ ସମୟରେ ଛକି ଶୂନ ଖେଳିବା । ଯେତେ ଯେତେ ଦେଖୁଥାଏ ସେତେ ସେତେ ଖୁସି ଲାଗୁଥାଏ । ସବୁ ଯେପରି ମୋ ଆଖି ସାମ୍ନାରେ ନାଚିଯାଉଥାଏ । ଗୋଟେ ଜାଗାରେ ମୋ ଆଖି ଓ ହାତ ଉଭୟ ଯାଇ ରହିଗଲେ ଏ କଣ ? ଆଗରୁତ କେବେ ଏହାକୁ ଦେଖିନି !!"! " " ଶୁଖିଲା ଗୋଲାପ ଫୁଲର ପାଖୁଡା" ", ଶୁଖିକି କଳା କାଠ ପଡ଼ି ଯାଇଛି । ଗୋଲାପ ଫୁଲର ଡେମ୍ଫ ଖାତା ଭିତରକୁ ପଶି ଯାଇଛି । ଯେତେ ମନେ ପକାଇବାକୁ ଚେଷ୍ଟା କଲେବି କିଛି ମନେ ପଡିଲା ନାହିଁ । ନା ନା ଏ ଗୋଲାପ ଫୁଲ ମୁଁ ରଖିନି, ତାହେଲେ ଆସିଲା କେଉଁଠୁ ? । ସାଙ୍ଗ ପିଲା କିଏ ରଖିଥାଇ ପାରନ୍ତି । କିନ୍ତୁ ଯଦି କିଏ ରଖିଲା କହିଲାନି କିପରି । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ଭଲକି ଗୋଲାପ ଫୁଲ ଥିବା ଯାଗାକୁ ଦେଖିଲା । କିଛିତ ଲେଖା ହୋଇନି, ତାହେଲେ କିଏ ରଖିଲା । ଅନିତା ନିରେଖି ଚାହିଁଲା, ସେଇ ଫର୍ଦକୁ । କାଳିରେ ସିନା କିଛି ଲେଖା ନାହିଁ, ………… ହେଲେ କିଛି ଲେଖିବାର ଛାପୋ ବା ଚିନ୍ନ ରହିଛି । ନିଜ ର ଜିନିଷକୁ ଜଲ୍ଦି ସଜାଡି, ଉକ୍ତ ରଫ୍ ଖାତା କୁ ସାଙ୍ଗରେ ନେଇ ଅନିତା ଫେରିଲା ନିଜ ରୁମକୁ । ଖାତାଟିକୁ ବୋଉଙ୍କ ନଜାରରୁ ଲୁଚାଇ ଆଣିଥିଲା । ଖଟ ଉପରେ ବସି ସେ ଲେଖାର ଛପି ଥିବା ଛିନ୍ନ ରେ ଲେଖିବା ଆରମ୍ଭ କଳା ।
ପ୍ରିୟା ..
ଅନିତା,
ତୁମକୁ ଦେଖିବା ପରେ ମୁଁ ନିଜକୁ ଭୁଲି ସାରିଛି ।
ଜାଣିନି ମୋ ଭଲ ପାଇବା ତୁମ ପ୍ରତି କେତେ କିନ୍ତୁ ଏତିକି ଜାଣିଛି ତୁମବିନା ବଞ୍ଚିପାରିବିନି । ଏ ସୁନ୍ଦର ଗୋଲାପ ଫୁଲଟି ମୋ ସୁନ୍ଦର ପ୍ରିୟା ପାଇଁ । ତୁମେ ଏ ସବୁ ଜାଣିବା ପରେ କଣ ଭାବିବ ମୁଁ ଜାଣିନି ? । ମୋ ପ୍ରେମକୁ ସ୍ୱୀକାର କର ଅଥବା କ୍ରୋଧ ତଥାପି ମୁଁ ତୁମର ଉତ୍ତର କୁ ଚାହିଁ ବସିବି । ଅପେକ୍ଷା ରେ ରହିଲି ।
ଇତି
ମହେଶ ।
ଅନିତା ପଢି ସାରି ଛାତିଟା ଧଡ ଧଡ ହେଉଥାଏ । ବିଗତ ପନ୍ଦରବର୍ଷ ତଳର ଏ ଫୁଲ ଓ ଚିଠି ମହେଶ ତାକୁ ଦେଇଥିଲା, ହେଲେ, ଥରେଟେ ତା ଆଖିରେ ପଡିନି । କିପରି ବା ପଡିବ ଏପରି କିଏ କାହାକୁ ପ୍ରେମ ନିବେଦନ କରେ ।
"ମହେଶ" , ସେତେବେଳେ ସ୍କୁଲର ସବୁଠାରୁ ମୋଟା ପିଲା ଥିଲା, ତା ସହ ସାଙ୍ଗ ହେବାକୁ କେହି ପସନ୍ଦ କରୁନଥିଲେ । କିନ୍ତୁ ତାର ମୋର ଖୁବ୍ ଭଲ ସାଙ୍ଗ ଥିଲୁ । ହେଲେ ତା ମନରେ ମୋ ପ୍ରତି ଭଲ ପାଇବା ଥିଲା ମୁଁ ଭାବି ପାରୁନି । ସ୍କୁଲ ପରେ ସେ ତା ବାପାଙ୍କ ସାଙ୍ଗରେ ଚଣ୍ଡୀଗଡ଼ ଚାଲିଯାଇଥିଲା । ଯିବା ପରେ ଫୋନ କେତେଥର କରିଛି । କଥା ହେବା ସମୟରେ ବହୁତ ଥର କୁହେ ଆଉ କିଛି କହିବୁ ? ମୁଁ ଭାବେ ବୋଧେ ଫୋନ ରଖିବାକୁ ଏପରି କହୁଛି ମୁଁ କିପରି ଜାଣିବି ସେ ଚିଠିର ଉତ୍ତର ମାଗୁଥିଲା, ମୁଁ କୁହେ ନା ଆଉ କିଛି ନାହିଁ ।
କିନ୍ତୁ ଏତେ ଦିନ ପରେ ସେ କେଉଁଠି, କଣ କରୁଛି, କିଛି ବି ଖବର ନାହିଁ । ଅନିତା ସେ ଚିଠିକୁ ଆଉ ଥରେ ପଢିଲା ମନ ଭିତରେ ଶିହରଣ ଖେଳିଗଲା । ତାକୁ ଆଜି ପର୍ଯ୍ୟନ୍ତ ଏପରି କେହି କହି ନଥିଲେ । ଏ ସବୁ ତା ପାଇଁ ପ୍ରଥମ ଥିଲା । ସେ ଶୁଖିଲା ଗୋଲାପ ଫୁଲର ପାଖୁଡାକୁ ନିଜ ଟେବୁଲ ଉପରେ ଗୋଟେ ପାତ୍ରରେ ରଖିଲା । ଶୁଖି ଯାଇଥିବା ଗୋଲାପ ଫୁଲରୁ ବି ବାସ ଛୁଟିଲା ଭଳି ଲାଗୁଥିଲା ଓ ସେ ମହକ ତାକୁ ମତୁଆଲା କରିଦେଲା ।
ମହେଶକୁ ଖୋଜି ଚାଲିଲା ଅନିତା, ଅନେକ ସାଙ୍ଗଙ୍କ ମାଧ୍ୟମରେ ଓ ସୋସିଆଲ ମିଡ଼ିଆ ରେ ଦିନ ରାତି ଚେଷ୍ଟା ବଜାୟ ରଖିଲା । ଏହା ଭିତରେ ପନ୍ଦର ଦିନ ହୋଇସରିଥାଏ । ସେଦିନ ଅନିତା ଫୋନଟି ବାଜି ଉଠିଲା ଅଜଣା ନମ୍ବର ଥିଲା । କିଏ ଯଦି ମହେଶର ସମ୍ବାଦ ଦେବାକୁ ଫୋନ କରିଥାଇ ପରେ, ଏହା ଭାବି ଅବିଳମ୍ବେ ଅନିତା " ହେଲୋ କହିଲା " ।
ଅତି ଧୀର ଭାବରେ ସେପଟୁ ଶୁଭିଲା " ମୁଁ ମହେଶ କହୁଛି କିଏ ଅନିତା କହୁଛ କି ? " ।
ଅନିତାର ଖୁସିର ଠିକଣା ନଥିଲା " ହଁ ହଁ ଅନିତା କହୁଛି " ।
ମହେଶ " ମତେ କିଛି ସାଙ୍ଗ କହିଲେ ତୁମେ ମତେ ଖୋଜୁଥିଲ ?, କଣ କିଛି କାମ ଥିଲା ? ।
ଅନିତା ଭାବି ନଥିଲା ମହେଶ ଏଭଳି ପଚାରିବ । ମନରେ ତାର ଦୁଃଖ ଭରିଗଲା ।
"ନାଇଁ କିଛି କାମ ନାହିଁ, ଏମିତି ପଚାରୁଥିଲି " । ଅତି ମନ ଦୁଃଖରେ କହି କଲ କାଟିଦେଲା ଅନିତା । ତାକୁ ଜୋରେ କାନ୍ଦ ଲାଗୁଥିଲା, ସେ ଜାଣି ନଥିଲା ଏ ରାଗ ଅଭିମାନ କାହିଁକି ଆସୁଛି ମହେଶ ଉପରେ ।
ରାତିରେ ଅନିତାକୁ ନିଦ ଆସୁନଥାଏ, କେବେ ମହେଶ ଉପରେ ତ କେବେ ନିଜ ଉପରେ ରାଗୁଥାଏ । ଚିଠି ଦେଖି ତା ଭତରେ ସିନା ଭାବନା ଆସୁଛି କିନ୍ତୁ ପନ୍ଦରବର୍ଷ ତଳେ ଚିଠି ଲେଖିଥିବା ପିଲାର କଣ ମନେ ଥିବ ? ହୋଇ ଥାଏ ପରେ ତା ଜୀବନରେ ଆଉ କେଉଁ ଝିଅ ଆସିଥାଇ ପାରେ ? ଏପରି ଅନାବନା ଭାବନାର ଅଡୁଆ ସୂତା ଭିତରେ ଅନିତା ଛନ୍ଦିହୋଇ ସରିଥାଏ । ଅନିତା ଫୋନର ଘଣ୍ଟି ବାଜି ଉଠିଲା । ମହେଶ କଲ୍ କରୁଛି । ଅନିତା ଖୁସିରେ ଫୋନକୁ ରିସିଭ୍ କଲା ।
ମହେଶ " ମୁଁ ସେତବେଳେ ଭୁଲ ସମୟରେ କଲ୍ କରିଦେଲି ନୁହେଁ ? ତୁମେ ବୋଧେ ଅଫିସରେ ଥିଲ । କିନ୍ତୁ ମତେ 'କଲ୍ ବ୍ୟାକ୍' କଲନି କାହିଁକି ?।
ଅନିତା " ନାଇଁ, ଜାଣିକି କାଟିଦେଲି, ଏତେ ଦିନ ପରେ କଲ୍ କରି କିଏ କଣ କାହାକୁ ପଚାରେ କଣ କାମଥିଲା ? "।
ମହେଶ " ହା ହା ଓଃ ତାହେଲେ ରାଗିଥିଲ " ।
ଅନିତା "ନିଶ୍ଚୟ, ମୁଁ ପନ୍ଦର ଦିନହେବ କି-ଦିନ କି-ରାତି ତୁମକୁ ପାଗଳ ଭଳି ଖୋଜୁଛି । ଅଥଚ ??? "।
ମହେଶ " ଆରେ, କୁହ କଣ ହେଲା, ସେଥିପାଇଁ ତ ପଚାରିଲି କଣ କାମଥିଲା "? ।
ଅନିତା ଚୁପ ରହିଲା ତାର ଇଚ୍ଛା ହେଉଥିଲା, ଅନେକ କିଛି କହିବାକୁ ହେଲେ କିପରି । ମହେଶ ଜୀବନରେ ଯଦି ଆଉ କିଏ ଥିବ ତାହେଲେ ?
ହେଲୋ.... ହେଲୋ ଅନିତା ?
ଅନିତା : "ହଁ, ହଁ ଶୁଭୁଚି । ସେପରି କିଛି କାମ ନାହିଁ, ତୁମ ଯୋଗାଯୋଗ କିଛି ନଥିଲା । ସେଥିପାଇଁ ଖୋଜୁଥିଲି, "।
ମହେଶ : "କଣ ବିବାହ ଠିକି ହୋଇଗଲା ନାକଣ, ନିମଂତ୍ରଣ କରିବା ପାଇଁ ଖୋଜୁଥିଲ ? ।
ଅନିତା : ତୁମ ବିବାହରେ କଣ ମତେ ଡାକିଥିଲ ଯେ ମୋ ବିବାହରେ ଯୋଗ ଦେବାକୁ ତୁମକୁ ଡାକିବି ।
ମହେଶ : " ମୁଁ ଏପର୍ୟ୍ଯନ୍ତ ସେ ଭୁଲୁ କରିନି, ବହୁତ ଖୁସିରେ ଅଛି ସେ ଝାମେଲାରେ ନପଶି " ।
ଅନିତା : " ହଁ, ବିବାହ ପାଇଁ ମନା କର କିନ୍ତୁ ସେପଟେ ପ୍ରେମିକା ମାନଙ୍କ ଲାଇନି ଲାଗିଥିବା । " ।
ମହେଶ : " ସେ ଭାଗ୍ୟ ମୋର କାହିଁ, ମୁଁ ଗୋଟେ ହତଭାଗ୍ୟ " । ( କହି ହସିଦେଲା ମହେଶ ) ।
ଅନିତା କୁ ଏ ସବୁ କଥା ଯେପରି ସ୍ୱର୍ଗସୁଖ ଦେଉଥାଏ ଖୁବ୍ ଆନନ୍ଦ ଅନୁଭବ କରୁଥାଏ ସେ ।
ମହେଶ " ଅଚ୍ଛା, ଅନେକ ରାତି ହେଲାଣି ଶୋଇପଡ଼ ।
"ଆଉ କିଛି କହିବ? " ।
ଶେଷ ପଦ କଥା ଯେପରି ଅନିତା ପାଇଁ ହିଁ ଥିଲା, ସେ ଚାହିଁ ବସିଥିଲା ଏପଦକ ଶୁଣିବାକୁ ।
ଅନିତା : " ବହୁତ କିଛି କହିବାର ଅଛି, ତୁମେ ଦେଇଥିବା ଗୋଲାପ ଫୁଲ ଓ ଚିଠି ପନ୍ଦରଦିନ ତଳେ ପାଇଲି, ତା ଉତ୍ତର ଦେବାକୁ ତୁମକୁ ଖୋଜି ଚାଲିଛି ତୁମେ ମୋ ଉତ୍ତର ପାଇବାକୁ ଅପେକ୍ଷା କରିଛ ତ ? "।
ମହେଶ (ଟିକେ ହସି) : " ଆଜି ପର୍ଯନ୍ତ କରିଛି ମୁଁ, ଏବଂ ମରିବା ପର୍ଯନ୍ତ ତୁମ ଉତ୍ତରକୁ ସେପରି ଅପେକ୍ଷା କରିବି ଅନିତା "।
ଲାଗୁଥିଲା ଗୋଲାପଫୁଲ ଦୁଇ ଜଣକୁ ମତୁଆଲା କରିସାରିଥିଲା ।